ଫଟୋ-ୱିକି କମନ୍ସ

କିଛି ବର୍ଷ ତଳେ ନୂଆ ଶିକ୍ଷାବର୍ଷ ଆରମ୍ଭରେ ଗୋଟିଏ ବିଦ୍ୟାଳୟର ମାତୃ ସମ୍ମିଳନୀକୁ ମୋତେ ଡକାଯାଇଥାଏ । ଉଦ୍ଦେଶ୍ୟ ଅଭିଭାବକମାନଙ୍କ ସହ ଟିକେ ପିଲାମାନଙ୍କ ବିଷୟରେ କଥା ହେବା ଓ ଆତ୍ମ ନିର୍ଦ୍ଦେଶିତ ଶିକ୍ଷାର ପ୍ରୟୋଗ ନିମନ୍ତେ ସେମାନଙ୍କୁ ସମ୍ମତ କରାଇବା ।

ଏହି ଅବସରରେ ମୁଁ ‘ପିଲାମାନଙ୍କର ଯେ ଏକ ନିଜସ୍ୱ ଆଗ୍ରହ ଓ ସାମର୍ଥ୍ୟ ରହିଛି ଏବଂ ତାହାକୁ ଆବିଷ୍କାର କରିବା ସହ ପିଲାକୁ ଜାଣିବା ହିଁ ଆମର ପିଲାଲାଗି ସର୍ବଶ୍ରେଷ୍ଠଓ ମୁଖ୍ୟ କାମ ବୋଲି’ ଆଲୋଚନା କରିବାକୁ ଚାହୁଁଥିଲି । ତେଣୁ ଆରମ୍ଭ କଲି ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କର କ’ଣ ଆଗ୍ରହ ବା ଇଚ୍ଛା ଅଛି ସେଇ କଥାଟି ପଚାରିବାରୁ । ଉତ୍ତର ଥିଲା ଆମର ଗୋଟେ ଇଚ୍ଛା ଆଉ କ’ଣ... ପିଲାର ଉନ୍ନତି ହେଉ । ସ୍ୱାମୀର ରୋଜଗାର ଭଲ ହେଉ, ଅଭାବ ନରହୁ । ସମସ୍ତେ ଖୁସିରେ ରୁହନ୍ତୁ । ପିଲା ଭଲ ପଢ଼ି ଚାକିରି ବାକିରି କରି ଖୁସିରେ ରହୁ । ସ୍ୱାମୀ, ପିଲାଙ୍କ ଉପରେ କିଛି ବିପଦ ନଆସୁ । ଏଇତ ଆଉ....

ଏମିତି ଉତ୍ତର ଶୁଣି ‘ଏସବୁ କଥା ଘଟୁ ଯେ, କିନ୍ତୁ ଏସବୁ ଭିତରେ ତୁମେ କେଉଁଠି ? ତୁମର ଇଚ୍ଛା କେଉଁଠି ବୋଲି ମୁଁ ପୁଣିଥରେ ପଚାରିବାରୁ କହିଲେ, ‘ଆମର ଆଉ କ’ଣ? ସେମାନେ ଭଲରେ ରହିଲେ ହେଲା ।’ ଅନନ୍ୟୋପାୟ ହୋଇ ତାଙ୍କ ନିଜ ସହ ଟିକେ ନିଜକୁ ଭେଟ କରେଇବାକୁ ପୁଣି ଥରେ ଚେଷ୍ଟାକଲି । କହିଲି, ‘ଏଇ ସବିତା ବୋଲି ଯେଉଁ ମଣିଷଟି ମୋ ସାମ୍ନାରେ ବସିଛି ସିଏ କ’ଣ ଚାହେଁ ? କ’ଣ କରିବାକୁ ତାକୁ ଭଲ ଲାଗେ ? କ’ଣ ସବୁ କରିବାକୁ ତା’ର ଇଚ୍ଛା ହେଉଥିଲା ପିଲାବେଳେ ? କେଉଁ କାମଟି ଘରୁ ଲୁଚି ଲୁଚି ଯାଇ ସେ ଶିଖୁଥିଲା ନହେଲେ କବାଟ ବନ୍ଦ କରି ଅଭ୍ୟାସ କରୁଥିଲା ?’ ଏତିକି ବୁଝେଇ କହିବା ପରେ ଯାଇ କେତେଜଣ ନାଚ, ଗୀତ, ଗପ ବହି ପଢ଼ା, କବିତା ଲେଖା, କବାଡ଼ି ଖେଳିବା ଇତ୍ୟାଦି ବିଷୟରେ ଉତ୍ତର ଦେଲେ ।

ଆଲୋଚନାର ମୋଡ଼ ଏଥର ବଦଳିବାରୁ ମୁଁ ଟିକେ ଆଶ୍ୱସ୍ତ ହେଲି । ଚାଳିଶ, ପଚାଶ ବର୍ଷ ବୟସର ହେବା ପରେ ହେଉ ପଛେ ଏମାନେ ଏବେ ଅନ୍ତତଃ ନିଜ ଆଗ୍ରହକୁ ମନେ ପକାଇବାର ଅବସର ଟିକକ ପାଇଲେ ତ । କିନ୍ତୁ ଏଇ ସୁଯୋଗଟି ମିଳିବା ବେଳକୁ ସେମାନେ ଭୁଲି ସାରିଥିଲେ ନିଜ ନାଁ, ଭୁଲି ସାରିଥିଲେ ତାଙ୍କର ବି କିଛି ଇଚ୍ଛା ଥାଇପାରେ ବା ସେ ନିଜେ ଜଣେ ସ୍ୱତନ୍ତ୍ର ମଣିଷ ବୋଲି । ପିଲାବେଳେ ବି ସାଇପଡ଼ିଶାର ଲୋକେ ଏ ଦାସ ଘର ଝିଅ ନହେଲେ ମଦନା ଝିଅ ନାଆଁରେ ଡାକୁଥିଲେ । ବିଦ୍ୟାଳୟରେ ଶିକ୍ଷକ ଡାକୁଥିଲେ କେବଳ ‘ଦାସ’,‘ବେହେରା’ ନହେଲେ ‘ମହାପାତ୍ର’ ନାଆଁରେ । ବାହାଘର ପରେ ମଦନା ସ୍ତ୍ରୀ, ଧନୀଆ ବୋହୁ, ପଲେଇ ଘର ଝିଅ ଏମିତି ଅନେକ ନାଁ । ଆଉ ପିଲାହେବା ପରେ ସୁରିଆ ମା, ଜିତୁ ବୋଉ ବା ଆଉ କିଛି । ଏମିତି ଅନେକ ବର୍ଷ ବିତିବା ଭିତରେ ସତରେ ସେ ଜଣେ ବ୍ୟକ୍ତି ବୋଲି ଭୁଲିଯାଇଥାଏ ମଣିଷଟି । ଆଜି ବି ଏଇ ଅଭ୍ୟାସର ପୁନରାବୃତ୍ତି ଚାଲିଛି ପ୍ରତି ଘରେ, ପ୍ରତି ଗାଁ ଗଣ୍ଡାରେ । ମଣିଷର ବ୍ୟକ୍ତିତ୍ୱକୁ ମାରିଦେଇ ଅନ୍ୟ କାହା ଇଚ୍ଛାପୂର୍ତ୍ତିର ସାଧନ କରି ରଖିଦିଆଯାଉଛି ।

ଆଲୋଚନା ସରଗରମ ଧରିବା ପରେ କଥାଟିର ମଞ୍ଜଟିକୁ ବୁଝିବା ଲାଗି ମୋଡ଼ ବଦଳାଇଲି । ଭିଜୁଆଲ୍ କଲଚର୍ ଛଡ଼ା କିଏ ବା ଆଉ ଆମ ବୋଧଗମ୍ୟତାକୁ ଏତେ ବେଶୀ ସରଳ, ମାର୍ଜିତ କରିପାରିବ ? ସେ ଚିତ୍ର ହେଉ ବା ଅଭିନୟ, ଭିଜୁଆଲ୍ କଲଚର୍ ବୁଝାମଣାରେ ଥିବା ଜଟିଳ ଗଣ୍ଠିଗୁଡ଼ିକୁ ଧୀରେ ଧୀରେ ଭଲକରି ଖୋଲିପକାଏ । ସେଦିନ ବି ସେଠି ଠିକ୍ ସେଇଆ ହେଲା । ନିଜ କଥା କହିବାକୁ ଗୋଟିଏ ମାଧ୍ୟମ ବାଛିବାକୁ କହିଲାରୁ ସବୁ ମାଆମାନେ ଚିତ୍ର ବୋଲି କହିଲେ । ମୁଁ ତେଣୁ ରଙ୍ଗ, ତୂଳୀ, କାଗଜ ତାଙ୍କରି ପିଲାଙ୍କ ହାତରେ ଧରେଇ ପଠେଇଦେଲି ସେମାନଙ୍କ ପାଖକୁ ।

କଥା ଥିଲା ଚିତ୍ରରେ ସେମାନେ ନିଜ କଥା କହିବେ; କ’ଣ ଚାହୁଁଛନ୍ତି, କ’ଣ ଭଲ ଲାଗେ, କ’ଣ ସବୁ ଭଲରେ କରିଆସେ ଇତ୍ୟାଦି । କିନ୍ତୁ ସର୍ତ୍ତ ଥିଲା ‘ମାଆ ନିଜ କଥା କହିବା ବେଳେ ଚିତ୍ର ଆଙ୍କିବ ପିଲା, ଆଉ ପିଲା ନିଜ ଇଚ୍ଛା କହିବା ବେଳେ ଚିତ୍ର ଆଙ୍କିବ ମାଆ । କେହି କାହା କଥାରେ ନିଜ କଥା କି ଇଚ୍ଛା ଯୋଡ଼ିଦେଇ ଆଙ୍କିବେନି ଚିତ୍ର । ଇଚ୍ଛାର ଅଦଳବଦଳ ହେବନି । ପରସ୍ପରକୁ ବୁଝିବାକୁ ହେବ, ପରସ୍ପରର ଇଚ୍ଛାକୁ ସମ୍ମାନ ଦେବାକୁ ହେବ ।’ ସମୟ ହାତରେ ଥିଲା ମାତ୍ର ଘଣ୍ଟାଏ । କିନ୍ତୁ ମାଆ-ପିଲା ମିଶିଗଲା ପରେ ଆହୁରି ଘଣ୍ଟାଏ ବଢ଼ିଗଲା । ବଡ଼ ସାଇଜ୍ ର ଡ୍ରଇଂ ସିଟ୍ ସବୁ ଭରିଗଲେ କେତେ ନା କେତେ କଥାରେ । ମଝିରେ ମଝିରେ ମୋତେ ପ୍ରଶ୍ନ ପଚରା ଚାଲୁଥାଏ । ଯେଉଁମାନେ ବୁଝିପାରୁନଥାନ୍ତି ସେମାନଙ୍କୁ ମୁଁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ତାଙ୍କ ଭିତରେ ଥିବା ଦ୍ୱନ୍ଦକୁ ସ୍ପଷ୍ଟ କରୁଥାଏ । ଶେଷବେଳକୁ ଚିତ୍ରସବୁକୁ ସମସ୍ତଙ୍କ ସାମ୍ନାରେ ଉପସ୍ଥାପନା କରିବାକୁ ମାଆମାନେ ଲାଜ କରିବେ ବୋଲି ପିଲାମାନଙ୍କୁ ମୁଁ ଖେଳିବାକୁ ପଠେଇ ଦେଇଥାଏ । ତେଣୁ ଅସହଜ ଭାବ ଟିକେ କଟିଯାଇଥାଏ ସେମାନଙ୍କର । ଜଣ ଜଣ କରି ନିଜେ ଆଙ୍କିଥିବା ତାଙ୍କ ପିଲାର ଚିତ୍ରକୁ ଏଥର ଅନ୍ୟମାନଙ୍କ ଆଗରେ ବୁଝାଇଲେ ସେମାନେ । ବୁଝାଇବା ଭିତରେ ନିଜ ପିଲାଠାରୁ ଚାହୁଁଥିବା ଅନେକ ଆଶା-ସ୍ୱପ୍ନର ପରସ୍ତ ଖୋଲି ଖୋଲି ଯାଉଥାଏ । ନିଜ ଜୀବନର ଇଚ୍ଛାମାନଙ୍କୁ ବି ଚିହ୍ନି ହେଉଥାଏ, ବୁଝି ହେଉଥାଏ ।

ସୂର୍ଯ୍ୟାସ୍ତ ହେବା ଆଗରୁ ସମସ୍ତେ ବାଟ କାଟିଲେ ଆପଣା ଆପଣା ଘର ଆଡେ଼ । ଯେଉଁମାନଙ୍କୁ ଦୂର ବାଟ ଯିବାର ଥାଏ ସେମାନେ ବସ୍ ସମୟ ଅନୁସାରେ ଚାଲିଯାଇଥାନ୍ତି । ଯେଉଁ ଅଳ୍ପ କେଇଜଣ ଥାଆନ୍ତି ମୁଁ ସେମାନଙ୍କୁ ବାଟେଇ ଦେଉଥାଏ । କାହା କାହାର ବ୍ୟକ୍ତିଗତ ପ୍ରଶ୍ନମାନଙ୍କର ଉତ୍ତର ଦେଉଥାଏ ତ ଆଉ କେହି କେହି ଘରେ ଯାଇ ନିଜ ନିଜର ସ୍ୱାମୀମାନଙ୍କୁ ପିଲାର ଇଚ୍ଛାକୁ ସମ୍ମାନ ଦେବାକୁ କେମିତି ମନେଇବେ ସେ ବିଷୟରେ ଆଲୋଚନା କରୁଥାଏ । ଅନେକ ବେଳୁ ଶୁଭଙ୍କର ର ମାଆ ସୁହାସିନୀ ଯେ ଘରକୁ ନଯାଇ କେବଳ ମୋ ସହ କଥା ହେବାକୁ ଅପେକ୍ଷା କରିଛନ୍ତି ମୋର ଆଉ ସେଆଡେ଼ ନଜର ନଥାଏ । ତାଙ୍କ ଘର ଖୁବ୍ ଦୂର ମୁଁ ଜାଣେ । ତେଣୁ ସେ ନିଶ୍ଚୟ ଚାଲିଯାଇଥିବେ ବୋଲି ମୁଁ ଭାବିଥାଏ । ଗାଡ଼ିରୁ ଓହ୍ଲେଇବା ପରେ ତାଙ୍କୁ ପ୍ରାୟ ୭ କି.ମି ପାଦରେ ଯିବାକୁ ହୁଏ ଘର ଯାଏ ବିଲ ରାସ୍ତା ଦେଇ । ତଥାପି ସେଦିନ ସେ ଅପେକ୍ଷା କରି ରହିଥିଲେ । ସମସ୍ତେ ଗଲାପରେ ସେ ଆସି ଠିଆ ହେଲେ ମୋ ପାଖରେ । ଅନେକ କଥା କହିବାର ଥିଲା ତାଙ୍କର ସେଦିନ । କହିଲେ, “ଗତ ୨୦ବର୍ଷ ଧରି ମୁଁ ବଞ୍ଚିଛି ବୋଲି ଭୁଲି ଯାଇଥିଲି । ଦଲକାଏ ଥଣ୍ଡା ପବନ ଯେମିତି ଆଜି ମୋ ଭିତରକୁ ପଶିଯାଇ ଜୀବନ ଦାନ ଦେଲା ମୋତେ ସେମିତି ଲାଗିଲା । ପୁଅକୁ ଜୋର ଜବରଦସ୍ତ କରି ମୁଁ ସିନା କେବେ କହେନି, ମୋତେ କିନ୍ତୁ ସବୁବେଳେ ସମସ୍ତଙ୍କ ଇଚ୍ଛାନୁସାରେ ଚାଲିବାକୁ ହୋଇଛି । ଏମିତିକି ଘର କାମ ସାରିବା ପରେ ବି ମୁଁ ନିଜ ଇଚ୍ଛାରେ ଘଡ଼ିଏ ସମୟ ବିତେଇ ପାରେନି । ଚିତ୍ର ଆଙ୍କିବାରେ ମୋର ପିଲାଦିନଠୁଁ ବଡ଼ ସଉକ ସମସ୍ତେ ଜାଣନ୍ତି, ହେଲେ ସେତକ କରିବାକୁ ବି ମୋତେ କେହି କେବେ ଦେଲେନି । ବାପା ମାଆ ପିଲାବେଳେ ତରତର ହୋଇ ୧୬ ବର୍ଷରେ ବାହା କରେଇଦେଲେ । ଶ୍ୱଶୁର ଘରକୁ ଆସି ଚିତ୍ର ଆଙ୍କିବା କଥା ଛାଡ଼ନ୍ତୁ, ଦିନା କେତେ କାମ ଦାମ ସାରି ମନ ହାଲକା କରିବାକୁ ଦିନଲିପି ଲେଖୁଥିଲି ଯେ, ଯାଆ ମୋର ଆସି ଲୁଚେଇ ଚୋରେଇ ପଢ଼ି ମୋତେ ଦେଖେଇ ଶୁଣେଇ କେତେ କ’ଣ କଥା କହିଲେ । ସେବେଠୁ ଲେଖିବା ବି ଛାଡ଼ି ଦେଇଥିଲି । ଅମୁହାଁ ଲାଗୁଥିଲା ସେଇଦିନଠୁ । କ’ଣ କରିବି ବୁଝିପାରୁନଥିଲି । ଆଜି ଟିକେ ହାଲକା ଲାଗିଲା । ଚିତ୍ରରେ ବି ନିଜ କଥା କହିହେବାର ବାଟ ଆଜି ଆପଣଙ୍କଠୁ ଶିଖିଲି । ଆପଣଙ୍କର ଏ ଋଣ ମୁଁ କେବେବି ଭୁଲିବିନି କି ଆଜି ନିଜ କଥାକୁ ବ୍ୟକ୍ତ କରିବା ପରେ ନିଜକୁ ଯେଉଁ ଶାନ୍ତି ମିଳିଛି ତାକୁ ବି କୌଣସିମତେ ଆଉ ହରେଇବିନି । ପୁଅ ଯାହା ଚାହୁଁଛି ତାକୁ ତାହା କରିବାକୁ ଦିଅନ୍ତୁ । ଆମର କିଛି ଅସୁବିଧା ନାହିଁ । ମୁଁ କି ତା ବାପା ସେଥିରେ କେବେବି ହସ୍ତକ୍ଷେପ କରିବୁନି ।” ତାଙ୍କଠୁ ଏତକ ଶୁଣି ମୋ ଶ୍ରମ ସାର୍ଥକ ହେଲା ବୋଲି ମନେହେଲା ।

ଯେଉଁମାନେ ପୃଥିବୀର କେତେନା କେତେ ସଫଳ ପ୍ରୟୋଗ ବିଷୟରେ ଜାଣିନାହାଁନ୍ତି, ସେମାନେ ବା କେମିତି ଗତାନୁଗତିକ କଥା ବ୍ୟତୀତ ଅନ୍ୟ କଥାକୁ ଗ୍ରହଣ କରିନେବେ ? ତେଣୁ ଅସୁବିଧା ପ୍ରକୃତରେ ସେମାନଙ୍କ ପାଖରେ ନୁହେଁ, ଅସୁବିଧା ରହିଛି ଆମ ପାଖରେ; ଯେଉଁମାନେ ନୂଆ କିଛି କରିବାକୁ ଚାହୁଁଛନ୍ତି କିନ୍ତୁ ଯିଏ ଏହାର ପ୍ରକୃତ ହିତାଧିକାରୀ ସେମାନଙ୍କ ପାଖରେ ପହଞ୍ଚି ପାରୁନାହାଁନ୍ତି, ସେମାନଙ୍କୁ ଅସଲ କଥାଟି ବୁଝାଉ ନାହାଁନ୍ତି । ଯେଉଁ ଦରଜାଟି ଆମ ସମାଜ ଲାଗିପଡ଼ି ତାଙ୍କ ଆଗରେ ବନ୍ଦ କରିଦେଇଛି ତାକୁ ଖୋଲିଦେଇ ପାରୁନାହାଁନ୍ତି । ଯେଉଁ ବିକଳ୍ପ ପ୍ରୟାସ ଗୁଡ଼ିକ ବାପାମାଆମାନେ ରାଜି ହେବେନି କହି ଶିକ୍ଷାନିଅନ୍ତା, କାର୍ଯ୍ୟକର୍ତ୍ତା ଓ ଶିକ୍ଷକମାନେ ଗତ କେଇ ଦଶନ୍ଧି ଧରି ଦୋଷ ଗଡେ଼ଇ ଦେଉଛନ୍ତି ଅଭିଭାବକମାନଙ୍କ ଉପରେ, ସେମାନେ ହିଁ ପ୍ରକୃତରେ କେବେ ନୂଆ କିଛି କରିବାକୁ ଚାହିଁନାହାଁନ୍ତି । ଅସଲରେ ଭାଷଣରେ ନୂଆ ନୂଆ କଥା କହି ଲୋକଙ୍କୁ ଆକର୍ଷିତ କରିବା ହିଁ ସେମାନଙ୍କ ଲକ୍ଷ୍ୟ । କିନ୍ତୁ କଥାଟିକୁ ସତକୁ ସତ ପ୍ରୟୋଗ କଲେ ପରିଶ୍ରମ ତ ଅଧିକ ପଡ଼ିବ, ତାପରେ ଏପଟେ ଶିକ୍ଷା ବେପାର ବି ବନ୍ଦ ହୋଇଯିବ ଯେ!