"ବ୍ଲୁ", ଗାଳ୍ପିକ – ସୁମନ ଦାଶ (ପୃଷ୍ଠା – ୧୬୦, ପ୍ରକାଶକ – ଇଭେଣ୍ଟସ୍ ବୁକ୍ସ୍‌)

ଅଳ୍ପ କିଛିଦିନ ପୂର୍ବରୁ ପ୍ରକାଶ ପାଇଛି ସୁମଦ ଦାଶଙ୍କର ପ୍ରଥମ ଗଳ୍ପ ସଂକଳନ “ବ୍ଲୁ” । ଏହି ସଂକଳରେ ଥିବା ୯ଟି ଯାକ ଗପ ନିଜ ନିଜର ପରିପାଟୀରେ ବେସ୍ ଉଚ୍ଚକୋଟୀର । ସବୁଠାରୁ ବଡ କଥା ହେଲା ଏହି ୯ଟି ଯାକ ଗପକୁ ଆପଣ ପଢିସାରିବା ପରେ ଏହାକୁ ଗପ ଭାବି ଆଡେଇକି ଯାଇପାରିବେ ନାହିଁ । କୌଣସି ନା କୌଣସି ଗପରେ ଆପଣ ନିଜକୁ ଏବଂ ଆଖ ପାଖର ଘଟଣାବହୁଳ ଅବା ଘଟଣା ବିହୀନ ଜୀବନକୁ ଖୋଜିପାଇବା ଥୟ... ଏବେ କୁହନ୍ତୁ ଆପଣ କ’ଣ ନିଜକୁ କିମ୍ବା ଆଖପାଖର ଦୂନିଆକୁ କ’ଣ କେବେ ଭୁଲିପାରିବେ ?

ନିଜର ଅତୀତ, ଛାତିରେ କଂଟା ବାଡେଇ ଫ୍ରେମରେ ଫଟୋ ପରି ଝୁଲୁଥିବା ଭଳି ଏ ଗପ ଝୁଲି ରହିବ ଆପଣଙ୍କର ଛାତିରେ । ପ୍ରତ୍ୟକ ଗପର କାହାଣୀ ନିଜକୁ ସ୍ୱତନ୍ତ୍ର କରି ଛିଡା କରିଥିବା ବେଳେ, ଗାଳ୍ପିକ ସୁମନ ଦାଶଙ୍କୁ ଜଣେ ଅଲରାଉଣ୍ଡର ଗାଳ୍ପିକ କରି ଛିଡା କରେଇଛି । ଯଦି ଆପଣମାନଙ୍କର ମନରେ ଧାରଣା ଆସୁଛି ଯେ ସୁମନ ଦାଶଙ୍କର ପ୍ରଥମ ବହି “ବ୍ଲୁ” ଆପଣଙ୍କୁ ନିରାଶ କରିବ ତେବେ ତାହା ସଂପୂର୍ଣ୍ଣ ଭାବରେ ଭୁଲ୍ କାରଣ ଏ ଗପସବୁ ଯେଉଁ ଯେଉଁ ସମୟର କଥା କହିଛି ସେହି ସମୟ ସବୁ ଆପଣଙ୍କ ଧମନୀରେ ରକ୍ତ ହେଇ ବୋହୁଛି । ଗପ ସବୁରେ ଅଛି ଅତୀତର ମହୁଝରା ମିଠା କଥା ଅଛି ବର୍ତ୍ତମାନର ବ୍ୟସ୍ତମୟ ଧାଁ ଦଉଡ ଦୂନିଆର କୋମନୀୟ ଭୟାବହତା ।

ଗପରେ ଅଛି ଗାଁ ଅଛି ଏକ ନିରୀହ ପିଲାବେଳର ଚପଳାମି ଆଉ ଦୁଷ୍ଟାମି । ଗପ ହିଁ ଗାଁରେ ଟାୟାର ଗଡେଇ ଗଡେଇ ପିଲାରୁ ବଡ ହୋଇ ଧାଇଁ ଆସିଛି ସହରକୁ, ସହରର ଦୌଡରେ ନିଜକୁ ସାମିଲ୍ କରି ଧାଇଁଛି ଜୀବନରେ ଜୀବନ ଖୋଜୁଛି । ଅନେକ ସମୟରେ ଅନେକ କୁହନ୍ତି ଏହା ମଧ୍ୟ କେତେକାଂଶରେ ସତ ଯେ ସହରରେ ମଣିଷ ଏକ ରସହୀନ ସମୟକୁ ଭୋଗୁଛି । ହେଲେ ଏହି ଗପସବୁ ସେଇ ରସହୀନ ସମୟର କଥାକୁ ଏମିତି ବାଗରେ ପରସି ଦେଇଛି ସତେ ଯେମିତି ଏହା ଏକ ରସହୀନ ସମୟର କଥା ନୁହଁ ବରଂ ବୁଢୀମା ଗପର କାହାଣୀ କୁହୁକପେଡି ପରି ।

ଆପଣ ଆପଣଙ୍କ ଜୀବନରେ ଯେଉଁ ଯେଉଁ ଯାଗାକୁ ବୁଲିବାକୁ ଯାଇଥିବେ ହୁଏତ ସେ ଯାଗାର ସ୍ମୃତି ମଳିନ ହେବା ପରେ ଆପଣ ସେ ଯାଗାକୁ ଧିରେଧିରେ ଭୁଲିବାକୁ ଆରମ୍ଭ କରିବେ । କିନ୍ତୁ ଏହି ଗପ ଆପଣଙ୍କୁ ଯେଉଁସବୁ ଯାଗାକୁ ନେବ ସେ ଯାଗାକୁ ଭୁଲିବା ଆପଣଙ୍କ ପକ୍ଷେ ଏତେ ସହଜ ହେବନାହିଁ । ଆପଣଙ୍କ ଯାତ୍ରାର ପାଦେ ପାଦେ କାହାଣୀର କଅଁଳ ବୀଜଟିଏ ମୁଣ୍ଡ ଟେକି ଉଠିବ ଆଉ ଆପଣଙ୍କୁ କହିବ ଯା ଧନ ଯା ତୁ ଜୀବନ ଜିଇଁ, ମୁଁ ତୋ ପାଇଁ ମହାଦୃମଟିଏ ହେବି ।

ଏହି ଗପକୁ ପଢିବା ଆଉ ଶୁଣିବା ଭିତରେ ବିଶେଷକିଛି ତଫାତ୍ ନାହିଁ, ଗାଳ୍ପିକ ସୁମନ ଦାଶ କହିବା ଛଳରେ ଗପକୁ ପରଶି ଦେଇଛନ୍ତି । ବର୍ତ୍ତମାନର ମହାମାରୀ ସମୟରେ ମନ ପାଇଁ ମହୌଷଧୀ ଭଳି କାମ କରିବ ଏ ଗପସବୁ, ତେଣୁ ଆଉ ଡେରି କାହିଁକି ସମୟ କାଢି ନିଜ ପାଇଁ ନହେଲା ନାହିଁ ମନ ପାଇଁ ପଢନ୍ତୁ ଏ ଗପ ସବୁ ।