ଫଟୋ - ସୁମିତ୍ରା ପାଢୀ

ଦଣ୍ଡ ଦେବା ଦ୍ୱାରା କ'ଣ ଘଟେ ସେ ବିଷୟରେ ଅନେକ କଥା କୁହାସରିଛି । ମୁଁ ଖାଲି ସେ ସମ୍ପର୍କିତ କିଛି ସତସତିକା ଘଟଣା ଏଠି ଉଲ୍ଲେଖ କରୁଛି ।

୧. 'ଦଣ୍ଡ ପିଲାକୁ କ’ଣ ନକରିବାକୁ ହେବ ତାହା ହିଁ କେବଳ ଶିକ୍ଷା ଦିଏ, କ’ଣ କରିବାକୁ ହେବ ତାହା ନୁହେଁ ।'

ଜୀବନକୁ ଏବେ ସାତ ବର୍ଷ । ତା’ର ଖୁବ୍ ଡର ପିଲାଙ୍କ ମେଳକୁ, ରୋଗ ବୈରାଗକୁ ଓ ତା’ଠାରୁ ବୟସରେ ବଡ଼ ସବୁ ମଣିଷଙ୍କୁ । ରୋଗକୁ ଡର ବୋଲି ସେ ବର୍ଷାରେ ଓଦା ହୁଏନି, ମୁଣ୍ଡରେ ପାଣି ଢାଳି ଗାଧାଏନି, କଦଳୀ ଖାଏନି, ଖେଳେନି କି ସାଙ୍ଗମାନେ ବୁଲିବାକୁ ଗଲାବେଳ ନଈ, ପାହାଡ଼, ଝରଣା, ସମୁଦ୍ର କି ଜଙ୍ଗଲକୁ ଯାଏନି । ଏଇ ପାଣିରେ ଓଦା ହେବା ଲାଗି ତ ସେ କେତେ ମାଡ଼ ଗାଳି ଖାଇଛି ।

ପିଲାଙ୍କ ମେଳକୁ ଡରେ ବୋଲି ଏକୁଟିଆ ରହେ । ମୋବାଇଲ ଖେଳିବାକୁ ଜିଦ୍ କରେ । ଏକା ଏକା କ୍ୟାରମ୍ ଖେଳେ, ଏକୁଟିଆ ବସେ, ମନକୁ ମନ କଥା ହୋଇ ହସେ । କିନ୍ତୁ କାହା ସାଙ୍ଗରେ ମିଶେନି । ସାଙ୍ଗ ହୋଇ ସ୍କୁଲରେ ବା ଦାଣ୍ଡରେ ଖେଳୁଥିବାବେଳେ କେତେବେଳେ କାହା ସହ ପିଲାଳିଆ ଝଗଡ଼ା ଟିକେ ବା ମରାମରି ଅବା ବଲ୍ ଛଡ଼ାଛଡ଼ି ପାଇଁ ହୋଇଥିବା ମାଡ଼ର ଚିହ୍ନ ତା' ଦେହରୁ ଏ ଯାଏଁ ଯାଇନି ଯେ...!! ସ୍କୁଲରେ ଶିକ୍ଷକମାନଙ୍କର ଅଭିଯୋଗ, ବାପା ମାଆଙ୍କର ମାଡ଼ ଓ ଭୂତର ଭୟ ଦେଖାଇବା ସାଙ୍ଗକୁ ଘଣ୍ଟା ଘଣ୍ଟା ଧରି ମାଆ ତା’ର ରୁମରେ ବନ୍ଦ କରିବା କଥା ମନରୁ ଭୁଲି ପାରିନି ବୋଲି ବଡ଼ଙ୍କ ସହ ଆଜିଯାଏ କଥା ହୋଇପାରୁନି କି ସାଙ୍ଗ ହୋଇପାରୁନି ।

(ଖୁବ୍ ଭଲ କରି ତାକୁ କ’ଣ ନକରିବାକୁ ହେବ ସେ ଜାଣିଛି । ହେଲେ କ’ଣ କରିବାକୁ ଭଲ ଲାଗେ ବୋଲି ପଚାରିଲେ ପାଟି ତା’ର ଖନି ମାରିଯାଏ । ସାରା ଦିନ ଏକଲା ବସି ନିଜ ସହ କଥା ହେବାରେ ବିତିଯାଏ ।)

୨. ଦଣ୍ଡ ଶିଶୁକୁ ଶିଖାଏ ଯେ, “କ୍ଷମତାରେ ଥିବା ମଣିଷ ଚାହିଁଲେ ଅନ୍ୟକୁ ନିଜ ଅନୁସାରେ କାର୍ଯ୍ୟ କରିବାକୁ ବାଧ୍ୟ କରିପାରେ ।”

  • ସୁଦାମର ବାହାଘରର ଦୁଇ ମାସ ପୁରିନି ଏଯାଏ । ପିଲାବେଳେ ହଷ୍ଟେଲରେ ଶୃଙ୍ଖଳାରେ ରହି, ଭୋର୍ ରୁ ଉଠିବା ଓ ସକାଳ ଜଳଖିଆ(ଚୁଡ଼ା) ଖାଇବା ପାଇଁ ମାଡ଼ ଖାଇ ସେ ଏମିତି ଅଭ୍ୟାସରେ ପଡ଼ିଯାଇଛି ଯେ, ସେସବୁ ତା’ର ଅସ୍ଥି ମଜ୍ଜାଗତ ହୋଇଯାଇଛି । କିନ୍ତୁ ନୂଆ ବାହା ହୋଇ ଆସିଥିବା ସ୍ତ୍ରୀ ତା’ର ଦିନ ୧୦ରେ ଉଠେ । ଜଳଖିଆ କରେ ଦିନ ୧୨ରେ, ସେ ପୁଣି ଚାଇନିଜ୍ ନହେଲେ ଇଟାଲିୟାନ୍ । ନିଜର ଶୃଙ୍ଖଳାକୁ ତା’ ଉପରେ ଲଦିବାକୁ ଯାଇ ସୁଦାମ ଦିନକୁ ଦିନ ତା’ର ସ୍ତ୍ରୀକୁ ଏତେ ବାଧ୍ୟ କଲା ଯେ ସେ ଯାଇ ବାପଘରେ । ଆଉ ଆସିବାକୁ ରାଜି ନୁହେଁ । ବାଧ୍ୟତାରୁ ସମ୍ପର୍କ ବନ୍ଦ ହେବାକୁ ଯାଉଛି ।

(ଘରମାନଙ୍କରେ ସ୍ୱାମୀ ବିରକ୍ତ ହେଲେ ସ୍ତ୍ରୀ ଉପରେ ରାଗି ଫିଙ୍ଗା ଫୋପଡ଼ା କରେ ତ ସ୍ତ୍ରୀ ନିଜର ପିଲାକୁ ଖେଳରୁ କି ପଡ଼ିଶା ଘରୁ ବାହା ଧରି ଘୋଷାରି ଆଣି ଧସଧାସ୍ କରି ବସାଇଦିଏ । ସ୍କୁଲରେ ଶିକ୍ଷକ ବଡ଼ପିଲାମାନଙ୍କୁ ମାରନ୍ତି ତ ସେମାନେ ସାନପିଲାମାନଙ୍କୁ ସୁଯୋଗ ପାଇଲେ ମାରିବାକୁ ଭୁଲନ୍ତିନି ।

କ୍ଷମତାକୁ ସମସ୍ତେ ବ୍ୟବହାର କରି ଦେଖାଇ ଦିଅନ୍ତି, କି କ୍ଷମତା ନିଜଠାରେ ଅଛି କି ନାହିଁ ପରଖି ଟିକେ ଖୁସି ହୋଇ ଯାଆନ୍ତି କେଜାଣି...!)

୩. 'ଏହା ଦଣ୍ଡ ଦେଉଥିବା ମଣିଷ ଓ ଦଣ୍ଡ ପାଇଥିବା ଅବସ୍ଥା ଉଭୟଠାରୁ ନିଜକୁ ଦୂରେଇ ରଖିବା ବା ଏଡେ଼ଇ ଯିବା ଶିଖାଏ।' 

ସୀମା ଜୀବନରେ ଦୈବ ସଂଯୋଗ ଖୁବ୍ ବେଶୀ, ଶୀତ ସକାଳେ ଭୋର୍ ରୁ ଉଠି ଦିନେ ଦିନେ ଗାଧୋଇବାକୁ ତାକୁ ଇଚ୍ଛା ହୁଏନି । ଠିକ୍ ଯେଉଁଦିନ ସେ ଗାଧୋଇନଥାଏ ସେଇ ଦିନ ହିଁ ଶିକ୍ଷକଙ୍କ ଆଖିରେ ପଡେ଼ ଓ ମାଡ଼ ଖାଏ । କେବେ କେବେ ଲୁଚି ଲୁଚି ଖେଳ ସମୟ ପରେ ସାଙ୍ଗମାନଙ୍କ ସହ ତେନ୍ତୁଳି ଦଳି ଖାଉଥାଏ ତ କେବେ ଶ୍ରେଣୀରେ ତଳକୁ ମୁହଁ କରି ଲେଖିବା ବାହାନା କରି ଢୁଳାଉଥାଏ । ଏବଂ, ସେଇଥରକ ହିଁ ତା’ର ଭୁଲ୍ ଆଖିରେ ପଡେ଼ ଓ ସେ ମାଡ଼ ଖାଏ; କେବେ ବାପାମାଆଙ୍କଠାରୁ ଅବା କେବେ ଶିକ୍ଷକଙ୍କଠାରୁ । ତେଣୁ ଏବେ ବଡ଼ ହେବା ପରେ ବି ସେ ବାପା ସାମ୍ନାକୁ ଯାଏନି । ସବୁ କଥା ବାପାକୁ ଲୁଚାଇ କରେ । ଭାଇକୁ ବି ଲୁଚାଏ, ମିଛ କହେ ।

(ସୀମା ସବୁବେଳେ ଅସୁବିଧାଗୁଡ଼ିକୁ ଏଡେ଼ଇ ଯିବାକୁ ଚେଷ୍ଟା କରେ । ସେ ତା’ର ସ୍ୱାମୀ ସହ ସମ୍ପର୍କ ହେଉ ବା ଭାଇ ସହ ମନାନ୍ତର । ଦଣ୍ଡର ଭୟରେ କ’ଣ ଗୋଟେ ମିଛ-ସତ (ନରେ ବା ଗୁଞ୍ଜରେ ଅଶ୍ୱତ୍ଥାମା ହତ’ ପରି କଥା) କହି ସେହି ମୁହୂର୍ତ୍ତଟିକୁ ଡେଇଁପଡେ଼ । ତେଣୁ ସେ ଏବେ ପକ୍କା ମିଛେଇ । ଯେଉଁମାନେ ବଡ଼ ହେବା ପରେ ତା' ଠାରୁ ସବୁ କଥା ଶୁଣି ତାକୁ ବାଟଟିଏ ଦେଖାଇ ପାରିଥା’ନ୍ତେ ତାଙ୍କଠାରୁ ବି ଦୂରରେ ।)

୪. 'ପିଲା ବଡ଼ମାନଙ୍କୁ ଦଣ୍ଡ ଦ୍ୱାରା ସମସ୍ୟାକୁ ସମାଧାନ କରୁଥିବାର ଦେଖି, ନିଜର ଅସୁବିଧାଗୁଡ଼ିକୁ ମଧ୍ୟ ଦଣ୍ଡ ଦେଇ ବା ଡରାଇ ସମାଧାନ କରେ ।'

ବିଜନ୍ ଏବେ ସ୍କୁଲ ସାରି କଲେଜ ଗଲାଣି, ହେଲେ ପିଲାଦିନେ ବଡ଼ମାନଙ୍କଠୁ ଶାସନ କରିବାର ଯେଉଁ କୌଶଳଟି ଶିଖିଥିଲା ସେଇଟିକୁ ଛାଡ଼ି ପାରିିନି। ନିଜର ଜୁନିଅର କି ସାଙ୍ଗମାନଙ୍କ ଦ୍ୱାରା କିଛି ଅସୁବିଧାରେ ପଡ଼ିଲେ ବା ଚାହୁଁଥିବା ଜିନିଷ ନ ପାଇଲେ ସେ ସେମାନଙ୍କୁ ରୁମ୍ ବାହାରୁ କବାଟ କିଳିଦିଏ, ନହେଲେ ରାତିଅଧରେ ବିଛଣାରେ ପାଣି ଢାଳିଦିଏ ଅବା ଜିନିଷପତ୍ର ଲୁଚାଇଦିଏ । ଏମିତି ଯାବତୀୟ ଦଣ୍ଡବିଧାନ କରିବାର ଡୋରଟି ନିଜ ହାତରେ ରଖି ସେ ଖୁସି ହୁଏ ।

୫. 'ଶିଶୁଟି ନକରାତ୍ମକ ଆତ୍ମ-ମୂଲ୍ୟାୟନ ଭିତରେ ବଞ୍ଚିରହେ । ହାରିବାର ଭୟରେ କୌଣସି କାର୍ଯ୍ୟ ହାତକୁ ନେବାକୁ ଡରେ, ନହେଲେ ନିଜକୁ ଏମିତି କାର୍ଯ୍ୟରେ ବୁଡ଼ାଇ ରଖେ ଯଦ୍ୱାରା ସମସ୍ତେ ତାହାର ନକରାତ୍ମକ ମୂଲ୍ୟାୟନ କରିବେ ।'

  • ମନୋଜ କେବେ ବି କାହାକୁ କ୍ଷତି ପହଞ୍ଚାଏନି କିନ୍ତୁ ନିଜର କ୍ଷତି କରିବାକୁ ବି ପଛାଏନି । ଏ ଭିତରେ ସେ ନିଜକୁ ଖରାପ ବୋଲି ପ୍ରମାଣିତ କରି ସାରିଲାଣି ନିଜ ଆଗରେ ଓ ସମସ୍ତଙ୍କ ଆଗରେ । ପଞ୍ଚାଅଶୀ ପ୍ରତିଶତ ମାର୍କ ରଖୁଥିବା ମନୋଜ ଲାଗି ଆହୁରି ଅଧିକ ନମ୍ବର ରଖିବା ଲାଗି ଟ୍ୟୁସନ୍ ଓ ଅନ୍ୟାନ୍ୟ କଟକଣା ସବୁ ଭର୍ତ୍ତି ହୋଇଥିଲା । ତଥାପି ଏଥର ଯୁକ୍ତ ଦୁଇ ପରୀକ୍ଷା ହଲକୁ ଯାଇ ବି ଖାତାରେ କିଛି ନଲେଖି ସେ ଫେରି ଆସିଲା । ସାଙ୍ଗମାନଙ୍କ ସହ କଥା ହେଲେ କି ମିଶିଲେ ପଢ଼ାରୁ ଧ୍ୟାନ କମିଯିବ ବୋଲି ଭାବି ବାପା, ମାଆ ତାକୁ କାହା ସହ କଥା ହେବାକୁ ଦିଅନ୍ତିନି । ତେଣୁ, ଏବେ କଲେଜ୍ ପଢ଼ିବା ପରେ କେବେ ବି ଝିଅଙ୍କୁ ଚାହୁଁ ନଥିବା ମନୋଜ ଝିଅଙ୍କୁ ଘରକୁ ଆଣି ଆସିଲା । କିଛିଦିନ ପରେ ସାଙ୍ଗସାଥୀ ସବୁ ଛାଡ଼ି ଘର ଭିତରୁ କବାଟ ବନ୍ଦ କରି ନିଜକୁ ଅନେକ ଦିନ ଅଟକ୍ ରଖି ନିଜ ହାତଗୋଡ଼କୁ କାଟି ଚାଲିଲା ଟିକେ ଟିକେ କରି । ଏବେ ରଜା ପୁଅ ପରି ତୋଫା ଗୋରା ରଙ୍ଗ ଦେହରେ ତା’ର କଳା କଳା କଟା ଦାଗ । ସେ ଏବେ ପାଗଳ । ଦଶମରେ ବୟାନବେ ପ୍ରତିଶତ ରଖିଥିବା, ସୁନ୍ଦର ଗୋଲ୍ ଗୋଲ୍ ଅକ୍ଷର ଲେଖୁଥିବା, ଭଲ ଇଂରାଜୀ କହୁଥିବା, ଗପ, ଗୀତ ଲେଖୁଥିବା ଓ ଭାଷଣ ଦେଉଥିବା ଆଦି ସବୁ ଗୁଣରେ ପରିପୂର୍ଣ୍ଣ ଥିବା ମନୋଜ ଏବେ ପାଗଳ । କାହାରିକୁ ଚିହ୍ନି ପାରୁନି ବି । ମୁଁ ଏବେ ତାକୁ ଭେଟିଥିଲି ବାର ବର୍ଷ ପରେ । ତାକୁ ଏବେ ସିଜୋଫ୍ରେନିଆ ରୋଗୀ ବୋଲି ଡାକ୍ତର କହୁଛନ୍ତି । ବାସ୍ ବାପାମାଆ ଖୁସି, ସମାଜ ବି ଖୁସି ଓ ଆମେ ଦଣ୍ଡ ଦେଇ ପିଲାଙ୍କୁ ଭଲ ପାଠ ପଢ଼ାଉଥିବା ଓ ଦଣ୍ଡ ଦେଉଥିବା ସମସ୍ତେ ବି ଏ ସମ୍ବାଦ ପାଇ ନିଶ୍ଚିତ ଖୁବ୍ ଖୁସି...???

ଏଗୁଡ଼ିକ ଅଳ୍ପ କେତୋଟି ଘଟଣା ତଥ୍ୟଗୁଡ଼ିକୁ ବୁଝିବା ଲାଗି । ମୋର ମନେହୁଏ, ଏମିତି ଅନ୍ତର୍ଘାତୀ କାର୍ଯ୍ୟ କେବଳ ଆମେ ପିଲାର ଅତିରିକ୍ତ ଭଲ ଚାହୁଁଛନ୍ତି ବୋଲି କରୁଥିବା ନିଶ୍ଚୟ..! ଏ ଜ୍ୱଳନ୍ତ ଉଦାହରଣଗୁଡ଼ିକ ଦେଖି ସାରିବା ପରେ ଆମ ପିଲାର ଭବିଷ୍ୟତଟା ଆମ ଆଖି ଆଗରେ ଜକଜକ୍ ହୋଇ ଦିଶୁଥିବ ନିଶ୍ଚୟ ...! ଏଥର ଆମେ ଶାନ୍ତିରେ ନିଶ୍ୱାସ ନେଇ ଅଧିକ ବଳ ସହ ପିଲାଙ୍କୁ ଦଣ୍ଡ ଦେଇ ଆମ ଇଚ୍ଛାଗୁଡ଼ିକୁ ମନେଇ ଦେବାର କାମଗୁଡ଼ିକ ସହଜରେ କରିପାରିବା ନିଶ୍ଚୟ...!

ମୋ କହିବା କଥା, କ’ଣ କରିପାରିବା ଭାବିବା ପୂର୍ବରୁ ଆମେ ଏଯାଏଁ କ’ଣ କରୁଛନ୍ତି ତାକୁ ଟିକେ ଭଲ ଭାବରେ ବୁଝିବା । ସେ ବିଷୟରେ ଟିକେ ପଢ଼ିବା ଓ ଜାଣିବା । ଆନ୍ତର୍ଜାତୀୟ ସ୍ତରରେ ଯେଉଁ ବିଭିନ୍ନ ସଚେତନତା ଅଭିଯାନ ହେଉଛି ଦଣ୍ଡ ନଦେବା ବିଷୟରେ, ସେ ବିଷୟରେ ବି ଜାଣିବା।