ଫଟୋ - ରାଜାରାଣୀ ସଙ୍ଗୀତ ଉତ୍ସବ, ଓଡିଶା ପର୍ୟଟନ

ଏ ସାକ୍ଷାତକାର ପ୍ରାୟ ଛଅ ବର୍ଷ ତଳର । ତେବେ ଏଥିରେ ରହିଥିବା କଥା ଓ ପ୍ରସଙ୍ଗ, ଆଜିର, ସବୁ ସମୟର । ଭାରତୀୟ ବଂଶୀବାଦନ ପରମ୍ପରାର ମହାନାୟକ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ସହିତ ଏହି କଥାବାର୍ତ୍ତାର କାଳଜୟୀ ମୂଲ୍ୟ ରହିଛି ।

ସେଦିନ ଅନ୍ଧାର ଭିତରେ କେଉଁଠି ନିଖୋଜ “ବୃନ୍ଦାବନ”ର ଠିକଣା । “ବୃନ୍ଦାବନ” ଯେଉଁଠି ଅହରହ ବାଜୁଥାଏ ବଂଶୀ । ଯେଉଁଠି ଆତ୍ମା ନାଚୁଥାଏ ଉନ୍ମାଦିନୀ ଗୋପିକା ପରି । ସେଠି ଜୀବନର ଏକମାତ୍ର ପରିଚୟ ମୂର୍ଚ୍ଛନା । ସେଠି ସବୁ ତପସ୍ୟାର ମୋକ୍ଷ ବିନ୍ଦୁ ସମାହିତ ଥାଏ ରାଗରେ । ଅନନ୍ୟ ବଂଶୀର ଗୁରୁକୁଳ “ବୃନ୍ଦାବନ” । ସେହି ବୃନ୍ଦାବନର ଅଧିଷ୍ଠାତା ଗୁରୁ ପଣ୍ଡିତ ହରିପ୍ରସାଦ ଚୌରାସିଆ । ଆମେ ଭୁବନେଶ୍ୱର ଉପକଣ୍ଠ ଘାଟିକିଆ ଜଙ୍ଗଲର ଅଧା ଅନ୍ଧାର ଓ ଅଧା ଆଲୋକ ଭିତରେ ଖୋଜି ବୁଲୁଛୁ “ବୃନ୍ଦାବନ”ର ଠିକଣା । ଭୁବନେଶ୍ୱରର ଉପକଣ୍ଠରେ କେଇ ବର୍ଷ ତଳେ ପଣ୍ଡିତ ହରିପ୍ରସାଦ ଚୌରାସିଆ ପ୍ରତିଷ୍ଠା କରିଛନ୍ତି ଏହି ଗୁରୁକୁଳ । ଭାରତୀୟ ବଂଶୀ ବାଦନ ପରମ୍ପରାର ଶିଖର ପୁରୁଷ ତଥା ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ଜ୍ୟୋତିଷ୍କ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ସହ ସାକ୍ଷାତକାରକୁ ନେଇ ମନ ଭିତରେ ଯେତିକି ଉତ୍ତେଜନା, ସେତିକି ଆଗ୍ରହ । ହେଲେ ଆମେ ବାଟବଣା । ରାସ୍ତା ଧରି ଯେଉଁଠି ପହଞ୍ଚୁଛୁ, ସେଇଠି ଆଗକୁ କେବଳ ଅନ୍ଧାର । କୌଣସି ଘର ଦିଶୁନାହିଁ । ସନ୍ଧ୍ୟା ୮ଟା ୩୦ରେ ଗୁରୁଜୀଙ୍କ ସହ ଆମର ଦେଖା ହେବାର ଥିଲା । ସମୟ ଗଡ଼ି ଯାଉଛି । ବୃନ୍ଦାବନର ଠିକଣା ମିଳୁନାହିଁ । ଅନେକ ଭୁଲଭୁଲୈୟାରେ ଘୂରିଲା ପରେ ବୃନ୍ଦାବନର ଠିକଣା ମିଳିଲା । ପଣ୍ଡିତଜୀ ଆମକୁ ଅପେକ୍ଷା କରିଛନ୍ତି । ବଡ଼ କଷ୍ଟ ଲାଗିଲା ଯାହାଙ୍କୁ ଶୁଣିବା ଲାଗି ଓ ଯାହାଙ୍କର ପାଦ ଛୁଇଁବା ଲାଗି ହଜାର ହଜାର ହୃଦୟ ଉଦ୍ବେଳିତ, ତାଙ୍କୁ ଆମ ଲାଗି ଅପେକ୍ଷା କରିବାକୁ ପଡ଼ିଲା । ହେଲେ ପଣ୍ଡିତଜୀ ତାଙ୍କର ଗଭୀର ଆତ୍ମୀୟତାରେ ଆମକୁ ପାଛୋଟି ନେଲେ । ସେଇଠୁ ଆରମ୍ଭ ହେଲା ବଂଶୀର ମହାନାୟକ ହରିପ୍ରସାଦ ଚୌରାସିଆଙ୍କ ସହିତ କେଦାର ମିଶ୍ରଙ୍କ ପ୍ରଶ୍ନୋତ୍ତର ର ପର୍ବ ।

ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ଆପଣଙ୍କର କୌଣସି ପାରିବାରିକ ପରମ୍ପରା ନଥିଲା । ଆପଣଙ୍କ ବାପା ଚାହୁଁଥିଲେ ଆପଣ କୁସ୍ତିରେ ସଫଳତା ପାଆନ୍ତୁ । ହେଲେ, ଆପଣ ସଙ୍ଗୀତକୁ ନିଜ ଜୀବନ ଓ ଜୀବିକା ଭାବରେ ବାଛିଲେ । ଏ ସମ୍ପର୍କରେ ଟିକେ ବିସ୍ତୃତ ଭାବରେ ସୂଚନା ଦେବେ କି ?

ଆପଣ ଠିକ୍ କହିଛନ୍ତି । ବାପା ଥିଲେ କଡା ମିଜାଜର ଲୋକ । ଆମ ପରିବାରରେ ସଙ୍ଗୀତର ସେମିତି କିଛି ପରମ୍ପରା ନଥିଲା । ତେବେ ଆମର ଘରପାଖରେ ରହୁଥିବା ପଣ୍ଡିତ ଭୋଳାନାଥଙ୍କଠାରୁ ମୁଁ ପ୍ରାରମ୍ଭିକ ଭାବରେ ବଂଶୀବାଦନ ଶିଖିଲି । ଗାଇବା ଓ ବଂଶୀ ବଜାଇବା ଦୁଇଟା ଯାକ ଏକାସାଙ୍ଗରେ ଶିଖୁଥିଲି । ସେଇଟା ପୁଣି ବାପାଙ୍କୁ ଲୁଚାଇ ଲୁଚାଇ । ଟିକେ ବଡ଼ ହେଲା ପରେ ସଙ୍ଗୀତକୁ ନେଇ ଆଗ୍ରହ ବଢିଲା, ସେତେବେଳେ ଅଲ୍ଇଣ୍ଡିଆ ରେଡ଼ିଓ, କଟକ କେନ୍ଦ୍ରରେ ଚାକିରି ପାଇଁ ଦରଖାସ୍ତ ଦେଲି ଓ ପାଇଗଲି । କଟକ ମୋ ସଙ୍ଗୀତ ଜୀବନରେ ଗୋଟେ ନୂଆ ମୋଡ଼ ଆଣିଦେଲା । ସେତେବେଳେ କଟକରେ ଏକ ବିରାଟ ସାଂସ୍କୃତିକ ବିପ୍ଲବ ଚାଲିଥାଏ । ନିମାଇଁ ହରିଚନ୍ଦନ, ସିଂହାରୀ ଶ୍ୟାମସୁନ୍ଦର କର, ବାଳକୃଷ୍ଣ ଦାସ, ପଣ୍ଡିତ ଭୁବନେଶ୍ୱର ମିଶ୍ର ପ୍ରମୁଖ ସଙ୍ଗୀତ କ୍ଷେତ୍ରରେ ଏକ ଚମତ୍କାର ପରିମଣ୍ଡଳ ସୃଷ୍ଟି କରିଥା’ନ୍ତି । ସେତେବେଳେ ଷ୍ଟେସନ ଡାଇରେକ୍ଟର ଥାନ୍ତି ପି.ଭି. କୃଷ୍ଣମୂର୍ତ୍ତି । ସେ ମହାଶୟ ମୋତେ ବହୁତ ଉତ୍ସାହିତ କରିଛନ୍ତି । କଟକରେ ଆମେ ସେତେବେଳେ ବହୁତ ସଙ୍ଗୀତ ସମାରୋହରେ ଗୀତ ବାଦ୍ୟ କରିଛୁ । ମୁଁ ଓଡ଼ିଶୀ ନୃତ୍ୟରେ ବହୁ ଶିଳ୍ପୀଙ୍କ ସାଙ୍ଗରେ ବଜାଇଛି । ଗୋଟେ ସମୟ ଥିଲା, ଯେତେବେଳେ କେଉଁ ନୃତ୍ୟାଙ୍ଗନା ସାଙ୍ଗରେ ବଜାଇବି, ତାକୁ ନେଇ ଗୋଟେ ପ୍ରକାର ପ୍ରତିଯୋଗିତା ଚାଲିଲା । ସଂଯୁକ୍ତା ପାଣିଗ୍ରାହୀ, କୁମକୁମ ମହାନ୍ତିଙ୍କ ପରି ବହୁତ ବଡ଼ ନୃତ୍ୟାଙ୍ଗନାଙ୍କ ସାଙ୍ଗରେ ମୁଁ ସେତେବେଳେ ବଜାଇଛି । ଭୁବନେଶ୍ୱର ବାବୁଙ୍କ ସଙ୍ଗେ ମିଶି କିଛି ସିନେମାରେ ମ୍ୟୁଜିକ ମଧ୍ୟ କରିଛୁ। କଟକ ଗୋଟେ ପ୍ରକାର ମୋ’ ଲାଗି ସଙ୍ଗୀତର ନୂଆ ଅଧ୍ୟାୟ ଖୋଲିଥିଲା । ତା’ପରେ ମୋର ବଦଳି ହେଲା ବମ୍ବେକୁ ।

କୁହାଯାଏ, ବମ୍ବେରେ ଆପଣ ଅନ୍ନପୂର୍ଣ୍ଣା ଦେବୀଙ୍କଠାରୁ ସଙ୍ଗୀତ ଶିଖିବା ପରେ ଆପଣଙ୍କର ବାସ୍ତବ ଶାସ୍ତ୍ରୀୟ ପ୍ରତିଭା ଉନ୍ମୋଚିତ ହୋଇଥିଲା । ଅନ୍ନପୂର୍ଣ୍ଣା ଦେବୀ କାହାକୁ ଶିଖାଇବାକୁ ଆଗ୍ରହୀ ନଥିଲେ । କେବଳ ଆପଣଙ୍କ କ୍ଷେତ୍ରରେ ତା’ର ବ୍ୟତିକ୍ରମ ହୋଇଥିଲା ବୋଲି ଶୁଣାଯାଏ । ଏ ସମ୍ପର୍କରେ ଆମକୁ କିଛି କୁହନ୍ତୁ ?

ବମ୍ବେ ଯିବା ପର୍ଯ୍ୟନ୍ତ ମୁଁ ବିଧିବଦ୍ଧ ଭାବରେ ସଙ୍ଗୀତର କଳାକୌଶଳ ଜାଣି ନଥିଲି । ବଜଉଥିଲି, ସମସ୍ତେ କହୁଥିଲେ - ବଢିଆ ବଜାଉଛି । ବହୁତ ସଙ୍ଗୀତ ନିର୍ଦ୍ଦେଶକଂକ ସହିତ ବମ୍ବେରେ କାମ କରିଛି । ତେବେ ବଂଶୀକୁ ନେଇ ଜଣେ ଏକକ ଶିଳ୍ପୀ ଭାବରେ ପରିଚୟ ତିଆରି କରିବାର ଆଗ୍ରହ ସେପର୍ଯ୍ୟନ୍ତ ମୋର ନଥିଲା । ସେତେବେଳେ ମୋତେ ମୋର ଜଣେ ବନ୍ଧୁ କହିଥିଲେ ସଙ୍ଗୀତ ଶିଖିବା ଲାଗି । କାହାପାଖରୁ ଶିଖିବି ? କେମିତି ଶିଖିବି ? ମୁଁ କିଛି ଜାଣୁନଥାଏ । କେହି ଜଣେ କହିଲା, ଅନ୍ନପୂର୍ଣ୍ଣା ଦେବୀଙ୍କ ପାଖକୁ ଯିବା ପାଇଁ । ଅନ୍ନପୂର୍ଣ୍ଣା ଦେବୀ କଡ଼ା ମିଜାଜର ଗୁରୁ । ତାଙ୍କ ପାଖକୁ କେହି ଯିବାକୁ ସାହସ କରନ୍ତି ନାହିଁ । ଅନେକ ଥର ଯାଇ ତାଙ୍କ ପାଖରୁ ନିରାଶ ହୋଇ ଫେରିଛି । ଶେଷରେ ମୋତେ ସେ ତାଙ୍କର ଶିଷ୍ୟ ଭାବରେ ଗ୍ରହଣ କଲେ । ଆଜି ପର୍ଯ୍ୟନ୍ତ ସେ ମୋର ଗୁରୁ ଓ ମା’ । ତାଙ୍କର ପାଦ ତଳେ ବସି ଯାହା ଶିଖିଛି, ସେଇଟା ଆଜି ପର୍ଯ୍ୟନ୍ତ ମୋର ସମ୍ବଳ । ତାଙ୍କ ପରି “ସୁରବାହାର୍” ବଜାଇବା ଲୋକ ପୃଥିବୀରେ ବିରଳ । ତାଙ୍କ ପାଖରୁ ମୁଁ ଶିଖିଲି ଗୁରୁ ଶିଷ୍ୟର ପରମ୍ପରା କ’ଣ ? ଗୁରୁ ଶିଷ୍ୟଠାରୁ କିଛି ଆଶା କରେ ନାହିଁ । ମୋର ଗୁରୁଙ୍କୁ ମୋ’ ଜୀବନରେ କିଛି ଦେଇନାହିଁ । ତାଙ୍କଠୁ ଅନେକ କିଛି ପାଇଛି । ଆଜି ମୁଁ ଯାହା ହେଇଛି, ତାହା ହେଉଛି ଗୁରୁଙ୍କର ଅବଦାନ ।

ଯଦିଓ ଆପଣ ଶାସ୍ତ୍ରୀୟ ସଙ୍ଗୀତର ଜଣେ ଧୂରୀଣ ଶିଳ୍ପୀ, ତଥାପି ଆପଣଙ୍କ ସଙ୍ଗୀତରେ ପଲ୍ଲୀ ପ୍ରତି ଗଭୀର ଆକର୍ଷଣ ଦୃଶ୍ୟମାନ ହୋଇଥାଏ ? (ଆପଣଙ୍କ ସବୁଠୁ ଲୋକପ୍ରିୟ ଧୁନ "ପାହାଡି") ଅନେକ ସମୟରେ ଆପଣ ଲୋକସଙ୍ଗୀତକୁ ଯଥେଷ୍ଟ ମହତ୍ତ୍ୱ ଦେଇଥା’ନ୍ତି, ଏହାର କାରଣ କ’ଣ ?

ସେଇଟା ହିଁ ତ ଆମର ମୁଖ୍ୟ ସଙ୍ଗୀତ । ଆଗେ ମ୍ୟୁଜିକ କ’ଣ ଥିଲା ! ଗାଁ ଗହଳିରେ ଲୋକେ ଚାଷବାସ କରି ଘରକୁ ଆସୁଥିଲେ । ପରିବାର ଭିତରେ ଗୀତ ଗାଉଥିଲେ, ନାଚ କରୁଥିଲେ । ଏହା ତ ହେଉଥିଲା । ସେମାନେ କ’ଣ କ୍ଲାସିକାଲ୍ ବା ଗଜଲ୍ ଗାଉଥିଲେ କି ? କ’ଣ ଗାଉଥିଲେ ? ଗାଁ ଗହଳରେ ଲୋକସ୍ୱର ହିଁ ଥିଲା । ସେଇଟା ହିଁ ଓରିଜିନ୍ ଅଫ ମ୍ୟୁଜିକ । ସେଇଟା ଆଜି ବଜାଇଲେ ଆଜିର ଆଧୁନିକ ଲୋକମାନେ ବି ଖୁସି ହେଉଛନ୍ତି । ଲୋକସଙ୍ଗୀତ ହେଉଛି ମାନବିକତାର ସଙ୍ଗୀତ । ସେଇଟା ଆମେ କାହିଁକି ଭୁଲିଯିବା । ମୁଁ ଯେଉଁଠିକୁ ଯାଏ କ୍ଲାସିକାଲ୍ ବଜାଏ । କ୍ଲାସିକାଲ୍ ଜାଣିଛି, କ୍ଲାସିକାଲ୍ ଶିଖିଛି, ତେଣୁ ବଜାଉଛି । କିନ୍ତୁ ଲୋକଗୀତ ସମସ୍ତଙ୍କ ପାଖରେ ପହଂଚିଥାଏ । ଏପରିକି ଯେଉଁମାନେ ସଙ୍ଗୀତର ବ୍ୟାକରଣ ବୁଝୁନାହାନ୍ତି ସେମାନଙ୍କ ପାଖରେ ବହୁତ ଆଗ୍ରହ ଅଛି, ସେଇ ତରୁଣ ପିଲାମାନେ ମଧ୍ୟ ବସିକରି ତାକୁ ଶୁଣୁଛନ୍ତି ଓ ଭଲପାଉଛନ୍ତି ।

ବଲିଉଡ୍ ଫିଲ୍ମଗୁଡ଼ିକରେ ଆପଣ ପାଶ୍ଚାତ୍ୟ ଓ ପ୍ରାଚ୍ୟ ସଙ୍ଗୀତର ଫ୍ୟୁଜନ ପ୍ରସ୍ତୁତ କରିଥା’ନ୍ତି । “ଚାନ୍ଦିନୀ”, “ଲମହେ”, “ସିଲସିଲା” ଇତ୍ୟାଦି ସିନେମାରେ ଆପଣ ଏବଂ ଶିବକୁମାର ଶର୍ମାଙ୍କ ସଙ୍ଗୀତ ବଲିଉଡ୍ ସଙ୍ଗୀତକୁ ଗୋଟେ ନୂଆ ଧାରା ଦେଇଛି । ଏ ସମ୍ପର୍କରେ ଟିକେ ବିସ୍ତୃତ ଭାବରେ କହିବେ କି ?

ସିନେମାରେ ଚରିତ୍ରର ଦାବି ଅନୁଯାୟୀ ଗୀତ କରାଯାଏ । ‘ଚାନ୍ଦିନୀ’ ସିନେମାରେ ‘ଓ ମାଇଁ ଚାନ୍ଦିନୀ...’ ଭଳିଆ ଗୀତ ଦରକାର ଥିଲା । ଯେଉଁ ସ୍କ୍ରିପ୍ଟ ରେ ଯାହା ଦରକାର, ସେଇଟା କରିବା ସଙ୍ଗୀତ ନିର୍ଦ୍ଦେଶକ ଭାବରେ ଆମର ଦାୟିତ୍ୱ । ସେଇଠି ଶ୍ରୀଦେବୀ ଥିଲେ, ତେଣୁ ନାଚ ଗୀତର ଆବଶ୍ୟକତା ଥିଲା, ସେହି ଚରିତ୍ରରେ ଯଦି ନିରୂପା ରାୟ ଥା’ନ୍ତେ, ତା’ହେଲେ ସଙ୍ଗୀତ ଅଲଗା ହୋଇଥା’ନ୍ତା । ଯେମିତିକା ସ୍କ୍ରିପ୍ଟ୍ ଓ ଷ୍ଟୋରୀ ଡିମାଣ୍ଡ୍ କରିଛି ସେମିତି ସଙ୍ଗୀତ ମୁଁ କରିଛି । ଧରନ୍ତୁ ଯେମିତି ମୋ ଶରୀର ଅଛି ସେମିତି ପୋଷାକ ମୁଁ ପିନ୍ଧିବି । ମୁଁ ମୋଟା ଲୋକ, ପତଳା ଲୋକଙ୍କର ଲୁଗା କେମିତି ପିନ୍ଧିବି । ପିନ୍ଧିଲେ ଅଜବ ଲାଗିବି ନାହିଁ କି ? ସେମିତି ପତଳା ଲୋକ ମୋଟା ଲୋକଙ୍କ ଲୁଗା ପିନ୍ଧିଲେ ଅଦ୍ଭୁତ ଦିଶିବ । ସେହିଭଳି ସିନେମାରେ ଷ୍ଟୋରୀର କେଉଁ ମ୍ୟୁଜିକ ସୁଟ୍ କରିବ ସେଇଟା ଗୁରୁତ୍ୱପୂର୍ଣ୍ଣ । ଅମିତାଭ୍ ବଚ୍ଚନଙ୍କ ହୋରୀ ଗୀତ ଅଲଗା ପ୍ରକାର ହେଲା । ରଙ୍ଗ ବରସେ୍.... ସେଇ ଗୀତକୁ ଯଦି ପାଶ୍ଚାତ୍ୟ ଢଙ୍ଗରେ କରିଥା’ନ୍ତି, ସେଇଟା ଆଦୌ ଭଲ ଲାଗିନଥା’ନ୍ତା । ହୋଲି ହେଉଛି ଭାରତର ଗୋଟେ ଗୁରୁତ୍ୱପୂର୍ଣ୍ଣ ଉତ୍ସବ । ତା’କୁ ନେଇ ଅନେକ ସଙ୍ଗୀତ ଓ ନୃତ୍ୟର ପରମ୍ପରା ଆମର ରହିଛି । ସେହି ଦେଶୀ ପରମ୍ପରାରୁ ଆଣି ଗୀତକୁ ତିଆରି କରାଗଲା । ଆଜି ସେଇ ଗୀତଟା ଫେମଶ୍ ହୋଇଗଲା । ସେହି ଗୀତ ନ ବାଜିଲେ ଆଜି କେହି ଆଉ ହୋଲି ପାଳୁ ନାହାନ୍ତି ।

ଆପଣ ଅମିତାଭ ବଚ୍ଚନଙ୍କୁ ଗୀତ ଗାଇବାକୁ କେମିତି ବାଛିଲେ ?

ସେ ନିଜେ କହିଲେ ମୁଁ ଗାଇବି, ମୁଁ କହିଲି ହଉ । ସେ ରାତି ୨ଟାରେ ଆସି ମେହେନତ୍ କରି ରିଆଜ୍ କଲେ । ତାଙ୍କ ଗଳାକୁ ଗୀତଟି ସାଜିଲା । ଗୀତଟି ଟପ୍ ହୋଇଗଲା । ତା’ପରେ ତାଙ୍କ ପଛରେ ଲୋକ ପଡ଼ିଗଲେ ଗୀତ ଗାଇବା ପାଇଁ । ତା’ପରେ ଜିସ୍କି ବିୱି ଲମ୍ବି ଜିସ୍କି ବିୱି ମୋଟୀ ...ଇତ୍ୟାଦି ବହୁ ଗୀତ ଗାଇଲେ । କିନ୍ତୁ ଏହି ଗୀତଟି କ୍ଲାସିକ୍ ହୋଇ ରହିଗଲା । ଆମ ପିଲାମାନେ ଓ ପିଲାମାନଙ୍କର ପିଲାମାନେ ମଧ୍ୟ ତାକୁ ଶୁଣିବେ । “ରଙ୍ଗ୍ ବରଷେ୍” ସବୁ ହୋଲିରେ ରଙ୍ଗ ବରଷଉ ଥିବ ।

ଅନ୍ୟ ସିନେମା ଗୀତ ଯଥା "ଲମହେ", "ସିଲସିଲା", "ଚାନ୍ଦିନୀ", ଇତ୍ୟାଦି ବିଷୟରେ କିଛି କୁହନ୍ତୁ ?

କେତେଗୁଡ଼େ ସିନେମା ଆମେ କରିଛୁ । ଯେମିତିକି "ସିଲସିଲା", "ଫାସଲେ", "ବିଜୟ", "ଚାନ୍ଦିନୀ", "ଲମହେ", "ପରମ୍ପରା" ....ଗୁଡାଏ ପିକଚର୍ ମୁଁ କରିଛି । ତା’ପରେ ମୁଁ ବଲିଉଡ୍ ମ୍ୟୁଜିକ୍ ଛାଡିଦେଲି । ଦୁନିଆରେ ଅନେକ ଜିନିଷ ଅଛି କରିବାକୁ । ଗୁରୁକୁଳ ଆମ ପରମ୍ପରାର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଂଶ । ଆମେ ସେଇ ବିଷୟରେ ଶୁଣିଛୁ, କିନ୍ତୁ କିଛି ଦେଖିନୁ । ନିଜ ଘରେ ଗୁରୁ ଶିଷ୍ୟମାନଙ୍କ ସାଙ୍ଗରେ ରହୁଥିଲେ, ଶିଷ୍ୟମାନେ ଗୁରୁଙ୍କ ସେବା କରିବେ, ସଙ୍ଗୀତ ଶିଖିବେ, ସଂସ୍କୃତ ଶିଖିବେ । ମୁଁ ଭାବିଲି ମୁଁ ସେମିତି ଗୋଟେ ଗୁରୁକୁଳ ତିଆରି କରିବି । ଫିଲ୍ମ ଇଣ୍ଡ୍ରଷ୍ଟି ଛାଡ଼ି ଗୁରୁକୂଳ ଗଢିବାରେ ସମୟ ଦେଲି । ଏବେ ମୁମ୍ବାଇରେ ଗୋଟେ ଗୁରୁକୁଳ ଅଛି, ଭୁବନେଶ୍ୱରେ ବି ଅଛି ।

ଆପଣ ବେଳେବେଳେ ମଜାରେ କୁହନ୍ତି ଯେ କୃଷ୍ଣ ଭଗବାନଙ୍କ ଭଳିଆ ଆପଣ ବଂଶୀ ବଜାଇ ପାରିଲେ ନାହିଁ ?

ତାଙ୍କ ଭଳିଆ ମୁଁ କାହିଁକି କୌଣସି ମଣିଷ ବଜାଇ ପାରିବ ନାହିଁ । ହରିପ୍ରସାଦ କେବେ ଶ୍ରୀକୃଷ୍ଣ ହୋଇ ପାରିବେନି । ସେମିତି ଶ୍ରୀକୃଷ୍ଣ ମଧ୍ୟ କେବେ ହରିପ୍ରସାଦ ହୋଇପାରିବେନି । (ଏତକ କହି ଗୁରୁଜୀ ବେଶ୍ ମନଖୋଲା ହସ ହସିଥିଲେ ।) ମୁଁ ଆପଣ ହୋଇ ପାରିବିନି କି ଆପଣ ବି ମୋ’ ଭଳିଆ ହୋଇପାରିବେ ନାହିଁ । ଭଗବାନ ସମସ୍ତଙ୍କୁ ସୁନ୍ଦର କରିଛନ୍ତି । ସାରା ପୃଥିବୀ ହେଉଛି ସୁନ୍ଦର । କୃଷ୍ଣଙ୍କର ନାଁ ଶୁଣି ହଜାର ହଜାର ଗୋପୀ ପାଗଳୀ ହେଉଥିଲେ, ମୀରା ବି ଥିଲେ, ରାଣୀମାନେ ବି ଥିଲେ । ମୁଁ ଆଜ୍ଞା ଯଦି ସେଇଆ କରିବି, ତା’ହେଲେ ମୋତେ ଜେଲ୍ ଯିବାକୁ ପଡ଼ିବ । ଯାହାହେଉ ଭଗବାନ କୃଷ୍ଣଙ୍କ ସମୟରେ କୋର୍ଟ କଚେରୀ ନଥିଲା । (ନିଜ ରସିକତାରେ ଆହୁରି ହସିଲେ ଗୁରୁଜୀ ।) ଆପଣଙ୍କୁ ଆଉ ଗୋଟିଏ କଥା କହୁଛି । ସଙ୍ଗୀତ ଖାଲି ମଣିଷମାନେ ଶୁଣନ୍ତି ନାହିଁ, ପଶୁପକ୍ଷୀ, କୀଟପତଙ୍ଗ ଓ ବୃକ୍ଷଲତାମାନେ ମଧ୍ୟ ସଙ୍ଗୀତ ଶୁଣନ୍ତି । କାଲିଫୋର୍ଣ୍ଣିଆରେ ଏକ କ୍ୟାମ୍ପସରେ ୧୦୦ଟି ଗାଈ ଥିଲେ, ତା’ର ଯେ ତତ୍ତ୍ୱାବଧାରକ ସେ ସଙ୍ଗୀତକୁ ନେଇ ଗାଈମାନଙ୍କ ସହ ଏକ୍ସପେରିମେଣ୍ଟ୍ କଲେ । ସଙ୍ଗୀତ ବାଜୁଥିବା ପର୍ଯ୍ୟନ୍ତ ଗାଈ ମନଯୋଗ ସହକାରେ କ୍ଷୀର ଦେଉଥାଏ, ସଙ୍ଗୀତ ବନ୍ଦ ହୋଇଗଲେ ଗାଈର କ୍ଷୀର ଦେବା ବନ୍ଦ ହୋଇଯାଏ । ସେହିସକାଶେ ଗାଈକୁ ମ୍ୟୁଜିକ୍ ଶୁଣାଇଲେ । ଯେଉଁ ଗାଈ ୨ ଲିଟର କ୍ଷୀର ଦେଉଥିଲା, ସେ ୧୦ ଲିଟର କ୍ଷୀର ଦେଲା ଏବଂ ସେ କ୍ଷୀରର ସ୍ୱାଦ ମଧ୍ୟ ଅଲଗା । ମୁଁ ମୋର ନିଜ ଗୁରୁକୁଳରେ ଗଛଲତାଙ୍କ ସହ ସଙ୍ଗୀତର ସମ୍ପର୍କକୁ ଅନୁଭବ କରିଛି । ବମ୍ବେରେ ବଗିଚା କରିବାକୁ ଜାଗା ନାହିଁ । ଅଳ୍ପ ଟିକେ ମାଟିରେ ଏତେ ବଡ଼ ବଡ଼ ଗଛ କେମିତି ହେଲା । ଆମ ଗୁରୁକୁଳରେ ବେଶ୍ ମୋଟା ମୋଟା ଗଛ । ଆପଣ ନିଜେ ଦେଖିଲେ କହିବେ ଏସବୁ ହେଲା କେମିତି । ଗଛଲତା ବି ବେଶ୍ ଭଲ ସଙ୍ଗୀତ ଶୁଣିପାରନ୍ତି ।

ଆପଣ ଏତେ ଜାଗା ବୁଲିଛନ୍ତି, ଏତେ ଜାଗାରେ ସଂଗୀତ ସହ ଆପଣଙ୍କର ସମ୍ପର୍କ ରହିଛି । ସବୁ ରାଜ୍ୟର ସବୁ ଜାଗାର ସଂଗୀତ ସହିତ ଆପଣଙ୍କର ସମ୍ପର୍କ ରହିଛି । ଆପଣଙ୍କର ସବୁଠୁ କେଉଁ ଜାଗାରେ ସଂଗୀତ ଅଧିକ ପସନ୍ଦ ?

ଭାରତର ଯେତେ ପ୍ରକାର ସଙ୍ଗୀତ ଅଛି ସେତେ ବିବିଧତା ଆଉ କେଉଁଠି ନାହିଁ । ବଂଶୀ ହେଉଛି ଭାରତର । ବଂଶୀ କେଉଁଠି ମିଳିବ ନାହିଁ । ବାଉଁଶ ଗଛ ନାହିଁ । ସେମାନେ କ’ଣ କରିଥା’ନ୍ତି ଷ୍ଟିଲ୍, ସିଲଭର୍, ଗୋଲ୍ଡ ନେଇ କରନ୍ତି କିନ୍ତୁ ବାମ୍ବୋ ନେଇ ନୁହେଁ । ମୁଁ ଦେଖିଲି ଆମ ସଂଗୀତର ଯେଉଁ ମୂଲ୍ୟ ବାହାରେ ଅଛି, ତାହା ଅନ୍ୟ କାହାର ନାହିଁ । ସେଇ ସଂଗୀତ ସେମାନଙ୍କୁ ଏତେ ଆକର୍ଷିତ କଲା, ସେମାନେ ଆସି କରି ଆମ ଠୁ ଶିଖିଲେ । ଦେଖନ୍ତୁ ମୋ ଗୁରୁକୁଳରେ ଦୁନିଆର ଏତେ ଲୋକ, ଏଇଠି ସେ ଆସି ରହିବାକୁ ଚାହୁଁଛନ୍ତି, ତଳେ ବସି କଣ୍ଟା ଚାମୁଚ ଫୋପାଡ଼ି ହାତରେ ଖାଉଛନ୍ତି । ସଂଗୀତ ସକାଶେ ସେମାନେ ସବୁ ଛାଡ଼ିଦେଇଛନ୍ତି ।

ଶେଷ ପ୍ରଶ୍ନ ପଚାରିବି । ଆପଣ ଓଡ଼ିଶାରେ ବାହା ହେଲେ, ଆପଣ ଓଡ଼ିଶାରୁ ବୋହୂ ନେଇଛନ୍ତି ଏବଂ ଏବେ ଓଡ଼ିଶାରେ ରହୁଛନ୍ତି । ସେହି ଦୃଷ୍ଟିରୁ ଓଡ଼ିଶୀ ସଙ୍ଗୀତକୁ ପରବର୍ତ୍ତୀ ସମୟରେ ନୂଆକରି ଗଢିବାରେ ଆପଣଙ୍କର ବହୁତ ବଡ ଅବଦାନ ସମସ୍ତେ ଆଶା କରୁଛନ୍ତି । ଏ ସମ୍ପର୍କରେ ଆପଣ କ’ଣ କହିବେ ?

ଆଶା ତ ବହୁତ କରୁଛନ୍ତି, ହେଲେ ସୁବିଧା କ’ଣ କରୁଛନ୍ତି ? ସୁବିଧା ନ ଦେଲେ କେମିତି କରିବି । କେମିତି ଆସିବି, ସରକାର କିଛି ସାହାଯ୍ୟ କରୁନାହାନ୍ତି । ମୋ ଗୁରୁକୁଳରେ ସବୁ ଛାତ୍ର ମାଗଣାରେ ରୁହନ୍ତି, ଗୁରୁକୁଳର ପରମ୍ପରା ସେଇଆ । ପଇସା ନେଇ ଶିକ୍ଷାଦାନ କରିବାର କୌଣସି ଅର୍ଥ ନାହିଁ । ମୋ ପାଇଁ ପିଲାଙ୍କୁ ତାଲିମ୍ ଦେବା ହେଉଛି ଗୋଟେ ପ୍ରକାର ସାଧନା । ତେବେ ଗୁରୁକୁଳକୁ ଚଳାଇବା ଲାଗି ଅନେକ କିଛି ଆବଶ୍ୟକତା ରହିଛି । ଶିକ୍ଷକମାନଙ୍କୁ ଦରମା ଦେବାକୁ ପଡ଼ିବ, ଜିନିଷପତ୍ର କିଣିବାକୁ ପଡ଼ିବ । ସଙ୍ଗୀତର ଆସବାବପତ୍ର ରହିବ । ସେସବୁ ଆସିବ କେଉଁଠୁ ? ବମ୍ବେରୁ ମୁଁ ନିୟମିତ ଆସିବି କେମିତି ? ମୁଁ ଏକଥା ମଧ୍ୟ କହୁନାହିଁ ଯେ ସରକାର ସବୁ କରିବେ । ସରକାର ଜାଗା ଦେଇଛନ୍ତି । କିନ୍ତୁ ମୁଁ ଘର କରିଛି । ତେବେ ସମାଜରେ ଯେଉଁମାନେ ଧନୀ ଓ ବଡ଼ କମ୍ପାନୀ ସବୁ ଅଛନ୍ତି, ସେମାନଙ୍କର ଆମ ସଂସ୍କୃତି ପ୍ରତି କିଛି ଦାୟିତ୍ୱବୋଧ ରହିବା ମଧ୍ୟ ଦରକାର ।