ଚିତ୍ର - ୱିକି କମନ୍ସ

ମୋ ଆଜି (ଆଈ) ଲୁଗା ସଫା କରୁଥିବା ରଜକ ପିଲାକୁ ନେଳୀ ଘର ପୁଅ ବୋଲି କହୁଥିଲା । ତା’ର କୌଣସି ଏକ ଦେଢ଼ଶୁରଙ୍କର ନାଁ ଥିଲା ଧୋବେଇ, ସେଥିପାଇଁ ଏମିତି ନାମକରଣ ସେ କରିଥିଲା । ଇଏ ଧର ଚାଳିଶ ପଇଁଚାଳିଶ ବର୍ଷ ତଳର କଥା । ଆଈ ଯିବା ବି ଅନେକ ବର୍ଷ ହେଇଗଲାଣି । ନୀଳ କଥାରୁ ନୀଳବର୍ଣ୍ଣ ଶୃଗାଳ ଗପ ମନେ ପଡ଼ିଗଲା । ସେଦିନ ବିଚରା ବିଲୁଆ ବାପୁଡ଼ା ରଜକର ନୀଳ କୁଣ୍ଡରେ ପଡ଼ି ଯୋଉ ଚାଲାକି କରିଥିଲା ଓ ପରେ କି ହିନସ୍ତା ହେଇଥିଲା ସେକଥା କିଏ ନଜାଣେ । ମୋର ଧାରଣା ନୀଳ ରଙ୍ଗ ସାଧାରଣ ଜନଜୀବନ ଭିତରକୁ ଆସିଲା ପରେ ଯାଇଁ ଏ ଗପଟି ଗଢ଼ା ଯାଇଛି ।

ମୋ ପିଲାବେଳେ ନୀଳ କହିଲେ ଲୋକେ ରବିନ୍ ବ୍ଲୁ କୁ ହିଁ ବୁଝୁଥିଲେ । ରବିନ୍ ବ୍ଲୁ ହେଉଛି ଅଲଟ୍ରାମେରିନ୍ ନୀଳ । ରବିନ୍ ବ୍ଲୁ ଗୋଟେ ଚାରି କୋଣିଆ ଛୋଟିଆ କାଗଜ ଡବାରେ ଗାଁ ଦୋକାନରେ ମିଳୁଥିଲା । ଲୋକମାନେ ଧଳା ଧୋତି, କମିଜ୍ ଓ ଶାଢ଼ୀକୁ ସଫା କଲାପରେ ରବୀନ୍ ନୀଳ ଦେଇ ଉଜ୍ୱଳ କରୁଥିଲେ । ଧଳା କପଡ଼ାରେ ନୀଳ ଦେଲାପରେ ତାହା ସହଜରେ ମଇଳା ହେଉନଥିଲା ଓ ସାଦା ଧଳା ଠାରୁ ନୀଳ ଦିଆ ଧଳା ଆଖିକୁ ଭଲ ଦିଶୁଥିଲା । ଦଶହରା ସମୟରେ କାନ୍ଥରେ ଅଙ୍କା ଯାଉଥିବା ଛଅ ଆଖିଆ ଚିତାରେ ଅନ୍ୟ ରଙ୍ଗ ସହ ନୀଳ ରଙ୍ଗର ବ୍ୟବହାର ହେଉଥିଲା । କାର୍ତ୍ତିକ ମାସ ପଞ୍ଚୁକରେ ଚଉଁରା ପାଖରେ ଅନ୍ୟ ମୁରୁଜ ସାଙ୍ଗରେ ନୀଳ ରଙ୍ଗର ଯେଉଁ ମୁରୁଜ ପଡୁଥିଲା ତାକୁ ଆମେ ଚାଉଳ ଚୁନା ସାଙ୍ଗରେ ରବିନ୍ ବ୍ଲୁ କୁ ମିଶେଇ ତିଆରି କରୁଥିଲୁ । ରାମଳୀଳା ଓ ଗୀତିନାଟ୍ୟର ରାମ, ରାବଣ ଓ ରାକ୍ଷସମାନେ ସାରା ଶରୀରରେ ରବିନ୍ ବ୍ଲୁ'ର ନେଳି ରଙ୍ଗ ବୋଳି ହେଉଥିଲେ । ଅଷ୍ଟପ୍ରହରୀର ନଗର କୀର୍ତ୍ତନରେ ସାରା ଗାଁ ବୁଲୁଥିବା ପିଲାକୃଷ୍ଣ ବି ମୁହଁରୁ ପାଦ ଯାଏଁ ସେଇ ରବିନ୍ ବ୍ଲୁର ନେଳି ଲଗାଉଥିଲେ । ଘରକୁ ଚୁନ ଧଉଳା ବେଳେ ଚୁନରେ ବେଶ୍ ପରିମାଣର ନେଳି ମିଶାଯାଉଥିଲା । ହଠାତ୍ ଦିନେ କିନ୍ତୁ ରବିନ୍ ବ୍ଲୁ ପାଉଡର୍ର ଜାଗା ତରଳ ଉଜାଲା ନେଇଗଲା । ମନେଥିବ ‘ଆୟା ନୟା ଉଜାଲା - ଚାର ଵୁନ୍ଦୋ ୱାଲା....’ ଜିଙ୍ଗଲସ୍ ଟି ବେଶ୍ ଲୋକପ୍ରିୟ ଥିଲା । ଉଜାଲା ନୀଳ ନୁହେଁ ବରଂ ବାଇଗଣୀ । ସେଥିପାଇଁ ମୋତେ ଭଲ ଲାଗେନି । ମୋ ହାଇସ୍କୁଲର ୟୁନିଫର୍ମ ଥିଲା ଧଳା ସାର୍ଟ କୁ ମାଟିଆ ପ୍ୟାଣ୍ଟ । ରବିବାରରେ ମୁଁ ଧଳା ସାର୍ଟକୁ ସଫା କରିସାରି ବଡ଼ ସନ୍ତର୍ପଣରେ ରବିନ୍ ବ୍ଲୁ ଦେଉଥିଲି । ଜାଗ୍ରତ ହେଇ ନୀଳ ନଦେଲେ ନୀଳ ସବୁଆଡେ ଠିକ୍ ରେ ନଲାଗି ଛାପି ଛାପିକା ହେଇଯିବାର ଭୟ ଥାଏ ।

ଆମର ସେବେ ନୀଳକୁ କେହି ନୀଳ କହୁନଥିଲେ, ନେଳିଆ ବୋଲି କହୁଥିଲେ । ଆକାଶକୁ ଆମେ ନେଳିଆ କହୁଥିଲୁ । ସେମିତି ନେଳିଆ କହୁଥିଲୁ ଦୂରର ପାହାଡ଼କୁ । ନଈ, ଗଡ଼ିଆ ଓ ପୋଖରୀର ପାଣିକୁ ବି ନେଳିଆ ରଙ୍ଗର ବୋଲି କହୁଥିଲୁ । ଆମ ଚାରିପାଖରେ ନେଳିଆ ରଙ୍ଗର ପ୍ରାଚୁର୍ଯ୍ୟ ଥିଲା କୁହ । ଏବେ ମନେ ପକେଇଲେ ଜାଣୁଛି ନୀଳ ରଙ୍ଗ ଆମ ଜନଜୀବନରେ କେତେ ମାତ୍ରାରେ ଯୋଡ଼ି ହେଇ ରହିଥିଲା । ନୀଳ ରଙ୍ଗର ଆକାଶ ଓ ନୀଳ ସମୁଦ୍ର ପୃଥିବୀକୁ ଅନନ୍ତ କାଳରୁ ବେଢ଼ି ରହିଛନ୍ତି । ତେବେ କିଛି ବୈଜ୍ଞାନିକ ବିଶ୍ୱାସ କରନ୍ତି ଯେ, ଆଦିମ ସମୟର ମଣିଷମାନେ ବର୍ଣ୍ଣାନ୍ଧ ଥିଲେ । ଚାରିପାଖରେ ଥିବା ରଙ୍ଗମାନଙ୍କ ପ୍ରାଚୁର୍ଯ୍ୟ ବିଷୟରେ ଅଜଣା ଥିଲେ । ଅନୁମାନ କରାଯାଏ ମଣିଷ କ୍ରମେ ଅନ୍ୟ ରଙ୍ଗମାନଙ୍କୁ ଚିହ୍ନିବା ପରେ ଯାଇଁ ନୀଳ ରଙ୍ଗକୁ ଚିହ୍ନିଛି । ହୋମୋରଙ୍କ ‘ଓଡେ଼ଶୀ’ ମହାକାବ୍ୟରେ ସମୁଦ୍ରର ରଙ୍ଗକୁ ୱାଇନ୍ ରେଡ୍ କୁହାଯାଇଛି ।

ନବେ ମସିହାରେ ମୁଁ ଯେବେ ଚିତ୍ରକଳା ପଢ଼ିବାକୁ ଭୁବନେଶ୍ୱର ଆସି କଳା ମହାବିଦ୍ୟାଳୟରେ ପଶିଲି ସେବେ ନୀଳ ରଙ୍ଗ ଯେ ଏତେ ପ୍ରକାରର ଅଛି ପ୍ରଥମ କରି ଜାଣିଲି । ନୀଳର ପୁଣି ଏତେ ସେଡ୍ ଓ ଏତେ ହ୍ୟୁ । ସିନିଅର୍ ଙ୍କ ସାଙ୍ଗରେ ୱାଟର୍ କଲର୍ ଷ୍ଟଡି କଲାବେଳକୁ ନୀଳ ରଙ୍ଗ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ଚିହ୍ନା ପରିଚୟ ହେଲା । ଯେମିତିକି ସେରୁଲିଅନ ବ୍ଲୁ, ଟର୍କିଶ ବ୍ଲୁ, ପର୍ସିଆନ ବ୍ଲୁ, ସ୍ଲେଟ୍ ବ୍ଲୁ, ଫ୍ୟାଲୋ ବ୍ଲୁ, କୋବାଲ୍ଟ ବ୍ଲୁ, ଅଲଟ୍ରାମେରିନ୍ ବ୍ଲୁ ଇତ୍ୟାଦି । ନୂଆ ନୂଆ ତ ଏମିତିଆ କିଟିମିଟିଆ ନାଁ ସବୁ ମନେରଖିବା ବଡ଼ ମୁସ୍କିଲ୍ କାମ ଥିଲା । ତାପରେ ଆମର ଯାହା ଉଚ୍ଚାରଣ । ଯେମିତି ଫ୍ୟାଲୋ ବ୍ଲୁ କୁ ଆମେ ପୋଥାଲୋ ବ୍ଲୁ କହୁଥିଲୁ । ସେଇ କଲେଜରେ ହିଁ ରବିନ୍ ବ୍ଲୁର ଅନ୍ୟ ବ୍ୟବହାରକୁ ଜାଣିଲି । କେମିତି ରବିନ୍ ବ୍ଲୁକୁ ଫେଭିକଲ୍ ଅଠା ସାଙ୍ଗରେ ମିଶେଇ ଧଳା କପଡ଼ାର ବ୍ୟାନରରେ ଓ କାନ୍ଥ ବାଡ଼ରେ ଅକ୍ଷର ସବୁ ଲେଖାଯାଉଥିଲା ।

ବର୍ଣ୍ଣ ଚକ୍ରରେ ବାଇଗଣି ଓ ସବୁଜର ମଝି ରଙ୍ଗଟି ହେଲା ନୀଳ । ନୀଳର ଗାଢ଼ ଦିଗକୁ ଯିବାକୁ ହେଲେ କଳାରଙ୍ଗ ମିଶେଇବାକୁ ହେବ, ଆଉ ଓଲଟା ଝାପସା ପଟକୁ ଯିବାକୁ ହେଲେ ଧଳା ରଙ୍ଗ ମିଶାଇବାକୁ ହେବ । ଆଇଜାକ୍ ନିଉଟନ୍ ତାଙ୍କ ରଙ୍ଗ ତାଲିକାରେ ନୀଳକୁ ସପ୍ତମରେ ରଖିଥିଲେ । ଚିତ୍ର ବିଦ୍ୟାରେ ଯେଉଁ ତିନୋଟି ବର୍ଣ୍ଣକୁ ପ୍ରାଥମିକ ବର୍ଣ୍ଣ (ଲାଲ୍, ନୀଳ ଓ ହଳଦୀ) ଭାବରେ ଗ୍ରହଣ କରାଯାଏ, ସେଥିରେ ନୀଳ ରଙ୍ଗ ଅନ୍ୟତମ । ଭାରତରେ ପ୍ରାଥମିକ ରଙ୍ଗ ଧଳା ଓ କଳାକୁ ମିଶାଇ ପାଞ୍ଚ । ଭରତ ମୁନିଙ୍କ ନାଟ୍ୟ ଶାସ୍ତ୍ରରେ ବିଭତ୍ସ ରସର ରଙ୍ଗ ନୀଳ ବୋଲି ଉଲ୍ଲେଖ କରାଯାଇଛି । ପୁରାତନ ଚିତ୍ରଶାସ୍ତ୍ରର ମୂଳ ବର୍ଣ୍ଣ ସଂଖ୍ୟା ପାଞ୍ଚ (ଶ୍ୱେତ, ପିତ, କୃଷ୍ଣ, ହରିତ ଓ ରକ୍ତ) ବୋଲି ଉଲ୍ଲେଖ ହେଇଥିବା ବେଳେ ଅନ୍ୟ କେଉଁଠି କେଉଁଠି ଚାରି ବୋଲି ମଧ୍ୟ କୁହାଯାଇଛି । ‘ବିଷ୍ଣୁଧର୍ମୋତ୍ତର ପୁରାଣ’ରେ ଓ ଶିଳ୍ପରତ୍ନବର୍ଣ୍ଣ ତାଲିକାରେ ନୀଳ ରଙ୍ଗର ଉଲ୍ଲେଖ ରହିଛି । ଅଡୁଆ କଥା ହେଲା ‘ବିଷ୍ଣୁଧର୍ମୋତ୍ତର’ର ଅଧ୍ୟାୟ ୨୭ରେ ହରିତ୍ ଥିବାବେଳେ ଅଧ୍ୟାୟ ୪୦ରେ ହରିତ୍ ଜାଗାରେ ନୀଳ ରଙ୍ଗ କଥା ଉଲ୍ଲେଖ ଅଛି । ସପ୍ତଦଶ ଶତାବ୍ଦୀର ଏକ ଓଡ଼ିଆ ବହି ‘କବି କଳ୍ପଦୃମ’ ରେ ଛଅଟି ରଙ୍ଗ ବିଷୟରେ ଲେଖାଯାଇଛି । ଶ୍ୱେତ, ପିତ, କୃଷ୍ଣ, ହରିତ୍ ଓ ରକ୍ତ ସହିତ ଧୂସରକୁ ଏକ ସ୍ୱତନ୍ତ୍ର ରଙ୍ଗ ଭାବରେ ଯୁକ୍ତ କରାଯାଇଛି । ଆଚାର୍ଯ୍ୟ ନନ୍ଦଲାଲ ବୋଷ ଶିଳ୍ପଚର୍ଚ୍ଚାରେ ଲେଖିଛନ୍ତି ଯେ, ଓଡ଼ିଶାର ଚିତ୍ରଶିଳ୍ପୀମାନେ ଅତୀତରେ ପଟ୍ଟଚିତ୍ରରେ ଇଂଲଣ୍ଡରୁ ଆସୁଥିବା ଲାପିସ୍ ଲାଜୁଲିକୁ ନୀଳ ରଙ୍ଗ ପାଇଁ ବ୍ୟବହାର କରୁଥିଲେ । ଏଇ ମତକୁ ପରେ ଜେ. ପି ଦାସ ତାଙ୍କ ‘ପୁରୀ ପେଣ୍ଟିଂ’ ବହିରେ ଖଣ୍ଡନ କରିଛନ୍ତି । ତାଙ୍କ ମତରେ, ବଟିକା ଆକାରରେ ମିଳୁଥିବା ଇଣ୍ଡିଗୋକୁ ହିଁ ନୀଳ ପାଇଁ କାରିଗରମାନେ ବ୍ୟବହାର କରୁଥିଲେ ।

କାରିଗରଙ୍କ କହିବା ଅନୁସାରେ, ସେମାନଙ୍କ ରଙ୍ଗ ତାଲିକା ହେଲା - ଶଙ୍ଖ, ହେଙ୍ଗୁଳ, ହରିତାଳ, ଗେରୁ ଓ କଳା । ପୁରାତନ ପଟ୍ଟଚିତ୍ରରେ ସିଧାସଳଖ ସବୁଜ କି ନୀଳ ରଙ୍ଗର ବ୍ୟବହାର କିନ୍ତୁ ନାହିଁ । ସବୁଜକୁ ପଚା ରଙ୍ଗ କୁହାଯାଏ । ତାହା କଳା ଓ ହରିତାଳକୁ ମିଶାଇ ତିଆରି କରାଯାଉଥିଲା । ନୀଳ ନଥିବାରୁ କୃଷ୍ଣଙ୍କୁ କଳା କିମ୍ବା ପଚା ରଙ୍ଗରେ ରଙ୍ଗାଯାଉଥିଲା । ରାମ ମଧ୍ୟ ସେଇ ସବୁଜ ବା ପଚା ରଙ୍ଗରେ ଅଙ୍କାଯାଉଥିଲେ । ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତିରେ ନୀଳ ରଙ୍ଗ ନାହିଁ । ପଟ୍ଟଚିତ୍ରରେ ବହୁତ ପରେ ସିଧା ସଳଖ ଖଣ୍ଡ ନୀଳ ରଙ୍ଗର ବ୍ୟବହାର ଆସିଛି । ତେବେ ଗଞ୍ଜପାରେ ବାମନ ନୀଳ ହେଲାବେଳେ ଗଣେଷ ଓ ଇନ୍ଦ୍ରଙ୍କୁ ଧଳା ମିଶା ନୀଳ ରଙ୍ଗରେ ଚିତ୍ର କରାଯାଉଥିଲା ।

ଆଦିମ ମଣିଷର ଗୁହା ଚିତ୍ରରେ ନାଲି, କଳା, ଧୂସର ଓ ହଳଦିଆ ରଙ୍ଗର ବ୍ୟବହାର ହୋଇଥିବା ବେଳେ ନୀଳ ରଙ୍ଗର ବ୍ୟବହାର ହେବାର ପ୍ରମାଣ ମିଳେନି । ଖ୍ରୀ.ପୂ. ୨,୨୦୦ ପ୍ରାଚୀନ ଇଜିପ୍ଟରେ ଓ ମେସୋପଟାମିଆରେ ନୀଳ ରଙ୍ଗ ବ୍ୟବହାରର ପ୍ରମାଣ ମିଳେ । ସେମାନେ ଚୁନ ପଥର, ବାଲି ଓ ତମ୍ବା ଭାଗ ଥିବା ଧାତୁକୁ ୧୪୭୦ ରୁ ୧୬୫୦ ଡିଗ୍ରୀ ଫାରେନହାଇଟ୍ ତାପମାନରେ ଗରମ କରି ଏକପ୍ରକାର ଅସ୍ୱଚ୍ଛ କାଚ ତିଆରି କରୁଥିଲେ । ତାପରେ ସେ କାଚକୁ ଗୁଣ୍ଡ କରି ସେଥିରେ ଅଣ୍ଡାର ଲାଳ ଓ ବିଭିନ୍ନ ଅଠା ମିଶେଇ ନୀଳରଙ୍ଗ ତିଆରି କରୁଥିଲେ, ଯାହାକୁ ସେମାନେ ଛବି ଆଙ୍କିଲା ବେଳେ କିମ୍ବା ସେରାମିକ୍ ରେ ବ୍ୟବହାର କରୁଥିଲେ । ରଙ୍ଗ ତିଆରି କାମଟି ଆଦୌ ସହଜ ନଥିଲା । ସାମାନ୍ୟ ଏପାଖ ସେପାଖ ହେଲେ ଶେଷକୁ ନୀଳ ବଦଳରେ ସବୁଜ ରଙ୍ଗ ମିଳୁଥିଲା । ସେ ବିଦ୍ୟାର ସୂତ୍ର ଏବେ ଲୁପ୍ତ ହେଇ ସାରିଛି । ଇଜିପ୍ଟର ଦେବତା ଆମୁଁଙ୍କର ରଙ୍ଗ ନୀଳ ଥିଲା । କାରଣ ସେ ଆକାଶରେ ଉଡ଼ିଲା ବେଳେ ତାଙ୍କୁ କେହି ଦେଖିପାରିବେନି ।

ପ୍ରାଚୀନ ରୋମ ସାମ୍ରାଜ୍ୟରେ ଖଟିଖିଆ ଶ୍ରମିକ ଶ୍ରେଣୀର ଲୋକମାନେ ନୀଳ ରଙ୍ଗର ପୋଷାକ ପିନ୍ଧୁଥିଲେ ଓ ଉଚ୍ଚବର୍ଗର ଲୋକମାନେ ପିନ୍ଧୁଥିଲେ ଧଳା ପୋଷାକ । ଧଳା କପଡ଼ାକୁ ନୀଳରଙ୍ଗ କରିବାକୁ ବିଦେଶରୁ ଇଣ୍ଡିଗୋ ଆମଦାନୀ କରାଯାଉଥିଲା । ଗ୍ରୀକ୍ ମାନେ ମଧ୍ୟ ଭାରତରୁ ଇଣ୍ଡିଗୋ ଆମଦାନୀ କରୁଥିଲେ । ଫରାସୀ ସମ୍ରାଟ ସେଣ୍ଟ ଲୁଇସ୍ (୧୨୧୪-୧୨୭୦) ପ୍ରଥମ ସମ୍ରାଟ ଥିଲେ, ଯିଏକି ସବୁଦିନ ନୀଳ ରଙ୍ଗର ପୋଷାକ ପିନ୍ଧୁଥିଲେ । ତା’ ପରଠାରୁ ଧିରେ ଧିରେ ୟୁରୋପୀୟ ଧନୀ ଲୋକମାନେ ନୀଳ ରଙ୍ଗର ପୋଷାକ ପିନ୍ଧିବା ଆରମ୍ଭ କଲେ । ବାଇଜାଣ୍ଟାଇନ୍ ସାମ୍ରାଜ୍ୟରେ ଗାଢ଼ ନୀଳ ରଙ୍ଗକୁ ଚର୍ଚ୍ଚ ସଜାଇବାରେ ବ୍ୟବହାର କରାଯାଉଥିଲା । ବାଇଜାଣ୍ଟାଇନ୍ ଚିତ୍ରକଳାରେ ମଦର ମେରୀ ଓ ଯୀଶୁଖ୍ରୀଷ୍ଟଙ୍କୁ ବାଇଗଣୀ ଅବା ଗାଢ଼ ନୀଳରେ ଅଙ୍କା ଯାଉଥିଲା । ଇସଲାମିକ୍ ଦୁନିଆରେ ସବୁଜ ପଛକୁ ନୀଳ ରଙ୍ଗର ପ୍ରମୁଖତା ରହିଛି । ୟୁରୋପୀୟ ମଧ୍ୟଯୁଗର ପ୍ରାରମ୍ଭିକ ସମୟରେ ନୀଳ ରଙ୍ଗର ଏତେ ବ୍ୟବହାର ନଥିଲା । ସେଥିରେ ପୁଣି ଧନୀ ଲୋକଙ୍କ ଜୀବନରେ ନୀଳ ରଙ୍ଗର କିଛି ଭୂମିକା ନଥିଲା । ଦ୍ୱାଦଶ ଶତାବ୍ଦୀରେ ରୋମାନ କ୍ୟାଥଲିକ୍ ଚର୍ଚ୍ଚ ଇଟାଲୀ ଓ ଅନ୍ୟ ୟୁରୋପୀୟ ଚିତ୍ରଶିଳ୍ପୀମାନଙ୍କୁ ନିର୍ଦ୍ଦେଶ ଦେଲେ ଯେ, ଭର୍ଜିନ ମେରୀଙ୍କ ପୋଷାକ ଏସିଆରୁ ଆମଦାନୀ କରାଯାଉଥିବା ଦାମିକା ନୀଳ ରଙ୍ଗରେ ଅଙ୍କାଯିବା ଦରକାର । ଅଲଟ୍ରାମେରିନ୍ ରଙ୍ଗଟି ଲାପିସ୍ ଲାଜୁଲିରୁ ତିଆରି ହେଉଥିଲା ।

ମାର୍କୋ ପୋଲୋ ୧୨୭୧ରେ ଆଫଗାନିସ୍ତାନର ଲାପିସ୍ ଲାଜୁଲି ଖଣି ବୁଲି ଦେଖିଥିଲେ ଓ ସେ ବିଷୟରେ ଲେଖିଥିଲେ । ଭିକ୍ଟୋରିଆ ଫିନଲେ ନାମକ ଜଣେ ଭଦ୍ରମହିଳା ବୁଲି ବୁଲି ବିଭିନ୍ନ ରଙ୍ଗର ଉତ୍ପାଦ ସ୍ଥଳୀକୁ ଭ୍ରମଣ କରି ସେ ବିଷୟରେ ଚମତ୍କାର ବହି ଗୋଟିଏ ଲେଖିଛନ୍ତି । ବହିର ନାଁ ହେଲା ‘କଲର, ଟ୍ରାଭେଲ ଥ୍ରୁ ଦ ପେଣ୍ଟ ବକ୍ସ’ । ବହିର ଗୋଟେ ଅଧ୍ୟାୟରେ ଲେଖିକା କେମିତି ତାଲିବାନ୍ ଶାସିତ ଆଫଗାନିସ୍ତାନର ଦୂର୍ଗମ ଅଞ୍ଚଳରେ ଥିବା ଲାପିସ୍ ଲାଜୁଲି ଖଣି ବୁଲିଛନ୍ତି, ଯେଉଁଠି ଖଣି ଖାଦନକୁ ସାଧାରଣରେ ମହିଳାମାନଙ୍କୁ ଯିବାକୁ ଦିଆଯାଏନି, ତା’ର ରୋମାଞ୍ଚକର ଅନୁଭୂତି ସବୁ ବର୍ଣ୍ଣନା କରିଛନ୍ତି ।