ଫଟୋ - ୱିକି କମନ୍ସ

ଅଟକିଯିବାର ପ୍ରଥା
ଯେବେର ବି ହେଉ
କିନ୍ତୁ ଏବେର ଏକେନେ ନୁହଁ,

ତୁମେ ଆଉ ମୁଁ
ବହୁତ ଥର
ବହୁ ସମୟରେ ଅଟକିଛେ ।

ମୋ ବସ୍ ର ଅପେକ୍ଷାରେ
ଲାଲ୍ ଜହ୍ନର ରାତିକୁ ନେଇ
ଠୁଳ କରିବାରେ,
ପଖାଳ ଉପରେ କବିତା ଲେଖିଥିବା
ଦୁଇ ନିରୁତା ପଖାଳପ୍ରେମୀଙ୍କ ପାଖରେ ,
ଆଉ ଅନାବନା କେଇଟା ବାଉଁଶପତ୍ରୀ
ସପନମାନଙ୍କ ପାଖରେ ।

ହଁ... ତୁମେ ଆଉ ମୁଁ ... ଓ ସେ ଲଢ଼େଇ।

ସେଠି
ଫଳପ୍ରଦତା ବା ଫଳଶୂନ୍ୟତାର
ଏକଦମ ଲଢ଼େଇ ଚାଲେ...ଚାଲୁଛି ।

ଆଉ ସେଇ ଲଢ଼େଇର ଏକ
ଅସ୍ପୃଶ୍ୟ ଅନାଦ୍ରୁତ କୋଣରେ
ବାଁ ହାତରେ ଡେରା ଦେଇ, ଜୀବନ
ମୁଚୁକୁନ୍ଦ ହସ ଟିକେ ମାରୁଛି ।

ଅଟକି ଯିବା... ବି ଏକରକମର ଗତି ।

ସେଥିପାଇଁ ଅଟକି କି ଅଛି
ସୂର୍ଯ୍ୟ ଭୂମା ପାଖରେ
ସ୍ୱପ୍ନ ତନ୍ଦ୍ରା ପାଖରେ
ଭୋକ ମଣିପୁରଠାରେ
ସତ୍ୟ ଦ୍ୱନ୍ଦ୍ୱ ପାଖରେ...

ଆଉ ରମେଶ କାଉଲ୍ ପରି,
ତୁମେ ଆଉ ମୁଁ ,
ଜୀବନ ପାଖରେ...।