କବିତା ସଂକଳନ: ଚାଷବାସ, ପ୍ରକାଶକ: ଚନ୍ଦ୍ରଭାଗା, ବାଲେଶ୍ଵର, ମୂଲ୍ୟ: ୫୦ଟଙ୍କା, ପୃଷ୍ଠା: ୬୦

ସ୍ୱସ୍ତିକ ଚିହ୍ନଟି ସହ ଆମେ ସମସ୍ତେ ପ୍ରାୟ ପରିଚିତ । ହିଟଲରର ନାଜୀ ଜର୍ମାନୀରେ ଅସଂଖ୍ୟ ଇହୁଦୀମାନଙ୍କ ଗଣହତ୍ୟାବେଳେ ଜାତୀୟ ଚିହ୍ନ ହିସାବରେ ବ୍ୟବହୃତ ହେଇ ଅବଶ୍ୟ ଏ ଚିହ୍ନ ଉପରେ କଳଙ୍କ ଲାଗିଚି । ତେବେ, ଚିହ୍ନର ବା ଭୁଲ କଣ ! ଆଜି ବି ଭାରତରେ ସ୍ୱସ୍ତିକ ଏକ ପବିତ୍ର ଚିହ୍ନ ରୂପେ ସ୍ଵୀକୃତ । କେବଳ ହିନ୍ଦୁଧର୍ମରେ ନୁହେଁ, ବୌଦ୍ଧ ଓ ଜୈନ ଧର୍ମରେ ବି ଏ ଚିହ୍ନର ସ୍ୱତନ୍ତ୍ର ମହତ୍ତ୍ୱ ରହିଚି । ଅନେକ ପୂଜାରେ (ବିଶେଷତଃ ବେପାର ବଣିଜ କ୍ଷେତ୍ରରେ) ଏ ଚିହ୍ନ ସହ ଆପଣ ଏକାଠି ଦେଖିବାକୁ ପାଇବେ ଦୁଇଟି ଶବ୍ଦ, 'ଶୁଭ' ଓ 'ଲାଭ '। ଏ ଦୁହିଁଙ୍କୁ କେହି କେହି ଗଣେଶଙ୍କର ଦୁଇ ପୁଅ ବୋଲି ବି କହନ୍ତି । ତେବେ ସେ ଯାହା ହଉ, ଏ ଯୋଡ଼ିରେ ଲକ୍ଷ୍ୟ କରିବା କଥା ହେଲା, ପ୍ରଥମେ ଶୁଭ ଓ ପରେ ଯାଇ ଲାଭ। ଅର୍ଥାତ, ଶୁଭ ହେଲେ ଯାଇ ଲାଭ କଥା ଉଠିବ ।

ସେମିତି ବି ଯୋଡ଼ି ଶବ୍ଦ ସବୁ ଆମ ଭାଷାରେ ଭରପୂର । ଏଇ ଯେମିତି ଶ୍ରୀଦେବଙ୍କ ବହିର ନାଁ, 'ଚାଷବାସ '। 'ଚାଷ' ଆଉ 'ବାସ' ମିଶେଇ ଚାଷବାସ । ଶ୍ରୀଦେବ କିନ୍ତୁ ଏ ଦୁହିଁଙ୍କୁ ଅଲଗା ଅଲଗା କରି ଲେଖିଛନ୍ତି ବହିରେ । ବହିର ପ୍ରଥମ କବିତାର ନାଁ "ଚାଷବାସ" । ହେଲେ ସେ କବିତା ଲେଖା ହେଇଚି ଦୁଇଟି ଭାଗରେ । ପ୍ରଥମେ 'ଚାଷ' ଆଉ ତା'ପରେ 'ବାସ' । ବହିରେ ସମୁଦାୟ ଏକୋଇଶିଟି କବିତା ଏବଂ ଏକୋଇଶିଟି ଯାକ କବିତା ଏଇମିତି ଦୁଇଭାଗରେ ବିଭକ୍ତ । ଉଦାହରଣ ସ୍ୱରୂପ, "ସତମିଛ" ନାଁରେ ଯୋଉ କବିତା, ସେଥିରେ ଦୁଇଟି ଭାଗ - 'ସତ' ଓ 'ମିଛ' । "ଭଂଗାଗଢ଼ା" ନାଁରେ ଯୋଉ କବିତା ସେଥିରେ ବି ଦୁଇଟି ଭାଗ - 'ଭଂଗା' ଓ 'ଗଢ଼ା'। "ଭାଗବଣ୍ଟା" ନାଁରେ ଯୋଉ କବିତା ସେଥିରେ ବି 'ଭାଗ' ଓ 'ବଣ୍ଟା' ନାଁରେ ଦୁଇଟି ଭାଗ । ବେଳେବେଳେ ପାଠକକୁ ଏମିତି ବି ଲାଗିପାରେ ଯେ ଖାଲି ଦି'ଭାଗ କରି ଲେଖିବା ପାଇଁ ହିଁ କିଛି ଶୀର୍ଷକ ଦେଇଚନ୍ତି କବି । ଯେମିତି, "ଇତିହାସଫିତିହାସ" କବିତାରେ 'ଇତିହାସ' ଓ 'ଫିତିହାସ' କି "ଭାତଫାତ" କବିତାରେ 'ଭାତ' ଓ 'ଫାତ' । ଶୈଳୀ ଦୃଷ୍ଟିରୁ ଏ ଏକ ନିଆରା ଜିନିଷ ନିଶ୍ଚୟ । ତେବେ, ୟାର ନିଆରାପଣ ଖାଲି ଯେ ନାମକରଣରେ ଅଛି, ତା ନୁହେଁ । ବିଷୟବସ୍ତୁ ଦୃଷ୍ଟିରୁ ବି ଏ ଦୁଇଭାଗ କରି ଲେଖିବା ଏକ ନିଆରା ପ୍ରୟାସ । ଚାଷ ପାଇଁ ଇଏ ସତେ ଯେମିତି "ଶୁଭ" ଓ "ଲାଭ" ଲେଖିବାର ପ୍ରୟାସଟିଏ । ବା, ଚାଷ ପାଇଁ, ଚାଷୀ ପାଇଁ "ଶୁଭ" ଓ "ଲାଭ" ଲେଖିହେଲା ଭଳି ପରିସ୍ଥିତି ଯେ ନାହିଁ, ସେକଥା ଦେଖେଇ ଦବାର ପ୍ରୟାସଟିଏ ।

ବହିର ମଲାଟ ଓଲଟେଇଲେ ହିଁ ପ୍ରଥମ ପୃଷ୍ଠାରେ ଆପଣ ପଢ଼ିବେ, "ଚାଷ ନାହିଁ ଯାହାର କି ଆନନ୍ଦ ତାହାର" । ସୂଚୀପତ୍ର ପାଖରେ ପହଞ୍ଚିଲା ବେଳକୁ ଶ୍ରୀଦେବ ସିଧାସଳଖ ଆପଣଙ୍କୁ କହିଦେବେ ଯେ ଏ ବହିରେ ଅଛି "ଏକୋଇଶିଟି ଅଶୁଭ କବିତା" । ଅର୍ଥାତ୍, 'ଶୁଭ' ନାହିଁ । ଅତଏବ 'ଲାଭ'ର ତ ପ୍ରଶ୍ନ ଉଠୁନାହିଁ । ତା' ସତ୍ତ୍ୱେ ବି ଯୋଡ଼ିହେଇ ହାତ ଧରାଧରି ହେଇ ଠିଆହେଇଥିବା ଏ କବିତାତକ ପଢ଼ିବେ ଆପଣ । ପଢ଼ିବେ ଚାଷୀର ଜୀବନରୁ, ତା ସଂସାରରୁ ଶୁଭ, ଲାଭ ଆଉ ସ୍ୱସ୍ତିକମାନଙ୍କର ଅନୁପସ୍ଥିତିର ଏକ ଦଲିଲ୍ ହିସାବରେ । ପଢ଼ିବେ ଚାଷୀର କୁହୁଳୁଥିବା ରାଗ ଆଉ ଜମାଟ ବାନ୍ଧିଯାଇଥିବା ଲୁହକୁ ଭେଟିବା ପାଇଁ । ଦୟା ଦେଖେଇ ପାରିବେନି । ଦେଖେଇବାକୁ ଚେଷ୍ଟା କଲେ ଭେଟିବେ ଆପଣଙ୍କ ଦୟାକୁ ତାତ୍ସଲ୍ୟ କରି ଦିଗବଳୟ ଆଡ଼େ ପାଦ ପକେଇ ଧୀରେ ଧୀରେ ଉଭେଇଯାଉଥିବା କଙ୍କାଳଟିଏ ।

ଶ୍ରୀଦେବ ନିଜେ ଜଣେ "ଦର୍ପାଠୁଆ ଚାଷୀ" ହିସାବରେ ଏ କବିତାତକ ଲେଖିଚନ୍ତି ବୋଲି ସ୍ପଷ୍ଟ କରିଚନ୍ତି ଉତ୍ସର୍ଗରେ । ଉତ୍ସର୍ଗର ଭାଷା ଏତେ ନିଚ୍ଛକ ଆଉ ଅନାବିଳ ଯେ ସେଥିରୁ ଉଦ୍ଧୃତି ଦବାକୁ ମନ ବଳୁନାଇଁ । ପଢ଼ିଲେ ଜାଣିବେ । କବିତା ସବୁରେ ଏମିତି ଅନେକ ଦୃଶ୍ୟ ଅଛି ଯାହା ଆପଣଙ୍କୁ ଏମିତି ଅନୁଭବ ଦବ ଯେମିତି ହଠାତ୍ ଆପଣଙ୍କୁ ଜୋରରେ ହଲେଇ ଗହୀର ନିଦରୁ ଉଠେଇ ଦଉଚି କେହିଜଣେ ! "ଚାଷଫାଶ" କବିତାର ଦ୍ଵିତୀୟ ଭାଗ 'ଫାଶ'ରେ ଦେଖନ୍ତୁ ଏ ଧାଡ଼ିତକ "ଦୁଇଟି ପିଲାର ବାପ ଗଜେନ୍ଦ୍ର ଚାଷୀ" ବିଷୟରେ:

"ଖଣ୍ଡେ ଗଛଡାଳରେ
ଚିପୁଡ଼ି ହେଇ ଶୁଖୁଥାଏ
ଜାତୀୟ ପତାକା ପରି
ଗଜେନ୍ଦ୍ର ଗାମୁଛା
ସେ ନିଜେ ଓ
ଆଉକିଛି ସ୍ଲୋଗାନ୍"।

ମୋର କହିବା (ଓ ଆପଣଙ୍କର ଶୁଣିବା) ଜରୁରୀ ଯେ ଶ୍ରୀଦେବ ଆମକୁ ଜଣେଇ ଦେଇଚନ୍ତି କବିତାର ପୂର୍ବଭାଗ 'ଚାଷ'ରେ, ଗଜେନ୍ଦ୍ରର ଗାମୁଛା କିଣାହେଇଥିଲା "ଗୌଣେ ଗହମ" ବିକି । ତେବେ ଏ କବିତାରେ ଯେ ଖାଲି ଫାଟି ଆଁ କରିଥିବା ବିଲହୁଡ଼ାରେ ବସି ଆକାଶକୁ ଅନେଇଥିବା କିମ୍ବା ଗଛରୁ ଝୁଲିପଡ଼ିଥିବା ଚରିତ୍ରମାନେ ଅଛନ୍ତି ଯାହାଙ୍କୁ ଦେଖି ଜଣେ "ଆହା-ଚୁ-ଚୁ" କରିବ ଆଉ ପୁଣି ଭୁଲିଯାଇ ନିଜ ବ୍ୟକ୍ତିଗତ 'ଶୁଭ-ଲାଭ'ରେ ଲାଗିଯିବ ତାହା ନୁହେଁ । ଏ କବିତାସବୁର ଚରିତ୍ରମାନେ ଖାଲି ଥିଲାବାଲାଙ୍କ ପାଇଁ ଲୁହ ଗଡେଇବାର ଉପାଦାନ ନୁହଁନ୍ତି । ଏ ଚାଷୀମାନେ ସ୍ୱପ୍ନ ଦେଖନ୍ତି:

"ଚାଲିଥାଏ ତ ଚାଲିଥାଏ
ସେଇ ଦିନୁ ଆଜିଯାଏଁ
ଘୂରିଘୂରିକା
ତିଆରିବା ପାଇଁ ନୂଆ
ସାମିଆନା ଘେରା ଏକ ସଂସାର
ଘୂରୁଚି ତ, ଘୂରୁଥାଏ ବେଫିକର୍" । ("ଗଢ଼ା", "ଭଂଗାଗଢ଼ା")

କିମ୍ବା,

"ଆଂକୁଥାଉ ଚିହ୍ନ
ଦ୍ଵିତୀୟା ଜହ୍ନ
ପଶ୍ଚିମା ସଂଜେ
ଥପଥପ୍ ହସ ହସୁ
ଶିଶିରବିନ୍ଦୁର ରୂପେ
ପୂର୍ବଜ ମସିଆ ଖାତାରେ
ନିରବ ରାସ୍ତାଧାରେ
କୁଆଡ଼କୁ ଯିବ ତୁଚ୍ଛା ଜିଇଁବାକୁ
ଲେଖାଥାଉ ରାସ୍ତାଘାଟେ
ନେମପ୍ଲେଟ୍-ହୃଦ ଠିକଣା" । ("କିଣା", "କିଣାବିକା")

ଏ ଚାଷୀମାନେ ସିଧାସଳଖ ବିଦ୍ରୋହର ଆହ୍ୱାନ ବି ଦିଅନ୍ତି:

"ହେଉ ଏୟା ଏଜେଣ୍ଡା:
କୋଠା ନୁହଁ ବିଲ ଦିଅ
ଯାତନା ନୁହଁ ଜୀବନ ଦିଅ
ବଗିଚାରେ ଫୁଟାଇ ନପାରିଲେ ଫୁଲ
ତମେ ଗୁଳିଖାଅ "। ("ପ୍ରତିକ୍ରିୟା", "କ୍ରିୟାପ୍ରତିକ୍ରିୟା")

କିମ୍ବା,

"କବି କୁମ୍ଭାରର ଛବିଳ - ଚଟୁଳ କଥା ଆଉ ଶୁଣନି
ଯେ ଯାଆଡ଼େ ପାରୁଚ ଦୌଡ଼ !
ଯୁଦ୍ଧଘୋଷଣା ସରିଚି
ଗାଣ୍ଡିବ ତମ ହାତରେ ବି ଅଛି
ଦୌଡ଼ !
ପାରୁଚ ତ ଜିତିବାପାଇଁ
ନତୁବା ମରିବାପାଇଁ
ଦୌଡ଼" । ("ଦୌଡ଼", "ଧାଁଦୌଡ଼")

ଆଉ ବେଳେବେଳେ ପ୍ରଚଣ୍ଡ ଅଭିମାନ ଦେଖେଇ ଅଦୃଶ୍ୟ ହେଇଯା'ନ୍ତି ଗୋଟେ ହୃଦୟହୀନ ଦୁନିଆର ଆଖି ସାମ୍ନାରୁ:

"ବନମାଳୀ - କହ୍ନେଇର ଭାଇ, ଜାଣନ୍ତି !
ଶୁଖିଲା କଖାରୁକଷି ପରି ଟଳିପଡ଼ିଲା
ସରକାର ବିଦ୍ରୋହୀ ସ୍ଲୋଗାନ ଚିଲ୍ଲେଇଲାବେଳେ
ଦେଶର ମେରୁହାଡ଼ ରାଜଧାନୀରେ
ଟି.ଭି. ବ୍ରେକିଂ ଖବରରେ ଦିଶିଲା ଖାକିବର୍ଦ୍ଦି ପୋଲିସ
ତା' ଭାଇ ପରି ଦିଶୁଥିବା ବନମାଳୀକୁ
ଘୋଷାରି ଘୋଷାରି ନେଇ ଯାଉଥା'ନ୍ତି
ସଶସ୍ତ୍ର ପୋଲିସ୍ ଭ୍ୟାନ୍ ପାଖକୁ

ହଳକରି ସାରିଥାନ୍ତି ରକ୍ତରେ
କାଠୁଆ ରଂଗର ଦିଗପାଳମାନେ
ଯୁଦ୍ଧ ଘୋଷଣା କଲାନି କହ୍ନେଇ
କି ବିଲକୁ ଗଲାନି ଆଉ।" ("ହଳ", "ହଳମଳ")

କହ୍ନେଇ ଗଲା କୁଆଡ଼େ କଲା କଣ, ସେକଥାର ଗୋଟାଏ ଝଲକ ଅବଶ୍ୟ ଦେଇଚନ୍ତି ଶ୍ରୀଦେବ କବିତାର ପରବର୍ତ୍ତୀ ଭାଗରେ । ପଢ଼ିଲେ ଜାଣିବେ । ସବା ଶେଷରେ କହ୍ନେଇ ଯାଉଚି ହାଟକୁ । କଣ କିଣିବାକୁ ? ବିଷ ? ମଦ ? ଚାଉଳ ? କିଏ ଜାଣିଲା ! ଏଇଟି ଏ ସଂକଳନର ଗୋଟିଏ ବଡ଼ ବିଶେଷତ୍ୱ । ଏଥିରେ ଚାଷବାସ କରୁଥିବା ମଣିଷମାନେ ଷ୍ଟେରିଓଟାଇପ୍ ଚରିତ୍ର ନୁହନ୍ତି । ଏ କବିତା ସବୁ କାଳେ ସାର୍ଟପ୍ୟାଣ୍ଟ କି କାଗଜରେ କାଦୁଅ ଲାଗିଯିବ ବୋଲି ଡରି ଖଣ୍ଡେ ଦୂରରେ ଠିଆହେଇଥିବା କବିଟିଏ ଲେଖିନି । ଲେଖିପାରିବନି । ଏ କବିତାରେ ଚାଷୀମାନେ କ୍ଷେତରେ ଠିଆହେଇଥିବା ପାଳଭୂତ ମଝିରେ ମଝିରେ ପବନରେ ହଲିଗଲା ପରି କବିର ଦୟାର ପବନରେ ହଲଚଲ ହଉନାହାନ୍ତି । ସେମାନେ ହଲଚଲ ହଉଚନ୍ତି କାରଣ ସେମାନେ ମଣିଷ । ଏବଂ ମଣିଷମାନଙ୍କ ମାଫିକ୍ ସେମାନଙ୍କର ନିଜତ୍ବ (individuality) ଅଛି । ଯଦିଓ କବିତାତକ ନିବେଦିତ ହେଇଚି "ପୃଥିବୀର ଅଗଣିତ ଚାଷୀଙ୍କୁ", ଯଦିଓ ଦୁଃଖ - ଦୁର୍ଦ୍ଦଶା - ଶୋଷଣ - ଅତ୍ୟାଚାର ସହୁଥିବା ଚାଷୀକୁଳକୁ ଗୋଟିଏ ସମଷ୍ଟି ଭାବେ ଆଙ୍କିଚନ୍ତି କବି, ତଥାପି ଏ ନିଜତ୍ବ ଟିକକ ଦିଶିଯାଇଚି ବାରମ୍ବାର ଏ କବିତା ସବୁରେ । ଏଇ ଯେମିତି ଦିଶିଯାଇଚି "ଯା'ଆସ" କବିତାରେ ଚାଷୀଟିଏର ପ୍ରେମ:

"ଜହ୍ନରାଣ ଖାଇ କୁହ:
ଚିରୁ ପଛେ ରାସ୍ତାଘାଟ
ଆକାଶ ଅକ୍ଷାଂଶ
ଜଳୁଥାଉ ସଂପର୍କ ସଳିତା
ଖଣ୍ଡଖଣ୍ଡ ଫାଟିପଡୁ
ଦି'ଟଙ୍କିଆ ଚାଉଳ ଓ ଚୈତ୍ର ଛପର
ଭୋକରେ ତରଳୁ ତୀରଲକ୍ଷ୍ୟ ପିଚୁପ୍ରେମ
ପଖୌଜ ପଲକ, ହାରମୋନିୟମରେ ଅସଜଡ଼ା
ଶାସ୍ତ୍ରୀୟ ସଂଗୀତ

ତମେ ଆସ କି ନ ଆସ।" ('ଆସ', "ଯା'ଆସ")

ଏଇ ଶେଷଧାଡ଼ିଟିରେ ଚାଷୀଟି ପ୍ରେମିକଟିଏ ନହେଇପାରିବାର ଯୋଉ ଅସହାୟତା, ଚାଷୀ ଉପରେ ବାହାରୁଥିବା କୋଉ ରିପୋର୍ଟରେ ପାଇବେ ଆପଣ ୟାକୁ ? କୋଉ ଚ୍ୟାନେଲରେ ହବ ୟା ଉପରେ ବିତର୍କ ? ହବନି । ଏତକ ଲିଭେଇ ଦେଇ ହିଁ ଗଢ଼ାହେଇଚି ଆମର ତମାମ୍ ଷ୍ଟେରିଓଟାଇପ୍ । ଏବଂ ଏତକ ଲିଭିନଯାଉ ସେଇ ସକାଶେ ତାକୁ ଆଉଥରେ ଲେଖିଦେଇଚନ୍ତି ଶ୍ରୀଦେବ । ସେ ଯେ ଖାଲି ଚାଷୀକୁ ଷ୍ଟେରିଓଟାଇପ୍ ଚରିତ୍ରଟିଏ ହବାକୁ ଦେଇନାହାନ୍ତି ସେତିକି ନୁହେଁ ବରଂ ସେଧରଣର ମାନସିକତା ପ୍ରତି ତୀକ୍ଷ୍ଣ ବ୍ୟଙ୍ଗ କରିଚନ୍ତି, ପ୍ରଥମ କବିତାରେ ହିଁ । ସରକାରଙ୍କୁ ଦରଖାସ୍ତ ଦେଇ ଦେଇ ଥକିଯାଇଥିବା ଚାଷୀମାନେ ବର୍ତ୍ତମାନ ସ୍ଥିର କରିଚନ୍ତି ଆକାଶକୁ ଦେବେ ଦରଖାସ୍ତ ମେଘ ପାଇଁ:

"ଏବେ ଯିବା ଚାଲ ଯେ' ଯା' ବିଲକୁ
ହିଡ଼ମୁଣ୍ଡରେ ବସିବା ଠେକା ବାନ୍ଧି
କପାଳରେ ଗୋଟେ ହାତ ରଖି
ଆର ହାତରେ ଆକାଶକୁ
ଆଙ୍ଗୁଳି ଟିପ ଦେବା

ଆଜ୍ଞା! ପାଠ ପଢ଼ିନେ ପରା
ଆମେ ଭାରତୀୟ ଚାଷୀ
ଦସ୍ତଖତ କରନ୍ତେ ବା କେମିତି

ଗାଁ ପିଛା ଶହେ ଟିପ ଦେବା ଆକାଶକୁ, ପଣ
ଶହେ ଠୋପା ପାଣିରେ ବଞ୍ଚିବା କେତେଜଣ" ।

"ଶୁଭ" ଆଉ "ଲାଭ" ଭିତରେ ସେମାନଙ୍କୁ ଯୋଡ଼ିବା ପାଇଁ ଥାଏ ସ୍ୱସ୍ତିକ ଚିହ୍ନଟି । ଏ କବିତା ସବୁର ଦୁଇ ଭାଗକୁ ଯୋଡୁଥିବା ଜିନିଷଟିର ଚିହ୍ନ କଣ ? ସ୍ୱରୂପ କଣ ? ହୁଏତ କେଣ୍ଡାଏ ଧାନ ଆଉ ଖଣ୍ଡେ ଦା' । ସେଇ ଦା' କେତେବେଳେ ଦିଶୁଚି ଗୋଟାଏ ଅଜଗର ସାପ ପରି । ଆଉ ଧାନକେଣ୍ଡାକ ହେଇ ଫୁଟିଥିବା ଚାଷୀ ମଣିଷମାନଙ୍କୁ ଗୁଡ଼େଇ ଧରି ସେମାନଙ୍କ ହାଡ଼ସବୁକୁ ଗୁଣ୍ଡ କରିପକଉଚି । ପୁଣି କେତେବେଳେ, ମାତ୍ର ମୁହୂର୍ତ୍ତକ ପାଇଁ, ସେଇ ଦା' ଖଣ୍ଡିକ ପାଲଟି ଯାଉଚି ଦ୍ଵିତୀୟା ଜହ୍ନ ଆଉ ଧାନ ସବୁ ଖସିପଡୁଚନ୍ତି କେଣ୍ଡାରୁ, ବିଞ୍ଚି ହେଇଯାଉଚନ୍ତି ଦୂର ଆକାଶର ତାରା ପରି। ଖାଲି ଯାହା ମାମୁଲି ଦା' ଖଣ୍ଡେ ଆଉ କେଣ୍ଡାଏ ଧାନ ହେଇ ବଞ୍ଚିବା ସେ ଚିହ୍ନ ଭାଗ୍ୟରେ ନାହିଁ ।