ଫଟୋ: ୟୁଟ୍ୟୁବ୍

ଓଡ଼ିଆ ସିନେମା ଇତିହାସରେ ଏକ ଚର୍ଚ୍ଚିତ ତଥା ସ୍ମରଣୀୟ ନାମ ହେଉଛି ପାର୍ବତୀ ଘୋଷ । ଜଣେ ନାୟିକା, ପ୍ରଯୋଜିକା, ନିର୍ଦ୍ଦେଶିକା ଭାବରେ ଓଡ଼ିଆ ସିନେମାରେ ତାଙ୍କର ସ୍ୱାକ୍ଷର ଅମର । ୫୦ ଦଶକରେ ସେ ଚଳଚ୍ଚିତ୍ର ଜଗତରେ ପାଦ ଥାପି ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ । ପ୍ରଥମ ଓଡ଼ିଆ ନାରୀ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ଭାବେ ପାର୍ବତୀ ଘୋଷଙ୍କ ଭୂମିକା ଅତୁଳନୀୟ । ନାରୀ ସଶକ୍ତୀକରଣର ସେ ଥିଲେ ଅନନ୍ୟ ପ୍ରତୀକ । ରକ୍ଷଣଶୀଳ ସମାଜରେ ଯେବେ ମହିଳାମାନଙ୍କ ସାମ୍ନାରେ କଟକଣାର ବାଡ଼ ପଡ଼ିଥିଲା ସେବେ ଚଳଚ୍ଚିତ୍ର ଜଗତରେ ସେ ପାଦ ଥାପି ଅନ୍ୟମାନଙ୍କ ପାଇଁ ସାଜିଥିଲେ ଉଦାହରଣ ।

କଟକ ମାନସିଂହପାଟଣା ଅଞ୍ଚଳରେ ମାର୍ଚ୍ଚ ୨୮, ୧୯୩୩ରେ ଜନ୍ମ ଗ୍ରହଣ କରିଥିବା ପାର୍ବତୀଙ୍କର ପିଲାଦିନର ନାମ ଥିଲା ଚପଳା ନାୟକ । ମାତ୍ର ପାଞ୍ଚ ବର୍ଷ ବୟସରୁ ସେ ଅଭିନୟ ଆରମ୍ଭ କରିଥିଲେ । ଓଡ଼ିଆ ନାଟକ ‘ମମତା’ ଓ ହିନ୍ଦୀ ନାଟକ ‘ଦୋ ଆଁଶୁ’ରେ ସେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ତେବେ ସେ ୧୯୫୦ରେ ନିର୍ମିତ ‘ଶ୍ରୀଜଗନ୍ନାଥ‘ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେତେବେଳେ ତାଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା । ଏହାପରେ ସେ ନାୟିକା ଭାବେ ୧୯୫୩ ମସିହାରେ ‘ଆମରି ଗାଁ ଝିଅ’ ଚଳଚ୍ଚିତ୍ରରେ ନଜର ଆସିଥିଲେ । ଏହି ସିନେମାରେ ତାଙ୍କ ବିପକ୍ଷରେ ଅଭିନେତା ଗୌର ଘୋଷ ଦେଖିବାକୁ ମିଳିଥିଲେ । ବାଲ୍ୟ ବିବାହ ଉପରେ ଆଧାରିତ ହୋଇଥିବା ଏହି ଫିଲ୍ମରେ ଏହି ଯୋଡ଼ି ବେଶ୍‌ ସଫଳତା ପାଇଥିଲେ । ପରବର୍ତ୍ତୀ ସମୟରେ ସେ ଗୌର ଘୋଷଙ୍କୁ ହିଁ ବିବାହ କରିଥିଲେ । ଏହାପରେ ସେ ଚପଳାରୁ ପାଲଟି ଥିଲେ ପାର୍ବତୀ ଘୋଷ । ଗୌର - ପାର୍ବତୀଙ୍କ ଯୋଡ଼ି ଓଡ଼ିଆ ସିନେଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା । ସେ ସମୁଦାୟ ଆଠଟିରୁ ଊର୍ଦ୍ଧ୍ୱ ସିନେମାରେ ଅଭିନୟ କରିବା ସହ ୬ଟିରେ ପ୍ରଯୋଜନା ଏବଂ ଦୁଇଟିରେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି । ତାଙ୍କ ଅଭିନୀତ ସିନେମାଗୁଡ଼ିକ ମୁଖ୍ୟତଃ ସାମାଜିକ କାହାଣୀ ଉପରେ ଆଧାରିତ ହୋଇଥିଲା ।

''ଭାଇଭାଇ'' (୧୯୫୬), ''ମା'' (୧୯୫୯), "କା'' (୧୯୬୬), ''ସ୍ତ୍ରୀ'' (୧୯୬୮), ''ଅମର ପ୍ରେମ'' (୧୯୭୭), ''ସଂସାର'' (୧୯୭୩), ''ଲକ୍ଷ୍ମୀ'' ଆଦି ଫିଲ୍ମରେ ସେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି । ''ଲକ୍ଷ୍ମୀ'', ''କା'' ଏବଂ ''ସ୍ତ୍ରୀ'' ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି । ''ସଂସାର'' ସିନେମାରେ ସେ ନିଜ ସ୍ୱାମୀଙ୍କ ସହ ପ୍ରଯୋଜିକା ଓ ନିର୍ଦ୍ଦେଶିକା ଭାବେ କାମ କରିଥିଲେ । ଫକୀରମୋହନ ସେନାପତିଙ୍କ ଉପନ୍ୟାସକୁ ଆଧାର କରି ୧୯୮୬ ମସିହାରେ ନିର୍ମିତ ହୋଇଥିବା ''ଛ ମାଣ ଆଠ ଗୁଣ୍ଠ'' ଚଳଚ୍ଚିତ୍ରରେ ସେ ପ୍ରଥମ ନିର୍ଦ୍ଦେଶନା ଦେଇଥିଲେ । ସେ ଏହି ଫିଲ୍ମରେ ନିର୍ଦେଶନା ଦେଇ ପ୍ରଥମ ମହିଳା ନିର୍ଦ୍ଦେଶିକା ଭାବେ ଚଳଚ୍ଚିତ୍ର ଇତିହାସରେ ପାଲଟି ଯାଇଥିଲେ ଚର୍ଚ୍ଚିତ ବ୍ୟକ୍ତିତ୍ୱ । ତାଙ୍କର ଅବଦାନ କେବଳ ସିନେମା ଦୁନିଆରେ ସୀମିତ ନ ଥିଲା । ହିନ୍ଦୀ ଟେଲିଫିଲ୍ମରେ ମଧ୍ୟ ସେ ଅଭିନୟ କରିବା ସହ ଆଲବମରେ ନିର୍ଦ୍ଦେଶନା ଦେଇଛନ୍ତି । ‘ସାଲବେଗ’ ଥିଲା ତାଙ୍କ ନିର୍ଦ୍ଦେଶିତ ତଥା ପ୍ରଯୋଜିତ ଶେଷ ସିନେମା । ଜଣେ ସୃଜନଶୀଳ ଚଳଚ୍ଚିତ୍ର ନିର୍ମାତା ଭାବେ ସେ ଅନନ୍ୟ ପରିଚୟ ସୃଷ୍ଟି କରିଥିଲେ । ଅଭିନୟ ଓ କଳା ଯେପରି ତାଙ୍କ ରକ୍ତରେ ଥିଲା । ଏକାଧାରାରେ ଜଣେ ପ୍ରଯୋଜିକା, ନିର୍ଦ୍ଦେଶିକା, ଚିତ୍ରନାଟ୍ୟ ଲେଖିକା, ନୃତ୍ୟ ନିର୍ଦ୍ଦେଶିକା ଓ ଅଭିନେତ୍ରୀ ଭାବରେ ଖ୍ୟାତି ଅର୍ଜନ କରିଥିଲେ ।

ସିନେମା ଜଗତ ଲାଗି ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ଜୟଦେବ ପୁରସ୍କାର, ଫିଟ୍ ଫାଟ୍ ବାଇସ୍କୋପ୍ ପୁରସ୍କାର ସମେତ ବହୁ ସମ୍ମାନର ଅଧିକାରୀ ହୋଇଥିଲେ । ଚପଳାରୁ ସିନେ ଜଗତର ଜଣେ ନାମକରା ଅଭିନେତ୍ରୀ ତଥା ନିର୍ଦ୍ଦେଶିକାର ଯାତ୍ରାରେ ସେ ରଚିଛନ୍ତି ଅନେକ ଇତିହାସ । ତାଙ୍କ ସ୍ବୀକୃତି ତଥା ଅଭିନୟର ଛାପ ଆଜିବି ସୁସ୍ପଷ୍ଟ । ଫେବୃଆରୀ ୧୧, ୨୦୧୮ ମସିହାରେ ସେ ଇହଧାମ ପରିତ୍ୟାଗ କରିଛନ୍ତି ସତ, ମାତ୍ର ତାଙ୍କ ଚରିତ୍ର ଆଜି ବି ଜୀବନ୍ତ ।