କାକଜ୍ୟୋତ୍ସ୍ନା

କାକ ଜ୍ୟୋତ୍ସ୍ନା ! କାକ ଜ୍ୟୋତ୍ସ୍ନା !
ଜ୍ୟୋତ୍ସ୍ନା କ'ଣ ମିଛ ?
ସକାଳର ନିର୍ଲଜ ଛଳନା ?
ତଥାପି ଡାକିଚି କାକ,
କରିଚି ସେ ସକାଳର ଶୁଭ
ସଂବୋଧନ ।

ବଂଧନ, ବଂଧନ ?
ମିଶରର ଏଇ ପିରାମିଡ୍‌
କେତେ ଉଚ୍ଚ ?
କେତେ ଦୂର ?
ତଥାପି ତା' ଛାୟା ପଡ଼େ
ବହୁ ତଳେ, ବହୁ ଦୂରେ
କାର୍ପାସ ଫୁଲରେ ।

ସେ ଛାୟା କ'ଣ ମିଛ ?
ତମେ ବିବାହ କର,
ସୁଖୀ ହୁଅ ।
ତମ ବାଲ୍ୟ ଜୀବନର ସେଇ ତୁଳସୀ
ଯାହା କଥା ଥରେ କହୁଥିଲ,
କିଂବା ଅନ୍ୟ କାହାକୁ -
ମୋର ଜଳ-ଯାତ୍‌ରାର ମିତା
ସହଯାତ୍ରିଣୀ
ବଂଦନା ମିତ୍ର
କାଲି ସମୁଦ୍ର - ବେରାମ
କଟାଇ ଉଠିଚି ।

ସେ କହୁଥିଲା
ତା' ପ୍ରେମିକର କଥା -
କେଉଁ ସୁଦୂର ପଲ୍ଲୀ ଗାଁର
ଡାକ୍ତର ସେ -
ବହୁ କଷ୍ଟରେ ବଂଦନାକୁ
ବିଲାତି ପଠାଉଚି -
ବଂଦନା ଏଫ. ଆର୍‌. ସି. ଏସ୍‌. ସାରି
ଫେରି ଆସିଲେ
ଦୁହେଁ ବିବାହ କରିବେ ।
ଆଉ କଲିକତାରେଇ
ପ୍ରାକ୍‌ଟିସ୍ କରିବେ ।
ତମେ ହସିବ ।

ସହରର ନାଁ ଶୁଣି
ତମେ ଘୃଣା କରିବ ।
ତମର ଜଗତ
ସେ ତ ମୋର ନୁହଁ ।
ତଥାପି ତମେ ସୁଖୀ ହୁଅ ।
ସୁଖୀ ହୁଅ ।
ଜୟୀ ହୁଅ
ତରଂଗ !!

ହଁ, କାଲି କାଏରୋର
ନିର୍ଜନ ବଂଦରରେ ଏକ ବୃଦ୍ଧ ନାବିକ
ଭାରତର ପଲ୍ଲୀ ଜୀବନର
ଖୁବ୍ ପ୍ରଶଂସା କଲେ ।

ଭାରତୀୟ ପଲ୍ଲୀର ସେଇ
ଶାଳ-ତମାଳ-ସୀମା,
ତାର ଅମାବାସ୍ୟା,
ତାର ପୂର୍ଣ୍ଣିମା
ସବୁ ନୂଆ ଅର୍ଥରେ ପୂରିଉଠିଲା
ଏଇ ବୃଦ୍ଧ ନାବିକର
କଥା ଜାଲରେ ।

ଅସଂଭବ ଥଂଡ଼ା ବତାସ,
କି ଆଶ୍ଚର୍ଯ୍ୟ !
କାହାର ହସ ? କାହାର ହସ ?
ଝଡ଼ ଗଲାଣି ଥମି ।
ତଥାପି ସେଇ ହସ ।

ମୃତ ମମୀ
ବହୁ ଶତାବ୍ଦୀର ମୃତ ମମୀର ହସ । ।
ଜ୍ୟୋତ୍ସ୍ନା କଣ ମିଛ ?
ଲେଖିଚ ଲଂଡନରୁ
ପ୍ରତି ମାସରେ ଚିଠି ଦବାକୁ -
କାହିଁକି ଲେଖିଚ ?

ନିଭି ଗଲାଣି ଭାରତର ସୀମା -
ନୂଆ ଅଜଣା ସମୁଦ୍ରର ନୂତନ ଦ୍ରାଘିମା
ଭିତର ଦେଇ ଚାଲିଚି -
ଦୂରରେ ଏକ ଅସ୍ପଷ୍ଟ ବତିଘରର ଚିହ୍ନ
ପରିଚୟହୀନ । ।
ସବୁ ନୂଆ ସବୁ ଅଜଣା । ।

ତାରି ଭିତରେ କିଂତୁ ଖୋଜି ପାଇଚି ।
ମୋର ନୂତନ ଜୀବନର ଠିକଣା । ।
ସେ ଜୀବନ ଜୟୀ ହେଉ ।
ଆଶୀର୍ବାଦ କର,
ଆଶୀର୍ବାଦ କର ।
ଦିଅ ମତେ ତମର ଶୁଭକାମନା !!

ପିରାମିଡ୍‌ର ଦୀର୍ଘ ରହସ୍ୟ -
ଆଉ ଇତିହାସରେ ଭରା
ଏଇ ମୃତ ମମୀର ଦେଶ,
ନୀଳ ନଦୀର ଶୂନ୍ୟ, ନୀଳ ଚରା
କେଉଁ ମୃତ ସଭ୍ୟତାର
କରୁଣ ବେଦନାରେ ପଖଳା !!
ଆହା ! ଦେଖ, ଦେଖ
ମୋ ଅତୀତର ସୁବର୍ଣ୍ଣ ତାରିଖ
କିମିତି ନିଭିଯାଏ !
ମୁଁ ବଂଦ କରି ପାରେନା ।
ମୁଁ କାଂଦେ । ।

ଭୁଲ୍ କରେ କାକ ।
ଭୁଲ କରେ ଚକ୍ରବାକ ।
ତଥାପି ସେ ଭୁଲ୍‌ରେ ଅଛି ଯାଦୁ
ସେଇ ମଧୁର କ୍ଷଣିକ ମିଥ୍ୟାରେଇ
ଜୀବନ ଭରି ବଂଚିବାର ସ୍ୱାଦୁ । ।

ଜ୍ୟୋତ୍ସ୍ନା କଣ ମିଛ ?
ସକାଳର ଛଳନା - ?
ଅତୀତର କେତୋଟି ତାରିକ !
ତାର କଣ ଅଛି ଅର୍ଥ ନାଇ
ଚିରଂତନର ମୂଲ୍ୟମାନରେ !!
ଖାଲି କ'ଣ ଆବୋରି ତା
ପଡ଼ିଥିବ ଦରମୁଜା
ସ୍ମୃତିର ଫାଇଲ୍ ??
ଜାଗ, ଜାଗ
ଜବାବ ଦିଅ । ।

ବଂଦରରେ ପୁଣି କୋଳାହଳ ।
ମୋର ଚତୁର୍ଦ୍ଦିଗରେ ନିର୍ଜୀବ ଭୂଗୋଳ
ପ୍ରାଣ ମାଗେ ।
ଅଦୂରେ ନାଇଲ୍ ।
ସକାଳର କରୁଚି ଅର୍ଚନା;
ନିଶାର୍ଧର ସ୍ୱପ୍ନ ମିଶା
ଏ କାକ - ଜୋଛନା । ।

(ଜାହଜର ହୁଇସିଲ୍‌)

( ଆଧୁନିକ ଓଡିଆ କବିତାର ମହାକବି ସଚ୍ଚି ରାଉତରାୟ (୧୩, ମଇ, ୧୯୧୬-୨୧, ଅଗଷ୍ଟ,୨୦୦୪) ଙ୍କ ଦୀର୍ଘ କବିତା “ଭାନୁମତୀର ଦେଶ” ଓଡିଆ କବିତାର ଏକ ମାଇଲଖୁଣ୍ଟ । ଆଶ୍ଚର୍ୟର କଥା ହେଉଛି, ସ୍ଵାଧୀନତାର ଠିକ ପରବର୍ତ୍ତୀ ବର୍ଷ ପ୍ରକାଶ ପାଇଥିବା ଏ କବିତା ଆଜି ବି ପ୍ରାସଙ୍ଗିକ ଓ ସତେକି ଏ କବିତାର ଚରିତ୍ରମାନେ ଏଇ ଆଖପାଖରେ ଅଛନ୍ତି ଗୋଟେ କୋଉଠି । କବିତାରେ ତିନୋଟି ପ୍ରମୁଖ ଚରିତ୍ର- ତରଙ୍ଗ, ବିନତା ଓ କେତକୀ । ଏମାନେ ତିନୋଟି ପୃଥିବୀର ପ୍ରତିନିଧି । ସମୟ ଓ ସମାଜର ତିନୋଟି ସ୍ତର ଓ ମଣିଷମନର ଅସଂଖ୍ୟ ସ୍ତରକୁ ଏ କବିତା ନିଜ ବାଟରେ ଉନ୍ମୋଚିତ କରିଚାଲିଛି । ଏହା କବିତା ନୁହେଁ, ଗୋଟେ ପ୍ରକାର ଛଦ୍ମ ଇତିହାସ । ଆମ ସମୟର ଏହା ଏକ ଶକ୍ତିଶାଳୀ ଦସ୍ତାବିଜ ଯାହାକୁ ଆମେ ଭୁଲିଯିବାର ଚେଷ୍ଟା କରିଛୁ । ନୂଆ ପ୍ରଜନ୍ମର ଓଡିଆ କବିଙ୍କ ଲାଗି ଏ କବିତା, ଗୋଟେ ଦିଗବାରେଣୀ । ୧୯ ଭାଗରେ ଏ କବିତାର ଧାରାବାହିକ ପ୍ରକାଶନ ନୂଆ ପ୍ରଜନ୍ମର କବି ଓ ପାଠକଙ୍କ ପାଇଁ । )