ଫଟୋ - ବର୍ଷା ପବ୍ଲିକେଶନ୍ସ

ଗତ ୯ ଅଗଷ୍ଟ, ୨୦୨୧ ସୋମବାର ସନ୍ଧ୍ୟା ୫ଟାରେ ପୁରୁଣା ବସଷ୍ଟାଣ୍ଡଠାରେ ବର୍ଷା ପବ୍ଲିକେସନ୍ ପକ୍ଷରୁ ଅନୌପଚାରିକ ଓ ନିରାଡ଼ମ୍ବର ଭାବେ ତଥା ସରକାରଙ୍କ କୋଭିଡ୍ ନିୟମ ପାଳନ ସହ ଉନ୍ମୋଚିତ ହୋଇଯାଇଛି ଚାରିଟି କବିତା ପୁସ୍ତକ । ଉକ୍ତ ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ କବି ଅଜୟ ସ୍ୱାଇଁ, କବି କେଦାର ମିଶ୍ର, କବି ପବିତ୍ର ମୋହନ କର ଏବଂ କବି ନେତାଜୀ ଅଭିନନ୍ଦନ । କବି ସତ୍ୟବାଦୀଙ୍କ କବିତା ବହି: ‘ସହି ତୋ ଗାଁ, ମୋ ଗାଁ ଦୋ ସମାଳିରେ ନଈ’ (ତୃତୀୟ ସଂସ୍କରଣ) ସମ୍ପର୍କରେ କବି ଅଜୟ ସ୍ୱାଇଁ ଆଲୋଚନା କରିଥିବାବେଳେ କବି ଦେବଯାନୀ ତ୍ରିପାଠୀଙ୍କ କବିତା ବହି ‘ସାରାରାତି, ନିଆଁର ନଦୀ’ ସମ୍ପର୍କରେ କବି କେଦାର ମିଶ୍ର, କବି ଶଶାଙ୍କ ପ୍ରିୟସଖାଙ୍କ କବିତା ପୁସ୍ତକ ‘କବିର କାନ୍‌ଭାସ୍‌’ ସମ୍ପର୍କରେ କବି ପବିତ୍ରମୋହନ କର ଏବଂ କବି ଦେବବ୍ରତ ଦାସଙ୍କ କବିତା ବହି ‘ଚାଲ ରୂପା ଥରେ ଗାଁ ଦେଖି ଆସିବ ଚାଲ’ ସମ୍ପର୍କରେ ଗାଳ୍ପିକ ନେତାଜୀ ଅଭିନନ୍ଦନ ଯଥାକ୍ରମେ ଆଲୋଚନା କରିଥିଲେ ।

ଆଲୋଚନାରେ ସମସ୍ତ ନିମନ୍ତ୍ରିତ ଅତିଥି ଏକମତ ପୋଷଣ କରିଥିଲେ ଯେ, କବିତା ହେଉ କି ଜୀବନ ସରଳ ହେବା ସବୁଠୁ କଠିନ ।

ଉକ୍ତ ଉତ୍ସବରେ ଗାଳ୍ପିକ ପରେଶ ପଟ୍ଟନାୟକ, କବି ଅକ୍ଷୟ ବେହେରା, ମୌସୁମୀ ଦାସ, ଦୁର୍ଗା ଷଡ଼ଙ୍ଗୀ, ଅଭିରାମ ଦାସ, ତାରକ ମହାନ୍ତି, ରମାକାନ୍ତ ଗୋଚ୍ଛାୟତ, ସତ୍ୟ ପ୍ରହରାଜ, ଅନ୍ତର୍ଯ୍ୟାମୀ ମିଶ୍ର, ବେଦପ୍ରକାଶ ନାୟକ, ସୌରଭ କୁମାର ପଣ୍ଡା, ତପନ ବାରିକ, ପ୍ରଣୟ ସୁଧା ଆଦି ଯୋଗଦେଇଥିଲେ । ଉତ୍ସବ ଶେଷରେ ବର୍ଷା ପବ୍ଲିକେସନ୍ସର କାର୍ଯ୍ୟକାରୀ ସଂପାଦକ ଓ କବି ବାଦଲ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ସମଧର୍ମା, ସତୀର୍ଥ ଲେଖକମାନଙ୍କର ଅକୁଣ୍ଠ ସହଯୋଗ ଓ ସମର୍ଥନ ଏମିତି ନିରନ୍ତର ମିଳୁଥାଉ ବୋଲି ଆଶା ବ୍ୟକ୍ତ କରିଥିଲେ ।