ଫଟୋ - ଆଇଏମଡିବି

ଆମ ସମୟର ଚର୍ଚ୍ଚିତ କବି, ଗାଳ୍ପିକା ତଥା ଔପନ୍ୟାସିକା ବସନ୍ତ କୁମାରୀ ପଟ୍ଟନାୟକ । ୧୯୨୩, ଡିସେମ୍ବର ୧୫ ତାରିଖରେ ଗଂଜାମ ଜିଲ୍ଲାର ଭଞ୍ଜନଗରଠାରେ ଜନ୍ମଗ୍ରହଣ କରିଥିବା ବସନ୍ତ କୁମାରୀଙ୍କ ଜୀବନର ଅଧିକାଂଶ ସମୟ କଟକରେ କଟିଛି । କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତୋକୋତ୍ତର ଲାଭ କରିଥିବା ବସନ୍ତ କୁମାରୀ ଓଡ଼ିଆ ସାହିତ୍ୟ ପ୍ରତି ବିଶେଷ ରୁଚି ରଖିଥିଲେ । ତାଙ୍କ ଲେଖାଗୁଡିକରେ ବିଂଶ ଶତାବ୍ଦୀ ଓଡି଼ଶାର ସାମାଜିକ ତଥା ଘରୋଇ ଜୀବନ ପ୍ରତିଫଳିତ ହୋଇଥାଏ । ତାଙ୍କ କାଳଜୟୀ କୃତି ମଧ୍ୟରେ - 'ଅମଡ଼ା ବାଟ', 'ଚୋରାବାଲି', 'ଅଲିଭାଚିତା', 'ପାଲଟା ଢେଉ' ଅନ୍ୟତମ । ପ୍ରଥମ ମହିଳା ଭାବରେ ସେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତା ହୋଇଛନ୍ତି । ସେହିପରି ଓଡ଼ିଶା ସାହିତ୍ୟ ଏକାଡେମି ସମ୍ମାନରେ ମଧ୍ୟ ସେ ବିଭୂଷିତା ।

ତେବେ ତାଙ୍କର ଲୋକପ୍ରିୟ ଉପନ୍ୟାସ ‘ଅମଡ଼ା ବାଟ’ ଆମ ଓଡ଼ିଆ ସିନେମାରେ ସୃଷ୍ଟି କରିଛି ଏକ ନୂଆ ଅଧ୍ୟାୟ । ଓଡ଼ିଆ ସିନେମା ଇତିହାସରେ ‘ଅମଡ଼ା ବାଟ’ ରଚିଛି ଅନେକ ଇତିହାସ । ୧୯୫୭ରେ ପ୍ରକାଶ ପାଇଥିବା ଏହି ଲୋକପ୍ରିୟ ଉପନ୍ୟାସ ‘ଅମଡ଼ା ବାଟ’କୁ ୧୯୬୪ ରେ ପରଦାରେ ଦେଖାଇଥିଲେ ନିର୍ଦ୍ଦେଶକ ଅମର ଗାଙ୍ଗୁଲି | ବାବୁଲାଲ ଦୋଶୀଙ୍କ ପ୍ରଯୋଜିତ ଏହି ସିନେମାର ଚିତ୍ରନାଟ୍ୟ ଭାର ଗୋପାଳ ଛୋଟରାୟଙ୍କ ହାତରେ ରହିଥିଲା । ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଝରଣା ଦାସ, ଶରତ ପୂଜାରୀ, ବୃନ୍ଦାବନ, ଅକ୍ଷୟ ମହାନ୍ତି (କଶ୍ୟପ), ମେନେକା, ଗୀତା ଦାସ ପ୍ରମୁଖ ।

ସିନେମାର କାହାଣୀରେ ଭାରତୀୟ ନାରୀ ଜୀବନର ବାସ୍ତବ ଚିତ୍ର ପ୍ରଦାନ କରାଯାଇଛି । ବିଶେଷକରି ଏହି କାହାଣୀରେ ଜଣେ ଭାରତୀୟ ନାରୀର ବିବାହ ପୂର୍ବରୁ ଓ ବିବାହ ପରର ସ୍ଥିତିକୁ ଦର୍ଶାଯାଇଛି । ଏତଦବ୍ୟତୀତ ଏଥିରେ ସାଧାରଣ ମଧ୍ୟବିତ୍ତ ପରିବାରର ଚଳଣି ଓ ପରିପାର୍ଶ୍ବିକ ସାମାଜିକ ଅବସ୍ଥାକୁ ବର୍ଣ୍ଣନା କରାଯାଇଛି । କହିବାକୁଗଲେ ଏହି କାହାଣୀରେ ଆମେ ଜଣେ ନାରୀର ବିବାହ ପୂର୍ବ ଏବଂ ବିବାହୋତ୍ତରର ମନସ୍ତାତ୍ତ୍ୱିକ ଓ ସାମାଜିକ ବିରୋଧାଭାସକୁ ଭଲରେ ଅଵଲୋକନ କରିପାରିବା ।

୧୪୪ ମିନିଟ ଅବଧିର ଏହି ସିନେମାର କାହାଣୀଟି ମାୟା ନାମ୍ନୀ ଜଣେ ଯୁବତୀ ଉପରେ ଘୁରିବୁଲିଛି । ଜଣେ ଶିକ୍ଷିତ ଯୌଥ ପରିବାରରେ ରହୁଥିବା ମାୟାର ବିବାହ ଜଣେ ଚତୁର ବ୍ୟକ୍ତି ସହ ହୋଇଛି । ତାପରେ ସେ କଣ କଣ ପରିସ୍ଥିତିର ସାମ୍ନା କରିଛି ତାହା ଏହି ଫିଲ୍ମରେ ଦର୍ଶାଯାଇଛି । ଫିଲ୍ମରେ ମାୟା ଚରିତ୍ରରେ ଝରଣା ଦାସ ଅଭିନୟ କରିଥିଲେ ।

ସିନେମାରେ ନାରାୟଣ ପ୍ରସାଦ ସିଂଙ୍କ ରଚିତ ଗୀତଗୁଡିକୁ ସଂଗୀତରେ ସଜ୍ଜାଇଥିଲେ ବାଳକୃଷ୍ଣ ଦାସ । ନିର୍ମଳା ମିଶ୍ର , ସିକନ୍ଦର ଆଲମ, ଆରତୀ ମୁଖାର୍ଜୀ, ଅକ୍ଷୟ ମହାନ୍ତି ପ୍ରମୁଖ ଏହି ସିନେମାରେ ଗୀତଗୁଡିକରେ କଣ୍ଠଦାନ କରିଥିଲେ । ଏହି ସିନେମାରେ ରହିଥିବା ଗୀତ 'ଏ ତ କଳିକାଳ ରୀତି ବିପରୀତ ଭାଇରେ …..' ଆଜିବି ଶ୍ରୋତାଙ୍କୁ ଆକୃଷ୍ଟ କରେ । ଏହି ଗୀତରେ ବହୁ ମାତ୍ରରେ ଗ୍ରାମୀଣ ଶବ୍ଦର ବ୍ୟବହାର ହୋଇଥିବାବେଳେ ଏଥିରେ ପାରମ୍ପରିକ ଧୁଡୁକିର ବ୍ୟବହାର ହୋଇଛି । ସେହିପରି ଏହି ସିନେମାର ଅନ୍ୟ ଗୀତଗୁଡିକ ମଧ୍ୟ ବେଶ ଆକର୍ଷଣୀୟ । ନିର୍ମଳା ମିଶ୍ରଙ୍କ କଣ୍ଠରେ 'ଜୀବନ ଯମୁନାରେ…'., ସିକନ୍ଦର ଆଲାମ ଓ ନିର୍ମଳା ମିଶ୍ରଙ୍କ କଣ୍ଠରେ 'ଦେଲେ ଧରା କଥା ସରେ ….' ଓ ଝିଅ ବିଦାବେଳର ବିରହ ଗୀତ 'ମମତା ମଧୁର ପ୍ରିୟ' ଆଦି ଗୀତଗୁଡିକ ଶ୍ରୋତା ମନରେ ନୂତନ ଶିହରଣ ସୃଷ୍ଟି କରେ ।