ଫଟୋ ସୌଜନ୍ୟ: ଅସିତ ମହାନ୍ତିଙ୍କ ଫେସବୁକ ପୃଷ୍ଠା

ଅସିତ ମହାନ୍ତିଙ୍କ ପରିଚୟ ଦେବାକୁ ଯାଇ ଗୋଟେ ବାକ୍ୟ କୁହାଯାଇପାରିବ, ସେ ଆମ ସମୟର ଚଳନ୍ତି ସମୟକୋଷ । ଚଳନ୍ତି ସମୟ ଓ ସ୍ମୃତିର ଲେଖନକାର ଭାବରେ ତାଙ୍କର ଏକ ଐତିହାସିକ ଭୂମିକା ରହିଛି । ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଘଟୁଥିବା ପ୍ରତ୍ୟେକ ଘଟଣାକୁ ସେ "ସଞ୍ଜୟ" ଭୂମିକାରେ ଦେଖୁଛନ୍ତି ଓ ଲେଖୁଛନ୍ତି । ସମ୍ପାଦନା, ଗବେଷଣା, ଅନୁବାଦ, ସାମ୍ବାଦିକତା ଓ ପ୍ରକାଶନ କ୍ଷେତ୍ରରେ ତାଙ୍କର ଭୂମିକା ଅନନ୍ୟ । ଅନୁବାଦକ ଭାବରେ ମାତ୍ର ଚାଳିଶ ବର୍ଷ ବୟସରେ ତାଙ୍କୁ ମିଳିଥିଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ଓଡିଆ ସାହିତ୍ୟର ଜାଗ୍ରତ ବିବେକ ଭାବରେ ସବୁ ସମୟରେ କର୍ମୀର ଭୂମିକା ତୁଲାଇ ଆସୁଥିବା ଅସିତ ମହାନ୍ତିଙ୍କ ସହିତ କେଦାର ମିଶ୍ରଙ୍କ କଥାବାର୍ତ୍ତା ।

ଆଜିର ରାଜନୀତି ଭାଷାରେ ଆପଣଙ୍କୁ ପ୍ରଥମ ପ୍ରଶ୍ନଟି ପଚାରୁଛି - ଆପଣ ଏତେ ନକାରାତ୍ମକ (ନେଗେଟିଭ) କାହିଁକି ? କିଏ ପୁରସ୍କାର ପାଇଲା ଓ କାହିଁକି ପାଇଲା, ଏକାଡେମୀରେ କଣ ହେଲା ନହେଲା, ଏସବୁ ଆଲୋଚନା କଣ ନିହାତି ଜରୁରୀ ? ଆପଣ ଟିକେ ପଜିଟିଭ ହେଉ ନାହାନ୍ତି କାହିଁକି ?

ନକାରାତ୍ମକତା (ନେଗେଟିଭିଟି) ଓ ସକାରାତ୍ମକତା (ପଜିଟିଭିଟି) ନେଇ ଆମର କିଛି ଭ୍ରାନ୍ତ ଧାରଣା ଅଛି । ସେଥିପାଇଁ, ପ୍ରାୟ ଚାରିବର୍ଷ ତଳେ, ’ସମ୍ବାଦ’ର ’ବାର୍ଷିକ ବିଶେଷାଙ୍କ - ୨୦୧୭’ରେ ମୁଁ ଗୋଟିଏ ଲେଖା ଲେଖିଥିଲି । ତା’ର ଶୀର୍ଷକ ଥିଲା - ‘ନକାରାତ୍ମତା ସପକ୍ଷରେ’। ଉତ୍ତର ଦୀର୍ଘ ହୋଇଯିବାର ଆଶଙ୍କା ଅଛି; ତଥାପି ଅତି ସଂକ୍ଷେପରେ ତିନିଟି କଥା କହିବି - ଦୁଇଟି ପୁରାଣରୁ ଓ ଗୋଟିଏ ସାହିତ୍ୟରୁ ।

’ଶ୍ରୀବତ୍ସ ଲାଞ୍ଛନ’ କଥାଟି ସମସ୍ତଙ୍କୁ ଜଣା । ଏହାର ଅନ୍ୟନାମ ’ଭୃଗୁ ଲାଞ୍ଛନ’। ଭୃଗୁ (ବା ଶ୍ରୀବତ୍ସ) ଭଗବାନ ବିଷ୍ଣୁଙ୍କ ଦର୍ଶନକୁ ଯାଇଥିବାବେଳେ ବିଷ୍ଣୁ ନିଦ୍ରାଗତ ଥିଲେ । ସେଥିରେ ସେ କ୍ଷୁବ୍ଧ ହୋଇ ତାଙ୍କୁ ପଦାଘାତ କଲେ । କାରଣ, ଯେଉଁ ବିଷ୍ଣୁ ଏ ସଂସାରର ପାଳନକର୍ତ୍ତା - ନିଶ୍ଚିନ୍ତ ନିଦ୍ରାପାଇଁ ତାଙ୍କର ଅବକାଶ ବା କାହିଁ ? ତାହା ଥିଲା ଭୃଗୁଙ୍କର ଏକ ସାତ୍ତ୍ବିକ କ୍ରୋଧ । ତେଣୁ ବିଷ୍ଣୁ ସେହି ପଦାଘାତର ଚିହ୍ନକୁ ନିଜର ବକ୍ଷରେ ଧାରଣ କଲେ ।

ଦ୍ବିତୀୟ କଥାଟି ପୀତାମ୍ବର ଦାସଙ୍କ ଓଡ଼ିଆ ’ନୃସିଂହ ପୁରାଣ’ରୁ । ନୃସିଂହ ଉଭୟ ଭୀଷଣ ଓ ଭଦ୍ର । ଯେ ହିରଣ୍ୟକଶିପୁ ପାଇଁ ଉଗ୍ର ବିଦାରଣକାରୀ ମୂର୍ତ୍ତି, କିନ୍ତୁ ଶ୍ରୀମନ୍ଦିରରେ ସେ ଶାନ୍ତ ବ୍ରହ୍ମମୂର୍ତ୍ତି । ’ନୃସିଂହ ପୁରାଣ’ରେ ବ୍ରହ୍ମା ତାଙ୍କୁ ସ୍ତୁତି କରି କହିଛନ୍ତି - "ତୁହି ସେ ଧର୍ମ କର୍ମ ବୋଲାଉ ଆଦିକର୍ତ୍ତା/ସମସ୍ତ ଅସହଣି ତୁ ସକଳ ସହନ୍ତା ।" ଏହା ସୂଚାଏ, ଭଗବାନ ଉଭୟ ସହିଷ୍ଣୁ ଓ ଅସହିଷ୍ଣୁ । ସାଧୁଙ୍କ ପରିତ୍ରାଣ କ୍ଷେତ୍ରରେ ସେ ଯେତିକି ସହିଷ୍ଣୁ, ଦୁଷ୍କୃତିର ବିନାଶ କ୍ଷେତ୍ରରେ ସେ ସେତିକି ଅସହିଷ୍ଣୁ। ଅର୍ଥାତ୍, ସେ ଉଭୟ ସକାରାତ୍ମକତା ଓ ନକାରାତ୍ମକତାର ପ୍ରତିଭୂ । ତାଙ୍କର ନକାରାତ୍ମତା ସର୍ବଦା ସକାରାତ୍ମକତାର ପ୍ରତିଷ୍ଠା ପାଇଁ ହିଁ ଅଭିପ୍ରେତ ।

ତୃତୀୟଟି ଭୀମଭୋଇଙ୍କ ଉକ୍ତିରୁ । ଯେଉଁ କବି କହିଛନ୍ତି - "ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ" , ସେ ତ ପୁଣି ଗାଇଛନ୍ତି - "ବସିଥାଇ କୂଳ ମହାନଦୀ ଜଳ ଛୁଇଁଅଛି ସତ୍ୟ କରି/ଧର୍ମକୁ ଲଙ୍ଘି ସୁରାପାନ କରିବି ହରିବି ବ୍ରାହ୍ମଣ ସ୍ତିରୀ /ପ୍ରାଣୀଙ୍କ କଷଣ ଭେଦୁଅଛି ମନ ଜୀବନକୁ ମୋର ବାଧେ/ଭୀମ ଅରକ୍ଷିତ କରି ଦଣ୍ଡବତ କାରଣ ମାଗୁଛି ପାଦେ" ।

ଏଣୁ ଆମର ପରମ୍ପରା କହେ - ସେ ଭଗବାନ ବିଷ୍ଣୁ ବା ନୃସିଂହ ହୁଅନ୍ତୁ କି ହୁଅନ୍ତୁ କବି ଭୀମଭୋଇ, ସେମାନେ ନିଜର ଦୁଃଖପାଇଁ ସହିଷ୍ଣୁ; କିନ୍ତୁ ଅନ୍ୟର ଦୁଃଖ ପାଇଁ ଅସହିଷ୍ଣୁ । କିନ୍ତୁ ସଂପୂର୍ଣ୍ଣ ବିପରୀତ ଭାବରେ, ଆମେ ଅନ୍ୟର ଦୁଃଖପାଇଁ ଯେତିକି ସହିଷ୍ଣୁ, ନିଜର ଦୁଃଖପାଇଁ ସେତିକି ଅସହିଷ୍ଣୁ । ସେଇଥିପାଇଁ ତ ସମାଜରେ ଯେତେ ଅନ୍ୟାୟ ଓ ଅବିଚାର ! ଏଣୁ ଆମେ ନିଜ ପ୍ରତି ହେଉଥିବା ଅନ୍ୟାୟ ପାଇଁ ସହିଷ୍ଣୁ ହୋଇ ଅନ୍ୟ ପ୍ରତି ହେଉଥିବା ଅନ୍ୟାୟପାଇଁ ଅସହିଷ୍ଣୁ ହେଲେ ଯାଇ ଆମର ଉଚିତ କର୍ତ୍ତବ୍ୟ କରୁଛୁ ବୋଲି ମୁଁ ଭାବେ । ଏ ଅସହିଷ୍ଣୁତା ନକାରାତ୍ମକତା ନୁହେଁ; ସକାରାତ୍ମକତାର ପ୍ରତିଷ୍ଠା ପାଇଁ ଅଭିପ୍ରେତ ।

ଆଉ ମୁଁ ପୂରା ନକାରାତ୍ମକ ହେଲି କେମିତି ? ମୋର ଏଇ ଜୁନ୍ ୧୮ ତାରିଖର ‘ସାହିତ୍ୟିକ ପାଣିପାଗ’ ସ୍ତମ୍ଭ ଦେଖନ୍ତୁ! ‘ରେବତୀର ବିଶ୍ବଭ୍ରମଣ’ ପ୍ରସଙ୍ଗଟି ତ ସଂପୂର୍ଣ୍ଣ ସକାରାତ୍ମକ! ପଜିଟିଭ୍ !

ଲୋକଙ୍କ ଟିକସ ପଇସାରେ ଚାଲୁଥିବା ଅନୁଷ୍ଠାନ ଯଥା କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡେମୀ, ଜାତୀୟ ପୁସ୍ତକ ନ୍ୟାସ ଭଳି ସଂସ୍ଥାଗୁଡିକ ନିଜ ଦାୟିତ୍ଵ ନିର୍ବାହ କରୁନାହାନ୍ତି, ଏ କଥା ସତ । ତା ସତ୍ତ୍ୱେ ସଂଖ୍ୟାଧିକ ଲେଖକ ଏ ପ୍ରସଙ୍ଗରେ ଚୁପ୍ । ଏ ପ୍ରସଙ୍ଗରେ ଆପଣ ହିଁ କେବଳ କହୁଛନ୍ତି ଓ ଲେଖୁଛନ୍ତି; କାରଣ କଣ ?

ଓଡ଼ିଆରେ ଗୋଟିଏ କଥା ଅଛି - "କାନ୍ଦୁଥିବା; ଯାହା ପାଉଥିବା ବାନ୍ଧୁଥିବା !" ମୋର ମନେହୁଏ, ଏ ‘ଚୁପ୍’ର କାରଣଟି ସେଇଆ । ସହଜେ ତ ଆମର ଅନେକ ଲେଖକଙ୍କର ମନୋଭାବ ହେଉଛି - ହଲିଲା ପାଣିକୁ କାହିଁକି ଗୋଡ଼ ବଢ଼େଇବା ! ପାଣି ଭିତରେ ରହି କୁମ୍ଭୀର ସଙ୍ଗେ ବାଦ କରି ଲାଭ କ’ଣ ? କିନ୍ତୁ ମୋର ମତ ଅଲଗା - ଆମେ ପାଣି ଭିତରେ ରହିବା ଆଉ କୁମ୍ଭୀର ସାଙ୍ଗେ ବି ଲଢ଼ିବା !

ସୃଜନଶୀଳ ଫିଚର ଓ ଗବେଷଣାଧର୍ମୀ ପ୍ରବନ୍ଧ ରଚନାରେ ଆପଣ ବେଶ୍ ସଫଳ । ସାହିତ୍ୟ - ସାମ୍ବାଦିକତା ଯୋଗୁଁ ଆପଣଙ୍କର ସୃଜନ ଜଗତ ପ୍ରଭାବିତ ହେଉଛି କି ?

ପ୍ରବନ୍ଧ ଓ ଫିଚର ମଧ୍ୟରେ ବିଭାଜକ ସୀମାରେଖାଟି ପ୍ରାୟତଃ ଅସ୍ପଷ୍ଟ । ତେବେ ସାହିତ୍ୟ - ସାମ୍ବାଦିକତା ଭିତରୁ ହିଁ ଅନେକ ସମୟରେ ଗବେଷଣାଧର୍ମୀ ଫିଚର ଓ ସୃଜନଶୀଳ ପ୍ରବନ୍ଧପାଇଁ ପ୍ରଚୁର ପ୍ରେରଣା ଓ ଉପାଦାନ ମିଳିଥାଏ । ତେଣୁ ଏସବୁ ପରସ୍ପରର ପରିପୂରକ । ଏଇଥିପାଇଁ ସାମ୍ବାଦିକତା ଯୋଗୁଁ ସୃଜନଜଗତ ପ୍ରଭାବିତ ହେବାର ଅବକାଶ ହିଁ ନାହିଁ । ଏ ସବୁ ଗୋଟିଏ ଗଛର ଚେର, ଡାଳ, ପତ୍ର ଓ ଫୁଲ ।

ଅନୁବାଦକ ଭାବେ ପ୍ରାୟ ତରୁଣ ବୟସରେ ଆପଣ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଏବେ ଅନେକ ବର୍ଷ ହେଲା, ଆପଣଙ୍କର ଅନୁବାଦ କାମଟି କମିଯାଇ ନାହିଁ କି ? କାରଣ କଣ ?

କେନ୍ଦ୍ର ସାହିତ୍ୟ ଏକାଡେମୀର ଅନୁବାଦ ପୁରସ୍କାର ମୁଁ ପାଇଥିଲି ୧୯୯୮ରେ । ସେତେବେଳକୁ ମୋତେ ୪୦ବର୍ଷ ବୟସ ହୋଇଥିଲା । ତାହା ଦୈବାତ୍ ମିଳିଯାଇଥିଲା । ସେତେବେଳେ ମୋର ପଢ଼ାପଢ଼ି ଅଧିକ ଥିଲା । ଗଳ୍ପ ଥିଲା ମୋର ପ୍ରିୟ । ବିଭିନ୍ନ ଭାଷାର ଗଳ୍ପ ପଢ଼ିବାବେଳେ, ଯାହା ମୋ’ ମନକୁ ଖୁବ୍ ଛୁଉଁଥିଲା, ତାହାର ସ୍ବାଦ ଅନ୍ୟକୁ ବାଣ୍ଟିବାର ଇଚ୍ଛାରୁ ଅନୁବାଦ ଗୁଡ଼ିକ ହେଉଥିଲା । କିନ୍ତୁ ‘ଅଧ୍ୟାୟ ଏକବିଂଶ’ ପ୍ରସ୍ତୁତ ହୋଇଥିଲା ଏକ ନିର୍ଦ୍ଦିଷ୍ଟ ଯୋଜନାରେ । ଆଉ ଗୋଟିଏ ଅନୂଦିତ ବହି ‘ଭାରତୀୟ କଥା ଓ କାହାଣୀ’ ବି ସେତେବେଳେ ବାହାରିଥିଲା । ଏବେ ପଢ଼ିବା ସମୟ କମିଛି ଏବଂ ଲେଖା ଓ ଅନ୍ୟାନ୍ୟ ଦାୟିତ୍ବ ବଢ଼ିଛି । ଦାୟିତ୍ବ ଭିତରେ ଲେଖାଲେଖି ବି ଅଛି । ପ୍ରତିମାସରେ ’ସମ୍ବାଦ’ପାଇଁ ପାକ୍ଷିକ ସ୍ତମ୍ଭରେ ଦୁଇଟି, ‘ପୌରୁଷ’ ପାଇଁ ସଂପାଦକୀୟ ସମେତ ତିନି - ଚାରିଟି ଲେଖା ସମେତ ‘ସମ୍ବାଦ’ର ‘ଜୀବନ ମନ୍ତ୍ର’ ଅର୍ଦ୍ଧଫର୍ଦ୍ଦ ପାଇଁ ପ୍ରତି ସପ୍ତାହରେ ତିନିଟି ବା ଚାରିଟି ଛୋଟ ଲେଖା ଲେଖିବାକୁ ପଡୁଛି । ଏମିତି, ପ୍ରତି ମାସରେ ଛୋଟବଡ଼ ୧୮-୨୦ଟି ଲେଖା ପରେ, ଆଉ ସମୟ ବା କାହିଁ ? ତେବେ ଏ ଭିତରେ ତିନିଟି ଅନୁବାଦ ବହି ପ୍ରକାଶ ପାଇଛି । ସେଥିରୁ ଦୁଇଟି ଯଥାକ୍ରମେ ଏନ୍.ବି.ଟି. ଓ ପବ୍ଲିକେଶନ୍ସ ଡିଭିଜନର ଏବଂ ଅନ୍ୟଟି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ‘ବାପୁ - ମୋ ମାଆ’।

ତେବେ ନିଜେ ଅଧିକ ଅନୁବାଦ ନକରି, ମୁଁ ଅଧିକ ଅନୁବାଦ କରାଉଛି । ମୁଁ ଦାୟିତ୍ବରେ ଥିବା ‘ଆମ ଓଡ଼ିଶା’ରୁ ବେଶ୍ କେତୋଟି ଭଲ ଅନୁବାଦ ବହି ପ୍ରକାଶ ପାଇଛି । ସେଥିରୁ ଦୁଇଟି ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଗୋଟିଏ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବି ପାଇଛି । ‘ପୌରୁଷ’ ରେ ବି ଅନୁବାଦ ଏକ ନିୟମିତ ବିଭାଗ ।

ତଥାପି, ‘ଅଧ୍ୟାୟ ଏକବିଂଶ’ ପରି, ଜ୍ଞାନପୀଠ ବିଜେତାଙ୍କ କଥା ଓ କାହାଣୀକୁ ନେଇ ମୋର ଆଉ ଗୋଟିଏ ବହିର ଅନେକ ଅଧ୍ୟାୟ (ଗଳ୍ପ) ଏ ଭିତରେ ଅନୁବାଦ ହୋଇସାରିଛି । ବାକିଗୁଡ଼ିକୁ ମିଶାଇ ତାହା ଯଥାଶୀଘ୍ର ପ୍ରକାଶ ପାଇବ । ବିକ୍ଷିପ୍ତ ଭାବେ ଅନ୍ୟ ଭାରତୀୟ ଲେଖକ ଓ ନୋବେଲ ପୁରସ୍କାରପ୍ରାପ୍ତ ସାହିତ୍ୟିକଙ୍କର କେତେକ ଗଳ୍ପର ଅନୁବାଦ ବି କରିଛି । ସେ ସବୁକୁ ନେଇ ବହି କରିନାହିଁ ବୋଲି, ଅନୁବାଦ କରୁନଥିବାର ଗୋଟିଏ ଧାରଣା ହୋଇଛି । କିନ୍ତୁ ଏନ୍.ବି.ଟି., ସାହିତ୍ୟ ଏକାଡେମୀ ଓ ପବ୍ଲିକେଶନ୍ସ ଡିଭିଜନର ତିନିଟି ବହିର ଅନୁବାଦ କାମ ଦୀର୍ଘ ଦିନରୁ ପଡ଼ି ରହିଛି । ମୋର ସମସ୍ୟା ହେଉଛି- ପଇସା ମିଳୁଥିବା କାମରେ ମୋର ହେଳା ହୋଇଯାଏ; ନିଜ ଅଭିରୁଚିର, ବିନା ପଇସା କାମରେ ବେଶୀ ସମୟ ବିତିଯାଏ ।

ଗବେଷଣା, ସମ୍ପାଦନା, ଅନୁବାଦ ଓ ସ୍ତମ୍ଭ ରଚନା ବ୍ୟତୀତ ଆପଣ ମୌଳିକ ଗପ/ଉପନ୍ୟାସ ବା କବିତା ଲେଖିଲେ ନାହିଁ କାହିଁକି ?

ବିଜେବି କଲେଜରେ ପଢ଼ିଲାବେଳେ ଆନ୍ତଃମହାବିଦ୍ୟାଳୟ ଗଳ୍ପ ପ୍ରତିଯୋଗିତାରେ ମୁଁ ପ୍ରଥମ ପୁରସ୍କାର ପାଇଥିଲି । ସଦ୍ୟପ୍ରକାଶିତ କିଶୋରୀ ଚରଣ ଦାସଙ୍କ ‘ଠାକୁର ଘର’ ବହି ସହିତ, ସୁରେନ୍ଦ୍ର ମହାନ୍ତିଙ୍କ ସ୍ବାକ୍ଷରରେ ସାର୍ଟିଫିକେଟ୍ ବି ସେଥିପାଇଁ ମିଳିଛି । ସେତେବେଳେ ଭାବିଥିଲି - ଗାଳ୍ପିକଟିଏ ହେବି । କେତୋଟି ଗପ ‘ସମାବେଶ’, ‘ସଂଯୋଗ’ ଆଦି ପତ୍ରିକାରେ ପ୍ରକାଶ ବି ପାଇଥିଲା । କିନ୍ତୁ ‘କୋଣାର୍କ’ ପତ୍ରିକାର ୧୯୭୯ ମସିହା, ଫକୀରମୋହନ ବିଶେଷାଙ୍କରେ ‘ରେବତୀ: ୧୮୯୮- ୧୯୭୮’ ଏବଂ ‘ଝଙ୍କାର’ ର ୧୯୮୧ ମସିହା ମାର୍ଚ୍ଚ ସଂଖ୍ୟାରେ ‘ରାଧାନାଥଙ୍କ ଟିପାଖାତା’ ପ୍ରବନ୍ଧ ପ୍ରକାଶ ପାଇବା ପରେ, ଯେଉଁ ଧରଣର ପାଠକୀୟ ସ୍ବୀକୃତି ଓ ଗୁରୁତ୍ବ ମିଳିଲା, ତାହା ସେ ଆଡ଼କୁ ମନକୁ ଟାଣିନେଲା । ସେଇଦିନୁ ସେଇଥିରେ ଅଛି । ସେପରି ପ୍ରବନ୍ଧ ରଚନା ସହିତ ଫିଚର ବି ଯୋଡ଼ି ହୋଇଯାଇଛି - ଯାହା ଗଳ୍ପ ବା କବିତା ପରି ସର୍ଜନଶୀଳ ସୃଷ୍ଟିଠାରୁ ଅଧିକ ଆନନ୍ଦ ଦେଉଛି ।

ଅନ୍ୟ ଏକ କାରଣ ବି ଅଛି । ତାହା ହେଉଛି - ଦି’ବର୍ଷ ତଳେ ଡକ୍ଟର ବେଣୀମାଧବ ପାଢ଼ୀ ଓ ଗତବର୍ଷ ପଣ୍ଡିତ ସଦାଶିବ ରଥଶର୍ମାଙ୍କର ଶତବାର୍ଷିକୀ ଗଲା; ଏବଂ ଏ ବର୍ଷ ସୁରେନ୍ଦ୍ର ମହାନ୍ତିଙ୍କ ଶତବାର୍ଷିକୀ । ଯଦି ସମସ୍ତେ ଗଳ୍ପ, କବିତା ଲେଖିବେ, ତେବେ ଏମାନଙ୍କ ସଂପର୍କରେ ଲେଖିବେ କେଉଁମାନେ ?

ଅନ୍ୟ ଦୃଷ୍ଟିରୁ ଦେଖିଲେ - ଗଳ୍ପ, ଉପନ୍ୟାସ ଓ କବିତା କ୍ଷେତ୍ରରେ କ’ଣ ଆମର ସର୍ଜନଶୀଳ ସ୍ରଷ୍ଟାଙ୍କର ଅଭାବ ଅଛି ?

ଶ୍ରୀଜଗନ୍ନାଥ ସଂସ୍କୃତି ଓ ପୁରୀ ସହରର ସାଂସ୍କୃତିକ ଜୀବନଯାତ୍ରାକୁ ନେଇ ଆପଣ ବେଶ୍ ଲେଖାଲେଖି କରୁଛନ୍ତି । ପୁରୀକୁ ନେଇ ଆମର ତ ଏତେ ଲେଖା; ତା’ରି ଭିତରେ ଆପଣଙ୍କ ଗବେଷଣା ଓ ଦୃଷ୍ଟିକୋଣ କେଉଁ ଦୃଷ୍ଟିରୁ ଭିନ୍ନ ?

ପ୍ରକୃତରେ ପୁରୀକୁ ନେଇ ଆମର ବେଶୀ ଲେଖା ନାହିଁ । ଅନେକ ଲେଖା ସେହି ପୁରୁଣା କଥାର ପୁନରାବୃତ୍ତି - ଯାହାକୁ ସଂସ୍କୃତରେ କୁହାଯାଏ ‘ଚର୍ବିତ ଚର୍ବଣ’ । ଅନେକେ ଏକ ବା ଏକାଧିକ ପୁରୁଣା ବହି ବା ଲେଖାରୁ ନକଲ କରି, ଜଗନ୍ନାଥ ସଂସ୍କୃତି ଗବେଷକ ବୋଲାଉଛନ୍ତି । ‘ପୁରାଣ’ର ବ୍ୟାଖ୍ୟା ହେଉଛି ‘ପୁରା ନବ ଇତି’। ସେଥିରେ ପୁରାତନ ପ୍ରସଙ୍ଗ ନୂତନ ଭାବେ ପ୍ରତିପାଦିତ ହେବାର ଅବକାଶ ଥାଏ । ପୁରୀ ଓ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଉଭା ଯେତେ, ପୋତା ସେତେ । ଶାସ୍ତ୍ର, ଗ୍ରନ୍ଥ, ଇତିହାସ, ପୁରାଣ ଓ ଲୋକ ସଂସ୍କୃତିର ଅନେକ ପ୍ରସଙ୍ଗ ତଥାପି ଅନାବିଷ୍କୃତ ରହିଛି । ସେ ସବୁର ନୂତନ ବ୍ୟାଖ୍ୟା ଓ ଉପସ୍ଥାପନାର ଆବଶ୍ୟକତା ଅଛି । ସଂସ୍କୃତି ଗବେଷଣା ପାଇଁ ପୁରୀ ପ୍ରକୃତରେ ଆଜି ବି ରହିଛି କୁମାରୀ । ମୁଁ ନିଜେ ମୋର ସୀମିତ ସମୟ ଓ ଶକ୍ତି ଅନୁସାରେ କିଛି କରୁଛି ଏବଂ ଆମର ଗୋଟିଏ ଅନୁଷ୍ଠାନ (ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ) ମାଧ୍ୟମରେ କିଛି କିଛି କରିବାକୁ ଆମେ ଚେଷ୍ଟା କରୁଛୁ । ତେବେ ମୋର ଧାରଣା, ଆହୁରି ୧୦୦ବର୍ଷ ପରେ ବି ପୁରୀ ଏ ଦୃଷ୍ଟିରୁ ସେମିତି କୁମାରୀ ହୋଇ ରହିଥିବ । ଶେଷଜୀବନ ପୁରୀରେ ରହି ସଂପୂର୍ଣ୍ଣ ଉତ୍ସର୍ଗୀକୃତ ଭାବରେ କିଛି ସ୍ବତନ୍ତ୍ର ଧରଣର କାମ କରିବାକୁ ମୋର ଇଚ୍ଛା ଅଛି ।

ଇଣ୍ଟର୍ନେଟ ଓ ସୋସିଆଲ ମିଡିଆ ଆସିବା ପରେ ଆମ ସାହିତ୍ୟ ପ୍ରକାଶନର ଧାରା ବଦଳି ଯାଇଛି । ଏବେ ସ୍ଵୟଂ ଲେଖକ ଇ ପ୍ରକାଶକ । ସେଥିରେ ସାହିତ୍ୟର ସ୍ଥିତି କଣ ବୋଲି ଆପଣ ଭାବୁଛନ୍ତି ? ସୋସିଆଲ ମିଡିଆ ସାହିତ୍ୟର ସହାୟକ ନା ମାରକ ?

ଆମ ଆଦିକବି ସାରଳା ଦାସଙ୍କ ସଂପର୍କରେ ଗୋଟିଏ କିଂବଦନ୍ତି ଅଛି, ଯେ ରାତିରେ ସେ ଯାହା ଲେଖୁଥିଲେ, ସକାଳେ ସେସବୁକୁ ନେଇ ନିକଟବର୍ତ୍ତୀ ବୃଦ୍ଧାନଦୀରେ ଭସାଇ ଦେଉଥିଲେ । ଯାହା ଉପରକୁ ଭାସି ଉଠୁଥିଲା, ତାହାକୁ ସେ ଛାଣି ଆଣୁଥିଲେ । ଏ କିଂବଦନ୍ତିର ତାତ୍ପର୍ଯ୍ୟ ହେଉଛି - ନିଜ ଲେଖାର ଭଲ, ମନ୍ଦ ବିବେଚନା ସାରଳା ଦାସଙ୍କର ଥିଲା । ଯାହା କାଳର ପ୍ରବାହରେ ଭାସମାନ ରହିବ, ତାହାହିଁ ତିଷ୍ଠି ରହିବ; ଏହା ସେ ବୁଝିଥିଲେ ଏବଂ ନିଜ ଲେଖାରୁ ଅସାରତକ ପରିହାର କରି ସାର ତକ ହିଁ ରଖୁଥିଲେ । ଇଣ୍ଟରନେଟ୍ ଓ ସୋସିଆଲ ମିଡ଼ିଆ ଏବେ ଏକ ଡିଜିଟାଲ ନଦୀ । ଆମେ ନିଜେ ଆମ ଲେଖାରୁ ଅସାରତକ ପରିହାର କରି, ସେଥିରେ କେବଳ ସାର ତକ ପ୍ରବାହିତ କରିବା ଦରକାର । ମୋର ମନେହୁଏ, ଅନେକେ ତାହା କରୁ ନାହାନ୍ତି ।

ଆଉ ଫେସବୁକ୍ ପରି ସୋସିଆଲ ମିଡ଼ିଆର ’ଲାଇକ୍’ ହେଉଛି ଦେଖାଇବା ଦାନ୍ତ । ସେ ଦାନ୍ତ ବେଶୀ ଦିଶୁଚି । ଖାଇବା ଦାନ୍ତ ହେଉଛି ‘ମତାମତ’। ତାହା କିନ୍ତୁ କମ୍ । ହେଲେ ଅନେକେ ଏବେ ଏଇ ‘ଲାଇକ୍’ ରେ ହିଁ ବିଭୋର । ତେବେ ‘ମନ୍ଦକବି -ଯଶପାର୍ଥୀ’ ସବୁବେଳେ ଥିଲେ ଏବଂ ଆଜି ବି ଅଛନ୍ତି । ସେମାନଙ୍କୁ ଆମେ ଏଡ଼େଇ ଯିବା ଭଲ ।

ସୋସିଆଲ ମିଡ଼ିଆ ସାହିତ୍ୟର ସହାୟକ । କାରଣ ଏହା ତତ୍କ୍ଷଣାତ୍ ଆମକୁ ଆମ ପାଠକଙ୍କ ପାଖରେ ପହଞ୍ଚାଇ ପାରୁଛି ଏବଂ ତୁରନ୍ତ ମଧ୍ୟ ଆମେ ତାହାର ଗ୍ରହକତା ଜାଣିପାରୁଛୁ । ଏହାର ସବୁଠୁ ବଡ଼ ଉପଯୋଗିତା ହେଉଛି - କ୍ରମେ ଅଧିକରୁ ଅଧିକ ଲୋକ ଏହାର ବ୍ୟବହାର କରୁଥିବାରୁ, ଆମ ଭାଷା ସଂକଟରେ ଅଛି ବୋଲି ଯେଉଁ ଭାବନା ଥିଲା, ସେ ଭାବନା କ୍ରମେ ଦୂର ହେବାରେ ଲାଗିଛି ।

ଏକଦା ଆପଣ ‘ସମାବେଶ’ ସାହିତ୍ୟ ପତ୍ରିକାର ସମ୍ପାଦନା ସହିତ ପ୍ରତ୍ୟକ୍ଷ ଭାବେ ଜଡିତ ଥିଲେ । ସେତେବେଳର ସମ୍ପାଦନା ଓ ଆଜିର ସମ୍ପାଦନା ଭିତରେ ଆପଣ କିଛି ମୌଳିକ ତଫାତ୍ ଦେଖୁଛନ୍ତି କି ?

ଭଲ ପତ୍ରିକାଟିଏ ସମ୍ଭବ ହୁଏ ଭଲ ସାହିତ୍ୟିକଙ୍କ ପ୍ରତି ସଂପାଦକଙ୍କର ପ୍ରତ୍ୟୟ ଏବଂ ତାଙ୍କ ସହ ସୁସଂପର୍କରୁ । ସଂପାଦକ ଜଗଦୀଶ ପାଣିଙ୍କର ସେ ପ୍ରତ୍ୟୟ ଥିଲା ଓ ସେ ସେମାନଙ୍କ ସହ ସୁସଂପର୍କ ରକ୍ଷା କରୁଥିଲେ । ସେମାନଙ୍କର ଭଲମନ୍ଦରେ ଠିଆ ହେଉଥିଲେ । ଫଳରେ ତାଙ୍କୁ ଭଲ ଲେଖାଗୁଡ଼ିକ ମିଳୁଥିଲା । ସେଥିପାଇଁ ସେ ବେଶୀ ପାଠ ନପଢ଼ିଥିଲେ ବି ଭଲ ସଂପାଦକ ହୋଇପାରିଥିଲେ । ତାହାର ପରିଚାଳନା ସଂପାଦକ ଭାବରେ, ସେହି ସମୟରେ ହିଁ ଓଡ଼ିଶାର ବହୁ ଭଲ ସାହିତ୍ୟିକଙ୍କ ସଂପର୍କରେ ମୁଁ ଆସିଥିଲି । ସାହିତ୍ୟ ପ୍ରତି ଶ୍ରଦ୍ଧା ଓ ନିଷ୍ଠା ଥିବା ଲେଖକ ସେତେବେଳେ ଅଧିକ ସଂଖ୍ୟାରେ ଥିଲେ । ଏବେ ସ୍ଥିତି ବଦଳି ଯାଇଛି । ଏବେ ଅନେକ ସଂପାଦକ, ନିଜର ଅନୁଗତ ସାହିତ୍ୟିକଙ୍କର ଗୋଟିଏ ଗୋଟିଏ ଗୋଷ୍ଠୀ ଗଢ଼ି ତା’ ଭିତରେ ଆତଯାତ ହେଉଛନ୍ତି । ସେ ବ୍ୟୂହ ଭିତରେ ସତ୍ ସାହତ୍ୟିକ କମ୍; ମନ୍ଦକବି ଯଶପ୍ରାର୍ଥୀ ବା ଚାଟୁକାରୀ ବେଶୀ । ତେଣୁ ତାହାର ଫଳ ଯାହା ହେବାକଥା ହେଉଛି । ଆମ ସାହିତ୍ୟରେ ସେଇମାନେ ହିଁ ରୁଟିନମତେ ପ୍ରେମ କରନ୍ତି ଏବଂ ସେଇମାନେ ହିଁ ଆବଶ୍ୟକମତେ ସଂପାଦକଙ୍କ ସପକ୍ଷରେ ଯୁଦ୍ଧ କରନ୍ତି ।

ଆମ ସମୟର ବରିଷ୍ଠ ଲେଖକମାନେ ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ପ୍ରାୟତଃ ଉଦାସୀନ । ଏପରିକି ସାହିତ୍ୟିକ ଅନୁଷ୍ଠାନ ଗୁଡିକର ବିପର୍ଯ୍ୟୟ ପ୍ରସଙ୍ଗରେ ମଧ୍ୟ ସେମାନେ ଚୁପ୍ । ଯୁବ ଲେଖକମାନେ ବି ସେଇ ଧାରାରେ ଉଦାସୀନ ଓ ନୀରବ । ଏହାର ପରିଣତି ସ୍ଵରୂପ ସାହିତ୍ୟ କ୍ରମଶଃ ଏକ ଛୋଟିଆ ଗୋଷ୍ଠୀ ଭିତରେ ସୀମିତ ରହି ଯାଉଛି କି ?

ପ୍ରଥମ ପ୍ରଶ୍ନର ଉତ୍ତରରେ ଏ ସଂପର୍କରେ କିଂଚିତ୍ ସୂଚନା ଅଛି । ତେବେ ଏହାର କାରଣ ଅତି ସରଳ ଓ ସ୍ପଷ୍ଟ । ଥାକଥାକ ହୋଇ ଉପରକୁ ଉପରକୁ ଅନେକ ‘ଦାନାର ତୋବଡ଼ା’ ବନ୍ଧା ଅଛି । ସେ ତୋବଡ଼ା ବଡ଼ରୁ ଆହୁରି ବଡ଼ ଓ ଅତିବଡ଼ । ତା’ର ଉପରକୁ ଉପରକୁ ଅଛି ପଦ୍ମ, ଭୂଷଣ ପଦ୍ମ ଓ ବିଭୂଷଣ ପଦ୍ମ । ଏସବୁ ମୁଖ୍ୟତଃ ମିଳେ ରାଜ୍ୟ ବା କେନ୍ଦ୍ର ସରକାରଙ୍କର ସୁପାରିଶ ବା ଅନୁମୋଦନରେ । ତେଣୁ ସେମାନେ ମାନସିକ ଭାବରେ ସରକାରଙ୍କର ଅନୁଗତ । ତାହା ସାମାଜିକ, ରାଜନୈତିକ ପ୍ରସଙ୍ଗରେ ସେମାନଙ୍କୁ ନିରବ ବା ଉଦାସୀନ କରିଛି । ଯିଏ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇନାହିଁ ସେ ତାହା ପାଇବାକୁ ଆଶାୟୀ । ସ୍ତରକୁ ସ୍ତର ଅଛି - ଉପାୟନ ବା ଅତିବଡ଼ୀ; ପୁଣି ପ୍ରତି ତିନିବର୍ଷରେ ଥରେ ସଭାପତି, ଉପସଭାପତି ବା ସଂପାଦକ ପଦବୀର ସମ୍ଭାବନା । ଏ ପଦବୀ ମୁଖ୍ୟତଃ ସରକାରଙ୍କ ଦ୍ବାରା ପ୍ରତ୍ୟକ୍ଷ ଭାବରେ ବା ସରକାରଙ୍କ ସୁପାରିଶରେ ବଛା ହୁଏ । ଏଣୁ ବ୍ୟବସ୍ଥା ବିରୋଧରେ ବା ଭାଷା, ସାହିତ୍ୟ ଅନୁଷ୍ଠାନଗୁଡ଼ିକର ବିପର୍ଯ୍ୟୟ ବିରୋଧରେ ଏ ଆଶାୟୀମାନେ ମୁହଁ ଖୋଲିବେ ବା କିପରି ?

ଆଉ ପ୍ରଶ୍ନ - ସାହିତ୍ୟ କ୍ରମେ ଛୋଟିଆ ଗୋଷ୍ଠୀ ଭିତରେ ସୀମିତ ହୋଇଯାଉଛି କି ? ହଁ; ସାମଗ୍ରିକ ଭାବରେ ଦେଖିଲେ, ସାହିତ୍ୟିକ ଏବେ ଏକ ସଂଖ୍ୟାଲଘୁଗୋଷ୍ଠୀ । ସାହିତ୍ୟିକ ଯେହେତୁ ସମାଜ ସହିତ ନାହିଁ, ସେହେତୁ ସାହିତ୍ୟିକଙ୍କ ସହିତ ସମାଜ ନାହିଁ । ସେଥିପାଇଁ ସାହିତ୍ୟିକ ଆଜି ସମାଜରେ ଅପାଂକ୍ତେୟ । ସେଇଥିପାଇଁ ବି ସାହିତ୍ୟରେ ଏବେ ଏତେ ସଭା, ସମିତି, ଉତ୍ସବ। ପୁରସ୍କାର ଓ ସମ୍ବର୍ଦ୍ଧନାର ଯେତେସବୁ ପାଲା !

ରସଗୋଲାକୁ ସରକାରୀ ମାନ୍ୟତା ଦେବାରେ ଆପଣଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ତେବେ ଖାଦ୍ୟ ସଂସ୍କୃତିରେ ଆମର ଗବେଷଣା ଶିଶୁ ଅବସ୍ଥାରେ ଆଜି ବି ରହିଛି । ଏହାକୁ ନେଇ କଣ କରା ଯାଇପାରିବ ?

ରସଗୋଲା ଥିଲା ଏକ ‘ମିଠାଯୁଦ୍ଧ’ । ଥିଲା ଏକ ଆହ୍ବାନ । ଥିଲା ବି ଓଡ଼ିଶାର ଅସ୍ମିତାର ଏକ ପ୍ରଶ୍ନ । ତାହା ଆମ ଐତିହ୍ୟର ସ୍ମାରକୀ ବି ଥିଲା । ସେ ନେଇ ଅନୁସନ୍ଧାନରୁ ଯେଉଁସବୁ ତଥ୍ୟ ମିଳିଲା, ତାହା ୧୮୬୮ର ବଙ୍ଗଳା ରସଗୋଲାଠାରୁ ଆମ ରସଗୋଲା ଯେ ଅନ୍ୟୂନ ୩୦୦ ବର୍ଷ ପୁରୁଣା, ତାହା ସାବ୍ୟସ୍ତ କଲା । ବଙ୍ଗଳାର ପାଟି ଚୁପ୍ ହେଲା । ଏହା ଥିଲା ମୋ ପାଇଁ ଏକ ତୃପ୍ତିକର ଉପଲବ୍ଧି । ଓଡ଼ିଶା ପାଇଁ ଏକ ଆଶ୍ବସ୍ତି ।

ହଁ, ଖାଦ୍ୟସଂସ୍କୃତି ବାବଦରେ ଆମର ଗବେଷଣା ଆଜି ଶିଶୁ ଅବସ୍ଥାରେ ଅଛି ବା ପ୍ରାୟ ହୋଇନାହିଁ । ଅଥଚ ଏ ବାବଦରେ ପ୍ରଚୁର ଉପାଦାନ ଆମ ସାହିତ୍ୟରେ ଓ ସାଂସ୍କୃତିକ ରୀତିନୀତିରେ ଏବଂ ବିଭିନ୍ନ ମନ୍ଦିରର ଭୋଗ ପରମ୍ପରାରେ ଅଛି । ଏସବୁକୁ ନେଇ ଧାରାବାହିକ ଲେଖା ଓ ଗବେଷଣା କରାଯାଇ ପାରିବ । କିନ୍ତୁ କରିବ କିଏ ? ପ୍ରାଚୀନ ସାହିତ୍ୟକୁ ତ ଅନେକେ ଏବେ ନାକ ଟେକୁଛନ୍ତି ଏବଂ ଓଷାବ୍ରତକୁ ବି କୁସଂସ୍କାର କହିଲେଣି । ତେବେ ବ୍ୟକ୍ତିଗତ ଉଦ୍ୟମରେ ମୁଁ ‘ପୌରୁଷ’ରେ ଖେଚେଡ଼ି, ସରସତିଆ ଓ ପୁରୀର ଖଜା ଆଦିକୁ ନେଇ ପ୍ରଚ୍ଛଦ ପ୍ରସଙ୍ଗ ପ୍ରସ୍ତୁତ କରାଇ ଛାପିଛି । ରସଗୋଲା ବ୍ୟତୀତ, ପଖାଳ, କୋବି, ଛେନା, ବଡ଼ଭାତ-ସାନଭାତ ଆଦି ବାବଦରେ ଲେଖା ଲେଖିଛି । ହୁଏତ ଆଗାମୀ ଦିନରେ ଓଡ଼ିଆ ବିଶ୍ବବିଦ୍ୟାଳୟ, ଶାସ୍ତ୍ରୀୟ ଭାଷା ଉତ୍କର୍ଷ କେନ୍ଦ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଆ ଭାଷା ପ୍ରତିଷ୍ଠାନ ଓ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଆଦିରେ ସ୍ବତନ୍ତ୍ର ଗବେଷଣା ବା ଗବେଷଣା ପ୍ରକଳ୍ପରେ ଏ ବାବଦରେ କିଛି କାମ ହେବ !

ସଂଗଠନ ଓ ଅନୁଷ୍ଠାନର ଦାୟିତ୍ଵ ନ ନେଇ ସେସବୁକୁ ସମାଲୋଚନା କରିବା ସହଜ; ହେଲେ ସଂଗଠନ ବା ଅନୁଷ୍ଠାନ ଚଳାଇବା ଆଦୌ ସହଜ କଥା ନୁହେଁ ବୋଲି କେହି କେହି କହିପାରନ୍ତି । ଏ ପ୍ରସଙ୍ଗରେ ଆପଣଙ୍କର ଉତ୍ତର କଣ ହେବ ? ସିଧା ସିଧା ପଚାରିଲେ, ଆପଣ ନିଜେ ସଂଗଠନ ବା ଅନୁଷ୍ଠାନର ଦାୟିତ୍ଵ ନେବାକୁ ଇଚ୍ଛୁକ କି?

ଓଡ଼ିଆ ସାହିତ୍ୟ ପ୍ରସଙ୍ଗରେ ପ୍ରମୁଖ ସଂଗଠନ ବା ଅନୁଷ୍ଠାନ ହେଉଛି ଓଡ଼ିଶା ସାହିତ୍ୟ ଏକାଡେମୀ । ତାହାର ହାତୀ ସରକାରଙ୍କର ଓ ମାହୁନ୍ତ ବି ସରକାରଙ୍କର । ତେଣୁ ଯାହା ହେବା କଥା ହେଉଛି । ଲକ୍ଷ୍ୟ କଲେ ମନେହେଉଛି, ସେଠାକୁ ଯାଉଥିବା ସଦସ୍ୟ ସାହିତ୍ୟପାଇଁ ଯାଉଛନ୍ତି କମ୍; ନିଜପାଇଁ ଯାଉଛନ୍ତି ବେଶୀ । ଅନେକ ସମୟରେ ତେଣୁ ତାହା ସମାଲୋଚିତ ହେଉଛି ।

ଆଉ ମୁଁ ସେପରି କିଛି ସଂଗଠନର ଦାୟିତ୍ବ ନେବା ପ୍ରସଙ୍ଗ ? ଦେବ କିଏ ?

ମୁଁ ଗୋଟିଏ ଅଣସରକାରୀ ସଂଗଠନରେ ଅଛି । ତାହାର ଗବେଷଣା ଓ ପ୍ରକାଶନ ସଚିବ ରହିଛି । ପୁରୀର ‘ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ’। ତାହାର ପ୍ରକାଶନଗୁଡ଼ିକୁ ଦେଖନ୍ତୁ! ଗୋଟିଏ ଉଦାହରଣ ‘ଶତାବ୍ଦୀର ନବକଳେବର’ । ୧୮୯୩ରୁ ୨୦୧୫ ପର୍ଯ୍ୟନ୍ତ, ସବୁ ନବକଳେବରର ପ୍ରାମାଣିକ ନଥି ସେହି ପ୍ରାୟ ୪୦୦ ପୃଷ୍ଠାର ପୁସ୍ତକରେ ସଂକଳିତ ହୋଇଛି । ସେପରି ପୁସ୍ତକ ଆଗରୁ କେବେ ବି ହୋଇନାହିଁ। ଗତବର୍ଷ, ଅର୍ଥାତ୍ ୨୦୨୦ରେ ଶ୍ରୀଜଗନ୍ନାଥଙ୍କର ଯେଉଁ ରଥଯାତ୍ରା ହେଲା, ତାହାର ପୂର୍ଣ୍ଣାଙ୍ଗ ତଥ୍ୟ ସଂକଳିତ ହୋଇ ଗୋଟିଏ ସ୍ବତନ୍ତ୍ର ବହି ମଧ୍ୟ ଏ ବର୍ଷର ରଥଯାତ୍ରା ପୂର୍ବରୁ ଆମ ଅନୁଷ୍ଠାନରୁ ବାହାରୁଛି ।

"ଆମ ଓଡ଼ିଶା’ ଆଉ ଗୋଟିଏ ଅନୁଷ୍ଠାନ । ସେ କଥା ଅନୁବାଦ ପ୍ରସଙ୍ଗରେ କହିଛି । ମୁଁ ତାହାର ପ୍ରକାଶନ ସଂପାଦକ ଅଛି । ତାହାର ଶତାଧିକ ପ୍ରକାଶନକୁ ଦେଖନ୍ତୁ ! ଓଡ଼ିଶାର ମୁଖ୍ୟ ତିନିଟି ମନ୍ଦିର- ଲିଙ୍ଗରାଜ, ପୁରୀ ଓ କୋଣାର୍କ ବାବଦରେ ତିନିଟି ବହି ଓଡ଼ିଆରେ ଓ ଓଡ଼ିଶାରେ କେବଳ ‘ଆମ ଓଡ଼ିଶା’ ହିଁ ଛାପିଛି ।

ଆପଣ ପ୍ରାୟତଃ ଆପଣଙ୍କ ବ୍ୟକ୍ତିଗତ ସାହିତ୍ୟିକ ଜୀବନର ପ୍ରତିଷ୍ଠା ବିଷୟରେ ନିସ୍ପୃହ ରହି ଆସିଛନ୍ତି । କୁହନ୍ତୁ, ଆପଣ କେମିତି ଲେଖିଲେ ? କେବଳ ସାହିତ୍ୟରେ ଜୀବନର ପ୍ରାୟ ୫୦ ବର୍ଷ ବିତାଇଦେବାର କି ଆବଶ୍ୟକତା ଥିଲା ? ଆପଣ ତ ଆଉ କିଛି ବି କରି ପାରିଥାନ୍ତେ ?

‘ନବକଳେବର କଥା’ ବହିର ମୁଖବନ୍ଧରେ ମୁଁ ଜଣେ ପାଠିକାଙ୍କ କଥା ଲେଖିଛି । ପାଠିକା ଜଣକ ବିଶିଷ୍ଟ ସାହିତ୍ୟିକା ମଧ୍ୟ । ସେ ହେଉଛନ୍ତି- ବିଜୟିନୀ ଦାସ । ସେ ବହିର ଲେଖାଗୁଡ଼ିକ ‘ସମ୍ବାଦ’ରେ ଧାରାବାହିକ ଭାବରେ ବାହାରୁଥିବାବେଳେ, ସେ ଗୁରୁତର ଅସୁସ୍ଥ ଥିଲେ । ଦିନେ ଫୋନରେ ମୋତେ ଅତି ଆବେଗଭରା କଣ୍ଠରେ କହିଥିଲେ - "ଜାଣିନି, ମୁଁ ଆଉ କେତେଦିନ ବଞ୍ଚିବି । କିନ୍ତୁ ‘ନବକଳେବର କଥା’ର ଶେଷ ଲେଖାଟି ପଢ଼ିବାଯାଏ ମୁଁ ବଞ୍ଚି ରହିବାକୁ ଚାହେଁ ।’" ଏହା ଥିଲା ମୋ’ପାଇଁ ଗୋଟିଏ ବଡ଼ ପୁରସ୍କାର । ଆଉ କେଉଁ ଆନୁଷ୍ଠାନିକ ପୁରସ୍କାର ବା କେଉଁ ପ୍ରତିଷ୍ଠା ଏହାର ସମତୁଲ ହୋଇପାରିବ ! ମୋର ତୃପ୍ତି ଯେ ୧୦୮ଟି ଲେଖାକୁ ନେଇ ସେ ବହିଟି ପ୍ରକାଶ ପାଇଲା ଏବଂ ତାହାକୁ ମଧ୍ୟ ସେ ପଢ଼ିପାରିଲେ । ଏହିପରି କିଛି କଥା ଏତେଗୁଡ଼ିଏ ବର୍ଷ ସାହିତ୍ୟରେ ବିତାଇ ଦେବାକୁ ମୋତେ ପ୍ରେରଣା ଦେଇ ଆସିଛି । ଏବେ ବି ଲେଖାଟିଏ ବାହାରିଲେ ଅନେକ ପାଠକଙ୍କର ଶୁଭେଚ୍ଛା ଓ ଆଶୀର୍ବାଦ ମୁଁ ପାଏ । ସେଥିରୁ ଅନେକ ପ୍ରେରଣା ଓ ସ୍ଫୂର୍ତ୍ତି ମିଳେ ।

ସାହିତ୍ୟର ଏ ପ୍ରେରଣା ମୋତେ ମିଳିଥିଲା ମୋ’ ପିଲାଦିନୁ - ମୋ’ ବୋଉ ବାହାହେଇ ଆସିବାବେଳେ ଆଣିଥିବା ବାକ୍ସଭର୍ତ୍ତି ବହିଗୁଡ଼ିକରୁ । ସେଇ ଯେ ସାହିତ୍ୟ ସହିତ ସଂପର୍କର ଡୋରି ଲାଗିଛି - ତାହା ବୋଧେ ଶେଷ ନିଶ୍ବାସରେ ହିଁ ଛିଡ଼ିବ । ଜୀବନରେ ଜଣା ଅଜଣା, ସାନ - ବଡ଼ ଏତେ ଲୋକଙ୍କର ଶ୍ରଦ୍ଧା କେବଳ ସାହିତ୍ୟପାଇଁ ହିଁ ପାଇଛି । କଷ୍ଟ ଅବଶ୍ୟ ଆସିଛି; ସଂଘର୍ଷ ଅବଶ୍ୟ ରହିଛି; କିନ୍ତୁ ପେଟ ତ ଅପୋଷା ରହିନାହିଁ! ପୁଣି ଆତ୍ମସମ୍ମାନ ବି ଅଛି! ଆଉ କିଛି କରିଥିଲେ ଏହାଠୁ ଆଉ ଅଧିକ କ’ଣ ବା ପାଇଥାଆନ୍ତି !