ଚିତ୍ର - ୱିକି କମନ୍ସ

କିଛି ଦିନ ତଳେ ମନୋବିଜ୍ଞାନରେ ପିଏଚ.ଡ଼ି କରିଥିବା ଆମ ବିଦ୍ୟାଳୟରେ ପୁରାତନ ଛାତ୍ର ବାପୁନ୍ ମଧ୍ୟ ଦଣ୍ଡ ଦ୍ୱାରା ହେଉଥିବା କ୍ଷତି ଓ ଲଣ୍ଡନର Global initiative to end corporal punishment of children ସଂସ୍ଥା ଦ୍ୱାରା କରାଯାଇଥିବା ଗବେଷଣା ବିଷୟରେ କହୁଥିଲା । ତା କଥାରେ କିଛି ନୂଆ ଦିଗ ଥିଲା । ତେଣୁ ତାହା କହିବା ଉଚିତ ହେବ’ ବୋଲି ଭାବୁଛି । ମୁଁ ବାରମ୍ବାର ଏହା କହିବାର ଉଦ୍ଦେଶ୍ୟ; ଆମେ କ’ଣ ସବୁ କରୁଛନ୍ତି ତାହା ଭଲଭାବେ ଆଗ ବୁଝି ଯାଆନ୍ତୁ । ଏହି ବାରମ୍ବାରତା ଆମ ଜୀବନରେ ଆପଣା କ୍ଷମତାର ଦୁର୍ବବ୍ୟବହାର କଲାବେଳେ କରୁଥିବା କ୍ଷତିର ପରିଣାମ ବିଷୟରେ ବାରମ୍ବାର ମନେପକାଇ ଦେଉ ।

  • ଦଣ୍ଡ ପିଲାକୁ ଆଘାତକାରୀ ହେବା ଶିଖାଏ ।

ପ୍ରକୃତ ପକ୍ଷେ ସବୁଠୁ ଭୀଷଣ ଅପରାଧିମାନେ ପିଲାବେଳେ ନିୟମିତ ଭାବେ ଦଣ୍ଡ ପାଇଥିଲେ ଓ ତାଙ୍କୁ ଅଧିକ ଧମକ୍ ଦିଆଯାଇଥିଲା । ଆମକୁ ମନେରଖିବାକୁ ହେବ ଯେ ପିଲା ବାପାମାଆଙ୍କୁ ପର୍ଯ୍ୟବେକ୍ଷଣ ଓ ଅନୁକରଣ କରିବା ଦ୍ୱାରା ବ୍ୟବହାର (ଭଲ ବା ମନ୍ଦ) ଶିଖେ ।

  • ଅନେକ କ୍ଷେତ୍ରରେ “ଖରାପ ବ୍ୟବହାର” କରୁଥିବା ପିଲାଙ୍କ ପାଖରେ ଏହା ଏକମାତ୍ର ବାଟ ହୋଇଥାଏ ଯାହା ସେ କରିପାରନ୍ତି ତାଙ୍କ ବୟସ ଓ ଅନୁଭୂତି ଅନୁସାରେ । ଏମିତି ପିଲାମାନେ ନିଜର ମୌଳିକ ଆବଶ୍ୟକତାଗୁଡ଼ିକୁ ମଧ୍ୟ ଅବହେଳା କରନ୍ତି । ଏହି ଆବଶ୍ୟକତା ଭିତରେ ସଠିକ୍ ନିଦ୍ରା, ପୁଷ୍ଟି, ଚିକିତ୍ସା, ସତେଜ ପବନ, ଶରୀର ଚର୍ଚ୍ଚା ଏବଂ ଚାରିପାଖର ପୃଥିବୀକୁ ଜାଣିବାର ଓ ଆବିଷ୍କାର କରିବାର ସ୍ୱାଧୀନତା ଅନ୍ତର୍ଭୁକ୍ତ ।

ଏହି ବ୍ୟସ୍ତ ଜୀବନ ଭିତରେ ବି ଯେଉଁ କିଛି ଅଭିଭାବକ କିଛି ସମୟ ଓ ଧ୍ୟାନ ଦିଅନ୍ତି ପିଲାକୁ ସେମାନେ ମଧ୍ୟ ପ୍ରାୟତଃ ନିଜର ହଜାରେ ଅସୁବିଧା ପାଇଁ ବିବ୍ରତ ଥାଆନ୍ତି । ଧୈର୍ଯ୍ୟ ଓ ସମ୍ବେଦନଶୀଳତାର ସହ ପିଲାକୁ ବ୍ୟବହାର କରିପାରନ୍ତି ନାହିଁ । ତେଣୁ ନିଶ୍ଚିତ ଭାବେ ଏହା ଏକ ଭୁଲ୍ ଓ ଅନ୍ୟାୟ ବାଟ । ନିଜର ମୌଳିକ ଆବଶ୍ୟକତାଗୁଡ଼ିକ ନପାଇବାରୁ ପିଲା କିନ୍ତୁ ନିଜ ପ୍ରାକୃତିକ ବାଟରେ ହିଁ ପ୍ରତିକ୍ରିୟା ଦେଖାଉଥାଏ ।

  • ଅସୁବିଧାଗୁଡ଼ିକୁ ଯେ ଫଳପ୍ରଦ ଭାବେ ଓ ମାନବୀୟ ଢଙ୍ଗରେ ସମାଧାନ କରିବାକୁ ହେବ ତାହା ଶିଖିବାରୁ ପିଲାଟିକୁ ଦୂରେଇ ରଖେ, ଶିକ୍ଷାବିତ୍ ଜନ୍ ହୋଲ୍ଟଙ୍କ ମତରେ “When we make a child afraid, we stop learning dead in its tracks.” ଦଣ୍ଡ ପାଇଥିବା ପିଲାର ମନ ପ୍ରତିଶୋଧର ଭାବ ଓ ଅବାସ୍ତବ କଳ୍ପନା ମାନଙ୍କ ଦ୍ୱାରା ପୂର୍ବାଧିକୃତ ହୋଇ ରହିବାରୁ ବେଶ୍ ଫଳପ୍ରଦ ବାଟରେ ଅସୁବିଧାଗୁଡ଼ିକୁ ସମାଧାନ କରିପାରିବା ସେ ଶିଖି ପାରେନି ।

  • ପିତା ମାତା ଓ ସନ୍ତାନ ଭିତରେ ଥିବା ମମତାର ସୁକ୍ଷ୍ମ ରଜ୍ଜୁଟିକୁ ଦଣ୍ଡ ଛିଡ଼ାଇଦିଏ । କାରଣ, ଯିଏ ଆଘାତ ଦିଏ ତା' ପ୍ରତି ଭଲ ପାଇବା ରହିବାଟା ମାନବିକ ପ୍ରକୃତି ନୁହଁ । ସହଯୋଗର ପ୍ରକୃତ ଆଶା ଯାହା ପ୍ରତିଟି ବାପା ମାଆ ଚାହାନ୍ତି ତାହା କେବଳ ପାରସ୍ପରିକ ଶ୍ରଦ୍ଧା ଓ ସମ୍ମାନର ଗୋଟିଏ ଶକ୍ତ ବନ୍ଧନକୁ ଆଧାର କରି ହିଁ ହୋଇପାରିବ । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଦଣ୍ଡ କେବଳ କିଛି କୃତ୍ରିମ ଭଲ ବ୍ୟବହାର ସୃଷ୍ଟି କରାଇପାରେ, ଯାହାର ଆଧାର ‘ଭୟ’ । ଏବଂ, ଭୟ କେବଳ ସେପର୍ଯ୍ୟନ୍ତ ରହେ ଯେପର୍ଯ୍ୟନ୍ତ ପିଲା ପ୍ରତିରୋଧ କରିବା ବୟସର ନ ହୋଇଛି ।

  • ଅନେକ ବାପାମାଆ ପିଲାଙ୍କ ଚିନ୍ତାଧାରା ସହ ନିଜକୁ ସମ୍ପର୍କିତ କରି ରଖିବାର ସକାରାତ୍ମକ ଦିଗଟିଏ ଅଛି ବୋଲି ବି ନିଜ ପିଲାବେଳେ ଶିଖିନଥାନ୍ତି । ତେଣୁ ଦଣ୍ଡ ଯେତେବେଳେ ତାଙ୍କ ଅନୁସାରେ ଫଳ ଦେଇ ପାରେନି ସେମାନେ ତଥାପି ଦଣ୍ଡ ହିଁ ଦେଇଚାଲନ୍ତି । କାରଣ ଏହାର ବିକଳ୍ପ ଉପାୟଗୁଡ଼ିକ ବିଷୟରେ ସେମାନେ ଜାଣିନଥା’ନ୍ତି । ଜାଣିନଥା’ନ୍ତି ବୋଲି ଜାଣିବାକୁ ବି ଚାହାନ୍ତିନି । ଏବଂ, ଜାଣନ୍ତିନି ବୋଲି ପିଲାକୁ ଲଗାତାର ଭାବେ ଓ କଠିନରୁ କଠିନତର ଭାବେ ଦଣ୍ଡ ଦେବାର ଗତି ପର୍ଯ୍ୟାୟକ୍ରମେ ଦ୍ରୁତତର ଭାବେ ବଢ଼ି ଚାଲେ । କେବେ ଶାରୀରିକ ଭାବେ ତ କେବେ ଆଖି ତରାଟି ବା ଜୋର୍ ରେ ଚିଲାଇ ନହେଲେ ଗୋଟିଏ ଜାଗାରେ ଜବରଦସ୍ତି ବସେଇ ଦେଇ ବା ତା’ର କୌଣସି କଥା ନଶୁଣି ।

  • ଏତଦ୍ୱାରା ପିଲା କ୍ରୋଧ ଏବଂ ନିରାଶାକୁ ଭଲ ଭାବେ ପ୍ରକାଶ କରିପାରେ ନାହିଁ । ତେଣୁ ଏସବୁ ତା’ ଭିତରେ ଲୁକ୍କାୟିତ ହୋଇ ରହିଯାଏ । ସତରେ, ରାଗି ପିଲା ଆକାଶରୁ ଖସନ୍ତି ନାହିଁ । ଯେଉଁ କ୍ରୋଧ ଅନେକ ଦିନ ଧରି ସଂଗୃହୀତ ହୋଇ ରହିଥାଏ ତାହା ପିଲାଟି ପ୍ରକାଶ କରିବାକୁ ସକ୍ଷମ ହୋଇଯିବା ପରେ ପ୍ରଥମେ ନିଜ ବାପା ମାଆଙ୍କ ଉପରେ ପ୍ରୟୋଗ କରେ । ହୁଏତ ଆରମ୍ଭ ସମୟଗୁଡ଼ାକରେ ଦଣ୍ଡ “ଭଲ ବ୍ୟବହାର” ପ୍ରକାଶ କରାଇପାରେ କିନ୍ତୁ ପିଲା କୈଶୋର ବା ଆଦ୍ୟ ଯୌବନରେ ପହଞ୍ଚିବା ପରେ ଏଥିପାଇଁ ଉଭୟ ବାପା ମାଆ ଓ ସମାଜକୁ ସାମଗ୍ରିକ ଭାବେ ଖୁବ୍ ବେଶୀ ମୂଲ୍ୟ ଦେବାକୁ ପଡେ଼ ।

  • ପିଲାବେଳେ ଆମ ପଛଭାଗର ମାଂସଳ ଅଂଶ ଯୌନ ଉଦ୍ଦୀପନା ପ୍ରତି ସମ୍ବେଦନଶୀଳ ଥାଏ ବୋଲି ସେଠାରେ ଆଘାତ ଦେବା ଦ୍ୱାରା ପିଲାର ମନ ଯନ୍ତ୍ରଣା ଓ ଯୌନସୁଖ ମଧ୍ୟରେ ଗୋଟିଏ ସାମଞ୍ଜସ୍ୟତା ଅଛି ବୋଲି ସମର୍ଥନ କରିବାରେ ଲାଗେ ଏବଂ ଏହା ଯୌବନର ବିଭିନ୍ନ ଅସୁବିଧା ଆଡ଼କୁ ତାକୁ ଆଗେଇନିଏ । ଘରେ ଯେତେବେଳେ ପିଲା ଦଣ୍ଡ ପାଇବା ସମୟ ବ୍ୟତୀତ ଅନ୍ୟ ସମୟରେ ବାପା ମାଆଙ୍କର ଯତ୍ନ ପାଏ ତାହେଲେ ଏହା ତାକୁ ଆହୁରି ଅଧିକ ଦ୍ୱନ୍ଦ୍ୱାତ୍ମକ ଅବସ୍ଥାକୁ ନିଏ । ପିଲା ଏମିତି ସମୟରେ ନିଜକୁ ଖୁବ୍ ଛୋଟ ମନେକରେ ଓ ଏହାଠୁ ଅଧିକ ଭଲପାଇବା ପାଇବାର ସେ ଯୋଗ୍ୟ ନୁହେଁ ବୋଲି ବୁଝେ ।

  • ଆପାତତଃ କମ୍ ମାତ୍ରାରେ ପିଚାରେ ଆଘାତ ଦେବା ମଧ୍ୟ ଶାରୀରିକ ଭାବେ ବିପଦପୂର୍ଣ୍ଣ; କାରଣ ମେରୁଦଣ୍ଡର ନିମ୍ନଭାଗର ଉପରେ ଆଘାତ ହେଲେ ଏହା ସମ୍ପୂର୍ଣ୍ଣ ମେରୁଦଣ୍ଡର ଦୈର୍ଘ୍ୟକୁ ଏକ shock wave ଛାଡେ଼ ଯାହା ପିଲାକୁ କ୍ଷତି ପହଞ୍ଚାଇ ଥାଏ । ଆମ ସମାଜରେ ଅଧିକତର ବଡ଼ମାନଙ୍କର back pain ସହ ଏହି କାରଣଟିର ସଂଯୋଗ ରହିଛି ଯାହା ପିଲାବେଳର ଦଣ୍ଡ ପାଇବା ଯୋଗୁଁ ହିଁ ହୋଇଥାଏ । ଅନେକ ଲୋକ ମଧ୍ୟ ଏହାର କାରଣ ଚିହ୍ନିତ ହୋଇପାରୁ ନଥିବାରୁ ଚିକିତ୍ସା ଅଭାବରୁ ଅଚଳ ହୋଇଯାଇଛନ୍ତି ନହେଲେ ମୃତ୍ୟୁବରଣ କରିଛନ୍ତି ।

  • ଅନ୍ୟକୁ ଆଘାତ ଦେଇ ହେବ ବୋଲି ବାର୍ତ୍ତାଟି ଏହାଦ୍ୱାରା ମିଳେ । ହେଉ ପଛେ କମ୍ ଶକ୍ତିଶାଳୀ ଓ ଛୋଟ’ ପିଲା ଏହି ଉପସଂହାରରେ ପହଞ୍ଚେ ଯେ, ନିଜଠୁ ସାନ ଓ ଦୁର୍ବଳମାନଙ୍କୁ ଦୁର୍ବ୍ୟବହାର କରିବା ବା ଦଣ୍ଡଦେବାରେ କୌଣସି ଅସୁବିଧା ନାହିଁ । ବଡ଼ ହେବା ପରେ ସେ ନିଜ ପରି ଦୁର୍ଭାଗାମାନଙ୍କ ପ୍ରତି ଆହୁରି କମ୍ ଦୟା ଅନୁଭବ କରେ ଓ ଶକ୍ତିଶାଳୀମାନଙ୍କୁ ଡରେ । ତେଣୁ ଏହା ଏକ ଆବେଗମୟ ଜୀବନ ପାଇଁ ଦରକାର ଥିବା ଅର୍ଥପୂର୍ଣ୍ଣ ସମ୍ପର୍କ ସ୍ଥାପନାରେ ବାଧା ଦିଏ ।

  • ପିଲା ଯେହେତୁ ବାପା ମାଆଙ୍କୁ ନିଜର ଆଦର୍ଶ ବୋଲି ଭାବେ ଓ ଗ୍ରହଣ କରେ ତେଣୁ ଯନ୍ତ୍ରଣା ଦେବାଟା ନିଜ କଥା କହିବାକୁ ଓ ଅସୁବିଧାର ସମାଧାନ କରାଇବାକୁ ଠିକ୍ ବାଟ ବୋଲି ମାନିନିଏ । ଯଦି ପିଲାଟିଏ ବଡ଼ମାନଙ୍କୁ ମାନବୀୟ ଢଙ୍ଗରେ ଶ୍ରଦ୍ଧାର ସହ ବିଭିନ୍ନ ସୃଜନାତ୍ମକ ଉପାୟରେ ଅସୁବିଧା ସମାଧାନ କରିବାର ନଦେଖେ ତେବେ ସେ ଏହା ଶିଖିବା କଷ୍ଟକର । ତେଣୁ ଏହି ଧାରଣା ପିଢ଼ି ପରେ ପିଢ଼ି ହୋଇ ଆଗାମୀ ପିଢ଼ିକୁ ମଧ୍ୟ ଯାଏ ।

  • ପିଲା ଦଣ୍ଡ ପାଇବା ପରେ ସେ କରୁଥିବା କାମ ବନ୍ଦ କରିଦେଲେ ବା ତା’ର ହାବଭାବଗୁଡ଼ିକ ଆଉ ଦେଖା ନଗଲେ ଆମେ ଭାବନ୍ତି ଯେ ଆମ ଉପାୟଟି କାମ ଦେଲା । କିନ୍ତୁ ପ୍ରକୃତରେ ତାହା ଘଟି ନଥାଏ । ଆମେ ହୁଏତ କ୍ଷଣଟିଏ ପାଇଁ ଏହାର ସମାଧାନ ଦେଖନ୍ତି । ଆମେ ଯେତେବେଳେ ତାଙ୍କୁ ଘର ଭିତରେ ବନ୍ଦ କରିଦିଅନ୍ତି ସେମାନେ କାନ୍ଦିବା ଆରମ୍ଭ କରନ୍ତି । ଆମେ ଭାବନ୍ତି ଆମେ ଭଲ କାମଟେ କଲୁ । ସେମାନଙ୍କ କାନ୍ଦ କିନ୍ତୁ ଏହା ଦର୍ଶାଏ ଯେ, ସେମାନେ ଗଭୀର ଅନୁତାପ କରୁଛନ୍ତି ଓ ନ୍ୟୁନ ଅନୁଭବ କରୁଛନ୍ତି । ତଥାପି ଆମର କିଛି ପ୍ରତିକ୍ରିୟା ନଦେଖି ସେମାନେ ବୁଝି ଯାଆନ୍ତି ଯେ ସେମାନେ ଖରପ ।

  • Behaviour study ଦର୍ଶାଏ ଯେ, ଦଣ୍ଡ ଆଜ୍ଞାଧିନତା ବଢ଼ାଏ କିନ୍ତୁ ଅନ୍ତର୍ନିହିତ ନୈତିକ ଜ୍ଞାନକୁ ମାରିଦିଏ ।

ଏତେ ସବୁ କାର୍ଯ୍ୟ ନିଜେ କରି ଛାମୁ ହୋଇ ବସିରହି ସମାଜ ଆଉ ଅବସ୍ଥାରେ ନାହିଁ କହିବା ବେଳେ ସତରେ ନିଜକୁ ମଣିଷ ବୋଲାଉଥିବା ଆମ ସମସ୍ତଙ୍କ ମନରେ କ’ଣ ପ୍ରଶ୍ନଟେ ଆସୁନି, “ଆମେ ଦାୟୀ ନୁହେଁ ତ ଏଥିପାଇଁ ?” ଯଦି ଆସୁଛି ତେବେ ଭଲ । ଚାଲନ୍ତୁ ସମାଧାନର ବାଟଟିଏ ଖୋଜିବା । ଯଦି ନ ଆସୁଛି ତେବେ ଆହୁରି ଭଲ... ଆପଣଙ୍କ ପିଲାକୁ ଆପଣଙ୍କର ସମ୍ପତ୍ତି ଭାବି ଯେତେ ପାରେ ସେତେ ଦଣ୍ଡ ଦେଇ ଚାଲନ୍ତୁ । ଆପଣଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେବ ନିଶ୍ଚୟ । ସ୍ୱପ୍ନ, ଅର୍ଥ, ଯଶର ମୋହ ଚିରଦିନ ଆପଣଙ୍କୁ ଏମିତି ଦଣ୍ଡ ଦେବାର ସାମର୍ଥ୍ୟ ଦେଉ, ଆପଣଙ୍କ ବଡ଼ପଣିଆକୁ ବଜାୟ ରଖୁ  ଓ ମହାନ୍ ବୋଲାଇବାର ସ୍ୱପ୍ନକୁ ସାର୍ଥକ କରୁ । କିନ୍ତୁ ସତରେ ଯେଉଁମାନଙ୍କୁ ଏ ବ୍ୟବସ୍ଥା ବ୍ୟଥିତ କରୁଛି, ଯେଉଁମାନେ ଏହି ଯନ୍ତ୍ରଣାକୁ ଅଙ୍ଗେ ଲିଭେଇଛନ୍ତି ଓ ନିରାକରଣଟେ ଖୋଜିଛନ୍ତି ବିକଳ ହୋଇ, ପିଲାଦିନେ କେହି ଜଣେ ନିଜ କଥା ଶୁଣୁ ବୋଲି ଆଶାଟିଏ ନେଇ ବସିରହି, ଅପେକ୍ଷାକରି ନିରାଶ ହୋଇଛନ୍ତି, କେହି ଜଣେ କୋଳେଇ ନେଉ ବୋଲି ଲୁଚି ଲୁଚି ଆଖିରୁ ଲୁହ ଗଡେ଼ଇଛନ୍ତି, ସେମାନେ ଚାଲନ୍ତୁ  ସମାଧାନଟେ ଖୋଜିବା । ଆମପରି ଆଉ ଜଣେ ସୃଷ୍ଟି ନହେଉ ବୋଲି ପଣ କରିବା । ମୋ ମତରେ:

  • ସ୍ନେହରେ ଚାପୁଡ଼ାଟିଏ ବି ଆମେ କେବେ ମାରିବାନି ।

  • ବଡ଼ ପାଟିରେ କି ରାଗିକରି ଆମେ ଆଉ କଥା ହେବାନି । ଯଦି ପାରିବା ତେବେ ପିଲାର ଭଲଗୁଣଗୁଡ଼ିକ ଖୋଜି ଖୋଜି ତାକୁ ଜଣେଇବାର, ପ୍ରଶଂସା କରିବାର ଅବସର ଗୁଡ଼ାଏ ଦେବା । ଉଚ୍ଚାକାଂକ୍ଷାରୁ ଓହରି ଆସି ପିଲାର ଆଗ୍ରହଟି ଜାଣିବାକୁ ଚେଷ୍ଟା କରିବା ଓ ସେଇଥିରେ ଆଗକୁ ଯିବାରେ ସାହାଯ୍ୟ  କରିବା । ସର୍ବୋପରି ସେମାନେ ଅଛନ୍ତି ବୋଲି ହିଁ ଆମେ ବାପା, ମାଆ, କି ଶିକ୍ଷକ ବୋଲାଉଛନ୍ତି । ଏତେ ଗଉଁ ଦେଖାଇବାର ସୁଯୋଗ ସେମାନେ ହିଁ ଆମକୁ ଦେଇଛନ୍ତି ବୋଲି ବୁଝିବା ପରେ ତାଙ୍କ ପାଖରେ ଆମେ ନିଶ୍ଚୟ କୃତଜ୍ଞ ରହିବା ।