ଫଟୋ - ରମାକାନ୍ତ ରଥ ଆର୍କାଇଭ୍ସ

ଏ ସାକ୍ଷାତକାର ଆଜିକୁ ଠିକ ୩୭ ବର୍ଷ ତଳେ ନିଆ ହୋଇଥିଲା, ୧୯୮୪ରେ । ସେତେବେଳେ ରମାକାନ୍ତ ରଥଙ୍କ "ସପ୍ତମ ଋତୁ" ସବୁଠୁ ଚର୍ଚ୍ଚିତ କବିତା ବହି । ସେତେବେଳକୁ "ଶ୍ରୀରାଧା" ପ୍ରକାଶ ପାଇନଥାଏ । ତେବେ ଅଶି ଦଶକ ବେଳକୁ ରମାକାନ୍ତ ରଥ ଓଡିଆ କବିତାର ଶିଖର ପୁରୁଷ । ଆଜିଯାଏ ସେ ସମକାଳୀନ ଓଡିଆ କବିତାର ଶ୍ରେଷ୍ଠତମ ଓ ଶିଖରତମ କବି । ୧୯୮୪ ବେଳକୁ ତାଙ୍କର "କେତେ ଦିନର", "ଅନେକ କୋଠରୀ", "ସନ୍ଦିଗ୍ଧ ମୃଗୟା" ଓ "ସପ୍ତମ ଋତୁ" ପ୍ରକାଶିତ । ଏଇ ଚାରୋଟି ସଂକଳନ ଓଡିଆ କବିତାର ଗତିପଥକୁ ବଦଳାଇ ସାରିଥିଲେ । ଓଡିଆ କବିତାରେ "ରମାକାନ୍ତୀୟ ଧାରା" ପ୍ରତିଷ୍ଠିତ ହୋଇସାରିଥିଲା । ତା'ପରେ "ସଚିତ୍ର ଅନ୍ଧାର", "ଶ୍ରୀରାଧା", "ଶ୍ରୀପଳାତକ", "ସୀମାନ୍ତବାସ", "ନ ଯା' ନ ଯା" କହୁ କହୁ", "ଫେରି ଚାହିଁଲେ" ଓ ଆହୁରି କିଛି ସଂକଳନ ପ୍ରକାଶ ପାଇଛି । ଇତିହାସ ଦୃଷ୍ଟିରୁ ଏ ସାକ୍ଷାତକାରର ଏକ ଭିନ୍ନ ଭୂମିକା ରହିଛି । ଏଥିରେ ପ୍ରଶ୍ନକର୍ତ୍ତା ଚଣ୍ଡୀଦାସ ମିଶ୍ର ସେତେବେଳେ ବିଜେବି କଲେଜରେ ପଢୁଥିବା ଗ୍ରାଜୁଏଟ ଛାତ୍ର । (ପରେ ସେ ସାମ୍ବାଦିକତା ଓ ପୁନେ ସ୍ଥିତ ଫିଲ୍ମ ଏବଂ ଟେଲିଭିଜନ ଇଂଷ୍ଟିଚ୍ୟୁଟରୁ ସ୍ନାତକ ହୋଇ ସିନେମାରେ କାମ କଲେ ।) ଜଣେ ତରୁଣ ପାଠକକୁ କବି ରମାକାନ୍ତ ରଥ ଦେଇଥିବା ଉତ୍ତର ଗୁଡିକ କବିତାର ଇତିହାସ ପାଇଁ ବେଶ ଗୁରୁତ୍ଵ ବହନ କରେ ।

(ମୁଁ ଭୁବନେଶ୍ୱରସ୍ଥିତ ବିଜେବି କଲେଜରେ ପଢୁଥିଲା ବେଳେ ୧୯୮୧ ରୁ ୧୯୮୫ ସେଠିକାର ସାଧାରଣ ଛାତ୍ରାବାସ (ଜେନେରାଲ ହଷ୍ଟେଲ) ରେ ରହୁଥିଲି, ଏବଂ ୧୯୮୪ - ୮୫ ପାଇଁ ଛାତ୍ରାବାସର ବାର୍ଷିକ ମୁଖପତ୍ର 'ନଚିକେତା' ର ସମ୍ପାଦନା ଦାୟିତ୍ଵ ତୁଲେଇଥିଲି ।

ସେତେବେଳେ ମୁଁ ବହୁତ କବିତା ପଢୁଥିଲି, କିଛି କିଛି ଲେଖୁଥିଲି ବି, ଏବଂ ରମାକାନ୍ତ ରଥ ମୋର ସବୁଠୁ ପ୍ରିୟ କବି ଥିଲେ । 'ନଚିକେତା' ପାଇଁ ତାଙ୍କ ସହ ଆମେ ଗୋଟିଏ ସାକ୍ଷାତକାର କରିଥିଲୁ, ମୁଁ ଆଉ ମୋର ବନ୍ଧୁ ତଥା ରୁମମେଟ ବ୍ରଜବିହାରୀ ମିଶ୍ର, ଯିଏ ମୋ ଭଳି ନୂଆ ନୂଆ କବିତା ଲେଖୁଥିଲେ ଆଉ ବହୁତ ସୁନ୍ଦର ଲେଖୁଥିଲେ, ପ୍ରଥମେ ଶ୍ରୀ ରଥଙ୍କୁ ଦିନେ ସକାଳେ ଯାଇ ତାଙ୍କ ଘରେ ଭେଟିଲୁ ।

ସେ ଆମ ସହିତ ପ୍ରାୟ ଘଣ୍ଟେ ଗପିଲେ । ଆମେ ଯେତେବେଳେ କହିଲୁ ଯେ ଆଉ ଥରେ ଆସି ସୁବ୍ୟବସ୍ଥିତ ଭାବରେ ସାକ୍ଷାତକାରଟି କରିବୁ, ସେ କହିଲେ, "ଏବେ ଆମେ ଯାହା ଗପିଲେ ସେଥିରୁ କିଛି ବାହାର କରି ଛାପି ଦିଅନ୍ତୁ" । ଆମେ କିନ୍ତୁ କହିଲୁ ସେ କହିଥିବା କଥାସବୁକୁ ମନେ ପକେଇ ଲେଖି ଠିକଭାବରେ ଉପସ୍ଥାପନା କରିବା ସହଜ ହେବ ନାହିଁ, ତେଣୁ ଗୋଟିଏ ଟେପ୍ ରେକର୍ଡର୍ ନେଇ ଆସିବୁ । ସେଇଠୁ ସେ କହିଲେ ଆମେ ଆମର ପ୍ରଶ୍ନ ଲେଖି ଦେଇଦେଲେ ତାର ଉତ୍ତର ସେ ଲେଖି ପଠେଇଦେବେ । ଆଉ ସେଇଆ ହିଁ ହେଲା ।

ଦୁଇଜଣ ଅପରିପକ୍ଵ କଲେଜ ଯୁବକଙ୍କ ସହ ଧୈର୍ଯ୍ୟର ସହ ଦୀର୍ଘ ସମୟ କଥା ହେବା, ଆଉ ସମୟ ବାହାର କରି ଆମ ପ୍ରଶ୍ନ ଗୁଡିକର ଉତ୍ତର ଲେଖି ପଠେଇବା - ତାଙ୍କର ସେଇ ଉଦାରତା ମନେ ପକେଇଲାବେଳେ ଆଜି ବି ଆବେଗରେ ଦେହ ଶିହରି ଉଠୁଛି। - ଚଣ୍ଡୀଦାସ ମିଶ୍ର )

କବିତା ଲେଖିବା ପାଇଁ ଭାବପ୍ରବଣତା ଦରକାର । ପରିବାର ଭିତରର ଆବହାୱା ବି ଅନେକ ପ୍ରେରଣା ଦିଏ । ଆପଣ ଏକମତ ? ଆପଣଙ୍କ ପ୍ରଥମ କବିତା ଲେଖିବା ପୂର୍ବ ଓ ପର ମୁହୂର୍ତ୍ତ ବିଷୟରେ ଟିକେ ସୂଚନା ଦେବେ ?

ମୋର ପିଲାବେଳେ ଆମର ପାରିବାରିକ ପରିସ୍ଥିତିରୁ କବିତା ଲେଖିବାର ପ୍ରେରଣା ସ୍ୱତଃ ମିଳି ଯାଉଥିଲା ବୋଲି କହିହେବ ନାହିଁ । ପ୍ରକୃତପକ୍ଷେ ମୁଁ ପିଲାଦିନରୁ କବିତା ଲେଖୁ ନ ଥିଲି, ଲେଖିଲି କଲେଜରେ ଭର୍ତ୍ତି ହେବା ପରେ ଏବଂ କବିତା ଲେଖା ପ୍ରତି ନିଷ୍ଠା ଆସିଲା ମୁଁ ଛାତ୍ରାବାସରେ ରହିଲା ପରେ । ପ୍ରଥମ କବିତାଟି କଣ ଓ କେବେ ଲେଖିଲି ଠିକ୍ ମନେ ନାହିଁ, ଖାଲି ଏତିକି ମନେ ଅଛି ଯେ ଶେଲୀ ମୋ କବିତା ଶୁଣୁଛନ୍ତି ଓ ମୋତେ ଗଭୀର ଅନୁକମ୍ପା ପୂର୍ବକ ଅବଲୋକନ କରୁଛନ୍ତି ବୋଲି ଲାଗୁଥିଲା ।

ଆପଣଙ୍କ କବିତାରେ ମୃତ୍ୟୁ ଚେତନା ବିଶେଷ ଭାବରେ ପରିଲକ୍ଷିତ ହୁଏ ବୋଲି ମନ୍ତବ୍ୟ ଦିଆଯାଏ, ମୋ ମତରେ ତାହା ଅନ୍ୟ ଏକ ଜୀବନର ଅଭାବବୋଧ । ମୋଟ ଉପରେ ଆପଣଙ୍କ କବିତାଗୁଡ଼ିକ ଜୀବନଧର୍ମୀ । ଆପଣଙ୍କ ମତ କ’ଣ ?

ଏ ବିଷୟରେ ମୁଁ କ’ଣ କହିବି ? କିନ୍ତୁ ତଥାକଥିତ ଜୀବନଧର୍ମୀ ସାହିତ୍ୟ (ବା ମନୋବୃତ୍ତି) ବାସ୍ତବିକ କଣ ? ପାସ୍କାଲ୍ କହିଥିଲେ - ମଣିଷ ସୁଖୀ ହେବାକୁ ଇଚ୍ଛା କରିବା ସ୍ୱାଭାବିକ । ସୁଖୀ ହେବ କିପରି ? ଅମର ହେଲେ ସେ ସୁଖୀ ହୁଅନ୍ତା, କିନ୍ତୁ ଯେହେତୁ ସେ ଅମର ହୋଇପାରିବ ନାହିଁ, ମୃତ୍ୟୁ ବିଷୟରେ ନ ଭାବିବାକୁ ସେ ସ୍ଥିର କରିଛି ।

ଆପଣଙ୍କ କବିତାଗୁଡ଼ିକ ଆତ୍ମକୈନ୍ଦ୍ରିକ ବୋଲି ମତ ପ୍ରକାଶ ପାଏ । ଆପଣ ଏଠାରେ କ’ଣ କହିବେ ? ଆପଣଙ୍କ “ଓଡ଼ିଶା", "କର୍ଫ୍ୟୁ" ଇତ୍ୟାଦି କବିତାର ଶୀର୍ଷକରୁ ବାହ୍ୟାବଲୋକନର ବି ଆଭାସ ମିଳେ ।

ପ୍ରାଣପକ୍ଷୀ ଗୋଟିଏ ଡାଳରେ ବସିଛି । କେତେବେଳେ ଏପଟକୁ ଚାହୁଁଛି, କେତେବେଳେ ସେପଟକୁ । ସେ କେଉଁ ପଟର ନୁହେଁ । ବେଳେବେଳେ ଦୃଷ୍ଟି ଗୋଟିଏ ପଟରେ କିଛି ସମୟ ଅଟକି ଯାଏ । ତା’ ବୋଲି ସେ ସେପଟର ବୋଲି କହିହେବ ନାହିଁ ।

ଆପଣ ଆପଣଙ୍କ କବିତାଗୁଡ଼ିକୁ ଆବୃତ୍ତି କରିବାଟାକୁ ଆଖି ଆଗରେ ରଖି କିଛି ଅର୍ଥ ଦେଇଥାନ୍ତି କି ? ନା ସେଗୁଡ଼ିକ କେବଳ ଆଖି ପାଇଁ ?

ଆବୃତ୍ତି କରିବା ଉଦ୍ଦେଶ୍ୟ କେତେବେଳେ ହେଲେ ନଥାଏ । କେତେବେଳେ ଧାଡ଼ିଟିଏ ନିଜ ଭିତରେ ଖୁବ୍ ଜୋରରେ ଶୁଭେ । ତା’କୁ ଲିପିବଦ୍ଧ କରିବା ଛଡ଼ା ମୁଁ ଅଧିକା କିଛି କରେ ନାହିଁ ।

କବିତାର ଅର୍ଥ କେଉଁଠି ? କବି ପାଖରେ ନା ପାଠକ ପାଖରେ ?

ଉଭୟଙ୍କ ପାଖରେ । କବିଠାରୁ ବାହାରି କବିତାର ଅର୍ଥ ପାଠକ ପାଖକୁ ସଞ୍ଚରି ଯାଏ । କାଳକ୍ରମେ, କବି ମରିଯିବା ପରେ, କବିତାର ଅର୍ଥ କେବଳ ପାଠକ ପାଖରେ ରହିଯାଏ ।

ଅନେକ ସମୟରେ ଅଭିଯୋଗ ହୁଏ ଯେ ଆଧୁନିକ କବିତା ଦୁର୍ବୋଧ୍ୟ । ଏଠି ଆପଣ କଣ କହିବେ ? ଏହା କବିର ଭାବାବେଦନର ଅକ୍ଷମତା ପାଇଁ ନା ପାଠକର ଅଜ୍ଞତା ବା ଅନାଗ୍ରହ ପାଇଁ ?

କବି ନିଜକୁ ବ୍ୟକ୍ତ କରି ନ ପାରିଲେ କବିତା ଦୁର୍ବୋଧ୍ୟ ହୋଇପାରେ । ଏପରି କ୍ଷେତ୍ରରେ ଦୁର୍ବୋଧ୍ୟ ହେବା କବିତାର ସୁଗୁଣ ନୁହେଁ, ଦୁର୍ଗୁଣ । କିନ୍ତୁ ଅନେକ କ୍ଷେତ୍ରରେ କବିତାର ଅର୍ଥ ଏପରି ଭାବରେ ସୂଚିତ ହୁଏ ଯାହା ନିତ୍ୟ ବ୍ୟବହୃତ ପ୍ରକାଶ ଭଙ୍ଗୀଠାରୁ ପୃଥକ୍ । ସେ ପୃଥକ୍ ପ୍ରକାଶ ଭଙ୍ଗୀ ସହିତ ଅନଭ୍ୟସ୍ତ ଏବଂ ତା’ ପ୍ରତି ଆଗ୍ରହ ନଥିବା ଲୋକ କବିତାକୁ ଦୁର୍ବୋଧ୍ୟ ମଣିବା ସ୍ୱାଭାବିକ । ଏପରି ମନୋବୃତ୍ତିର ଭିତ୍ତିରେ କବିତାର ବିଚାର କରିବା ଉଚିତ୍ ହେବ ନାହିଁ ।

ଏ ପ୍ରଶ୍ନ ପଚାରିବା ପୂର୍ବରୁ କ୍ଷମା ପ୍ରାର୍ଥନା କରିବି । ଆପଣ ଆପଣଙ୍କ ପ୍ରାଇଭେଟ୍ ସେଲଫ୍ ଓ ଅଫିସିଆଲ୍ ସେଲଫ୍ ମଧ୍ୟରେ କିପରି ସଂଯୋଗ ରକ୍ଷା କରନ୍ତି ? ନିଜ କୋଠରୀ ଭିତରେ ବସିଥିବା କବି ଶ୍ରୀ ରମାକାନ୍ତ ରଥ ଓ ଅଫିସ୍ କାମ କରୁଥିବା ଶ୍ରୀ ରମାକାନ୍ତ ରଥ ପରସ୍ପରଙ୍କୁ ପ୍ରଭାବିତ କରନ୍ତି କି ? କେଉଁଭଳି ଭାବରେ ?

ଖୁବ୍ ସାର୍ଥକ କବି ହୋଇଥିଲେ ହୁଏତ ଏ ସଂଯୋଗ ରକ୍ଷା କରିବା କଷ୍ଟକର ହୋଇଥାନ୍ତା । ସେପରି କବିତା ଥିଲେ ତାହା ସମୁଦାୟ ଜୀବନୀ ଶକ୍ତିକୁ ନିଜସ୍ୱ କରି ପକାଇଥାନ୍ତା, ଆଉ କିଛି ପାଇଁ ଟିକେ ହେଲେ ଜାଗା ଛାଡ଼ିନଥାନ୍ତା । ମୋ ପକ୍ଷରେ ସେ ସମସ୍ୟା କଦାପି ଗୁରୁତର ଆକାର ଧାରଣ କରିନାହିଁ ।

ଯେ କବି, ସେ ବେଳେବେଳେ କବି ନା ସବୁବେଳେ ? କବି ରାଜେନ୍ଦ୍ର କିଶୋର ପଣ୍ଡା କୁହନ୍ତି, ଯେ କବି, ସେ ସବୁବେଳେ କବି, ଏପରିକି ଜୋତାର ଷ୍ଟ୍ରାପ ଲଗାଇଲା ବେଳେ ମଧ୍ୟ ।

ମୁଁ ରାଜେନ୍ଦ୍ର ବାବୁଙ୍କ ସହିତ ଏକମତ । ଆହୁରି କହିବି, ଯେ କବି ନୁହେଁ, ସେ କେତେବେଳେ ବି କବି ନୁହେଁ, ଏପରିକି ଅନେକ କବିତା ଲେଖିବା ସତ୍ତ୍ୱେ ।