ଅସ୍ତ ହ୍ରଦର ମାଝି

॥୪୭॥

ଏହାହିଁ ତ ଜୀବନକୁ ଜୟ କରିବାର
କୌଶଳ ।

ଆଉ ତ ନ କରି ଯଦି ରବି ଠାକୁରଂକ
"ଶେଷର କବିତା'ର ଅମିଟ୍ ରାୟ ପରି
ଖାଲି ପଥ ମଝି ଫୁଲଗଛ ପାଖରେ
ଅଟକି ଯାଅ,
ତାକୁ ଅତିକ୍ରମ କରି
ଆଗକୁ ଯାଇ ନ ପାର,
ତମ ପଥର ରକ୍ତ - ଧ୍ୱଜା
ଯଦି ସେଇ ଫୁଲଗଛ କଂଟାରେ
ସେଇଠି ଲାଖି ରହେ,
ତମକୁ ଆଗକୁ ଯିବାକୁ ନ ଦିଏ,
ତେବେ ସେ ପରାଜୟ
କଣ କମ୍ ପରାଜୟ ତରଂଗ ?

ଜଗତ ମୋର ଭିନ୍ନ ।
ମୋ ଜଗତର ଧୂସର ମାନଚିତ୍ର
ତମେ ବୋଧହୁଏ ଦେଖି ନ ।

କର୍ମ - ତତ୍ପର, ସ୍ରୋତ ଚଂଚଳ, ଅଗ୍ରଗାମୀ
ଜୀବନର ଉଚ୍ଛ୍ୱାସଇ
ମୋ ଜଗତର ପ୍ରାଣଶକ୍ତି ।
ବିଚ୍ଛିନ୍ନ ବାନପ୍ରସ୍ଥ ଜୀବନର
ଶାଂତିର ପରିକଳ୍ପନା,
କିଂବା ଅତୀତର ମୃତ ଜଠର ଭିତରକୁ
କ୍ଳାନ୍ତିର ନେତିତ୍ୱରେ ପଳାଇ ଯିବାର
ବୃଥା ଚେଷ୍ଟାରେ
ମୁଁ ସାର୍ଥକତାର ଧାରଣା କରିପାରେ ନା
ବଂଧୁ ।

॥୪୮॥

ପ୍ରତିକ୍ରିୟାର ନିର୍ଜୀବ ଜ୍ୟାମିତିର ଛକ
ମୋ' ମନର ତୀବ୍ର ସୂର୍ଯ୍ୟାଗ୍ନିରେ
ଦଗ୍ଧ ଭସ୍ମୀଭୂତ ।

ଅସ୍ତ ସୂର୍ଯ୍ୟର ନିର୍ଜନ ଉପତ୍ୟକାର କବି
ତରଂଗ !
ତମର ପଥ ମୁଁ ରୋଧ କରିବାକୁ ଚାହେଁନା ।
ତମକୁ ଜୋର କରି ଟାଣିବାକୁ
ଚାହେଁ ନା ମୁଁ ମୋ ଜଗତକୁ ।
ଏ - ଜଗତରେ ସହଜ ସୁଂଦର ଭାବରେ
ତମେ ଚଳିପାରିବ ନାଇ,
ଏ - ଜଗତ ଯେ ତମର ନୁହେଁ ।
ପଥ ତମର ଚିରଦିନଇ ମୁକ୍ତ ରହୁ ।
ସେଇ ପଥରେ ମୋର ଦୁଇଟୋପା ଆଖିର ଲୁହ -
ନା, ନା, ଆଶୀର୍ବାଦ

ତରଂଗ !
ମୋର ଶୁଭ କାମନା ।

କାଲି ରାତିରେ ଛାତ ଉପରେ
ଏକେଲା ବୁଲୁଥିଲି ।
ଚାରିଆଡ଼ ନୀରବ ନିସ୍ତବ୍ଦ ।
ଶେଷ ଟ୍ରାମ୍ ଚାଲିଗଲା ।
ରାସ୍ତାର ଏକ କ୍ଳାନ୍ତ ରିକ୍‌ସାବାଲା
ଆରୋହୀ ଅପେକ୍ଷାରେ ଧ୍ୟାନରତ,
ଫୁଟ୍‌ପାଥରେ ନୂଆଖାଲିର
ଆଶ୍ରୟପ୍ରାର୍ଥୀ ଦୁଇଜଣ
ହିଂଦୁ ଭିକ୍ଷୁକ ।

ସେହି ମଳିନ ଗ୍ୟାସ୍ ଆଲୁଅରେ
ସେମାନଂକର ଶୀର୍ଣ ଦେହର ଛାୟା
ଦୀର୍ଘରୁ ଦୀର୍ଘତର ହୋଇଉଠୁଚି ।
ରାସ୍ତାର ବତୀଖଂବ ତଳେ
ଏକ କ୍ଳାନ୍ତ କୁକୁର ।

ବେଳେବେଳେ ଆକାଶକୁ ଚାହୁଁଥିଲା ।
କି ଭୟଂକର ନୀରବ, ଉଦାସ
ଏଇ ମଧ୍ୟରାତ୍ରିର ଆକାଶ !
କି ଭୀଷଣ ଥଂଡ଼ା ଏଇ ନୀଳ ରାତିର
ଛାୟା ପଥ ।
ଏକ ମୃତ ତରୁଣୀର
ଶୁଭ୍ର ଉତ୍ତରୀୟ ପରି !
ସପ୍ତର୍ଷିର ଧୂସର ଅନ୍ତରୀପ ମଝିରେ
ମିଟିମିଟି ହୋଇ ଜଳି ଉଠୁଥିଲା
କ୍ଷୁଦ୍ର ଅରୁଂଧତୀ,
ହଂସ ମେଘର ଫାଂକେ ଫାଂକେ
ନୀଳ ନୀଳ ଆକାଶର ପୁଚ୍ଛେ ପୁଚ୍ଛେ
ନୀଳ ଅରୁଂଧତୀ ।

ସ୍ତବ୍ଧ, ଅଚେତ, ମୁଗ୍ଧ ଆଖିରେ
ଦେଖୁଥିଲି,
ଦେଖୁଥିଲି ।
ଆଉ ଦୁଇମାସ ବାକି -
ଷାଠିଏ ଦିନ,
ତା'ପରେ କେଉଁ ଅଜଣା ଦେଶର
ଅଜଣା ଘାଟରେ
ଲାଗିବ ମୋର ଜାହାଜ ।

ଏକ ସାଂତାଳି ଗ୍ରାମର ଜଂଗଲି ସ୍ୱରର
ତୀବ୍ର ମୂର୍ଛନା ପରି
ଅପରିଚୟର ଘନ କୁହୁଡ଼ିଭରା
ଘାଟରେ
ମୋର ଜାହାଜର ମାସ୍ତୁଲ -
ଭୁଲ, ଭୁଲ ।
ଭୁଲି ଯାଅ ।