ଚିତ୍ର - ଜର୍ଜ ରୋମନି, ୱିକି କମନ୍ସ

ଜୟନ୍ତୀ ଦିଦିଙ୍କ ସାବନୀ ଓ ପତଳା ମୁହଁଟି ଅଧିକ ସୁନ୍ଦର ଦିଶୁଥିଲା । ତାଙ୍କ ସିନ୍ଥିରେ ଗାରେ ସିନ୍ଦୂର ଥିଲା, ଯାହା ତାଙ୍କୁ ସଂପୂର୍ଣ୍ଣ କରି ଦେଖାଉଥିଲା । ଆଜି ଅନେକ ଦିନ ପରେ ଜୟନ୍ତୀ ଦିଦିଙ୍କ ସହ ଦେଖାହେଲା, ସେଇ ପୁରୁଣା ଷ୍ଟାଇଲରେ, ଡାକ୍ତରଖାନାରେ, ଧଳା ଆପ୍ରନ ଭିତରେ ଓ ହାତରେ ଗୋଟାଏ କ୍ଲିପବୋର୍ଡ, ଯେଉଁଥିଲେ ଚପା ଯାଇଥିଲା ଗୁଡାଏ ରୋଗୀଙ୍କର ଟ୍ରିଟମେଂଟ୍ର‍ ହିଷ୍ଟ୍ରି । ଜୟନ୍ତୀ ଦିଦି ବାହାହେଇ ଯାଇଥିଲେ । ଏତିକି ହିଁ ଥିଲା ତାଙ୍କ ପୂର୍ବ ଓ ଏବେ ଭିତରେ ତଫାତ । ସେ ବୋଧେ ଅଧିକ ଉତ୍ତେଜକ ଦିଶୁଥିଲେ, ଅଧିକ ଖୁସି ଥିଲା ତାଙ୍କ ମୁହଁ, ଅଧିକ ଖୋଲି ଯାଇଥିଲା ତାଙ୍କ ଦେହ, ଖୁବ ଶାନ୍ତ ଏକ ଉପତ୍ୟକା ତାଙ୍କ ଭିତରେ ଶୋଇଯାଇଥିଲା ।

ଏଇ ଜୟନ୍ତୀ ଦିଦିଙ୍କୁ ନେଇ ମୁଁ ମୋର ଗୋଟେ ଉପନ୍ୟାସର ଦୁଇଟି ଅଧ୍ୟାୟ ଲେଖିଥିଲି । ସେତେବେଳେ ସେ ବାହା ହୋଇନଥିଲେ ଓ ରାତିରେ ତାଙ୍କ ଡ୍ୟୁଟି ଟିକେ ହାଲୁକା ହେଲାପରେ ଆମେ ଖୁବ ଗପୁଥିଲୁ । ମୋ ବାପା ମେଡିକାଲରେ ଥିଲେ, ସେ ତାଙ୍କର ନିଜ ଲୋକପରି ସେବା କରୁଥିଲେ ।

ମୁଁ କହୁଥିଲି- ଆପଣ ସେବାର ପ୍ରତୀକ ।
ସେ କହୁଥିଲେ- ଏହା ସେବା ନୁହେଁ, ଚାକିରି । ଏଥିରୁ ମୁଁ ଦରମା ପାଉଛି । ଏହାକୁ ନେଇ ମୁଁ ସ୍ୱପ୍ନ ଦେଖେ । ଘର ଚଳାଏ ।
ମୁଁ କହୁଥିଲି- ଆପଣଙ୍କ ଭିତରେ ଅନେକ ବାସ୍ନାୟିତ ସୌନ୍ଦର୍ଯ୍ୟ ଥାକଥାକ ହୋଇ ରହିଛି । ସେଥିରେ ସମସ୍ତେ ପ୍ରଲୁବ୍ଧ ।
ସେ କହୁଥିଲେ- ଏହା ଆପଣଙ୍କ ସୁନ୍ଦର ଓ ପାୱାରଫୁଲ ଚଷମାର କରାମତି ।

ଏମିତି ଏମିତି ଅନେକ ରାତି କଟିଛି ଆମର ଗପି ଗପି, କେବେ କେବେ ଶୂନଶାନ ଥିବା ମେଡିକାଲ ବାରଣ୍ଡାରେ ଚାଲି ଚାଲି ତ କେବେ କେବେ ପାଖରେ ଥିବା ରେଳଷ୍ଟେସନରେ ରାତି ଅନିଦ୍ରା ହେଉଥିବା କଫି ଷ୍ଟଲରେ । ସେ ତାଙ୍କ ଭାଙ୍ଗିରୁଜି ଯାଇଥିବା ପ୍ରେମ କାହାଣୀ ସବୁ ଗପନ୍ତି । ନୂଆ ନୂଆ ସ୍ୱପ୍ନ ଦେଖୁଥିବା କଲେଜ ଝିଅ ପରି ଚିକଚିକ କରେ ତାଙ୍କ ଆଖି । ଅନେକଥର ମୋ ଆଖିକୁ ଅନାନ୍ତି ଓ କୁହନ୍ତି, ମୋ ଆଖିରେ କ'ଣ ପ୍ରେମର ଜଳକଣା ମରିଯାଇଛି ?

ମୁଁ ତାଙ୍କ କଥାରୁ କିଛି ବୁଝିପାରେନି । କୁହେ- ମତେ ତ ଆପଣଙ୍କ ଆଖି ସମୁଦ୍ର ଜଳରାଶି ଉପରେ ଆସ୍ତରଣ ପରି ଜମାଟ ବାନ୍ଧିଥିବା ଜଳକଣା ପରି ଲାଗୁଛି । ସେ ଆସ୍ତେକରି ମୋ ହାତକୁ ଧରନ୍ତି ଓ କୁହନ୍ତି- ତମେ ସତରେ ପ୍ରେମ କରିବାକୁ ଫିଟ ।

ଆମେ ପୁଣି ଫେରୁ ମେଡିକାଲକୁ ଓ ରାତି ସାରା ହ୍ୱାଟ୍ସଆପରେ ଗପୁx। ଜୟନ୍ତୀ ଦିଦି ମତେ ବୋଧେ ପ୍ରେମ କରୁଥିଲେ। ମୁଁ ମନେମନେ ପ୍ରାର୍ଥନା କରୁଥିଲି, ହେ ଈଶ୍ୱର, ଜୟନ୍ତୀ ଦିଦିର ବାହାଘର ଜଣେ ସୁନ୍ଦର ପିଲା ସହ କରେଇ ଦିଅ, କାରଣ ତାଙ୍କ ପୁରୁଣା ପ୍ରେମିକ, ଯିଏକି ଜଣେ ମେଡିସିନ ରିପ୍ରେଜେଣ୍ଟେଟିଭ୍ଜ‍ ଥିଲା, ସେ କାଳେ ମହାଭାରତର ଅର୍ଜୁନଙ୍କ ପରି ଦିଶୁଥିଲା ଓ ଜୟନ୍ତୀ ଦିଦିକୁ ଅନେକ ପ୍ରେମ କରୁଥିଲା । ଏବେ ଜୟନ୍ତୀ ଦିଦି ମନେମନେ ପଣ କରିଥିଲେ ଯେ, ତାଙ୍କର ସେଇମିତିଆ ଜଣେ ବର ଦରକାର । ପିଲାଟି ଜୟନ୍ତୀ ଦିଦିକୁ ଛଅମାସ ଉଦଣ୍ଡ ପ୍ରେମ କରିବା ପରେ କୁଆଡେ ଖସିଗଲା, କିମ୍ୱା ମେଡିସିନ ରିପ୍ରେଜେଣ୍ଟେଟିଭ୍ଟ‍ କାମ ଛାଡି ଇନସ୍ୟୁରାନ୍ସ ପଲିସି ବିକ୍ରି କରିଥିଲା ଓ ଜୟନ୍ତୀ ଦିଦିକୁ ଭୁଲି ଯାଇଥିଲା ।

ମୁଁ ଆଜି ଅନେକ ଦିନ ପରେ ପୁଣି ଜୟନ୍ତୀ ଦିଦିଙ୍କୁ ଭେଟିଲି । ବୋଧହୁଏ ବାପା ମରିବାର ଦୁଇବର୍ଷ ପରେ । ଏଇ ପାଖକୁ ଆସିଥିଲି, ତେଣୁ ଭାବିଲି ଟିକେ ମେଡିକାଲ ଭିତରେ ପଶିଯାଏ, କାଳେ ଜୟନ୍ତୀ ଦିଦିଙ୍କ ସହ ଭେଟ ହୋଇଯିବ । ସତକୁ ସତ ସେ ବି ଥିଲେ । ଦିଦି ଡାକ୍ତରଙ୍କ ପଛେ ପଛେ ନସରପସର ହେଇ ଧାଇଁଥିଲେ, ଯେମିତି ଆଗରୁ କରୁଥିଲେ। ଡାକ୍ତର ୱାର୍ଡ ବୁଲୁଥିଲେ, ଶୋଇଥିବା ରୋଗୀଙ୍କ ହାତ ଧରି ନାଡି ଚିପୁଥିଲେ, ଆଖି ଟେକୁଥିଲେ, ବ୍ଲଡପ୍ରେସର ମାପୁଥିଲେ, କ'ଣ କ'ଣ ମେଡିସିନ ଦିଆଯାଇଛି ବୋଲି ଜୟନ୍ତୀ ଦିଦିଙ୍କୁ ପଚାରୁଥିଲେ ।

ଜୟନ୍ତୀ ଦିଦି ବାହା ହେଲାପରେ ଅଧିକ ସୁନ୍ଦର ଦିଶୁଥିଲେ । ତାଙ୍କ ହାତରେ ନାଲିଆ ନାଲିଆ ପାଣିକାଚ ଝୁଣୁଝୁଣୁ କରୁଥିଲା । ବେକରେ ଝୁଲୁଥିଲା ମଙ୍ଗଳସୂତ୍ର । ଖୁବ୍ଲ‍ ଭଲ ଲାଗୁଥିଲେ ସେ । ବ୍ୟବସ୍ଥିତ । ମତେ ଖୁସି ଲାଗୁଥିଲା । ତାକୁ ଈଶ୍ୱର ଭଲ ବରଟିଏ ଦେଇଥିବେ ନିଶ୍ଚୟ । ସେ ଯାଏ ଜୟନ୍ତୀ ଦିଦି ମତେ ଦେଖି ନଥିଲେ । ସେ ଡାକ୍ତରଙ୍କ ସହ ବ୍ୟସ୍ତ ଥିଲେ । ନସର ପସର । ମତେ ଦେଖିବାକୁ ବି ବେଳ କେଉଁଠି ଅଛି ? କିନ୍ତୁ ଥରଟିଏ ବୋଧେ ମୋର ଓ ତାଙ୍କର ଆଖି ମିଶି ଯାଇଛି ଏବେ, ଏଇ କିଛି ସମୟ ପୂର୍ବରୁ, ଗୋଟିଏ କ୍ଷଣ ପାଇଁ । କିନ୍ତୁ ସେ ବୋଧେ ହଠାତ୍ଏ‍ ଲକ୍ଷ୍ୟ କରିପାରିଲେ ନାହିଁ । ଆଖି ପହଁରି ଯାଇଥିଲେ ବି ହୁଏତ ମନ ତାଙ୍କର କାମରେ ହିଁ ଥିବ। କାମ ସରୁ ଏକାଥରେ ଭଲରେ କଥା ହେବୁ, ଟିକେ ଚା ପିଇବୁ, ନହେଲେ ତାଙ୍କ ଡ୍ୟୁଟି ଯଦି ସରିଯାଇଥିବ ତେବେ ତାଙ୍କୁ ନେଇ ବସରେ ବସେଇ ଦେଇ ମୁଁ ସେପଟେ ସେପଟେ ପଳେଇବି । ତାଙ୍କ ଶାଶୂଘର ମଧ୍ୟ ସେଇ କଟକରେ ହିଁ ହେଇଥିବ।

ଅବଶ୍ୟ ଏବେଯାଏଁ ଜୟନ୍ତୀ ଦିଦି ମତେ ଦେଖିପାରି ନଥିଲେ । ଡାକ୍ତର ପଳେଇ ସାରିଥିଲେ । କାଉଣ୍ଟରରେ ପଡିଥିବା ତାଙ୍କ ଚେୟାରରେ ବସି ଦିଦି ଟିକେ ହୋସ ମାରୁଥିଲେ। ସେ ଖୁବ ଥକି ଯାଇଥିବେ ନିଶ୍ଚୟ । ଟିକେ ପବନ ଖାଇବା ଉଚିତ। କେତେ ଆଉ ଖଟିବେ । "ଜୟନ୍ତୀ ଦିଦି ନମସ୍କାର। କେମିତି ଅଛନ୍ତି ? ବହୁଦିନ ପରେ ଦେଖା । ଆପଣ ମୋଟେ ବଦଳି ନାହାଁନ୍ତି । କନଗ୍ରାଚୁଲେସନ୍ସ । ବାହା ହେଇ ଯାଇଛନ୍ତି ୟା ଭିତରେ । ଖୁସି ଲାଗିଲା ।'

ଦିଦିଙ୍କ ସାମ୍ନା ଚେୟାରରେ ବସୁ ବସୁ ମୁଁ ହସି ହସି ଜୟନ୍ତୀ ଦିଦିଙ୍କୁ ସମ୍ଭାଷଣ କଲି ଓ ହ୍ୟାଣ୍ଡସେକ୍ ‍ କରିବାକୁ ହାତ ବଢେଇଲି । ଜୟନ୍ତୀ ଦିଦି କିନ୍ତୁ ତାଙ୍କ ହାତ ମୋ ଆଡକୁ ବଢେଇଲେ ନାହିଁ । ସେ ଟିକେ ଅପ୍ରସ୍ତୁତ ଦେଖାଯାଉଥିଲେ । ଆଶ୍ଚର୍ଯ୍ୟ ହୋଇ ମୋ ଆଡକୁ ଅନେଇ ରୋଗୀଙ୍କ ନାଁ ଲେଖାଯାଇଥିଲା ରେଜିଷ୍ଟରଟିକୁ ଖୋଲି ଟିକେ ଖେଳେଇଲେ ଓ ଥଙ୍ଗ ଥଙ୍ଗ ହୋଇ ପଚାରିଲେ- ଆପଣଙ୍କର କେତେ ନମ୍ୱର ବେଡ ? ରୋଗୀଙ୍କ ନାଁଟା ଟିକେ କହିବେ ?

ଆଶ୍ଚର୍ଯ୍ୟ !! ଜୟନ୍ତୀ ଦିଦି ମତେ ଆଦୌ ସହାସ୍ୟ ମୁଖରେ ଓ ଖୁସିରେ ଅଭିବାଦନ ଜଣେଇବାକୁ ଆଗ୍ରହ ଦେଖାଉ ନଥିଲେ । ସେ କ'ଣ ମତେ ଚିହ୍ନିପାରୁ ନଥିଲେ ? ସେ ବୋଧେ ମତେ ତାଙ୍କ ରେଜିଷ୍ଟରରେ ଲେଖାଥିବା ଆଉଜଣେ ରୋଗୀ କିମ୍ୱା ରୋଗୀଙ୍କ ସଂପର୍କୀୟ ବୋଲି ଭାବୁଥିଲେ ।

"ନା ନା ମୁଁ ଅମରେନ୍ଦ୍ର...ଆମେ.. ଖୁବ୍ ‍...ଆଗରୁ...ଜାଣିପାରୁନ...'

ଅଧିକ କିଛି କହିବାକୁ ମୋ ପାଖରେ ଆଉ ଶବ୍ଦ ନଥିଲା । ମୋ ବାପା ଦୁଇବର୍ଷ ତଳୁ ମରି ସାରିଥିଲେ, ଯିଏ ଦିନେ ଜୟନ୍ତୀ ଦିଦିଙ୍କର ଶହଶହ ରୋଗୀଙ୍କ ଭିତରୁ ଜଣେ ଥିଲେ । ସେହିପରି ମୁଁ ଥିଲି ହଜାର ହଜାର ଆଟେଣ୍ଡାଂଟଙ୍କ ଭିତରୁ ଜଣେ । ବାସ, ସେତିକି ହିଁ ସଂପର୍କ ଜୟନ୍ତୀ ଦିଦିଙ୍କ ସହ ମୋର । ଆମ ସଂପର୍କର କୌଣସି ଚିହ୍ନ ବି ନଥିଲା, କେବଳ ସ୍ମୃତି ବିନା । ୟା ଭିତରେ ଅନେକ ରୋଗୀ ଏ ଡାକ୍ତରଖାନାକୁ ଆସିଥିବେ, ଯାହାଙ୍କର ଜୟନ୍ତୀ ଦିଦି ଚିକିତ୍ସା କରିଥିବେ, ସେମାନଙ୍କ ଭିତରୁ କିଏ କିଏ ମରି ଯାଇଥିବେ । ସମସ୍ତଙ୍କୁ ସେ କେମିତି ମନେରଖିବେ ?

ଖୁବ୍ ‍ ଅଶ୍ୱସ୍ତି ବୋଧ ହେଉଥିଲା ମୋ ଭିତରେ । ଜୟନ୍ତୀ ଦିଦିଙ୍କୁ ପଛ କରି ମୁଁ ଧୀରେ ଧୀରେ ଫେରିବା ଆରମ୍ଭ କରିଥିଲି । କିନ୍ତୁ ଏ କଥା ସତ ଯେ, ଜୟନ୍ତୀ ଦିଦି ଦିନେ ମତେ ପ୍ରେମ କରୁଥିଲେ, ଅଳ୍ପ ସମୟ ପାଇଁ ଓ ମନେମନେ ହେଉ ପଛେ, ପ୍ରେମର ଏକ ମଂଜି ବୁଣି ହୋଇଥିଲା ତାଙ୍କ ଭିତରେ । ମୁଁ ଫେରି ଆସିବା ପରେ ସେ ନିଶ୍ଚୟ ମୋ ବିଷୟରେ ଭାବୁଥିବେ ।

ପ୍ରେମ ଆଉ କ'ଣ କି ? ଭୁଲିବା ଓ ମନେପକେଇବା ଏବଂ ପୁଣି ଭୁଲିଯିବା ତ !!

ପ୍ଲଟ୍ ‍-୫୨୫/୧୨୬୦୩, ସମେଇଗାଡିଆ,
ପୋ-ରସୁଲଗଡ ଭୁବନେଶ୍ୱର-୧୦,
ଫୋନ୍ ‍-୯୮୬୧୪୧୫୩୭୭