ଫଟୋ - ୱିକି କମନ୍ସ

ଆଲୋଚନାବେଳେ ବିଦ୍ୟାକୁ ବିବାଦ
କରିବା ଅଭ୍ୟାସ ଅଟେ ଦୟାସ୍ପଦ
ତେବେ ବି ଅନେକ ଅନର୍ଗଳ ବକ୍ତା
କହିଚାଲିଥାଂତି ଅବାଂତର କଥା

ମୂଲ୍ୟବାନ କାଳ ହୁଏ ବୃଥା କ୍ଷୟ
କାହା ପାଶେ ନାହିଁ ଏତିକି ସମୟ
ସଭା ଆୟୋଜନ କରିଲେ ବର୍ଜନ
ବଢ଼ିପାରେ ଏବେ ସ୍ବଭାଷାର ମାନ

ହୋଇଲେ ଏକାକୀ ବ୍ୟକ୍ତି କର୍ମରତ
ଲେଖାଲେଖି କରିପାରଂତି ବହୁତ
ସ୍ବଦେହେ ନ ହୋଇ ଆଦୌ ଉପସ୍ଥିତ
ଲେଖାଲେଖି ଦ୍ବାରା କରିଥାଂତି ହିତ

ଲିପି ହୁଏ ଯଦି ବ୍ୟକ୍ତି ପ୍ରତିନିଧି
ଭାଷାରୁ ଉଭେଇଯାଏ ସବୁ ବ୍ୟାଧି
ଅକ୍ଷର ଯେହେତୁ ଅପରୂପ ନିଧି
ଭାବନା, ବିଚାର ରଖିଥାଏ ବାଂଧି

ଅର୍ଜନ କରିଲେ ଏପରି ଦକ୍ଷତା
ଅନାବଶ୍ୟକ ଏତେ ବେଶି କଥା
କଥା କହି କହି ହେଉଥାଉଁ ବଣା
ବୁଝିବା ସଭିଏଁ ହୋଇ ସ୍ଥିରମନା

ନେତାଏ ଦିଅଂତି ସଭାରେ ଭାଷଣ
ଲେଖକଂକ କାମ ଅଟେ ଯେଣୁ ଭିନ୍ନ
ସେମାନେ ହୁଅଂତୁ ଅକ୍ଷର ଆଶ୍ରୟୀ
ଚଳିତ କାଳର ରୀତି ଅନୁଯାୟୀ

ମୁହଁ ଆଉ ସ୍ବର ହୋଇଲେ ପ୍ରଧାନ
ସ୍ବାଧୀନ ଚିଂତାର ଘଟେ ଅବସାନ
ଯେହେତୁ ଅଳ୍ପାୟୁ କଥିତ ବଚନ
ନୁହେ ସମସ୍ୟାର ସ୍ପଷ୍ଟ ସମାଧାନ