ଚିତ୍ର - କମଳାକାନ୍ତ ରଥ, ସୌଜନ୍ୟ - ପ୍ରଶାନ୍ତ ପଟ୍ଟନାୟକ

ଷାଠିଏ ବର୍ଷ ଧରି ଓଡ଼ିଶାର ସାମାଜିକ ଜୀବନରେ ତାଙ୍କର ସଂଘର୍ଷ ଓ ସମ୍ପୃକ୍ତିର ସ୍ୱାକ୍ଷର ରହିଛି ।

ଜଣେ ଫଟୋଗ୍ରାଫର୍ ଭାବେ ବହୁ ଘଟଣା ଓ ଦୁର୍ଘଟଣା, ବିନ୍ୟାସ ଓ ବିପର୍ଯ୍ୟୟ, ଜୀବନ ଓ ମୃତ୍ୟୁର ଫଟୋଗ୍ରାଫ୍ ସେ ଉତ୍ତୋଳନ କରିଛନ୍ତି ।

ଜଣେ ବ୍ୟଙ୍ଗଶିଳ୍ପୀ ଭାବରେ ସମାଜ ବ୍ୟବସ୍ଥା ଓ କ୍ଷମତାଧାରୀଙ୍କୁ ବିଦ୍ରୂପ କରିଛନ୍ତି ।

ଜଣେ ବିଦ୍ରୋହୀ ଭାବରେ ସତ୍ୟର ସାମ୍‌ନା କରିବାକୁ ଯାଇ ସତ୍ତାପକ୍ଷର କ୍ରୋଧର ଶିକାର ହୋଇଛନ୍ତି ।

ଜଣେ ସୃଜନଶୀଳ ଲେଖକ ଭାବରେ ସମୟକୁ ଓ ସମାଜକୁ ନିଜ ଗପରେ ଆଙ୍କିଛନ୍ତି ।

ଜଣେ ସାମ୍ବାଦିକ ଭାବରେ ନିରବଚ୍ଛିନ୍ନ ଭାବରେ ନିଜ ସମୟର ଦସ୍ତାବିଜ୍ ପ୍ରସ୍ତୁତ କରିଛନ୍ତି ।

କବି, ଗାଳ୍ପିକ, ସାମ୍ବାଦିକ, ବ୍ୟଙ୍ଗଶିଳ୍ପୀ, ସ୍ତମ୍ଭକାର ଓ ସମ୍ପାଦକ ଏମିତି ବହୁ ପରିଚୟ ତାଙ୍କର ।

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ରଘୁନାଥ ପଟ୍ଟନାୟକଙ୍କର ଜ୍ୟେଷ୍ଠ ପୁତ୍ର ଭାବରେ ଖୋର୍ଦ୍ଧାଜିଲ୍ଲାର ଓଳସିଂହରେ ତାଙ୍କର ଜନ୍ମ ।

ଉଚ୍ଚଶିକ୍ଷା ପରେ ସ୍ୱାଧୀନ ଭାବରେ ସାମ୍ବାଦିକତାକୁ ସେ ବୃତ୍ତି ରୂପରେ ବରଣ କରନ୍ତି ।

ଗାଳ୍ପିକ ଭାବରେ ତାଙ୍କର ଗଳ୍ପସଂକଳନ 'ଅନ୍ଧକାରର କାବ୍ୟ ', 'ପୁନଶ୍ଚ ଅନ୍ଧାର', 'ରାବଣପୋଡ଼ି' ଓ 'କୃଷ୍ଣଚୂଡ଼ାର ରଙ୍ଗ' ପାଠକୀୟ ଆଦୃତି ପାଇଛି ।

ସ୍ତମ୍ଭକାର ଭାବରେ ତାଙ୍କର ପୁସ୍ତକ 'ମରୁତୀର୍ଥର ଜଳ' ଓ 'ମୋ ଦୃଷ୍ଟିରେ' ବେଶ୍ ଚର୍ଚ୍ଚିତ ।

ସେହିପରି ପୁସ୍କିନ୍‌ଙ୍କ ଉପନ୍ୟାସ 'କଳାପାନ୍ ରାଣୀ' ର ସେ ଅନୁବାଦକ ।

କଳିଙ୍ଗ, ପ୍ରଜାତନ୍ତ୍ର, ଇଷ୍ଟର୍ଣ୍ଣ ଟାଇମ୍‌ସ, ଅମୃତବଜାର ପତ୍ରିକା, ପାଟ୍ରିଅଟ୍‌, ନ୍ୟୁଜ୍ ଟାଇମ୍‌, ଇନାଡୁ, ପାନ୍ ଏସିଆନ୍ ନ୍ୟୁଜ୍ ପେପର୍ ଏଲାଏନ୍ସ, ଲ୍ୟାଣ୍ଡ୍ ଏଣ୍ଡ୍ ଲାଇଫ୍ ଓ ଇଣ୍ଡିଆ ଟିଭିର ସାମ୍ବାଦିକ ଭାବରେ ଅନେକ ଚର୍ଚ୍ଚିତ ସମ୍ବାଦ ସେ ପରିବେଷଣ କରିଛନ୍ତି ।

ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ସୃଜନକର୍ମୀ ପ୍ରଶାନ୍ତ ପଟ୍ଟନାୟକଙ୍କ ସହ ଏକ ଅନ୍ତରଙ୍ଗ ସାକ୍ଷାତକାର ।

ପ୍ରସ୍ତୁତି ଓ ଉପସ୍ଥାପନା : କେଦାର ମିଶ୍ର

ଆପଣଙ୍କ ଜନ୍ମସ୍ଥାନ ଖୋର୍ଦ୍ଧା ଜିଲ୍ଲାର ଓଳସିଂହ, ଓଡ଼ିଶାର ଇତିହାସ କ୍ଷେତ୍ରରେ ଏକ ପ୍ରଖ୍ୟାତ ଗ୍ରାମ । ସେ ଗାଁର ସ୍ମୃତିକୁ ନେଇ କିଛି କୁହନ୍ତୁ ?

ମୋର ଜନ୍ମସ୍ଥାନ ଓଳସିଂହ । ତଦନାନ୍ତୀନ ପୁରୀ ଜିଲ୍ଲାର ଏକ ସୁପରିଚିତ ଗ୍ରାମ ଥିଲା । ଶିକ୍ଷା, ସଂସ୍କୃତି, କଳା ପ୍ରଭୃତି କ୍ଷେତ୍ରରେ ଏହାର ଭିତ୍ତି ଖୁବ୍ ମଜବୁତ୍ ଥିଲା । ମୋର ଜେଜେବାପା ଦାଶରଥୀ ପଟ୍ଟନାୟକ ଜଣେ ଅତ୍ୟନ୍ତ ସୌଖୀନ ବ୍ୟକ୍ତି ଥିଲେ । ନିଜେ ଚିତ୍ର ଆଙ୍କିବା ସହ କଳାକାରମାନଙ୍କୁ ପୃଷ୍ଠପୋଷକତା କରିବା ତାଙ୍କର ଅନ୍ୟତମ ସୌକ୍ ଥିଲା । ଗ୍ରାମାଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ସେ ଯେଉଁ ହାଇସ୍କୁଲ୍‌ଟି ପ୍ରତିଷ୍ଠା କରିଥିଲେ, ତାହା ଥିଲା ପୁରୀଜିଲ୍ଲାର ତୃତୀୟ ହାଇସ୍କୁଲ । ଏହି ହାଇସ୍କୁଲରେ ନୟାଗଡ଼, ଦଶପଲ୍ଲା, ରଣପୁର, ବାଣପୁର ପ୍ରଭୃତି ଅଞ୍ଚଳର ବହୁ ଛାତ୍ର ଶିକ୍ଷାଲାଭ କରିବାର ସୁଯୋଗ ପାଉଥିଲେ । ଜେଜେବାପା ପରାଧୀନ ଭାରତର ଜଣେ ଜମିଦାର ଭାବରେ ବ୍ରିଟିଶ୍ ସରକାରଙ୍କ ପ୍ରତି ସମ୍ପୂର୍ଣ୍ଣ ଆନୁଗତ୍ୟ ଦେଖାଇବା ପରିବର୍ତ୍ତେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସବୁପ୍ରକାର ସାହାଯ୍ୟ ଓ ସହଯୋଗ କରୁଥିଲେ । ସେତେବେଳେ ସତ୍ୟବାଦୀ ବନ ବିଦ୍ୟାଳୟରେ ମୁଖ୍ୟତଃ ବ୍ରାହ୍ମଣ ସମ୍ପ୍ରଦାୟର ଛାତ୍ରମାନଙ୍କୁ ଗ୍ରହଣ କରାଯାଉଥିବାରୁ ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟର ଛାତ୍ରମାନେ ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହେଉଥିବା ଯୋଗୁଁ ସ୍ୱାମୀ ବିଚିତ୍ରାନନ୍ଦ ଦାଶ, କବି ବିଚ୍ଛନ୍ଦ ଚରଣ ପଟ୍ଟନାୟକ, ଶିକ୍ଷାବିତ୍ ଶ୍ରୀକୃଷ୍ଣ ମହାନ୍ତି, ଜଗମୋହନ ପଟ୍ଟନାୟକ ପ୍ରମୁଖଙ୍କ ପ୍ରେରଣାରେ ଏହି ସ୍କୁଲଟି ପ୍ରତିଷ୍ଠିତ ହୋଇଥିଲା । ବହୁ ସ୍ୱାଧୀନଚେତା ଓ ବିପ୍ଳବୀ ଛାତ୍ର ଏଠାରେ ଶିକ୍ଷାଲାଭ କରିବାର ସୁଯୋଗ ପାଉଥିଲେ । ବ୍ରିଟିଶ୍ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ଯେଉଁ ଛାତ୍ରମାନଙ୍କୁ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ବହିଷ୍କାର କରାଯାଉଥିଲା, ସେମାନେ ଏହି ସ୍କୁଲରେ ନିରାପଦରେ ଶିକ୍ଷାଲାଭ କରିବାର ସୁଯୋଗ ପାଉଥିଲେ । ଦୂରଦୂରାନ୍ତରୁ ଆସୁଥିବା ଛାତ୍ରମାନଙ୍କୁ ପଢିବାର ସୁଯୋଗ ଦେବା ପାଇଁ ସ୍କୁଲ୍ ହଷ୍ଟେଲ୍‌ରେ ବିଶେଷ ସୁବିଧା ହୋଇଥିଲା । ଗରିବ ଓ ମେଧାବୀ ଛାତ୍ରମାନଙ୍କୁ ଛାତ୍ରବୃତ୍ତି ଦେବା ସହ ମାଗଣାରେ ଖାଇବା ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।

ବ୍ରିଟିଶ୍ ଶାସନ ସମୟରେ କମ୍ୟୁନିଷ୍ଟ୍ ପାର୍ଟିରେ ଯୋଗଦେବା ଲାଗି କ୍ୱଚିତ୍ ଯୁବକ ସାହସ କରୁଥିବା ସମୟରେ ଭଗବତୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଓଡ଼ିଶାରେ କମ୍ୟୁନିଷ୍ଟ୍ ପାର୍ଟି ଗଠନ ପାଇଁ ଉଦ୍ୟମ ହେବା ସମୟରେ ଆମ ଗାଁର ଲକ୍ଷ୍ମଣ ପଟ୍ଟନାୟକ, ଶିବାଜୀ ପଟ୍ଟନାୟକ ପ୍ରମୁଖ କମ୍ୟୁନିଷ୍ଟ୍ ପାର୍ଟିରେ ଯୋଗଦେବା ପାଇଁ ଆଗେଇ ଆସିଥିଲେ । ଶ୍ରୀପାଣିଗ୍ରାହୀଙ୍କ ନେତୃତ୍ୱରେ ଯେଉଁ ୧୭ଜଣଙ୍କୁ ନେଇ ଓଡ଼ିଶାରେ କମ୍ୟୁନିଷ୍ଟ୍ ପାର୍ଟିର ମୂଳଦୁଆ ପଡ଼ିଥିଲା, ସେମାନଙ୍କ ମଧ୍ୟରେ ମୋର ବାପା ଥିଲେ ଅନ୍ୟତମ । ସେହି ଦୃଷ୍ଟିରୁ ଆମ ଘର ଥିଲା ରାଜନେତାମାନଙ୍କ ପାଇଁ ଏକ ନିରାପଦ ସ୍ଥଳ । ପ୍ରାଣନାଥ ପଟ୍ଟନାୟକ, ଗୁରୁଚରଣ ପଟ୍ଟନାୟକ, ଅନନ୍ତ ପଟ୍ଟନାୟକ, ଗୋକୁଳ ମୋହନ ରାୟ ଚୂଡ଼ାମଣି, ଗଙ୍ଗାଧର ପାଇକରାୟ ପ୍ରଭୃତି ଆମ ଗାଁକୁ ସେମାନଙ୍କ ରାଜନୈତିକ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳୀରେ ପରିଣତ କରି ଗଡ଼ଜାତର ପ୍ରଜା ଆନ୍ଦୋଳନଠାରୁ ଆରମ୍ଭ କରି ରାଜ୍ୟର କୃଷକ ଆନ୍ଦୋଳନ ପର୍ଯ୍ୟନ୍ତ ସବୁପ୍ରକାର ବିପ୍ଳବୀ କାର୍ଯ୍ୟକଳାପରେ ଜଡ଼ିତ ରହୁଥିଲେ ।

ଶିକ୍ଷା ସହ କଳା ଓ ସଂସ୍କୃତିରେ ଆମ ଗାଁର ବେଶ୍ ପରିଚୟ ଥିଲା । ପ୍ରଖ୍ୟାତ ଚିତ୍ରଶିଳ୍ପୀ ଉପେନ୍ଦ୍ର ମହାରଥୀ ଏହିଠାରେ ଶିକ୍ଷା ଲାଭ କରିଥିଲେ । ଆକାଶବାଣୀ, କଟକ କେନ୍ଦ୍ରରେ ଯେଉଁ ସ୍ୱଳ୍ପ କେତେଜଣ ମହିଳା କଣ୍ଠଦାନ କରିବାର ସୁଯୋଗ ପାଇଥିଲେ, ସେମାନଙ୍କ ମଧ୍ୟରେ ଥିଲେ ଆମ ଗାଁର ପ୍ରଭାତୀ ପଟ୍ଟନାୟକ (ବେଙ୍ଗୀ ଅପା) । ତାଙ୍କ ସାନଭାଇ ଗୋକୁଳ ବିହାରୀ ପଟ୍ଟନାୟକଙ୍କ ଦ୍ୱାରା ଅଙ୍କିତ ପାରମ୍ପରିକ ପଟ୍ଟଚିତ୍ର ଦେଶବିଦେଶରେ ପ୍ରଖ୍ୟାତ । ଅଭିନୟ ଓ ସଙ୍ଗୀତକୁ ଆମ ଗାଁରୁ ଯଥେଷ୍ଟ ଉତ୍ସାହ ଯୋଗାଇ ଦିଆଯାଉଥିଲା । ଡିମିରିସେଣା ଗ୍ରାମର ପ୍ରଖ୍ୟାତ ଗୋଟିପୁଅ ଗୁରୁ ଓ ପୃଷ୍ଠପୋଷକ ଚନ୍ଦ୍ରଶେଖର ପଟ୍ଟନାୟକ ତାଙ୍କ ଦ୍ୱାରା ତାଲିମ୍‌ପ୍ରାପ୍ତ ଗୋଟିପୁଅ କଳାକାରମାନଙ୍କୁ ଆଣି ଆମଗାଁରେ ନୃତ୍ୟ ପ୍ରଦର୍ଶନ ପାଇଁ ଯଥେଷ୍ଟ ସହଯୋଗ ଓ ଉତ୍ସାହ ଲାଭ କରୁଥିଲେ ।

ସ୍ୱାଧୀନତା ସଂଗ୍ରାମୀ ଓ ବିପ୍ଳବୀମାନେ ପୋଲିସ୍ କବଳରୁ ଆତ୍ମରକ୍ଷା ପାଇଁ ବଣଜଙ୍ଗଲ ଓ ହରିଜନ ବସ୍ତିମାନଙ୍କରେ ଆତ୍ମଗୋପନ କରୁଥିବା ସମୟରେ ରାତ୍ରିର ବିଳମ୍ବିତ ପ୍ରହରରେ ଏକ ଗୋପନ ରାସ୍ତା ଦେଇ ଆମ ଘରକୁ ଆସୁଥିଲେ ଏବଂ ମୋ' ବୋଉ ଆନନ୍ଦର ସହ ସେମାନଙ୍କୁ ରାନ୍ଧିବାଢି ଖାଇବାକୁ ଦେବା ସଙ୍ଗେସଙ୍ଗେ ଆତ୍ମଗୋପନ ସମୟରେ ସାଙ୍ଗରେ ନେବା ପାଇଁ ଚୁଡ଼ା, ଗୁଡ଼, ଚାଉଳ, ଡାଲି, ଔଷଧ ପ୍ରଭୃତି ଯୋଗାଇ ଦେଉଥିଲା । ଆମେ ଥିଲୁ ୪ ଭାଇ ଓ ୯ ଭଉଣୀ । ମୋ ପିଉସୀଙ୍କର ୪ ପୁଅ ଓ ୩ ଝିଅ ମଧ୍ୟ ଆମ ସହ ରହୁଥିଲେ । ତେଣୁ ଯୌଥ ପରିବାରର ଚଳିବାର ଆନନ୍ଦ ଉପଭୋଗ କରିବାର ସୁଯୋଗ ପାଇଥିଲୁ ।

ଆପଣଙ୍କ ସମୟର ଯୁବକମାନେ ଉଚ୍ଚଶିକ୍ଷା ଲାଭ ପରେ ଯେତେବେଳେ ସରକାରୀ ଚାକିରିକୁ ସବୁଠୁ ଅଧିକ ପ୍ରାଧାନ୍ୟ ଦେଉଥିଲେ, ସେତେବେଳେ ସାମ୍ବାଦିକତାକୁ ବୃତ୍ତି ଭାବରେ ବରଣ କରିବା ପାଇଁ ଆପଣ ସାହସ କଲେ କେମିତି ?

ଏକ ରାଜନୈତିକ ପରିବାରରେ ମୋର ଜନ୍ମ ଏବଂ ପିଲାଦିନରୁ ବହୁ ରାଜନୀତିକ ବ୍ୟକ୍ତି, ଲେଖକ, କବି, ଶିକ୍ଷାବିତ୍‌, ଆଇନଜ୍ଞମାନଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ପାଇଥିଲି । ଆମ ଘରକୁ ଏକାଧିକ ଓଡ଼ିଆ ଓ ଇଂରାଜୀ ସମ୍ବାଦପତ୍ର ଏବଂ ପତ୍ରପତ୍ରିକା ଆସୁଥିବାରୁ ସେସବୁ ପଢିବାର ସୁଯୋଗ ପାଇ ମୁଁ ଶିକ୍ଷାସମାପ୍ତି ପରେ ସାମ୍ବାଦିକତା କରିବି ବୋଲି ମନସ୍ଥ କରିଥିଲି । କାରଣ ମୋ' ମତରେ ତାହା ଥିଲା ଏକମାତ୍ର ପେସା, ଯାହାଦ୍ୱାରା ରାଜ୍ୟର ଗରିବ, ଅସହାୟ ଓ ନିଷ୍ପେସିତମାନଙ୍କର ସମସ୍ୟା ପ୍ରତି ସରକାର ଓ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରି ନିରାକରଣ କରିବା ଦିଗରେ ସୁଯୋଗ ପାଇବି । ସରକାରୀ ଚାକିରି କରି ଟଙ୍କା ରୋଜଗାର କଲେ ସମାଜ ପାଇଁ କିଛି କରିବା ନିମନ୍ତେ ସୁଯୋଗ ପାଇବି ନାହିଁ ବୋଲି ଦୃଢ ଧାରଣା ଥିବାରୁ ଶିକ୍ଷା ସମାପ୍ତି ପରେ ସରକାରୀ ବା ଶିଳ୍ପାନୁଷ୍ଠାନରେ ଚାକିରି ନ କରି ସାମ୍ବାଦିକତାକୁ ପେସା ଭାବରେ ଗ୍ରହଣ କଲି । ମୋର ଏହି ନିଷ୍ପତ୍ତିରେ ମୋର ବାପା ସବୁଠାରୁ ଅଧିକ ଖୁସିଥିବାରୁ ମୁଁ କୌଣସି ପରାମର୍ଶ ବା ସମାଲୋଚନାକୁ ଖାତିର ନ କରି ସାମ୍ବାଦିକତାକୁ ପେସା ଭାବରେ ଆଦରି ନେଲି ।

'କଳିଙ୍ଗ'ରେ ଆପଣଙ୍କ ସାମ୍ବାଦିକତା ଜୀବନର ଆରମ୍ଭ ସହ ଓଡ଼ିଶାର ସାମ୍ବାଦିକତାରେ ଅନେକ ନୂଆ ଘଟଣାର ସମ୍ପର୍କ ରହିଛି । କଳିଙ୍ଗର କାର୍ଯ୍ୟଶୈଳୀ ଓ ଏହା ବନ୍ଦ ହେବା ପଛରେ କ'ଣ କାରଣ ଥିଲା ବୋଲି ଆପଣ ଭାବୁଛନ୍ତି ?

ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ 'କଳିଙ୍ଗ' ସମ୍ବାଦପତ୍ରରେ ଯୋଗଦେବା ପୂର୍ବରୁ ମୁଁ କଟକରୁ ପ୍ରକାଶିତ 'ଅମୃତ ବଜାର' ପତ୍ରିକାରେ ଯୋଗଦେଇଥିଲି । ସେତେବେଳେ ଏହି ସମ୍ବାଦପତ୍ରଟି ବିଜବାବୁଙ୍କ ବାସଭବନ ତୁଳସୀପୁରସ୍ଥ 'ଆନନ୍ଦଭବନ' ରୁ ପ୍ରକାଶିତ ହେଉଥିଲା । ବିବଦମାନ ପରିସ୍ଥିତିରେ 'ଅମୃତ ବଜାର' ପତ୍ରିକାରୁ ଇସ୍ତଫା ଦେବାପରେ 'କଳିଙ୍ଗ' ର ସମ୍ପାଦକ ପ୍ରଖ୍ୟାତ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି ମତେ ସାଙ୍ଗରେ ନେଇ ବିଜୁବାବୁଙ୍କ ନିକଟକୁ ଯାଇଥିଲେ । ପୂର୍ବରୁ ହୁଏତ ବିଜୁବାବୁଙ୍କ ସହ ତାଙ୍କର ମୋ' ସମ୍ପର୍କରେ କିଛି କଥାବାର୍ତ୍ତା ହୋଇଥିଲା । ତେଣୁ ମୋତେ ଦେଖିବା ମାତ୍ରେ ବିଜୁବାବୁ କହିଥିଲେ, 'କଳିଙ୍ଗ' ର ଭୁବନେଶ୍ୱର ପ୍ରତିନିଧି ଭାବରେ ଯୋଗଦେବା ଲାଗି ମୋ' ସହ ଭୁବନେଶ୍ୱର ଚାଲ । ମୋତେ ଆଉ କିଛି କହିବାର ସୁଯୋଗ ନ ଦେଇ ଭୁବନେଶ୍ୱର ନେଇ ଆସିଥିଲେ । ମୋତେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ପରିଚାଳିତ ଓଡ଼ିଶା ସରକାର 'କଳିଙ୍ଗ' କୁ ବିଜ୍ଞାପନ ଦେବା ବନ୍ଦ କରିଦେଇଥିବାରୁ ଏହାର ଆର୍ଥିକ ସ୍ଥିତି ଭଲ ନାହିଁ । ରାଜଧାନୀରେ 'କଳିଙ୍ଗ' କିଭଳି ଭାବରେ ଏକ ବହୁ ଚର୍ଚ୍ଚିତ ସମ୍ବାଦପତ୍ର ହେବ ଏବଂ ଏହାର ପ୍ରଭାବ ଦେଖି ରାଜ୍ୟ ସରକାର ବିଜ୍ଞାପନ ଦେବା ଲାଗି ବାଧ୍ୟ ହେବେ, ସେ ଦାୟିତ୍ୱ ତୁମକୁ ତୁଲାଇବାକୁ ପଡ଼ିବ । ଏଭଳି ଏକ ଚ୍ୟାଲେଞ୍ଜ୍‌କୁ ଗ୍ରହଣ କରିବାରେ କୁଣ୍ଠିତ ହେବ ନାହିଁ ବୋଲି ଭାବୁଛି ।

ପୂର୍ବର କଂଗ୍ରେସ ଶାସନ କାଳରେ ରାଜ୍ୟରେ ଦେଖାଯାଇଥିବା ଦୁର୍ନୀତି ବିରୋଧରେ ପବିତ୍ରମୋହନ ପ୍ରଧାନଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଦୁର୍ନୀତି ହଟାଓ ଅଭିଯୋଗରେ ସାମିଲ୍ ହୋଇ 'ମଦ ବୋତଲ ଯେଉଁଠି, ବିଜୁ ବିରେନ୍ ସେଇଠି' ସ୍ଲୋଗାନ ଦେଇ ମୁଁ ଓ ମୋର ବନ୍ଧୁମାନେ ରାଜ୍ୟରେ ସୃଷ୍ଟି କରିଥିବା ବିଜୁବିରୋଧୀ ହାୱାକୁ ଏଡାଇ ଶ୍ରୀ ସିଂଦେଓଙ୍କ ନେତୃତ୍ୱରେ ପରିଚାଳିତ ସ୍ୱତନ୍ତ୍ର - କଂଗ୍ରେସ ସରକାର ବିରୁଦ୍ଧରେ ଜନମତ ସୃଷ୍ଟି କରିବାରେ 'କଳିଙ୍ଗ' କେତେଦୂର ସଫଳ ହେବ, ସେ ସମ୍ପର୍କରେ ମୁଁ ନିଜେ ସଜ୍ଞାନ ଥିଲେ ବି ବିଜୁଙ୍କ ଚ୍ୟାଲେଞ୍ଜ୍‌କୁ ଗ୍ରହଣ କରିବା ଲାଗି ମୁଁ ସମ୍ମତ ହୋଇଥିଲି । ସେତେବେଳେ ରାଜଧାନୀରେ 'କଳିଙ୍ଗ' ର ପ୍ରସାର ଯଥେଷ୍ଟ ସୀମିତ ଥିଲା । ବିଜୁବାବୁ ଯେତେବେଳେ 'କଳିଙ୍ଗ'ର ପ୍ରକାଶନ ଆରମ୍ଭ କରିଥିଲେ, ସେତେବେଳେ ସେ ରାଜ୍ୟର ସାମ୍ବାଦିକତା କ୍ଷେତ୍ରରେ ନୂତନ ଦିଗ୍‌ଦର୍ଶନ ଦେବା ଲାଗି ଉଦ୍ୟମ କରିଥିଲେ । ତେଣୁ 'କଳିଙ୍ଗ' ର ପ୍ରଥମ ସମ୍ପାଦକ ଭାବରେ ସେ ଜଣାଶୁଣା କମ୍ୟୁନିଷ୍ଟ୍ ନେତା କବି ମନମୋହନ ମିଶ୍ରଙ୍କୁ ଦାୟିତ୍ୱ ଦେଇଥିଲେ । ସେହିଭଳି ଜଣାଶୁଣା କମ୍ୟୁନିଷ୍ଟ୍ ନେତା ବୈଦ୍ୟନାଥ ରଥଙ୍କୁ ଏହାର ଜେନେରାଲ୍ ମ୍ୟାନେଜର୍ ଭାବରେ ନିଯୁକ୍ତି ଦେଇଥିଲେ । ସାମ୍ବାଦିକତା ପେଶାକୁ ସମ୍ମାନଜନକ କରିବା ପାଇଁ ସେ ସାମ୍ବାଦିକମାନଙ୍କୁ ସରକାରୀ ଅଧ୍ୟାପକମାନଙ୍କଠାରୁ ଅଧିକ ଦରମା ଦେବା ଆରମ୍ଭ କରିଥିଲେ । ଫଳରେ କବି ଦୀପକ ମିଶ୍ର, ଅଧ୍ୟାପକ କୃଷ୍ଣ ମହାନ୍ତି ପ୍ରମୁଖ ଅଧ୍ୟାପକ ପଦବୀରୁ ଇସ୍ତଫା ଦେଇ 'କଳିଙ୍ଗ'ରେ ଯୋଗଦେଇଥିଲେ । ଏହି ସମ୍ବାଦପତ୍ରରେ ପ୍ରଖ୍ୟାତ କବି ଜ୍ଞାନୀନ୍ଦ୍ର ବର୍ମା, ନୂତନ କବିତାର ସ୍ରଷ୍ଟା ଭାନୁଜୀ ରାଓ ପ୍ରମୁଖ ମଧ୍ୟ କଳିଙ୍ଗକୁ ସମୃଦ୍ଧ କରିବା ଲାଗି ଉଦ୍ୟମରତ ଥିଲେ । ସେତେବେଳେ ବଙ୍କିମ ଚନ୍ଦ୍ର ଦାସ ଏହାର ଯୁଗ୍ମ ସମ୍ପାଦକ ଏବଂ ମୁଖ୍ୟ ପରିଚାଳକ ଭାବରେ ଦାୟିତ୍ୱ ତୁଲାଉଥା'ନ୍ତି । ଗୋଟିଏ ସରକାର ବିରୋଧୀ ସମ୍ବାଦପତ୍ରରେ ପ୍ରକାଶିତ ହେଉଥିବା ଅଧିକାଂଶ ସମ୍ବାଦକୁ ସରକାରଙ୍କ ତରଫରୁ ଖଣ୍ଡନ କରାଯାଇ ଏକ ଅଦ୍ଭୁତପୂର୍ବ ବାତାବରଣ ସୃଷ୍ଟି ହୋଇଥାଏ ।

ମୁଁ 'କଳିଙ୍ଗ' ରେ ଯୋଗ ଦେବାପରେ ତଥ୍ୟ ଓ ପ୍ରମାଣ ସହ ସରକାରୀ କଳ ଏବଂ ଦଳର ଦୋଷ ଦୁର୍ବଳତା ପ୍ରକାଶ କରିବା ପରେ ଅଧିକାଂଶ ସମ୍ବାଦକୁ ଖଣ୍ଡନ କରିବା ସମ୍ଭବପର ହୋଇନଥିଲା । ସେତେବେଳେ ହରିହର ପଟେଲ୍ ଥିଲେ ଶିଳ୍ପ ଓ ଲୋକ ସମ୍ପର୍କ ବିଭାଗର ମନ୍ତ୍ରୀ ଏବଂ ତାଙ୍କରି ନିର୍ଦ୍ଦେଶରେ ହିଁ 'କଳିଙ୍ଗ' କୁ ସରକାରୀ ବିଜ୍ଞାପନ ବନ୍ଦ କରାଯାଇଥାଏ । ପରିବର୍ତ୍ତିତ ପରିସ୍ଥିତିରେ 'କଳିଙ୍ଗ' ର କୌଣସି ସମ୍ବାଦକୁ ଖଣ୍ଡନ କରିବା ସମ୍ଭବ ନ ହେବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ତାଙ୍କ ବ୍ୟକ୍ତିଗତ ସଚିବ ଯୁଗଳ କିଶୋର ମିଶ୍ରଙ୍କ ଜରିଆରେ ଡକାଇ ତାଙ୍କ ସହ ଚା' ଖାଇବା ଲାଗି ମୋତେ ନିମନ୍ତ୍ରିତ କରିଥିଲେ । ଏଥିପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ବା ପରିଚିତ ହେବା ଲାଗି ମୁଁ ସୁଯୋଗ ପାଇନଥାଏ । ପ୍ରଥମ ସାକ୍ଷାତରେ ଶ୍ରୀ ସିଂହଦେଓ ମୋତେ ତୀକ୍ଷ୍ଣ ଭାବରେ ନିରୀକ୍ଷଣ କରିବା ପରେ ସ୍ମିତ ହସି କହିଥିଲେ, 'ଆପଣଙ୍କ ଲେଖା ପଢି ମୋର ଧାରଣା ହୋଇଥିଲା, ଆପଣ ନିଶ୍ଚିତ ଭାବରେ ଜଣେ ବୟସ୍କ ବା ପୋଖତ ଲୋକ ହୋଇଥିବେ । ମାତ୍ର ଆପଣଙ୍କୁ ଏତେ କମ୍ ବୟସ ଜାଣି ମୁଁ ବିସ୍ମିତ । 'କଳିଙ୍ଗ' କ୍ରମାଗତ ଭାବରେ ମୋ ସରକାର, ଦଳ ଏବଂ ମନ୍ତ୍ରୀ ଓ ବିଧାୟକମାନଙ୍କର କୁତ୍ସାରଟନା କରୁଥିବାରୁ ଏହି ସମ୍ବାଦପତ୍ରକୁ ଆମେ ବିଜ୍ଞାପନ ଦେବା ବନ୍ଦ କରିଦେଇଥିଲୁ । ମାତ୍ର ଏବେ ଯେଉଁ ସବୁ ସମ୍ବାଦ ପ୍ରକାଶ ପାଉଛି, ତାହା ଆମ ସରକାରର ଦକ୍ଷତା ବୃଦ୍ଧି ପାଇଁ ଉପାଦାନ ଯୋଗାଇ ଦେଇଥିବାରୁ ମୁଁ ବ୍ୟକ୍ତିଗତ ଭାବରେ ବହୁତ ଖୁସି । ସେହିଦୃଷ୍ଟିରୁ 'କଳିଙ୍ଗ' କୁ ସରକାରୀ ବିଜ୍ଞାପନ ଯୋଗାଇ ଦେବା ପାଇଁ ମୁଁ ନିଷ୍ପତ୍ତି ନେଇଛି ଏବଂ ଏ ସମ୍ପର୍କରେ ଶ୍ରୀ ପଟେଲ୍‌ଙ୍କୁ ମଧ୍ୟ କହିଛି । ଏହି ଦିନେ ଦୁଇଦିନ ମଧ୍ୟରେ ଆପଣ ନିଶ୍ଚିତ ଭାବରେ ଏ ସଂକ୍ରାନ୍ତୀୟ ଚିଠି ପାଇବେ । '

ତାହାହିଁ ହେଲା । 'କଳିଙ୍ଗ' କୁ ପୁନର୍ବାର ସରକାରୀ ବିଜ୍ଞାପନ ମିଳିଲା । ଏଥିପୂର୍ବରୁ କ୍ରମାଗତ ଭାବରେ ସରକାରୀ ଦଳ, ସରକାରୀ କଳ ଏବଂ ପ୍ରଭାବଶାଳୀ ଯନ୍ତ୍ରୀ, ତନ୍ତ୍ରୀମାନଙ୍କର ଦୁର୍ନୀତିକୁ ପଦାରେ ପକାଇବା ଦିଗରେ 'କଳିଙ୍ଗ' ଉଦ୍ୟମ କରୁଥିବାରୁ ଏହା ଜନସାଧାରଣଙ୍କ ଦ୍ୱାରା ଆଦୃତ ହୋଇ ଏହାର ପ୍ରସାର ସଂଖ୍ୟା ବହୁଗୁଣ ବଢିଯାଇଥିଲା ।

ପରବର୍ତ୍ତୀ କାଳରେ ଶ୍ରୀମତୀ ନନ୍ଦିନୀ ଶତପଥୀ କେନ୍ଦ୍ର ଇନ୍ଦିରା ଗାନ୍ଧି ମନ୍ତ୍ରିପରିଷଦରେ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଉପମନ୍ତ୍ରୀ ଭାବରେ ଯୋଗଦେବା ପରେ କେନ୍ଦ୍ର ସରକାରଙ୍କ ତରଫରୁ ପାଉଥିବା ଡିଏଭିପିର ବିଜ୍ଞାପନକୁ ବନ୍ଦ କରିଦେଇଥିଲେ । ଫଳରେ ନିଜର ସତ୍ତା ବଜାୟ ରଖିବା ପାଇଁ 'କଳିଙ୍ଗ' କୁ ଯଥେଷ୍ଟ ସଂଘର୍ଷ କରିବାକୁ ପଡ଼ିଥିଲା । ଏପରି ଏକ ସମୟରେ ରାଜ୍ୟ ରାଜନୀତିରେ ପରିବର୍ତ୍ତନ ଘଟିଥିଲା ଏବଂ ଶ୍ରୀମତୀ ଶତପଥୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିଲେ । ଏହାଫଳରେ ରାଜ୍ୟସରକାରଙ୍କଠାରୁ ମିଳୁଥିବା ବିଜ୍ଞାପନଗୁଡ଼ିକ ଆପେ ଆପେ ବନ୍ଦ ହୋଇଯିବ ଏବଂ 'କଳିଙ୍ଗ'କୁ ବଞ୍ଚାଇବା ଅସମ୍ଭବ ହୋଇପଡ଼ିବ ବୋଲ ଅନୁଭବ କରି ଶ୍ରୀ ପଟ୍ଟନାୟକ ଏହି ସମ୍ବାଦପତ୍ରଟିକୁ ବନ୍ଦ କରିଦେବା ଲାଗି ନିଷ୍ପତ୍ତି ନେଇଥିଲେ ।

ଫଟୋ ସାମ୍ବାଦିକତା କ୍ଷେତ୍ରରେ ଆପଣ ଓଡ଼ିଶାର ଅନ୍ୟତମ ଅଗ୍ରଣୀ ନାୟକ । ଫଟୋ ସାମ୍ବାଦିକତା ଏବଂ ସାଧାରଣ ସାମ୍ବାଦିକତାର ସମ୍ପର୍କକୁ ଆପଣ କେମିତି ଦେଖନ୍ତି ?

ଫଟୋ ସାମ୍ବାଦିକତା କ୍ଷେତ୍ରରେ ମୁଁ ପ୍ରବେଶ କରିବା ପୂର୍ବରୁ ସ୍ୱଳ୍ପ କେତୋଟି ଫଟୋ ଷ୍ଟୁଡ଼ିଓରେ କାର୍ଯ୍ୟରତ ଫଟୋଗ୍ରାଫର୍ ହିଁ ଏହି ପେସାରେ ଥିଲେ । ଶ୍ରୀ ହୃଦୟନାଥ ଦାଶ, ଉମାଚରଣ ମିଶ୍ର, ଶେଖ୍ କମରଦ୍ଦିନ୍ ପ୍ରଭୃତି ସ୍ୱଳ୍ପ କେତେଜଣ ପେଶାଦାର ଫଟୋଗ୍ରାଫର୍ ବିଭିନ୍ନ ସମ୍ବାଦପତ୍ର ପାଇଁ ଫଟୋ ଦେଉଥିଲେ । ସେତେବେଳେ ମୁଖ୍ୟତଃ ମନ୍ତ୍ରୀ ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ଫଟୋ ପ୍ରାୟତଃ ସମ୍ବାଦପତ୍ରମାନଙ୍କରେ ପ୍ରକାଶିତ ହେଉଥିଲା । ସାଧାରଣ ଖଟିଖିଆ ଲୋକମାନଙ୍କର ଦୁଃଖଦୁର୍ଦ୍ଦଶା ସମ୍ପର୍କିତ ଫଟୋଗ୍ରାଫ୍ ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଉନଥିଲା । ମୁଁ ଫଟୋ ସାମ୍ବାଦିକତା କରିବାକୁ ଆରମ୍ଭ କରିବା ପରେ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ବାଦପତ୍ରମାନଙ୍କରେ ପ୍ରକାଶିତ ହେଉଥିବା ସମ୍ବାଦ ଚିତ୍ରଗୁଡ଼ିକୁ ଅନୁଧ୍ୟାନ କରି ସେହି ଢାଞ୍ଚାରେ ସମ୍ବାଦର ଚିତ୍ର ଉଠାଇ ବିଭିନ୍ନ ସମ୍ବାଦପତ୍ରକୁ ପଠାଇଥିଲି ଏବଂ ସେସବୁ ପ୍ରକାଶିତ ହୋଇଥିଲା । ସାଧାରଣ ସାମ୍ବାଦିକତା କେବଳ ଲେଖାରେ ହିଁ ସୀମିତ ଥାଏ ତେଣୁ ଜଣେ ସାମ୍ବାଦିକକୁ ସବୁ ସମୟରେ ଘଟଣାସ୍ଥଳକୁ ଯିବାକୁ ପଡ଼ିନଥାଏ । ମାତ୍ର ଫଟୋ ସାମ୍ବାଦିକତା ପାଇଁ ଘଟଣାସ୍ଥଳକୁ ଯିବା ଏକାନ୍ତ ଅପରିହାର୍ଯ୍ୟ । ଏକହଜାର ଶବ୍ଦ ସମ୍ବଳିତ ଗୋଟିଏ ଲେଖାରେ ଯାହା ବର୍ଣ୍ଣନା କରିବା ସମ୍ଭବପର ହୋଇନଥାଏ, ଗୋଟିଏ ଫଟୋଗ୍ରାଫ୍‌ରେ ତାହା ସମ୍ଭବ ହୋଇଥାଏ । ଏବଂ ଏହା ଦର୍ଶକର ହୃଦୟରେ ସବୁଦିନ ପାଇଁ ଛାପ ଛାଡ଼ିଦେଇଥାଏ ।

ଜଣେ ସାମ୍ବାଦିକ ଭାବରେ ଆପଣ ସବୁବେଳେ ସରକାର ବିରୋଧରେ ଲେଖିଛନ୍ତି ଓ ସରକାରର କ୍ରୋଧର ଶିକାର ମଧ୍ୟ ହୋଇଛନ୍ତି । ବେଳେବେଳେ ବେଘର ମଧ୍ୟ ହୋଇଛନ୍ତି । ଏଥିପାଇଁ ଆପଣଙ୍କୁ କି ପ୍ରକାର ସଂଘର୍ଷ କରିବାକୁ ପଡିଛି ।

ମୁଁ ସାମ୍ବାଦିକତା ଆରମ୍ଭ କରିବା ଦିନରୁ କ୍ଷମତାଶାଳୀ ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କର ଗୁଣଗାନ କରିବା ପରିବର୍ତ୍ତେ ଦଳିତ, ନିଷ୍ପେସିତ ଓ ବଞ୍ଚିତ ଲୋକମାନଙ୍କର ଦୁଃଖଦୁର୍ଦ୍ଦଶା ସମ୍ପର୍କରେ ଲେଖିବା ସହ ସେମାନଙ୍କୁ ଶୋଷଣ କରୁଥିବା ବ୍ୟକ୍ତି ଏବଂ ଅନୁଷ୍ଠାନଗୁଡ଼ିକ ସମ୍ପର୍କରେ ନିଚ୍ଛକ ଚିତ୍ର ସମ୍ବାଦ ଓ ସମ୍ବାଦ ଚିତ୍ର ଜରିଆରେ ପରିବେଷଣ କରିଥିଲି । ଏହା ଅନେକ ସମୟରେ ଶାସକ ଓ ଶୋଷକମାନଙ୍କ ଅସଲ ଚେହେରା ପଦାରେ ପକାଇ ଦେଉଥିବାରୁ ସେମାନେ କ୍ଷୁବ୍ଧ ହେଉଥିଲେ । ପ୍ରାୟତଃ ଏହି ଶ୍ରେଣୀର ବ୍ୟକ୍ତିମାନେ ସରକାରରେ ଥିବାରୁ ଅଥବା ସରକାରଙ୍କୁ ନିୟନ୍ତ୍ରଣ କରୁଥିବାରୁ ମୁଁ ଜଣେ ସରକାର ବିରୋଧୀ ସାମ୍ବାଦିକ ବୋଲି କୁହାଯାଉଥିଲା । ମୋ ଲେଖା ଓ ସମ୍ବାଦ ଚିତ୍ର ଯେଉଁ ବ୍ୟକ୍ତି ବା ଗୋଷ୍ଠୀର ସ୍ୱାର୍ଥହାନି ଘଟାଉଥିଲା ବୋଲି ସେମାନେ ଅନୁଭବ କରୁଥିଲେ, ସେହି ଗୋଷ୍ଠୀ ବିଭିନ୍ନ ସମୟରେ ମୋର କଣ୍ଠରୋଧ କରିବା ପାଇଁ ଉଦ୍ୟମ କରିଥିଲେ । ରାଜନେତାମାନଙ୍କର ଦୁର୍ନୀତି ଓ କୁତ୍ସିତ କାର୍ଯ୍ୟକଳାପ ପଦାରେ ପକାଇବା ଲାଗି ଉଦ୍ୟମ କରୁଥିବାରୁ ମୋ ଉପରେ ବିଭିନ୍ନ ସମୟରେ ଆକ୍ରମଣ ପାଇଁ ଉଦ୍ୟମ ହେବା ଓ ମୋତେ ବେଘର କରାଯିବା ଭଳି ଘଟଣାର ସମ୍ମୁଖୀନ ହେବାକୁ ପଡିଥିଲା । ଯେଉଁସବୁ ପ୍ରତିକୂଳ ପରିସ୍ଥିତିରେ ମୁଁ ଓ ମୋର ଅଗ୍ରଜ ପ୍ରତିମ ସ୍ୱରୂପ ଜେନା ସାମ୍ବାଦିକତା କରୁଥିଲୁ ସେଥିପାଇଁ ସମାଲୋଚନା ଓ ଆକ୍ରମଣର ଶିକାର ହୋଇଥିଲେ ମଧ୍ୟ ଏଥିରୁ କଦାପି ନିବୃତ୍ତ ହୋଇନଥିଲୁ ।

ଆପଣ ଗପ ଲେଖନ୍ତି, ଫିଚର ମଧ୍ୟ ଲେଖନ୍ତି । ତେବେ ସାମ୍ବାଦିକତାର ପରିଚୟ ଭିତରେ ଆପଣଙ୍କ ସାହିତ୍ୟିକର ପରିଚୟଟି ଲୁଚିଯାଇଛି ବୋଲି ଆପଣ ଭାବନ୍ତି କି ?

ମୁଁ ଛାତ୍ରାବସ୍ଥାରୁ ଗପ ଓ କବିତା ଲେଖିବା ଆରମ୍ଭ କରିଥିଲି । ବିଶିଷ୍ଟ ହାସ୍ୟରସ ଲେଖକ ଶ୍ରୀ ଫତୁରାନନ୍ଦଙ୍କ ନିକଟତମ ସଂସ୍ପର୍ଶରେ ଆସିବା ପରେ ତାଙ୍କରି ପ୍ରେରଣାରେ ବ୍ୟଙ୍ଗ ଗଳ୍ପ ମଧ୍ୟ ଲେଖିବା ଆରମ୍ଭ କରିଥିଲି । ସାମ୍ବାଦିକତା ଓ ଫଟୋ ସାମ୍ବାଦିକତାରେ ଅନୁଭୂତି ସଂଗ୍ରହ କରିବା ପରେ ଫିଚର ମଧ୍ୟ ଲେଖିବା ଆରମ୍ଭ କଲି । ସେତେବେଳେ ଓଡ଼ିଶାର ପତ୍ରପତ୍ରିକାଗୁଡ଼ିକରେ କେବଳ ଗପ, କବିତା ଓ ପ୍ରବନ୍ଧ ପ୍ରକାଶ ପାଉଥିଲା । କଲିକତାରୁ ଶ୍ରୀକାନ୍ତ ପଣ୍ଡାଙ୍କ ସମ୍ପାଦନାରେ 'ଆସନ୍ତା କାଲି' ପ୍ରକାଶ ପାଇବାପରେ ତାଙ୍କରି ଅନୁରୋଧ ଓ ପ୍ରେରଣାରେ ମୁଁ ଫିଚର ଲେଖିବା ଆରମ୍ଭ କରିଥିଲି । ସେତେବେଳେ ଫିଚରଗୁଡ଼ିକ ବହୁ ପରିମାଣରେ ଲୋକପ୍ରିୟ ହୋଇଥିଲା । ସାମ୍ବାଦିକତା ମୋର ପେସା ଓ ନିଶାରେ ପରିଣତ ହୋଇଯିବାରୁ ସାହିତ୍ୟ ସାଧନା ପ୍ରତି ମୁଁ ଆଉ ବିଶେଷ ମନ ଦେଇ ପାରିନଥିଲି । ତେଣୁ ସାମ୍ବାଦିକତାର ପରିଚୟ ଭିତରେ ମୋ' ସାହିତ୍ୟିକର ପରିଚୟଟି କ୍ରମଶଃ ଲୁଚିଗଲା । ତଥାପି ଏବେବି ମୁଁ ସମୟ ସମୟରେ ଗପ ଲେଖୁଛି । କେବଳ ନିଚ୍ଛକ ସାମ୍ବାଦିକତାରେ ଯାହା ପାଠକମାନଙ୍କ ନିକଟରେ ବ୍ୟକ୍ତ କରିବା ଅନେକ ସମୟରେ ଅସମ୍ଭବ ହୋଇପଡ଼େ ଗଳ୍ପ ମାଧ୍ୟମରେ ତାହା ବ୍ୟକ୍ତ କରିବା ସହଜ ସାଧ୍ୟ ହୋଇଥିବାରୁ ମୋ' ଗଳ୍ପରେ ସାମ୍ବାଦିକତାର ଉପାଦାନ ଅଧିକ ରହିଥାଏ ।

ଓଡ଼ିଶାର ପ୍ରାୟ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଆପଣ ଖୁବ୍ ନିକଟରୁ ଦେଖିଛନ୍ତି । ସେମାନଙ୍କ ସହ ବ୍ୟକ୍ତିଗତ ସମ୍ପର୍କରେ ଆସିଛନ୍ତି । କହିବେ କି ଆପଣଙ୍କ ଦୃଷ୍ଟିରେ ସବୁଠୁ ପ୍ରଭାବଶାଳୀ ମୁଖ୍ୟମନ୍ତ୍ରୀ କେଉଁମାନେ ?

ଶ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କଠାରୁ ଆରମ୍ଭ କରି ଶ୍ରୀ ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସମ୍ପର୍କରେ ଆସିଛି । ଏବଂ ସେମାନଙ୍କୁ ଖୁବ୍ ନିକଟରୁ ଦେଖିଛି । ମୋ' ମତରେ ସବୁଠାରୁ ପ୍ରଭାବଶାଳୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଶ୍ରୀ ବିଜୁ ପଟ୍ଟନାୟକ ଓ ଶ୍ରୀମତୀ ନନ୍ଦିନୀ ଶତପଥୀ, ଶ୍ରୀ ସଦାଶିବ ତ୍ରିପାଠୀ ମଧ୍ୟ ଜଣେ ଦକ୍ଷ ମୁଖ୍ୟମନ୍ତ୍ରୀ ଥିଲେ ।

ଗଣମାଧ୍ୟମର ବହୁ ପରିବର୍ତ୍ତନ ଆପଣ ଅଙ୍ଗେ ନିଭେଇଛନ୍ତି । ସୀସା ଅକ୍ଷରରୁ ଡିଟିପି, ସାଧାରଣ ପ୍ରେସ୍‌ରୁ ଡିଜିଟାଲ୍ ପ୍ରେସ୍ ଓ ମାନୁଆଲ୍ କ୍ୟାମେରାରୁ ଡିଜିଟାଲ୍ କ୍ୟାମେରା ପର୍ଯ୍ୟନ୍ତ ସବୁ ପରିବର୍ତ୍ତନକୁ ଆପଣ ଦେଖିଛନ୍ତି ଏବଂ ସେହି ମାଧ୍ୟମରେ କାମ କରିଛନ୍ତି । ଏହି ସବୁ ପରିବର୍ତ୍ତନ ସହିତ ଖାପ ଖୁଆଇଲାବେଳେ ଆପଣଙ୍କର ଅନୁଭୂତି କେମିତି ?

ଫଟୋଗ୍ରାଫି ଓ ମୁଦ୍ରଣ ଶିଳ୍ପରେ ହୋଇଥିବା ବୈପ୍ଳବିକ ପରିବର୍ତ୍ତନକୁ ମୁଁ ଅଙ୍ଗେନିଭାଇଛି । ମାନୁଆଲ୍ ଫିଲ୍ଡ କ୍ୟାମେରା, ବକ୍ସ କ୍ୟାମେରା, ଫୋଲ୍‌ଡିଂ କ୍ୟାମେରା, ଟୁଇନ୍ ଲେନ୍ସ ରିଫ୍ଲେକ୍ସ କ୍ୟାମେରା, ଏସ୍‌ଏଲ୍‌ଆର୍ କ୍ୟାମେରା ଏବଂ ସର୍ବୋପରି ବର୍ତ୍ତମାନର ଡିଜିଟାଲ ଏସ୍‌ଏଲ୍‌ଆର୍ କ୍ୟାମେରା ସାହାଯ୍ୟରେ କାମ କରିବାର ରୋମାଞ୍ଚକର ଅନୁଭୂତି ମୋ' ର ଅଛି । ଏସମସ୍ତ ପରିବର୍ତ୍ତନ ପରିଶ୍ରମକୁ ଲାଘବ, ତ୍ୱରାନିତ ଓ ଆକର୍ଷଣୀୟ କରିଥାଏ । ସେହିଭଳି ମୁଦ୍ରଣ ଶିଳ୍ପରେ ଐତିହାସିକ ପରିବର୍ତ୍ତନ ବ୍ୟୟବହୁଳ ହେଲେ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ । ନୂଆ ନୂଆ ଜିନିଷ ଦେଖିବା ସହ ସେସବୁର କାର୍ଯ୍ୟ କରିବାର ଶୈଳୀ ସହ ନିଜକୁ ପରିଚିତ ଓ ଅଭ୍ୟସ୍ତ କରାଇବା ଲାଗି ମୋର ଅଦମ୍ୟ ଆଗ୍ରହ ଥିବାରୁ କୌଣସିଟି ପରିବର୍ତ୍ତନ ସହ ଖାପ ଖୁଆଇବାରେ କେତେବେଳେବି ମୁଁ ସମସ୍ୟାର ସମ୍ମୁଖୀନ ହୋଇନାହିଁ ।

କୁହାଯାଏ ବିଜୁ ପଟ୍ଟନାୟକଙ୍କ ସହିତ ଆପଣଙ୍କ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ଥିଲା । ବିଜୁବାବୁଙ୍କ ସହ କିଛି ବ୍ୟକ୍ତିଗତ ଅଭୁଲା ସ୍ମୃତି ବିଷୟରେ ଆମକୁ କୁହନ୍ତୁ ।

ବିଜୁବାବୁଙ୍କ ବଡ଼ ଭାଇ ଦାନ୍ତ ଡାକ୍ତର ଡକ୍ଟର ଜର୍ଜ ପଟ୍ଟନାୟକ ରେଭେନ୍ସା କଲେଜରେ ମୋ' ବାପାଙ୍କର ସହପାଠୀ ଥିଲେ । ସେ ଜଣେ ଦକ୍ଷ ଫୁଟବଲ୍ ଖେଳାଳୀ ଭାବରେ କଲେଜ୍ ଟିମ୍‌ରେ ଖେଳିବା ସମୟରେ ମୋ ବାପା ମଧ୍ୟ ତାଙ୍କ ସହ ଖେଳୁଥିଲେ । ବିଜୁବାବୁ ସେହି ସମୟରୁ ତାଙ୍କର ଖେଳ ସାଥୀ । ସମୟଚକ୍ରରେ ମୋର ପେସା ଓ ନିଶା ଯୋଗୁଁ ବିଜୁବାବୁଙ୍କ ସହ ମୋର ପରିଚୟ ହୋଇଥିଲା ଏବଂ ଘନିଷ୍ଠତା ମଧ୍ୟ ହୋଇଥିଲା । କଟକର 'ଆନନ୍ଦ ଭବନ' ଏବଂ ଭୁବନେଶ୍ୱରର 'ନବୀନ ନିବାସ' ରେ ତାଙ୍କ ସହ ବହୁ ଅନ୍ତରଙ୍ଗ ମୁହୂର୍ତ୍ତ କଟାଇବାର ସୁଯୋଗ ମଧ୍ୟ ମୁଁ ପାଇଥିଲି । ନିର୍ବାଚନ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଜୁଙ୍କ ସହ ଏକତ୍ର ଦୀର୍ଘପଥ ଯାତ୍ରା କରିବାର ସୁଯୋଗ ମଧ୍ୟ ପାଇଥିଲି । ତାଙ୍କର ସାହସ ଓ ବିନା ଦ୍ୱିଧାରେ ଯେକୌଣସି କାର୍ଯ୍ୟ ସମ୍ପାଦନା କରିବାର ଆଗ୍ରହ ଦେଖି ମୁଁ ବିସ୍ମିତ ହେଉଥିଲି । ପ୍ରଳୟଙ୍କରୀ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଜୁବାବୁ ନିଜେ ନାଭିଗେସନ୍ ମ୍ୟାପ୍ ଧରି ଆକାଶମାର୍ଗରୁ ରିଲିଫ୍ ସାମଗ୍ରୀ ଏୟାର୍ ରୋପିଂ ସମ୍ପର୍କରେ ପରାମର୍ଶ ଦିଅନ୍ତି । ହେଲିକପ୍ଟର ହେଉ ଅବା ଡାକୋଟା ବିମାନ ହେଉ କିମ୍ବା ବିମାନ ବାହିନୀର ବିଶାଳକାୟ ଟ୍ରାନ୍ସପୋର୍ଟ ବିମାନ ହେଉ ଆବଶ୍ୟକ ପଡ଼ିଲେ ସବୁଥିରେ ସେ ପାଇଲଟ୍‌ମାନଙ୍କୁ ଦିଗ୍‌ଦର୍ଶନ ଦେବା ପାଇଁ ଆଗେଇ ଆସନ୍ତି ।

ବିଜୁବାବୁ କୌଣସି କାମ କରିବା ଲାଗି କେବେହେଲେ କୁଣ୍ଠିତ ହେଉନଥିଲେ । ଏକଦା ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଶାର ବ୍ୟାପକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିବାରୁ ସେସବୁ ଅଞ୍ଚଳରେ ଆକାଶମାର୍ଗରୁ ଖାଦ୍ୟ ପଦାର୍ଥ ଯୋଗାଇ ଦେବା ଲାଗି ପଦକ୍ଷେପ ନିଆଯାଇଥିଲା । ତାହାର ଫଟୋ ଉଠାଇବା ପାଇଁ ମୁଁ ଗୋଟିଏ ହେଲିକପ୍ଟରରେ ଯିବା ଲାଗି ଅନୁମତି ହାସଲ କରିଥାଏ । ନିର୍ଦ୍ଦିଷ୍ଟ ସମୟରେ ବିମାନ ବନ୍ଦରରେ ପହଞ୍ଚି ଦେଖିଲି ହେଲିକପ୍ଟର ନିକଟରେ ଖାଦ୍ୟ ପଦାର୍ଥ ପହଞ୍ଚିଯାଇଛି । ଏହି ସମୟରେ ବିଜୁବାବୁ ସେଠାରେ ଆସି ପହଞ୍ଚି ରିଲିଫ୍ ସାମଗ୍ରୀ ପଠାଯିବାରେ ବିଳମ୍ବ ହେଉଥିବାର କାରଣ ସମ୍ପର୍କରେ ଜାଣିବାପାଇଁ ଚାହିଁଥିଲେ । ସେସମୟରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ଥିବା ଭି.ଏସ୍‌. ମ୍ୟାଥ୍ୟୁସ୍ ଓ ଅନ୍ୟାନ୍ୟ ପଦସ୍ଥ ଅଫିସରମାନେ କହିଥିଲେ ଯେ, ହେଲିକପ୍ଟରରେ ରିଲିଫ୍ ସାମଗ୍ରୀ ରଖିବା ପାଇଁ କୁଲିମାନଙ୍କୁ ଆଣିବା ନିମନ୍ତେ ଟ୍ରକ୍ ପଠାଯାଇଛି । ଏହାଶୁଣି ବିଜୁ ପ୍ରଚଣ୍ଡ ବିରକ୍ତ ହୋଇ କହିଥିଲେ ଯେ, 'ଲୋକମାନଙ୍କ ଜୀବନ ସହ ଖେଳିବା ସବୁଠୁ ବଡ଼ ଅପରାଧ ।' ଏବଂ ସେ ନିଜେ ଯାଇ ଦୁଇ ହାତରେ ଦୁଇଗୋଟି ବସ୍ତା ଉଠାଇ ନେଇ ହେଲିକପ୍ଟରରେ ରଖିଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ତୁଙ୍ଗ ଅମଲାତନ୍ତ୍ରୀମାନଙ୍କ ଭିତରେ ଛନକା ପଶିଯାଇଥିଲା ଏବଂ ସେମାନେ ମଧ୍ୟ ରିଲିଫ୍ ସାମଗ୍ରୀ ହେଲିକପ୍ଟରରେ ରଖିବା ଲାଗି ଉଦ୍ୟମ କରିଥିଲେ ।

ଓଡ଼ିଶାର ବହୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆପଣ ଘଟଣାସ୍ଥଳକୁ ଯାଇ ରିପୋର୍ଟ କରିଛନ୍ତି । ଯେତେବେଳେ ଓଡ଼ିଶାରେ ବିପର୍ଯ୍ୟୟ ରିପୋର୍ଟିଂର ବିଶେଷ ସୁଯୋଗ ନଥିଲା, ସେତେବେଳେ ଆପଣ ଉପକୂଳ ଓଡ଼ିଶା ବା ଉପାନ୍ତ ଓଡ଼ିଶାକୁ ଯାଇ ରିପୋର୍ଟିଂ କଲାବେଳେ କି ' ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିଲେ ?

ଓଡ଼ିଶାରେ ବହୁ ବରିଷ୍ଠ ଓ ଦକ୍ଷ ସାମ୍ବାଦିକ ଥାଇ ମଧ୍ୟ ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଜଧାନୀର ସୁଖ, ସ୍ୱାଚ୍ଛନ୍ଦ୍ୟ ଛାଡ଼ି ବିପର୍ଯ୍ୟୟଗ୍ରସ୍ତ ଅଞ୍ଚଳକୁ ଯାଇ ରିପୋର୍ଟିଂ କରିବା ଲାଗି କୁଣ୍ଠିତ ହେଉଥିଲେ । ଫଟୋ ସାମ୍ବାଦିକତା ପ୍ରତି ମୋର ଆନୁଗତ୍ୟ ଓ ଆକର୍ଷଣ ହେତୁ ଘଟଣାସ୍ଥଳକୁ ଯିବା ପାଇଁ ସବୁ ସମୟରେ ମୋର ଆଗ୍ରହ ଥାଏ ଏବଂ ନିଜେ ନ ଗଲେ ସଠିକ୍ ବିବରଣୀ ପ୍ରସ୍ତୁତ କରିବା ସମ୍ଭବ ହେଉନଥିବାରୁ ସବୁବେଳେ ବିପର୍ଯ୍ୟସ୍ତ ଅଞ୍ଚଳକୁ ଯିବା ପାଇଁ ମୁଁ ଆଗଭର ଥାଏ । ମୋ' ସହ ଅଧିକାଂଶ ସମୟରେ ସ୍ୱରୂପ ଜେନା ଯାଉଥିବା ସ୍ଥଳେ ସମୟ ସମୟରେ ଶ୍ରୀ ବଙ୍କିମ ଦାସ, ଶ୍ରୀ ସୁନୀତ ଘୋଷ ମଧ୍ୟ ମୋ' ସହ ବିପର୍ଯ୍ୟସ୍ତ ଅଞ୍ଚଳକୁ ଯାଉଥିଲେ । ସେସମୟରେ ମୋର ସମସାମୟିକ କେହି ଫଟୋ ସାମ୍ବାଦିକ ନଥିବାରୁ ମୁଁ ଉଠାଉଥିବା ସମ୍ବାଦଚିତ୍ରଗୁଡ଼ିକ ସେମାନେ ମୋ' ଠାରୁ ସଂଗ୍ରହ କରି ସମ୍ବାଦପତ୍ରମାନଙ୍କୁ ପଠାଉଥିଲେ । ବାତ୍ୟା, ବନ୍ୟା, ମରୁଡ଼ି ପ୍ରଭୃତି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୁଁ ଉଠାଉଥିବା ସମ୍ବାଦଚିତ୍ରଗୁଡ଼ିକୁ ପ୍ରଥମେ ବିଭିନ୍ନ ଜାତୀୟ ଓ ସ୍ଥାନୀୟ ସମ୍ବାଦପତ୍ରମାନଙ୍କରେ ପ୍ରକାଶିତ ହେଲାପରେ ଦିଲ୍ଲୀ, କଲିକତା ଓ ମୁମ୍ବାଇରୁ ଫଟୋ ସାମ୍ବାଦିକମାନେ ଓଡ଼ିଶା ଆସୁଥିଲେ । ପୁରୁଣା ବନ୍ଧଗୋଡ଼ାର ଘାତକ ଘୂର୍ଣ୍ଣିବଳୟ ହେଉ ଅଥବା ୧୯୯୯ ମସିହାର ପ୍ରଳୟଙ୍କରୀ ମହାବାତ୍ୟା ହେଉ ସବୁବେଳେ ମୁଁ ବିପର୍ଯ୍ୟସ୍ତ ଅଞ୍ଚଳରେ ପହଞ୍ଚିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ମଧ୍ୟ ସାଧାରଣ ଲୋକମାନଙ୍କର ଅକୁଣ୍ଠ ସହଯୋଗ ଫଳରେ ମୁଁ କେବେହେଲେ ବିଫଳ ହୋଇନାହିଁ । ରାଜଧାନୀ ରାସ୍ତାରେ ବିଭିନ୍ନ ରାଜନୈତିକ ଦଳ, ସଂଗଠନ, ବିକ୍ଷୋଭକାରୀ ଓ ପୋଲିସ୍ ମଧ୍ୟରେ ହେଉଥିବା ଗଣ୍ଡଗୋଳ ସମୟରେ ଫଟୋ ଉଠାଇବାକୁ ଯାଇ ବହୁବାର ବିପଦର ସମ୍ମୁଖୀନ ହୋଇଛି ଏବଂ ବହୁ ମୂଲ୍ୟବାନ କ୍ୟାମେରା ମଧ୍ୟ ହରାଇଛି ।

ଆପଣଙ୍କ ବୟସ ବଢୁନାହିଁ । ଏହାର କାରଣ କ'ଣ ?

ବାସ୍ତବରେ ପ୍ରତିମୁହୂର୍ତ୍ତରେ ମୋର ବୟସ ବଢିଚାଲିଛି । ଏହାକୁ ରୋକିବା ଲାଗି ମୁଁ କେବେହେଲେ ଉଦ୍ୟମ କରିନାହିଁ । ଅନେକେ ମୋତେ ଏ ସମ୍ପର୍କରେ ପ୍ରଶ୍ନ କରନ୍ତି ଏବଂ ମୋ'ର ଯୌବନର ରହସ୍ୟ କ'ଣ ଜାଣିବା ଲାଗି ବାଧ୍ୟ କରନ୍ତି । ମୁଁ ସମସ୍ତଙ୍କୁ ଉତ୍ତର ଦିଏ ଏବେ ମଧ୍ୟ ମୁଁ ମୋର ସମସ୍ତ ଯୁବ ସୁଲଭ ଅଭ୍ୟାସରୁ ଅବ୍ୟାହତି ନେଇନାହିଁ । କେବେହେଲେ କାହାର ଅନିଷ୍ଟ ଚିନ୍ତା କରିବା କିମ୍ବା କାହାକୁ ଆଘାତ ଦେବା ପରିବର୍ତ୍ତେ ସବୁ ଜିନିଷକୁ ହାଲ୍‌କା ଭାବରେ ଗ୍ରହଣ କରିବା ଓ ହସିହସି ସମୟ କଟାଇଦେବା ମୋ ଜୀବନଚଯ୍ୟାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ।

ଗୋଟେ ସମୟରେ ଆପଣ ଚମତ୍କାର ବ୍ୟଙ୍ଗ ଲେଖୁଥିଲେ, ତାକୁ ବନ୍ଦ କରିଦେଲେ କାହିଁକି ?

ମୁଁ ପିଲାଦିନୁ ମୋ ଚାରିପଟେ ଘଟୁଥିବା ସମସ୍ତ ଘଟଣାକୁ ନିରେଖି ଦେଖିବା ପାଇଁ ଚେଷ୍ଟା କରେ । ଛାତ୍ରାବସ୍ଥାରେ 'ନିଆଁଖୁଣ୍ଟାର' ସମ୍ପାଦକ ଗୋଦାବରୀଶ ମହାପାତ୍ରଙ୍କ ହୃଦୟଛୁଆଁ ବ୍ୟଙ୍ଗରଚନା ଓ ଗଳ୍ପର ମୁଁ ଥିଲି ଜଣେ ବିଦଗ୍ଧ ପାଠକ । ଶ୍ରୀ ମହାପାତ୍ର ଥିଲେ ମୋ' ବାପାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ । ବାଲୁଗାଁ ସ୍ଥିତ ଉମାମହେଶ୍ୱର ତୋଟାରେ ଶ୍ରୀ ମହାପାତ୍ରଙ୍କର ଗୋଟିଏ କାଠଗୋଦାମ ଥିଲା । ଏବଂ ତା'ରି ପଡ଼ିଶାରେ ଥିଲା ମୋ' ବାପା ଓ ପିଉସାଙ୍କ କାଠଗୋଦାମ । ସବୁ ଛୁଟି ମୁଁ ସେଇଠାରେ କଟାଉଥିଲି । ରେଭେନ୍ସା କଲେଜରେ ପଢିବା ସମୟରେ ବିଶିଷ୍ଠ ବ୍ୟଙ୍ଗ କଥାକାର ଫତୁରାନନ୍ଦଙ୍କ ସହ ମୋର ଘନିଷ୍ଠତା ହୋଇଥିଲା ଏବଂ ସେ ମୋତେ ନିଜର ସାନଭାଇ ଭାବରେ ଗ୍ରହଣ କରୁଥିଲେ । ସେ ମୋତେ ବ୍ୟଙ୍ଗ ଗଳ୍ପ ଲେଖିବା ପାଇଁ ଉତ୍ସାହିତ କରୁଥିଲେ । ତାଙ୍କରି ପ୍ରେରଣାରେ ମୁଁ ବ୍ୟଙ୍ଗଗଳ୍ପ ଲେଖିବା ଆରମ୍ଭ କରିଥିଲି ଏବଂ 'ଶ୍ରୀ ଲଛମନ' ଛଦ୍ମନାମରେ ମୋର ଅନେକଗୁଡ଼ିଏ ଗଳ୍ପ 'ଡଗର' ଏବଂ ଅନ୍ୟାନ୍ୟ ପତ୍ରିକାରେ ପ୍ରକାଶ ପାଇ ଲୋକାଦୃତ ହୋଇଥିଲା । ଏବେବି ବ୍ୟଙ୍ଗ ଗଳ୍ପ ଲେଖିବା ପାଇଁ ମୋର ଯଥେଷ୍ଟ ଆଗ୍ରହ ଥିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଯୋଗୁଁ ତାହା ସମ୍ଭବ ହୋଇପାରୁନାହିଁ ।

ଆପଣଙ୍କର ପରିଚୟ ବିବିଧ - ସାମ୍ବାଦିକ, ଗାଳ୍ପିକ, ଫଟୋଗ୍ରାଫର୍‌, ସମ୍ପାଦକ, ସଙ୍ଗଠକ ଓ ସାମାଜିକ କର୍ମୀ । ଏହିସବୁ ପରିଚୟ ଭିତରୁ ଆପଣ ନିଜେ କେଉଁ ପରିଚୟରେ ସବୁଠୁ ସହଜ ?

ସମସ୍ତ ପରିଚୟର ମିଶ୍ରଣରେ ମୋର ସାମ୍ବାଦିକ ପରିଚୟଟି ସମସ୍ତେ ଗ୍ରହଣ କରିନେଇଛନ୍ତି । ଏହି ପରିଚୟଟି ମୋର ସବୁଠାରୁ ସହଜ ପରିଚୟ । କାରଣ ଏହି ପରିଚୟଟି ଭିତରେ ମୋର ସମସ୍ତ କାର୍ଯ୍ୟକଳାପ ସୀମିତ କହିଲେ ଅତ୍ୟୁକ୍ତି ହେବ ନାହିଁ ।