ଚିତ୍ର: ରାଜା ରବି ବର୍ମାଙ୍କ "ସାବିତ୍ରୀ", ୱିକି କମନ୍ସ

ପରମବ୍ରତା ସେ । ସେ ସାବିତ୍ରୀ । ପିତାମାତାର ଏକମାତ୍ର ଅଲିଅଳି ରାଜକୁମାରୀ । ସାବିତ୍ରୀ ଯିଏ ବ୍ରହ୍ଣାଣୀ, ବେଦମାତା ଆଉ ଗାୟତ୍ରୀ, ଯିଏ ନାରୀ ଆଉ ପୁରୁଷରେ ଦିଫାଳ ହୋଇ ସମସ୍ତ ସମ୍ଭାବିତ ଉଜ୍ଜ୍ଵଳତାରେ ପ୍ରସରି ଯାଇଛି ମନ୍ୱନ୍ତର ତାହାର ପ୍ରସାଦରୁ ଜନ୍ମ ବୋଲି ସେ ନାମ ବହନ କରିଛି ସାବିତ୍ରୀ । ତେଣୁ ଆରମ୍ଭରୁ ଆମର ଏହି ପରମବ୍ରତା ହେଉଛି ତେଜସ୍ୱିନୀ, ମାତା ଏବଂ ନାରୀ ଓ ପୁରୁଷର ଏକ ଅବିଭାଜିତ ଇଲାକା ।

ଏହିଭଳି ଏକ ପ୍ରତୀକାତ୍ମକତାରୁ ଏହି ପରମବ୍ରତା ର କଥା ଆରମ୍ଭ ହେଉ ।

ସେହି ପରମବ୍ରତାର ପରବର୍ତ୍ତୀ ବିସ୍ତୃତ କାହାଣୀଟି ଆମର ସମସ୍ତଙ୍କର ଜଣା । ଆମର ବେଶ୍ ପରିଚିତ । ସେ ସଂପର୍କରେ ଅଧିକ କହିବାର କ'ଣ ଅଛି ? ତାହା କ୍ରମଶଃ ଆମର ଏତେ ପରିଚିତ ଆଉ ଏତେ ଉତ୍କୃଷ୍ଟ ମନେ ହେଲା ଯେ ଆମେ ତାହାକୁ ଆମର ବ୍ରତକଥାରେ ସାମିଲ୍ କରିଛୁ । କୌଣସି କାହାଣୀ ଯେତେବେଳେ ବ୍ରତକଥାରେ ସାମିଲ୍ ହୋଇଯାଏ ସେହି କାହାଣୀର ମୂଳ ଉପଲକ୍ଷ୍ୟଟିକୁ ଆମେ ଆମର ଅଭିଳାଷର ତାଲିକାରେ ଆଗରେ ରଖିଦେଉ ଆଉ ସେଇ ଯାଦୁ ବିଶ୍ୱାସର ପ୍ରାପ୍ତି ନିମନ୍ତେ କିଛି ନିର୍ଦ୍ଦିଷ୍ଟ ଟାଇମ୍ ବାଉଣ୍ଡ ଉପଚାର କରୁ ଆଉ ବିଶ୍ୱାସ କରୁ ଯେ ସେତିକି କାମ କରିଦେଲେ ଆମର ଇପସିତ୍ ପ୍ରାପ୍ତି ନିଶ୍ଚୟ । ବିଶେଷରେ ଆମର ଯେତେ ବ୍ରତକଥା ରହିଛି ସବୁ କେବଳ କୁମାରୀ ମାନଙ୍କର ଅଥବା ନାରୀ ମାନଙ୍କର ନିମନ୍ତେ ଉଦ୍ଦିଷ୍ଟ । ସବୁ ବ୍ରତକଥାର ସାଂସ୍କୃତିକ ଅଧ୍ୟୟନରେ ଦେଖାଯିବ ଯେ ଏସବୁର ପଛରେ ରହିଛି ପୁଲିଙ୍ଗର ନିଜଲିଙ୍ଗ ଆଧିପତ୍ୟକୁ ପ୍ରତିଷ୍ଠା କରିବାର ସୁଚିନ୍ତିତ କୌଶଳ । ବ୍ରତ ଅର୍ଥାତ୍ କିଛି ଲୌକିକ ପ୍ରାପ୍ତି ପାଇଁ ନାରୀ ଯାହାକୁ ଇଂରାଜୀରେ କୁହାଯାଏ "ଭାଓ" ନେବ ଆଉ ସେଇଥିପାଇଁ କିଛି ନିର୍ଦ୍ଦିଷ୍ଟ ବିଧାନ ଆଚରଣ କରିବ, ଏହା ହେଉଛି ସବୁ ବ୍ରତକଥାର ସଂକ୍ଷିପ୍ତ ସାର । ମାତ୍ର ନାରୀର ସମସ୍ତ ସେହି ଜାତୀୟ "ଭାଓ" ର କାରଣ ଓ କାରକ ହେଉଛି ପୁରୁଷତନ୍ତ୍ର । ସମସ୍ତ ବ୍ରତାଚାରଣରେ ନାରୀ ପୁରୁଷତନ୍ତ୍ରକୁ ସମୃଦ୍ଧ କରିବା ପାଇଁ ଏକ କାଟାଲିଷ୍ଟ ଭାବରେ କାର୍ଯ୍ୟ କରିଥାଏ ଆଉ ପୁରୁଷତନ୍ତ୍ରକୁ ସମୃଦ୍ଧ କରିବାର ଏହି ସବୁ ପ୍ରକ୍ରିୟାରେ ଆପଣ ଦେଖିବେ ପୁରୁଷ ଅନୁପସ୍ଥିତ । ସେ କେବଳ ବ୍ରତ ସମୂହର ନିର୍ଦ୍ଦେଶକ, ଯେମିତି କୌଣସି ଠିକାଦାର ନିରାପଦ ଦୂରରେ ରହି ନିଜର କାମ କରାଇନେଉଛି ।

ବ୍ରତକଥାର ବିବର୍ତ୍ତନକୁ ଦେଖିଲେ ଜଣାଯିବ ଯେ ଭାରତରେ ଆର୍ଯ୍ୟଯୁଗରେ କୌଣସି ବ୍ରତଚାରଣ ବା ବ୍ରତକଥା ନଥିଲା । ଆମର ଆଦିମ ଗ୍ରନ୍ଥ ୠଗବେଦରେ କେବଳ ନାରୀ ପାଳନ କରିବା ଭଳି କୌଣସି ବିଧାନ ନାହିଁ । ଯାହା ଯାହା ଧର୍ମ ଅର୍ଥରେ ଉପଚାର ବିଧାନ ସେଥିରେ ରହିଅଛି ତାହା ଉଭୟ ଆର୍ଯ୍ୟ ଏବଂ ଆର୍ଯ୍ୟାଣୀଙ୍କ ପାଇଁ ସମାନ । ତାହା ହେଲେ ଏଇ ଲିଙ୍ଗଆଧାରିତ ବ୍ରତକଥା ଆସିଲା କେଉଁଠୁ ? ବ୍ରତକଥା ମାନ ପ୍ରସ୍ତୁତ ହେବା ପଛରେ ନିର୍ଦ୍ଦିଷ୍ଟ ଭାବରେ ରହିଛି ପ୍ରାକ୍ - ଆର୍ଯ୍ୟ ସଂସ୍କୃତିର ନିରବଚ୍ଛିନ୍ନ ପ୍ରବାହକୁ ଆର୍ଯ୍ୟ ଯୁଗର ସମାଜ ସହ ସଂଶ୍ଳେଷିତ କରିବାର ଏକ ସଂହତିସୂଚକ ପ୍ରୟାସ । ଭାରତ ଇତିହାସରୁ ଦେଖିଲେ ଆର୍ଯ୍ୟମାନେ ଯେତେବେଳେ ମହେଞ୍ଜୋଦାରୋ ଓ ହରପ୍ପା ତଥା ସିନ୍ଧୁ - ସଭ୍ୟତା ଭଳି ଏକ ଉନ୍ନତ ନାଗରିକ ସଭ୍ୟତାକୁ ପରାଭୂତ କରି ନିଜର ଅନୁନ୍ନତ କୃଷି ସଭ୍ୟତାର ପ୍ରଚଳନ କରିଥିଲେ, ସେତେବେଳେ ସେମାନେ ପ୍ରାକ୍ - ଆର୍ଯ୍ୟ ସଭ୍ୟତାକୁ ସଂପୂର୍ଣ୍ଣ ଏଡାଇ ଯାଇନଥିଲେ । ଆମର ଏଇଠି ମନେ ରଖିବାକୁ ହେବ ଯେ ସଭ୍ୟତା ଓ ସଂସ୍କୃତି କୌଣସି ସ୍କୁଲ୍ର ଅମୁକ ପିରିଅଡ ସରିବା ଭଳି ଛୁଟି ଘଣ୍ଟା ନୁହଁ । ସଭ୍ୟତା ସଭ୍ୟତା ଭିତରେ ଦ୍ୱନ୍ଦ୍ୱ ବିରୋଧାଭାସ ଥାଏ ମାତ୍ର ସାମାଜିକ ଭାବେ ସେମାନେ ପରସ୍ପର ଉପରେ ପ୍ରଭାବ ରଖନ୍ତି ଏବଂ ଆମର ସଂସ୍କୃତିରେ କ୍ରମଶଃ ସଂଶ୍ଳେଷିତ ହୋଇଯାଆନ୍ତି ।

ଆର୍ଯ୍ୟମାନେ ସିନ୍ଧୁସଭ୍ୟତାର ପ୍ରାକ୍ - ଆର୍ଯ୍ୟ ମାନଙ୍କୁ ପରାଭୂତ କରିବା ପରେ ସେମାନଙ୍କୁ ନିଜର ବିଜିତ ଅହଙ୍କାରରେ ବୃହତ ସମାଜର ପରିସର ର ବାହାରେ ପ୍ରଥମେ ରଖିଥିଲେ । ସେମାନଙ୍କୁ "ଦାସ" ବା "ଦସ୍ୟୁ" ବୋଲି କୁହାଗଲା । ପ୍ରଖ୍ୟାତ ସମାଜତତ୍ତ୍ୱବିତ "ଭାରତୀୟ ଜାତି ପ୍ରଥା" ଉପରେ ମୌଳିକ ଚିନ୍ତନ ପ୍ରକାଶ କରିଥିବା ବିଦ୍ୱାନ ଏମ୍ଏନ୍ ଶ୍ରୀନିବାସଙ୍କ ମତରେ, ଭାରତୀୟ ବର୍ଣ୍ଣ ବ୍ୟବସ୍ଥାରେ ଶୁଦ୍ର ବୋଲି ଯେଉଁ ବର୍ଣ୍ଣଟି ରହିଛି ତାହା ସିନ୍ଧୁ ସଭ୍ୟତାର ସେହି ପ୍ରାକ୍ - ଆର୍ଯ୍ୟ "ଦାସ" ବା "ଦସ୍ୟୁ"ଙ୍କର ଆର୍ଯ୍ୟମାନଙ୍କ ସମାଜର ପରିସରକୁ ତଥା ପ୍ରମୁଖ ବର୍ଣ୍ଣ ଭିତରକୁ ସର୍ବନିମ୍ନ ସ୍ତରରେ ଏକ ବର୍ଣ୍ଣ ହିସାବରେ ସଂଶ୍ଳେଷିତ ହୋଇଯିବାର ଏକମାତ୍ର ଆଧାର । ଆର୍ଯ୍ୟମାନେ ପ୍ରାକ - ଆର୍ଯ୍ୟ ଯୁଗର ଉପାସ୍ୟ ଏକମାତ୍ର ପଶୁପତିଙ୍କୁ ଶିବ ହିସାବରେ ନିଜର ଦେବତତ୍ତ୍ୱରେ ପ୍ରମୁଖ ଅଂଶ ଦେଲେ । ଆଉ ତାହାପରେ ଆମେ ଯେଉଁ ଦେବତା ମାନଙ୍କୁ ଆମର ଉପାସ୍ୟ ହିସାବରେ ବିବର୍ତ୍ତନରେ ପାଇଲୁ ସେମାନେ ମୁଖ୍ୟତଃ ଦୁଇଟି ପ୍ରବାହର, ଗୋଟିଏ ବିଷ୍ଣୁ - ଅଂଶୀ ଦେବଗଣ ଆଉ ଅନ୍ୟଟି ହେଉଛନ୍ତି ରୁଦ୍ର - ଅଂଶୀ ଦେବଗଣ । ଏଇଠି କହିବା କଥା ହେଉଛି ପ୍ରାକ୍-ଆର୍ଯ୍ୟ କାଳରେ ପଶୁପତି ବା ଶିବଙ୍କ ବ୍ୟତୀତ ଅନ୍ୟାନ୍ୟ ଉପାସ୍ୟ ମାନେ ଥିଲେ । ଆଉ ସେମାନେ କ୍ରମଶଃ ଆର୍ଯ୍ୟଧାରାକୁ ରୁଦ୍ର - ଅଂଶୀ ବା ବିଷ୍ଣୁ - ଅଂଶୀ ହୋଇ ପ୍ରବେଶ କଲେ । ଆର୍ଯ୍ୟକରଣର ଏହି ନିରବଚ୍ଛିନ୍ନ ପ୍ରକ୍ରିୟାରେ ପ୍ରାକ - ଆର୍ଯ୍ୟ ଯୁଗର ଏହି ଉପାସ୍ୟମାନେ ଦେବତତ୍ତ୍ୱରେ ସେମିତି ପ୍ରମୁଖତା ପାଇଲେ ନାହିଁ, ମାତ୍ର ସେମାନଙ୍କୁ ସଂପୂର୍ଣ୍ଣ ଅସ୍ୱୀକାର ବି କରାଯାଇ ପାରିଲା ନାହିଁ । ଯାହା ହେଲେ ବି ସେମାନେ ଦେବତା ଆଉ ସେମାନଙ୍କୁ ଅସ୍ୱୀକାର କରିବା ଅର୍ଥ ସାମାଜିକ ବିଘଟନ । ତେଣୁ ଏହାକୁ ଏଡାଇବା ପାଇଁ ଏକ ସଂହତିସୂଚକ ଦେବତତ୍ତ୍ୱ କ୍ରମଶଃ ବିକଶିତ ହେଲା ଏବଂ ପ୍ରାକ୍ - ଆର୍ଯ୍ୟ ଯୁଗର ଉପାସ୍ୟମାନଙ୍କୁ ଲୌକିକ ଆଉ ସ୍ଥାନୀୟ ଦେବଦେବୀ ହିସାବରେ ସୁବ୍ୟବସ୍ଥିତ କରାଗଲା । ଲୌକିକ ଦେବ ମାନଙ୍କ ସହ ପ୍ରମୁଖ ଦେବ ମାନଙ୍କ ଭଳି ଅଲୌକିକତାର କାହାଣୀମାନ ଅନୁକରଣ କରି ତୁଳନାତ୍ମକ ଭାବରେ ରଖାଗଲା । ଏବଂ ସେମାନେ ସେହି ପ୍ରାକ୍ - ଆର୍ଯ୍ୟ ଯୁଗର "ଦାସ" ବା "ଦସ୍ୟୁ", ପରେ ଶୁଦ୍ର, ସେମାନଙ୍କର ଉପାସ୍ୟ ଦେବଦେବୀ ହୋଇ ରହିଲେ । ସେହି ଲୌକିକ ଦେବଦେବୀ ମାନଙ୍କ ଭିତରେ କେହି କେହି ସମାଜର ଉଚ୍ଚବର୍ଗର ବ୍ୟକ୍ତିଗତ ବିଶ୍ୱାସର ଯେମିତି ଦେବ ଦେବୀ ମାନେ ରହିଥାନ୍ତି ଠିକ୍ ସେହି ଭଳି ନିମ୍ନବର୍ଗର ବ୍ୟକ୍ତିଗତ ଦେବ ବା ପରସନାଲ୍ ଗଡ୍ ହିସାବରେ ପୂଜିତ ହେଲେ । ସମାଜର ନିମ୍ନ ବର୍ଗର ସ୍ଥାନୀୟ ତଥା ଏହିଭଳି ଲୌକିକତାର ଦେବପଣରୁ ଆମର ବ୍ରତକଥା ର ଉତ୍ପତ୍ତି । ଲୌକିକ ଦେବତାର ଅଲୌକିତାକୁ ବଖାଣ କରିବା ପାଇଁ ଯେଉଁ କାହାଣୀମାନ ରଚିତ ହେଲା ବା ସଂଯୋଜିତ ହେଲା ତାହା ଆମର ଆଜି ଯେତେକ ବ୍ରତକଥା ତାହାର ଆଧାର । ଆଉ ସେତିକିବେଳେ ଅର୍ଥାତ୍ ପରାଜିତ ପ୍ରାକ୍ - ଆର୍ଯ୍ୟ ସଂସ୍କୃତିକୁ ଆର୍ଯ୍ୟକରଣ କରିବାବେଳେ ସେହି ସଂସ୍କୃତିର ନାରୀ ମାନଙ୍କ କଥା ଆସିଲା ।ଇତିହାସରେ ବିଜୟୀ ମାନେ ପରାଜିତର ନାରୀ ମାନଙ୍କୁ କେମିତି ଦେଖନ୍ତି ତାହାର ଅଧିକ ବର୍ଣ୍ଣନା କରିବା ଅନାବଶ୍ୟକ । ସିନ୍ଧୁ ସଭ୍ୟତାର ପରାଜିତ ବର୍ଗଙ୍କୁ ଯେଉଁ "ଦାସ" ବା "ଦସ୍ୟୁ" ବୋଲି କୁହାଗଲା ସେମାନେ ପରେ ଭାରତୀୟ ବର୍ଣ୍ଣବ୍ୟବସ୍ଥାରେ ଶୁଦ୍ର ହୋଇଗଲେ ବୋଲି ଆଗରୁ ଉଲ୍ଲେଖ କରିଛି । ଏହି ଶୁଦ୍ର ମାନେ ଆର୍ଯ୍ୟ ଚତୁର୍ବର୍ଣ୍ଣ ବ୍ୟବସ୍ଥାପନାରେ ଅନ୍ୟ ତିନୋଟି ବର୍ଣ୍ଣର ସେବା ବା ଦାସ ହେବାର ବିଧାନ କରାଗଲା । ସେମାନେ ଅନ୍ୟ ତିନୋଟି ପ୍ରଭୂ ବର୍ଣ୍ଣକୁ କାୟିକ ଶ୍ରମ ଆକାରରେ ସେବା ପ୍ରଦାନ କରୁଥିଲେ । ସେତେବେଳେ ସେଇ ବର୍ଗର ଯେଉଁ ନାରୀସଂପଦ ରହିଥିଲା ସେମାନଙ୍କ ପାଇଁ ଉଚ୍ଚ ବର୍ଗ କେବଳ କାୟିକ ଶ୍ରମ ବିଧାନରେ ସନ୍ତୁଷ୍ଟ ରହୁନଥିଲା । ନାରୀ ପ୍ରତି ପୁରୁଷର ସହଜାତ ଯୌନକାଂକ୍ଷା ସୂବିଦିତ । ତେଣୁ ଉଚ୍ଚ ବର୍ଗ ଏହି ପରାଜିତ ଆଉ ଲବ୍ଧ ନାରୀସମ୍ପଦକୁ ନିଜର ଅତ୍ୟନ୍ତ ଅନ୍ତରଙ୍ଗ ସେବା ପାଇଁ ଏକ ଭିନ୍ନ ଆର୍ଯ୍ୟକରଣ ପଦ୍ଧତି ପ୍ରବର୍ତ୍ତନ କରୁଥିଲା ।ସେମାନଙ୍କୁ ଧାର୍ମିକ ଭାବରେ ଶୁଦ୍ଧ କରିବାକୁ ପଡିବ । ସେମାନେ ଶୁଦ୍ଧ ହେଲା ପରେ ଆଉ ଯାହା କଥା । ସେଇଠୁ ଆରମ୍ଭ ହେଲା ଆର୍ଯ୍ୟଯୁଗରେ କେବଳ ନାରୀ ଏସକ୍ଲୁସିଭ୍ ବ୍ରତାଚାର । ଯେହେତୁ ସେମାନେ ନିମ୍ନବର୍ଗୀୟ ଥିଲେ ତେଣୁ ସେମାନଙ୍କର ବ୍ରତାଚାରର ମୂଖ୍ୟ ଲୌକିକ ଦେବତାମାନେ ରହୁଥିଲେ ଆଉ ଏହାର ସମସ୍ତ ବିଧାନ ମାନ ପୁରୋହିତ ମାନେ ନିର୍ଣ୍ଣୟ କରୁଥିଲେ । ଏହା ମନ୍ତ୍ର ଅପେକ୍ଷା ଅଧିକ ଲୋକାଚାର ଆଧାରିତ ଥିଲା । ସେଇଥିପାଇଁ ଏହାର କୌଣସି ଉଲ୍ଲେଖ ବୈଦିକ ଗ୍ରନ୍ଥରେ ଅନୁପସ୍ଥିତ । ଏକଥା ଆଗରୁ ଉଲ୍ଲେଖ କରାଯାଇଛି । କ୍ରମଶଃ କାଳର ପ୍ରବାହରେ ସମାଜର ସଂଶ୍ଲେଷଣ ପ୍ରକ୍ରିୟାରେ ବ୍ରତ ଭଳି ଏଇ ଦୈବିକ ଲୋକାଚାରଟି ସମାଜର ମୂଖ୍ୟ ସ୍ରୋତରେ ଆସି ସାମିଲ୍ ହୋଇ ଯାଇଛି । ନିମ୍ନ ବର୍ଗର ଇତିହାସ ବା ସବାଲଟର୍ନ ଇତିହାସରେ ଯାହାକୁ ଅନ୍ୟ ଭାବରେ "ହିଷ୍ଟ୍ରି ଫ୍ରମ୍ ବିଲୋ" ବୋଲି କୁହାଯାଏ ଆଉ ଏଠାରେ ଇତିହାସ ତଳ ସ୍ତରରୁ ଆସି ତାହାର ସମସ୍ତ ବିରୋଧାଭାଷ ସହିତ ମୂଖ୍ୟ ସ୍ରୋତକୁ ପ୍ରଭାବିତ କରିଥାଏ ଠିକ୍ ସେଇଭଳି ଏଇ ବ୍ରତକଥା ତଳସ୍ତରରୁ ଆସି ମୁଖ୍ୟସ୍ତର ସହ ସଂଲଗ୍ନ ହୋଇଯାଇଛି । ଯେହେତୁ ଏହା ଦେବ ଆରାଧନା ସହ ସଂପୃକ୍ତ ଆଉ ନାରୀ ସହ ସଂପୃକ୍ତ ତେଣୁ ଏହାର ସାମାଜିକ - ଶୀର୍ଷାରୋହଣ ସହଜରେ ସମ୍ଭବ ହୋଇଛି । ଆମେ ଯେତେ ଯାହା କହୁ ପଛକେ ପୁରୁଷତନ୍ତ୍ର ତାହାର ନାରୀସମ୍ପଦକୁ ପରିଚାଳନା କଲାବେଳେ ତାହାକୁ ବିଶୁଦ୍ଧ ରଖିବାକୁ ଚାହେଁ । ଦେବତା ବ୍ୟତୀତ ନାରୀକୁ ସେମିତି ପବିତ୍ର ଆଉ ଶୁଦ୍ଧ କିଏ କରିପାରିବ ?

ପ୍ରତି ବ୍ରତକଥା ଓ ସେଥିରେ ନାରୀ "ଏକସ୍କୁଲସିଭିଟି" ବା ଏକମାତ୍ରତାର ଏହା ଏକ ବିବର୍ତ୍ତନମୂଳକ ଦୃଷ୍ଟିପାତ । ଦୟାକରି ଏଥିରୁ କୌଣସି ବିଦ୍ୱେଷ ନିର୍ଣ୍ଣୟ କରିବେ ନାହିଁ । ଉପସ୍ଥିତ ଲେଖକ କିଛି ପ୍ରଶ୍ନ ଚିହ୍ନ ସହ ନାରୀ ମାନଙ୍କର ବ୍ରତଚାରଣକୁ ସାମାଜିକ ଆର୍ଯ୍ୟକରଣ ର ଏକ ସଂହତିସୂଚକ ସଫଳ ପ୍ରକ୍ରିୟାର ସାମ୍ପ୍ରତିକ ସ୍ୱରୂପ ବୋଲି ବିବେଚନା କରେ ।

ଏଥର ଫେରିବା ସାବିତ୍ରୀ ବ୍ରତକଥାର ମୂଖ୍ୟ ପରମବ୍ରତା ସାବିତ୍ରୀର କାହାଣୀକୁ । ଗୋଟିଏ ଗୌଣ କାହାଣୀ କେମିତି ଗୋଟିଏ ପ୍ରମୁଖ କାହାଣୀର କେନ୍ଦ୍ରସ୍ଥଳକୁ ଆସି ପହଞ୍ଚି ଯାଇପାରେ ଇଏ ହେଉଛି ତାହାର ଏକ ସଶକ୍ତ ଉଦାହାରଣ । ସମ୍ଭବତଃ କାହାଣୀକାର ସ୍ୱୟଂ ବ୍ୟାସଦେବ ଭାରତ ଯୁଦ୍ଧକଥା ଲେଖିବା ପୂର୍ବରୁ ହୁଏତ ସାମଗ୍ରିକ କାହାଣୀରେ ଏଇ ଭଳି ଏକ ଗୌଣ କାହାଣୀର ଗରିମାମୟ ଉପସ୍ଥିତିକୁ ପରିକଳ୍ପନା କରିନଥିଲେ । ଯଦି ପରିକଳ୍ପନା କରିଥାନ୍ତେ ତେବେ ଭାରତ - କାହାଣୀରେ ଏଇ ସାବିତ୍ରୀ - ଅଂଶ ଅଧିକ ପୃଷ୍ଠା ସାବ୍ୟସ୍ତ କରିଥାନ୍ତା ।

ମହାଭାରତର ବନପର୍ବରେ ଏଇ ସାବିତ୍ରୀ କାହାଣୀର ସଂଯୋଜନ ।

ବନପର୍ବ ହେଉଛି ମହାଭାରତ କାହାଣୀର ସେହି ପର୍ଯ୍ୟାୟ ଯେତେବେଳେ ପଶାଖେଳ ସରିଛି, ଦ୍ରୌପଦୀର ବସ୍ତ୍ର ହରଣ ସରିଛି କହିବାକୁ ଗଲେ ଭବିଷ୍ୟତରେ ମହାଭାରତ ଯୁଦ୍ଧ ପାଇଁ ଯାହା ଯାହା ଘଟଣାର ଉପାଦାନ ଆବଶ୍ୟକ ତାହା ସବୁ ଘଟି ସାରିଛି । ବର୍ତ୍ତମାନ ପାଣ୍ଡବ ପାଞ୍ଚଭାଇ ମାତା ଆଉ ପତ୍ନୀ ଦ୍ରୌପଦୀସହ ବନବାସର ନିର୍ବାସନରେ ଅଛନ୍ତି । ଏହି ବନପର୍ବ ପରେ ନିର୍ଣ୍ଣାୟକ ଭାରତ ଯୁଦ୍ଧ ହେବ । ତାହା ପୂର୍ବରୁ ଭବିଷ୍ୟତର ବିଜୟୀ ପାଣ୍ଡବ ଦଳ ଏଇ ବନପର୍ବରେ ଏକ ପ୍ରକାର ନିଜର ଭାଗ୍ୟଫଳକୁ ଭୋଗିବାର ବିସ୍ତାରଟି ରହିଛି । କହିବାକୁ ଗଲେ ବନପର୍ବର ଏଇ ବିସ୍ତାରରେ କବିଗୁରୁ ମହାତ୍ମା ବ୍ୟାସଦେବ ପାଣ୍ଡବମାନଙ୍କ ଦୁର୍ଦ୍ଦଶାକୁ କେବଳ ଟିକିନିଖି ବଖାଣ କରିବା ଭିତରେ ନିୟତି, ସଂଘର୍ଷ ଆଉ ସତତାର ପୁଙ୍ଖାନୁପୁଙ୍ଖ ସମ୍ଭାବ୍ୟ ପରିଣତିର କଥା କହି କହି ପାଠକ ମାନଙ୍କ ମନରେ ପାଣ୍ଡବମାନଙ୍କ ପ୍ରତି ଏକ ନୀରବ ସମର୍ଥନର ପ୍ରେକ୍ଷାପଟଟି ପ୍ରସ୍ତୁତ କରିଛନ୍ତି । ତେଣୁ ପରେ ପାଣ୍ଡବ ମାନଙ୍କର ଭବିଷ୍ୟତର ଭାରତଯୁଦ୍ଧରେ ବିଜୟ ହେବା ଘଟଣା ପ୍ରତି ପାଠକ ଆଗରୁ ଏତେ ପରିମାଣରେ ଆଶ୍ୱସ୍ତ ହୋଇଯାଇଥିଲା ଯେ, ଭାରତ ଯୁଦ୍ଧର ଫଳାଫଳ ସେ ଯେମିତି ଏଇ ବନପର୍ବରୁ ଦେଖିବାକୁ ହିଁ ଆରମ୍ଭ କରିଥିଲା ।

ବନପର୍ବରୁ ସାଧାରଣ ଭାବରେ ଯେମିତି ପ୍ରତିବନ୍ଧକ ମାନ ବ୍ୟକ୍ତି ଚରିତ୍ରକୁ ଉଦ୍ଭାସିତ କରିବା ଭଳି ପାଣ୍ଡବ ପାଞ୍ଚଭାଇ ମା କୁନ୍ତୀ ଏବଂ ପତ୍ନୀ ଦ୍ରୌପଦୀଙ୍କ ସାହିତ୍ୟ - ଚରିତ୍ରକୁ ଆମେ ଭଲ ଭାବରେ ବୁଝିପାରୁ । ଏଇ ଭଳି ଏକ ବନପର୍ବର ସମୟରେ ଋଷି ମାର୍କଣ୍ଡେୟଙ୍କ ସହିତ ଏକ କଥୋପକଥନ ରେ ସାବିତ୍ରୀ ପ୍ରସଙ୍ଗ ଆସିଛି । ଏବଂ ଏକ ଗୌଣକାହାଣୀ ବା ସାଧାରଣତଃ ଯାହାପ୍ରତି ଆମେ କୌଣସି ଗୋଟିଏ ବଡ କାହାଣୀରେ ଗଲାବେଳେ ଘଡିଏ ମାତ୍ର ଚଲାଦୃଷ୍ଟି ଦେଇ ଆଗେଇଯାଇଥାଉ, ଠିକ୍ ସେଇପରି ସାବିତ୍ରୀ କାହାଣୀ କିନ୍ତୁ ଏକ ଗୌଣକାହାଣୀ ନଥିଲା । ସାବିତ୍ରୀ ଏକ ଗୌଣକାହାଣୀ ସତ । ବନପର୍ବ ଏକ ସଂକ୍ଷିପ୍ତ ଅଂଶବାଦ ଆଉ ତାହାର କୌଣସି କାହାଣୀ - ସ୍ଥିତି ନାହିଁ ମାତ୍ର ନିଜର କାହାଣୀମୂଲ୍ୟ ଯୋଗୁ ସାବିତ୍ରୀ ଚରିତ୍ର ଶେଷ ଯାଏଁ ସବୁ ମହାଭାରତର ମୂଖ୍ୟ ଚରିତ୍ରର ଏକ ସଶକ୍ତ ମାପଦଣ୍ଡ ହୋଇ ଉଠିଛି ।

ସାବିତ୍ରୀ ଚରିତ୍ରର ସୃଷ୍ଟି କହିବାକୁ ଗଲେ ଏକ ମାପଦଣ୍ଡକୁ ପ୍ରସ୍ତୁତ କରିବାର ଆକାରରେ ନିର୍ମାଣ ହୋଇଅଛି । ବନପର୍ବରେ ଯେତେବେଳେ ଋଷି ମାର୍କଣ୍ଡେୟ ପାଣ୍ଡବ କୁଟୀରରେ ଶୁଭାଶୁଭ ବୂଝିବା ପାଇଁ ଉପସ୍ଥିତ ହୋଇଛନ୍ତି ସେତେବେଳେ ଯୁଧିଷ୍ଠିରଙ୍କ ସହ ତାଙ୍କର କଥାବାର୍ତ୍ତା ହେଲା ବେଳେ ଯୁଧିଷ୍ଠିର ପ୍ରସଙ୍ଗକ୍ରମେ ଦ୍ରୌପଦୀଙ୍କ କଥା ଉଠାଇଛନ୍ତି । ଜଣେ ଅତ୍ୟନ୍ତ ରୂପବତୀ ରାଜକନ୍ୟା, ନିଷ୍ଠାପର ପତିବ୍ରତା ଏବଂ ସକଳ ଗୁଣସଂପର୍ଣ୍ଣା ନାରୀ ଏହି ଭଳି ଏକ ନିର୍ବାସିତ ଭାଗ୍ୟର ଦୁଃଖ ବହନ କରି ବନପାହାଡ ଘୁରି ବୁଲିବା ଅତ୍ୟନ୍ତ କରୁଣ ବୋଲି ଯୁଧିଷ୍ଠିର ଗୋଟିଏ ସାଧାରଣ ମନ୍ତବ୍ୟ ଦେଇଥିଲେ । ଏବଂ ତାହାପରେ ତାଙ୍କର ନିଜ ବିଚାରକୁ ପରିଣତି ବକ୍ତବ୍ୟ ହିସାବରେ ରଖିଥିଲେ, ଏହି ଭଳି ନାରୀ ଭୂଭାରତରେ କେବଳ ଜଣେ ହିଁ ଉପଲବ୍ଧ, ସେ ଦ୍ରୌପଦୀ । ଯୁଧିଷ୍ଠିରଙ୍କର ଏହି ବକ୍ତବ୍ୟକୁ ସମତୁଲ୍ କରିବାକୁ ଯାଇଁ ୠଷି ମାର୍କଣ୍ଡେୟ ଦ୍ରୌପଦୀଙ୍କର ଏକ ମାନକ - ଚରିତ୍ର ଆକାରରେ ସାବିତ୍ରୀ କାହାଣୀଟି ପ୍ରସ୍ତୁତ କରିଥିଲେ । କାହାଣୀ ମାନଙ୍କରେ ନାୟକ ନାୟିକାର ଶ୍ରେଷ୍ଠତ୍ୱ ପ୍ରସଙ୍ଗକୁ ଲେଖକ ବେଳେବେଳେ ନିରଙ୍କୁଶ କରି ନଥାଏ । ମୁଖ୍ୟନାୟକ ନାୟିକାର ଏକ ସନ୍ତୁଳିତ ପ୍ରତିପକ୍ଷ ସେ ଚତୁରତାର ସହ ରଖିଥାଏ, ଯାହା ଫଳରେ ଜଣେ ପାଠକ ଜଣକର ଶ୍ରେଷ୍ଠତ୍ୱ ବର୍ଣ୍ଣତାକୁ ପଢି ପଢି ଯେମିତି ଅବସାଦଗ୍ରସ୍ତ ନହୁଏ । ଋଷି ମାର୍କଣ୍ଡେୟ ଦ୍ରୌପଦୀ ସମ ଏକ ମୂଖ୍ୟ ଚରିତ୍ରର ମାନକ ହିସାବରେ ସାବିତ୍ରୀ ବୋଲି ଯେଉଁ "ଲେବଲ୍ ପ୍ଲେୟିଂ" ବା ସନ୍ତୁଳନ ଖେଳଟି (ସବୁ ସାହିତ୍ୟ ଏକ କ୍ରୀଡା ଆଉ ପ୍ରତି ଲେଖକ ତାହାର ପାଠକ ସହ ଏକ ପ୍ରକାରେ କ୍ରୀଡାରତ ରହିଥାଏ ବୋଲି ପ୍ରସିଦ୍ଧ ମନଃସମୀକ୍ଷକ ଏରିକ୍ ବର୍ଣ୍ଣେ ତାଙ୍କର "ଗେମସ୍ ପିପୁଲ୍ ପ୍ଲେ" ବହିରେ କହିଛନ୍ତି । ) ଉପସ୍ଥାପନ କଲେ ତାହା ଫଳରେ ଦ୍ରୌପଦୀଙ୍କର ଅବମୂଲ୍ୟାୟନ ହୋଇନାହିଁ ବରଂ ତାଙ୍କ ପାଇଁ ଭବିଷ୍ୟତର ଲକ୍ଷ୍ୟ (ଟାସ୍କ) ଟିଏ ନିର୍ଦ୍ଧାରିତ ହୋଇ ଏଇଠୁ ରଖାଗଲା, ଅର୍ଥାତ୍ ମୃତ୍ୟୁକୁ ଜୟ । ଆଉ ବିଶେଷତଃ ଏହା ଫଳରେ ଆଗରୁ ଯାହା କୁହାଯାଇଛି ସାବିତ୍ରୀ ଚରିତ୍ର କୌଣସି ଚରିତ୍ର ହିସାବରେ ଆବିର୍ଭାବ ହେଲେ ବି ସବୁବେଳେ ମୁଖ୍ୟ ଚରିତ୍ରର ପ୍ରତିଦ୍ୱନ୍ଦୀ ହୋଇ ରହିଯାଇଛି ।

ମହାଭାରତର ବନପର୍ବରେ ୠଷି ମାର୍କଣ୍ଡେୟ ଯେଉଁ ସାବିତ୍ରୀ ଚରିତ୍ରର ବଖାଣ ଯୁଧିଷ୍ଟିରଙ୍କ ଆଗରେ ସେଦିନ କରିଥିଲେ ତାହା ଅନୁସାରେ ସାବିତ୍ରୀ ମଦ୍ରରାଜ ଆଶ୍ୱପତିଙ୍କ ଏକମାତ୍ର ସନ୍ତାନ । ରୂପରେ ଗୁଣରେ ପ୍ରଜ୍ଜଳିତା ଦ୍ରୌପଦୀଙ୍କ ଭଳି । ଦ୍ରୌପଦୀ ନିଜପାଇଁ ସ୍ଵୟମ୍ବର ଏବଂ ଘୁରୁଥିବା ଚକ୍ର ପଛରେ ମାଛର ଆଖିକୁ ବିନ୍ଧିବାଭଳି ସର୍ତ୍ତ ରଖିଥିଲେ ଆଉ ଯିଏ ଦ୍ରୌପଦୀଙ୍କ ରୂପଗୁଣରେ ଆକର୍ଷିତ ହୋଇ ସ୍ଵୟମ୍ବରର ପରିସରକୁ ଆସି ପ୍ରଥମେ ଲାଖବିନ୍ଧା ସର୍ତ୍ତକୁ ପୂରଣ କରିପାରିବ ସେ ଦ୍ରୌପଦୀଙ୍କ ପତି ହେବ। ତାହା ପରର କଥା ଆମ ସମସ୍ତଙ୍କର ଜଣା । ମହାବୀର ଅର୍ଜୁନ ସଫଳ ହେଲେ ସେଇ ସର୍ତ୍ତରେ ଆଉ ତାହା ପରେ ଦ୍ରୌପଦୀଙ୍କର ପାଞ୍ଚଜଣ ସ୍ୱାମୀ ହେବା, ତାଙ୍କର ରାଜସଭାରେ ଶ୍ଳୀଳତାହାନୀ ଏଇ ସମସ୍ତ ନିହାତି ଭାଗ୍ୟବାଦୀ ପରିପ୍ରେକ୍ଷ୍ୟ । ଏବଂ ଦ୍ରୌପଦୀଙ୍କ ସଂଗ୍ରାମ ବି ତାହା ସହିତ ଜଡିତ । ଠିକ୍ ଦ୍ରୌପଦୀ ଭଳି ଆଉ ଜଣେ ତେଜସ୍ୱିନୀ ନାରୀ ସାବିତ୍ରୀ ବି ନିଜ ପାଇଁ ଯେତେବେଳେ ନିଜର ରୂପଗୁଣର କାରଣରୁ ଗୋଟିଏ ଉପଯୁକ୍ତ ବର ପାଇବାରେ ବିଫଳ ହୋଇଛି ସେ ଦ୍ରୌପଦୀଙ୍କ ଭଳି ସସର୍ତ୍ତ ସ୍ଵୟମ୍ବରର ପ୍ରବନ୍ଧନ କରିନାହିଁ । ସେ ଉପଯୁକ୍ତ ପାତ୍ରର ସନ୍ଧାନ ସ୍ୱୟଂ ନିଜେ କରିଛି । ଶେଷରେ ସାବିତ୍ରୀ ସ୍ୱାମୀ ହିସାବରେ ଯାହାକୁ ନିର୍ବାଚନ କରିଛି ସେ ଏକ ବନବାସୀ ତଥା ଆଶ୍ରମବାସୀ ରାଜ୍ୟଭ୍ରଷ୍ଟ ରାଜକୁମାର । ସବୁ ଦୃଷ୍ଟିହୀନ ରାଜା ମାନେ ଧୃତରାଷ୍ଟ୍ରଙ୍କ ଭଳି ରାଜପଣର ସୁଖ ପାଇନଥାନ୍ତି । ଠିକ୍ ସେଇ ଭଳି ଶତ୍ରୁଦ୍ୱାରା ପରାଭୂତ ଏବଂ ବନବାସୀ ଦୃଷ୍ଟିହୀନ ରାଜା ଦ୍ୟୁମତସେନ୍ ଙ୍କ ଏକମାତ୍ର ସନ୍ତାନ ସେ । ରୂପ ଗୁଣ ଆଉ ସର୍ବଦା ସତ୍ୟବଚନ ପାଇଁ ତାଙ୍କର ନାଆଁ ସତ୍ୟବାନ । ସାବିତ୍ରୀଙ୍କର ସତ୍ୟବାନଙ୍କୁ ସ୍ୱାମୀର ହିସାବରେ ବାଛିବା ପଛରେ ଏଇ ତେଜସ୍ୱିନୀ ନାରୀର ଜୀବନ ବୋଧରେ ନିହାତି ସାଧାରଣ ପଣ ପ୍ରତି ଅନ୍ତର୍ନିହିତ ଅନୁରକ୍ତିର ଅସାଧାରଣପଣଟି ପ୍ରତିଭାସିତ ହୋଇଛି । ଦ୍ରୌପଦୀ ତାଙ୍କର ସାଂସାରିକ ଜୀବନରେ ବୀରତ୍ୱର ଅବଲମ୍ବନକୁ ଶ୍ରେୟସ୍କର ବୋଲି ନିର୍ଣ୍ଣୟ କରିଥିବା ବେଳେ ଅନ୍ୟପକ୍ଷରେ ସାବିତ୍ରୀ ସେ ବି ଜଣେ ରାଜକନ୍ୟା, ସେ ଅତ୍ୟନ୍ତ ସାଧାରଣ ସରଳ ଶାନ୍ତ ଜୀବନଧାରାକୁ ଶ୍ରେଷ୍ଠ ବୋଲି ବିଚାର କରିଛନ୍ତି । ସାବିତ୍ରୀ ଯେଉଁ ସମୟରେ ସତ୍ୟବାନଙ୍କୁ ତାଙ୍କର ପତି ହିସାବରେ ଚୟନ କରିଛନ୍ତି ସେତେବେଳେ ସେ ଭଲ କରି ଜାଣିଛନ୍ତି ଯେ ତାଙ୍କ ଆଗରେ କୌଣସି ଭବିଷ୍ୟତ ରାଜ୍ୟୋଦ୍ଧାରର ସ୍ୱପ୍ନ ନାହିଁ, ରହିଛି କେବଳ ନିତ୍ୟପ୍ରବୃତ୍ତ ବର୍ତ୍ତମାନ, ଶାନ୍ତ ସରଳ, ସୁଶୀତଳ ଶୀର୍ଣ୍ଣକାୟା ପଦୁଟିଏ ପରି । ଆମେ ନିଜ ଭିତରେ ଏଇ ପର୍ଯ୍ୟାୟରେ ସାବିତ୍ରୀ ଆଉ ଦ୍ରୌପଦୀଙ୍କର ଭିତରେ ତୁଳନା ଓ ବିରୋଧାଭାସକୁ ଦେଖିପାରିବା । ସତ୍ୟବାନଙ୍କୁ ବାଛିବା ବେଳେ ସାବିତ୍ରୀ କିନ୍ତୁ ପରବର୍ତ୍ତୀ ଜଟିଳତାର କଥା ଜାଣିନଥିଲେ । ପିତା ଅଶ୍ୱପତି ଙ୍କ ଆଗରେ ଯେତେବେଳେ ତ୍ରିକାଳଜ୍ଞ ମହର୍ଷି ନାରଦ ଶୁଭାଶୁଭ ବର୍ଣ୍ଣନା କରି କହିଥିଲେ, ସାବିତ୍ରୀର ମନୋନୀତ ଯୁବକ ପାତ୍ର ହିସାବରେ ଯଥେଷ୍ଟ ଭଲ । ରୂପ ଗୁଣ ସହ ସର୍ବଦା ସତ୍ୟବାଦୀ ହେବା ସେତେ ସହଜ ନୁହଁ । ମାଟିକୁ ସମତଳ କରି ସେଥିରେ ସେ ଖଣ୍ଡିଏ କାଠି ସାହାଯ୍ୟରେ ଖୁବ୍ ସୁନ୍ଦର ଅଶ୍ୱର ଛବି ଆଙ୍କିପାରେ । ସେଇଥିପାଇଁ ଆଶ୍ରମଚାରୀମାନେ ତାହାର ନାଆଁ ଦେଇଛନ୍ତି ଚିତ୍ରାଶ୍ୱ । ମାତ୍ର ଏଥିରେ ଜଟିଳତା କେବଳ ଗୋଟିଏ । ସତ୍ୟବାନ ଅଳ୍ପାୟୁ । ଆଉ ମାତ୍ର ଏକବର୍ଷ ରହିଛି ତାହାର ଆୟୁଷ୍କାଳ ।

ଆପଣ ଏହାପରେ ଯଦି ସାବିତ୍ରୀ କି ଅଶ୍ୱପତି ଯାହାର ଭୂମିକାରେ ରହିବେ ଆପଣଙ୍କର ଉତ୍ତର ଯାହା ହେବ ତାହା ଆମେ ସମସ୍ତଙ୍କର ଜଣା । ସାବିତ୍ରୀ କିନ୍ତୁ ନିଜର ମତରେ ଅଟଳ ରହିଲେ, ସ୍ୱଳ୍ପାୟୁ ସତ୍ୟବାନଙ୍କୁ ବିବାହ କରିବାକୁ ଦୃଢ ରହିଥିଲେ । ସାବିତ୍ରୀ ସେତେବେଳେ କହିଥିଲେ,"ଭାଇମାନଙ୍କ ମଧ୍ୟରେ ଧନର ବଣ୍ଟନ ଥରେ ହୁଏ, କନ୍ୟା ସଂପ୍ରଦାନ ଥରେ ହୁଏ, ଦାତା ଥରେ ହିଁ ବଚନ ପ୍ରଦାନ କରିଥାଏ । ମୁଁ ଯାହାକୁ ମନରେ ବରଣ କରିଛି ତାହାକୁ କେଉଁପରି ପରିବର୍ତ୍ତନ କରିବି ?" ଏଥିରୁ ଆମେ ସାବିତ୍ରୀ ଚରିତ୍ରର ଦୃଢତାକୁ ବୁଝିପାରିବା ।

ମହର୍ଷି ନାରଦ ସତ୍ୟବାନଙ୍କର ଆୟୁଷ୍କାଳ ଆଉ ମାତ୍ର ଏକବର୍ଷ ରହିଛି ବୋଲି କହିବାର ଠିକ୍ ପରମୁହୂର୍ତ୍ତରୁ କହିବାକୁ ଗଲେ ସାବିତ୍ରୀଙ୍କର ପରମବ୍ରତା ହେବାର ପ୍ରକ୍ରିୟାର ଆରମ୍ଭ । ଠିକ୍ ସେଇଠୁ ସେ ନିଜକୁ ପ୍ରସ୍ତୁତ କରିଛନ୍ତି ସେହି ଶେଷକ୍ଷଣ ପାଇଁ ଯେତେବେଳେ ଧର୍ମରାଜ ଯମ ସତ୍ୟବାନଙ୍କ ପ୍ରାଣ ନିଜ ସହିତ ନେଇଯିବାକୁ ଆସି ଉପସ୍ଥିତ, ସେ ପର୍ଯ୍ୟନ୍ତ । ଜଣେ ରାଜକନ୍ୟା ସ୍ୱଇଚ୍ଛାରେ ଆଶ୍ରମବାସିନୀ ହୋଇ ସ୍ୱାମୀ, ଶାଶୁ ଆଉ ଶ୍ୱଶୁରଙ୍କ ସହିତ ଏକ ନିଷ୍ଠାପର ସଂସାରକର୍ମକୁ ନିଖୁଣ ଭାବରେ ନିର୍ବାହ କରୁଛି ଯେଉଁଠି ସ୍ୱାମୀର ଆୟୁ ସ୍ୱଳ୍ପ ବୋଲି ବିଧିନିର୍ଦ୍ଦିଷ୍ଟ । ଏହି ଭଳି ଏକ ଜୀବନଯାପନ କୌଣସି ପରମବ୍ରତ ଠାରୁ କମ୍ ହେବନାହିଁ । ମହାଭାରତର ମୂଖ୍ୟନାୟିକା ଦ୍ରୌପଦୀ ସବୁବେଳେ ବୀରଶ୍ରେଷ୍ଠ ମାନଙ୍କର ସଂରକ୍ଷଣରେ ରହୁଥିଲେ ଆଉ ତାହା ସହିତ ଶ୍ରୀକୃଷ୍ଣଙ୍କ ଦୈବ - ସଖ୍ୟତା ବି ଭିନ୍ନ ଭିନ୍ନ ଅଘଟଣ ସମୟରେ ତାଙ୍କୁ ମିଳୁଥିଲା । ମାତ୍ର ସାବିତ୍ରୀଙ୍କ ପାଖରେ ସେମିତି କିଛି ଅବଲମ୍ବନ ନାହିଁ । ସେ ନୀରବରେ କେବଳ ଏକ ସାଧାରଣ ଜୀବନଚର୍ଯ୍ୟାରୁ ସମସ୍ତ ରସଦ ସଂଗ୍ରହ କରିଚାଲିଛନ୍ତି ତାଙ୍କର ଶେଷ ସଂଗ୍ରାମ ପାଇଁ । ମୃତ୍ୟୁର ବିରୋଧରେ ଏଇ ପ୍ରସ୍ତୁତି ଏବଂ ଶେଷରେ ମୃତ୍ୟୁର ବିରୋଧରେ ଏହି ଏକାକିନୀ ତପସ୍ୱିନୀ ର ବିଜୟ ଏଇ ସାବିତ୍ରୀ ଚରିତ୍ରକୁ ଆମ ଆଗରେ ଏକ ନିର୍ବିକଳ୍ପ ଚରିତ୍ର ହିସାବରେ ସବୁକାଳ ପାଇଁ ରଖିଦେଇଛି ।

ସାବିତ୍ରୀ କାହାଣୀର ପରିଣତି ଆଉ ତାଙ୍କର ମୃତ୍ୟୁ ଉପରେ ବିଜୟ ଆମର ଏକ ଚିର ପରିଚିତ ଗାଥା । ଏବଂ ଏହା ଆମର ପୁରୁଷତନ୍ତ୍ରର ସୁରକ୍ଷା କବଚ ଆକାରରେ ବ୍ୟବହୃତ ପୁରୁଷତନ୍ତ୍ର କର୍ତ୍ତୃକ ଏକ ପ୍ରିୟ ବ୍ରତ କଥା । ଆଜିର ସାବିତ୍ରୀ ବ୍ରତ ବେଳେ ଯେତେବେଳେ ସାବିତ୍ରୀର ଫଳାହାର ଆଉ ବେଶଭୂଷାକୁ ନେଇ ଆମର ପୁରୁଷତନ୍ତ୍ରର ହେରେଷାମୀ ପ୍ରସ୍ତୁତ କରାଯାଏ ତାହାକୁ ଦେଖିଲେ ମନେ ହୁଏ ଆମେ ସେଇ ଉଜ୍ଜଳ ପରମବ୍ରତାର ପ୍ରତୀକକୁ ଅବମୂଲ୍ୟାୟନ କରିବା ସହିତ ଆମର ନିଜର ବିକଳ ପୁରୁଷ ପଣକୁ ଉଜାଗର କରୁଛୁ । ପରମବ୍ରତା ସାବିତ୍ରୀ ବିବାହ ପରଠାରୁ ରାଜକୁମାରୀ ରୁ ତପସ୍ୱିନୀ ହୋଇ ଏଇ ଲଢେଇଟି ଲଢିଛନ୍ତି । ମହର୍ଷି ନାରଦଙ୍କ ଠାରୁ ସତ୍ୟବାନଙ୍କର ସେହି ଅନ୍ତିମକ୍ଷଣର ସମୟକୁ ଜାଣି ସାବିତ୍ରୀ ଯମରାଜ ସେଇ ବିଶେଷ ମୁହୂର୍ତ୍ତର ତିନିଦିନ ପୂର୍ବରୁ ନୀରାହାରରେ ସେ ରହିଥିଲେ ବୋଲି ମହାଭାରତରେ ଉଲ୍ଲେଖ ଅଛି ।

ଜନ୍ମ ଆଉ ମୃତ୍ୟୁ ଭିତରେ ରହିଥିବା କାଳଚକ୍ର ବୋଲି ଯେଉଁ ଅଲିଭା ଗାରଟି ଅଛି ତାହାକୁ ଲିଭାଇ ପାରିବାର ଅସାଧ୍ୟକୁ ସାଧନ କରିଥିବା କାରଣରୁ ଆମ ଆଗରେ ସେ ପରମବ୍ରତା । ମହାଭାରତରେ ମରଣ ସହିତ ଏକ ପ୍ରକାର ବିଜୟ କଲା ଭଳି ସାବିତ୍ରୀଙ୍କ ବ୍ୟତୀତ ଆଉ ଚାରୋଟି ପ୍ରସଂଗ ରହିଛି । ମହର୍ଷି ଗୌତମ ଏବଂ ନଚିକେତା ମୃତ୍ୟୁ ପରର ରହସ୍ୟ ଜାଣିବା ପାଇଁ ଧର୍ମରାଜ ଯମଙ୍କ ସାକ୍ଷାତ ଲାଭ କରି ଫେରି ଆସିଛନ୍ତି ପୃଥ୍ୱୀକୁ । ଯମରାଜ ସେ ଦୁଇଜଣଙ୍କୁ ଏକ ପ୍ରକାର ମରଣୋପରାନ୍ତ ତାତ୍ତ୍ୱିକତାରେ ବଶୀଭୂତ କରି ଫେରାଇ ଦେଇଛନ୍ତି । ଏହା ବ୍ୟତୀତ ମହାଭାରତରେ ମୃତ୍ୟୁକୁ ବିଜୟ ଲାଭ କରିଛନ୍ତି ଆଉ ଜଣେ ଚରିତ୍ର ଯାହାଙ୍କୁ ମହାଭାରତ ଯୁଦ୍ଧରେ ସେମିତି ଏକ ବୀର ବୋଲି କେହି ଗଣନ୍ତି ନାହିଁ । ତାଙ୍କର ପରିଚୟ କେବଳ ଜଣେ ସତ୍ୟନିଷ୍ଠ ଓ ଶୁଦ୍ଧ ଆଚରଣକାରୀ ଓ ଜଣେ ଦ୍ୟୁତକ୍ରୀଡା ପ୍ରିୟ ନାୟକ ହିସାବରେ । ସେ ହେଉଛନ୍ତି ଯୁଧିଷ୍ଠିର । ସତ୍ୟନିଷ୍ଠ ହୋଇଥିବା କାରଣରୁ ସେ ମରଣବିଜୟୀ ।

ମରଣ ଉପରେ ବିଜୟ ପ୍ରାପ୍ତ ହୋଇଥିବା ଏକମାତ୍ର ଅବିବାଦିତ ଚରିତ୍ର ହେଉଛନ୍ତି ସାବିତ୍ରୀ । ତାଙ୍କ ସହିତ ପ୍ରତିଷ୍ଠିତ ହୋଇଛି ସେଇ ଅମୃତ ଝଙ୍କାର, ମୃତ୍ୟୋର୍ମା ଅମୃତଗମୟ ଅର୍ଥାତ୍ ମୃତ୍ୟୁରୁ ଅମୃତ୍ୟୁକୁ ଯାତ୍ରା ।

ଯମରାଜ ଯେତେବେଳେ ସତ୍ୟବାନଙ୍କ ପ୍ରାଣକୁ ଧାରଣ କରି ନିଜର ଯାତ୍ରା ଆରମ୍ଭ କରିଥିଲେ ତାଙ୍କର ନିର୍ଦ୍ଧାରିତ ସେଇ ଧର୍ମ କାର୍ଯ୍ୟରେ ସାବିତ୍ରୀ ସାମାନ୍ୟତମ ପ୍ରତିବନ୍ଧକ ସୃଷ୍ଟି କରିନାହାଁନ୍ତି । ଯମରାଜଙ୍କର କେବଳ ନୀରବରେ ଅନୁଧାବନ କରିଛନ୍ତି । ସେଇ କାହାଣୀ ଆମ ସମସ୍ତଙ୍କର ଜଣା । ଏହି ଅନୁଧାବନ କରିବାବେଳେ ସେ କେବଳ ଗୋଟିଏ ଯୁକ୍ତି ରଖିଛନ୍ତି, "ମୁଁ ଧର୍ମପତ୍ନୀ । ନିଜ ଧର୍ମ ଅନୁସାରେ ଯାଉଛି ଯେଉଁ ଆଡେ ଯାଉଛନ୍ତି ମୋର ପତି । "ଏବଂ ଏହି ଅନୁଧାବନ ପ୍ରକ୍ରିୟାରେ ସାବିତ୍ରୀଙ୍କର ଯମରାଜଙ୍କ ସହ ଯାହା ଯାହା ଭାବଗତ ଆଦାନପ୍ରଦାନ ହୋଇଛି ତାହାକୁ ଅନୁଧ୍ୟାନ କଲେ ଆମେ ସାବିତ୍ରୀ ଚରିତ୍ରର ମହାଭାରତୀୟତାକୁ ଆମେ ସହଜରେ ବୁଝି ପାରିବା । ଏଇ ଶଙ୍କୁଳ ଯାତ୍ରାପଥରେ ସାବିତ୍ରୀଙ୍କର ଶୋକ ପ୍ରତି ନିୟନ୍ତ୍ରଣ; ଧର୍ମ , ନୀତି, ମାନବୀୟ ଗୁଣର ଆଧାରରେ ଯମରାଜଙ୍କ ସହ ଏକ ଆତ୍ମିକ ସଂପର୍କ ପ୍ରତିଷ୍ଠା, ତଥା ବିପତ୍ତି ସମୟରେ ବିନମ୍ରତା, ସୌଜନ୍ୟ କୌଶଳ ଆଉ ବିବେକଶୀଳତାକୁ ସେ ଯେପରି ଏକ ନିପୁଣ ମନୋବୈଜ୍ଞାନିକ ହିସାବରେ ବ୍ୟବହାର କରିଛନ୍ତି । ଏଇଠି ଏଇ କଥାକୁ ଉଲ୍ଲେଖ କରିବା ଆବଶ୍ୟକ ଯେ, ମହାତ୍ମା ଗାନ୍ଧୀ କହିଥିଲେ, ଜଣେ ସତ୍ୟାଗ୍ରହୀ ଭିତରେ ବିନମ୍ରତା, ଅକ୍ରୋଧ, ଅହିଂସା, ସହନଶୀଳତା ଆଉ କଷ୍ଟ ସହିବା ନିମନ୍ତେ ଧୈର୍ଯ୍ୟ ରହିବା ଦରକାର । ମହାତ୍ମା ଗାନ୍ଧୀ ଜଣେ ସତ୍ୟାଗ୍ରହୀର ଯେଉଁ ସ୍ୱରୂପ କଳ୍ପନା କରିଥିଲେ ତାହା ସମ୍ଭବତଃ ଏଇ ସାବିତ୍ରୀ କାହାଣୀରୁ ଆସିଛି । ମହାତ୍ମା ଗାନ୍ଧୀଙ୍କ ପରିଭାଷାକୁ ଉଦ୍ଧାର କଲେ ଆମେ ଦେଖିବା ଯେ ଆଦି ସତ୍ୟାଗ୍ରହୀର ଶିରୋପାଟି ସାବିତ୍ରୀଙ୍କର କେବଳ ପ୍ରାପ୍ୟ ।

ସତ୍ୟର ପ୍ରୟୋଗରେ ବିଜୟ ସହ ଆମେ ସମସ୍ତେ ପରିଚିତ । ଆଉ ସେଇଥିପାଇଁ ସାବିତ୍ରୀ କାହାଣୀ ଆମର ଏତେ ପ୍ରିୟ । ମାତ୍ର ଆମେ ଯେତେବେଳେ ଏହି କାହାଣୀକୁ ପ୍ରତୀକରେ ଆମର ବ୍ରତଚାରଣରେ ଆବାହନ କରୁଛୁ ସେତେବେଳେ ଆମର ସେହି ପ୍ରତୀକକୁ ତଥା ତାହାରି ଆଳରେ ସତ୍ୟକୁ ସମ୍ମାନିତ କରିବା ଆବଶ୍ୟକ ।