ଫଟୋ - ସୁମିତ୍ରା ପାଢୀ

ୟୁନିସେଫର 'Educate, don’t punish' କାର୍ଯ୍ୟକ୍ରମଟି ମଧ୍ୟ ସ୍ୱତନ୍ତ୍ର । ସେଥିରେ ଅଭିଭାବକମାନେ ଦଣ୍ଡଦେବାର କାରଣ ବିଷୟରେ ଲେଖାଯିବା ସହ ଏହାର ପ୍ରଭାବ ଉଭୟ ପିଲା ଓ ସମାଜ ଉପରେ କ’ଣ ପଡେ଼ ସେ ବିଷୟରେ ମଧ୍ୟ ଲେଖାଯାଇଛି । ଅଭିଭାବକମାନେ ଦଣ୍ଡ ଦେବାର କାରଣ :

  • ସେମାନେ ମନେକରନ୍ତି ଏହା ପିଲାର ଶିକ୍ଷା ପାଇଁ ଆବଶ୍ୟକ ଓ ଠିକ୍ ।
  • ଏହା ‘ପିଲା କିଛି କରୁନି’ର ଚିନ୍ତାରୁ ମୁକ୍ତି ଦିଏ ।
  • ବିଭିନ୍ନ ଅବସ୍ଥାକୁ ସମ୍ଭାଳିବା ଲାଗି ତାଙ୍କ ପାଖରେ ଯଥେଷ୍ଟ ଉପାୟ ନଥାଏ ବା ଯାହା ଚାହୁଁଥାନ୍ତି ତାହା ପାଇବା ଲାଗି କୌଶଳ ମଧ୍ୟ ଜଣାନଥାଏ ।
  • ଦଣ୍ଡ ପ୍ରୟୋଗ କରାଯାଉଥିବା ସାମାଜିକ ଅବସ୍ଥାଗୁଡ଼ିକ ବୁଝିବାରେ ଦକ୍ଷ ନଥା’ନ୍ତି ।
  • ସେମାନେ ନିଜ ଆବେଗକୁ ନିୟନ୍ତ୍ରଣ କରିବାରେ ଅକ୍ଷମ ।

ୟୁନିସେଫ ମତରେ କାରଣ ଯାହା ବି ହେଉନା କାହିଁକି ଏହାର ପ୍ରଭାବ କିନ୍ତୁ ଠିକ୍ ଫଳେ ଏବଂ ଏହି ଫଳାଫଳ ନିର୍ଦ୍ଦିଷ୍ଟ ଓ ନିଶ୍ଚିତ ।

ପିଲାଙ୍କ ଉପରେ ଦଣ୍ଡର ପ୍ରଭାବ:

  • ଏହା ତାଙ୍କର ଆତ୍ମ-ସମ୍ମାନ କମାଏ । ସେମାନଙ୍କୁ ଆତ୍ମ-ନିୟନ୍ତ୍ରଣ କରିବାରେ ଦୁର୍ବଳ କରାଇବା ସହ ନିଜଠାରୁ ନକାରାତ୍ମକ ପ୍ରତ୍ୟାଶାମାନ କରିବା ଶିଖାଏ ।

  • ଏହା ତାଙ୍କୁ ପୀଡ଼ିତ ହୋଇ ରହିବା ଶିଖାଏ । ସାଧାରଣ ଭାବେ ସମସ୍ତଙ୍କର ଧାରଣା ଅଛି ଯେ, ଯେଉଁମାନେ ପିଲାବେଳୁ ଶାରୀରିକ ଦଣ୍ଡ ପାଇଥାନ୍ତି ସେମାନେ ଖୁବ୍ ବଳିଷ୍ଠ ଏବଂ ଏହା ତାଙ୍କୁ ଜୀବନ ପାଇଁ ପ୍ରସ୍ତୁତ କରାଇଥାଏ ମଧ୍ୟ । କିନ୍ତୁ ପ୍ରକୃତ କଥା ହେଉଛି, ଏହା ତାଙ୍କୁ ଆହୁରି ପୀଡ଼ିତ ହେବାଲାଗି ପ୍ରବଣତା ଭରଦିଏ, ବଳିଷ୍ଠ ହେବାକୁ ନୁହେଁ ।

  • ଏହା ଶିକ୍ଷଣ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ସହ ବୌଦ୍ଧିକ, ଇନ୍ଦ୍ରିୟଗତ ଓ ଆବେଗଗତ କ୍ଷେତ୍ରରେ ମଧ୍ୟ ହସ୍ତକ୍ଷେପ କରେ ।

  • ଏହା ଯୁକ୍ତି ବୁଦ୍ଧିର ପ୍ରୟୋଗକୁ ନିରୁତ୍ସାହିତ କରାଏ । କଥାବାର୍ତ୍ତା ଓ ମନନ ପ୍ରକ୍ରିୟାକୁ ବନ୍ଦ କରିବା ଦ୍ୱାରା ଏହା ଆଚରଣ ଓ ଏହାର ପରିଣତି ମଧ୍ୟରେ ଥିବା ସମ୍ପର୍କଟିକୁ ବୁଝିବାର କ୍ଷମତାଟିକୁ ବ୍ୟାହତ କରେ ।

  • ଏହା ପିଲାକୁ ଏକାକୀ, ଦୁଃଖି ଓ ପରିତ୍ୟକ୍ତ ଅନୁଭବ କରାଏ ।

  • ପିଲା ଭିତରେ ‘ଅନ୍ୟ ମଣିଷମାନେ ଓ ସମାଜଟି ଗୋଟିଏ ଧମକପୂର୍ଣ୍ଣ ବା ଡରାଉଥିବା ସ୍ଥାନ’ ବୋଲି ଭାବିବାର ନକରାତ୍ମକ ଦୃଷ୍ଟିଭଙ୍ଗୀଟି ତିଆରି କରେ ।

  • ପିଲା ଓ ବାପା ମାଆଙ୍କ ଭିତରେ ଭାବର ଆଦାନ ପ୍ରଦାନ ହେବାରେ ବାଧା ସୃଷ୍ଟି କରେ ଓ ପୂର୍ବରୁ ଥିବା ଆବେଗଗତ ସମ୍ପର୍କରେ କ୍ଷତି ପହଞ୍ଚାଏ ।

  • ଏହା କ୍ରୋଧ ସୃଷ୍ଟି କରାଇବା ସହ ଘରୁ କୁଆଡେ଼ ପଳାଇ ଯିବାର ଇଚ୍ଛାଟି ମଧ୍ୟ ତିଆରି କରେ ।

  • ହିଂସ୍ରତା ହିଂସ୍ରତା ହିଁ ଶିଖାଏ । ତେଣୁ ହିଂସ୍ର ଉପାୟଗୁଡ଼ିକ ଅସୁବିଧା ସମାଧାନ କରିବାର ଗ୍ରହଣୀୟ ବାଟ ବୋଲି ଶିଖାଏ ।

  • ସାମାଜିକ ଏକତ୍ୱ କ୍ଷେତ୍ରରେ ସମସ୍ୟା ଉତ୍ପନ୍ନ କରେ ।

  • ଏହା କ୍ଷମତାରେ ଥିବା ବ୍ୟକ୍ତିକୁ ସହଯୋଗ କରିବା ନୁହେଁ ଏହା ନିୟମକୁ ପାଳନ କରିବା ଅଥବା ଲଂଘନ କରିବା ଶିଖାଏ ।

  • ଦଣ୍ଡ ଦେଉଥିବା ବେଳେ ଅବସ୍ଥା ନିୟନ୍ତ୍ରଣ ବାହାରକୁ ଯାଇ ଅନେକ ସମୟରେ ଅଧିକ ଶାରୀରିକ କ୍ଷତି ମଧ୍ୟ ପହଞ୍ଚାଏ ।

 ସମାଜ ଉପରେ ଏହାର ପ୍ରଭାବ :

  • ସମାଜରେ ହିଂସ୍ରତାର ମାତ୍ରା ବଢ଼ାଏ ଏବଂ ପରବର୍ତ୍ତୀ ପିଢ଼ି ଦୃଷ୍ଟିରେ ଏହା ବୈଧ ମଧ୍ୟ ।

  • ଏହା ସମାଜ ଭିତରେ ଦୁଇଟି ପକ୍ଷ ତିଆରି କରେ । ଦୁଇ ପ୍ରକାର ନାଗରିକ (ପିଲା ଓ ବୟସ୍କ) ତିଆରି ହୁଅନ୍ତି । ପିଲାକୁ ଆକ୍ରମଣ କରିବା ଗ୍ରହଣୀୟ କିନ୍ତୁ ବଡ଼କୁ ନୁହେଁ ବୋଲି ବତାଏ ।

  • ପାରିବାରିକ ଗଠନ କ୍ଷଣଭଙ୍ଗୁର ହୁଏ ।

  • ଯେଉଁ ପରିବାରର ସଦସ୍ୟମାନଙ୍କ ଭିତରେ କୌଣସି ଆଦାନ ପ୍ରଦାନ ନଥାଏ, ସେହି ପରିବାର ଲାଞ୍ଛିତ ଓ ଆକ୍ରମଣକାରୀ ଭାବରେ ଭାଗ ଭାଗ ହୋଇଯାଏ ।

  • ଯେଉଁ ପରିବାରର ସମାଜ ସହ ଏକତ୍ୱ ନଥାଏ, ତାହାର ଗଣତନ୍ତ୍ର ଦ୍ୱାରା ସମର୍ଥନ କରାଯାଉଥିବା ଏକତ୍ୱ ସହ ମଧ୍ୟ ଦ୍ୱନ୍ଦ୍ୱ ରହେ ।

  • ପିଲାର ସୁରକ୍ଷାକୁ କଷ୍ଟକର କରାଏ । କାରଣ ଦଣ୍ଡର ଅଭ୍ୟାସକୁ ସହ୍ୟ କରିବା ଦ୍ୱାରା ପିଲା ସମାଜ ଏକ ସୁରକ୍ଷା ଦେଉଥିବା ପରିବେଶ ବୋଲି ବିଶ୍ୱାସ କରିପାରେନି ।

  • ଏହା କିଛି ଆଜ୍ଞାବହ ନାଗରିକ ଦିଏ ସମାଜକୁ; ଯେଉଁଠି ବ୍ୟକ୍ତି ଅଳ୍ପ ବୟସରୁ ଅନ୍ୟଦ୍ୱାରା ଲାଞ୍ଛିତ ହେବାଟା ପ୍ରାକୃତିକ ଅବସ୍ଥା ବୋଲି ଶିଖିଥାଏ ।

ଶିଶୁ ସୁରକ୍ଷା ଅଧିକାରରେ ମଧ୍ୟ କୁହାଯାଇଛି ଯେ :

Article 39(f) directs the state to work progressively to ensure that “ Children are given opportunities and facilities to develop in a healthy manner and in condition of freedom and dignity (ସ୍ୱାଧୀନତା ଓ ମର୍ଯ୍ୟାଦା) and that childhood and youth are protected against exploitation and against moral and material abandonment.”

ଆନ୍ତର୍ଜାତୀୟ ସ୍ତରରେ ଦଣ୍ଡ ଦେବାକୁ ମନାକରାଯାଉଛି । ଆମ ଆଇନ୍ ମଧ୍ୟ ସେଇ ଏକା କଥା କହୁଛି । ଏ ଦୁଇଜଣଙ୍କ ସହ ଆମ ଶିକ୍ଷାବିତ୍ ମାନଙ୍କ ମତ ମଧ୍ୟ ଜାଣିନେବା ।

ପ୍ରସିଦ୍ଧ ଶିକ୍ଷାବିତ୍ ଜନ୍ ହୋଲ୍ଟଙ୍କ ମତରେ :

ଗୋଟିଏ ପିଲା ଯାହାର ଜୀବନ ଦଣ୍ଡର ଧମକ ଓ ଭୟରେ ପରିପୂର୍ଣ୍ଣ ତାହାର ବାଲ୍ୟକାଳରେ ହିଁ ତାଲା ପଡ଼ିଯାଇଥାଏ । ତା ଲାଗି କୌଣସି ରାସ୍ତା ନଥାଏ ବଢ଼ିବାକୁ । ନିଜ ଜୀବନ ଓ କର୍ମର ଦାୟିତ୍ୱ ନେବା ସେ ଶିଖି ପାରେନି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି; ଆମେ କେବେ ବି ସ୍ଥିର କରି ନେବାନି ଯେ, ସେମାନଙ୍କଠୁ ଅଧିକ ଶକ୍ତିଶାଳୀ ବଡ଼ମାନଙ୍କ ସାମ୍ନାରେ ପ୍ରତିବାଦ ନକରିବାଟା ପିଲାର ଚରିତ୍ର ପାଇଁ ଠିକ୍ ବୋଲି । ଏହା କେବେ ଏବଂ କାହାରି ଚରିତ୍ର ଲାଗି ବି ଠିକ୍ ନୁହେଁ ।

ଜଣେ ବନ୍ଧୁ ତାଙ୍କ ଭାଷଣରେ କହିବାର ଶୁଣିଥିଲି ଯେ, ଜନ୍ମ ପରର ପହିଲି ବର୍ଷଗୁଡ଼ିକ ପିଲା ଲାଗି ଖୁବ୍ ଗୁରୁତ୍ୱପୂର୍ଣ୍ଣ । କାରଣ ସେ ଏହି ସମୟରେ ନିଜ ବିଷୟରେ ଓ ନିଜ ଚାରିପାଖର ପୃଥିବୀ ବିଷୟରେ ଶିଖେ । କିନ୍ତୁ ସେ ଯେତେବେଳେ ତିନି ବର୍ଷର ହୋଇଯାଏ ଅଭିଭାବକମାନେ ବହୁତ ଗୁଡ଼ିଏ ନିର୍ଦ୍ଦେଶ (ସେଟା କରନା, ସେଠିକି ଯା’ନା) ଦେଇ ତା ଭିତରେ ଭୟର ସୃଷ୍ଟି କରାନ୍ତି । କେତେବେଳେ ବାୟା ଆସି ନେଇଯିବ କହି ଡରାନ୍ତି ତ କେତେବେଳେ ପୁରସ୍କାର ଦିଅନ୍ତି ଚକୋଲେଟ୍ । ନିଜେ ଯେତେବେଳେ ଯାହା ଠିକ୍ ଭାବନ୍ତି ତାହା ହିଁ କରନ୍ତି । ଶିକ୍ଷକ ଓ ବାପା ମାଆମାନେ ଭିନ୍ନ ଭିନ୍ନ ଉପାୟରେ ତାଙ୍କ ଭିତରେ ଅନେକ ଭୟ ସୃଷ୍ଟି କରନ୍ତି । ଯେତେବେଳେ ପିଲା ନିୟମିତ ଭାବରେ କ’ଣ କରିବାକୁ ହେବ ଓ କ’ଣ ସବୁ ନକରିବ ଶୁଣିଚାଲେ ତାକୁ ମନେହୁଏ ଯେ, ସେ ପାଉଥିବା ଭଲପାଇବା ସର୍ତ୍ତମୂଳକ । ପିଲା ବାଧ୍ୟତାମୂଳକ ଭାବେ ଏମିତି ଏକ ସମାଜର ବ୍ୟବସ୍ଥା ସହ ଖାପ୍ଖୁଆଇ ଚଳେ ଯିଏ ତା’ର ବ୍ୟକ୍ତିତ୍ୱକୁ ଚିହ୍ନେନି  । ଏବଂ, ଏହି ବ୍ୟବସ୍ଥା ବିରୁଦ୍ଧରେ ଯିବାକୁ ମଧ୍ୟ ଡରେ କାଳେ ସମାଜ କ’ଣ କହିବ ବା ଦଣ୍ଡ ଦେବ ବୋଲି ଭାବି ।

ତେବେ ଆମେ କ’ଣ ଭାବୁଛନ୍ତି ଆମେ ଏମିତି ଢଙ୍ଗରେ ଏକ ସୁସ୍ଥ ସମାଜ ଗଢ଼ି ପାରିବା ବୋଲି ?