ଫଟୋ - ଆଦିତ୍ୟ ଭାରତ

ଜଣେ ଥିଲେ ଗୁରୁଚରଣ ପଟ୍ଟନାୟକ । ଆଉ ଜଣେ ଥିଲେ ଅନନ୍ତ ପଟ୍ଟନାୟକ । ଆପଣ ଏମାନଂକୁ ଜାଣଂତି କି ନାଇଁ ମୁଁ ଜାଣେନା । ହେଲେ କଥା ଆରଂଭ ଏଇ ଦୁଇ ଭାଇଂକଠୁ । ଥରେ ପୁରୀରେ ଥିବା ଶ୍ରୀମନ୍ଦିରରୁ ଚୁନ କିଛିଟା ଛଡାହେଲା । ଖବରକାଗଜରେ ଆସିଥିବ । ଦିହେଁ ପଢିଥିବେ । ଦୁଇ ଭାଇ ବିଜ୍ଞଲୋକ । ଶ୍ରୀମନ୍ଦିରର କାରୁକାର୍ଯ୍ୟ ଓ ଏହାର ଐତିହାସିକ ତାତ୍ପର୍ଯ୍ୟ ନେଇ ଦିହେଁ କଥା ହେଲେ । ଗୁରୁବାବୁଂକ ମନକୁ ଆସିଲା - “ଯଦି ଜଗନ୍ନାଥଂକ ଦେହରେ ବୋଳା ହୋଇଥିବା ଧର୍ମର ସବୁ ପ୍ରଲେପକୁ ପୋଛି ପରିଷ୍କାର କରି ଦିଆଯାଆଂତା, ତେବେ ଜଗନ୍ନାଥ ତାଂକ ନିଜସ୍ୱ ରୂପରେ କିପରି ପ୍ରକାଶ ପାଆଂତେ ? କ’ଣ ତାଂକର ସେହି ନିର୍ମଳ, ଅନାବିଳ ରୂପର ସୂଚନା , କ’ଣ ତା’ର ଭାବର ତାତ୍ପର୍ଯ୍ୟ ଏବଂ ତା’ର ସେଇ ଜୀବନର ସଂଦେଶ ?” ଭାଇ ଅନଂତ ପଟ୍ଟନାୟକ ପ୍ରଗତିଶୀଳ ଲୋକ । ଚଟାପଟ୍ କହିଦେଲେ, ମାନେ କଥା ଓଲଟାଇଦେଇ କହିଲେ - “ତୁ ନିଜେ ଲେଖୁନୁ, କାହାକୁ କହୁଛୁ ?”

ୟା’ ପର କଥା ଗୋଟେ ଇତିହାସ । ଗୁରୁବାବୁ, ମାନେ ଗୁରୁଚରଣ ପଟ୍ଟନାୟକ ଏଥର ଲେଖିବସିଲେ ଖଂଡ ଖଂଡ ହେଇ ଦୁଇଟା ବହି - ‘ଜଗତ ଦର୍ଶନରେ ଜଗନ୍ନାଥ’ ଓ ‘ଜଗନ୍ନାଥ ଦର୍ଶନରେ ଜଗତ’ । ତାଂକର ‘ଜଗତ ଦର୍ଶନରେ ଜଗନ୍ନାଥ‘ (୧୯୯୨) ବହିଟା କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ବି ପାଇଥିଲା । ଇଏ ସେହି ଗୁରୁବାବୁ ଆଉ ଭାଇ ଅନଂତ ପଟ୍ଟନାୟକ ଓଡିଆ କାବ୍ୟ ସମୁଦ୍ର କୂଳର ଗୋଟେ ବତିଘର । ଓଡିଆ ପ୍ରଗତିଶୀଳ କାବ୍ୟ କବିତାର ଗୋଟେ ଗୋଟେ ମାଇଲଖୁଂଟ, ଆମର ପ୍ରେରଣା । କେହି କେହି ଗୁରୁଜନ କହିପାରଂତି, ଅନଂତବାବୁଂକ କଂଠରେ ହୁଏତ ସେଦିନ ସରସ୍ୱତୀ ବା ସ୍ୱୟଂ ଜଗନ୍ନାଥ ବସିଥିବେ, ଆଉ ତାଂକ ପ୍ରେରଣାରେ ଗୁରୁବାବୁ ଏତେବଡ କାମଟି କଲେ । ଗୁରୁବାବୁ ‘ଜଗତ ଦର୍ଶନରେ ଜଗନ୍ନାଥ’ ବହିରେ ଗୋଟେ ମୁଖବଂଧ ଲେଖିଚଂତି, ଏହାର ନାଁ ‘କାହିଁକି ଏ ପ୍ରେରଣା ?’ ଏଥିରେ ସେ ଭାଇ ଅନଂତ ପଟ୍ଟନାୟକଂକ ସହ ତାଂକ ବାର୍ତାଳାପ ସମେତ ଗୋଟେ ବଢିଆ ଧାଡି ଲେଖିଚଂତି, ତାହା ହେଲା- ‘ଜଗନ୍ନାଥଂକ ଆଲୋଚନା ଲାଗି ଜଗତଯାକର ସବୁ ପାଠ ଲୋଡା । ନୃତତ୍ତ୍ଵଠାରୁ ଭାଷାତତ୍ତ୍ଵ, ପ୍ରାଣୀ ଓ ପଦାର୍ଥ ବିଜ୍ଞାନରୁ ଅଂତରୀକ୍ଷ ବିଜ୍ଞାନ ଏବଂ ଅଣୁବୀକ୍ଷଣରୁ ଦୂରବୀକ୍ଷଣଯାଏ ସବୁକିଛି ଆବଶ୍ୟକ ।’

ତାଂକ କହିବା କଥା ହେଲା, ବିଜ୍ଞାନ ବିକଶିତ ହେଉଛି, ଓ ଯାବତୀୟ ଦେବଦେବୀଂକର ବିଲୟ ଘଟୁଛି, ହେଲେ ଜଗନ୍ନାଥ ବିକଶିତ ହେଉଛଂତି । ଏହାକୁ ତାଂକ ଜାଗତିକ ଓ ଭୌତିକ ବାସ୍ତବତା ବୋଲି ପ୍ରଗତିଶୀଳ-ଗୁରୁବାବୁ କହିବାକୁ ପଛାଇନାହାଂତି । (ଏଥିପାଇଁ ବୋଧେ ଓଡିଶାର ପ୍ରାୟ ସବୁ କବି ଜଗନ୍ନାଥଂକୁ ନେଇ କିଛି ନା କିଛି ଲେଖିଛଂତି, ଏପରିକି ପ୍ରିୟ ‘ଦଳିତ-କବି-ଔପନ୍ୟାସିକ’ ବାସୁଦେବ ସୁନାନୀ ମଧ୍ୟ । ଅନଂତବାବୁଂକ ସୁପୁତ୍ର କବି ଅମରେଶ ପଟ୍ଟନାୟକଂକର ବି ଗୋଟେ ବହିର ନାଁ ‘ଜଗନ୍ନାଥୀ ହସ’ ।) ଗୁରୁବାବୁଂକ ଏଇ ଦୁଇ ଉଲ୍ଲେଖନୀୟ ପୁସ୍ତକ ବହୁ ବର୍ଷ ତଳେ ପଢିଥିଲି, ଏବେ ପୁଣି ଥରେ ପଢିବାର ସୁଯୋଗ ମିଳିଲା, ସାନଭାଇ ଗାଳ୍ପିକ ଓ ପ୍ରକାଶକ ଦେବାଶିଷ ସାମଂତରାୟଂକ ସୌଜନ୍ୟରୁ । ୟା’ ସହିତ ଦେବାଶିଷ ତାଂକ ପ୍ରକାଶନୀ ସଂସ୍ଥା ‘ଆଦିତ୍ୟ ଭାରତ’ ପକ୍ଷରୁ ଜଗନ୍ନାଥୀ ଋତୁ (ରଥଯାତ୍ରା) ଅବସରରେ ଆଉ ତିନି ଖଂଡ ବହି ଛାପିଚଂତି- ‘ଶ୍ରୀଜଗନ୍ନାଥ: ଭାବ-ଶାସ୍ତ୍ର-ତତ୍ତ୍ଵ’, ‘ଚତୁର୍ଦ୍ଧା’ ଏବଂ ‘ଶ୍ରୀନୀଳମାଧବ ଓ ଶ୍ରୀଜଗନ୍ନାଥ’ । ଏଥିରୁ ‘ଶ୍ରୀଜଗନ୍ନାଥ: ଭାବ-ଶାସ୍ତ୍ର-ତତ୍ତ୍ଵ’ ବହିଟି ଅନୂଦିତ । ଏହାର ମୂଳ ଲେଖକ ବଂଗଳା ଭାଷାର ପଂଡିତ ଶେଖ୍ ମକବୁଲ୍ ଇସଲାମ, ଯାହାର ଅନୁବାଦ କରିଛଂତି ସୁପରିଚିତ ଓ ମୋର ପ୍ରିୟ ଅନୁବାଦକ ପ୍ରଦୀପ କୁମାର ରାୟ । ‘ଚତୁର୍ଦ୍ଧା’ ବହିରେ ଜଗନ୍ନାଥଂକୁ ନେଇ ଚାରିଟି ବଡବଡ ପ୍ରବଂଧ ଖଂଜାହେଇଚି, ଏଗୁଡାକୁ ଲେଖିଚଂତି ପ୍ରିୟ ଆଲୋଚକ ଦାଶରଥୀ ଦାସ, କବି-ଆଲୋଚକ ଶୈଳଜ ରବି, ପ୍ରାଶାସନିକ ଅଧିକାରୀ ଓ ଲେଖକ ଆର୍‌. ବାଳକ୍ରିଷ୍ଣନ୍ ଏବଂ ମୋର ଅନ୍ୟତମ ପ୍ରିୟ ଅନୁବାଦକ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅସିତ ମହାଂତି । ସେହିପରି ‘ଶ୍ରୀନୀଳମାଧବ ଓ ଶ୍ରୀଜଗନ୍ନାଥ’ ବହିର ଲେଖକ ତିରୁପତିସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ସଂସ୍କୃତ ସାହିତ୍ୟ ବିଭାଗ ଅଧ୍ୟାପକ ଡକ୍ଟର୍ ଭାରତ ଭୂଷଣ ରଥ (ମନେରଖିବେ, ଏହି ଲେଖକ ସମକାଳୀନ ଓଡିଆ ଗଳ୍ପର ବି ସଂସ୍କୃତ ଅନୁବାଦ କରିଛନ୍ତି ।)

ଶ୍ରୀଜଗନ୍ନାଥଂକୁ ନେଇ କେତେ କଥା, କେତେ ଆଲୋଚନା, କେତେ ଭଂଗୀ, କେତେ ଗରିମା, କେତେ ସଂସ୍କୃତି, କେତେ ନୀତି, କେତେ ରୀତି, କେତେ ଶୈଳୀ, କେତେ ଗାଳି, କେତେ ପ୍ରପଂଚ, କେତେ ଇତିହାସ, କେତେ ଐତିହ୍ୟ, କେତେ ସାହିତ୍ୟ, କେତେ ଲୋତକ । ଏତେ କଥା ସତରେ ମୁଁ ଜାଣେନା । ହେଲେ କେବେ କେମିତି ସାହିତ୍ୟ ପଢୁଥିବା ଓ କବିତା ଲେଖିବାର ଅଭିନୟ କରୁଥିବା ମୋ ପରି ଅର୍ବାଚୀନ ଜଣେ ବ୍ୟକ୍ତି ଲାଗି ଏ ତିନି ଖଂଡ ବହି ପଢିବା ପରି ଲାଗିଲା । ଏବେ ଆପଣ ପଚାରିପାରଂତି ଯେ, ଏ ବହିଗୁଡାକୁ ଆପଣ ପଢିବେ କାହିଁକି ? ଏହାର ଜବାବରେ କେବଳ ଧାଡିଏ ଦି’ଧାଡି କହିପାରିବି । ‘ଶ୍ରୀଜଗନ୍ନାଥ: ଭାବ-ଶାସ୍ତ୍ର-ତତ୍ତ୍ଵ’ ପଢିଲାବେଳେ ଆପଣଂକୁ ଲାଗିବ ଯେ ଆପଣ ଯେମିତି ଆଉ ଜଣେ ସାଲବେଗଂକୁ ଭେଟୁଚଂତି, ଯିଏ ପଶ୍ଚିମବଂଗରେ ଜନ୍ମ ହୋଇଛନ୍ତି । ଏହାର ମୂଳ ଲେଖକ ଶେଖ୍ ମକବୁଲ୍ ଇସଲାମଂକ ଅନୁସାରେ ଜଗନ୍ନାଥଂକର ଗୋଟେ ମହାଘନଘଟାପୂର୍ଣ୍ଣ କର୍ମକାଂଡ ଚାଲିଚି, ଯେଉଁଥିରେ ଈଶ୍ୱରବୋଧ, ପ୍ରତୀକ, ସଂକେତ, ମଂଦିର, ବ୍ୟବସ୍ଥାପନା, ସେବା-ପୂଜା, ଆନୁଷ୍ଠାନିକତା, ଶ୍ରଦ୍ଧେୟ ଶଂକରାଚାର୍ଯ୍ୟ, ଗଜପତି ମହାରାଜା, ସେବକ-ପୂଜକ, ଭକ୍ତ ସମାଜ- ଆଦି ଇତ୍ୟାଦି ଅଛଂତି । କର୍ମକାଂଡ ମୂଳରେ ଥିବା ଜ୍ଞାନକାଂଡର କଥା ବି ସଠିକ୍ ଭାବେ ଏହି ଲେଖକ ସଂପୃକ୍ତ ପୁସ୍ତକରେ ବର୍ଣନା କରିଛଂତି । (ସତରେ କହିବାକୁ ଗଲେ, ଜଗନ୍ନାଥଂକୁ ନେଇ ମୋତେ ଏତେ କଥା ଜଣାନଥିଲା ।) ଜଗନ୍ନାଥକଂର ସଂସ୍କୃତି-ମଂଡଳଟି କିପରି ଲୌକିକ-ଆଧ୍ୟାତ୍ମିକତାତାର ଅନବଦ୍ୟ ସମାପତନ କ୍ଷେତ୍ର, ସେହି କଥା ଏହି ଲେଖକ ତାଂକ ବହିରେ ଦର୍ଶାଇଛଂତି । ମାତ୍ର ୯୬ ପୃଷ୍ଠାର ଏହି ପୁସ୍ତକରେ ଆପଣ ଜଗନ୍ନାଥୀ ଭାବ କେବଳ ନୁହେଁ, ତାଂକୁ ବିବିଧ ଶାସ୍ତ୍ର ଓ ତତ୍ତ୍ଵରେ ମଧ୍ୟ ବୁଝିବାର ଅବସରଟିଏ ପାଇବେ ।

ଦ୍ୱିତୀୟ ବହିଟି ଚତୁର୍ଦ୍ଧା । ଏ ବହିରେ ଡକ୍ଟର ଦାଶରଥୀ ଦାସଂକ ‘କାଂଚି କାବେରୀ: ମିଥ୍‌-ରୁ ରୋମାନ୍ସ’, ଶୈଳଜ ରବିଂକ ‘ସଂସ୍କୃତିର ନବକଳେବର (ଜଗନ୍ନାଥ ସଂସ୍କୃତି ଓଡିଆ ସଂସ୍କୃତି କି ?)’, ଆର୍‌, ବାଳକ୍ରିଷ୍ଣନଂକ ‘ଶ୍ରୀଜଗନ୍ନାଥ: ବହୁତାର ଦିବ୍ୟସ୍ୱରୂପ’ ଏବଂ ଅସିତ ମହାଂତିଂକ ‘ଚକ୍ରରୂପ: ଚକ୍ରତତ୍ୱ: ଚକ୍ରତୀର୍ଥ’ ଭଳି ଚାରିଟି ପ୍ରବଂଧ ସ୍ଥାନ ପାଇଛି, ଯାହାର ପୃଷ୍ଠା ସଂଖ୍ୟା ୧୨୨ । ଗଜପତି ରାଜା ପୁରୁଷୋତ୍ତମ ଦେବଂକ କାଂଚି ବିଜୟକୁ ନେଇ ଡକ୍ଟର ଦାଶରଥୀ ଦାସଂକର ଯେଉଁ ପ୍ରବଂଧଟି ଏଥିରେ ସ୍ଥାନିତ ହୋଇଛି, ତାହା ଆଖି ଖୋସିଦେଲା ଭଳି । ଏ ପ୍ରବଂଧ ଆରଂଭ ହୁଏ ଏମିତି- “ରାଜା ପୁରୁଷୋତ୍ତମ ଦେବଂକ କାଂଚି ବିଜୟ ଓ ପଦ୍ମାବତୀ ପରିଣୟ କାର୍ଯ୍ୟକ୍ରମରେ ଯଥାକ୍ରମେ କଳାଘୋଡା ଓ ଧଳାଘୋଡା ଚଢି ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ପ୍ରତ୍ୟକ୍ଷ ଅଂଶଗ୍ରହଣ ବ୍ୟାପାର ଯେ ଐତିହାସିକ ସତ୍ୟ ନୁହେଁ, କିଂବଦଂତୀ ମାତ୍ର - ଏକଥା ଯେଉଁ ଜାତିକୁ ସପ୍ରମାଣ ବୁଝାଇବାକୁ ହୁଏ, ସେହି ଜାତିର ବୋଧଶକ୍ତିକୁ ଦୟା କରିବାକୁ ହେବ ।” ଏ ପୁସ୍ତକରେ କବି ତଥା ବିଚାରବଂତ ଆଲୋଚକ ଶୈଳଜ ରବି ଯେଉଁ ପ୍ରବଂଧଟି ଲେଖିଛଂତି, ତାହାର ମୂଳ ବିଷୟବସ୍ତୁ ହେଉଛି ଶ୍ରୀମଂଦିର ଓ ଶ୍ରୀଜଗନ୍ନାଥଂକୁ ନେଇ ଯେଉଁସବୁ ସଂକୀର୍ଣ୍ଣତାର ବଳୟ ସୃଷ୍ଟି ହୋଇଚି, ତାହାର ମୂଳୋତ୍ପାଟନ, ଅର୍ଥାତ୍ ସଂସ୍କାର । ଶ୍ରୀଜଗନ୍ନାଥ ସଂସ୍କୃତି କେମିତି ଓ କେବେ ଓଡିଆ ସଂସ୍କୃତି ହୋଇପାରିବ, ତାହାର ପୁଂଖାନୁପୁଂଖ ଆଲୋଚନା କରାଯାଇଚି ଏହି ପ୍ରବଂଧରେ, ଯାହା ପଢିଲେ ମନ ଆଂଦୋଳିତ ହେବା ଥୟ । ସେପଟେ ଜଗନ୍ନାଥ ସଂସ୍କୃତିର ବ୍ୟାପକତା ଓ ବିଶାଳତାର କଥା ଆର୍‌. ବାଳକ୍ରିଷ୍ଣନଂକ ପ୍ରବଂଧରେ ପାଇହେବ । ଇତିହାସ, ନୃତତ୍ତ୍ଵ, ଓଡିଶାରେ ନିଜସ୍ୱ ଅନୁଭବ ଓ ଅନୁଭୂତି ଭିତରେ ଏହି ଲେଖକ ଜଗନ୍ନାଥ ସଂସ୍କୃତିକୁ ସାଉଁଟି ତାକୁ ପରିବେଷଣ କରିବାର ପ୍ରୟାସ କରିଛନ୍ତି । ପୁସ୍ତକର ଶେଷ ପ୍ରବଂଧଟି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅସିତ ମହାଂତିଙ୍କର । ଚକ୍ରତୀର୍ଥର ମହିମା ଓ ମହାତ୍ମ୍ୟକୁ ସେ ତାଂକ ଗବେଷଣାତ୍ମକ ଦୃଷ୍ଟିରେ ଦେଖିଛଂତି । ସତ କହିଲେ, ପୁରୀକୁ ଚକ୍ରତୀର୍ଥ କାହିଁକି କୁହାଯାଏ, ତାହାର ବିସ୍ତୃତ ବିବରଣୀ ଏହି ପ୍ରବଂଧର ଆତ୍ମା ଓ ଶରୀର ।

ଶେଷ ପୁସ୍ତକଟି "ଶ୍ରୀନୀଳମାଧବ ଓ ଶ୍ରୀଜଗନ୍ନାଥ" । ପଂଡିତ ଭାରତ ଭୂଷଣ ରଥଂକ ଏହି ପୁସ୍ତକର ପୃଷ୍ଠା ସଂଖ୍ୟା ୧୩୬, ହେଲେ ଏତକ ପୃଷ୍ଠା ଭିତରେ ସେ ଶ୍ରୀପୁରୁଷୋତ୍ତମ କ୍ଷେତ୍ର, କଂଟିଲୋର ଶ୍ରୀନୀଳମାଧବ କ୍ଷେତ୍ର, ଶଂଖ କ୍ଷେତ୍ର ସାଂଗକୁ ବିଭିନ୍ନ ପୁରାଣ ଏସବୁ କ୍ଷେତ୍ର ଓ କ୍ଷେତ୍ରପାଳଂକୁ ଦେଖିବାର ଓ ଦେଖାଇବାର ପ୍ରୟାସ କରିଛନ୍ତି ।

ପୁଣି ଥରେ କହୁଚି, ଜଗନ୍ନାଥଂକୁ ନେଇ ମୋର ଏତେ ଧାରଣା ନାଇଁ । ହେଲେ ଗୁରୁବାବୁଂକ ସେଇ ଦୁଇ ପୁସ୍ତକ ଓ ଏଇ ତିନି ବହି ପଢି ମୋର ଅନେକ ଅନୁଭବ ହେଲା, ଅନେକ ଧାରଣା ହଟିଗଲା, ଅନେକ ନୂଆ ଧାରଣା ମନକୁ ଆସିଲା । ସୁବିଧା ହେଲେ ପଢିବେ । କାରଣ ଗୁରୁବାବୁ କହିଲା ଭଳି ଜଗନ୍ନାଥଂକ ଦେହରେ ବୋଳା ହୋଇଥିବା ଧର୍ମର ସବୁ ପ୍ରଲେପକୁ ପୋଛି ପରିଷ୍କାର କରି ବୁଝି ବି ହେବ । ସତରେ!