ଅସ୍ତ ହ୍ରଦର ମାଝି

॥୪୫॥

ଭୁଲିଯାଅ, ଭୁଲିଯାଅ ।
ଅସ୍ତ - ସିଂଧୁର ହେ ମାଝି କହନି
କେଉଁ ଦେଶେ ତରୀ ବାହ ?

ମୋ ତୀରେ ନିମିଷେ ଭିଡ଼ିଥିଲ ନାଆ ।
ପାଣି ପାଇଁ ତୁଠେ ହୋଇଥିଲି ଠିଆ ।
ପଚାରିଲି, କହ କିସ ତମ ନାଁ
କେଉଁ ଦେଶେ ତମେ ଥାଅ ?
ଭୁଲିଯାଅ, ଭୁଲିଯାଅ ।

କହିଥିଲ ତମେ ମନ ଗହରୀର
ଦେଶରେ ମୋ ଘର,
ଲବଂଗ ଦ୍ୱୀପର
କନ୍ୟା ତ ତମେ
କହ କହ ସତେ,
ଭଲପାଅ, ଭଲପାଅ ?
ଭୁଲିଯାଅ, ଭୁଲିଯାଅ ।

ତରଂଗ !
ଅତୀତକୁ ଭଲପାଅ ।
କିଂତୁ ଭୁଲିଯାଅ ।

ତାକୁ ଆଂକଡ଼ି ଧରି ପଡି ରହ ନାଇଁ ।

॥୪୬॥

ଜୀବନର ଦୀର୍ଘ ପଥ -
ଅନେକ ବାକି
ଅନେକ ଏବେ ବାକି ।

ଅନେକ ଦୂର ଆଗେଇ ଯିବାକୁ ହବ ।
ଏଇଠି ଏଇ ପଥ ମଝିରେ
ପଡ଼ି ରହିଲେ
ପଥର ଦେବତା ଅଭିଶାପ ଦେବେ ।

ହୋଇପାରେ ପଥ ଆମର ଭିନ୍ନ ।
କିଂତୁ ଯେତିକି ଦୂର ଆମେ
ଏକା ସଂଗରେ ଚାଲି ପାରିଥିଲେ,
ସେ ସ୍ମୃତି କଣ ମନରୁ ପୋଛି ଦେଇ ହେବ ?
ପଥ ଶେଷରେ ଦେବାଳୟ ଏବେ ବି ଅନେକ ଦୂରେ -
କିଂତୁ ପଥ ପାର୍ଶ୍ବରେ ସେଇ ମୌନ ଫୁଲଗଛ
ମନେରଖ,
ତାକୁ ମନେରଖ ।

ତା' ମୂଳରେ ସେଇ କେତୋଟି
ଅମୃତ ମୁହୂର୍ତ୍ତ
ତାକୁ ମନେରଖ,
ମନେରଖ ।

ଝରାଫୁଲର ସଭାରେ
କାହିଁକି ତମେ କହିବ ନାଇଁ
ତମ ପଥପାର୍ଶ୍ବରେ ଦିନେ
ଫୁଲ ଫୁଟିଥିଲା ?
କାହିଁକି ତୁମେ ଗାଇବ ନାଇ
ସେଇ ଫୁଲ ଫୁଟିବାର ଜୟ
ତରଂଗ !!