ଫଟୋ - ମମତା ଦାଶ

ମମତା ଦାଶଙ୍କ କବିତା ନିରୋଳାରେ ବାଜୁଥିବା ଗୋଟେ ଅସ୍ଥିର ଭାଓଲିନ । କବିତା ସବୁ "ମାୟାନ୍ଧକାର" ଯେମିତି । ତାଙ୍କ କବିତାର ସ୍ଵର ପ୍ରଶାନ୍ତ ଓ ଲଳିତ । ଉଗ୍ର ଭାବରେ ପ୍ରତିବାଦ କରିବା ଅପେକ୍ଷା ନୀରବରେ ନିଜକୁ ବ୍ୟକ୍ତ କରିବାର କବିକର୍ମକୁ ସେ ଆପଣାର କରିଛନ୍ତି । କବିତା, ଗଳ୍ପ, ଆଲୋଚନା ଏବଂ ସମ୍ପାଦନା କ୍ଷେତ୍ରରେ ପ୍ରତିଷ୍ଠିତ ମମତା ଦାଶଙ୍କ ସହିତ କେଦାର ମିଶ୍ରଙ୍କର ଅନ୍ତରଙ୍ଗ କଥାବାର୍ତ୍ତା ।

ଏକଦା ମହାପାତ୍ର ନୀଳମଣି ସାହୁ କହିଥିଲେ, ଆପଣଙ୍କ କବିତାର “ମୁଖ୍ୟ ବିଭାବ ହେଉଛି ପ୍ରେମ” । ଆପଣଙ୍କ କବିତାରେ ଏହା ମୁଖ୍ୟ ନା ଏକମାତ୍ର ବିଭାବ ?

ମୋ କବିତାର 'ମୁଖ୍ୟ ବିଭାବ ପ୍ରେମ' ବୋଲି ମହାପାତ୍ର ନୀଳମଣି ସାହୁ ଯେ କହିଥିଲେ ତାହାହିଁ ଠିକ୍ ବୋଲି ମୁଁ ଭାବୁଛି । କାରଣ ମୋର ଅଧିକାଂଶ କବିତାରେ ଉପସ୍ଥିତ କାବ୍ୟନାୟିକାର ଜୀବନରେ ପ୍ରେମ ସହିତ ଆହୁରି ଅନେକ ଉପଲବ୍ଧି ଆସିଛି, ଯେମିତି ପ୍ରଗାଢ ଏକାକିତ୍ୱ, ଏକ ଇନ୍ଦ୍ରିୟୋତ୍ତର ରାହସ୍ୟଲୋକର ଦୃଶ୍ୟ, ସଂସାରର ବାଧ୍ୟବାଧକତା ଓ ବନ୍ଧନ, ମାନବ ନିୟତିର ଅନିବାର୍ଯ୍ୟତା, ମୃତ୍ୟୁ ଓ ବିଚ୍ଛେଦର ଉପଲବ୍ଧି ଇତ୍ୟାଦି ରହିଛି । ପ୍ରେମ ଏକମାତ୍ର ବିଭାବ ନୁହେଁ, ମୁଖ୍ୟ ବିଭାବ ମାତ୍ର ।

ଆପଣଙ୍କ କବିତାର ପ୍ରେମିକ ପୁରୁଷଟି ସବୁବେଳେ ଦିବ୍ୟ, ଅସାଧାରଣ ଓ ଦିଗନ୍ତ ସେପାରିରେ ରହୁଥିବା ଏକ ଆଲୋକିତ ସତ୍ତା । ତା ସହିତ ଆମ ଭଳି ସାଧାରଣ ମଣିଷଙ୍କର ସମ୍ପର୍କ କଣ ?

ମୋର ବିଶ୍ୱାସ ପ୍ରେମ ଏକ ଆଲୋକିତ ଅନୁଭବ । ତେଣୁ ମୋର କାବ୍ୟନାୟିକା ଓ ନାୟକ ପ୍ରେମ କଲା ବେଳେ ଏକ ସୁନ୍ଦରତମ ଅନୁଭବକୁ ଧାରଣ କରିଥାନ୍ତି । କିନ୍ତୁ ଏ ଅନୁଭବ ଦୀର୍ଘକାଳ ସ୍ଥାୟୀ ହୁଏ ନାହିଁ, ମଣିଷ ପ୍ରକୃତିର ସୀମାବଦ୍ଧତା ହେତୁ, ତାହା ଉଭେଇଯାଏ । ତା ବୋଲି ଏ ଆଲୋକିତ ପ୍ରେମିକ ସହିତ ସାଧାରଣ ଜଣେ ନାରୀର ସମ୍ପର୍କ ଅସମ୍ଭବ ନୁହେଁ । ମୋ କବିତାର ସାଧାରଣ ନାରୀ ପ୍ରେମ ଭିତରେ କ୍ଷଣକ ପାଇଁ ବି ହେଉ ପଛକେ ଅସାଧାରଣ ହୁଏ, ତାର ଜୀବନରେ ପୂର୍ଣ୍ଣତା ଆସେ ।

ତମର ମନେ ପଡୁଛି କେଦାର,"ରାଗ ଲଳିତ"ର ଉନ୍ମୋଚନ ବେଳେ ରମାକାନ୍ତ ରଥ କହିଥିଲେ "ମମତା ଏପର୍ଯ୍ୟନ୍ତ ସ୍ଥିର କରିପାରିନାହାନ୍ତି ଯେ ସେ ପ୍ରେମିକା ହେବେ ନା ସନ୍ୟାସିନୀ ହେବେ । ଆମେଚାହୁଁ ସେ ସର୍ବଦା ପ୍ରେମିକା ହୋଇ ଆମକୁ ସୁନ୍ଦର ପ୍ରେମ କବିତା ଉପହାର ଦେଉ ଥାଆନ୍ତୁ" । ତେଣୁ ମୋର କବିତା ପୁରା ଆଧ୍ୟାତ୍ମିକ ବା ଦିବ୍ୟ ନୁହେଁ, ମୋର ପ୍ରେମିକା ପ୍ରେମିକ ସାଧାରଣ ମଣିଷ, ପ୍ରେମ ସାଧନା ଓ ଆଧ୍ୟାତ୍ମିକ ସାଧନା ଭିନ୍ନ ।

ଏ ସମ୍ପର୍କ କେବଳ କାବ୍ୟିକ କି ? ଏହା ଜୀବନ ଅନୁଭବର ଏକ ଉତ୍ତରଣ ନ ହୋଇ ବାସ୍ତବତା ଠୁ ପଳାୟନର ଏକ ବାଟ ବି ହୋଇ ଥାଇପାରେ !! ଆପଣ କଣ କହିବେ ?

ନା, ଏହା କେବଳ କାବ୍ୟିକ ନୁହେଁ । ଏହା ବାସ୍ତବ, ଓ ଏହାକୁ ମୁଁ କାବ୍ୟ ରୂପ ଦେଇଛି । ଏହା ଜୀବନ ଅନୁଭବର ଉତ୍ତରଣ ନୁହେଁ, ଏହା ଏକ ସ୍ୱୟଂ ସିଦ୍ଧ ଅତି - ବାସ୍ତବତା । ଆକାଶର ସତ୍ତା ନଥାଏ, କିନ୍ତୁ ଆକାଶ ଅତି - ବାସ୍ତବ । ଚନ୍ଦ୍ର ଏକ ଉପଗ୍ରହ କିନ୍ତୁ ଚନ୍ଦ୍ରାଲୋକର ଅନୁଭୂତି ଓ ରହସ୍ୟ ସବୁକିଛି ଅତି ବାସ୍ତବ, ଲୁହ ହେଉଚି ହାଇଡ୍ରୋଜେନ ଓ ଅକ୍ସିଜେନର ମିଶ୍ରଣ କିନ୍ତୁ ଲୁହ ଭିତରର ଅନୁଭୂତି କେତେ ସ୍ତରର, କେତେ ବାସ୍ତବ । ଦୃଶ୍ୟ ଜଗତର ସତ୍ୟ ଶେଷ କଥା ନୁହେଁ । ଚେତନାଗତ ସତ୍ୟର ଉପଲବ୍ଧି ବାସ୍ତବତାଠାରୁ ପଳାୟନ କେବେହେଁ ନୁହେଁ, ଏହା ଅନ୍ୟ ଆୟତନରେ ପହଂଚିଯିବା ।

ବେଳେବେଳେ ମୋତେ ଲାଗେ ଆପଣ ଆମର ବୈଷ୍ଣବୀୟ କବିତାର ନବନିର୍ମାଣ କରୁଛନ୍ତି । ଏହାକୁ ଆପଣ କେମିତି ଗ୍ରହଣ କରିବେ ?

"ବୈଷ୍ଣବୀୟ କବିତାର ନବ ନିର୍ବାଣ" କରୁଚି ବୋଲି ତମେ ଯେ କହିଲ, ଶୁଣିବାକୁ ଭଲ ଲାଗୁଛି । ମନେ ପଡୁଚି, ଔରଙ୍ଗାବାଦର ଆଗମୀ ଗୁରୁକୂଳର ପାର୍ବତୀ ଦତ୍ତ, ମୋର "ପୁଣିଥରେ ଆସ" କବିତାଟି ରମାକାନ୍ତ ରଥଙ୍କ ଅନୁବାଦରେ ପଢି ତାକୁ ନୃତ୍ୟରୂପ ଦେଇ ମୁକ୍ତେଶ୍ଵର ଫେଷ୍ଟିଭାଲ ଓ ଅନ୍ୟ କେଉଁଠାରେ ନାଚି ଥିଲେ । ମୁଁ ପରେ ଜାଣିଲି, ସେ ମୋ ପାଖକୁ ଲେଖିଥିଲେ ଯେ, "ମୁଁ ଗୋଟିଏ ଆଧିନିକ କବିତାକୁ ଓଡିଶୀ ଢଙ୍ଗରେ ନାଚିଲାରୁ ସମସ୍ତେ ବହୁତ ଆଶ୍ଚର୍ଯ୍ୟ ହୋଇଥିଲେ" । କିଂତୁ ସେ କବିତାଟି ତାଙ୍କୁ ସେହି ବୈଷ୍ଣବୀୟ ପ୍ରେରଣା ଦେଇଥିଲା ନିଶ୍ଚୟ । ସେ ମୋର ଆହୁରି କବିତା ମାଗିଥିଲେ ଓ ମୁଁ ପଠାଇଛି । କିନ୍ତୁ କଣ ସେ ନବନିର୍ମାଣର ସ୍ୱରୂପ ? ମୁଁ ଜାଣିନାହିଁ ।

ଆପଣଙ୍କ ସମୟର କବିତାରେ “ନାରୀମୁକ୍ତି” ଏକ ପ୍ରମୁଖ ସ୍ଵର ହୋଇଥିବା ବେଳେ, ଆପଣ ପ୍ରାୟତଃ ସେ ସ୍ଵରକୁ ଆଡେଇ ଦେଇ ଯାଇଛନ୍ତି । ଆପଣ ସ୍ଵାଧୀନତାର କଥା କହିଛନ୍ତି, ହେଲେ ସେ ସ୍ଵାଧୀନତା ଏକ ଆଧ୍ୟାତ୍ମିକ ବଳୟ । ଏଥିରେ ସାଧାରଣ ନାରୀର ସମୟ ବା ଜୀବନ ଅଛି କି ?

ନାରୀ ପ୍ରତି ଯୁଗ ଯୁଗ ଦ୍ୱାରା ହୋଇଥିବା ଓ ହେଉଥିବା ଅତ୍ୟାଚାର ପାଇଁ ପ୍ରକୃତି ଦ୍ୱାରା ଗଢ଼ା ଯାଇଥିବା ଲିଙ୍ଗଗତ ବୈଷମ୍ୟ, ସାମାଜିକ ବ୍ୟବସ୍ଥା ଓ ପୁରୁଷର sadism ଓ ନାରୀର ମାନସିକ ଦୁର୍ବଳତା ଦାୟୀ । ମୋର ଗଭୀର ବିଶ୍ୱାସ ନାରୀ ତାର ଚେତନାରେ ପରିବର୍ତ୍ତନ ନ ଆଣିଲେ କଦାପି ମୁକ୍ତ ହୋଇ ପାରିବ ନାହିଁ । ପୁରୁଷ ମଧ୍ୟ, ନାରୀ ଦେହ ପ୍ରତି ତାର ଆସକ୍ତି, ନାରୀକୁ ଅତ୍ୟାଚାର କରିବାର ଇଛା, ନାରୀର ସେବା ପାଇବା ପାଇଁ ଦୁର୍ବଳତା ଓ ନିର୍ଭରଶୀଳତା ଇତ୍ୟାଦିରୁ ମୁକ୍ତ ହେବ କେବଳ ଚେତନାର ପରିବର୍ତ୍ତନ କରିବା ଦ୍ୱାରା । ମଣିଷର ସ୍ୱାଧୀନତା ରହିଛି ତାର ଚେତନାର ଉପଲବ୍ଧିରେ । ସେ ପୁରୁଷ ହେଉ ବା ନାରୀ ହେଉ । କାମ୍ୟୁଙ୍କର ସିସିଫସ କିମ୍ବା Old man and the Seaର Sandiago ନାରୀ ବି ହୋଇ ପାରିଥାନ୍ତା । ମୋର ଏ ଉପଲବ୍ଧିର ସୌନ୍ଦର୍ଯ୍ୟ ମୋତେ ବିହ୍ଵଳ କରିଛି, ମୁଁ ତାହାହିଁ ଲେଖିଛି, ପ୍ରତ୍ୟକ୍ଷ ବିଦ୍ରୋହ ମୋର ପ୍ରକୃତି ନୁହେଁ । ମୁଁ ମୋର ଚେତନାରେ ପିଲାଦିନୁ ମୁକ୍ତ । ଯାହା ଅସୁବିଧା ହୋଇଛି ନିଜର ମୁର୍ଖତା ବା ଭୁଲ ନିଷ୍ପତ୍ତିରୁ । ମୋ ବାଟ ମୁଁ ନିଜେ ତିଆରିଛି । କେବେ ସିଧାସଳଖ ବିଦ୍ରୋହ କରିନି, ନା ଜୀବନରେ ନା କବିତାରେ । କିଂତୁ ମୁଁ ସାଲିସ କରିନି, ମଣିଷ ଭାବରେ ବଂଚିଛି, ଦୁର୍ବଳ ନାରୀଟିଏ ବୋଲି କେବେ ନିଜକୁ ଭାବିନି ।

ଆପଣ କବିତାରେ ସବୁବେଳେ ଏକ ରହସ୍ୟମୟ ପରିବେଶ ନିର୍ମାଣ କରନ୍ତି । ଯେମିତି “ଏକତ୍ର ଚନ୍ଦ୍ରସୂର୍ୟ” ଅବା “ବନଦେବତା” । ଏ ରହସ୍ୟ ନିର୍ମାଣର ଉଦ୍ଦେଶ୍ୟ କଣ ? ଏ “ଛଦ୍ମବେଶ” କବିତା ଲାଗି କେତେଦୂର ଆବଶ୍ୟକ ?

ହଁ, ମୋର ଅନେକ କବିତା ଗୋଟିଏ ଗୋଟିଏ ରହସ୍ୟଲୋକ । "ଏକତ୍ର ଚନ୍ଦ୍ରସୂର୍ଯ୍ୟ", "ନୀଳ ନିର୍ବାପନ", "ମାୟାନ୍ଧକାର", "ଶୁଭ୍ରଧାରା" ଇତ୍ୟାଦି । ସେ ସବୁ ମୋତେ ପ୍ରତିଭାତ ହୋଇଛି ଓ ମୁଁ ତାକୁ କାବ୍ୟରୂପ ଦେବାକୁ ଚେଷ୍ଟା କରିଛି । ଏସବୁ କବିତାର ଛଦ୍ମବେଶ ନିଶ୍ଚୟ ନୁହେଁ । ଏସବୁକୁ ମୁଁ ଉପଲବ୍ଧି କରିଚି । ଅନ୍ତର୍ଚକ୍ଷୁରେ ଦେଖିଛି, ରୂପାୟିତ କରିବାକୁ ପ୍ରେରଣା ଅନୁଭବ କରିଛି ।

ଆପଣ ସଙ୍ଗୀତରେ ପ୍ରାୟ ବୁଡିକି ଥାଆନ୍ତି । ଏ ସାଙ୍ଗୀତିକତା ଆପଣଙ୍କ କବିତାରେ ବି ଦିଶିଯାଏ । ବେଳେବେଳେ ଲାଗେ ଆପଣଙ୍କ କବିତା ଗୋଟେ ଏକାକୀ ବାଜୁଥିବା ଭାଓଲିନ । ଏକାକିତ୍ଵର ଏ ସଙ୍ଗୀତକୁ କବିତା କରିହୁଏ କେମିତି ?

ସଙ୍ଗୀତ ମୋର ଏକ ଅପୂର୍ଣ୍ଣ ଇଚ୍ଛା ହୋଇ ରହିଗଲା । ପିଲା ଦିନୁ ଗୀତ ଗାଉଥିଲି, ଗିଟାର ଶିଖିଥିଲି ବିବାହ ପରେ । ୧୯୯୫ ରେ ପୁଣି କ୍ଲାସିକାଲ ଶିଖିଲି । ଅଧାରୁ ବନ୍ଦହେଲା । ପଣ୍ଡିଚେରୀରେ ପୁଣି ତାହା ଆରମ୍ଭ ହେଲା ଓ ଅସୁବିଧାରୁ ବନ୍ଦ ହେଲା । ଏବେ ଗୀତରେ ବୁଡିକରି ସତରେ ଥାଏ । ମୋର କାବ୍ୟ ସତ୍ତା ଏକ ଏକାକୀ ଭାଓଲିନ, କେତେ ସୁନ୍ଦର ମେଟାଫର । ମୋର ପ୍ରଥମ ବହି "ନୈମିଷାରଣ୍ୟ" ର ଅଗ୍ରଲେଖରେ ମହାପାତ୍ର ନୀଳମଣି ସାହୁ ଲେଖିଥିଲେ "ମମତାଙ୍କ କବିତା ପଢିଲେ ମନେ ହୁଏ ସତେକି ଗୋଟିଏ ନୀଳ ହ୍ରଦରେ ଏକାକିନୀ ରାଜହଂସୀ ଗ୍ରୀବା ଉପରକୁ ଟେକି ନିଜେ ନିଜେ ଗୀତ ଗାଇ ପହଁରି ଚାଲିଚି, କଣ ତାର ଅର୍ଥ ?"

ମୁଁ ଚେଷ୍ଟା କରି ସଂଗୀତିକତାକୁ କବିତାରେ ପରିଣତ କରିନାହିଁ । ତାହା ତ ଛାଏଁ ଛାଏଁ ଢ଼ାଳି ହୋଇଯାଇଛି ।

ଆପଣ କବିତା ବାହାରେ କିଛି ଗପ ଓ ସମାଲୋଚନା ବି ଲେଖିଛନ୍ତି । ସମାଲୋଚକ ଭାବରେ ଆପଣ ଟିକେ ଅଧିକ ମୁକ୍ତ ଓ ଶାଣିତ । କବିତାରେ ଏହା ଦୃଶ୍ୟମାନ ହୁଏନି କାହିଁକି ?

ହଁ, ମୋର ୩ ଟି ଗଳ୍ପ ସଂକଳନ, ଗୋଟିଏ ଉପନ୍ୟାସ ଓ ଦୁଇଟି ପ୍ରବନ୍ଧ ବହି ରହିଚି । ମୋର ମନେ ହୁଏ ମୋର କବିତା ଯେମିତି ମୋର ଆତ୍ମାର ନିର୍ଯ୍ୟାସ, କେଉଁ ଅଜଣା ଉତ୍ସରୁ ବହି ଆସେ, ମୁଁ ତାକୁ ବଦଳାଇ ପାରେନା ଅଟକାଇ ପାରେନା ।ଜୀବନର ଅନେକ ଟିକିନିଖି କଥା କବିତାରେ ଲେଖି ପାରିଲି ନାହିଁ ବୋଲି ମୁଁ ଗଳ୍ପ ଓ ଫିଚର ଲେଖିଚି । ସେସବୁର ଉପସ୍ଥାପନା ଶୈଳୀ ନିଶ୍ଚୟ ଭିନ୍ନ, ଏହି ଦୃଶ୍ୟ ଜୀବନ ସହିତ ସେସବୁ ଅଧିକତର ସମ୍ପୃକ୍ତ । ସେଭଳି କବିତା କାହିଁକି ଲେଖିପାରିଲି ନାହିଁ, ମୁଁ ଜାଣେନା । ତେବେ "ମାୟାନ୍ଧକାର" ସଂକଳନରେ ଓ ତାର ପରବର୍ତ୍ତୀ ସଂକଳନରେ କିଛି ଭିନ୍ନ କବିତା ରହିଛି ।

ଧରନ୍ତୁ, ଆପଣ କବିତା ନଲେଖି କେବଳ ଗପ କି ଉପନ୍ୟାସ ଲେଖିଥାନ୍ତେ, ସେଥିରେ ବି କଣ କେବଳ ପ୍ରେମ ଇ ରହିଥାନ୍ତା ?

ମୋର ୩ଟି ଗଳ୍ପ ସଂକଳନ ଓ ସବୁ ମିଶି "ପଦ୍ମ ପୁରୁଷ" ବୋଲି ବହି ଅଛି । "କେହି ଜଣେ ବିଶାଖା" ଉପନ୍ୟାସ ପ୍ରକାଶିତ । ଖୁବ କମ କେତୋଟି ଗପକୁ ଛାଡିଦେଲେ ଅଧିକାଂଶ ଗପର ବିଷୟବସ୍ତୁ ପ୍ରେମ, ପ୍ରେମରେ ବ୍ୟର୍ଥତା, ପରାଜୟ, ବିଚ୍ଛେଦ ଅପମାନ, ନିଷ୍ଠୁରତା ଏସବୁ ନିଶ୍ଚୟ ରହିଛି, ସେସବୁ ମୋର କବିତା ପରି ନୁହେଁ । ସେସବୁରେ ଚରିତ୍ର ରହିଛନ୍ତି, ଯେଉଁମାନେ ପ୍ରେମର ପୂର୍ଣ୍ଣତା ପାଇଛନ୍ତି, ଅସ୍ୱୀକାର, ଉତ୍ପୀଡନ ବି ପାଇଛନ୍ତି । ସେଥିରେ fantasy ବି ରହିଚି ଯେମିତି "ପଦ୍ମପୁରୁଷ", "ମୁଁ ଓ ମୋର ଗୋପାଳ", "ମଝି ଆକାଶରେ ଚିନ୍ମୟୀ", "ରୁମାଲ", "ଅସମାହିତ"- ତେଣୁ ମୁଁ କେବଳ ଗପ ଲେଖିଥିଲେ ବି ଭାବୁଛି, ଏହି ସବୁ ବିଭାବ ମୁଖ୍ୟ ହୋଇଥାନ୍ତା ହୁଏତ, ବିଷୟବସ୍ତୁ ଭିନ୍ନ ଭିନ୍ନ ହୋଇଥାନ୍ତା ଯାହା ।

ସାଧାରଣ ଜୀବନର ଛୋଟ ଛୋଟ ଅନୁଭବକୁ ନେଇ ଆପଣ କିଛି ମାର୍ମିକ କବିତା ଲେଖିଛନ୍ତି । ହେଲେ ସେସବୁର ସଂଖ୍ୟା ଯଥେଷ୍ଟ କମ କାହିଁକି ?

"ସହର ତଳି ହାଟରେ", "ଉଜଳୀ ମାଆ", "ଏ ବେଳ କାଳ", "ମାୟାରଙ୍ଗ", "କଥା ଏତିକି ମାତ୍ର", "ଖରା - ବର୍ଷା", "ଅସ୍ୱୀକାର", "ସ୍ଥିତପ୍ରଜ୍ଞ", ଏମିତି କେତେଗୁଡିଏ କବିତାରେ ଦୈନନ୍ଦିନ ଜୀବନର ଛୋଟ ଛୋଟ କାହାଣୀ ଅଛି । କିନ୍ତୁ କିଛି ଗୋଟିଏ ରହସ୍ୟ ରେ ସେସବୁ ସମସ୍ୟା ଓ ଅନୁଭବ ସମାହିତ ହୋଇଚି ଭଳି ମୋର ମନେ ହେଉଛି । ମୋ କବିତାର ପ୍ରେରଣା ଯେତେବେଳେ ଯାହା ଆସେ, ଲେଖେ, ବିଭିନ୍ନତା ନଥିବା ଏକ ସୀମାବଦ୍ଧତା ହୋଇପାରେ, ତାହା ମୋର କବିତାର ଶକ୍ତି ବି ହୋଇପାରେ ।

ଆପଣ କବିତା ଲେଖିବାକୁ କାହିଁକି ମନସ୍ଥ କଲେ? ଅନେକ କବି ସଂସାର କଲାପରେ କବିତାରୁ ଦୂରେଇ ଯାଆନ୍ତି । ଆପଣ କିନ୍ତୁ ସଂସାରରେ ରହି ନିରନ୍ତର କବିତା ଲେଖିଛନ୍ତି । ସଂସାର ଜଞ୍ଜାଳ ଓ କବିତା ଭିତରେ ସଙ୍ଘାତ ଘଟିନାହିଁ କି ?

ପିଲାଦିନୁ ୯ କି ୧୦ ବର୍ଷ ବୟସରୁ ବାପା ଦେଉଥିବା ଡାଏରୀରେ କବିତା ଲେଖୁଥିଲି, ମନସ୍ଥ କରିନି, ଲେଖିବାକୁ ଇଚ୍ଛା ହେଉଥିଲା । ତା ପରେ ମୀନାବଜାର, ପ୍ରଜାତନ୍ତ୍ରକୁ ପଠାଇଲି । ପ୍ରକାଶ ପାଇଲା, ପୁରସ୍କାର ବି ପାଇଲି । ଧୀରେ ଧୀରେ ଅନ୍ୟ ପତ୍ରିକାରେ ବି ପ୍ରକାଶିତ ହେଲା । ବାହାଘର ପରେ, ଅନେକ ଦୁର୍ଘଟଣା ଘଟିଲା, ୬ବର୍ଷ ଆଉ ଲେଖିଲି ନାହିଁ । ୧୯୭୩ରେ ବୁର୍ଲାରୁ କଟକ ଆସିଲା ପରେ ୧୯୭୪ରେ ମୁଁ ପୁଣି ଲେଖିବା ଆରମ୍ଭ କଲି । ମୋର ସାଂସାରିକ ଜୀବନ ଖୁବ ସଂଘର୍ଷମୟ, ସେଥିପାଇଁ କବିତା ଲେଖା ଧିମେଇ ଯାଏ, କିନ୍ତୁ ନ ଲେଖିଲେ ମୁଁ ମୃତପ୍ରାୟ ହୋଇଯାଏ । ତେଣୁ ଆଜିଯାଏ ଲେଖିବା ବଡ କଷ୍ଟରେ ଅବ୍ୟାହତ ରଖିଛି, କବିତା ମୋତେ ବଳ ଦିଏ, ଆତ୍ମବିଶ୍ୱାସ ଦିଏ, ଆନନ୍ଦ ଦିଏ ।

ଯେତେବେଳେ “ଏକତ୍ର ଚନ୍ଦ୍ରସୂର୍ଯ୍ୟ” ଓଡିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ପାଇଲା, ସେତେବେଳେ ଆପଣ ଆପାତତଃ ଜଣେ ଯୁବକବି । ସେତେବେଳର ଅନୁଭବ କେମିତି ଥିଲା ?

ହଁ, ମୋର ଦ୍ବିତୀୟ ବହି 'ଏକତ୍ର ଚନ୍ଦ୍ରସୂର୍ଯ୍ୟ' ପାଇଁ ମୁଁ ଓଡିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ପାଇଥିଲି, ୩୪ବର୍ଷ ତଳେ । ମନେ ପଡୁଚି ମୁଁ ବହାରକୁ ଯାଇଥିଲି । ସନ୍ଧ୍ୟାରେ ଘରକୁ ଫେରି ଦୂରରୁ ଦେଖିଲି ଡଃ ଦାଶ ଓ ପିଲା ଦୁହେଁ ବାହାରେ ଠିଆ ହୋଇଛନ୍ତି । ମୁଁ ପହଁଚିଲା ପରେ କହିଲେ "ଗୁଡ୍ ନିଉଜ୍" । ମୋ ସାନ ଝିଅ ଇଞ୍ଜିନିଅରିଂ ଏଣ୍ଟ୍ରାନ୍ସ ସବୁ ଦେଇଥିଲା।ଆଇ.ଆଇ.ଟି ଫଳ ବାହାରିବାର ଥିଲା । ମୁଁ ଖୁସି ହୋଇ କହିଲି, "ତୋର ହୋଇଗଲା ?" ଡଃ.ଦାଶ କହିଲେ, "ତମେ ସାହିତ୍ୟ ଏକାଡେ଼ମୀ ପୁରସ୍କାର ପାଇଛ" । "ଓ" କହି ମୁଁ ଘରେ ପଶିଲି । ଭାବିଲି ଝିଅ ଆଇ.ଆଇ.ଟି ପାଇଥିଲେ ବେଶି ଖୁସି ହୋଇ ଥା'ନ୍ତି ନା । ମୁଁ ସାହିତ୍ୟ ଓ ପୁରସ୍କାର,ଏ ସବୁକୁ ଏତେ ଗୁରୁତ୍ୱ ଦେଉନଥିଲି ସେତେବେଳେ । ଭାବିଥିଲି କେତେଟା ଭଲ କବିତା ଲେଖିଦେଲେ ହେଲା । ପ୍ରଶଂସା ପାଇଲେ ଖୁସି ଲାଗୁଥିଲା । ଟିକେ ପରେ ସମସ୍ତେ ଅଭିନନ୍ଦନ ଜଣାଇଲେ, ମୁଁ ସଚେତନ ହେଲି ଯେ ଏଇଟା ମୋ ପାଇଁ ଭାରି ବଡ ସଫଳତା । ତା ପରେ କବିତା ଲେଖିବାକୁ ବେଶୀ ପ୍ରେରଣା ମିଳିଲା । ସିରିଅସ ହେଲି ।

ମୋର ମନେପଡୁଛି, ବହୁତ ଦିନ ତଳେ ଆପଣ ଏକ ସାକ୍ଷାତକାରରେ କହିଥିଲେ, ଓଡିଆ କବିତାରେ ନାରୀଟିଏ କବିତା ଲେଖିଲେ କେମିତି ଗୁଜବ ଓ କୁତ୍ସାର ସାମ୍ନା କରିଥାଏ । ସେ ପରିସ୍ଥିତି ଆଜି ବଦଳିଛି କି ?

ସେତେବେଳ ଅପେକ୍ଷା ସମୟ ବହୁତ ବଦଳିଛି । ଏବେ ଅନେକ ନାରୀ କବି ଅଛନ୍ତି । ସେମାନେ ପ୍ରକାଶ ଭଙ୍ଗୀରେ ବେଶ୍ ମୁକ୍ତ । ଦେଖୁଛି ଅଧିକାଂଶ ପାଠକ ସେ ସବୁ ଗ୍ରହଣ କରୁଛନ୍ତି । ବନ୍ଧୁତ୍ୱରେ ବି ସେମାନେ ସ୍ପଷ୍ଟ ଓ ମୁକ୍ତ, ସେଥିପାଇଁ ଆଗଭଳି କୁତ୍ସା, ଗୁଜବ ହେଉନାହିଁ । ଯଦି ବା କିଛି କିଛି ହେଉଚି ଆଜିର ପିଲାମାନେ ସେସବୁକୁ ଖାତିର କରୁନାହାନ୍ତି । ବ୍ୟସ୍ତ ବିଚଳିତ ହେଉନାହାନ୍ତି । ପରିବାରର ସେମାନଙ୍କ ପ୍ରତି ଯଥେଷ୍ଟ ସମର୍ଥନ ଓ ବୁଝାମଣା ରହୁଚି । ଆଗଠାରୁ ସମୟ ଖୁବ ବଦଳିଯାଇଛି, ନାରୀକବିମାନେ ଲେଖା ଲେଖି କରିବାରେ ଯଥେଷ୍ଟ ସ୍ୱାଧୀନତା ପାଉଛନ୍ତି, ଭାରି ଭଲ କଥା ।

ଆପଣ ସୋସିଆଲ ମିଡିଆରେ ବି ଆଜିକାଲି ବେଶ ସକ୍ରିୟ । ଏ ଅନୁଭବ କେମିତି ?

ମୁଁ ପଣ୍ଡିଚେରୀରେ ୧୨ ବର୍ଷ ରହିବା ପରେ, ୨୦୧୧ରେ ଭୁବନେଶ୍ୱର ଆସି ରହିଲି । ଦେଖିଲି ଓଡ଼ିଆ ସାହିତ୍ୟର ପରିବେଶ ବାତାବରଣ ଅନେକ ବଦଳି ଯାଇଛି । ଯୁବପିଢ଼ିର ସାହିତ୍ୟିକମାନେ ମୋ ନାଆଁ ଶୁଣି ଥିଲେ ବି ମୋ କବିତା ଭୁଲିଯାଇଛନ୍ତି । ମୋତେ ଚିହ୍ନି ନାହାନ୍ତି କାରଣ ଏତେବର୍ଷ ମୁଁ ଓଡିଶା ଆସୁନଥିଲି । ଏଇ ସମୟରେ ମୋତେ ସୋସିଆଲ ମିଡ଼ିଆ ବହୁତ ସାହାଯ୍ୟ କଲା । ମୁଁ ମୋର କବିତା ସବୁ (ପୁରୁଣା ଓ ନୂଆ) ପୋଷ୍ଟ କଲି, ଅନ୍ୟ ଅନେକ କଥା, ମୋ ଜୀବନ ଅଭିଜ୍ଞତା ମଧ୍ୟ ପୋଷ୍ଟ କଲି । ଅନ୍ୟମାନଙ୍କ ଲେଖା ସବୁ ପଢିଲି, ମନ୍ତବ୍ୟ ଦେଲି, ପ୍ରେରଣା ଦେଲି, ସେମାନଙ୍କୁ ଚିହ୍ନିଲି, ସ୍ନେହ କଲି । ମୋତେ ଓ ମୋର କବିତାଙ୍କୁ ସେମାନେ ଚିହ୍ନିଲେ । ଏସବୁ ମୋର କ୍ଲାନ୍ତ ଜୀବନକୁ ପ୍ରାଣବନ୍ତ ଓ ସତେଜ କଲା । ସୋସିଆଲ ମିଡ଼ିଆରେ ଗୋଳମାଳ, କଳହ ହୁଏ ଅବଶ୍ୟ, କିଂତୁ ମୁଁ ସେଥିରୁ ପୁରା ଦୂରେଇ ରହେ । ମାନସିକ ଶାନ୍ତି ମୋର ସ୍ୱାସ୍ଥ୍ୟ ପାଇଁ ଅପରିହାର୍ଯ୍ୟ, ତାପରେ କଳହ, ବ୍ୟକ୍ତିଗତ ଦୋଷାରୋପ, ଅଭଦ୍ରତା ପ୍ରତି ମୋର ଵିତୃଷ୍ଣା ରହିଛି । ସୁସ୍ଥ ଆଲୋଚନା କରିବାକୁ ଭଲପାଏ, କିନ୍ତୁ ତାହା ପ୍ରାୟ ସମ୍ଭବ ହୁଏନା, ସୋସିଆଲ ମିଡ଼ିଆରେ ।

ଆପଣ କବିତାଟିଏ ଲେଖିବା ବେଳେ କେଉଁ ଅବସ୍ଥାରେ ଥାଆନ୍ତି ? କବିତା ଲେଖିବା ଲାଗି କିଛି ନିର୍ଦ୍ଦିଷ୍ଟ ପରିବେଶ ବା ପରିସ୍ଥିତି ଥାଏ କି ?

କବିତା ଲେଖିବା ମୋ ପାଇଁ ଭାରି କଷ୍ଟ କାମ । ଅନ୍ତରରେ ଅଶାନ୍ତି ଓ ବିଚଳିତ ଭାବ ଥିଲେ, ପ୍ରବଳ ଦୁଃଖ ଥିଲେ, କବିତା ପାଇଁ ପରିବେଶ ଆସେ ନାହିଁ । ମୋର ନିଜ ପାଇଁ କିଛି ସମୟ ନିଛାଟିଆ ହେବା ଦରକାର । ମନ ଭିତରେ ଧାଡିଏ ଦି ଧାଡି ଆସେ, ବେଳେବେଳେ ପୁରା କବିତା ତିଆରି ହୋଇଯାଏ । କେବେ ଏକ ନୀରବ ପରିବେଶରେ ବସି ଲେଖେ । ତାହା ଖରାବେଳ ହେଉ ରାତି ହେଉ, ସନ୍ଧ୍ୟା ହେଉ । ନିଜପାଇଁ ଏକୁଟିଆ ସମୟ ଦରକାର ହୁଏ । ମୁଁ ଖଟ ଉପରେ ମୁହଁ ତକିଆରେ ମାଡି, ବହୁତ ସମୟ ରହିଯାଏ । ସମସ୍ତେ ଭାବନ୍ତି ମୁଁ ଶୋଇ ପଡ଼ିଛି । ବେଳେବେଳେ ମାସେ ଦୁଇମାସ ଧରି ସେଇ ଗୋଟିଏ ଦୁଇ ଧାଡିରେ ରହି ଥାଏ ।

ଏବେ ବି ଆପଣ ଚମତ୍କାର ପ୍ରେମ କବିତା ଲେଖି ପାରୁଛନ୍ତି ? ଏଇ ସମୟର ପ୍ରେମ ପୁରୁଣାଦିନର ପ୍ରେମଠୁ କେତେଦୂର ଅଲଗା ?

ମୋର ପୁରୁଣା ପ୍ରେମ କବିତା, ମାନେ ୨୫ ବର୍ଷ ତଳର ପ୍ରେମ କବିତା ଗଭୀର ଭାବର କବିତା । ସେଥିରେ ନିଃସର୍ତ ଆତ୍ମସମର୍ପଣ, ମଧୁର ଅଭିମାନ, ଅଦ୍ଭୁତ ପୁଲକ, ଆଲ୍ହାଦ, ଆତ୍ମବିସ୍ମୃତିର ଅନୁଭବରେ ସମୃଦ୍ଧ । କିନ୍ତୁ ବିଗତ ୧୫ ବର୍ଷ ଧରି ମୁଁ ଯେଉଁ ପ୍ରେମ କବିତା ଲେଖିଚି, ସେଥିରେ, ମୋର କାବ୍ୟ ନାୟିକାର ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ବ ଦେଖାଯାଉଛି । ତାର ପ୍ରେମିକ ପ୍ରେମ ସାଧନା ଓ ସିଦ୍ଧିଠାରୁ ବାରମ୍ବାର ପଳାଇଯାଉଛି, ସେ ଆଉ ପ୍ରେମରେ ପ୍ରତ୍ୟୟ ଦେଇପାରୁନାହିଁ । ସେଥିରେ ବେଦନା, ବ୍ୟଥା, ଏକାକିତ୍ୱ, ଅସ୍ୱୀକୃତ ହେବା - ଏ ସବୁର ଅନୁଭବ ବ୍ୟଂଜିତ ହୋଇଛି । ପୃଥିବୀର ଜୀବନରେ ସେ ପ୍ରେମରେ ବ୍ୟର୍ଥ ହୋଇଚି, ଯଦିଓ ତାର ଚେତନାରେ ଥିବା ଉଜ୍ଜ୍ୱଳ ପ୍ରେମାନୁଭବକୁ ସେ ମୂଲ୍ୟ ଦେଉଛି । ଅତୀତର ପ୍ରେମ କବିତା ସରଳ କିନ୍ତୁ ସୂକ୍ଷ୍ମ, ଏକ ଅଲୌକିକ ସ୍ପନ୍ଦନରେ ସ୍ପନ୍ଦିତ ଓ ଏବେକାର ପ୍ରେମ କବିତାର ଗଠନ ଓ ଅଭିବ୍ୟକ୍ତି ଜଟିଳ, ବେଶୀ ସ୍ଥୂଳ ।

ଶେଷରେ ମୁଁ ଖୁବ ଆନନ୍ଦିତ ଯେ ମୋର କବିତା ବିଷୟରେ ତମର ଏତେ ବିସ୍ତୃତ, ଏତେ ଗଭୀର, ନୂଆ, ଓ ସ୍ପଷ୍ଟ ବୁଝାମଣାରେ ପୂର୍ଣ୍ଣ ଏତେଗୁଡିଏ ପ୍ରଶ୍ନ ଉତ୍ତର ଦେଉ ଦେଉ ନିଜକୁ ବି ଚିହ୍ନିଲି, କେଦାର, ଧନ୍ୟବାଦ ।