ଫଟୋ - ଅଧ୍ୟାପକ ବିଶ୍ଵରଞ୍ଜନଙ୍କ ଫେସବୁକ କାନ୍ଥ

ଭଲପାଇବା ହିଁ ତାଙ୍କର ଠିକଣା । ସେ ସ୍ଵପ୍ନ ଓ ପ୍ରେମରେ ଚିରହରିତ ତାରୁଣ୍ୟର କଥାଶିଳ୍ପୀ । ଗପ, ଉପନ୍ୟାସ ଓ କବିତାର ସୃଜନଶୀଳତାରେ ସେ ଯେତିକି ନିମଗ୍ନ, ସ୍ତମ୍ଭ ରଚନାରେ ସେ ସେତିକି ସତର୍କ ଓ ଯୁକ୍ତିନିଷ୍ଠ । ନିରବଛିନ୍ନ ଭାବରେ ସାହିତ୍ୟ ଓ ସାମ୍ବାଦିକତାର ସେତୁ ଭାବେ କାମ କରିଥିବା ଅଧ୍ୟାପକ ବିଶ୍ଵରଞ୍ଜନ ଆମ ସମୟର ଅନ୍ୟତମ ବିବେକରକ୍ଷକ । ତାରୁଣ୍ୟର ଚିରହରିତ ଉପତ୍ୟକାରେ ନିରନ୍ତର ପ୍ରେମର ସାଧନା କରୁଥିବା ଏହି ବିଶିଷ୍ଟ କଥାଶିଳ୍ପୀଙ୍କ ସହିତ ଏକ ଅନ୍ତରଙ୍ଗ ଆଳାପ ।

ମୋତେ ଲାଗେ ପୁରୀ ଲୋକଙ୍କ ପାଖରେ କାହାଣୀ କହିପାରିବାର ଏକ ସ୍ୱତନ୍ତ୍ର କଳା ରହିଛି । ଆପଣ ସେ ବିଷୟରେ କ'ଣ କହିବେ ? ଟିକେ ପୁରୀର କଥା, ପିଲାଦିନର କଥା କୁହନ୍ତୁ ।

ମୁଁ ଜାଣିବାରେ ପୁରୀ ଲୋକଙ୍କ ସ୍ୱାଭାବିକ ଚଳଣି ହେଲା ସାଙ୍ଗ - ସଙ୍ଗାତ, ଭାଙ୍ଗ - ପଙ୍ଗତ, ଗପ - ଗମାତ । ସେମାନେ ଭାରି ମଉଜ ମଜଲିସ ପ୍ରିୟ । ଥରେ ଭାଙ୍ଗ ଟେଳାଏ ପଡ଼ିଗଲେ, ଭୋଜିଭାତରେ ବସି ପଡ଼ିଲେ ଗପର ଫୁଆରା ଛୁଟେ । ଢିଙ୍କିଶାଳରୁ ଢେଙ୍କାନାଳ ଯାଏଁ । କଥାରେ ନଥା ମିଶେଇ, ନ ଥିବା କଥାକୁ କାହାଣୀ କରିବାର କଳା ସେମାନଙ୍କୁ ବେଶ୍ ମାଲୁମ । ବିଜୟ ପ୍ରସାଦ ମହାପାତ୍ରଙ୍କ 'ପୁରୀର ଗଳ୍ପ' ଏବଂ ଗଣେଶ୍ୱର ମିଶ୍ରଙ୍କ ଅଧିକାଂଶ ଗଳ୍ପରେ ପୁରୀ ଲୋକଙ୍କ କାହାଣୀ କଳାର ଚିତ୍ର ଦେଖିପାରିବେ ।

ଆଉ ମୋ କଥା ? କ'ଣ କହିବି ? ପୁରୀରେ ମୋର ପିଲାଦିନ କଟିଛି ବୋଉ, ମା' ଓ ଜେଜେଙ୍କ ପାଖରେ । ବାପା ଥାଆନ୍ତି ଦୂରରେ । ବହୁ ଦୂରରେ । ଘୂରି ବୁଲୁଥାନ୍ତି ଓଡ଼ିଶା ସାରା - ନିଜର ପ୍ରଶାସନିକ ବୃତ୍ତିଗତ ଜୀବନରେ । ବର୍ଷକ ଥରେ ପୂଜାଛୁଟିରେ ଆଠ/ଦଶଦିନ ପାଇଁ ଆସନ୍ତି । ତେଣୁ ପିଲାଦିନ କଟିଛି ବାପାଙ୍କ ବିରହରେ । ଅବଶ୍ୟ ଜେଜେ ଓ ଜେଜେ ମା'ଙ୍କ ଆଦର ଯତ୍ନ ଓ ବୋଉର ସତର୍କ ସସ୍ନେହ ଦୃଷ୍ଟି ଭିତରେ । ମା'ର ହାତ ଧରି ବୁଲିଛି ସମୁଦ୍ର କୂଳ, ଶ୍ରୀମନ୍ଦିର ଓ ବଡ଼ଦାଣ୍ଡର ବଜାର । ହାତଟଣା ରିକ୍ସା, ଘୋଡ଼ାଗାଡ଼ିରେ ବସି ବୁଲିବାର ନିଆରା ଆନନ୍ଦ ବି ମିଳିଛି । ସାଂଗସୁଖ ତ ରହିଛି । କିନ୍ତୁ ଏସବୁ ଭିତରେ କେଜାଣି କେମିତି ଏକପ୍ରକାର ଏକାକୀତ୍ୱ ମୋତେ ଆଚ୍ଛନ୍ନ କରି ରଖିଛି । ବାପା ଦୂରରେ ଥିଲେ ମଧ୍ୟ ଡାକ ଯୋଗେ ମୋ ପାଖକୁ ପଠେଇ ଦେଉଥିବା 'ଟୁଆଁଟୁଇଁ', 'ପଞ୍ଚାମୃତ' ଭଳି ଶିଶୁ ପତ୍ରିକା ଓ ପିଲାଙ୍କ ଉପଯୋଗୀ ବହି ଭିତରେ ମୁଁ ନିଜକୁ ହଜେଇ ଦେଇଛି ।

ପିଲାଦିନେ ବାପାଙ୍କ ପାଖରେ ନ ପାଇବାର ଦୁଃଖ ତ ଥିଲା । ସେଥିରେ ପୁଣି ଶୈଶବର ସୋପାନ ଅତିକ୍ରମ କରି କୈଶୋରରେ ପାଦ ଦେଉ ଦେଉ ବୋଉକୁ ହରେଇବାର ବ୍ୟଥା ଓ ବେଦନାକୁ ସାଙ୍ଗ କରି ମୁଁ ଚାଲିଛି ଆଜି ଯାଏଁ । ଆଉ ବଢ଼ି ପାରିଲି ନାହିଁ । ପିଲାଦିନୁ ତିନୋଟି ଚିତ୍ର ସ୍ଥିର ହୋଇ ରହିଯାଇଛି ମୋ ମନ ଦର୍ପଣରେ । ସମୁଦ୍ରର ବେଳାଭୂମିରେ ଗୋଟିକ ପରେ ଗୋଟିଏ ଭାଙ୍ଗି ପଡୁଥିବା ଢେଉ, ସ୍ୱର୍ଗଦ୍ୱାରରେ ଜଳୁଥିବା ଜୁଇ, ମନ୍ଦିର ଭିତରେ ମା' ବିମଳାଙ୍କ ମୂର୍ତ୍ତି (ବାପାଙ୍କ ଆଶ୍ୱାସନା ବାଣୀ - ଆଜିଠାରୁ ଏଇ ତୋର ମାଆ) । ଅନ୍ତର୍ମୁଖୀ ପିଲାଦିନ ଏବେ ବି କ'ଣ ମୋ ଭିତରେ ବଞ୍ଚି ରହିନାହିଁ ?

ଆପଣ ଗପ, କବିତା, ଉପନ୍ୟାସ, ସ୍ତମ୍ଭ ରଚନା, ଏମିତି ବହୁ ବିଭାଗରେ ହାତ ଦେଇଛନ୍ତି । ଆପଣ ନିଜେ କେଉଁ ବିଭାଗରେ ସବୁଠୁ ବେଶୀ ସହଜ ଓ ସ୍ୱାଭାବିକ ?

କବିତାରୁ ତ ସର୍ଜନଶୀଳ ଜୀବନର ଆରମ୍ଭ । ପରେ ପରେ ଆସିଲେ ଗପ, ଉପନ୍ୟାସ ଏବଂ ସ୍ତମ୍ଭ ରଚନା । ମୁଁ ନିଜକୁ ସହଜ ଓ ସ୍ୱାଭାବିକ ମନେ କରେ ସ୍ତମ୍ଭ ରଚନାରେ । କାରଣ ଏଥିରେ ମୁହୂର୍ତ୍ତର ଅନୁଭବରୁ ଆରମ୍ଭ କରି ଅନେକ ସମସାମୟିକ ଘଟଣା ତଥା ସମସ୍ୟାକୁ ନିଜ ଦୃଷ୍ଟିରେ ବିଚାର କରି ପ୍ରକାଶ କରିବାର ପ୍ରଶସ୍ତ କ୍ଷେତ୍ର ଓ ସୁଯୋଗ ମୋତେ ମିଳିଥାଏ । ମାତ୍ର କବିତା ମୋର ଚିରଦିନର ସାଥୀ । କବିତା ଲେଖି ପ୍ରକାଶିତ ହୁଏ ବା ନ ହୁଏ, ମୁଁ କିନ୍ତୁ ସବୁବେଳେ କବିତାରେ ହିଁ ଥାଏ ।

ରାଜନୀତି ବିଜ୍ଞାନର ଅଧ୍ୟାପକ ଓ ରାଜନୀତିର ଆଲୋଚକ ଭାବରେ ଆପଣ ସମୟ ତଥା ସମାଜକୁ ନେଇ ଅନେକ କଥା ଲେଖିଛନ୍ତି, ହେଲେ ସୃଜନଶୀଳ ଜୀବନରେ ଆପଣ ଟିକେ ଅଧିକ ରୋମାଣ୍ଟିକ । ବାସ୍ତବତାରୁ ଏହା ଏକ ପଳାୟନର ବାଟ ବୋଲି ମୁଁ ଯଦି ଅଭିଯୋଗ କରେ ? (ଏ ଅଭିଯୋଗ କଲାବେଳେ ମୁଁ ବେଶ୍ ସଚେତନ ଯେ ଆପଣଙ୍କ କିଛି ଉପନ୍ୟାସ ଓ ଗପର ଉପାଦାନ ରାଜନୀତିରୁ ଆସିଛି )

ମୋର ସୃଜନଶୀଳ ଜୀବନକୁ ଯଦି କେହି ଲକ୍ଷ୍ୟ କରିଥିବେ ତେବେ ଦେଖିପାରିବେ, ପ୍ରେମ ଓ ପ୍ରତିବାଦ ହିଁ ଦୁଇଟି ମୁଖ୍ୟ ସ୍ୱର ମୋର ସାହିତ୍ୟିକ ବ୍ୟକ୍ତିତ୍ୱର । ତଥାପି ମୋର ସୃଷ୍ଟି ବିଚାରରେ ଅଧିକାଂଶ ମୋତେ "ପ୍ରେମିକ' ଶ୍ରେଣୀରେ ହିଁ ଅନ୍ତର୍ଭୁକ୍ତ କରିଥାନ୍ତି । ମୁଁ ଆଦୌ ଅସହମତ ନୁହେଁ କେଦାର ତୁମ ସହିତ ଯେ, ମୁଁ ଅଧିକ ଟିକେ ରୋମାଣ୍ଟିକ ମୋ ସୃଜନଶୀଳ ଜୀବନରେ । ମାତ୍ର ଏହାକୁ ବାସ୍ତବତା ଠାରୁ ପଳାୟନ ବାଟ କୁହାଯିବ କି ? ମୋ ପାଇଁ ଏ ଜୀବନ ଓ ଜଗତ ହେଉଛି ପ୍ରକୃତରେ ଖୁବ୍ ରୋମାଣ୍ଟିକ । Romancing with life is not an escape from reality, rather to face life boldly and beautifully.

ଆପଣ ଓଡ଼ିଶାର ଯେଉଁ ଜାଗାକୁ ଯାଇଛନ୍ତି, ସେ ଜାଗାକୁ ନେଇ ପ୍ରଚୁର ଲେଖିଛନ୍ତି । ଯେମିତି ଫୁଲବାଣୀ ବା ଢେଙ୍କାନାଳ । ବିଶେଷ କରି ଫୁଲବାଣୀ ଆପଣଙ୍କ ପାଇଁ କି ପ୍ରକାର ପ୍ରେରଣା ଓ ପରିବେଶ ଯୋଗାଇଥିଲା ?

ଏମ.ଏ ପାସ୍ କରିବା ପରେ ମୋର ଆଡହକ ପୋଷ୍ଟିଂ ମିଳିଗଲା ପ୍ରଥମେ ଫୁଲବାଣୀରେ - ୧୯୬୯ ମସିହାରେ । ସେ ସମୟରେ ଓଡ଼ିଶାର ୧୩ ନମ୍ବର ଜିଲ୍ଲା ଭାବେ ବିବେଚିତ ଫୁଲବାଣୀର ମାଳ ଅଞ୍ଚଳରେ ଅବସ୍ଥାନକୁ ମୁଁ ସହଜରେ ଗ୍ରହଣ କରିପାରିଲି ନାହିଁ । ବାପାଙ୍କ ପାଖକୁ ଚିଠି ଲେଖିଲି ମନର ଅବସ୍ଥା ଜଣାଇ । ବାପା ଉତ୍ତରରେ ଗୋଟିଏ କଥା ଲେଖିଥିଲେ - ଈଶ୍ୱରଙ୍କ ସୃଷ୍ଟିରେ ପ୍ରତ୍ୟେକ ସ୍ଥାନ ସୁନ୍ଦର । ଅନ୍ତର ଦେଇ ଭଲ ପାଇ ବସିଲେ, ଫୁଲବାଣୀ ତତେ ଖୁବ୍ ଭଲ ଲାଗିବ । ବାସ୍ ବଦଳିଗଲା ଦୃଷ୍ଟିକୋଣ । ଫୁଲବାଣୀର ଆତ୍ମା ସହିତ ଯୋଡ଼ି ହୋଇଗଲା ମୋର ଆତ୍ମା । ଫଳରେ ବର୍ଷକ ପରେ ଯେତେବେଳେ ମୁଁ ବଦଳି ଆଦେଶ ପାଇଲି, ସେତେବେଳେ ଫୁଲବାଣୀରୁ ଆସିବାକୁ ଆଦୌ ମନ ହେଲା ନାହିଁ । କି ଆଶ୍ଚର୍ଯ୍ୟ ସମ୍ପର୍କ ସତରେ ଏଇ ସ୍ଥାନଟି ସହିତ । ୧୯୮୮ରେ ଯେତେବେଳେ ଅଧ୍ୟାପକରୁ ପ୍ରାଧ୍ୟାପକ ଭାବରେ ପଦୋନ୍ନତି ମିଳିଲା ସେତେବେଳେ ପୋଷ୍ଟିଂ ହେଲା ଏଇ ଫୁଲବାଣୀରେ । ତତ୍କାଳୀନ ଶିକ୍ଷାମନ୍ତ୍ରୀ ଯଦୁନାଥ ଦାଶ ମହାପାତ୍ରଙ୍କ ସହିତ ଲେଖକୀୟ ସମ୍ବନ୍ଧ ଦୃଷ୍ଟିରୁ ସେ ଚାହୁଁଥିଲେ ମୋର ପୂର୍ବସ୍ଥାନରେ ରଖିବା ପାଇଁ । ମାତ୍ର ପ୍ରଭାବଶାଳୀ ଶିକ୍ଷା ସଚିବ ପ୍ୟାରୀମୋହନ ମହାପାତ୍ର ତାହା ହେବାକୁ ଦେଲେ ନାହିଁ । କହିଲେ- "ସେ ସେଇ ଫୁଲବାଣୀରେ ରହନ୍ତୁ । ଭଲ ଲେଖାଲେଖି କରିବେ ।' ବାସ୍‌, ଏହାକୁ ଆହ୍ୱାନ ଭାବରେ ଗ୍ରହଣ କରି ଢେଙ୍କାନାଳରୁ ପରିବାର ନେଇ ଚାଲିଗଲି ଫୁଲବାଣୀ । ଦେଖିବାକୁ ଗଲେ, ଅନ୍ୟମାନେ ମୋର ଫୁଲବାଣୀ ପୋଷ୍ଟିଂକୁ ଶାସ୍ତିମୂଳକ ମନେ କରୁଥିଲେ ହେଁ ଏହା ମୋ ପାଇଁ ଏକପ୍ରକାର ଆଶୀର୍ବାଦରେ ପରିଣତ ହେଲା । ଆରମ୍ଭ କଲି ‘ଫୁଲବାଣୀର ଚିଠି' ଶୀର୍ଷକରେ ଏକ ସ୍ୱତନ୍ତ୍ର ସ୍ତମ୍ଭ ରଚନା, ଯାହା ନିୟମିତ ପ୍ରକାଶ ପାଇଲା ଦୈନିକ ‘ସମ୍ବାଦ' ପୃଷ୍ଠାରେ । ଛୁଟିଦିନମାନଙ୍କରେ ଫୁଲବାଣୀର ବିଭିନ୍ନ ଅଞ୍ଚଳକୁ ଗଲି । ଲୋକସଂସ୍କୃତିକୁ ଅନୁଧ୍ୟାନ କଲି । ଲୋକସମ୍ପର୍କ ରଖିଲି । ‘ଚିଦାନନ୍ଦ ବିହାର' ଭଳି ଏକ ସୁନ୍ଦର ବସତିରେ ବସାଘର ପାଇଲି । ଉଭୟ ପ୍ରକୃତି ଓ ଫୁଲବାଣୀବାସୀଙ୍କ ଭଲପାଇବା ମୋ ସୃଷ୍ଟିଶୀଳ ଜୀବନ ପାଇଁ ପ୍ରେରଣା ପାଲଟିଗଲା । ସହରର ଶିକ୍ଷିତା ମହିଳାମାନଙ୍କୁ ଏକାଠି କରି (ଜିଲ୍ଲାପାଳ ଓ ଏସ୍‌.ପିଙ୍କ ପତ୍ନୀମାନଙ୍କୁ ସାମିଲ କରି) ‘ଚିଦାନନ୍ଦ ବିହାର' ପରିସରରେ ଆରମ୍ଭ କଲି ‘ଫୁଲବାଣୀର ପ୍ରଥମ ପୁସ୍ତକ ମେଳା' । ଫୁଲବାଣୀରୁ ହିଁ ସାନ ପୁଅ ବାପୁଜୀ ପାଠପଢ଼ା ଆରମ୍ଭ କଲା । ବଡ଼ ପୁଅ ନେତାଜୀ ମାଟ୍ରିକ ପାଶ୍ କଲା । ସବା ସାନ ଭାଇ ପାଇଁ ଘରକୁ ଆମର ବୋହୂ ଆସିଲା । ଖାଲି ଫୁଲବାଣୀ କାହିଁକି, ଯେଉଁ ସ୍ଥାନକୁ ଯାଇଛି, ସେଠି କଲେଜର ସୀମା ଭିତରୁ ବାହାରି ସେ ସ୍ଥାନର ଜନଜୀବନ ସହିତ ନିଜକୁ ସାମିଲ କରିଦେବାରେ ମୁଁ ଖୁବ୍ ଆନନ୍ଦ ପାଇଛି । ସ୍ୱାଭାବିକ ଭାବରେ ସେ ସ୍ଥାନର ଚିତ୍ର ଓ ଚରିତ୍ରମାନେ ମୋ ଲେଖାର ଅଂଶବିଶେଷ ହୋଇଯାଇଛନ୍ତି ।

ପ୍ରେମ ଗପ ଲେଖିବା ଓ ପ୍ରେମ କରିବା, ଏ ଦୁଇଟା ଭିତରୁ କେଉଁଟା ସହଜ ?

ପ୍ରେମ କରିବା ଅର୍ଥାତ୍ ପ୍ରେମରେ ପଡ଼ିବା, ଉଠିବା ଓ ପୁଣି ସ୍ଥିର ହୋଇ ରହିବା ଏତେ ସହଜ କଥା ନୁହେଁ । ଏହା ଗଭୀର ସାଧନାର କଥା । କବି ଅଭିମନ୍ୟୁ ତ ସେଥିପାଇଁ ଲେଖିଲେ, ‘ବଡ଼ କଠିଣ ସେ ପ୍ରୀତି ପାଳିବା / ତୀକ୍ଷ୍‌ଣ ଅସିଧାରେ ପଥ ଚାଲିବା / ଶୂନ୍ୟ ଆରୋହଣ ଠାରୁ କଠିଣ / ପବନ ଫାନ୍ଦେ ଧରିବା ଲକ୍ଷଣ ।' ତେଣୁ ପ୍ରେମ ଗପ ଲେଖିବା ଓ ପ୍ରେମ କରିବା ଭିତରେ ସହଜ ହେଉଛି ପ୍ରେମ ଗପ ଲେଖିବା । ପ୍ରେମକୁ ନେଇ ଲେଖିବା ଏକ ନିରାପଦ ବ୍ୟାପାର । ମାତ୍ର ପ୍ରେମ କରିବାରେ ରହିଛି ଆନୁସଙ୍ଗିକ କିଛି ଆପଦ - ବିପଦର ଆଶଙ୍କା । In love there are two things - bodies & words. ପ୍ରେମ କରିବାରେ ମନ ସହିତ ଦେହର ମଧ୍ୟ ସମ୍ବନ୍ଧ ରହିଛି । ମନରେ ପ୍ରେମର ଭାବ ସୃଷ୍ଟି ହେଲେ ଦେହ ଉପରେ ତା'ର ପ୍ରଭାବ ପଡ଼ିଥାଏ । ଦେହରେ ଏକ ଅଦ୍ଭୁତ ଶିହରଣ ଖେଳିଯାଏ । ଦେହ ସହିତ ଦେହର ମିଳନ ନ ହେଲେ ପ୍ରେମରେ ପୂର୍ଣ୍ଣତା ଆସେ ନାହିଁ । ମାତ୍ର ଏ କ୍ଷେତ୍ରରେ ପ୍ରାକ୍‌ - ବିବାହିତ ପ୍ରେମ ହେଉ ବା ପରକୀୟା, ତଥାକଥିତ ସାମାଜିକ ନୀତିନିୟମର ଦଣ୍ଡଧାରୀ ପ୍ରେମବିରୋଧୀ ଶକ୍ତିମାନଙ୍କ ତରଫରୁ ବାଧାବିଘ୍ନର ସମ୍ଭାବନା ରହିଛି । ପ୍ରେମ ଗପ ଲେଖିବାରେ ଏ ପ୍ରକାର ଆଶଙ୍କା ନାହିଁ, କାରଣ ଏଠି ସମ୍ବନ୍ଧ କେବଳ ଶବ୍ଦ ସହିତ । ନିଃଶବ୍ଦରେ ଶବ୍ଦ ସହିତ ଅଭିସାର ରଚିବାରେ, ପ୍ରେମିକ ଓ ପ୍ରେମିକାଙ୍କୁ ଦେହ ମନରେ ମିଳିତ କରେଇବାରେ ଜଣେ ବିନା ବିବାଦ ଓ ବିରୋଧରେ ସଫଳ ହୋଇପାରେ ।

ଆପଣଙ୍କ ଚରିତ୍ରମାନେ ପ୍ରେମରୁ ଆରମ୍ଭ ହୋଇ ପ୍ରେମରେ ସରିଯାଆନ୍ତି । ସେମାନେ ପ୍ରାୟତଃ ଭାବପ୍ରବଣ ଓ ସ୍ୱପ୍ନପ୍ରବଣ । ଏମାନେ ବିଶ୍ୱରଂଜନଙ୍କ ନିଜସ୍ୱ ପ୍ରତିଫଳନ କି?

'Love is a canvas furnished by nature and embroidered by imaginations' କହିଥିଲେ ଭଲଟେୟାର । ତମେ ଠିକ୍ ବୁଝିଛ କେଦାର, ମୋ ଚରିତ୍ରମାନେ ପ୍ରେମରୁ ଆରମ୍ଭ ହୋଇ ପ୍ରେମରେ ସରିଯାଆନ୍ତି । ଏଠି ପ୍ରେମ ହିଁ ପ୍ରେମକୁ ପାଏ । ଆଉ କିଛି ପାଇବା କି ହରେଇବାର ନ ଥାଏ । କିଛି ଅଭାବ ଓ ଅଭିଯୋଗ ନ ଥାଏ । ତୁମ କଥା ଠିକ୍‌, ସେମାନେ ପ୍ରାୟତଃ ଭାବପ୍ରବଣ ଓ ସ୍ୱପ୍ନପ୍ରବଣ। ବିଶ୍ୱରଂଜନଙ୍କ ସ୍ୱପ୍ନପୁରୀକୁ ସେମାନେ ଆସନ୍ତି । ତାଙ୍କର ଭାବଜଗତକୁ ଆଲୋଡ଼ିତ, ଆହ୍ଲାଦିତ କରି ଦେଇ ଚାଲିଯାଆନ୍ତି । ସେମାନଙ୍କ ଯିବାଆସିବା ଚାଲିଥାଏ । ଆରମ୍ଭରେ ଶେଷ, ପୁଣି ଶେଷରୁ ଆରମ୍ଭ । ବିଶ୍ୱରଂଜନଙ୍କ ନିଜସ୍ୱ ଅନୁଭବ ଓ ଅନୁଭୂତିରେ ଚରିତ୍ରମାନଙ୍କର ଲୀଳାଖେଳା ଜାରି ରହିଥାଏ ।

'ଅନାମ' ଆନ୍ଦୋଳନର ଆପଣ ଅନ୍ୟତମ ସ୍ତମ୍ଭ ଥିଲେ । ଓଡ଼ିଆ ସାହିତ୍ୟରେ ପ୍ରତିବାଦୀ ଆଦର୍ଶର ଏ ଆନ୍ଦୋଳନଟି ବେଶୀ ବାଟ ଆଗେଇ ପାରିଲା ନାହିଁ କାହିଁକି ?

ଅନାମ କାବ୍ୟ ଆନ୍ଦୋଳନରେ ମୋର ସହଭାଗିତା ଥିଲା । କିନ୍ତୁ ଏହାର ମୁଖ୍ୟ ସ୍ତମ୍ଭ ଥିଲେ କୁମାର ମହାନ୍ତି । ଏ ମାଟିର ସଂସ୍କୃତି ଓ ପରମ୍ପରାର ପୃଷ୍ଠଭୂମିରେ କବିତାକୁ ନୂଆ ମୋଡ ଦେଇଥିଲା ଏହି ଆନ୍ଦୋଳନ । ଶୁଷ୍କ, ନିରସ ମନେ ହେଉଥିବା କବିତା ପାଠୋତ୍ସବକୁ ଏହା ରସୋତ୍ତୀର୍ଣ୍ଣ କରିଥିଲା ଆବୃତ୍ତି ମାଧ୍ୟମରେ । ଲୋକଭାଷାର ପ୍ରୟୋଗ ଓ ଛନ୍ଦମୟ ଆବୃତ୍ତି ଦ୍ୱାରା ଏହା ଶ୍ରୋତାମାନଙ୍କ ପାଇଁ ବେଶ୍ ଉପଭୋଗ୍ୟ ହେଉଥିଲା । ଦୁର୍ବୋଧ୍ୟତା ଓ ଅବୋଧ୍ୟତାର ଅଭିଯୋଗରେ କବିତା କ୍ରମଶଃ ପାଠକମାନଙ୍କ ଠାରୁ ଦୂରେଇ ଯାଉଥିଲାବେଳେ ଏହି ଆନ୍ଦୋଳନ ସେମାନଙ୍କୁ ପୁଣି ଫେରେଇ ଆଣିଥିଲା କବିତା ପାଖକୁ । ପଶ୍ଚିମାଗତ ଅପରିଚିତ ଇଜିମ୍ ଓ ଶୈଳୀ ଆଦିର ପରୀକ୍ଷା ନିରୀକ୍ଷାରେ ମ୍ୟାଜିକ୍ ସୃଷ୍ଟି କରୁଥିବା କବିମାନଙ୍କର ଦୌରାତ୍ମ୍ୟକୁ ଭାଙ୍ଗି ଦେଇ ସାଧାରଣ ଲୋକଟିକୁ ସାହିତ୍ୟ ସହିତ ସଂଶ୍ଳିଷ୍ଟ କରିବାର ଉଦ୍ୟମ କରିଥିଲା ଅନାମ କାବ୍ୟ ଆନ୍ଦୋଳନ । ଏହାର ପ୍ରଭାବ ପଡ଼ିଥିଲା ଏବଂ ପୂର୍ବ ଦୁର୍ବୋଧ୍ୟତାର ଅଭିଯୋଗରୁ ଓଡ଼ିଆ କବିତା ଯେ ମୁକ୍ତ ହୋଇଥିଲା, ଏହାକୁ ସମସ୍ତେ ସ୍ୱୀକାର କରିବେ ନିଶ୍ଚୟ । ମାତ୍ର ଆନ୍ଦୋଳନର ମୁଖ୍ୟ ସ୍ୱର ଓ ସୂତ୍ରଧର କୁମାର ମହାନ୍ତିଙ୍କର ଆକସ୍ମିକ ତଥା ଅକାଳ ବିୟୋଗ ଫଳରେ ଆନ୍ଦୋଳନରେ ଗତି କ୍ରମଶଃ ଶିଥିଳ ହୋଇ ଆସିଥିଲା । ମାତ୍ର ଆନ୍ଦୋଳନର ଶକ୍ତି ଓ ସଫଳତା ସମ୍ପର୍କରେ ମୋ ମନରେ କୌଣସି ସନ୍ଦେହ ନାହିଁ । ଯେକୌଣସି ଆନ୍ଦୋଳନ ଏକ ନିର୍ଦ୍ଦିଷ୍ଟ ସମୟର ଆବଶ୍ୟକତାରୁ ହିଁ ସୃଷ୍ଟି ହୋଇତାଏ । କୌଣସି ଆନ୍ଦୋଳନ କେବେ ସ୍ଥାୟୀ ହୋଇ ରହେନାହିଁ । ଯେଉଁ ଢଙ୍ଗରେ ଏକଦା ସାମ୍ୟବାଦୀ ଆନ୍ଦୋଳନ ବା ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନ ଆରମ୍ଭ ହୋଇଥିଲା, ସେ ପ୍ରକାର ଆନ୍ଦୋଳନର ରୂପରେଖ ଏବେ ଆଉ ଦେଖିବାକୁ ମିଳୁଛି କି ?

ଆପଣ ତ ସବୁବେଳେ ପ୍ରେମରେ ଥାଆନ୍ତି । ଏ ପ୍ରେମଟା ସତରେ କ'ଣ?

ପ୍ରିୟ କେଦାର, ମୁଁ ସବୁବେଳେ ପ୍ରେମରେ ଥାଏ ବୋଲି ଯଦି ତୁମେ କହୁଛ ଓ ଲକ୍ଷ୍ୟ କରିଛ, ତେବେ ତମେ ହିଁ କହିପାରିବ ଏ ପ୍ରେମଟା ସତରେ କ'ଣ ? ପ୍ରେମ ହିଁ ପ୍ରେମ । ଏହାର ନିର୍ଦ୍ଦିଷ୍ଟ ରୂପରେଖ ନିର୍ଣ୍ଣୟ କରିବା ବା ବର୍ଣ୍ଣିବା ପାଇଁ ଭାଷା ଅସମର୍ଥ । ଏହା ଭାବ ଓ ଅନୁଭବର କଥା । ଅନୁଭବୀ ଜାଣେ ଅନୁଭବରେ ।

ଏବେ ବହୁତ କବିତା ଆପଣ ଲେଖୁଛନ୍ତି । ସ୍ତମ୍ଭ ରଚନା, ଏପରିକି ଗପ ରଚନା କମି କମି ଯାଉଛି । କାରଣ କ'ଣ ?

ସ୍ତମ୍ଭ ରଚନା କମି ନାହିଁ । କଥା ହେଲା, ଆଗେ ଦୈନିକ 'ସମ୍ବାଦ'ରେ 'ତୀର ଓ ତରଂଗ' ସ୍ତମ୍ଭରେ ମୋର ପ୍ରତି ସପ୍ତାହରେ ଆଲୋଚନା ପ୍ରକାଶ ପାଉଥିଲା । ତା' ସହିତ 'ମିତ୍ରଦୃଷ୍ଟି' ଶୀର୍ଷକରେ 'ପ୍ରଗତିବାଦୀ'ରେ, ପରେ 'ସମୟ'ରେ । ଏହାର ବହୁ ପୂର୍ବରୁ ସତୁରି ଦଶକରେ 'ପ୍ରଜାତନ୍ତ୍ର'ରେ 'ରଂଜନରଶ୍ମି' ବୋଲି ମୋର ଏକ ନିଜସ୍ୱ ସ୍ତମ୍ଭ ଥିଲା । ଏବେ କେବଳ ଦୈନିକ 'ପ୍ରମେୟ'ରେ ଲେଖୁଛି ପ୍ରତି ପନ୍ଦର ଦିନରେ ଥରେ । ଏହା ପୁଣି 'ଅଗ୍ରଲେଖ' ତଳକୁ ମଧ୍ୟଭାଗର ଲେଖା । ଏଥିରେ ଆମ ଶାସନ ଓ ରାଜନୀତିର ଗନ୍ଧ ପ୍ରାୟ ନାହିଁ । ସାମାଜିକ ଚିତ୍ର, ଚରିତ୍ର କିମ୍ବା ନିଜସ୍ୱ ଅନୁଭବ ଓ ଅନୁଭୂତିର ପ୍ରତିଫଳନମୂଳକ ଲେଖା ଏସବୁ ବର୍ତ୍ତମାନର ଶାସନ ସମ୍ପର୍କରେ ସମାଲୋଚନାମୂଳକ ଲେଖା କେହି ଆଉ ଛାପିବାକୁ ପ୍ରସ୍ତୁତ ନୁହନ୍ତି । ତେଣୁ କେବଳ ଆତ୍ମସନ୍ତୋଷ ପାଇଁ ଅରଣ୍ୟରୋଦନ କରିବା କିମ୍ବା ଅପ୍ରକାଶିତ ରହିବାର ବ୍ୟଥାରୁ ମୁଁ ନିଜକୁ ଦୂରେଇ ନେଇଛି । ଆଉ ରହିଲା ଗପ କଥା । ରୋମାଣ୍ଟିକ ଭାବାବେଗରୁ ନିଜକୁ ମୁକ୍ତ କରି ଯେତେବେଳେ ରାଜନୈତିକ ଘଟଣା ଓ ଚରିତ୍ରମାନଙ୍କୁ ଗପରେ ଖଞ୍ଜି କିଛି ଲେଖିଛି, ସେସବୁ ଗପ ବହୁଳ ପ୍ରସାରିତ ଦୁଇଟି ସାହିତ୍ୟ ପତ୍ରିକା ଦ୍ୱାରା ଅଗ୍ରାହ୍ୟ ହୋଇଛି । ଆଉ ରହିଲା କବିତା କଥା । କବିତା ମୁଁ ବହୁତ ଲେଖିଛି ବୋଲି ଜାଣିଲ କିପରି ? କାହିଁ, କେଉଁଠି ପ୍ରକାଶିତ ହେବାର ତ ଦେଖୁନଥିବ । ତଥାପି କହିରଖେ, କବିତା ବେଳେବେଳେ ସ୍ୱତଃସ୍ଫୁର୍ତ୍ତ ଭାବରେ ମୋ ଭାବନାରୁ ଅବତରି ଆସେ କାଗଜ କଲମରେ । ତା'କୁ ବନ୍ଦୀ କରି ରଖିଦିଏ ମୋ ଡାଏରୀ ପୃଷ୍ଠାରେ ।

ଆପଣ କିଛିଦିନ ସମ୍ବାଦପତ୍ର ସମ୍ପାଦନା ମଧ୍ୟ କରିଛନ୍ତି । ସେ ଅନୁଭବ କେମିତି ?

କିଛିଦିନ କାହିଁକି, ଦୈନିକ 'ଖବର'ର ପ୍ରଥମ ସମ୍ପାଦକ ଭାବରେ ୨୦୦୮ରୁ ୨୦୧୨ ଯାଏଁ ଚାରିବର୍ଷ ମୁଁ କାର୍ଯ୍ୟ କରିଛି । ଏହାର କର୍ତ୍ତା ଥିଲେ, ସେତେବେଳେ ନବୀନ - ଶାସନର କ୍ଷମତାକେନ୍ଦ୍ର ରୂପେ ବିବେଚିତ ପ୍ୟାରୀମୋହନ ମହାପାତ୍ର, ଯିଏ ଏକଦା ଶିକ୍ଷା ବିଭାଗର ଶାସନ ସଚିବ ଥିଲାବେଳେ ମୋତେ ପଠେଇଥିଲେ ଫୁଲବାଣୀ । ତେଣୁ ତାଙ୍କ ଦ୍ୱାରା ପ୍ରତିଷ୍ଠିତ 'ଖବର'ର ସମ୍ପାଦକ ଦାୟିତ୍ୱ ଗ୍ରହଣ ପାଇଁ ତାଙ୍କର ନିମନ୍ତ୍ରଣ ପାଇବା ମୋତେ ବିସ୍ମିତ କରିଥିଲା । ସେ ମୋର ସତ୍ତା - ବିରୋଧୀ ଲେଖା ସହିତ ପରିଚିତ ଥିଲେ ଏବଂ ପ୍ରଥମରୁ କହିଦେଇଥିଲେ ଯେ ୨୦୦୯ରେ ବିଧାନସଭା ନିର୍ବାଚନ ଥିବାରୁ ଏହା ସେ ପର୍ଯ୍ୟନ୍ତ ବିଜେଡି ସପକ୍ଷ ଆଭିମୁଖ୍ୟ ଗ୍ରହଣ କରିବ । ତା’ପରେ ମୁଁ ସମ୍ପୂର୍ଣ୍ଣ ମୁକ୍ତ । ମାତ୍ର ବାସ୍ତବରେ ତାହା ଘଟି ନ ଥିଲା । ମୋର ସ୍ୱାଧୀନତା ଥିଲା ନିୟନ୍ତ୍ରିତ । ତଥାପି 'ଖବର'ର ପ୍ରଥମ ପୃଷ୍ଠାକୁ ବିଜ୍ଞାପନରୁ ମୁକ୍ତ ରଖି, ହତ୍ୟା, ଧର୍ଷଣ ଇତ୍ୟାଦି ନକାରାତ୍ମକ ସମ୍ବାଦକୁ ସ୍ଥାନିତ ନ କରି ଏକ ଭିନ୍ନ ଧରଣର କରିବାକୁ ଚେଷ୍ଟା କରିଥିଲି । ସଫଳ ମଧ୍ୟ ହୋଇଥିଲି । ପରେ ପରେ ଏହାର ସମ୍ବଲପୁର, କୋରାପୁଟ ଏବଂ ସୁରତ (ଗୁଜରାତ) ସଂସ୍କରଣ ମଧ୍ୟ ପ୍ରକାଶ ପାଇଛି । ମାତ୍ର ଏହାର ପରିଚାଳନାଗତ କାର୍ଯ୍ୟରେ ମୁଁ ସୁଖୀ ନ ଥିଲି । ଯେଉଁମାନେ ପରିଚାଳନା ସହିତ ସଂପୃକ୍ତ ଥିଲେ, ସେମାନେ ଥିଲେ ପ୍ୟାରୀମୋହନଙ୍କ ଘନିଷ୍ଠ ବନ୍ଧୁ । ତେଣୁ ମୁଁ ଏକପ୍ରକାର ଅସହାୟ ଅନୁଭବ କରଥିଲି । କିନ୍ତୁ ପ୍ୟାରୀମୋହନଙ୍କ ସହିତ ପ୍ରତିଦିନର ପ୍ରତ୍ୟକ୍ଷ ସମ୍ପର୍କରୁ ମୁଁ ଅନେକ କିଛି ଶିକ୍ଷା ଲାଭ କରିଅଛି । ରାଜନୈତିକ ଜୀବନର ନାନା ଜଞ୍ଜାଳ ଭିତରେ ତାଙ୍କର ଶୃଙ୍ଖଳା, ସମୟାନୁବର୍ତ୍ତିତା ଏବଂ ବହିପଢ଼ାର ଆଗ୍ରହ ମୋତେ ଖୁବ୍ ପ୍ରଭାବିତ କରିଥିଲା । ମାତ୍ର ଆଶ୍ଚର୍ଯ୍ୟ ହୋଇଥିଲି ଏଭଳି ବୁଦ୍ଧିମାନ, ବିଦ୍ୱାନ ପ୍ରଶାସକ, ନିଜକୁ ସ୍ତୁତିଗାନକାରୀ ଅବାଞ୍ଛିତ ରାଜନୈତିକ ସହଯୋଗୀମାନଙ୍କ କବଳରୁ ନିଜକୁ ମୁକ୍ତ କରିପାରିନଥିଲେ, ଯାହା ତାଙ୍କର ଅଶେଷ କ୍ଷତି ସାଧନ କରିଥିଲା ।

ଗାଳ୍ପିକ, କବି ବା ପ୍ରେମିକ - ଅଧ୍ୟାପକ ବିଶ୍ୱରଂଜନ ନିଜକୁ କେଉଁ ପରିଚୟରେ ବେଶୀ ଦେଖିବାକୁ ଚାହିଁବେ ?

ଗାଳ୍ପିକ, କବି ବା ପ୍ରେମିକ କିଛି ନୁହେଁ, ମୁଁ କେବଳ 'ଅଧ୍ୟାପକ ବିଶ୍ୱରଂଜନ' ଏହି ପରିଚୟରେ ପରିଚିତ ହେବାକୁ ଚାହିଁବି । ମୋର ପ୍ରଥମ ଗଳ୍ପ ପୁସ୍ତକ 'କାଚକଣ୍ଢେଇ'ର ପ୍ରଥମ ଗଳ୍ପ ଥିଲା 'ମୁଁ ଅଧ୍ୟାପକ ବିଶ୍ୱରଂଜନ ।' ଆଭାସଧର୍ମୀ ଏହି ଅଣୁଗଳ୍ପଟିର ଶେଷଭାଗରେ କୁହାଯାଇଛି, ଗଳ୍ପନାୟିକାର ସଂଳାପରେ ଯେ, ଅଧ୍ୟାପକ କିମ୍ବା ବିଶ୍ୱକୁ ରଂଜନ କରିବାର ସାମର୍ଥ୍ୟ ଓ ଯୋଗ୍ୟତା ମୋର ନ ଥାଇପାରେ, ମାତ୍ର ମୋର ଏକମାତ୍ର ଯୋଗ୍ୟତା ହେଉଛି 'ପ୍ରେମ' । ତେଣୁ ଅଧ୍ୟାପକ ବିଶ୍ୱରଂଜନ କହିଲେ ତା' ଭିତରେ ମୋର କଥାକାରିତା, ମୋର କବିତା, ମୋର ପ୍ରେମ ଏସବୁ ସମନ୍ୱିତ । ଆଉ ମୋର ପରମ ଆନନ୍ଦ 'ମୁଁ ଅଧ୍ୟାପକ ବିଶ୍ୱରଂଜନ' । ଅଧ୍ୟାପନା ମୋର ପ୍ରଥମ ଓ ଅନ୍ତିମ ପ୍ରେମ ।

ଇଣ୍ଟରନେଟ୍ ଯୁଗରେ ଆଜି ବି 'ଚିଠି' ପତ୍ରିକା ଆପଣ ବାହାର କରୁଛନ୍ତି । ଏହାର ଆବଶ୍ୟକତାକୁ ନେଇ ମନ ଭିତରେ କେବେ ସନ୍ଦେହ ଆସୁଛି କି ?

ଇଣ୍ଟରନେଟ୍ ଯୁଗରେ ନିଜ ହସ୍ତାକ୍ଷରରେ ଲେଖା 'ଚିଠି'ର ଚାହିଦା ଆଉ ନାହିଁ ସତ, ହେଲେ ଏହାର ଆବଶ୍ୟକତାକୁ ନେଇ ମନରେ କୌଣସି ସନ୍ଦେହ ଆଦୌ ନାହିଁ । ଗଳ୍ପ, କବିତା, ପ୍ରବନ୍ଧ ଭଳି 'ଚିଠି' ମଧ୍ୟ ସାହିତ୍ୟର ଏକ ଅନ୍ତରଙ୍ଗ ତଥା ପ୍ରଭାବଶାଳୀ ମାଧ୍ୟମ ଭାବରେ ବିଶ୍ୱସାହିତ୍ୟରେ ତା'ର ଯଥାଯୋଗ୍ୟ ସ୍ଥାନ ହାସଲ କରିପାରିଛି । ଆମ ଓଡ଼ିଆ ସାହିତ୍ୟରେ ମଧ୍ୟ ଗୋଦାବରୀଶ ମହାପାତ୍ର, ଗୋପୀନାଥ ମହାନ୍ତି, ନିତ୍ୟାନନ୍ଦ ମହାପାତ୍ର, ବସନ୍ତ କୁମାରୀ ପଟ୍ଟନାୟକ, ରାଜକିଶୋର ପଟ୍ଟନାୟକ, ମାୟାଧର ମାନସିଂହ, ଚନ୍ଦ୍ରଶେଖର ରଥ, ମହାପାତ୍ର ନୀଳମଣି ସାହୁଙ୍କ ଭଳି ସାହିତ୍ୟିକମାନେ 'ଚିଠି'ରେ ଚିଠିରେ ଲେଖିଛନ୍ତି ସେମାନଙ୍କ ଗଳ୍ପ, ଉପନ୍ୟାସ, କବିତା, ପ୍ରବନ୍ଧ ଇତ୍ୟାଦି । ଏପରିକି କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର 'ଆତ୍ମଜୀବନୀ' ପୂରାପୂରି ଚିଠି ଆଧାରିତ । ଗ୍ରୀକ ଦାର୍ଶନିକ ପ୍ଲେଟୋ ଯାବତୀୟ ଯଥାର୍ଥ ସାହିତ୍ୟକୁ Belles Letters ବୋଲି କହିଥିଲେ । ସୁତରାଂ "ଚିଠି''ର ଆବେଦନ ଓ ଆବଶ୍ୟକତାକୁ ଅସ୍ୱୀକାର କରିହେବ ନାହିଁ ।

ଏତେ ବର୍ଷ ଧରି, ଏତେ କଥା ଲେଖିବା ପରେ, ଆଉ କ'ଣ ଲେଖି ହୋଇନାହିଁ, ଯାହା ଆପଣଙ୍କୁ ବ୍ୟାକୁଳ କରୁଛି ?

ମୁଁ ଯେତେବେଳେ "ଖବର' ଦାୟିତ୍ୱରୁ ମୋତେ ମୁକ୍ତ କରିବା ପାଇଁ ପ୍ୟାରୀବାବୁଙ୍କୁ ଅନୁରୋଧ କରିଥିଲି, ସେତେବେଳେ ତାଙ୍କର ପ୍ରଶ୍ନ ଥିଲା ମୋ ପାଇଁ - 'ଏହାପରେ କ'ଣ କରିବେ?' ମୁଁ କହିଥିଲି, ସାରା ଓଡ଼ିଶା ପରିକ୍ରମା କରିବି ମୁକ୍ତ ଭାବରେ ଏବଂ ସମଗ୍ର ଓଡ଼ିଶାର ଜନଜୀବନ ଓ ସଂସ୍କୃତିକୁ ନେଇ ଆତ୍ମାନୁଭୂତିମୂଳକ ବହିଟିଏ ଲେଖିବି । ଦ୍ୱିତୀୟ ଇଚ୍ଛା ହେଲା, ୨୦୦୦ରୁ ଏଯାବତ୍ ନବୀନ ପଟ୍ଟନାୟକଙ୍କ ଅଖଣ୍ଡ ଶାସନ ଓ ରାଜନୀତିକୁ ନେଇ ଉପନ୍ୟାସଟିଏ । ଏ ଦୁଇଟିଯାକ ଅଭିଳାଷକୁ ପୂରଣ କରିଦେବାରେ ମୁଁ ସମର୍ଥ ହୋଇପାରି ନାହିଁ । ତାହା ହିଁ ମୋର ବ୍ୟାକୁଳତା ।

ବହୁତ ଦିନ ତଳେ ଥରେ ପଚାରିଥିଲି, ଆଜି ଆଉ ଥରେ ପଚାରୁଛି, ଅଧ୍ୟାପକ ବିଶ୍ୱରଂଜନଙ୍କୁ କୌଣସି ବଡ଼ ପୁରସ୍କାର ନ ମିଳିବାର କାରଣ କ'ଣ ?

ମୁଁ ଆଶ୍ଚର୍ଯ୍ୟ ଯେ ‘ପୁରସ୍କାରର ପାଉଁଶ' ଶୀର୍ଷକ ଲେଖାଟିଏ ଲେଖିଥିବା କବି କେଦାର ମିଶ୍ର ମୋତେ ପୁଣି ପଚାରୁଚନ୍ତି, ପୁଣି ଦ୍ୱିତୀୟ ଥର ପାଇଁ ଯେ, ମୋତେ କୌଣସି ବଡ଼ ପୁରସ୍କାର ନ ମିଳିବାର କାରଣ କ'ଣ ? କାହିଁକି ଏ ପ୍ରଶ୍ନ ? ଏହି ପ୍ରଶ୍ନର ଗୋଟିଏ ସିଧା ଓ ସରଳ ଉତ୍ତର ହେଲା ଯେ, ଏପର୍ଯ୍ୟନ୍ତ ମୁଁ ହୁଏତ ପୁରସ୍କାରଯୋଗ୍ୟ କୌଣସି ପୁସ୍ତକ ରଚନା କରିପାରିନାହିଁ କିମ୍ବା ପୁରସ୍କାର ପାଇଁ ସଂଗୃହୀତ ପୁସ୍ତକ ମଧ୍ୟରେ ମୋ ପୁସ୍ତକ ରହୁନାହିଁ ଏବଂ ଯଦି ବା ରହୁଛି, ବିଚାରକମାନଙ୍କ ମତରେ ଅନ୍ୟ କାହାରି ପୁସ୍ତକ ଅଧିକ ଯୋଗ୍ୟ ବୋଲି ବିଚାର କରାଯାଉଛି ।

ଅନ୍ୟ ଏକ ଦୃଷ୍ଟିକୋଣରୁ ମଧ୍ୟ କଥାଟା ବିଚାର କରାଯାଇପାରେ । ପୁରସ୍କାର ପ୍ରଦାନ ବ୍ୟବସ୍ଥାରେ ସାମିଲ ହୋଇଥିବା ବିଚାରକମାନେ ନିଜେ ଜଣେ ଜଣେ ଲେଖକ । ସେମାନଙ୍କର ଅନ୍ୟ ଲେଖା ବା ଲେଖକ ପ୍ରତି ବ୍ୟକ୍ତିଗତ ଶ୍ରଦ୍ଧା ବା ଅଶ୍ରଦ୍ଧା, ଅନୁରାଗ ବା ବିରାଗ ଭାବ ରହିପାରେ । ଏପରିକି ଯେଉଁ ବହି ଜଣକୁ ଖୁବ୍ ଭଲ ଲାଗିପାରେ, ଅନ୍ୟଜଣକୁ ତାହା ପୁରସ୍କାର ତ ଦୂରର କଥା, ଆଦୌ ପଠନଯୋଗ୍ୟ ମନେ ନ ହୋଇପାରେ । ଉଚ୍ଚତମ ନ୍ୟାୟାଳୟରେ ମଧ୍ୟ ଗୋଟିଏ ପ୍ରସଙ୍ଗର ବୈଚାରିକ ନିଷ୍ପତ୍ତି, ଅନ୍ୟ ସମୟରେ ଅନ୍ୟ ବିଚାରକମାନଙ୍କ ଦ୍ୱାରା ତ ପୁଣି ବଦଳି ଯାଉଛି ।

ଆଉ ଗୋଟିଏ କଥା ମୋ ଅନୁଭୂତିରୁ କହୁଛି, ବହୁ ବିଶିଷ୍ଟ, ସ୍ୱନାମଧନ୍ୟ ଲେଖକମାନଙ୍କୁ ମଧ୍ୟ କେନ୍ଦ୍ର ସାହିତ୍ୟ ଏକାଡେମୀ ଭଳି ପୁରସ୍କାର ପାଇବା ପାଇଁ ତାଙ୍କର ଅନୁରକ୍ତ, ଅନୁଗତ କିଛି ଲେଖକମାନଙ୍କ ତରଫରୁ ଉଦ୍ୟମ କରିବାକୁ ପଡ଼ିଛି । ନହେଲେ ସେମାନେ ମଧ୍ୟ ତଥାକଥିତ ବଡ଼ ପୁରସ୍କାର ପ୍ରାପ୍ତିରୁ ଅପହଞ୍ଚ ଦୂରତାରେ ରହିଯାଇଥାଆନ୍ତେ ।

ପୁରସ୍କାର ସମ୍ପର୍କରେ ତୁମ ନିଜ ଲେଖାକୁ ଫେରିଆସୁଛି । ଗୋଟିଏ ରାଜ୍ୟର ରାଜା ସ୍ଥିର କଲେ, ଜଣେ ଶ୍ରେଷ୍ଠ ସାହିତ୍ୟିକଙ୍କୁ ଅମୂଲ୍ୟ ପୁରସ୍କାର ପ୍ରଦାନ କରାଯିବ । ଏହି କ୍ରମରେ ରାଜ୍ୟର ମନ୍ତ୍ରୀଙ୍କ ପୁଅ ମନୋନୀତ ହେଲେ । ତାଙ୍କର ଚାରିପୃଷ୍ଠାର କବିତା ଉପରେ ଜଣେ ପଣ୍ଡିତ ଚାରିଶହ ପୃଷ୍ଠାର ଟୀକା ଲେଖି ରାଜଦରବାରରେ ଉପସ୍ଥାପନ କରିଥିଲେ । ସେ ଯାହାହେଉ, ପୁରସ୍କାର ବାବଦରେ ଗୋଟେ ବିଚିତ୍ର ବସ୍ତୁ କବିଙ୍କୁ ପ୍ରଦାନ କରାଗଲା । ଗୋଟେ ବନ୍ଦ ବାକ୍ସରେ ଲେଖାଥିଲା ଯେ, ଏହା ଭିତରେ ଅମୂଲ୍ୟ ପଦାର୍ଥ ରହିଛି - ଏହାକୁ ଖୋଲିବେ ନାହିଁ । ସେଠି ଆଉ ଏକ ଚେତାବନୀ ମଧ୍ୟ ଥିଲା, ଯଦି ବନ୍ଦ ବାକ୍ସକୁ କେହି ଖୋଲିବାର ପ୍ରୟାସ କରନ୍ତି, ତାଙ୍କର ମୁଣ୍ଡକାଟ ସୁନିଶ୍ଚିତ । ପୁରସ୍କାର ପାଇଲା ପରେ କବି ଆହୁରି ଅଥୟ, ଆହୁରି ବିମର୍ଷ ଜଣାପଡୁଥାନ୍ତି । କିଛିଦିନ ପରେ ଦେଖାଗଲା, କବି କୁଆଡ଼େ ନିଖୋଜ । ତା'ର ବହୁଦିନ ପରେ କବି ରାଜଦରବାରରେ ଉପସ୍ଥିତ ହୋଇ ମହାରାଜଙ୍କୁ ଅନୁରୋଧ କଲେ, ପ୍ରଦତ୍ତ ପୁରସ୍କାର ଫେରେଇ ନେବା ପାଇଁ । କାରଣ ବାକ୍ସ ନ ଖୋଲି ସତକୁ ସତ ସେ ଜାଣିପାରିଥିଲେ, ଏହା ଭିତରେ ପାଉଁଶ ଅଛି ବୋଲି । କାହାଣୀର ମର୍ମରେ ନିହିତ ଥିବା କଥାଟି ପ୍ରତି ତମେ ଦୃଷ୍ଟି ଆକର୍ଷଣ କରିଥିଲ ପାଠକମାନଙ୍କର ଯେ, କୌଣସି କବି ବା ସାହିତ୍ୟିକ ପାଇଁ ପୁରସ୍କାର ଆଦୌ ବଡ଼ କଥା ନୁହେଁ । ପୁରସ୍କାରର ଅସାରତା ଓ ମୂଲ୍ୟହୀନତା ବିଷୟରେ ସଚେତନ ଥାଏ ଜଣେ ସତ୍‌ସାହିତ୍ୟିକ । ଏକଥା ତମେ ନିଜେ ଲେଖିବା ପରେ ମଧ୍ୟ ସେ ଆଉ ସେ ପୁରସ୍କାର ପ୍ରସଙ୍ଗ କାହିଁକି ଉଠାଉଛ ? ତମେ ତ ନିଜେ ଜାଣ, ଏବେ ଓଡ଼ିଶାରେ ପୁରସ୍କାର ପ୍ରାପ୍ତି ସହିତ ତିରସ୍କାରଟିଏ ଗୁନ୍ଥା ହୋଇଛି । ଅମୁକ ଲେଖକ ଅମୁକ ପୁରସ୍କାର ପାଇଛି ବୋଲି ଖାଲି ପ୍ରକାଶ ପାଇବା ମାତ୍ରେ ତା' ଅନ୍ତରାଳର କାହାଣୀ ସବୁ ଘୂରିବୁଲେ ସୋସିଆଲ ମିଡିଆରେ । ପୁରସ୍କାର ନେଇ ସାହିତ୍ୟ କ୍ଷେତ୍ର ରାଜନୀତିର କ୍ଷେତ୍ର ଭଳି କ୍ରମେ ପ୍ରଦୂଷିତ ହେବାରେ ଲାଗିଛି । ତମେ ଅନ୍ତତଃ ଖୁସି ହେବାର କଥା ମୁଁ ସେଇ ପ୍ରଦୂଷଣରୁ ଦୂରରେ ଅଛି ।

ଶେଷକଥା, ତୁମର ସେଇ ପୁରସ୍କାର ପ୍ରଶ୍ନକୁ ନେଇ । "ବଡ଼ ପୁରସ୍କାର' ବୋଲି ତମେ କାହାକୁ କହୁଛ? ଏକାଡେମୀ ପୁରସ୍କାର ଅବା ଘରୋଇ ସଂସ୍ଥା ଦ୍ୱାରା ପ୍ରଦତ୍ତ ଲକ୍ଷାଧିକ ଟଙ୍କାର ପୁରସ୍କାର ତ? ମୋ ଦୃଷ୍ଟିରେ ତା' ଠାରୁ ବଡ଼ ପୁରସ୍କାର ମୁଁ ପାଉଛି ଓଡ଼ିଶାର କୋଣ - ଅନୁକୋଣରୁ ପାଉଥିବା ପ୍ରିୟ ପାଠକ ପାଠିକାଙ୍କ ପତ୍ରଲିପି ଓ ଫୋନ୍ ଯୋଗେ ବାର୍ତ୍ତାଳାପରୁ । ବିଶେଷ କରି ଏବେ ଖବରକାଗଜରେ ପ୍ରକାଶିତ ମୋରଲେଖା ପଢ଼ି ଦୂରଦୂରାନ୍ତରୁ ଅଶୀ / ନବେ ବର୍ଷ ବୟସର ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ସାଧାରଣ ଗୃହିଣୀ, ଏପରିକି ଅଟୋଚାଳକ ଅବା କୌଣସି ମାଛବେପାରୀ ଯେତେବେଳେ ଫୋନ୍ କରି ତାଙ୍କର ଆବେଗଭରା ଶ୍ରଦ୍ଧା, ସମ୍ମାନ ଜଣାନ୍ତି, ସେତେବେଳେ ମୁଁ ସବୁ ବଡ଼ ପୁରସ୍କାରର ସମ୍ମିଳିତ ଅର୍ଥରାଶିରୁ ଢେର ଅଧିକ ପାଇଥାଏ ।

ତା'ଛଡ଼ା ତୁମ ମନରେ ଯେ ପ୍ରଶ୍ନଟିଏ ସବୁବେଳେ ଉଙ୍କି ମାରୁଛି, କାହିଁକି ମୁଁ ଏଯାଏଁ କୌଣସି ବଡ଼ ପୁରସ୍କାର ପାଇଲି ନାହିଁ, ତାହା ହିଁ କ'ଣ ମୋ ପାଇଁ ବଡ଼ ପୁରସ୍କାର ନୁହେଁ ?

ଆପଣ ତ ନୂଆମାନଙ୍କୁ ନିରନ୍ତର ପଢ଼ନ୍ତି, ତାଙ୍କ ସହ ଯୋଗାଯୋଗରେ ଥାଆନ୍ତି । ସେହି କ୍ରମରେ ଓଡ଼ିଆ ଭାଷା ଓ ସାହିତ୍ୟର ଭବିଷ୍ୟତକୁ ନେଇ ଆପଣ କ'ଣ ଭାବୁଛନ୍ତି ?

ବର୍ତ୍ତମାନ ନୂଆମାନେ ଗଳ୍ପ ହେଉ ବା କବିତା (ପ୍ରବନ୍ଧକୁ ବାଦ୍ ଦେଲେ) ଏଭଳି ଚମତ୍କାର ଲେଖା ସବୁ ଲେଖୁଛନ୍ତି, ତା' ଭିତରେ ପୁରୁଣାମାନେ ବେଳେବେଳେ ଫିକା ପଡ଼ିଯାଉଛନ୍ତି । ମାତ୍ର ପ୍ରଶ୍ନ ହେଉଛି ଆମର ଭାଷାକୁ ନେଇ । ଭାଷା ହେଉଛି ଶାସ୍ତ୍ରୀୟ । ସ୍ୱତନ୍ତ୍ର ବିଭାଗଟିଏ ରହିଛି, ଓଡ଼ିଶା ସରକାରଙ୍କର - "ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ' । ମାତ୍ର ଏଠି ଆମର ସରକାରଙ୍କ ଦ୍ୱାରା ସ୍ଥାପିତ "ଆଦର୍ଶ" ସ୍କୁଲ ମାନଙ୍କରେ ଶିକ୍ଷାଦାନର ମାଧ୍ୟମ ଆମ ଭାଷା ନୁହେଁ । ଉଚ୍ଚଶିକ୍ଷିତ ବ୍ୟକ୍ତିମାନଙ୍କର ପିଲାଏ ଲକ୍ଷାଧିକ ଅର୍ଥ ବ୍ୟୟରେ ଯେଉଁ ତଥାକଥିତ ଇଣ୍ଟରନ୍ୟାସନାଲ ସ୍କୁଲରେ ପାଠ ପଢ଼ନ୍ତି, ସେଠି ଆମ ଭାଷା - ସାହିତ୍ୟ ପାଇଁ 'ପ୍ରବେଶ ନିଷେଧ'ର ଫଳକନାମା ଝୁଲୁଥାଏ । ଆମର ବିଶିଷ୍ଟ କବି ଓ ସାହିତ୍ୟିକମାନେ ଆଦୌ ଲଜ୍ଜା ଅନୁଭବ କରନ୍ତି ନାହିଁ, ଯେତେବେଳେ କହନ୍ତି, ସେମାନଙ୍କ ପିଲାଏ ସେମାନଙ୍କ ଲେଖା ପଢ଼ିପାରନ୍ତି ନାହିଁ । କାରଣ ଓଡ଼ିଆ ଭାଷା, ସାହିତ୍ୟ ସହିତ ସେମାନଙ୍କର ସାମାନ୍ୟତମ ପରିଚୟ ନାହିଁ । ତେଣୁ ବୁଝିହୁଏ ନାହିଁ, ସେମାନେ କାହିଁକି ଲେଖନ୍ତି ଓ କାହା ପାଇଁ ଲେଖନ୍ତି ? ଏଥିପାଇଁ ସାମୂହିକ ଚିନ୍ତନର ଆବଶ୍ୟକତା ରହିଛି । ମାତ୍ର ନିଜର ନାମ, ବଡ଼ ପୁରସ୍କାରର ମୋହ ଆମକୁ ଏଭଳି ବାନ୍ଧି ରଖିଛି ଯେ, ସେଥିରେ ଆମର ଭବିଷ୍ୟତ କଥା ଚିନ୍ତା କରିବା ପାଇଁ ବେଳ କାହିଁ ?

ଅଧ୍ୟାପକ ବିଶ୍ୱରଂଜନ ଯଦି ପୁଣି ଥରେ ଯୌବନ ଫେରି ପାଆନ୍ତି, ତା'ହେଲେ ତାଙ୍କର ନୂଆ ସ୍ୱପ୍ନ ଓ ସଂକଳ୍ପ କ'ଣ ହେବ ?

ଏତେ ପ୍ରଶ୍ନ ପଚାରି ପଚାରି ଶେଷରେ କେଦାର, ତମେ ମୋତେ ‘ବୁଢ଼ା' କହିଦେଲ ? କ'ଣ ମୋର ବୟସକୁ ଦେଖି ? ଅବଶ୍ୟ ବୟସ ଦୃଷ୍ଟିରୁ ମୋ ଶରୀରରେ ଏବେ ଜରା ଓ ବ୍ୟାଧି ବସା ବାନ୍ଧିଲେଣି । ମାତ୍ର ମନରେ ମୋର ଯୌବନର ଜୁଆର ଏବେ ବି ଉଠୁଛି । ସବୁଜ ଯୁଗର ଅନ୍ୟତମ କବି ଜଷ୍ଟିସ ହରିହର ମହାପାତ୍ର ଲେଖିଥିଲେ, ‘ଯଉବନ ଥରେ ଗଲେ ଆସେନା । ତା'ର ଉତ୍ତରରେ ମୁଁ ତାଙ୍କୁ ଲେଖିଥିଲି, ‘ଯଉବନ ଥରେ ଆସିଗଲେ ଆଉ ଯାଏନା ।' କହିପାର, ଏହା ମୋର ମନର ଆବେଗସିକ୍ତ ଭାବନା । ଯୌବନକୁ ନେଇ ଏକପ୍ରକାର କାବ୍ୟିକତା । ଠିକ୍ ଅଛି, ତୁମରି କଥା ଅନୁସାରେ ଏବଂ ବୟସ ଦୃଷ୍ଟିରୁ ମୁଁ ଯଦି ଯୁବାବସ୍ଥାକୁ ଫେରିଯାଇପାରେ, ତେବେ ମୋର ସ୍ୱପ୍ନ ଓ ସଂକଳ୍ପ ହେବ, ରାଜନୀତି ବିଜ୍ଞାନରେ ମିଛ ପାଠ ପଢ଼େଇବା ଛାଡ଼ି ସତସତିକା ରାଜନୀତିକୁ ଆସନ୍ତି, ସମଦୃଷ୍ଟି ଓ ସମଭାବର କିଛି ଯୁବକଙ୍କୁ ଏକାଠି କରି, ଦଳ ଗଢ଼ି, ନୂଆ ଓଡ଼ିଶାକୁ ଗଢ଼ିବା ପାଇଁ । ଗଢ଼ନ୍ତି ଏମିତି ଏକ ଦଳ, ଯେଉଁ ଦଳର ଯୁବକମାନେ ‘ଚଉକି' ପାଖରେ ସଲାମ ଠୁଙ୍କି କ୍ଷମତା ମହନ୍ତଙ୍କ ଚେଲା ସାଜି କାହାର ‘ଜିନ୍ଦାବାଦ' ବା ‘ମୁର୍ଦ୍ଦାବାଦ' କରି ନିଜ ଯୁବଶକ୍ତିର ଅପଚୟ କରନ୍ତେ ନାହିଁ । ବରଂ ଓଡ଼ିଶାର ଗାଁ ଗାଁ, ଘର ଘର ବୁଲି ଲୋକଙ୍କ ସୁଖଦୁଃଖରେ ଭାଗୀ ହୁଅନ୍ତେ । ହାତକୁ କ୍ଷମତା ଆସିଲେ ନିଜକୁ ଗୃହବନ୍ଦୀ ନ କରି ସାରା ଓଡ଼ିଶାରେ ମୁକ୍ତ ବିହାର କରନ୍ତେ । ‘ମୋ ଓଡ଼ିଶା', ‘ଆମ ଓଡ଼ିଶା', ‘ସମୃଦ୍ଧ ଓଡ଼ିଶା' ଭଳି ସ୍ଲୋଗାନରେ ଲୋକଙ୍କୁ ବିଭ୍ରାନ୍ତ ନ କରି ନୀରବରେ ନିଜର ପ୍ରକୃତ ଓଡ଼ିଶା, ଆଖିର ଲୁହରେ ଅନ୍ଧ ହୋଇଯାଇଥିବା ଅନ୍ଧୁଣୀ ଓଡ଼ିଶାକୁ ଜ୍ୟୋତିର୍ମୟୀ ଓ ଶକ୍ତିମୟୀ କରି ଗଢ଼ିବାରେ ଲାଗି ପଡ଼ନ୍ତେ । କହିପାର, ଏହା ମୋର ଦିବାସ୍ୱପ୍ନ । ଏତେ ବଡ଼ ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ହାତରେ ହୁଏତ ସମୟ ନାହିଁ । ମାତ୍ର ଯୌବନକୁ ମୁଁ ଯିବାକୁ ଦେଇନାହିଁ ।