ଫଟୋ - ୱିକି କମନ୍ସ

ମୁଁ ଅନେକ ଡେରିରେ ହେଜିଲି - ପ୍ରାୟ ରେଭେନ୍ସା ଆସିଲା ପରେ ହିଁ - ଯେ ପୁରୁଷ ହିସାବରେ ଏମିତି ଅନେକ ଅନୁଭୂତିକୁ ମୁଁ ପ୍ରାୟ ସାଧାରଣ ଭାବରେ ସ୍ଵୀକାର କରିନେଇଚି ଯାହା ମୋ ବୟସର ଝିଅଙ୍କ ପାଇଁ ଏକ ବିଳାସର ବିଷୟ । ଧରନ୍ତୁ, ବେଶ୍ ଡେରି ରାତିରେ ବାହାରେ ବୁଲିସାରି ('ବାହାରେ' ଏକ ଆପେକ୍ଷିକ ଶବ୍ଦ ଅବଶ୍ୟ, କେବେ ଯୋବ୍ରା ତ କେବେ ପୁରୀ) ଷ୍ଟେସନରୁ ଚା' ପିଇ ହଷ୍ଟେଲ ଫେରିବା ହଉ କି ରାତିରେ ରେଭେନ୍ସା ପଡ଼ିଆରେ ଶୋଇରହି ଜହ୍ନ ଦେଖିବା ହଉ, ଏସବୁ କେବଳ ପୁଅମାନେ କରିପାରୁଥିଲେ । ଝିଅମାନେ ଫେରିଯାଉଥିଲେ ହଷ୍ଟେଲକୁ ସନ୍ଧ୍ୟା ଛଅଟା ସୁଦ୍ଧା । ବେଶୀରୁ ବେଶୀ ନଅଟା ଯାଏ ସେମାନେ ରହିପାରୁଥିଲେ ହଷ୍ଟେଲ୍ ବାହାରେ, ତା' ପୁଣି ଲାଇବ୍ରେରୀ ନାଁରେ । ପୁଅମାନଙ୍କ ପାଇଁ ଏମିତି କିଛି ନିୟମ ନଥିଲା । ୟା ବିରୁଦ୍ଧରେ ଅବଶ୍ୟ ଆନ୍ଦୋଳନ ହେଇଥିଲା, ତେବେ ଏବେ ବି ପରିସ୍ଥିତି ମୋଟାମୋଟି ସେଇଆ ହିଁ । କହିବାର ତାତ୍ପର୍ଯ୍ୟ ହେଲା କଲେଜ୍ ଜୀବନର ସ୍ମୃତି ଅନୁଭୂତି ଇତ୍ୟାଦି ଲେଖିଲାବେଳେ ଅନେକ ପୁଅ ଲେଖିବେ ଏଇସବୁ ରୋମାଞ୍ଚକର କଥା । କିନ୍ତୁ ଝିଅମାନଙ୍କ ଅନୁଭୂତିରେ ଏସବୁ ରହିବନି । ତା' ଅର୍ଥ ନୁହଁ ଯେ ଝିଅମାନଙ୍କ ହଷ୍ଟେଲ ଜୀବନରେ କୌଣସି ରୋମାଞ୍ଚ ନଥାଏ, କିନ୍ତୁ ଆମେ (ପୁରୁଷମାନେ) ପ୍ରାୟ ଜାଣି ଅଜଣା ହଉ ଯେ ଅନେକ ଅନୁଭବରୁ ଝିଅମାନେ ବଞ୍ଚିତ ହୁଅନ୍ତି ଏବଂ ନିଜ ଅନୁଭୂତି ସବୁକୁ ନେଇ ରୋମାଞ୍ଚିତ ହେଲାବେଳେ ଆମେ (ପୁରୁଷମାନେ) ତିଳେ ବି ଭାବୁନା ଯେ ଏସବୁ ପଛରେ ଏକ ଲିଙ୍ଗଗତ ବୈଷମ୍ୟ ରହିଚି ବୋଲି ।

ଆମର ଅନେକ ପୁରୁଷ ଚିନ୍ତକ ନାରୀବାଦ ବିପକ୍ଷରେ ଟାଣୁଆ କଥା କହିଲା/ଲେଖିଲାବେଳେ ହୁଏତ ଭାରି ସୁବିଧାଜନକ ଭାବରେ ଭୁଲିଯାଆନ୍ତି ଯେ ଏବେ ବି ରାତି ତ ଦୂରକଥା, ସନ୍ଧ୍ୟାବେଳେ ବି ନିରୋଳା ରାସ୍ତାରେ ଏକୁଟିଆ ଝିଅଟିଏ ଚାଲିବା ନିରାପଦ ନୁହେଁ । କାହିଁକି ନୁହେଁ ? ଏ ଯୋଉ ବିପଦର ଆଶଙ୍କା, ୟା ପଛର ବିପଜ୍ଜନକ ଚେହେରାଟି କାହାର ? ଜଣେ ନାରୀଠାରୁ ତ ଆସୁନି ଏ ବିପଦ ? ଜଣେ ପୁରୁଷଠାରୁ ତ ? ଆପଣ ହୁଏତ କହିବେ, ସବୁ ପୁରୁଷମାନଙ୍କଠାରୁ ନୁହେଁ । ସବୁ ପୁରୁଷ ତ ଏମିତି ନୁହଁନ୍ତି ! ଠିକ । ନୁହଁନ୍ତି । ହେଲେ ଅନ୍ଧାର ଭିତରେ ନିଛାଟିଆ ରାସ୍ତାରେ ଚାଲୁଥିବା ଏକୁଟିଆ ଝିଅଟିର ପଛରେ ପାଦଶବ୍ଦ ଶୁଭୁଚି ଯୋଉ ପୁରୁଷଟିର, ବୁଲି ଦେଖିଲେ ଦିଶୁଚି ଯୋଉ ପୁରୁଷର ମୁହଁ, ଆପଣ କେମିତି କହିପାରିବେ ସେ ପୁରୁଷଟି ବିପଜ୍ଜନକ କି ନା ? କିଏ କହିପାରିବ ? କେହି କହିପାରିବେନି । ଅତଏବ, ଝିଅମାନଙ୍କୁ ଏକୁଟିଆ ସନ୍ଧ୍ୟା ପରେ କୁଆଡ଼େ ଛଡ଼ା ନଯାଉ, ହଷ୍ଟେଲ କବାଟ କିଳିଦିଆଯାଉ ସେମାନଙ୍କର ଇତ୍ୟାଦି ଇତ୍ୟାଦି । କିନ୍ତୁ ଧରନ୍ତୁ, ଯଦି ମୁଁ କହିବି ଝିଅମାନଙ୍କ ହଷ୍ଟେଲ ବନ୍ଦ ନକରି ପୁଅମାନଙ୍କୁ ସନ୍ଧ୍ୟାପରେ ଘରେ କି ହଷ୍ଟେଲରେ ରହିବାକୁ ବାଧ୍ୟ କରାଯାଉ, ସରକାର ଏ ନେଇ ନିୟମ ଆଣନ୍ତୁ, ଆପଣ ହସିବେ ମୋ କଥା ଶୁଣି । କିନ୍ତୁ ଏଇ ସମାନ କଥା ଯେ ସମାଜରେ ନାରୀମାନଙ୍କ ପାଇଁ ଘଟି ଆସୁଚି ଯୁଗଯୁଗ ଧରି ବିନା କୌଣସି ନିୟମରେ !

ଏଇନିକଟରେ ଏକ ନାବାଳିକା ଗଣ-ବଳାତ୍କାର ମାମଲାରେ ଗୋଆ ମୁଖ୍ୟମନ୍ତ୍ରୀ କହୁ କହୁ କହିପକେଇଲେ ଯେ ଏ ଦୁର୍ଭାଗ୍ୟଜନକ ଅଘଟଣ ପାଇଁ ପୀଡ଼ିତା ଓ ତାଙ୍କ ସାଙ୍ଗମାନଙ୍କର ବାପା ମା' ବି ଦାୟୀ । ପିଲାମାନେ ରାତିରେ ବେଳାଭୂଇଁରେ ପାର୍ଟି କରୁଥିଲାବେଳେ ବି ବାପା-ମା' ତାଙ୍କ ଖୋଜଖବର ନନେଲେ କେମିତି ! ଅସୁବିଧା ହେଲା ଏଇଠି । ଆମେ ନାରୀମାନଙ୍କ ଆଚରଣରେ, ସେମାନଙ୍କ ପୋଷାକରେ, ସେମାନଙ୍କ ବ୍ୟବହାରରେ, ସେମାନଙ୍କ କଥାବାର୍ତ୍ତାରେ ଖୋଜୁ ବଳାତ୍କାର ପରି ଜଘନ୍ୟ ଅପରାଧର କାରଣ ଏବଂ ସେମାନଙ୍କ ଆଚରଣକୁ, ପୋଷାକକୁ, ବ୍ୟବହାରକୁ ଓ କଥାବାର୍ତ୍ତାକୁ ନିୟନ୍ତ୍ରିତ କରିବାରେ ହିଁ ଖୋଜୁ ଏଭଳି ଅପରାଧର ନିରାକରଣ । କେବଳ ନଜର ରଖିବା, ହଷ୍ଟେଲ୍ କି ଘର କବାଟ କିଳିଦେବା ନୁହେଁ, ଅପେକ୍ଷାକୃତ ଅଧିକ "ସଂସ୍କାରପୂର୍ଣ୍ଣ" ନିରାକରଣ ଉପାୟ ସବୁରେ ବି ଆପଣ ଏଧରଣର ମାନସିକତାର ଛିଟା ଦେଖିବେ । ଉଦାହରଣ ସ୍ୱରୂପ, ନାରୀମାନଙ୍କୁ ସମ୍ମାନ ଦେଇ ଶିଖିବାର ବି ଯୋଉ ଉପଦେଶ ସବୁ ଆମେ ବେଳେବେଳେ ଆମ ସିନେମା/ସାହିତ୍ୟରେ କି ଅନ୍ୟ କୋଉଠି ପୁରୁଷମାନଙ୍କୁ ଦଉ, ସେଥିରେ ନାରୀଟିଏ ପ୍ରାୟ ସମୟରେ ପୁରୁଷର ଉପାସନା କି ରକ୍ଷା ପାଇବା ପାଇଁ ଉପଲବ୍ଧ ବସ୍ତୁଟିଏ ହେଇ ଉଭା ହୁଏ । ଅସୁବିଧା ହେଲା ଏଇଆ ଯେ ଏସବୁଥିରେ ଆମେ ଝିଅମାନଙ୍କୁ ମଣିଷ ବୋଲି କମ୍ ଆଉ ସମାଜର "ଆଦର୍ଶ"କୁ ବୋହିବା ପାଇଁ ତିଆରି ବସ୍ତୁ ବୋଲି ଅଧିକା ଭାବୁ । ଏବଂ ନାରୀକୁ ଉପଭୋଗର ବସ୍ତୁ ଭାବିବାରେ ଓ ଉପାସନାର ବସ୍ତୁ ଭାବିବାରେ ଆକାଶ - ପାତାଳ ଫରକ ଅଛି ବୋଲି ଆପଣ ଭାବୁଥାଇପାରନ୍ତି, କିନ୍ତୁ ସେମିତି ହେଇଥିଲେ ଝିଅମାନଙ୍କୁ ସୁରକ୍ଷା ଦେବାର କିଛି ଆବଶ୍ୟକତା ପଡ଼ନ୍ତା ନାହିଁ ।

ମୁଁ ଜାଣେ ବେଶ୍ କିଛି ପୁରୁଷ ଏ ଲେଖା ପଢ଼ି - ବିଶେଷତଃ 'ପୁଅମାନଙ୍କୁ ସନ୍ଧ୍ୟା ପରେ ବାହାରିବା ମନା' ଜାତୀୟ କଥା ପଢ଼ି - ମର୍ମାହତ/ଅପମାନିତ ହେଇସାରିବେଣି । ଜାଣେ ଏଇଥିପାଇଁ କାରଣ ଜଣେ ପୁରୁଷ ହିସାବରେ 'ପୁରୁଷର ଆତ୍ମଗର୍ବ' (male ego) ଜିନିଷଟିକୁ ମୁଁ ଊଣା - ଅଧିକେ ଚିହ୍ନେ ଏବଂ ଜାଣେ ଯେ ଏ ଜିନିଷଟି କେତେ ସୂକ୍ଷ୍ମ (fragile)। କଥାକଥାକେ ଆଘାତ ପାଇବା, ଏମିତିକି ଭାଙ୍ଗିଯିବା ଏ ଜିନିଷର ସ୍ଵଭାବ । ହେଲେ ଦୁଃଖର ବିଷୟ, ନିଜ male ego ଆଘାତ ପାଇଲେ ପ୍ରାୟ ପୁରୁଷମାନେ କାନ୍ଦିବା ପରିବର୍ତ୍ତେ ପାଟିତୁଣ୍ଡ କରନ୍ତି, ବାଡ଼ିଆପିଟା କରନ୍ତି । କାନ୍ଦିବା ଯେ ପୁରୁଷ - ସୁଲଭ ନୁହେଁ ଏକଥା ବି ସେଇ ରକ୍ଷଣଶୀଳ ସାମାଜିକ ଶିକ୍ଷାର ଅଂଶ ଯୋଉଥିରେ ଆଦର୍ଶ ନାରୀର ଗୁଣ ଓ ସୁରକ୍ଷା ଇତ୍ୟାଦି ଅଛି । ଖାଲି କାନ୍ଦିବା କାହିଁକି, ଅନେକ ଜିନିଷ ପୁରୁଷ - ସୁଲଭ ନୁହେଁ ବୋଲି ଆମେ ସମସ୍ତେ ପିଲାବେଳୁ ଶିଖୁ । ସେସବୁ ନାରୀ - ସୁଲଭ ଗୁଣ ବୋଲି ଶିଖନ୍ତି ଝିଅମାନେ । ଅନେକ ସମୟରେ ଏ ଶିକ୍ଷା ସିଧାସଳଖ ବାପାମା' କି ସ୍କୁଲରୁ ନଆସି ଆସେ ସମାଜରୁ । ପୁଅଟିଏ ନଖରେ ରଙ୍ଗ ମାରିଲେ ଆମେ ତାକୁ ମାଇଚିଆ କହୁ କି ଝିଅଟିଏ ଉଚ୍ଚା ସ୍ୱରରେ କଥା ହେଲେ ତାକୁ ଅଣ୍ଡିରିଚଣ୍ଡୀ କହୁ । ଏବେ ବି ଛୋଟପିଲାଙ୍କ ପାଇଁ ଖେଳନା କି ପୋଷାକ କିଣିବାକୁ କୋଉ ବଡ଼ ଶୋ'ରୁମ୍ ଗଲେ ଆପଣ ଦେଖିବେ ଝିଅମାନଙ୍କ ଥାକରେ ବାର୍ବୀ କଣ୍ଢେଇ ଆଉ ପୁଅମାନଙ୍କ ଥାକରେ କାର୍ କି ବନ୍ଧୁକ । ଝିଅମାନଙ୍କ ପୋଷାକ ଥାକରେ ବେଶୀ ଦିଶିବ ଗୋଲାପୀ ରଙ୍ଗ, ପୁଅମାନଙ୍କ ପୋଷାକ ଥାକରେ ପ୍ରାୟ ଦିଶିବନି । ଏସବୁ କଥା ଏଠି ପ୍ରାସଙ୍ଗିକ ଏଇଥିପାଇଁ ଯେ ସମାଜରେ ସବୁ ସମୟରେ ଆମେ ଏ ଧରଣର ନିର୍ମମ ବିଭାଗୀକରଣର ରେଖା ସବୁ ଟାଣିଚାଲିଥାଉ । ବିଭାଗୀକରଣ ଯେ ବୈଷମ୍ୟର ପ୍ରଥମ ପାହାଚ - ସେକଥା ଆମେ ଇତିହାସରେ ବାରମ୍ବାର ଦେଖିଥିଲେ/ଭୋଗିଥିଲେ ବି ଜାଣିଜାଣି ଭୁଲିଯାଉ ।

ରେଭେନ୍ସା ଆସିଲା ପରେ କନିକା ଲାଇବ୍ରେରୀରେ ମୋ'ର ଅନେକ ସମୟ କଟୁଥିଲା । ସେଇଠି କୋଉଗୋଟେ ପୁରୁଣା ପତ୍ରିକା କି ବହିରେ (ନାଁ ମନେ ପକେଇ ପାରୁନି) ମୁଁ ପଢ଼ିଥିଲି ପ୍ରତିଭା ଶତପଥୀଙ୍କର ଲେଖାଟିଏ । ସାକ୍ଷାତକାର କି ଆତ୍ମଜୀବନୀମୂଳକ ପ୍ରବନ୍ଧ ତା' ବି ମନେ ପକେଇ ପାରୁନି ଆଉ । ତେବେ ମନେଅଛି, ପ୍ରତିଭା ଶତପଥୀ ଲେଖିଥିଲେ ତାଙ୍କର ଅବସୋସ ବିଷୟରେ । ଲେଖିଥିଲେ, କେବେ ରାତିଅଧରେ ନଈକୂଳରେ ଏକୁଟିଆ ବସି ଜହ୍ନ ଦେଖିପାରିଲେନି ସିଏ । ଆଉ ପଚାରିଥିଲେ ତା'ର କାରଣ: ଖାଲି ନାରୀଟିଏ ବୋଲି ତ ! ସେକଥା ପଢ଼ି ମତେ ଭାରି ଦୋଷୀ ଦୋଷୀ ଲାଗିଥିଲା ସେଦିନ । ପ୍ରାୟ ବର୍ଷେ ଖଣ୍ଡେ ପରେ ଯେତେବେଳେ ମୋ'ର ଗୋଟିଏ କବିତା ପଢ଼ି ପ୍ରତିଭା ଶତପଥୀ ମତେ ଫୋନ କରି ଶୁଭେଚ୍ଛା ଜଣେଇଲେ, ସେତେବେଳେ ବି ମୋ'ର ସାହସ ହେଲାନି ନିଜର ଦୋଷୀଭାବରୁ ମୁକୁଳି ତାଙ୍କୁ ସେ ଲେଖା ବିଷୟରେ କହିବା ପାଇଁ । ସାହସ ହେଲାନି ତାଙ୍କୁ କ୍ଷମା ମାଗିବା ପାଇଁ ।

(ବି.ଦ୍ର. ଶୀର୍ଷକଟି ଖାଲି ନାରୀବାଦର 'ନ' ଅକ୍ଷର ନଜାଣି 'ଫେମିନିଜିମ୍ ବ୍ୟାଡ୍'/'ଫେମିନିଜିମ୍ ପଏଜନ୍' ବୋଲି ବାଉଳି ହଉଥିବା ପୁରୁଷମାନଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ । ଅବଶ୍ୟ ସେମାନେ ଯେ ଏଯାଏଁ ପଢ଼ିବେ ତା' ବି ସନ୍ଦେହଜନକ ।)