ପ୍ରଜାତନ୍ତ୍ର ପ୍ରଚାର ସମିତି ଆନୁକୂଲ୍ୟରେ ଆସନ୍ତା ୧୨ ତାରିଖରୁ ଆରମ୍ଭ ହେଉଥିବା ୭୨ତମ ବିଷୁବ ମିଳନ ଉତ୍ସବରେ, ଅନ୍ୟାନ୍ୟ ବର୍ଷ ଭଳି, କେତେକ ବିଶିଷ୍ଟ ସ୍ରଷ୍ଟା ଓ କଳାକାରଙ୍କୁ, ସେମାନଙ୍କର ବହୁମୂଲ୍ୟ ଅବଦାନ ଲାଗି, ପୁରସ୍କାର ପ୍ରଦାନ କରାଯାଇ ସମ୍ମାନିତ କରାଯିବ । ଗତବର୍ଷ କରୋନା ଯୋଗୁଁ ବିଷୁବ ମିଳନ ଅନୁଷ୍ଠିତ ହୋଇପାରିନଥିଲା । ତେଣୁ ଚଳିତବର୍ଷ ୨୦୨୦ ଓ ୨୦୨୧ ପାଇଁ କୃତବିଦମାନଙ୍କୁ ସମ୍ମାନିତ କରାଯିବ । ବିଶିଷ୍ଟ ପ୍ରାବନ୍ଧିକ ଶ୍ରୀ ହରପ୍ରସାଦ ଦାସଙ୍କୁ ୨୦୨୦ ଲାଗି ସମ୍ମାନଜନକ ‘ବିଷୁବ ପୁରସ୍କାର’ ପ୍ରଦାନ କରାଯିବ । ପୁରସ୍କାର ବାବଦରେ ତାଙ୍କୁ ଏକଲକ୍ଷ ଟଙ୍କା ଓ ତାମ୍ରଫଳକ ସହ ସମ୍ମାନିତ କରାଯିବ । ସେହିଭଳି ବିଶିଷ୍ଟ କବି ଶ୍ରୀ ଅମରେଶ ପଟ୍ଟନାୟକଙ୍କୁ  ୨୦୨୧ ପାଇଁ ସମ୍ମାନଜନକ ‘ବିଷୁବ ପୁରସ୍କାର’ ପ୍ରଦାନ କରାଯିବ । ପୁରସ୍କାର ବାବଦରେ ତାଙ୍କୁ ଏକଲକ୍ଷ ଟଙ୍କା ଓ ତାମ୍ରଫଳକ ସହ ସମ୍ମାନିତ କରାଯିବ ।

ପ୍ରବନ୍ଧ ଓ ସାହିତ୍ୟ - ସମାଲୋଚନା ପାଇଁ ଡକ୍ଟର କୈଳାସ ଚନ୍ଦ୍ର ଦାଶ, କବିତା ପାଇଁ ଶ୍ରୀ ହୃଦାନନ୍ଦ ପାଣିଗ୍ରାହୀ ଓ ଗଳ୍ପ ପାଇଁ ଶ୍ରୀ ପ୍ରଭାତ ମହାପାତ୍ରଙ୍କୁ ୨୦୨୦ ବର୍ଷର ‘ଝଙ୍କାର ପୁରସ୍କାର’ ପ୍ରଦାନ କରାଯିବ । ଏହି ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ନଗଦ ଟ. ୨୫.୦୦୦ (ପଚିଶ ହଜାର ଟଙ୍କା) ଓ ତାମ୍ରଫଳକ ପ୍ରଦାନ କରାଯିବ । ସେହିଭଳି ୨୦୨୧ ଲାଗି ପ୍ରବନ୍ଧ ଓ ସାହିତ୍ୟ-ସମାଲୋଚନା ପାଇଁ ଶ୍ରୀ କୁମୁଦ ରଂଜନ ପାଣିଗ୍ରାହୀ, କବିତା ପାଇଁ ଶ୍ରୀକୁମାର ହସନ ଓ ଗଳ୍ପ ପାଇଁ ଶ୍ରୀ ଦେଶବନ୍ଧୁ ସ୍ୱାଇଁଙ୍କୁ “ଝଙ୍କାର ପୁରସ୍କାର” ପ୍ରଦାନ କରାଯିବ । ଏହି ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ନଗଦ ଟ ୨୫,୦୦୦ (ପଚିଶ ହଜାର ଟଙ୍କା) ଓ ତାମ୍ରଫଳକ ପ୍ରଦାନ କରାଯିବ । ଅନୁବାଦ - ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ନିମନ୍ତେ ୨୦୨୦ ବର୍ଷ ଲାଗି ଶ୍ରୀମତୀ କନକ ମଞ୍ଜରୀ ସାହୁ “ଝଙ୍କାର ଅନୁବାଦ - ଭାରତୀ’ ପୁରସ୍କାର ପାଇବେ । ଏ ବାବଦରେ ତାଙ୍କୁ ଟ. ୧୦,୦୦୦ (ଦଶହଜାର ଟଙ୍କା) ଓ ମାନପତ୍ର ପ୍ରଦାନ କରାଯିବ । ସେହିଭଳି ୨୦୨୧ ଲାଗି ଶ୍ରୀ ଲିଙ୍ଗରାଜ ମହାନ୍ତି “ଝଙ୍କାର ଅନୁବାଦ - ଭାରତୀ" ପୁରସ୍କାର ପାଇବେ । ଏବାବଦରେ ତାଙ୍କୁ ଟ ୧୦,୦୦୦ (ଦଶହଜାର ଟଙ୍କା) ଓ ମାନପତ୍ର ପ୍ରଦାନ କରାଯିବ । ୨୦୨୦ ବର୍ଷ ଲାଗି ଝଙ୍କାର ଲଲିତ ନିବନ୍ଧ ପୁରସ୍କାର ପାଇବେ ଡକ୍ଟର ଭାଗ୍ୟଲିପି ମଲ୍ଲ । ଏ ପୁରସ୍କାର ବାବଦରେ ତାଙ୍କୁ ନଗଦ ଟ ୧୦,୦୦୦ (ଦଶହଜାର ଟଙ୍କା) ସହ ମାନପତ୍ର ପ୍ରଦାନ କରାଯିବ । ୨୦୨୧ ପାଇଁ ଝଙ୍କାର ଲଲିତନିବନ୍ଧ ପୁରସ୍କାର ପାଇବେ ବୈଷ୍ଣବ ଚରଣ ମହାନ୍ତି । ଏ ପୁରସ୍କାର ବାବଦରେ ତାଙ୍କୁ ନଗଦ ଟ ୧୦,୦୦୦ (ଦଶହଜାର ଟଙ୍କା) ସହ ମାନପତ୍ର ପ୍ରଦାନ କରାଯିବ । 

୨୦୨୦ ବର୍ଷ ଲାଗି ଜଷ୍ଟିସ୍ ହରିହର ମହାପାତ୍ରଙ୍କ ଦ୍ୱାରା ପ୍ରଦତ୍ତ ଧନରାଶିରୁ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ‘ହରିହର ମହାପାତ୍ର ସ୍ମାରକୀ’ ନାଟ୍ୟସାହିତ୍ୟ ପୁରସ୍କାର ପାଇଵେ ବିଶିଷ୍ଟ ନାଟ୍ୟକାର ଶ୍ରୀ ବିରାଜ ମୋହନ ଦାସ। ଏହି ପୁରସ୍କାର ବାବଦରେ ତାଙ୍କୁ ନଗଦ ଟ ୩,୦୦୦ (ତିନିହଜାର ଟଙ୍କା) ସହ ମାନପତ୍ର ପ୍ରଦାନ କରାଯିବ । ସେହିଭଳି ୨୦୨୧ ବର୍ଷ ଲାଗି ଜଷ୍ଟିସ୍ ହରିହର ମହାପାତ୍ରଙ୍କ ଦ୍ୱାରା ପ୍ରଦତ୍ତ ଧନୁରାଶିରୁ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ‘ହରିହର ମହାପାତ୍ର ସ୍ମାରକୀ’ ନାଟ୍ୟ ସାହିତ୍ୟ ପୁରସ୍କାର ପାଇବେ ବିଶିଷ୍ଟ ନାଟ୍ୟକାର ଶ୍ରୀ ଦିଲ୍ଲୀପ ବେହେରା। ଏହି ପୁରସ୍କାର ବାବଦରେ ତାଙ୍କୁ ନଗଦ ଟ ୩,୦୦୦ (ତିନିହଜାର ଟଙ୍କା) ସହ ମାନପତ୍ର ପ୍ରଦାନ କରାଯିବ । କଟକ ପ୍ରଜାତନ୍ତ୍ର ପରିସରରେ ଥିବା ବିଷୁବ ମଣ୍ଡପରେ ତିନିଦିନବ୍ୟାପୀ ଆୟୋଜିତ ବିଷୁବ ମିଳନର ବାର୍ଷିବ ସମାବର୍ତ୍ତନ ଉତ୍ସବରେ ଆସନ୍ତା ୧୪ ତାରିଖ ପୂର୍ବାହ୍ନ ସାଢେ ୧୦ଟା ସମୟରେ ଏହି ପୁରସ୍କାର ପଦାନ କରାଯିବ।