ଫଟୋ: ଅପର୍ଣ୍ଣା ମହାନ୍ତି ଫେସବୁକ ପୃଷ୍ଠା

ଅପର୍ଣ୍ଣା ମହାନ୍ତି, ଓଡିଆ କବିତାରେ ଗୋଟେ ଘୂର୍ଣ୍ଣିଝଡର ନାଁ । ସବୁ ପରମ୍ପରା, ପ୍ରଚଳିତ ଶୈଳୀ ଓ ଛନ୍ଦ, ସବୁ କହିବାର ବାଗକୁ ଛିନଛତର କରିଦେଇଥିବା ଏ କବି ଆମ ସମୟରେ "ନଷ୍ଟନାରୀ"ର ଗାୟିକା । ନଷ୍ଟ ହେବା ଏକ ପ୍ରତିବାଦ । ଏକ ଉଜ୍ଜ୍ୱଳ - ଆଧ୍ୟାତ୍ମିକ ପ୍ରତିବାଦ । ସମୟ ଆଗରେ ନାରୀତ୍ଵର ଶକ୍ତିକୁ ନିଆଁହ୍ନୁଳା କରି ଠିଆ କରାଇବାରେ ତାଙ୍କର ଏକ ଐତିହାସିକ ଭୂମିକା ରହିଛି । ସେ ଇ ପ୍ରଥମ କବି, ଯେ ନାରୀତ୍ଵ ଲାଗି ମୁକ୍ତଭାଷା ଓ ବନ୍ଧନହୀନ ଜୀବନକୁ ବରଣ କରିଥିଲେ । "ଅସତୀ", "ନଷ୍ଟନାରୀ", "ପୂର୍ଣ୍ଣତମା", "ଯୋଗିନୀଗୀତ" ଭଳି ବ୍ୟତିକ୍ରମୀ କବିତା ବହି ତାଙ୍କର ପ୍ରତିଷ୍ଠାରେ ନୂଆ ଅଧ୍ୟାୟ ଯୋଡିଛି । ସେ ଓଡିଆ କବିତାରେ ନୂଆ ସମୟର ଏକ ଦୁର୍ଦ୍ଦାନ୍ତ ଆହ୍ଵାନ । ଆପଣ ଅପର୍ଣ୍ଣା ମହାନ୍ତିଙ୍କୁ ଭଲପାଆନ୍ତୁ କି ନ ପାଆନ୍ତୁ, ତାଙ୍କୁ କିନ୍ତୁ ଅସ୍ଵୀକାର କାରିପାରିବେ ନାଇଁ । ସେ ଆମ ସମୟର କବିତାରେ ଏକ ଆଗ୍ନେୟଧାରା । କବି ଅପର୍ଣ୍ଣା ମହାନ୍ତିଙ୍କ ସହିତ କେଦାର ମିଶ୍ରଙ୍କ ଅନ୍ତରଙ୍ଗ ଆଳାପ ।

“ନାରୀ କବି” ବା “ଲେଖିକା” ବୋଲି କହିଲେ ଆପଣଙ୍କୁ କେମିତି ଲାଗେ ? ପୁରୁଷ ଲେଖକ ବା କବି ବୋଲି ତ କୁହା ହୁଏନି । ଭାଷା ବ୍ୟବହାରରେ ଲିଙ୍ଗଗତ ବୈଷମ୍ୟକୁ ଆପଣ କେମିତି ଦେଖନ୍ତି ?

ଭାରି ଖରାପ ଲାଗେ । କବିତାର ଏ ସଂରକ୍ଷଣ ବ୍ୟବସ୍ଥାକୁ ମୁଁ ଗ୍ରହଣ କରିପାରେନା । ପୁଣି ‘କବୟିତ୍ରୀ’ କହିବାକୁ ମୁଁ ବାରମ୍ବାର ବାରଣ କଲେ ବି ସେମାନେ କହନ୍ତି । କିନ୍ତୁ ଏହା ଦ୍ୱାରା ଗୋଟିଏ ଲାଭ ବି ହୋଇଛି । ଭାଷା ବ୍ୟବହାରରେ ଏହି ବୈଷମ୍ୟ ଓ ପକ୍ଷପାତିତା ମତେ ଅଧିକ ଆତ୍ମସଚେତନ କରିଚି ଏବଂ ମୋର ଭାବ ଓ ଭାଷାକୁ ଶାଣିତ ଓ ଜିଦ୍‌ଖୋର୍ ହେବାରେ ସହାୟତା କରିଛି ।

ପ୍ରାୟ ହଜାର ବର୍ଷର ଓଡିଆ କବିତାରେ ନାରୀ ସ୍ଵର (ସାହିତ୍ୟରେ ନାରୀର ସ୍ଵର କୁନ୍ତଳା କୁମାରୀଙ୍କ ପରେ ଯାଇ ପ୍ରଖର) ଅତ୍ୟନ୍ତ କ୍ଷୀଣ, ଏହାର କାରଣ କଣ ?

ସତରେ କ'ଣ ନାରୀ ସ୍ୱର କ୍ଷୀଣ ଥିଲା ? ଭଗବତୀ ଲକ୍ଷ୍ମୀଙ୍କରାଙ୍କର ମାତ୍ର ଗୋଟିଏ ଗ୍ରନ୍ଥ ‘ଅଦ୍ୱୟସିଦ୍ଧି' ପାଇଁ ମୁଁ ଏହାସହ ଏକମତ ହୋଇପାରୁନି । ପୁଣି ରହିଛି ଅସଂଖ୍ୟ ଲୋକଗୀତ । ‘ପର୍ବତ ଉପରେ କଷିମାଣ୍ଡିଆ/ମୋ ଶଶୁରର ପୁଅ ହେଟାଗାଣ୍ଡିଆ କିମ୍ବା ‘ଦୁଇ ମାଇପର ଘଇତା/ପଖାଳ ଖାଇବୁ କି ତବତ ଖାଇବୁ ବେଳ ଥାଉ ଥାଉ କହିଥା ।‘ - ଏ ସ୍ୱର ଯେଉଁ ନାମହୀନ କବିର, ସେ ନିଶ୍ଚୟ ଜଣେ ନାରୀ ଓ ଏ ନାରୀସ୍ୱରର ମୁକ୍ତଭାବନା ଓ ଭାଷାକୁ ମୋର କୋଟି ପ୍ରଣାମ । ହଁ ତଥାକଥିତ ସମ୍ଭ୍ରାନ୍ତବର୍ଗର ମହିଳାମାନେ କବିତା ଲେଖିନାହାନ୍ତି । ଲେଖିଲେ ବି ଦିଅଁଙ୍କ ନାମରେ ପାଣି ଛଡେଇ ଦେଇଛନ୍ତି । ଏହାର ସାମାଜିକ/ମନସ୍ତାତ୍ତ୍ୱିକ କାରଣ ଲେଖିଲେ ପୋଥିଏ ହେବ । ପଦେ କଥାରେ କହିଲେ ପିଢି ପରେ ପିଢି ଲଜ୍ଜା ଓ (ଛଳନା) ନାରୀର ଭୂଷଣ ବୋଲି ଏମାନଙ୍କୁ ତାଲିମ୍ ଦିଆଯାଉଥିଲା । କବିତା ଲେଖିବା ତ ଦୂରର କଥା ପାଠ ପଢିଲେ ବଂଶ ବୁଡ଼ିଯିବ ବୋଲି ବଦ୍ଧମୂଳ ଧାରଣା ଥିଲା । ପିତୃପ୍ରଧାନ ବ୍ୟବସ୍ଥାର ଏହି ମାନସିକତା ହିଁ ନାରୀର ତଣ୍ଟି ଚିପି ଧରିଥିଲା । ସ୍ୱର ବାହାରିବ କୁଆଡ଼ୁ ??

ଆପଣ ସଚେତନ ଭାବରେ ନାରୀତ୍ଵ, ନାରୀମୁକ୍ତି ଓ ଲିଙ୍ଗଗତ ବୈଷମ୍ୟକୁ ନେଇ ଲେଖିଛନ୍ତି କି ?

ସଚେତନ ଭାବେ ଶବ୍ଦର କାରିଗରୀ କରାଯାଇପାରେ । ଅଚେତନ ଅବସ୍ଥାରେ ହିଁ କବିତାର ଆତ୍ମା ଅବତରଣ କରେ । ଯେଉଁ ଲିଙ୍ଗଗତ ବୈଷମ୍ୟକୁ ମୁଁ ମୋ ଜୀବନରେ ପ୍ରତ୍ୟକ୍ଷ ଭାବରେ ଭୋଗେ, ତାହା ମୋର ଅଚେତନକୁ କବଳିତ କରିଥାଏ । କ୍ରୋଧରେ, ପ୍ରେମରେ, ଅସହାୟତାରେ ଓ ମୋର ଅଚେତନ ହିଁ ମୋ ହାତରେ କବିତାର ହାତକୁ ଛନ୍ଦି ଦେଇଥାଏ । ଅବଶ୍ୟ କବିତା ଆସି ସାରିଲା ପରେ ମୁଁ ତାକୁ ବେଳେବେଳେ ଟିକେ ସଜଡ଼ାସଜଡ଼ି କରିଥାଏ ।

ଦେହକୁ ନେଇ ଶୃଙ୍ଗାର ଓ ସତୀତ୍ଵର ପରିକଳ୍ପନା ବିରୋଧରେ “ନଷ୍ଟନାରୀ” ଏକ ଶାଣିତ ପ୍ରତିବାଦ । ଏ ପ୍ରତିବାଦର ଉତ୍ସ କଣ ?

ଆଚାର୍ଯ୍ୟ ରଜନୀଶଙ୍କର ନାରୀକୁ ନେଇ ତର୍ଜମା ମତେ ଖୁବ୍ ପ୍ରଭାବିତ କରିଛି । ସେ କହିଥିଲେ witchର ଆଭିଧାନିକ ଅର୍ଥ ହେଉଛି wise woman, ଡାହାଣୀ ନୁହେଁ । ନାରୀର ଜ୍ଞାନ ପ୍ରତି ଭୟଭୀତ ହୋଇ ପିତୃକୈନ୍ଦ୍ରିକ ସମାଜ କ୍ରମଶଃ ସେମାନଙ୍କର ସାଧନାର ଅପବ୍ୟବହାର କରିଛି ଓ ସେମାନଙ୍କୁ ଡାହାଣୀ, ଆଖ୍ୟା ଦେଇଛି । ମୁଁ ଭାବିଲି ଆମ ଚର୍ଯ୍ୟାପଦରେ ଚଣ୍ଡାଳୀ, ଛିଣ୍ଡାଳୀ, ଖବରୀ, ଡୋମ୍ବି, ନୈରାମଣି ଦାରୀ ଆଦି ଯେଉଁ ତାଚ୍ଛଲ୍ୟଭରା ନାମଗୁଡ଼ିକର ଉଲ୍ଲେଖ ରହିଛି । ସେମାନେ ପ୍ରକୃତରେ ଅସୀମ ଶକ୍ତିମତୀ ପରମସାଧିକା ଥିଲେ । ପିତୃପ୍ରଧାନ ସମାଜର ଅସହିଷ୍ଣୁ/ ହିଂସ୍ର ଦୃଷ୍ଟିରୁ ଆଢୁଆଳରେ ରହିବା ପାଇଁ ଜାଣିଶୁଣି ସେମାନେ ନିଜକୁ ନୀଚସ୍ତରର ନାରୀ ଭାବରେ ପରିଚିତ କରାଇଥିଲେ । ଏମାନେ ପୁରୁଷସଙ୍ଗ କରୁଥିଲେ କିନ୍ତୁ ପୁରୁଷର ଅଧିନ ନଥିଲେ । ତଥାକଥିତ ଦୈହିକ ସତୀତ୍ୱର ବନ୍ଧନୀରୁ ଏମାନେ ମୁକ୍ତ ଥିଲେ । ଜ୍ଞାନ ଓ ପ୍ରେମର ପଥରେ ସବୁ ସାମାଜିକ ବିଧି ବ୍ୟବସ୍ଥାକୁ ଏମାନେ ନଷ୍ଟ କରି କରି ଚାଲୁଥିଲେ । ମତେ ଅନୁଭବ ହେଲା ନଷ୍ଟନାରୀ ହିଁ କେବଳ ସ୍ପଷ୍ଟ ନାରୀ ହୋଇପାରେ । ସତ୍ୟ ଓ ନାରୀର ଦୈହିକ ସତୀତ୍ୱ ଏ ଦୁଇଟି ମଧ୍ୟରେ ତାଳମେଳ ବହୁତ କମ୍ । ତେଣୁ ନାରୀର ଦେହ-ମନ-ଆତ୍ମାର ପାରଦର୍ଶିତାକୁ ସ୍ପଷ୍ଟ କରିବା ଓ ନାରୀର ସମ୍ଭୋଗ/ଶୃଙ୍ଗାରର ଯୁକ୍ତିଯୁକ୍ତତାକୁ ଉପସ୍ଥାପନ କରିବାର ଜିଦ୍ ହିଁ ନଷ୍ଟନାରୀର ପ୍ରତିବାଦର ଉତ୍ସ ।

ଆପଣ କବିତା ପାଇଁ ଯେଉଁ ସମୟରେ ମୁକ୍ତ ଭାଷା ଓ ଚିତ୍ରକୁ ବାଛିଲେ, ସେତେବେଳେ ଆପଣ ତ ଏକୁଟିଆ ଛିଡା ହୋଇଥିବେ । ସେ ଏକାକୀ ବିଦ୍ରୋହିଣୀର ସଂଘର୍ଷ କେମିତି ଥିଲା ?

ଖୁବ୍ କଠିନ ଥିଲା । ପ୍ରଥମେ ତ ପତ୍ରପତ୍ରିକାର ସମ୍ପାଦକମାନେ ମୋ କବିତା ପ୍ରକାଶ କରିବାକୁ ଅରାଜି ହେଲେ । ବାରମ୍ବାର ମୋ ଲେଖାର ‘ମାନ’କୁ ନେଇ ମୁଁ ସନ୍ଦିହାନ ହେଉଥିଲି । କିନ୍ତୁ ଅନ୍ୟ କୌଣସି ବାଗରେ ମୋ କଥା କହିପାରିବି ବୋଲି ଭାବୁନଥିଲେ କି ଲେଖିଲେ ବି ଶାନ୍ତି ପାଇପାରୁନଥଲି । ମୋର ପ୍ରଥମ ସଂକଳନ ତେଣୁ ଲେଖାଲେଖି କରିବାର ପ୍ରାୟ ୧୫ ବର୍ଷ ପରେ ପ୍ରକାଶିତ ହେଲା । ମୋର ଦ୍ୱିତୀୟ ସଂକଳନ ଅସତୀ (୧୯୯୩) ର ଶୀର୍ଷକ ବଦଳାଇଦେବାକୁ ସସ୍ନେହ ନିର୍ଦ୍ଦେଶ ନେଇ ପିତୃପ୍ରତିମ ପ୍ରକାଶକ ଗୋବିନ୍ଦଚରଣ ପାତ୍ର ୨ ବର୍ଷ ପାଣ୍ଡୁଲିପିକୁ ପକାଇ ରଖିଲେ । କିନ୍ତୁ ସେଇ ଶୀର୍ଷକ ରହିବ ଓ କଭରରେ ମୋର ଫଟୋ ରହିବ ବୋଲି ମୁଁ ଜିଦ୍ ଧରି ବସିଲି । ବହି ବାହାରିବା ଦିନ ତାଙ୍କର ସ୍ନେହଭରା କଟାକ୍ଷ ମୋର ମନେଅଛି । ବହିଟିକୁ ମୋ' ହାତକୁ ବଢେଇଦେଇ କହିଲେ - ନେ ଲୋ ମା - ଯେଉଁ ଅପବାଦରେ ମୋତେ ପାତାଳକୁ ପଠେଇଥିଲୁ । ସେଇ ଅପବାଦ ମୁଣ୍ଡେଇ ମୁଁ ଏବେ ପାତାଳ ଫଟେଇ ବାହାରିଲି ।

ଅତିଥି ସିରିଜ୍‌ର ଗୋଟିଏ କବିତାକୁ ଅଶ୍ଲୀଳ କହି ବହୁ ସମ୍ପାଦକ ନାକ ଟେକିଥିବାବେଳେ ସ୍ୱଳ୍ପ ପ୍ରସାରିତ ପତ୍ରିକା ‘ସ୍ୟମନ୍ତକ'ର ସାହସୀ ସମ୍ପାଦକ ଗୌରାଙ୍ଗ ଚରଣ ଦାଶ ତାକୁ ତାଙ୍କ ପତ୍ରିକାରେ ସ୍ଥାନ ଦେଇଥିଲେ । ମତେ ଭଲପାଉଥିବା ବହୁ ବରିଷ୍ଠ ଲେଖିକା ମଧ୍ୟ ମୋ' କବିତା ସଂପର୍କରେ ପ୍ରତିକୂଳ ମତ/ମନ୍ତବ୍ୟ ଦେଇଛନ୍ତି । ଏକ ପ୍ରତିଷ୍ଠିତ ପତ୍ରିକାରେ ‘ପୂର୍ଣ୍ଣମୀ’ର କବିତା ସବୁ ଅଶ୍ଲୀଳ, ଦେହସର୍ବସ୍ୱ ଓ ଦେଖେଇହେବା ପାଇଁ ଉଦ୍ଦିଷ୍ଟ ବୋଲି ଦୀର୍ଘ ଆଲୋଚନାଟିଏ ପ୍ରକାଶିତ ହେଲା । ସେତେବେଳେ ଏସବୁ ଆତ୍ମା ଉପରେ ନିର୍ଘାତ ପ୍ରହାର ପରେ ପୀଡ଼ାଦାୟକ ଥିଲା । ହେଲେ ମୁଁ ନିଜକୁ ସୁଧାରିବା ଅବସ୍ଥାରେ ନଥିଲି । ଶେଷକୁ କବିତା ପାଇଁ ପୀଡ଼ା ଯେ ସର୍ବୋତ୍ତମ । ଉତପ୍ରେରକ - ଏହା ବୁଝିବା ପରେ ମୋର ବହୁ ଅତିନ୍ଦ୍ର ରାତିର ଅଶ୍ରୁକ୍ଷରଣ - ଆନନ୍ଦମୟ ହୋଇଗଲା ।

ମୁକ୍ତିର ଭାଷା ସେଚ୍ଛାଚାରୀର ଭାଷା ନୁହେଁ ବୋଲି, କେହି କେହି ଯୁକ୍ତି କରନ୍ତି, ସେ ପ୍ରସଙ୍ଗରେ ଆପଣଙ୍କର କଣ କହିବାର ଅଛି ?

– Man was born free – but everywhere he is in chains - ଏକଦା ମଣିଷର ଚିନ୍ତାଚେତନାକୁ ଓଲଟପାଲଟ କରିଦେଇଥିବା ଏଇ ବାକ୍ୟାଂଶଟି ଜଣେ ସ୍ୱେଚ୍ଛାଚାରୀର ଉଚ୍ଚାରଣ ଥିଲା । ବ୍ୟବସ୍ଥାର ବିପରୀତରେ ଯାଉଥିବା ମଣିଷକୁ ଯୁଗେ ଯୁଗେ ସ୍ୱେଚ୍ଛାଚାରୀ କୁହାଯାଇଛି । ବିଶ୍ୱର ଅଧିକାଂଶ ମର୍ମସ୍ପର୍ଶୀ ‘ବାଣୀ’ ତଥାକଥିତ ସ୍ୱେଚ୍ଛାଚାରୀମାନେ ହିଁ ପ୍ରଥମେ ଉଚ୍ଚାରଣ କରନ୍ତି । କବିର କଥା ତ ପୁରାପୁରି ନିଆରା । କବି ସ୍ୱେଚ୍ଛାଚାରର ‘ନର୍କ ଭୋଗ'କୁ ଭୟ କରେ ନାହିଁ । କିନ୍ତୁ ନର୍କକୁ ବି ସେ ଚିରନ୍ତନ ମନେ କରେ ନାହିଁ । ‘ନର୍କ ଭୋଗ’ ଭିତରୁ ବିଶୁଦ୍ଧ ‘ଆତ୍ମ ଭୋଗ’କୁ ସେ ହିଁ ଛାଣି ଆଣିପାରେ ଓ କହିପାରେ – ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।‘ ମୁକ୍ତିର ତୀବ୍ର ଅସ୍ପୃହା ଆଗରେ ସ୍ୱେଚ୍ଛାଚାର ବୋଲି କିଛି ନାହିଁ । ଜାଗତିକ ପ୍ରାପ୍ତି, ସଂକୀର୍ଣ୍ଣ ଉଚ୍ଚାଭିଳାଷ ଓ ସୁବିଧାବାଦ ପାଇଁ ଚାଲାଖିଆ ସ୍ୱେଚ୍ଛାଚାରୀ ହେବା ଏବଂ ପ୍ରେମ/ପରମ ପାଇଁ ଇନ୍ଦ୍ରଚନ୍ଦ୍ର ନ ମାନିବା ଭିତରେ ଆକାଶପାତାଳାର ବ୍ୟବଧାନ ଅଛି ।

“ନଷ୍ଟନାରୀ” ଓ “ପୂର୍ଣ୍ଣତମା” ଭିତରେ ଦୂରତା କେତେ ? ଉଭୟ କବିତା ସଙ୍କଳନରେ ନାରୀତ୍ଵର ପ୍ରତିଷ୍ଠା, ହେଲେ ଏ ପ୍ରତିଷ୍ଠା ପଛରେ ରହିଥିବା ସଂଘର୍ଷ ବିଷୟରେ କିଛି କୁହନ୍ତୁ ।

ପୂର୍ଣ୍ଣତମା’ ଓ ‘ନଷ୍ଟନାରୀ’ ଭିତରେ ଦୂରତା ବା କ'ଣ ? ନାରୀର ପ୍ରେମିକା ସତ୍ତା ହିଁ ସବୁବେଳେ କାୟ - ମନୋ - ବାକ୍ୟରେ ପ୍ରେମିକା ଜୀବନର ପୂର୍ଣ୍ଣତାକୁ ଭୋଗେ । ମିଳନ - ବିରହର ନିଆଁ ନଈକୁ ବୁଡ଼ି ବୁଡ଼ି ପାରି ହୋଇଯାଏ । ସମାଜ ନିର୍ଦ୍ଧାରିତ ବିଧି ବ୍ୟବସ୍ଥା ସହ ସାଲିସ୍ କରେ ନାହିଁ । ସତରେ ଅକଳ୍ପନୀୟ ପ୍ରେମିକାର ଆତ୍ମବଳ । ସେଇ ନିସର୍ଗ ଶକ୍ତିକୁ ଲାଂଛିତ କରୁଥିବା ଅପଶକ୍ତି ବିରୋଧରେ ଛାତି ପତାଇ ତାକୁ ରକ୍ଷା କରିବାକୁ ଠିଆ ହୋଇଯାଏ । ତେଣୁ ଦୂରତା କାହିଁ ? ଟିକେ ‘ନଷ୍ଟନାରୀ'ର ପଛକୁ ଚାହିଁ ଦେଖ । ଆବେଗମୟୀ ପ୍ରେମିକାଟିଏ ମୁହଁ ଲୁଚେଇଥିବ ସେଠି । ଆଜି ବି କେତେ ପୂର୍ଣ୍ଣତମା ‘ନଷ୍ଟନାରୀ'ର ହାତ ଧରି ବାଟ ଚାଲୁଛନ୍ତି ବୋଲି ମତେ କହନ୍ତି ଯେ ।

“ଯୋଗିନୀଗୀତ” ରେ ତାନ୍ତ୍ରିକ ସିଦ୍ଧିର କଥା ଛଳରେ ଆପଣ ନୂଆ ସମୟର ଅଭୀପ୍ସା ଓ ସମାନତାର ସୂତ୍ର ବିଷୟରେ କହୁଛନ୍ତି । ତନ୍ତ୍ରରେ ଯୋଗିନୀ ସିଦ୍ଧି ଓ ଆଜିର ରାଜନୈତିକ ସମାନତା ଭିତରେ କିଛି ସଂଯୋଗ ଅଛି କି ?

ତନ୍ତ୍ରର ଯୋଗିନୀସିଦ୍ଧି ଓ ଆଜିର ରାଜନୀତିକ ସମାନତା ଭିତରେ ସାମାନ୍ୟତମ ସଂଯୋଗ ନାହିଁ । ଗୋଟିଏ ଅଭିଳାଷ ନାରୀ - ପୁରୁଷର ସଂପର୍କକୁ ଏକ ଚରମ ଆଧ୍ୟାତ୍ମିକ ଜଗତ ଦେବା ସହ ପରମାର୍ଥିକ ଶକ୍ତିର ଅଧିକାରୀ କରାଇବାବେଳେ ଅନ୍ୟଟି ସ୍ୱାର୍ଥ, ସୁବିଧା, ଅହଂକାରକୁ ନେଇ କୋଳାହଳ କରୁଥାଏ । ହୁଏତ ସେଥିପାଇଁ ଆଜିର ନାରୀମାନେ ବହୁ ପାର୍ଥିବ ପ୍ରାପ୍ତି ଓ କ୍ଷମତାର ଅଧିକାରୀ ହେଲେ ହେଁ ଅପାର୍ଥିବ ଆନନ୍ଦଠାରୁ ଯୋଜନ ଦୂରରେ ରହୁଛନ୍ତି ଓ ସେମାନଙ୍କର ଶୋଷଣ - କଷଣର ଅବସାନ ହେଉନାହିଁ । ତନ୍ତ୍ରସିଦ୍ଧି ତ ମଣିଷର ସକଳ ଜାଗତିକ କାମନା - ବାସନାକୁ ପରମ ପଥରେ ବାଟ କଢେଇ ନେବାର ସାଧନା । ଏଥିରେ ସମାନତା ବା ପ୍ରାପ୍ତି ପାଇଁ ଦୌଡ଼ ପ୍ରତିଯୋଗିତା କାହିଁ ? ନାରୀ - ପୁରୁଷ ସୃଷ୍ଟିର ଦୁଇଟି ମୌଳିକ ସତ୍ତା ଅଦ୍ୱୈତ ଭାବରେ ସତ୍‌-ଚିତ୍‌-ଆନନ୍ଦ ରେ ରୂପାନ୍ତରିତ ହୋଇଯିବାର ସମ୍ମୋହନ ହିଁ ରହିଛି କେବଳ ।

ଅପର୍ଣ୍ଣା ମହାନ୍ତି ଯାହା ଚାହାନ୍ତି, ତାକୁ ସହଜରେ କହି ପାରନ୍ତି କି ? ନା ଆଜି ବି କିଛି ବାଧା ଓ ବନ୍ଧନ ତାଙ୍କ ଭିତରେ ରହିଛି ? ସିଧା ସିଧା କହିଲେ, ଆପଣ ନିଜ ଇଚ୍ଛା ଓ ସ୍ଵପ୍ନର ଜୀବନ ବଞ୍ଚି ପାରନ୍ତି କି?

ହଁ, ଅପର୍ଣ୍ଣା ମହାନ୍ତି ଯାହା ଚାହିଁଛି ତାହା ହିଁ କହିଚି । କିଛି ଉପ୍ରୋଧ ରଖିନି କଥା କହିବାରେ । ନିଜ ଇଚ୍ଛାରେ ଜୀବନଟିଏ ବି ବଞ୍ଚିଛି । ସ୍ୱପ୍ନ ସବୁ ପୂରଣ ହୋଇନି ହୁଏତ । (କାହାର ହୁଏ କି ??) କିନ୍ତୁ ମୋର ଇଚ୍ଛାକୁ ବଳି ପକେଇ ମୁଁ କେବେ ମହାନ୍ ହେବାକୁ ଇଚ୍ଛା କରି ନାହିଁ ।

ଆପଣଙ୍କ ପରେ ଓଡିଆ କବିତାରେ ନାରୀତ୍ଵର ନୂଆ ସ୍ଵରକୁ ଆପଣ କେବେ ଅନୁଶୀଳନ କରିଛନ୍ତି ? ଆଜିର କବିତାରେ କେତେ କେତେ ଅପର୍ଣ୍ଣାଙ୍କୁ ଆପଣ ଦେଖୁଛନ୍ତି ?

ନାରୀତ୍ୱର ନୂଆ ସ୍ୱରମାନଙ୍କୁ ମୁଁ ଖୁବ୍ ନିରେଖି ଦେଖୁଛି । ଯେତେବେଳେ ସେମାନେ ମୋତେ ଅତିକ୍ରମ କରିଯିବା ପରି ଲାଗୁଛି ସେତେବେଳେ ନବଜନ୍ମ ପାଇବା ପରି ମୁଁ ଉଲ୍ଲସିତ ହୋଇଉଠୁଛି । ପ୍ରାୟ ଚାଳିଶ ବର୍ଷ ପୂର୍ବରୁ ଗୋଟିଏ ଅପର୍ଣ୍ଣା ମହାନ୍ତି ଯେତିକି ଆଘାତ ପାଇଥିଲା ଆଜି ବହୁ ଅପର୍ଣ୍ଣା ମହାନ୍ତି ସେ ଆଘାତର ପ୍ରତ୍ୟୁତ୍ତର ଦେବା ପାଇଁ ବାହାରିଛନ୍ତି । ସେଇମାନେ ମୋର ‘ଶବ୍ଦାତ୍ମଜା' । ଏଇ ଶୀର୍ଷକରେ କବିତାଟିଏ ଲେଖିଥିଲି ଦିନେ ସେଥିପାଇଁ । ମୁଁ ଆଶ୍ୱସ୍ତ ଓ ଗର୍ବିତ ସେଥିପାଇଁ ।

ଏତେ ବର୍ଷ କବିତା ଲେଖିଲା ପରେ, କେବେ ଭାବିଛନ୍ତି, କବିତା କିଛି ବଦଳାଇ ପାରିଛି କି ? ସମୟ ଓ ସମାଜ ଆଗରେ କବିର ଭୂମିକା ସତରେ କିଛି ଗୁରୁତ୍ୱପୂର୍ଣ୍ଣ ବୋଲି ଆପଣ ଭାବୁଛନ୍ତି କି ?

ହଁ, କବିତା ନିଶ୍ଚୟ ବଦଳାଇ ପାରିଛି । କାରଣ ସୃଜନକର୍ମ ଅନୁଭବସିଦ୍ଧ ଓ ସତ୍ୟନିଷ୍ଠ ହେଲେ ତାହା ଆଉଜଣକ ଅନ୍ତରର ସତ୍ୟକୁ ସ୍ପର୍ଶ କରି ପରିବର୍ତ୍ତନ ପାଇଁ ଅନୁପ୍ରେରିତ କରିବ । ସଂଖ୍ୟାରେ ଖୁବ୍ ବେଶୀ ନହେଲେ ବି ମୋ କବିତା କେତେଜଣଙ୍କର ମାନସିକତା ଓ ଜୀବନଚର୍ଯ୍ୟାକୁ ବଦଳେଇ ଦେଇଛି ଓ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତିରୁ ତାଙ୍କୁ ଫେରାଇ ଆଣିଛି । ଏହା ମୋ' କବିତାର ଶ୍ରେଷ୍ଠ ସ୍ୱୀକୃତି ବୋଲି ମୁଁ ମନେ କରେ । ଆଜି ଯେତେବେଳେ ଝିଅମାନେ ସାହସର ସହିତ ନିଜ କଥା ରଖିବାକୁ ମୋ' କବିତା ତାଙ୍କୁ ପ୍ରେରଣା ଯୋଗାଏ ବୋଲି କହନ୍ତି ସେତେବେଳେ ସେମାନଙ୍କ ପାଇଁ ମୁଁ ସ୍ନେହ ଓ କଲ୍ୟାଣରେ ଉଛୁଳିପଡ଼େ । କବିତା ତ ଅନ୍ତରର ଶୁଦ୍ଧ ପ୍ରତିଧ୍ୱନି । ତାହା ଅନ୍ୟ ଅନ୍ତରରେ ପ୍ରତିଧ୍ୱନିତ ହେବା ଏକ ସୁଖଦ ଅନୁଭବ ନିଶ୍ଚୟ । ଏବଂ ବାରମ୍ବାର ମୁଁ ଏହା ଅନୁଭବ କରୁଛି ।

ଅପର୍ଣ୍ଣା ମହାନ୍ତି କବି ହୋଇ ନଥିଲେ ଆଉ କଣ ହୋଇଥାନ୍ତେ ?

କବି ନ ହୋଇଥିଲେ କ'ଣ ଆଜିଯାଏଁ ବଞ୍ଚିଥାନ୍ତି ? ତିନିଥର ଆତ୍ମହତ୍ୟା ଉଦ୍ୟମ କରିଚି । ଜୀବନ ମରଣରେ ସଂକଟ କାଳରେ କବିତା ହାତ ଧରି ପକାଇବାରୁ ସମ୍ଭାଳି ହୋଇଯାଇଛି । ପିଲାଦିନେ ନାଚୁଥିଲି, ଗୀତ ଗାଉଥିଲି, ଏବେ ବି ଟିକେ ଟିକେ ଗୀତ ଗାଇପାରେ । କିନ୍ତୁ ସତ କହୁଛି, କବିତା ଜୀବନକୁ ବୁଝିବାକୁ ଭୋଗିବାକୁ ଯେଉଁ ଦମ୍ଭ ଦିଏ ତାହା ଅନ୍ୟ କିଛି କ୍ୱଚିତ୍ ଦେଇପାରନ୍ତି । ହଁ, ସାଧାରଣ ଭାବରେ ଦେଖିଲେ କବି ହୋଇନଥିଲେ ହୁଏତ ଗାୟିକାଟିଏ ହୋଇଥାନ୍ତି ।

କବିତା ଲେଖିବା ଓ ଗୀତ ଗାଇବା ଭିତରୁ ଗୋଟାକୁ ବାଛ କହିଲେ, ଆପଣ କାହାକୁ ବାଛିବେ ?

ଗୀତ ମୋର ଆବେଗ, କବିତା ମୋର ଆବଶ୍ୟକତା । ମୁଁ କାହାକୁ ବାଛି ନାହିଁ । ଦୁଇଟିକୁ ମିଶେଇ ଦେଇଛି । ସହଜ ଭାବରେ କବିତାଟିଏ ଅବତରଣ କଲାବେଳେ ସେ ଆପେ ଆପେ ଗୀତ ହୋଇଯାଇଛି । ମୁଁ ଆଗ ସେ ଶବ୍ଦଧାରାକୁ ତନ୍ମୟ ହୋଇ ଗାଇଯାଏ । ତା'ପରେ ତାକୁ କାଗଜରେ ଲେଖେ । ସେ କବିତାସବୁକୁ କେବେ ବି ପରେ ସଜଡ଼ାସଜଡ଼ି କରିବା ଦରକାର ହୋଇନାହିଁ ।

ନାତୁଣୀ ପାଇଁ କବିତା ଲେଖିଲା ବେଳେ କେବେ ଭାବିଛନ୍ତି, କାଲି ଯଦି ସେ ଆପଣଙ୍କ କବିତା ନ ପଢେ, ବା ପଢିଲେ ବି ଯଦି ବୁଝି ନପାରେ ?

ମୋ ନାତୁଣୀର ନିର୍ମଳ ନିରୀହପଣ ମତେ ଯେତେବେଳେ ଆଚ୍ଛନ୍ନ କରିଛି ମୁଁ ତାକୁ ନେଇ କବିତା ଲେଖିଛି । ଜାଣେନା, ସେ ବଡ଼ହେଲେ ତାକୁ ପଢିବ କି ନାହିଁ । ହେଲେ ଆଜି ମୋ ଶବ୍ଦାତ୍ମଜାମାନେ ମୋ କବିତାରେ ନିଜକୁ ଖୋଜିଲା ପରେ ମୁଁ ସଂସାରରୁ ଚାଲିଗଲା ପରେ କେହି ନା କେହି ନାତୁଣୀ ଯଦି ତାହା ପଢିବ ବୁଝିବ ତେବେ ମୁଁ ତାର କବି ଆଈଟିଏ ବୋଲି ମତେ ନିଶ୍ଚୟ ଭଲପାଇବ । ସେତେବେଳେ ମୋ ଆତ୍ମା ଶାନ୍ତି ପାଇବ ଯେ ।

ଅପର୍ଣ୍ଣା ମହାନ୍ତିଙ୍କ କବିତାକୁ “ଦେହବାଦୀ” ବୋଲି କହୁଥିବା ଆଲୋଚକଙ୍କୁ ଆପଣଙ୍କର ଉତ୍ତର କଣ ହେବ ?

ସତକଥା କହିବି ? ଦେହକୁ ନେଇ ଯାବତୀୟ ଛଳନାର କାରବାର କରୁଥିବା ଲୋକମାନେ ହିଁ ଏମିତି କହିଥାନ୍ତି । ବିଶ୍ୱପ୍ରସିଦ୍ଧ ସ୍ଥପତି ରୋଦାଁ ଥରେ କହିଥିଲେ ‘ମଣିଷର ଦେହ ତ ଏକ ମନ୍ଦିର । ଚଳମାନ ଏଇ ମନ୍ଦିରଟି ଭାବେ କଥା କହେ ।' ଶୁଣିଛି ଗାନ୍ଧିଜୀ କାଳେ ଥରେ କୋଣାର୍କ ଓ ଖଜୁରାହୋର ମିଥୁନ ମୂର୍ତ୍ତି ସବୁକୁ ଅଶ୍ଲୀଳ ଓ ଯୁବବର୍ଗକୁ ବିପଥଗାମୀ କରୁଛି ବୋଲି ମତବ୍ୟକ୍ତ କରି ସେ ସବୁକୁ ଭାଙ୍ଗିଦେବାକୁ କିମ୍ବା କାଦୁଅ ଲେସିଦେବାକୁ କହିଥିଲେ । ସେତେବେଳେ ବିଶ୍ୱକବି ରବୀନ୍ଦ୍ରନାଥଙ୍କ ତୀବ୍ର ବିରୋଧ ଯୋଗୁଁ ତାଙ୍କର ମତ କାର୍ଯ୍ୟକାରୀ ହୋଇନଥିଲା । କବିଟିଏ ବୋଲି ସିନା ସେ ଦେହ ଓ ଶୃଙ୍ଗାରର ସୂକ୍ଷ୍ମ ସୌନ୍ଦର୍ଯ୍ୟକୁ ବୁଝିଥିଲେ ଓ ତାକୁ ରକ୍ଷା କରିବାକୁ ଚାହିଁଥିଲେ ।

ସେ ଦେବୀ ମୂର୍ତ୍ତି ହେଉ କି ଖେଳକଣ୍ଢେଇ, ନାରୀ ଦେହକୁ ବ୍ୟବହାରଯୋଗ୍ୟ ଉପାଦାନଟିଏ ବ୍ୟତୀତ ଅନ୍ୟ କିଛି କଳ୍ପନା କରିପାରୁନଥିବା ପିତୃପ୍ରଧାନ ସମାଜର ମାନସିକତା ଏଥିପାଇଁ ଦାୟୀ । ସେଥିପାଇଁ ମୁଁ ଆଲୋଚକମାନଙ୍କୁ କାହିଁକି କିଛି କହିବି ? ନାରୀ ଦେହକୁ ନେଇ ଗୋଟାଏ ସଂସ୍କାର ତାଙ୍କ ଚେତନାରେ ବସା ବାନ୍ଧିଛି, ସେଥିରୁ ମୁକୁଳିବା କ'ଣ ଏତେ ସହଜ ? ଦେହ ହିଁ ତ ହେଦକୁ ଅତିକ୍ରମ କରିବାର ଲୀଳାମୟତା ପ୍ରଦାନ କରେ । ତେଣୁ କବିତାକୁ ଦେହବାଦୀ/ବିଦେହବାଦୀ ଥାକରେ ରଖୁଥିବା ବିଚରା ଶୂନ୍ୟଦେହୀ (?) ମାନଙ୍କ ପାଦରେ ମୋର କୋଟି ପ୍ରଣାମ !!