ଚିତ୍ର - ୱିକି କମନ୍ସ

କେବେ କେବେ ମୁଁ ମୋ ଛବିରେ ବିଭିନ୍ନ ରଙ୍ଗର ଛୋଟ ଓ ବଡ ଗୋଲ୍ ଗୋଲ୍ ବିନ୍ଦୁ ଆଙ୍କିବାକୁ ଭଲପାଏ । କାହିଁକି ମୋତେ ଭଲଲାଗେ ମୁଁ ଅବଶ୍ୟ ଠିକରେ କହିପାରିବିନି । କେବଳ ମୁଁ ନୁହେଁ ମୋ ପରି ଅନେକ କିଛି ଆଙ୍କିଲାବେଳକୁ ଅବା କିଛି ଲେଖିଲା ବେଳକୁ ବିନ୍ଦୁ ବା ଡଟ୍ କରିବାକୁ ଭଲ ପାଆନ୍ତି । ଅନେକ ସମୟରେ ଅଜାଣତରେ ଘୋର ଅନ୍ୟମନସ୍କତାରେ ଏମିତି ଡଟ୍ ବହି ଖାତାରେ ପକାଇଥାଉ । ତେବେ ପୃଥିବୀର ଅନେକ ବିଖ୍ୟାତ ଚିତ୍ରଶିଳ୍ପୀ ଏହାର ବ୍ୟବହାର ସେମାନଙ୍କ ଛବିରେ କରିଛନ୍ତି । କେବଳ ଛବିରେ ନୁହେଁ ଫ୍ୟାସନ୍ ଓ ଲୋକପ୍ରିୟ ସଂସ୍କୃତିରେ ମଧ୍ୟ ତା'ର ଖୁବ୍ ବ୍ୟବହାର ହେଇଛି । ପ୍ରକୃତରେ ଏହାକୁ ‘ପୋଲକା ଡଟ୍’ ବୋଲି କୁହାଯାଉଥିବା ବେଳେ ଆମର ଏଠି ତାକୁ ‘ବବି ପ୍ରିଣ୍ଟ’ କହିଲେ ସମସ୍ତେ ବୁଝିପାରିବେ । ୧୯୭୩ ମସିହାରେ ରାଜ କପୁର ଟିନ୍ ଏଜ୍ ପ୍ରେମକୁ ନେଇ ‘ବବି’ ନାମରେ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଚଳଚିତ୍ରର ନାୟକ ଥିଲେ ଋଷି କପୁର ଓ ନାୟିକା ଥିଲେ ଡିମ୍ପଲ କପାଡିଆ । ଡିମ୍ପଲ ସେଥିରେ ଡଟ୍ ଥିବା ସାର୍ଟ ଓ ମିନି ସ୍କଟ୍ ପିନ୍ଧିଥିଲେ, ଯାହାକି ସାଙ୍ଗେସାଙ୍ଗେ ଭାରତର ଯୁବ ପିଢି ପାଇଁ ଆକର୍ଷଣୀୟ ଫ୍ୟାସନ୍ ପରିପାଟୀ ହେଇଯାଇଥିଲା । 'ବବି' ଚଳଚିତ୍ରରୁ ଆରମ୍ଭ ହେଇଥିବାରୁ ଡଟ୍ ଥିବା କପଡ଼ା ଓ ଶାଢୀ ବବି ପ୍ରିଣ୍ଟ ନାମରେ ପରିଚିତ ହେଇଗଲା । ପୋଲକା କହିଲେ ଆମର ଏଠି କେହି ବୁଝିବେନି କିନ୍ତୁ ବବି ପ୍ରିଣ୍ଟ କହିଲେ ସମସ୍ତେ ବୁଝିଯିବେ । ଏକଦା ଶାଢୀ ହେଉ କି ଫ୍ରକ୍ ହେଉ ତରୁଣୀ ଓ ଯୁବତୀମାନେ ଯେମିତି ହେଲେ ବବି ପ୍ରିଣ୍ଟର ପୋଷାକ ଖଣ୍ଡେ ରଖିବାକୁ ପସନ୍ଦ କରୁଥିଲେ ।

ଆଜି ପୋଲକା ଡଟ୍ ପିଲାଙ୍କ ଖେଳଣା, କପଡା ଓ ଏକ ଲୋକପ୍ରିୟ ପାଟର୍ଣ୍ଣ ଭାବରେ ବ୍ୟବହାର ହେଉଥିଲେ ମଧ୍ୟ ମଧ୍ୟଯୁଗୀୟ ୟୁରୋପରେ ଏଇ ଡଟ୍ ମାନଙ୍କ ପାଟର୍ଣ୍ଣକୁ ଅଶୁଭ ବୋଲି ଧରାଯାଉଥିଲା । କାରଣଟି ହେଲା, ସେସମୟର ୟୁରୋପରେ ମହାମାରୀର ପ୍ରବଳ ପ୍ରକୋପ । ବସନ୍ତ, ପ୍ଲେଗ୍ ଓ କୁଷ୍ଠ ପରି ରୋଗ ମଣିଷ ଦେହରେ ଏମିତିକା ଦାଗ ଛାଡିଯାଉଥିଲା । ରୋଗର ଦାଗ ପାଇଁ ଏପରି ଚିହ୍ନ ଥିବା କିଛି ଅଙ୍କନକୁ ବାରଣ କରାଯାଇଥିଲା । ଏପରିକି ସେକ୍ସପିଅରଙ୍କ ନାଟକ ଓଥେଲୋରେ ଓଥେଲୋ ଡେସଡେମୋନାକୁ ଦେଇଥିବା ଚିହ୍ନ ଥିବା ରୁମାଲ୍ ପାଇଁ ଦୁଃଖ ମାଡିଆସିଛି ବୋଲି ବର୍ଣ୍ଣିତ ହେଇଛି । ୟୁରୋପରେ ଏହା ଅଶୁଭ ହେଇଥିବା ବେଳେ ଅନ୍ୟତ୍ର ଡଟ୍ ପାଟର୍ଣ୍ଣକୁ ଶୁଭ ବୋଲି କିନ୍ତୁ ଗ୍ରହଣ କରାଯାଏ । ଆଫ୍ରିକୀୟ ଦେଶମାନଙ୍କରେ ଏହାକୁ ମ୍ୟାଜିକ୍ ଓ ପୁରୁଷ ଶକ୍ତିର ପ୍ରତୀକ ଭାବରେ ଗ୍ରହଣ କରାଯାଏ । ଆବଶ୍ୟକୀୟ ପରମ୍ପରା ଓ ବିଧି ବ୍ୟବସ୍ଥା ଅନୁସାରେ ବିନ୍ଦୁମାନଙ୍କର ଆକାର ଓ ରଙ୍ଗ ବଦଳିଯାଏ । ପଶ୍ଚିମ ଆଫ୍ରିକାର ଲେଗା ଲୋକମାନେ ଏକପ୍ରକାର ପର୍ବ ପାଳନ କରନ୍ତି । ଯେଉଁଥିରେ ସେମାନେ ଅନେକ ଡଟ୍ ବ୍ୟବାହର କରନ୍ତି । ପର୍ବରେ ସାରାଦେହକୁ ଧଳା ରଙ୍ଗର ବିନ୍ଦୁରେ ଚିତ୍ରିତ କରି ଜଣେ ଯୁବକ ବିନ୍ଦୁ ଅଙ୍କିତ ଏକ କବାଟକୁ ଖୋଲିଲା ପର୍ଯ୍ୟନ୍ତ କରାଘାତ କରେ । ଅଷ୍ଟ୍ରେଲିଆର ଆଦିମ ଆଦିବାସୀମାନଙ୍କର ଡଟ୍ ପେଣ୍ଟିଙ୍ଗ୍ ବିଶ୍ୱ ପ୍ରସିଦ୍ଧ । ସେମାନଙ୍କ ଛବି ପରି ଆମ ଦେଶର ଗଣ୍ଡମାନଙ୍କ ଛବିରେ ବିନ୍ଦୁର ପ୍ରବଳ ବ୍ୟବହାର ରହିଛି । ଅନୁମାନ କରାଯାଏ ଆଜିର ଗଣ୍ଡ ଛବି ଆରମ୍ଭ କରିଥିବା ଚିତ୍ରଶିଳ୍ପୀ ଜନଗଡ ସିଂ ଶ୍ୟାମ ଅଷ୍ଟ୍ରେଲିଆର ଡଟ୍ ପେଣ୍ଟିଂ ଦେଖି ସେଥିରୁ ଅନୁପ୍ରାଣିତ ହେଇଥିଲେ । ଆଗରୁ ଆମ ଭାରତରେ ବୌଦ୍ଧ, ହିନ୍ଦୁ ଓ ଇସିଲାମିକ୍ ଡିଜାଇନ୍ ରେ ବିନ୍ଦୁର ବ୍ୟବହାର ରହିଛି । ଏପରିକି ମାର୍ଗଶୀର ମାସରେ ଆମ ଓଡ଼ିଶାରେ ପାଳନ କରାଯାଉଥିବା ଗୁରୁବାର ଓଷାରେ ପକା ଯାଉଥିବା ଗୁରୁବାର ଚିତାରେ ମଧ୍ୟ ବିନ୍ଦୁର ବ୍ୟବହାର କରାଯାଏ । ଆମ ଆଦିବାସୀମାନେ ତାଙ୍କ ମୁହଁ ଓ ଦେହରେ ବିନ୍ଦୁ ଥିବା ଚିତା କୁଟାଇଥାନ୍ତି ।

ବଡ ବଡ ଡଟ୍ କୁ ପୋଲକା କୁହାଯିବା ଆଗରୁ ୟୁରୋପରେ ତାକୁ ଆହୁରି ଅନେକ ନାମରେ ଚିହ୍ନା ଯାଉଥିଲା । ଯଥା ଡଟେଡ୍ ସୁଇସ୍, କୁଇନକୋନସ୍, ଲିଟିଲ୍ ମୁନ୍ସ ଇତ୍ୟାଦି । ତାପରେ ଆଜିର ପୋଲକା ଡଟ୍ ନାଁ ଆସିଲା ଊନବିଂଶ ଶତକର ମଧ୍ୟ ଭାଗରେ ୟୁରୋପରେ ଲୋକପ୍ରିୟ ହେଇଥିବା ପୋଲକା ଡ୍ୟାନ୍ସରୁ । ପୋଲକା ଡ୍ୟାନ୍ସ ହେଲା ମଧ୍ୟ ୟୁରୋପର ଏକପ୍ରକାର ଲୋକ ନୃତ୍ୟ । ଉନବିଂଶ ଶତାବ୍ଦୀର ଚେକୋସ୍ଲୋଭାକିଆରେ ଏହାର ଉତ୍ପତ୍ତି ବୋଲି କୁହାଯାଏ । ସେଠାର ସ୍ଥାନୀୟ ଭାଷାରେ ପୁଲକାର ଅର୍ଥ ହେଲା ଅଧା । ପୋଲକା ନାଚରେ ଅଧା ଷ୍ଟେପ୍ ବ୍ୟବହାର ହୁଏ । କିନ୍ତୁ ପୋଲକା ଶବ୍ଦ ଉତ୍ପତ୍ତିର ମୂଳ ଉତ୍ସ ବିଷୟରେ ଠିକ୍ ରେ କିଛି ଜଣାଯାଏନି । ତାପରେ ପୋଲକା ଡ୍ୟାନ୍ସ ସହ ପୋଲକା ଡଟ୍ ପାଟର୍ଣ୍ଣର ସଂପର୍କ ବି ବୁଝାପଡେନି । ୟୁରୋପରେ ମଝିରେ ମଝିରେ କିଛି ଗୋଟେ ନାଚ ଗୀତ ଯେମିତି ଯୁବପିଢିକୁ ଏକଦମ୍ ପାଗଳା କରିପକାଏ ଠିକ୍ ସେମିତି ୟୁରୋପୀୟମାନେ ପୋଲକା ପଛରେ ଏକଦା ପାଗଳ ହୋଇଯାଇଥିଲେ । ଧର ୟୁରୋପରେ ପୋଲକା ହେଲା ଆମର ଏଠି କିଛି ବର୍ଷତଳେ ଲୋକପ୍ରିୟ ହେଇଥିବା ‘କୋଲାବରି-ଡି’ ।

ଏକଥା ସତ ଯେ ଯଦି କିଛିବି ଲୋକପ୍ରିୟ ହୋଇଯାଏ, ତତକ୍ଷଣାତ୍ ବେପାରୀମାନେ ସେଥିରୁ କେମିତି ପଇସା ଛାଣିବେ, ସେନେଇ ବାଟ ତିଆରି କରି ପକାନ୍ତି । ଲୋକମାନଙ୍କ ପୋଲକା ମାନିଆକୁ ଆଖିରେ ରଖି ପୋଲକା ଡଟ୍ ଥିବା ଦ୍ରବ୍ୟ ୧୮୪୦ ବେଳକୁ ବଜାରରେ ଭର୍ତ୍ତି ହେଇଗଲା । ଏଥର ପୋଲକା ଡଟ୍ ଥିବା ବଡ ଟୋପି ଓ ଜ୍ୟାକେଟ୍ ପିନ୍ଧି ଏବଂ ଟାଇ ବାନ୍ଧି ଲୋକମାନେ ରାସ୍ତାରେ ବୁଲିଲେ । ଲସଏଞ୍ଜଲେସ୍ ଟାଇମ୍ ପତ୍ରିକା ଫ୍ୟାସନ୍ ପ୍ରିୟ ଯୁବକ ଯୁବତୀ ମାନଙ୍କୁ ଉପଦେଶ ଦେଲା ଯେ ଆସନ୍ତା ବସନ୍ତ ଋତୁ ପାଇଁ ପୋଲକା ଡଟ୍ କୁ ଫ୍ୟାସନ୍ ଭାବରେ ଗ୍ରହଣକରାଗଲା । ସେତେବେଳର ପୋଲକା ଫ୍ୟାସନରେ ଧଳା ଉପରେ କଳା ବିନ୍ଦୁ ହିଁ ମୁଖ୍ୟ ପାଟର୍ଣ୍ଣ ଥିଲା ।

୧୯୬୦ରେ ବ୍ରିୟାନ୍ ହାଇଲାଣ୍ଡଙ୍କ ଗୋଟେ ଗୀତ ରିଲିଜ ହେଇ ଲୋକପ୍ରିୟ ହେଇଗଲା । ଯେଉଁଥିରେ ଜଣେ ସୁନ୍ଦରୀ ଯୁବତୀ ପୋଲକା ଡଟ୍ ଥିବା ବିକିନି ପିନ୍ଧିଥିଲା । ପରେ ପରେ ସେଠାର ଯୁବତୀମାନେ ପୋଲକା ଡଟ୍ ଥିବା ବିକିନି ପିନ୍ଧିବାକୁ ଆଗଭର ହେଇ ପଡିଲେ । ଧିରେ ଧିରେ ପୋଲକା ଡଟ୍ ଲୋକପ୍ରିୟ ସଂସ୍କୃତିର ଅଂଶ ପାଲଟିବାକୁ ଆରମ୍ଭ କଲା । ଚଳଚ୍ଚିତ୍ରର ନାୟିକାମାନେ ପୋଲକା ଡଟ୍ ଥିବା ବିକିନି ପିନ୍ଧି ପରଦାରେ ଦର୍ଶକଙ୍କ ମନୋରଞ୍ଜନ କଲେ ।

୧୯୬୧ ରେ ଡିସନି ତା' ଖେଳଣା ମୂଷାକୁ ପୋଲକା ଡଟ୍ ଥିବା ପୋଷାକ ପିନ୍ଧାଇ ବଜାରକୁ ଛାଡିଲା । ତା' ପର ବର୍ଷ ‘ଡିସି କମିକ୍ସ ପ୍ରଥମ ଥର ପାଇଁ ତା' ବ୍ୟାଟ୍ ମ୍ୟାନ୍ ସିରିଜ୍ ର ଖଳନାୟକର ନାଁ ରଖିଲା ‘ପୋଲକା ଡଟ୍ ମ୍ୟାନ୍’ । ସେଥିରେ ଖଳନାୟକ ‘ପୋଲକା ଡଟ୍ ମ୍ୟାନ୍’ ତା'ର ଅସ୍ତ୍ର ତା'ର ପୋଷାକରେ ଥିବା ପୋଲକାରୁ ତିଆରି କରୁଥିଲା । ବିଂଶ ଶତକର ପୂରା ଶେଷଭାଗକୁ ପୋଲକା ଡଟ୍ ସମସ୍ତଙ୍କୁ ପ୍ରଭାବିତ କରି ରଖିଲା । ପ୍ରଖ୍ୟାତ ଫ୍ୟାସନ୍ ଡିଜାଇନର କାରୋଲିନା ହେରେରା ଅଶି ଓ ନବେ ଦଶକରେ ତାଙ୍କ ତିଆରି ଡିଜାଇନ୍ ରେ ପୋଲକା ଡଟ୍ ର ପ୍ରବଳ ବ୍ୟବହାର କରିଥିଲେ । ୧୯୮୦ ମସିହା ବେଳକୁ ପୋଲକା ରକ୍ ମ୍ୟୁଜିକ ସାଙ୍ଗରେ ଯୋଡି ହେଇଗଲା । ଆମେରିକାରେ ୧୯୪୦ ରୁ ୧୯୬୦ ଭିତରେ ପୋଲକା ଡଟ୍ ଲୋକପ୍ରିୟ ହୋଇଥିବା ବେଳେ ଆଜି ପୁରୁଣା ସମୟକୁ ଦେଖାଇବାକୁ ପୋଲକା ଡଟ୍ କୁ ବ୍ୟବହାର କରାଯାଉଛି । ବିଶେଷ କରି ବସନ୍ତ ଓ ଗ୍ରୀଷ୍ମ ଅବକାଶରେ ବିଭିନ୍ନ ଦୋକାନ ଓ ଇ କମର୍ସ ସାଇଟ୍ ରେ ପୋଲକା ଡଟ୍ କୁ ପୁଣିଥରେ ଭେଟିବାକୁ ହେଉଛି ।

ସମସାମୟିକ କଳାରେ ପୋଲକା ଡଟ୍ ର ବ୍ୟବହାର ଆଜି ବି ହେଉଛି । ବ୍ରିଟିଶ ଶିଳ୍ପୀ ଦାମିଏନ ର୍ହିଷ୍ଟଙ୍କ ସ୍ପଟ୍ ପେଣ୍ଟିଂ ହେଉ କି ଜାପାନୀ ଶିଳ୍ପୀ ୟାୟୋଇ କୁସମାଙ୍କ ପୋଲକା ଡଟ୍ ଛବି ଓ ଇନଷ୍ଟଲେସନ୍ ହେଉ । କୁସମା କୁହନ୍ତି ଯେ, ପିଲାଦିନର କିଛି ଭୟ ବିଜଡିତ ସ୍ମୃତି ତାଙ୍କ ପୋଲକା ଡଟ୍ ସାଙ୍ଗରେ ଯୋଡି ହେଇରହିଛି । ସେଥିପାଇଁ ଅନେକ ବସ୍ତୁକୁ ସେ ପୋଲକା ଡଟ୍ ରେ ଘୋଡାଇ ପକାନ୍ତି । ତାଙ୍କ ପାଇଁ ତାଙ୍କ ଭୟ ଓ ଯୌନତାର ପ୍ରତୀକ ହଉଛି ପୋଲକା ଡଟ୍ । ଏମିତିକି ଉଦବେଗ ଓ ଭୟରୁ ସେ ବାହାରିବାକୁ ପୋଲକା ଡଟ୍ କୁ ସେ ଏକ ବିକଳ୍ପ ଚିକିତ୍ସା ଉପଚାର ଭାବରେ ମଧ୍ୟ ଗ୍ରହଣ କରନ୍ତି । ଦାମିଏନ ର୍ହିଷ୍ଟ ଡଟ୍ ମାନଙ୍କୁ ନେଇ ସ୍ପଟ ପେଣ୍ଟିଂ କଲାପରେ ସେଇ ଡଟ୍ ମାନଙ୍କୁ ନେଇ ସ୍ପେସ୍ ପେଣ୍ଟିଂ ମଧ୍ୟ କରିଛନ୍ତି । ଆଜି ବି ଆମ ଚାରିପାଖକୁ ଆଖି ପକାଇଲେ କୋଉଠିନା କୋଉଠି ପୋଲକା ଡଟ୍ ଓରଫ ବବି ପ୍ରିଣ୍ଟ୍ ର ପାଟର୍ଣ୍ଣ ନିଶ୍ଚୟ ଦେଖିପାରିବା । ହଁ, ପୋଲକା ଫ୍ୟାସନ୍ ଏବେବି ପୁରୁଣା ହେଇନି । ଏବେବି ବଜାରରେ ଉପଲବ୍ଧ ଅଛି । ଆସନ୍ତା ପର୍ବଣ ଋତୁ ବେଳକୁ ଆପଣ ବବି ପ୍ରିଣ୍ଟ୍ ଥିବା କିଛି ପୋଷାକ କିଣିବାର ଯୋଜନା କରିପାରନ୍ତି ।