ଚିତ୍ର - ନୀଳ ଗଛ, ୱିକି କମନ୍ସ

ଚିତ୍ରକଳାରେ ୟୁରୋପୀୟ ରେନେସାଁ ସମୟରେ ଛବିରେ ନୀଳ ରଙ୍ଗର ବ୍ୟବହାର ବଢିଯାଇଥିଲା । ଛବିରେ ନାଲି ଓ ନୀଳ ଭିତରେ ସନ୍ତୁଳନ ରକ୍ଷା କରାଗଲା । ରାଫେଲ୍ ତାଙ୍କ ଛବିରେ ଏହି ବର୍ଣ୍ଣ ସନ୍ତୁଳନ ଅତି ଚମତ୍କାର ଭାବରେ ସମ୍ପାଦନ କରିଥିଲେ । ରେନେସାଁ ସମୟରେ ଚିତ୍ରଶିଳ୍ପୀମାନଙ୍କ ପାଇଁ ଛବିରେ ନୀଳ ରଙ୍ଗର ବ୍ୟବହାର କରିବା ବେଶ୍ ସମ୍ମାନଜନକ କଥା ଥିଲା । କାରଣ ସେତେବେଳେ ସୁନା ଠାରୁ ଅଧିକା ଦାମିକା ଥିଲା ନୀଳ ରଙ୍ଗ । ଜର୍ମାନ୍ ଚିତ୍ରଶିଳ୍ପୀ ଆଲବ୍ରେଖଟ୍ ଡ୍ୟୁରେର୍ ଏକ ଚିଠିରେ ଏ ବିଷୟରେ ଉଲ୍ଲେଖ କରିଛନ୍ତି । ତୈଳ ରଙ୍ଗ ଆସିଲା ପରେ ନୀଳ ରଙ୍ଗଟି ଏଥର ଟେମ୍ପରା ରଙ୍ଗ ଠାରୁ ବେଶୀ ଗାଢ଼ା ଦିଶିଲା । ତେଣୁ ରାଫେଲ୍ ସେଥିରେ ଧଳା ରଙ୍ଗ ମିଶେଇ ତାଙ୍କ ଛବିରେ ବ୍ୟବହାର କଲେ ।

ଅଲଟ୍ରାମେରିନ୍ ରଙ୍ଗକୁ ପ୍ରକୃତ ନୀଳ କୁହାଯାଉଥିଲା । ଅଲଟ୍ରାମେରିନ୍ ଶବ୍ଦଟି ଆସିଛି ଲାଟିନ୍ ଅଲଟ୍ରାମେରିନୋ ରୁ । ଯାହାର ଅର୍ଥ ହେଲା ସମୁଦ୍ର ସେପାଖରୁ । ମୁଖ୍ୟତଃ ଆଫଗାନିସ୍ତାନର ଏକ ନିର୍ଦ୍ଦିଷ୍ଟ ପର୍ବତ ଶ୍ରେଣୀରେ ମିଳୁଥିବା ଏକ ପ୍ରକାର ରତ୍ନପଥର ହେଲା ଲାପିସ୍ ଲାଜୁଲି । ଲାପିସ୍ ଲାଜୁଲିରୁ ହିଁ ଦାମିକା ଅଲଟ୍ରାମେରିନ୍ ରଙ୍ଗକୁ ପ୍ରସ୍ତୁତ କରାଯାଉଥିଲା । ଇଜିପ୍ଟର ବଣିକମାନେ ପ୍ରାୟ ଛଅ ହଜାର ବର୍ଷ ତଳୁ ମୁଖ୍ୟତଃ ଅଳଙ୍କାରରେ ବ୍ୟବହାର ପାଇଁ ଏହି ଦାମିକିଆ ପଥରକୁ ଆଫଗାନିସ୍ତାନରୁ ଆମଦାନୀ କରୁଥିଲେ । ଆଫଗାନିସ୍ତାନରେ ତା’ର ଭଣ୍ଡାର ଥିଲେ ମଧ୍ୟ ଲାପିସ୍ ଅଳ୍ପ ପରିମାଣରେ ଚିଲି, ଜିମ୍ବାୱେ ଓ ସାଇବେରିଆରେ ବି ମିଳେ । ଇଜିପ୍ଟର ଲୋକେ ଅନ୍ୟାନ୍ୟ ବ୍ୟବହାର ପାଇଁ ଲାପିସ୍ ରୁ ନୀଳ ରଙ୍ଗ କିନ୍ତୁ ତିଆରି କରିପାରି ନଥିଲେ । ଲାପିସ୍ ର ନୀଳ ରଙ୍ଗ ଷଷ୍ଠ ଶତାବ୍ଦୀରେ ଆଫଗାନିସ୍ତାନର ବୋମିୟାନ୍ ଠାରେ ଥିବା ବୌଦ୍ଧ ଭିତ୍ତିଚିତ୍ରରେ ପ୍ରଥମ କରି ବ୍ୟବହାର ହେଇଥିବାର ଦେଖାଯାଏ । (ଯେଉଁଠି ବିଶାଳ ବୁଦ୍ଧ ମୂର୍ତ୍ତିକୁ ଧର୍ମାନ୍ଧ ତାଲିବାନ୍ ମାନେ ତୋପ ଫୁଟାଇ ଧ୍ୱଂସ କରିଦେଲେ।) ଇଟାଲୀର ବଣିକମାନଙ୍କ ଦ୍ୱାରା ଚତୁର୍ଦ୍ଦଶ ଓ ପଞ୍ଚଦଶ ଶତାବ୍ଦୀ ବେଳକୁ ନୀଳ ରଙ୍ଗ ୟୁରୋପରେ ପହଞ୍ଚିଯାଇଛି । କିନ୍ତୁ ଦାମିକା ଥିବାରୁ ଚିତ୍ରଶିଳ୍ପୀମାନେ ନୀଳ ରଙ୍ଗ ସହଜରେ କିଣିପାରୁ ନଥିଲେ । ଏମିତି ବି କଥା ଅଛି, ଶିଳ୍ପୀ ମାଇକେଲ୍ଆଞ୍ଜେଲୋ ତାଙ୍କର ଛବି Entombment (୧୫୦୦-୦୧)କୁ ଲାପିସ ଲାଜୁଲିରୁ ତିଆରି ନୀଳ କିଣିବା ପାଇଁ ପଇସା ଯୋଗାଡ଼ କରିପାରିନଥିଲେ ବୋଲି ଅଧାରୁ ଛାଡି ଦେଇଥିଲେ । ଏବେବି ଛବିର କିଛି ଅଂଶ ଅଙ୍କା ନଯାଇ ମ୍ୟୁଜିୟମ୍ ରେ ଝୁଲୁଛି ।

ନୀଳ ରଙ୍ଗର ପରିବାରରେ କୋବାଲ୍ଟ ବ୍ଲୁ ଏକ ଗୁରୁତ୍ୱପୂର୍ଣ୍ଣ ରଙ୍ଗ । କୋବାଲ୍ଟ ବ୍ଲୁର ବ୍ୟବହାର ଚୀନ୍ ରେ ଅଷ୍ଟମ - ନବମ ଶତାବ୍ଦୀରେ ସେରାମିକ୍ ପାତ୍ର ଓ ଅଳଙ୍କାରରେ କରାଯାଉଥିଲା । ୧୮୦୨ରେ Louis Jacques ନାମରେ ଜଣେ ଫରାସୀ ରସାୟନବିତ୍ ଆଲୁମିନା ବ୍ୟବାହାର କରି ଏହି ରଙ୍ଗକୁ ତିଆରି କଲେ ଓ ୧୮୦୭ରେ ଏହା ବଜାରରେ ଉପଲବ୍ଧ ହେଇଗଲା । ତାପରେ ଟର୍ଣ୍ଣର, ରେନୁଆ ଓ ଭ୍ୟାନଗୋଗ୍ ଆଦି ଚିତ୍ରଶିଳ୍ପୀ ଦାମିକା ଅଲଟ୍ରାମରାଇନ୍ ବଦଳରେ ଶସ୍ତା କୋବାଲ୍ଟ ବ୍ଲୁର ବ୍ୟବହାର କଲେ । ଭ୍ୟାନ୍ ଗୋଗ୍ ତାଙ୍କ ଭାଇ ଥିଓଙ୍କ ପାଖକୁ ଲେଖିଥିବା ଚିଠିରେ କୋବାଲ୍ଟ ବ୍ଲୁ ବିଷୟରେ ଲେଖିଛନ୍ତି । ୧୮୦୫ରେ ଜର୍ମାନର Andreas Hopfner ସେରୁଲିଅନ୍ ବ୍ଲୁ ତିଆରି କଲେ । ରଙ୍ଗଟି କିନ୍ତୁ ଚିତ୍ରଶିଳ୍ପୀମାନଙ୍କ ବ୍ୟବହାର ପାଇଁ ୧୮୬୦ରେ ଉପଲବ୍ଧ ହେଲା । ୟୁରୋପରେ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ Blue କୁ Blew ଭାବରେ ଲେଖାଯାଉଥିଲା ।

ଲାପିସ୍ ଲାଜୁଲିରୁ ତିଆରି ନୀଳର ଚାହିଦା ଓ ଦରକୁ ଦେଖି ୧୮୨୪ରେ ଜଣେ ଫରାସୀ ରସାୟନବିତ୍ ଓ ଜଣେ ଜର୍ମାନ୍ ପ୍ରଫେସର ଉଭୟେ ଏକ ସମୟରେ ସିନ୍ଥେଟିକ୍ ଅଲଟ୍ରାମେରିନ୍ ରଙ୍ଗ ଉଦ୍ଭାବନ କରିଥିଲେ । ଏଥିପାଇଁ ଏକ ସଂସ୍ଥା ଛଅ ହଜାର ଫ୍ରାଙ୍କ୍ ର ପୁରସ୍କାର ରାଶି ଘୋଷଣା କରିଥିଲେ । ତେବେ କମିଟି ଫରାସୀ ରସାୟନବିତ୍ ଙ୍କୁ ପୁରସ୍କୃତ କରିଥିଲେ ଓ ରଙ୍ଗଟିର ନାମ ଫ୍ରେଞ୍ଚ ଅଲଟ୍ରାମେରିନ୍ ରଖିଥିଲେ । ଅଲଟ୍ରାମେରିନ୍ ନୀଳର ରବିନ୍ ପାଉଡର୍ ଅପରାଧିଙ୍କ ଆଙ୍ଗୁଠି ଛାପ ଚିହ୍ନ ଜାଣିବା ପାଇଁ ମଧ୍ୟ ବ୍ୟବହାର କରାଯାଏ ।

ନିଉଟନ୍ ଙ୍କ ସାତରଙ୍ଗ ବିଷୟରେ ପ୍ରଥମ ଲେଖାଟି ୧୭୦୪ରେ ପ୍ରକାଶିତ ହେଲା । ତା’ର ଗୋଟେ ବର୍ଷ ଆଗରୁ ଜର୍ମାନୀର ବର୍ଲିନ୍ ଠାରେ ଡାଇ ରଙ୍ଗ ତିଆରି କରୁଥିବା ଜୋନ୍ ଜାକବ୍ ଡିଏସବାକ୍ ନାମକ ଜଣେ ବ୍ୟକ୍ତି ଅକସ୍ମାତ୍ ଏକ ନୂଆ ରଙ୍ଗ ତିଆରି କଲେ । ପଶୁ ରକ୍ତ ସହ କିଛି ରସାୟନ ମିଶ୍ରଣରୁ ଏକ ଚମତ୍କାର ନୀଳ ରଙ୍ଗ ସେ ପାଇଲେ । ଜର୍ମାନରେ ତାକୁ ବର୍ଲିନର ବ୍ଲୁ ଓ ଇଂରାଜୀରେ ପ୍ରସିଆନ ବ୍ଲୁ କୁହାଗଲା । ରୋକୋକୋ ଚିତ୍ରଶିଳ୍ପୀ Jean-Antoine Watteau, ଜାପାନୀ ଚିତ୍ରଶିଳ୍ପୀ ହାକୁସାଇଙ୍କ ଉଡ୍ ବ୍ଳକ୍ ପ୍ରିଣ୍ଟ୍ ଓ ବିଖ୍ୟାତ ସ୍ପେନୀୟ ଶିଳ୍ପୀ ପାବ୍ଳୋ ପିକାସୋଙ୍କ ବ୍ଲୁ ପିରିଅଡର ଛବିରେ ଏଇ ପ୍ରସିଆନ୍ ବ୍ଲୁର ହିଁ ବ୍ୟବହାର କରାଯାଇଛି । ୧୮୪୨ରେ ସାର୍ ଜୋନ୍ ହର୍ସେଲ୍ ନାମକ ଜଣେ ବ୍ରିଟିଶ୍ ଜ୍ୟୋର୍ତିବିଜ୍ଞାନୀ ଆବିଷ୍କାର କଲେ ଯେ, ପ୍ରସିଆନ ବ୍ଲୁ ର ଆଲୋକ ପ୍ରତି ସମ୍ବେଦନଶୀଳତା ଅଛି । ସେଇଥିରୁ ସେ ପ୍ରସିଆନ୍ ବ୍ଲୁ କୁ ନେଇ ସ୍ଥାପତ୍ୟ ଆଦି ପ୍ଳାନର ଅଧିକ କପି ସହଜରେ କରିପାରିଲେ । ପ୍ରସିଆନ୍ ବ୍ଲୁର ବ୍ୟବହାର ପାଇଁ ତାକୁ ବ୍ଲୁ ପ୍ରିଣ୍ଟ କୁହାଯାଏ । ଯାହାକୁ ଆମେ କାର୍ବନ କହୁଛେ । ଆଧୁନିକ ଚିକିତ୍ସା ବିଜ୍ଞାନରେ ପ୍ରସିଆନ୍ ବ୍ଲୁର ବ୍ୟବହାର ମଧ୍ୟ ରହିଛି ।

୧୯୪୭ର ଗ୍ରୀଷ୍ମ କାଳୀନ ଏକ ଅପରାହ୍ନରେ ତିନି ଜଣ ଫରାସୀ ଯୁବକ ସମୁଦ୍ର କୂଳରେ ବସି ଚିନ୍ତା କଲେ ଓ ପୃଥିବୀକୁ ତିନି ଭାଗରେ ବାଣ୍ଟି ନେଲେ । ସେ ତିନି ବନ୍ଧୁ ହେଲେ ପରବର୍ତ୍ତୀ ସମୟର ଚିତ୍ରଶିଳ୍ପୀ Yves Klein, କବି Claude Pascal ଓ ଚିତ୍ରଶିଳ୍ପୀ Armand Fernandez । Pascal ଙ୍କ ଭାଗରେ ପଡିଲା ବାୟୁ, Fernandez ଙ୍କ ଭାଗରେ ମାଟି ଓ Klein ଙ୍କ ଭାଗରେ ପଡିଲା ଆକାଶ । ମାତ୍ର ଚଉତିରିଶ ବର୍ଷ ଜୀବନ ବଞ୍ଚିଥିବା Yves Klein (୧୯୨୮- ୧୯୬୨) ସାରା ଜୀବନ ଆକାଶର ରଙ୍ଗ ନୀଳ ବୋଲି ନୀଳ ରଙ୍ଗକୁ ନେଇ କାମ କରିଛନ୍ତି । ନିରୋଳା ନୀଳ ରଙ୍ଗରେ ଭରିଛନ୍ତି କ୍ୟାନଭାସକୁ । ତାଙ୍କର ମତ ଥିଲା ଯେ, ନୀଳ ରଙ୍ଗର କିଛିବି ଡାଇମେନସନ୍ ନାହିଁ । ନୀଳ ସବୁ ଡାଇମେନସନ୍ ର ଉର୍ଦ୍ଦ୍ୱରେ । ତେଣୁ କ୍ୟାନଭାସ୍ ରେ ନୀଳ ରଙ୍ଗର ପ୍ରୟୋଗ ଦର୍ଶକଙ୍କୁ ଆପଣା ଛାଏଁ ସୀମିତରୁ ଅସୀମତା ଆଡ଼କୁ ଘେନିଯାଏ । Yves Klein ନିଜ ନାମରେ ଏକ ନୀଳ ରଙ୍ଗର ପ୍ୟାଟେଣ୍ଟ ମଧ୍ୟ କରାଇଥିଲେ । ନାଁ ରଖିଥିଲେ International Klein Blue (IKB) ନୀଳ ରଙ୍ଗର ଇତିହାସରେ ଭାରତର ମଧ୍ୟ ବଡ଼ ଅବଦାନ ରହିଛି । ସେଇଟି ହେଲା ଇଣ୍ଡିଗୋ । ଗ୍ରୀକ୍ ଭାଷାରେ ଇଣ୍ଡିଗୋ ମାନେ ‘ଫ୍ରମ୍ ଇଣ୍ଡିଆ’ । ମାନେ ଭାରତରୁ । ସପ୍ତଦଶ ଶତାବ୍ଦୀରେ ବ୍ରିଟିଶ୍, ସ୍ପେନୀୟ ଓ ଡଚ୍ ମାନେ ଜାମାଇକା, ଦକ୍ଷିଣ କାରୋଲିନା ଓ ଦକ୍ଷିଣ ଆମେରିକାରେ ନୀଳ ଚାଷ କରି ୟୁରୋପକୁ ପଠାଇଲେ । ନୀଳ ନାମକ ଗଛରୁ ଇଣ୍ଡିଗୋ ନୀଳ ତିଆରି ହୁଏ । ନୀଳ ଗଛର ପତ୍ରକୁ ପାଣିରେ ଭିଜେଇ ଓ ପଚେଇ ସେଥିରୁ ମୁଣ୍ଡା ନୀଳରଙ୍ଗ ତିଆରି କରାଯାଏ । ଚିତ୍ରରେ ନୀଳ ରଙ୍ଗର ବ୍ୟବହାର ବ୍ୟୟସାପେକ୍ଷ ହେଇଥିବା ବେଳେ କପଡାକୁ ନୀଳ ରଙ୍ଗରେ ରଙ୍ଗେଇବା ଅପେକ୍ଷାକୃତ ଶସ୍ତା କିନ୍ତୁ । ଇଣ୍ଡିଗୋ ନୀଳର ବ୍ୟବହାର ମୁଖ୍ୟତଃ ଲୁଗା ପଟାର ରଙ୍ଗ କରିବାରେ ବ୍ୟବହାର କରାଯାଏ । ନୀଳ ଚାଷର ଇତିହାସ ଖୁବ ପ୍ରାଚୀନ । ଇଜିପ୍ଟବାସୀ ମମିମାନଙ୍କୁ ଇଣ୍ଡିଗୋ ନୀଳରେ ରଙ୍ଗ ହେଇଥିବା କପଡା ଗୁଡାଉଥିଲେ । ୟୁରୋପୀୟ ବଣିକମାନଙ୍କ ଦ୍ୱାରା ଭାରତରୁ ନୀଳରଙ୍ଗ ବିଦେଶ ଯାଇଛି । ଇଣ୍ଡିଗୋକୁ ଏକ ରଙ୍ଗର ପିଗ୍ମେଣ୍ଟ୍ ଅପେକ୍ଷା କପଡା ଡାଇ ଭାବରେ ପ୍ରଥମେ ବ୍ୟବହାର କରାଯାଇଛି । ଇଣ୍ଡିଗୋ ଡାଇକୁ ନେଇ ରଙ୍ଗା ଯାଇଥିବା କପଡାରେ ୧୭୪୮ରେ ବ୍ରିଟିଶ୍ ରୟାଲ୍ ନ୍ୟାଭିର ୟୁନିଫର୍ମ ତିଆରି ହେଲା ପରେ ଗାଢ଼ ଇଣ୍ଡିଗୋ ରଙ୍ଗକୁ ସେଦିନରୁ ନ୍ୟାଭି ବ୍ଲୁ କୁହାଯାଉଛି ।

୧୭୭୭ରେ ଜଣେ ଫରାସୀ ଲୋକ ବଙ୍ଗ ପ୍ରଦେଶରେ ପ୍ରଥମ କରି ନୀଳ ଚାଷ ଆରମ୍ଭ କରିଥିଲେ । ଧିରେ ଧିରେ ୟୁରୋପରେ ନୀଳର ପ୍ରବଳ ଚାହିଦାକୁ ଆଖିରେ ରଖି ବଙ୍ଗ ପ୍ରଦେଶରେ ବ୍ୟାପକ ନୀଳ ଚାଷ କରାଗଲା । କିଛି ବର୍ଷ ପରେ ବ୍ରିଟିଶ୍ ସରକାରଙ୍କ ନୀଳ ଚାଷୀ ମାରଣ ନୀତିର ବିରୁଦ୍ଧରେ ୧୮୫୯ରେ ସେଠାର ନୀଳଚାଷୀମାନେ ବିଦ୍ରୋହ କରିଥିଲେ । ଏ ବିଦ୍ରୋହର ପୃଷ୍ଠଭୂମିରେ ଦୀନବନ୍ଧୁ ମିତ୍ର ୧୮୫୮-୫୯ରେ ‘ନୀଳଦର୍ପଣ’ ନାମକ ନାଟକ ରଚନା କରିଥିଲେ । ପରେ ମାଇକେଲ ମଧୁସୂଦନ ଦତ୍ତ ଇଂରାଜୀରେ ନାଟକଟିକୁ ଅନୁବାଦ କରିଥିଲେ ।

୧୮୮୦ ରେ ସିନ୍ଥେଟିକ୍ ଇଣ୍ଡିଗୋ ଉଦ୍ଭାବନ ହେଲା । ସିନ୍ଥେଟିକ୍ ଇଣ୍ଡିଗୋ ଚାଷ କରାଯାଉଥିବା ଇଣ୍ଡିଗୋ ଠାରୁ ଅଧିକ ସହଜରେ ଉପଲବ୍ଧ ହେଲା । ଆମେ ପିନ୍ଧୁଥିବା ଡେନିମ୍ ଜିନ୍ସ ପ୍ୟାଣ୍ଟ୍ କୁ ଆଜିବି ଏଇ ଇଣ୍ଡିଗୋ ରଙ୍ଗରେ ରଙ୍ଗ କରାଯାଏ । ଏବେ ବୈଜ୍ଞାନିକମାନେ ବାୟୋ ଇଣ୍ଡିଗୋ ତିଆରି କରିସାରିଲେଣି । ଯାହାକି ପ୍ରାକୃତିକ ଇଣ୍ଡିଗୋ ପରି ଜୈବିକ ମଧ୍ୟ । ଆଜିର ଯୁବ ପିଢି ପୁଉଣିଥରେ ନୀଳରଙ୍ଗର ପୋଷାକର ମାୟାରେ । ପୁଣିଥରେ ଶାଢୀ, ସାଲୱାର୍ ଓ କମିଜରେ ଇଣ୍ଡିଗୋର ମାୟା । ନୀଳ ମାୟାରୁ ମୁକ୍ତି କାହିଁ ? ମାୟାର ରଙ୍ଗ ହୁଏତ ନୀଳ । ନହେଲେ ନଟ ନାଗର ମାୟାଧର କୃଷ୍ଣଚନ୍ଦ୍ରଙ୍କ କଳେବର ନୀଳ କାହିଁକି ହେଇଥାନ୍ତା ? କାହିଁକି ଅବା କବି ଲେଖିଥା’ନ୍ତେ - ଚନ୍ଦନ ଚର୍ଚ୍ଚିତ ନୀଳ କଳେବର, ପିତ ବସନ ବନମାଳୀ ? ଭାରତୀୟ ନୀଳ ଓରଫ୍ ଇଣ୍ଡିଗୋ ବିଷୟରେ ଅନେକ ତଥ୍ୟ ଓ ଲମ୍ବା କାହାଣୀ ସବୁ ରହିଛି । ସେ ବିଷୟରେ ଆଉ କେବେ ।