ଚିତ୍ର: ୱିକି କମନ୍ସ

ପିଲା ଦିନତକ ମୋର ଗାଁରେ କଟିଛି । ବିଜୁଳି ଆଲୁଅ ନଥିବା ଗୋଟେ ଗାଁ । ଯୋଉଠି ସଞ୍ଜ ଗଡିଲେ ଡାହାଣୀ, ଚିରୁଗୁଣୀ, ପିଶାଚୁଣୀ, ଭୂତ, ପ୍ରେତ, ପିଶାଚ, ବ୍ରହ୍ମରାକ୍ଷସ ଓ ଖପିସମାନଙ୍କ ରାଜୁତି । ଅନ୍ଧାରିଆ ଅଧରାତିରେ ଗାଁର ଝଙ୍କାଳିଆ ବରଗଛ ତଳେ ଦିଶେ ଦିକି ଦିକି ଘଡିଏ ଜଳୁଥିବା ଓ ଘଡିଏ ଲିଭୁଥିବା ଡାଆଣୀ ଆଲୁଅ । ଏ ଡାଆଣୀ ଆଲୁଅ କଥା ଭାବିଲେ କାହାର ବା ଉଷୁମ ରକ୍ତ ଥଣ୍ଡା ପଡ଼ିବନି ? ବୁଢୀମା’ର କାହାଣୀରେ ପୁଉଣି ସେଇମାନଙ୍କ ଯିବା ଆସିବା । ରାତିରେ ଶୋଇସାରିଲା ପରେ ସ୍ୱପ୍ନରେ ବି ସେମାନଙ୍କ ଠାରୁ ମୁକ୍ତି ମିଳେନି । ଗାଁରେ କେବଳ ରାତି ହେଲେ ଡାହାଣୀ ଓ ଚିରୁଗୁଣୀ ଆସନ୍ତିନି, ନିର୍ଦ୍ଧୁମ୍ ଖରାବେଳେ ବି ସେମାନେ ଗାଁର ନିଛାଟିଆ ନିକାଞ୍ଚନ ସ୍ଥାନମାନଙ୍କୁ ସେମାନଙ୍କ ଅକ୍ତିଆରକୁ ନେଇଯାଆନ୍ତି । ସବୁ ଏକଟଣା ଆମ୍ବ ତୋଟା, ନିବୁଜିଆ ବାଉଁଶ ବଣ, ଏକୁଟିଆ ତାଳଗଛ, ଝଙ୍କାଳିଆ ସାହାଡ଼ା ଗଛ ଓ କିଆ ହୁନ୍ଦଳା ଘେରା ଗାଁ ମଶାଣୀ ଉଭୟେ ରାତିରେ ଓ ଦିନରେ ଭୂତ, ଡାଆଣୀ ଓ ପିଶାଚଙ୍କ ଚରାଭୂଇଁ ।

ଡାଆଣୀ ଶବ୍ଦ ସଂସ୍କୃତ ଡାକିନୀ ଶବ୍ଦରୁ ଆସିଛି । ଗାଁରେ ଡାଆଣୀ ପୁଉଣି ଦୁଇ ପ୍ରକାର । ଡାଆଣୀ ଓ କଞ୍ଚା ଡାଆଣୀ । ପ୍ରତି ଗାଁରେ ଗୋଟେ ଯୋଡେ କଞ୍ଚା ଡାଆଣୀ ନିଶ୍ଚୟ ଥାଆନ୍ତି ଓ ତାଙ୍କୁ ନେଇ ଅନେକ ଗୁଡ଼େ ରୋଚକ କାହାଣୀ ବି ଥାଏ । ସେ ଡାଆଣୀ ମଝିରେ ମଝିରେ ଅନ୍ଧାର ରାତିରେ, ବିଶେଷ କରି ଅମାବାସ୍ୟାର ଅନ୍ଧାର ରାତିରେ ଗାଁ ସୁନସାନ୍ ହେଇଗଲା ପରେ ଝାଡ଼ା ପଡ଼ିଆକୁ ଝାଡ଼ା ଚରିବାକୁ ବାହାରେ । ପ୍ରଥମେ ମଶାଣୀ ପାଖ ପୋଖରୀ ତୁଠରେ ପିନ୍ଧା ଲୁଗାକୁ ଖୋଲି ରଖିଦିଏ ଓ ଦୁଇ ହାତକୁ ତଳକୁ ରଖି ଉପରକୁ ଗୋଡ଼ ଟେକି ସଜ ଝାଡ଼ାକୁ ଚରିଯାଏ । ଚରିଲା ବେଳକୁ ଡାଆଣୀର ନାକରୁ ବାହାରେ ଦୁଇଟା ନାଲି ରଙ୍ଗର ଶଣ୍ଢା । ସେଇ ଶଣ୍ଢାରେ କଞ୍ଚା ଡାଆଣୀ କଞ୍ଚା ଝାଡ଼ାର ମହକକୁ ଆଘ୍ରାଣ କରେ । ସେତିକି ନୁହେଁ, କଞ୍ଚା ଡାଆଣୀ ଯେତେବେଳେ ତା’ ଘରୁ ବାହାରିକରି ଯାଏ ସେତେବେଳେ ପାଖରେ ଶୋଇଥିବା ତା’ ସ୍ୱାମୀର ଠିକ୍ ଛାତି ଉପରେ ଡେଇଁକି ଯାଇଥାଏ ଯେ ସେ ଘରକୁ ଫେରି ଆଉଥରେ ଓଲଟା ବାଗରେ ମଝି ଛାତିକୁ ନ ଡେଇଁଲା ଯାଏ ବିଚରା ସ୍ୱାମୀର ନିଦ ଭାଙ୍ଗେନି । ଗାଁର ଅନ୍ୟମାନେ ଜାଣନ୍ତି, ହେଲେ ଡାଆଣୀର ସ୍ୱାମୀ କିନ୍ତୁ ଜାଣିପାରେନି ଯେ ତା’ର ଆପଣା ସ୍ତ୍ରୀ ଗୋଟେ କଞ୍ଚା ଡାଆଣୀ । କଞ୍ଚା ଡାଆଣୀର ସାନ ସାନ କଅଁଳା ଛୁଆଙ୍କ ଉପରେ ବେଶି ଲୋଭ । ଡାଆଣୀ ଗ୍ରାସିଲେ ଛୁଆ କିଛି ଖାଇବେନି ଖାଲି କାନ୍ଦିବେ । ତାପରେ ଦେ ଡାକ ଗୁଣିଆକୁ । ମନ୍ତୁରା ଲୁଣ ଓ ଶୁଖିଲା ଲଙ୍କା ଆଣି ପିଲାର ଚାରିକତି ବୁଲେଇ ବାଡ଼ି ଓଳିତଳୁ ବାହାରକୁ ଫିଙ୍ଗିବାକୁ ହୁଏ । ସେଇ ଡାଆଣୀ ଡରରେ ପିଲାଙ୍କ ଅଣ୍ଟାରେ କଳା ସୂତାରେ ପିତ୍ତଳ କଣା ପଇସା, ପୋହଳା, ଅଚଳ ପଇସା ଓ କେତେ କ’ଣ ହରରଙ୍ଗୀ ମାଳି ଫାଳିକୁ ଗୁନ୍ଥି ମା’ ମାନେ ପିନ୍ଧେଇ ଦିଅନ୍ତି । କୁନି ଥିବାବେଳେ ମୁଁ ବି ପିନ୍ଧୁଥିଲି । କେହି କେହି ସିଧାସଳଖ କଅଁଳା ଛୁଆକୁ ଡାଆଣୀ ହାତକୁ ମଧ୍ୟ ଟେକିଦିଅନ୍ତି । ସମସ୍ତଙ୍କ ସାମ୍ନାରେ ଡାଆଣୀ ପିଲାକୁ ଧରିଲେ କୁଆଡେ଼ ଆଉ ପରେ ଗ୍ରାସିବନି । ତା’ର ଲୋଭ ଛାଡ଼ିଯିବ । ହଁ କଞ୍ଚା ଡାଆଣୀକୁ ଆଉଗୋଟେ ବିଦ୍ୟା ବି ମାଲୁମ୍ ଥାଏ । ମନେକର ତମେ ଖଣ୍ଡେ ନଡ଼ା ଊପରେ ଅନ୍ୟମନସ୍କରେ ଛିଡ଼ା ହେଇଯାଇଛ ଓ ଅକସ୍ମାତ୍ ପାଖରେ ଥିବା ଡାଆଣି ଏକଥା ଦେଖିଦେଲା, ତେବେ ଡାଆଣି ଚଟାପଟ୍ ନଡ଼ାର ଅନ୍ୟ ପ୍ରାନ୍ତରରେ ଆସି ଛିଡ଼ା ହେଇଯିବ ଓ ସେଇ ନଡ଼ାରେ ନଡ଼ାରେ ତମ ଦେହରୁ କେଇ ସେର ରକ୍ତ ପିଇଯିବ । ବାପରେ.... ।

କଞ୍ଚା ଡାଆଣୀକୁ ରଙ୍ଗେ ହାତ ଧରିଥିବା କେଇଜଣ ଅତ୍ୟନ୍ତ ସାହାସୀ ଲୋକ ବି ପ୍ରତି ଗାଁରେ ଥାଆନ୍ତି । ସେମାନେ ସେମାନଙ୍କର ଏକଦା ବୀରତ୍ୱପୂର୍ଣ୍ଣ ମଧ୍ୟରାତ୍ରୀର ଦୁଃସାହସିକ କାହାଣୀଟିକୁ ଅନ୍ୟମାନଙ୍କ ଆଗରେ ବର୍ଷ ବର୍ଷ ଧରି ବିନା ବିରକ୍ତିରେ ଗପିବାକୁ ଭଲପାଆନ୍ତି । ଯଥା, ସେ କେମିତି ଥରେ ଅମୁକର ସ୍ତ୍ରୀ କଞ୍ଚା ଡାଆଣୀ ବୋଲି ପ୍ରମାଣ କରିବାକୁ ଶପଥ ନେଇ ଥରେ ଏକ ଅମାବାସ୍ୟା ରାତିରେ ବାହାରିଲେ । ଆକାଶରେ କଳାହାଣ୍ଡିଆ ମେଘ । ଅନ୍ଧାରରେ ମୁହଁକୁ ମୁହଁ ଦିଶୁନଥାଏ । ଡାଆଣୀ ଧରିବାକୁ ଡାଆଣୀ ଘରର ସାମ୍ନା ଦୋକରୀରେ ମଶା ଡାଆଁସଙ୍କ ସାଙ୍ଗରେ ଚୁପ୍ ଚାପ୍ ଖାଡା ଦୁଇ ଘଣ୍ଟା ବସିବାକୁ ହେଲା । ଠିକ୍ ରାତି ଅଧରେ ଦାଣ୍ଡ ଦରଜା ଖୋଲି ବାହାରିଲା ଡାଆଣୀ ଓ ସିଧା ଚାଲିଲା ମଶାଣୀ ପାଖ ଝାଡ଼ା ପଡିଆକୁ । ଝାଡ଼ା ପଡ଼ିଆକୁ ଗଡ଼ିବା ଆଗରୁ ପୋଖରୀ ତୁଠରେ ଡାଆଣୀ ତା’ ପିନ୍ଧା ଲୁଗା ଖୋଲି ରଖିଦେଲା । ସେଇଟା ହିଁ ସୁବର୍ଣ୍ଣ ସୁଯୋଗ । ଏବେ ମନ୍ତୁରା ସୋରିଷ ମୁଠାକୁ ଲୁଗା ଚାରିକତି ବୁଣି ଦେବା କଥା ଓ ଅବଶିଷ୍ଟ ସୋରିଷରେ ଆଉ ଏକ ମୁଣ୍ଡଳା କାଟି ନିଜେ ନିରାପଦରେ ବସି ଡାଆଣୀକୁ ଅପେକ୍ଷା କରିବା କଥା । ଝାଡ଼ା ଚରି ଡାଆଣୀ ଫେରି ଗାଧେଇ ସାରି ଲୁଗା ପାଖକୁ ଯାଏତ ଲୁଗା ଛୁଇଁ ପାରିଲାନି । ଲୁଗା ଚାରି ପାଖରେ ମନ୍ତୁରା ସୋରିଷର ବନ୍ଧନ। ତା’ ପରେ ଆଖିରେ ଅଳ୍ପ ଦୂରରେ ଆରାମରେ ବସି ବିଡ଼ି ପିଉଥିବା ବୀରବର । କଞ୍ଚା ଡାଆଣୀ ଜାଣିଗଲା ତା’ ଖେଳ ଶେଷ । ସେ ଏଥର ଲମ୍ବ ହେଇ ଗୋଡ଼ ତଳେ ପଡ଼ିଗଲା । କ୍ଷମା ମାଗି ଧରମ ଭାଇ କରିପକାଇଲା । କଥା ଛିଡ଼ିଲା, ଏକଥା କେହି କାହାକୁ କହିବାନି । ହେଲେ କୃତଘ୍ନ ଧରମ ଭାଇର ପେଟରେ କଥା ରହେନି । ସକାଳୁ ସାରା ଗାଁ ପ୍ରଘଟ ।

ଏମିତିକା ବା ସାମନ୍ୟ ଅଦଳ ବଦଳ କାହଣୀ ମୁଁ ଭିନ୍ନଭିନ୍ନ ସ୍ଥାନରୁ ଶୁଣିଛି । ପିଲାଦିନେ ମୋ ଗାଁରେ ଏଇ କଞ୍ଚା ଡାଆଣୀ କଥାରେ ଫୌଜଦାରୀ ମାମଲା ହେଇଛି । ଥାନା କୋର୍ଟ କଚେରୀ ଯାଏଁ କଥା ଯାଇଛି । ଖବର କାଗଜରେ ବହୁ ସମୟରେ ଖବର ବାହାରେ; ଡାହାଣୀ ସନ୍ଦେହରେ ମହିଳାକୁ ହତ୍ୟା । ଏମିତିକା ଖବର ସାରା ଦେଶର ଖବରକାଗଜରେ ବାହାରେ । ଏ କଥା ସତ ଯେ, ସବୁ ଖବର ଖବରକାଗଜରେ ବାହାରେନି । ଭାରତର ଜାତୀୟ କ୍ରାଇମ୍ ରିପୋର୍ଟ ଅନୁସାରେ ୨୦୦୦ ରୁ ୨୦୧୭ ମସିହା ଭିତରେ ଦେଶର ବିଭିନ୍ନ ସ୍ଥାନରେ ଅଢେ଼ଇ ହଜାର ସ୍ତ୍ରୀ ଲୋକମାନଙ୍କୁ ଡାଆଣୀ ସନ୍ଦେହରେ ଅତ୍ୟାଚାର କରି ହତ୍ୟା କରାଯାଇଛି । ସରକାରୀ ପରିସଂଖ୍ୟାନ ଅନୁସାରେ ଭାରତରେ ହାରାହାରି ଦିନକୁ ଜଣେ ସ୍ତ୍ରୀ ଲୋକକୁ ଡାଆଣୀ ସନ୍ଦେହରେ ହତ୍ୟା କରାଯାଏ ।

ଘଟଣା କେବଳ ଭାରତରେ ଘଟିନି, ତଥ୍ୟରୁ ଜଣାଯାଏ ୧୪୫୦ ରୁ ୧୭୫୦ ମସିହା ଭିତରେ ୟୁରୋପରେ ଡାଆଣୀ କହି ପାଖାପାଖି ପଇଁତିରିଶ ହଜାର ହତ୍ୟା କରାଯାଇଛି । ୟୁରୋପୀୟ ଦେଶ ଛଡ଼ା ଜାପାନ, ଆଫ୍ରିକା, ଆରବୀୟ ଦେଶମାନେ କିଛି ପଛରେ ନଥିଲେ । ଭାରତରେ ଇଂରେଜଙ୍କ ନଥିପତ୍ରରେ ସିଂହଭୂମିର ଛୋଟନାଗପୁର ସାନ୍ତାଳୀ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଖ୍ରୀ ୧୭୯୨ରେ ପ୍ରଥମକରି ଡାଆଣୀ ହତ୍ୟା ବିଷୟରେ ଜଣାଯାଏ । ଭାରତର ନଥିଭୁକ୍ତ ପ୍ରଥମ ଘଟଣା ଆଗରୁ ଯେ ଏଠି ଡାଆଣୀ ସନ୍ଦେହରେ ମହିଳାମାନଙ୍କୁ ହତ୍ୟା କରାଯାଉ ନଥିଲା ସେମିତି ନୁହେଁ । ଏମିତି ଅନେକ ଘଟଣା ଆଖିକୁ ଆସିଲା ପରେ ଇଷ୍ଟଇଣ୍ଡିଆ କମ୍ପାନୀ ଗୁଜରାଟ, ରାଜସ୍ଥାନ ଓ ଛୋଟନାଗପୁରରେ ଡାଆଣୀ ସନ୍ଦେହରେ ହତ୍ୟାକୁ ନିଷେଧ କରି ନିୟମ ପ୍ରଣୟନ କଲେ । ଏନେଇ ଏତେ ବର୍ଷ ତଳେ ନିୟମ ପ୍ରଣୟନ ହେଇଥିଲେ ମଧ୍ୟ ଭାରତରେ ଆଜିବି ବିଭିନ୍ନ କାରଣରୁ ଅସହାୟା ମହିଳାମାନଙ୍କୁ ଡାଆଣୀ ସନ୍ଦେହରେ ହତ୍ୟା କରାଯାଉଛି ।

ଅଳ୍ପ ବୟସରେ ମରିଯାଇଥିବା ଝିଅ ଓ ବୋହୂମାନେ ଡାଆଣୀ ହେଇ ଗାଁ ଲୋକଙ୍କୁ କିଛି କମ ହିନସ୍ତା କରନ୍ତିନି । ଅନ୍ଧାର ଓ ଜହ୍ନ ରାତିରେ ସେମାନେ ଧଳା ଶାଢ଼ୀ ପିନ୍ଧି ବୁଲାବୁଲି କରନ୍ତି ଓ ସୁବିଧା ଦେଖି ମୁହଁ ସଞ୍ଜ କି ଖରାବେଳେ ଝିଅ ଓ ନୂଆ ବୋହୂମାନଙ୍କ ଦେହରେ ସବାର ହେଇଯାଆନ୍ତି । ଗାଁରେ କୁହନ୍ତି ଯାହାର ଡାଆଣୀ କଳା ଥିବ ତାକୁ ବେଶୀ ଡାଆଣୀ ଲାଗିବ । ଡାହାଣୀ କି ଭୂତ ସତରେ ଲାଗିଛିକି ନା ନାହିଁ ଜାଣିବାକୁ ଆମେ ସଜନା ପତ୍ର ପକାଉ । ଡାଆଣୀ ସଜନା ପତ୍ରକୁ ସହି ପାରେନି । ଡାଆଣୀ ସବୁବେଳେ ଝିଅ ମାନଙ୍କ ଉପରେ ସବାର ହୁଏ ଓ ଭୂତ ପୁଅ ମାନଙ୍କ ଉପରେ ସବାର ହୁଏ । ଭୂତ ଓ ଡାଆଣୀକୁ ଛଡେଇବାକୁ ଖୋଜାପଡନ୍ତି ଗୁଣିଆ ବା ଓଝା । ପିଲା ଦିନେ ଭୂତ ଓ ଡାଆଣୀ ଛଡାଇବା ପର୍ବ ଖୁବ୍ ଦେଖିଛି ମୁଁ । କେବେ କେବେ ଭୂତ ଓ ଡାଆଣୀ ସହଜରେ ବିଦା ହେଇଯାଆନ୍ତି ତ ପୁଉଣି କେବେ ବଡ଼ ହରକତ କରନ୍ତି । ବାର ଫାରମାସି କରନ୍ତି । ଏଣୁ ତେଣୁ ଖାଇବା ମାଗି ଖାଆନ୍ତି । ଗାଁରୁ ଆଗରୁ ମରି ଭୂତ ଓ ଡାଆଣୀ ହେଇଥିବା ଅନ୍ୟମାନଙ୍କର ଖବର ଦିଅନ୍ତି । କେବେ ଝୁଣା କେବେ ଲଙ୍କା ଧୂଆଁ ଦିଆଯାଏ ତ କେବେ ଗୁଣିଆ କବାଟ ଝରକା ବନ୍ଦ କରି ଏକା ଡାଆଣୀ ଝାଡ଼େ । ଦରକାର ହେଲେ ଗୁଣିଆ ତା’ ମନ୍ତୁରା ବେତରେ ପ୍ରବଳ ପିଟେ । ଡାଆଣୀ ସବାର ହେଇଥିବା ଦେହ ମାଡ଼ ସହେ ଓ ଡାଆଣୀ କଷ୍ଟରେ ଚିତ୍କାର କରେ । ବହୁ ଧମକାଣ ପରେ ଡାଆଣୀ ବିଦା ହେବାକୁ ରାଜି ହୁଏ । ଦାନ୍ତରେ କାମୁଡ଼ି ଧରେ ପାଣି ଭରା ଗରା କିମ୍ବା ଝାଡୁ ଗୋଟେ । ଘରୁ ବାହାରି ଆଗେ ଆଗେ ଚାଲେ ଡାଆଣୀ । ତା’ ପଛରେ ଗୁଣିଆ । ତା’ ପଛକୁ ଭୟ ଓ ଆତଙ୍କରେ ଜଡ଼ସଡ଼ ବଡ଼ମାନଙ୍କ ସାଙ୍ଗରେ ମୋ ପରି କିଛି ପିଲା । ଗାଁ ମୁଣ୍ଡ ଓସ୍ତ ଗଛ ପାଖରେ ହଠାତ୍ ତଳେ ପଡି ମୂର୍ଚ୍ଛା ଯାଏ ଝିଅଟି । ପାଣି ମାରି ସାଷ୍ଟାଙ୍ଗ କଲା ପରେ ସେ ବୁଝି ପାରେନି ସେ ଏଠି କାହିଁକି ? ଗୁଣିଆ ପାଖ ଗଛରେ ପିରିକ ଗୋଟେ ପିଟିକି କହେ ଆଉ ଡର ନାହିଁ, ବଜ୍ଜାତ ଡାଆଣୀ ଆଜିଠୁ ଏଇଠି ବନ୍ଦୀ ହେଲା । ସେମିତି ଗୋଟେ ଦିଗରୁ ଦେଖିବାକୁ ଗଲେ ଗୁଣିଆମାନେ ହେଲେ ଗାଁ ଗହଳର ଏକ ପ୍ରକାର ମନୋଚିକିତ୍ସକ ।

ପେଟରେ ପିଲା ଥାଇ ମରିଯାଇଥିବା ଭୁଆଶୁଣିଟି ଚିରିଗୁଣୀ ହୁଏ । ଅନ୍ଧାର ରାତିରେ ନିରୋଳା ମଶାଣିରେ ଚିରିଗୁଣୀ ନିଆଁ ଲଗେଇ ତା’ ପିଲାକୁ ସେକେ । କୁହାଯାଏ ଏ ଦୃଶ୍ୟ ଦେଖିଲ ମାନେ ରକ୍ତ ବାନ୍ତି କରି ମରିବା ନିଧାର୍ଯ୍ୟ ।

ଭୂତ, ପ୍ରେତ ଓ ଡାଆଣୀଙ୍କ ଗପ ଶୁଣିବାକୁ କାହାକୁ ଭଲ ନଲାଗେ ? ସେଥିରୁ ଭାରତୀୟ ସିନେମା କାହିଁକି ବା ବାଦ୍ ପଡ଼ିଥାନ୍ତା । ୧୯୪୯ରେ ପ୍ରଥମ କରି ନିର୍ଦ୍ଦେଶକ କମଲ ଅମରୋହୀ ଅଶୋକ କୁମାର ଓ ମଧୁବାଲାଙ୍କୁ ନେଇ ‘ମହଲ’ ନାମରେ ଏକ ଭୂତ ସିନେମା ତିଆରି କରିଥିଲେ । ସିନେମାଟି ବକ୍ସ ଅଫିସରେ ହିଟ୍ ମଧ୍ୟ ହେଇଗଲା । ଭୂତୁଣୀ ଭୂମିକାରେ ଅଭିନୟ ମଧୁବାଲା କରିଥିଲେ ଓ ସିନେମାର ‘ଆୟେଗା ଆନେୱାଲା’ ଗୀତଟି ଲତା ମଙ୍ଗେସକରଙ୍କ ଜୀବନର ପ୍ରଥମ ହିଟ୍ ଗୀତ ଥିଲା । ତାପରେ ୧୯୬୨ରେ ମୁକ୍ତିଲାଭ କରିଥିବା ‘ବିଶ୍ ସାଲ ବାଦ୍’ ଭୂତ ସିନେମାଟି ସୁପର ଡୁପର ହିଟ୍ ହେଲା । ‘ବିଶ୍ ସାଲ ବାଦ୍’ର ସଫଳତା ପରେ ପଛକୁ ପଛ ଆହୁରି ଭୂତ ଓ ଡାଆଣୀଙ୍କୁ ନେଇ ସିନେମା ତିଆରି ଚାଲିଲା । ବଲିଉଡ୍ ରେ ହରର୍ ସିନେମା ତିଆରିର ପରମ୍ପରା ଏବେବି ଚାଲିଛି । ଗଲାବର୍ଷ ୨୦୨୦ରେ ଏହି ଧାରାର ତିନୋଟି ସିନେମା ରିଲିଜ୍ ହେଇଛି । ପୃଥିବୀର ପ୍ରଥମ ହରର୍ ସିନେମା ଭାବରେ ଫରାସୀ ଚଳଚ୍ଚିତ୍ର ନିର୍ମାତା Georges Meliesଙ୍କର ୧୮୯୬ ର ‘ହଣ୍ଟେଡ୍ କ୍ୟାସଲ୍’ ନାମରେ ସାଢେ଼ ଦୁଇ ମିନିଟର ନିର୍ବାକ୍ ଚଳଚ୍ଚିତ୍ରକୁ ନିଆଯାଏ । ସାରା ପୃଥିବୀରେ ଦୁଷ୍ଟଆତ୍ମା, ଭୂତ, ପ୍ରେତ ଓ ଡାଆଣୀଙ୍କୁ ନେଇ ହରର୍ ସିନେମା ତିଆରି ହେଇଛି । ଓଡ଼ିଆ ସିନେମାରେ ୧୯୭୯ ରେ ନିର୍ମିତ ଚଳଚ୍ଚିତ୍ର ‘ନିଝୁମ୍ ରାତିର ସାଥି’ ରେ ପ୍ରଥମ କରି ପ୍ରେତାତ୍ମା ଆସିଛି । ସିନେମାରେ ଭୂତୁଣୀ ଚରିତ୍ରରେ ଅଭିନୟ କରିଛନ୍ତି ସୌଦାମିନୀ ମିଶ୍ର ଓ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ନାଟ୍ୟକାର ବିଶ୍ୱଜିତ ଦାସ । ପ୍ରଥମେ ଲୋକଗପ, ଲୋକ ବିଶ୍ୱାସ ଓ ବିଭିନ୍ନ ଧର୍ମୀୟ ଧାରଣା ଏବଂ ଏହାକୁ ଆଧାର କରି ଲିଖିତ ଗଳ୍ପ ଓ ଉପନ୍ୟାସ ଦ୍ୱାରା ପ୍ରଭାବିତ ହେଇ ସିନେମା ନିର୍ମାତା ଓ ନିର୍ଦ୍ଦେଶକମାନେ ସିନେମା ତିଆରି କରିଛନ୍ତି । ପରେ ସେହି ସିନେମାମାନେ ପୁଉଣି ଥରେ ଲୋକମାନଙ୍କର ବିଶ୍ୱାସକୁ ନିୟନ୍ତ୍ରଣ କରିଛନ୍ତି । ଆଜି ଆମମାନଙ୍କର ଭୂତ ପ୍ରେତ ଧାରଣା ବେଶୀ ଭାଗରେ ହରର୍ ସିନେମା ଓ ହରର୍ ଟେଲି ସିରିଏଲ୍ ଦ୍ୱାରା ପ୍ରଭାବିତ । ଠିକ୍ ରେ କାରଣଟି ଜାଣିନି, ତେବେ କିଛି ବର୍ଷ ହେଲାଣି ଦେଖୁଛି ଭାରତୀୟ ଟେଲି ସିରିଏଲ୍ ମାନଙ୍କରେ ଭୂତ, ଡାଆଣୀ ଓ ସାପଙ୍କର ପ୍ରାର୍ଦୁଭାବ ବଢ଼ିଯାଇଛି ।

ମୁଁ ଜାଣିନି କେହି ଇଶିତା ରାୟ ଚକ୍ରବର୍ତ୍ତୀ ଙ୍କ ନାଁ ଜାଣିଛନ୍ତି କି ନା । ୧୯୫୦ ରେ ଜନ୍ମିତ ଇଶିତାଙ୍କର ଜନ୍ମ ଏକ ସମ୍ଭ୍ରାନ୍ତ ପରିବାରରେ । ପିଲାଦିନ କଟିଛି କାନାଡ଼ା ଓ ଆମେରିକାରେ । ପୁରାତନ ସଂସ୍କୃତି ବିଷୟରେ ପାଠ ପଢୁଥିବା ବେଳେ ଇଶିତା ନୂଆ ଧାର୍ମିକ ଆନ୍ଦୋଳନ ଦ୍ୱାରା ପ୍ରଭାବିତ ହୋଇ ଗୁହ୍ୟବିଦ୍ୟା ସାଧନା କରିଛନ୍ତି । ଭାରତକୁ ଫେରିଆସି ବିବାହ କରିସାରିଲା ପରେ ସେ ନିଜକୁ ଜଣେ ଡାଆଣୀ ବୋଲି ୧୯୮୬ରେ ଆତ୍ମ ଘୋଷଣା କରି ଚର୍ଚ୍ଚାକୁ ଆସିଛନ୍ତି । ୨୦୦୩ ରେ ପ୍ରକାଶିତ ତାଙ୍କର ଆତ୍ମଜୀବନୀ ‘ବିଲଭଡ୍ ଉଇଚ୍’ରେ ତାଙ୍କ ସାଧନା ଓ ଅନୁଭୂତି ସମ୍ପର୍କରେ ଅନେକ ରୋଚକ ତଥ୍ୟ ରହିଛି । ଡାଆଣୀ ସନ୍ଦେହରେ ସ୍ତ୍ରୀ ଲୋକଙ୍କୁ କରାଯାଉଥିବା ଅତ୍ୟାଚାର ଓ ହତ୍ୟା ବିରୁଦ୍ଧରେ ସେ ପଶ୍ଚିମବଙ୍ଗର ଅନେକ ଗ୍ରାମୀଣ ଅଞ୍ଚଳ ବୁଲି ଅନେକ କାମ କରିଛନ୍ତି । ଇଶିତାଙ୍କ ଯୁକ୍ତି ହେଲା ଯେ, କୌଣସି ବୀରାଙ୍ଗନା ମହିଳା ଜଣେ ଜଣେ ଡାଆଣୀ । ଡାଆଣୀର ମାନେ ଏକ ପୂର୍ଣ୍ଣାଙ୍ଗ ନାରୀ ଶକ୍ତି । ଡାଆଣୀ ହେଲା ଜଣେ ସାହାସୀ ଓ ନିର୍ଭୀକ ନାରୀ, ଯିଏକି ନିଜ ଜୀବନକୁ ନିଜ ବାଟରେ ବଞ୍ଚିପାରେ ।

ଚିତ୍ରକଳାରେ ଅନେକ ଶିଳ୍ପୀ ମଧ୍ୟ ଡାଆଣୀମାନଙ୍କୁ ତାଙ୍କ ଛବିରେ ଆଙ୍କିଛନ୍ତି । ଖ୍ରୀ ୧୪୦୦ ସମୟ ବେଳକୁ ୟୁରୋପୀୟ ଅଳଙ୍କରଣ ଓ ଉଡ୍ କଟ୍ ରେ ଝାଡୁ ଉପରେ ଆସୀନା ଡାଆଣୀମାନେ ଆସିଗଲେଣି । ଜର୍ମାନ ଚିତ୍ରଶିଳ୍ପୀ ଆଲବ୍ରେଖଟ ଡ୍ୟୁରେର ଡାଆଣୀମାନଙ୍କୁ ନେଇ କିଛି ଚମତ୍କାର ଏନଗ୍ରାଭିଙ୍ଗ କରିଛନ୍ତି । ସ୍ପେନୀୟ ଶିଳ୍ପୀ ଗୋୟାଙ୍କ ଛବିରେ ଆମେ ଅନେକ ବାର ଡାଆଣୀମାନଙ୍କୁ ଭେଟୁ । ଆମର ଆଦିବାସୀମାନଙ୍କ ଛବି, ଲୋକକଳା ଓ ପ୍ରାଚୀନ ମିନିଏଚର ଛବିମାନଙ୍କରେ ମଧ୍ୟ ଭୂତ, ଡାଆଣୀ ଓ ଦୁଷ୍ଟଶକ୍ତି ମାନଙ୍କର ଉପସ୍ଥିତି ରହିଛି ।