ଚିତ୍ର - ୱିକି କମନ୍ସ

ସଂଲଗ୍ନ ଚିତ୍ରରେ ଯେଉଁ ପାଞ୍ଚୋଟି ପ୍ରାଣୀ ଅଛନ୍ତି ସେଥିରୁ ଦୁଇଟି ଅର୍ଥାତ୍ ଦୁଇଟି ମାଙ୍କଡ ଆପଣମାନଙ୍କର ଅତି ପରିଚିତ । ତଥାପି ସେମାନଙ୍କ ସମ୍ପର୍କରେ ଗୋଟିଏ ଦୁଇଟି ସୁନ୍ଦର ମାଙ୍କଡାମୀର କଥା କହିବାକୁ ଲୋଭ ହେଉଛି ।

ଚିତ୍ରରେ ବେଶିଭାଗ ଆୟତନକୁ ମାଡି ବସିଛି ଯେଉଁ ତିନି ନମ୍ବର ର ପ୍ରାଣୀ ତାହା ବିଷୟରେ ବି କିଛି କୁହାଯିବ ଟିକିଏ ପରେ ।ଯେହେତୁ ସେହି ପ୍ରାଣୀଟି ଏକ ବହିରାଗତ ପ୍ରାଣୀ ତେଣୁ ତାହା ବିଷୟରେ ଯାହା କୁହାଯିବ ତାହା ଅତି ସଂକ୍ଷେପରେ କୁହାଯିବ ।

ଚିତ୍ରରେ ଥିବା ପ୍ରାଣୀ କ୍ରମିକ ସଂଖ୍ୟା ଚାରି ଆଉ କ୍ରମିକ ସଂଖ୍ୟା ପାଞ୍ଚ ହେଉଛନ୍ତି ଯଥାକ୍ରମେ ଏଇ ଚିତ୍ରର ଶୈଳୀ ଓ ଏଇ ଚିତ୍ରର ଚିତ୍ରକର ।

ସେ ଯାହାହେଉ ଆଗ ମାଙ୍କଡ ମାନଙ୍କ ସମ୍ପର୍କରେ କିଛି ।

ଆମେ ସାଧାରଣତଃ ଆମ ସାନ ସାନ ହାଇପରଆକ୍ଟିଭ୍ ପିଲାଙ୍କୁ ଶ୍ରଦ୍ଧାରେ ମାଙ୍କଡ ବୋଲି କହିଥାଉ । ପିଲାଙ୍କୁ ଏମିତି ମାଙ୍କଡ ବୋଲି କହିବା କେଉଁଠୁ ଆରମ୍ଭ କହିବା ସହଜ ନୁହଁ । ହେଲେ ଇଂରେଜୀ ରେ ପିଲାଙ୍କୁ "ମଙ୍କି" ବୋଲି କହିବା ଆନୁମାନିକ ଖ୍ରୀଅ ୧୫୨୦ ବେଳରୁ ଆରମ୍ଭ ହୋଇଥିଲା ବୋଲି କିଛି ଭାଷା - ଇତିହାସକାର କହନ୍ତି । ଆମେ ପିଲାଙ୍କୁ ଶ୍ରଦ୍ଧାରେ ମାଙ୍କଡ କହିବା ପଛରେ ଆମର ମାଙ୍କଡ ବା ଏପ୍ ପ୍ରଜାତି ସହ ସାନିଧ୍ୟକୁ ବୁଝାଏ । ଏମିତିରେ ଦେଖିଲେ ଆମର ପ୍ରାଣୀଜଗତ ସହ ସମ୍ପର୍କ ନିବିଡ ବୋଲି ଆମେ ମଣିଷର ଭିନ୍ନ ଭିନ୍ନ ଆଭିମୂଖ୍ୟକୁ ଦେଖି ତାହାକୁ ଭିନ୍ନ ଭିନ୍ନ ପ୍ରାଣୀଙ୍କ ନାଆଁରେ ସମ୍ବୋଧନ କରିଥାଉ । ଯେମିତି ବଳୁଆକୁ ବାଘ, ମୋଟାକୁ ହାତୀ, କୁପ୍ରବୃତ୍ତିକୁ କୁକୁର, ଶିଆଳ, ସାପ, ଶାଗୁଣା ଇତ୍ୟାଦି । କିନ୍ତୁ ସମସ୍ତ ପ୍ରାଣୀଙ୍କ ତୁଳନାରେ ମାଙ୍କଡ ଆମର ଅଧିକ ନିକଟତର ଯେହେତୁ ଆମେ ସମଗୋତ୍ରୀୟ ବା ଏପ୍ ପ୍ରଜାତିର । ପୃଥିବୀରେ ଯେତେ ମାଙ୍କଡ (ଏପ୍) ପ୍ରଜାତି ଅଛନ୍ତି ସେମାନଙ୍କ ମଧ୍ୟରେ ଦେହସାରା ସବୁଠାରୁ କମ୍ ଲୋମ ଥିବା କାରଣରୁ ମଣିଷକୁ ଜୈବସମାଜବିତ୍ ଡେସମଣ୍ଡ ମୋରିସ "ଲଙ୍ଗଳା ମାଙ୍କଡ" ବା "ଦି ନେକେଡ୍ ଏପ୍" ବୋଲି କହିଛନ୍ତି । ତାଙ୍କର ଏପରି କହିବାର କାରଣ ହେଉଛି କୌଣସି ପ୍ରାଣୀର ସହଜାତ ସ୍ୱାଭାବିକ ପରିଧାନ ହେଉଛି ତାହାର ଶରୀରର ଲୋମ ଆଉ ମଣିଷର ଦେହରେ ଅନ୍ୟମାଙ୍କଡ ମାନଙ୍କ ଭଳି ଲୋଭ ନଥିବାରୁ ତାହାକୁ ଡେସମଣ୍ଡ ମରିସ୍ ଏପରି ନାଆଁ ଦେଇଛନ୍ତି ।

ମାଙ୍କଡ ମାନଙ୍କ ବିଷୟରେ ଆମର ବିଚାର କଲାଭଳି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ସେମାନଙ୍କର ସୁଶୃଙ୍ଖଳ ଯୌଥ ତଥା ଗୋଷ୍ଠୀଜୀବନ । ସେମାନେ ନିଜର ଦଳ ଭିତରେ ବଳଶାଳୀ ପୁରୁଷମାନଙ୍କୁ ଏକାଠି ଏକ ସମନ୍ୱୟରେ ରଖିପାରୁଥିବା କାରଣରୁ ସେମାନଙ୍କର ମସ୍ତିଷ୍କ ଆମ ତୁଳନାରେ ଯଥେଷ୍ଟ ଉର୍ବର । ଏହା ଛଡା ବର୍ଷା ଆଦି ବିପତ୍ତିର ସେମାନେ ଯଥେଷ୍ଟ ଆଗରୁ ଉପଯୁକ୍ତ ପ୍ରତିଷେଧକମୂଳକ ବ୍ୟବସ୍ଥା ନେଇଥା'ନ୍ତି ତେଣୁ ଆମେ ବର୍ଷାରେ ଅସହାୟ ହୋଇ ଭିଜୁଥିବା ମାଙ୍କଡଦଳକୁ କେଉଁଠି ଦେଖୁନା । ସେମାନେ ସମସ୍ତେ ନିଜ ପାଇଁ ଯାହା ସୁରକ୍ଷା ଆବଶ୍ୟକ ସେତକ ସଂପାଦନ କରିଥାନ୍ତି ।

ପ୍ରାଣୀବିତ୍ ଙ୍କ ମତରେ ମାଙ୍କଡର ସବୁଠୁ ଯାହା ହେଉଛି ବଡ ମାଙ୍କଡାମୀ ଅର୍ଥାତ୍ ସେ ଯାହାକୁ ଦେଖିବେ ଆଗ ଖିଁକାରୀ ଉଠିବେ, ସେହି "ବର୍ପ" ହେଉଛି ଅସଲରେ ଜଣେ ଅତିଥିକୁ ଦେଖିଲେ ତାଙ୍କର ସେଇଟି ସ୍ୱାଗତ ସମ୍ଭାଷଣ । ଏହାଛଡା ମାଙ୍କଡମାନଙ୍କର ଆମମାନଙ୍କ ଭଳି ଏକ ଅତ୍ୟନ୍ତ ଖରାପ ପ୍ରକୃତି ରହିଛି । ଏହା ସେମାନେ ମଣିଷଠାରୁ ମଦ୍ୟପାନ କରିବା ଭଳି କାର୍ଯ୍ୟ ଶିକ୍ଷା ଆକାରରେ ଗ୍ରହଣ କରିଛନ୍ତି କି ନାହିଁ ସଠିକ ଜଣାନାହିଁ ମାତ୍ର ପରୀକ୍ଷାରୁ ଏକଥା ଅନେକ ଥର ପ୍ରମାଣିତ ହୋଇଛି । ମାଙ୍କଡ ମାନଙ୍କର ବିଶେଷରେ ପୁରୁଷ ମାଙ୍କଡର ବିଶେଷ ଆଗ୍ରହ ରହିଥାଏ ଆଉ ଗୋଟିଏ ମଣିଷସୁଲଭ କାର୍ଯ୍ୟରେ । ଗୋଟିଏ ମଣିଷ - ନାରୀ ର ଛବି ଦେଖିଲେ ସେମାନେ ସହଜରେ ଛାଡନ୍ତି ନାହିଁ । ଟିକିନିଖି ଦୀର୍ଘ ସମୟ ଦେଖୁଥାନ୍ତି ।

ଶେଷ ମାଙ୍କଡ ତଥ୍ୟଟି ହେଉଛି ବି ଏକ ପରୀକ୍ଷା । ସେହି ପରୀକ୍ଷାରେ ଗୋଟିଏ ତିନିମାସର ଶିଶୁକୁ ଜଣେ ମଣିଷ ଆଉ ଗୋଟିଏ ମାଙ୍କଡ ପର ପର୍ଯ୍ୟାୟକ୍ରମେ ଡାକିଲା ବେଳେ ଦେଖାଯାଇଥିଲା ଯେ ସେଇ ତିନିମାସର ଶିଶୁ ବାରମ୍ବାର ମାଙ୍କଡର କଥାରେ ପ୍ରଭାବିତ ହେଉଥିଲା ।

ଏହାପରେ ଏଇ ଛବିରେ ଯେଉଁ ବଡ ବିଚିତ୍ର ପ୍ରାଣୀଟି ଦେଖାଯାଉଛି ତାହାକୁ ସମ୍ଭବତଃ ଚିହ୍ନିବା ଆପଣମାନଙ୍କର ସହଜ ହେବନାହିଁ । ସେଇଟି ହେଉଛି ଦକ୍ଷିଣ ଆମେରିକାରେ ଦେଖାଯାଉଥିବା ଏକ ପ୍ରାଣୀ ବିଶେଷ, ଯାହାକୁ "ଲାମା" ବୋଲି କୁହାଯାଏ । ଏଇ ଲାମାମାନେ ଏକ ପ୍ରକାର ଗୃହପାଳିତ ପଶୁ । ସେମାନଙ୍କୁ ସାଧାରଣତଃ ମାଂସ ପାଇଁ ସେଠାରେ ପାଳନ କରାଯାଇଥାଏ ।

ଏଇ ଛବିଟି ହେଉଛି ଗୋଟିଏ ଭାରତୀୟ ଛବି । ଏବଂ ଏହା ଗୋଟିଏ ବିଶିଷ୍ଟ ଶୈଳୀର ଭାରତୀୟ ଛବି ଆଉ ସବୁଠୁ ବଡକଥା ହେଲା ଯେ ଏହା ଜଣେ ବିଶିଷ୍ଟ ଭାରତୀୟ ଚିତ୍ରକରଙ୍କର ଛବି ।ଏହି ପ୍ରକାର ଶୈଳୀକୁ ଭାରତରେ "କମ୍ପାନୀ ଶୈଳୀ"ର ଛବି ବୋଲି କୁହାଯାଏ । ଭାରତରେ ଚିତ୍ରକଳା କ୍ଷେତ୍ରରେ "କମ୍ପାନୀ ଶୈଳୀ"ଟି ଖ୍ରୀଷ୍ଟୀୟ ଅଷ୍ଟାଦଶ ଶତାବ୍ଦୀରେ ବିକଶିତ ହୋଇଥିଲା । ଭାରତରେ ଈଷ୍ଟ ଇଣ୍ଡିଆ କମ୍ପାନୀ ଶାସନ କରିବା ପରେ ବସ୍ତୁତଃ ୧୭୬୪ର ବକସାର ଯୁଦ୍ଧ ପରେ ବଙ୍ଗ - ବିହାର - ଓଡିଶାର ରାଜସ୍ୱ ଆଦାୟ ଅଧିକାର ସହିତ କମ୍ପାନୀ କ୍ରମଶଃ ସମଗ୍ର ଭାରତକୁ ନିଜର ଶାସନାଧୀନ କରି ଚାଲିବା ବେଳେ ସେମାନଙ୍କ ନିକଟରେ ଶାସନ କାର୍ଯ୍ୟ ପାଇଁ କିଛି ବିଶେଷ କାମ କରିବାର ପ୍ରୟୋଜନ ଥିଲା । ସେହି ପ୍ରୟୋଜନ ମାନଙ୍କ ଭିତରେ ସବୁଠୁ ବଡ କଥା ଥିଲା ସେମାନେ ଯେଉଁ ଅଞ୍ଚଳରେ ନିଜର ଶାସନ ବିସ୍ତାର କରୁଛନ୍ତି ସେଇ ଅଞ୍ଚଳର ବିଶଦ ବିବରଣୀ ସେମାନଙ୍କ ନିକଟରେ ଉପଲବ୍ଧ ରହିବା ଆବଶ୍ୟକ । ସେଇଥିପାଇଁ ସେମାନଙ୍କୁ ସଂପୃକ୍ତ ଅଞ୍ଚଳର ଭାଷାକୁ ବୁଝିବାକୁ ହେବ, ସଂପୃକ୍ତ ଅଞ୍ଚଳର ଇତିହାସକୁ ଜାଣିବାକୁ ହେବ, ସଂପୃକ୍ତ ଅଞ୍ଚଳର ଆଇନ ବ୍ୟବସ୍ଥାପନା ଏବଂ ଧର୍ମଧାରାକୁ ବୁଝିବାକୁ ହେବ, ସଂପୃକ୍ତ ଅଞ୍ଚଳର ଜଳସମ୍ପଦ, ଭୂମି, କୃଷି, ଭୂଗୋଳ, ପୂରାତତ୍ତ୍ୱ ଓ ଶିଳ୍ପ ସ୍ଥାପତ୍ୟକୁ ବୁଝିବାକୁ ।

କମ୍ପାନୀର ନିଜ ଲୋକଙ୍କ ସଂଖ୍ୟା କମ୍, ସେମାନଙ୍କ ଭାଷା ଆଉ ସେମାନଙ୍କର ଚେହେରା ପ୍ରଥମ ଦର୍ଶନରେ ଭିନ୍ନ, ତେଣୁ ଏହିଭଳି ଭିନ୍ନତାର ଦୂରତ୍ୱର ସହ ଶାସନ କରିବା ସମ୍ଭବ ନୁହଁ । ତେଣୁ ସେମାନେ ଶାସନର ଶୀର୍ଷରେ ରହିବା ପାଇଁ ତାଙ୍କର ତଳକୁ ତଳ ସୁବୃହତ ପିରାମିଡ ଭଳି ସହାୟକ ନିର୍ମାଣ ମାନ ଯଥା ସମ୍ଭବ କରୁଥିଲେ । ଏବଂ ସେହିଭଳି ପିରାମିଡ୍-ସୁଲଭ ନିର୍ମାଣ ଯୋଗୁ ସେମାନେ ସଂଖ୍ୟାରେ କମ୍ ହେଲେ ମଧ୍ୟ ଏଠାରେ ଶାସନ କରିବାକୁ ସକ୍ଷମ ହୋଇଥିଲେ । ନିଜର ଶାସନର ସହାୟ - ନିର୍ମାଣ ପାଇଁ ସେମାନେ ଭାରତର ଭିନ୍ନ ଭିନ୍ନ ଅଞ୍ଚଳର ଭାଷାକୁ ଶିଖିଲେ । ଭାରତୀୟ ଭାଷାମାନଙ୍କର ବ୍ୟାକରଣ ରଚନା କରି ତାଙ୍କର "ରାଇଟର୍" ମାନଙ୍କୁ (ଈଷ୍ଟ ଇଣ୍ଡିଆ କମ୍ପାନୀର କର୍ମଚାରୀଙ୍କୁ "ରାଇଟର୍" କୁହାଯାଉଥିଲା ଆଉ ସେଇଥିପାଇଁ କଲିକତାରେ ସେମାନଙ୍କର ଦପ୍ତରକୁ "ରାଇଟରସ୍ ବିଲଡିଂ" ବୋଲି କୁହାଯାଉଥିଲା । ଏବେ ଅବଶ୍ୟ ତାହାର ନାଆଁ "ନବାନ୍ନ") ପ୍ରଶିକ୍ଷିତ କରାଯାଉଥିଲା । କଲିକତାର ଫୋର୍ଟ ୱିଲିଅମ୍ ଠାରେ ନିଜର କର୍ମଚାରୀଙ୍କୁ ଭାରତ ବିଷୟରେ ପ୍ରଶିକ୍ଷଣ ଦେବାପାଇଁ ଲର୍ଡ୍ ୱେଲେସଲି ୧୮୦୦ ଖ୍ରୀଅରେ ଫୋର୍ଟ ୱିଲିଅମ୍ କଲେଜ ସ୍ଥାପନା କରିଥିଲେ ।

ଏହି କଲେଜର ପ୍ରଥମ ଅଧ୍ୟକ୍ଷ ଥିଲେ ୱିଲିଅମ୍ କେରୀ । ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି କେରୀ ସାହେବ ଥିଲେ ବଙ୍ଗଳା ଭାଷାର ଅଧ୍ୟାପକ । ଏହା କିପରି ସମ୍ଭବ ? ନର୍ଦନ ହାମ୍ପସାୟର୍ ରେ ୧୭୩୫ ଖ୍ରୀଅରେ ଜନ୍ମିତ ଖ୍ରୀଷ୍ଟ ଧର୍ମ ପ୍ରଚାରକ ୱିଲିଅମ୍ କେରୀ ଭାରତ ଆସିବା ପରେ ୧୭୯୩ ଖ୍ରୀଅରେ ନିଜର ବଙ୍ଗଳା ଭାଷାର ଶିକ୍ଷକ ହିସାବରେ ଜଣେ ବଙ୍ଗଭାଷୀ ରାମରାମ ବସୁଙ୍କୁ (୧୭୫୭-୧୮୧୩) ନିଜର ମୁନସୀ ହିସାବରେ ନିଯୁକ୍ତ କରିଥିଲେ । ସେତେବେଳେ ମୁନସୀ ରାମରାମଙ୍କର ବେତନ ଥିଲା ମାସିକ କୋଡିଏ ଟଙ୍କା । କହିବାକୁ ଗଲେ ଏଇ ପରିମାଣର ବେତନ ସେ ସମୟର ଏକ ନିହାତି ଉଚ୍ଚମାନର ବେତନ ଥିଲା । ଏଇଠି କହିବାକୁ ଚାହିଁବି ମୁନସି ରାମରାମ ବସୁଙ୍କ ଜୀବନକୁ ନେଇ ବଙ୍ଗୀୟ ଲେଖକ ପ୍ରମଥନାଥ ବିଶି "କେରୀ ସାହେବେର୍ ମୁନସି" ବୋଲି ଏକ ସୁବୃହୁତ ଉପନ୍ୟାସ ରଚନା କରିଛନ୍ତି । ଉପସ୍ଥିତ ଲେଖକର ତରୁଣ କାଳରେ ରାତି ଅନିଦ୍ରା ହୋଇ ସେଇ ଉପନ୍ୟାସ ପଢିବାର ସୁଖ ଆଜି ବି ଆକୁଳ କରେ । ସେତେବେଳକୁ ଉପସ୍ଥିତ ଲେଖକର ଚାକିରୀର ଆଦ୍ୟକାଳ ଆଉ ସରକାରୀ ମହାବିଦ୍ୟାଳୟ, ଭବାନୀପାଟଣାର ଲାଇବ୍ରେରୀରେ ରହିଥିଲା ପ୍ରଚୁର ବଙ୍ଗଳା ବହି । ସାହିତ୍ୟ ଲେଖିବାର ସାମାନ୍ୟତମ ଆଗ୍ରହ ନଥିଲା । ଯାହା ଯାହା ଆଗ୍ରହ ଥିଲା ତାହାକୁ କହି ନିଜକୁ ନିନ୍ଦିତ କରିବା ଏତେ ଦିନ ପରେ ଉଚିତ ନୁହଁ । ୱିଲିଅମ୍ କେରୀ ଙ୍କୁ ଓଡିଶାରେ ଖ୍ରୀଷ୍ଟଧର୍ମର ପ୍ରଚାର ପ୍ରସାର ପ୍ରସଂଗରେ ସ୍ମରଣ କରାଯାଏ । ଏଠାରେ କହିବା କଥା ହେଉଛି ଏହି ବ୍ରିଟିଶ୍ ସାହେବ ଜଣକ ବଂଗଳା ଭାଷାର ଅଧ୍ୟାପକ ହିସାବରେ ବଙ୍ଗଳା ଭାଷାର ପ୍ରଭୂତ ଉନ୍ନତି ସାଧନ କରିଛନ୍ତି । ସଂକ୍ଷେପରେ କହିଲେ ଭାରତୀୟ ଭାଷା ସାହିତ୍ୟରେ ଯାହା ପ୍ରମୂଖ ବିଭବ, ଅଧ୍ୟାତ୍ମ ଓ ବିଶ୍ୱାସ ତାହା ସହିତ ୱିଲିଅମ୍ କେରୀ ପାଶ୍ଚାତ୍ୟ ବିଚାରର ସଂଯୋଜନ କରିଥିଲେ । ଏହା ଗୋଟିଏ ଭାଷା ସାହିତ୍ୟର ବିକାଶରେ ମହତ୍ୱପୂର୍ଣ୍ଣ କଥା ନିଶ୍ଚୟ । ଆପଣମାନଙ୍କ ପାଇଁ ଏହି ତଥ୍ୟଟି ରଖିବାକୁ ଚାହିଁବି ଯେ, ଏହି ୱିଲିଅମ୍ କେରୀ ହେଉଛନ୍ତି ବଙ୍ଗଳା ଭାଷାରେ ପ୍ରଥମ କ୍ଷୁଦ୍ରଗଳ୍ପର ଲେଖକ । ତାଙ୍କର ରଚିତ ସେହି କ୍ଷୁଦ୍ର ଗଳ୍ପର ନାଆଁ ଟି ଅତି ବିଚିତ୍ର,"ବନ୍ଧୁର ବିକ୍ରୟ, ନମାଜ - ପଢା ବ୍ରାହ୍ମଣ" । ଏଇ ଗଳ୍ପର ରଚନା କାଳ ହେଉଛି, ୧୮୧୨ଖ୍ରୀଅ । ହଁ,୧୮୧୨ ଖ୍ରୀଅ ଏହା ତାଙ୍କ ବିରଚିତ "ଇତିହାସମାଳା" ବହିରେ ସ୍ଥାନୀତ ।

ୱିଲିଅମ୍ କେରୀଙ୍କ ବିଷୟରେ ଏତେ ସାତକାହାଣ କରି କହିବାର ଉଦ୍ଦେଶ୍ୟ ହେଉଛି ରାଜ୍ୟ ଶାସନ କରିବା ତଥା ନିଜର କର ଆଦାୟକୁ କେଉଁଭଳି ନିର୍ବିଘ୍ନ ଆଉ ସହଜ କରିବା ଉଦ୍ଦେଶ୍ୟରେ ଏକ ବହିରାଗତ ଈଷ୍ଟ ଇଣ୍ଡିଆ କମ୍ପାନୀର ନିରବଚ୍ଛିନ୍ନ ପ୍ରୟାସକୁ ସଠିକ ବୁଝିପାରିବା ।

ସେହି ସମାନ ସମୟରେ ଅର୍ଥାତ୍ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗ ତଥା ଉନବିଂଶ ଶତାବ୍ଦୀର ଆଦ୍ୟଭାଗରେ ସେମାନେ ଭାରତୀୟ ଅଂଚଳମାନଙ୍କୁ ଏକ ପ୍ରକାର ବିଧିବଦ୍ଧ ଡକ୍ୟୁମେଣ୍ଟେସନ୍ କରିବାରେ ପ୍ରୟାସ ରତ ଥିଲେ । ଅନେକ ସ୍ଥାନୀୟ ପ୍ରସଂଗ ତଥା ଇତିହାସ, ପୁରାଣ ଆଦି ଇଂରେଜୀରେ ଲେଖା ତଥା ଅନୁବାଦ ହେଲା । ଅନେକ ବ୍ରିଟିଶ କର୍ମଚାରୀ ଶାସନର ସୁବିଧା ପାଇଁ ନିଜନିଜର ଅଭିଜ୍ଞତାମୂଳକ ସ୍ମୃତି କଥା ଲେଖିଲେ । ଏହି ସବୁ ଲିଖନ କର୍ମ ସହିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହେଲା ଏଇ ସବୁ ଭାରତୀୟ ଅଂଚଳ ସହିତ ଇଉରୋପିଆନ୍ ସମୁଦାୟର ଏକ ଚାକ୍ଷୁଷ ଅର୍ଥାତ୍ ଛବିଳ ପରିଚିତି । ଭାରତକୁ ସମସ୍ତ ତତ୍କାଳୀନ ଶାସକ ବର୍ଗ ତଥା ଇଉରୋପରେ ଅଧିକ ବିଶ୍ୱସ୍ତ କରିବା ପାଇଁ ସେମାନେ ଇଲଷ୍ଟ୍ରେଟର୍ ବା ଅଳଙ୍କରଣକାରୀ ହିସାବରେ ଇଉରୋପର ଚିତ୍ରକରମାନଙ୍କୁ ଏଠାକୁ ସାଥିରେ ଧରି ଆସିଲେ । ସେମାନେ ଭାରତର ଭିନ୍ନ ଭିନ୍ନ ଅଂଚଳର ଛବି କରିବାକୁ ଆରମ୍ଭକଲେ ।

ଏହା ପୂର୍ବରୁ ଭାରତରେ ମୁଗଲମାନଙ୍କ ସମୟରେ ପାରସ୍ୟର ଚିତ୍ରକଳା ଓ ଭାରତର ନିଜ ଚିତ୍ରକଳାର ଏକ ମିଶ୍ରିତ ଶୈଳୀ ଚାଲିଥିଲା । ତାହାକୁ ମୁଗଲ ମିନିଏଚର୍ ବୋଲି କୁହାଯାଉଥିଲା । ସାଧାରଣତଃ ରାଜକୀୟ ଜୀବନ, ପୌରାଣିକ କାହାଣୀ ତଥା କିଛି ଦନ୍ତକଥାକୁ ଆଧାର କରି ଏହିଭଳି ଶୈଳୀରେ ଚିତ୍ର ଅଂକନ କରାଯାଉଥିଲା । ମୁଗଲ ସାମ୍ରାଜ୍ୟର ପତନ ସହିତ ଏହି ମିନିଏଚର ଶୈଳୀର ଅବନତି ଘଟିଲା । ଚିତ୍ରକର ମାନଙ୍କୁ ଆଉ ଆଗଭଳି ପୃଷ୍ଠପୋଷକତା ମିଳିଲା ନାହିଁ । ସେଇ ସମୟରେ ଈଷ୍ଟ ଇଣ୍ଡିଆ କଂପାନୀର ଶାସନରେ ବହିର୍ଗତ ଇଉରୋପୀୟ ଚିତ୍ରକରମାନେ ଆସି ଏଠାରେ ଶାସକ ବର୍ଗ ଓ ତାଙ୍କ ଚାରିପଟ ର ମଣିଷ, ସ୍ଥାନ ଆଉ ଘଟଣା ମାନଙ୍କର ଅବିକଳ ବାସ୍ତବବାଦୀ ଚିତ୍ରାଙ୍କନ କରୁଥିଲେ । ଆଗରୁ କହିଛି ଶାସନର ସୁବିଧା ପାଇଁ ଚାକ୍ଷୁଷ ଯଥାସ୍ଥିତିର ଛବି ଅଂକନର ଆବଶ୍ୟକତା ରହିଥିଲା । ତେଣୁ ସେତେବେଳର ଇଉରୋପୀୟ ବାସ୍ତବବାଦ ଏକ ପ୍ରକାର ଜନପ୍ରିୟତା ଲାଭ କରିବା ସହିତ ନିୟମିତ ପୃଷ୍ଟପୋଷକତା ପାଉଥିଲା । ବ୍ରିଟିଶ ଶାସକମାନେ ଏଠାରୁ ଅବସର ପରେ ନିଜ ଦେଶକୁ ଫେରିଗଲା ବେଳେ ଏଠାରୁ ସ୍ମୃତି ହିସାବରେ ଏଠିକାର ସ୍ଥାନୀୟ ପ୍ରେକ୍ଷାପଟରେ ଅଂକା ହୋଇଥିବା ଛବିକୁ ନେଇ ଯାଉଥିଲେ । ତେଣୁ ଅନ୍ୟ ଭାବରେ କହିଲେ କଂପାନୀର ଶାସନ ଏବଂ କଂପାନୀର କର୍ମଚାରୀଙ୍କର ଛବି - ଚାହିଦାକୁ ମେଣ୍ଟାଇବା ପାଇଁ ସେତେବେଳେ ଭାରତରେ ସେତିକି ଇଉରୋପୀୟ ଚିତ୍ରକର ନଥିଲେ । ଏହା ସହିତ ତତ୍କାଳୀନ ଦେଶୀୟ ରାଜା ମାନେ ନିଜକୁ ବ୍ରିଟିଶ ପ୍ରଭୂବର୍ଗ ସମତୁଲ କରିବା ଇଚ୍ଛାରୁ ଇଉରୋପୀୟ ଚିତ୍ରକରମାନଙ୍କ ଦ୍ୱାରା ନିଜର ପୋର୍ଟ୍ରେଟ୍ ମାନ ଅଂକନ କରାଉଥିଲେ । ଭାରତରେ ପ୍ରଚଳିତ ମିନିଏଚର ପେଣ୍ଟିଙ୍ଗର ଋଚି ଆଉ ରହିଲା ନାହିଁ । ଭାରତୀୟ ଚିତ୍ରକର ପୃଷ୍ଟପୋଷକତାର ଅଭାବ ହେତୁ ନିଜର ଅଂକନରେ ପରିବର୍ତ୍ତନ ଆଣିବାକୁ ଏକପ୍ରକାର ବାଧ୍ୟ ହେଲେ ।

ସେହି ପରିବର୍ତ୍ତନ ଶୈଳୀର ଚିତ୍ରକଳାର ଅନ୍ୟତମ ଉଦାହାରଣ ହେଉଛି ଏଠାରେ ସଂଲଗ୍ନ ଥିବା ଚିତ୍ରଟି । ସଂଲଗ୍ନ ଚିତ୍ରର ଶୈଳୀ, ଯାହା "ମୁଗଲ ମିନିଏଚର" ଶୈଳୀର ପରବର୍ତ୍ତୀ ସମୟରେ ଭାରତରେ ଶୈଳୀ ହିସାବରେ ବିକଶିତ ହୋଇଛି ତାହାକୁ ଚିତ୍ର - ଐତିହାସିକ ମାନେ "କଂପାନୀ ସ୍କୁଲ୍"ର ଚିତ୍ର ବୋଲି କହିଥାନ୍ତି । ଯାହା ଆଗରୁ କୁହାଯାଇଛି ମୁଗଲ ସାମ୍ରାଜ୍ୟର ପତନ ଆଉ ପୃଷ୍ଟପୋଷକତାର ଅଭାବରୁ ଏବଂ ଇଉରୋପୀୟ ମାନଙ୍କର ଏଠାକୁ ଆଗମନ ପରେ ଭାରତୀୟ ଉଚ୍ଚବର୍ଗ ମଧ୍ୟରେ କଳାଋଚିରେ ପରିବର୍ତ୍ତନ ଘଟିବା କାରଣରୁ ଚିତ୍ରକର ମାନେ ନିଜର ଜୀବିକାକୁ ସଂରକ୍ଷଣ କରିବା ପାଇଁ କଂପାନୀର ବେପାର ଯେଉଁ ଅଂଚଳ ମାନଙ୍କରେ ସମୃଦ୍ଧ ହେଉଥିଲା ସେଠିକୁ ଯାଇ ନୂତନ ଭାବରେ ଛବି ଆଙ୍କିବାକୁ ଚେଷ୍ଟା କରୁଥିଲେ । ଫଳରେ ଲକ୍ଷ୍ନୌ, ହାଇଦ୍ରାବାଦ, ପୁନା, ସତାରା, ବନାରସ, ମଥୁରା, ମାଇସୋର, ତାଞ୍ଜୋର, ଲାହୋର, ଅବଧ, ବିଜାପୁର, ମୁର୍ସିଦାବାଦ ଆଉ ପାଟନା ଆଦି ସ୍ଥାନରେ ଭାଗ୍ୟାନ୍ୱେଷୀ ଭାରତୀୟ ଚିତ୍ରକରଙ୍କର ଅଧିକ ଉପସ୍ଥିତି ଦେଖାଗଲା ।

ଏଇଠେ ଗୋଟିଏ ପ୍ରସଂଗ ଉଲ୍ଲେଖ କରିବାକୁ ଚାହିଁବି, ଶାସକ, ଧର୍ମ ପ୍ରଚାରକ, ବ୍ୟବସାୟୀମାନଙ୍କ ଭଳି ଚିତ୍ରକର ମାନେ ବି ସେମିତି ଏକ ଯେଉଁମାନେ ଲକ୍ଷ୍ୟଯୁକ୍ତ ଭ୍ରମଣଶୀଳ ସଂପ୍ରଦାୟ । ଇଉରୋପୀୟ ଆଗମନ ପରେ ଭାରତୀୟ ଚିତ୍ରକଳାର ଏଇ ପରିବର୍ତ୍ତନ କ୍ଷଣରେ ନବ୍ୟଶିକ୍ଷିତ ଭାରତୀୟ ମାନେ ଦେଶଜରୀତିକୁ କ୍ରମଶଃ ଅବଜ୍ଞା କରିବାକୁ ଲାଗିଲେ । ଫଳରେ ଭାରତୀୟ ଦେଶଜରୀତିର ଚିତ୍ରକଳା କ୍ରମଶଃ ସାଧାରଣ ଘରଭିତରର ଆଚାର ଅନୁଷ୍ଠାନ, ନାରୀମାନଙ୍କର ଚିତ୍ତତୋଷ ବସ୍ତୁ ଭିତରେ ରହିଯିବାକୁ ଆରମ୍ଭ କଲା । ତେଣୁ ସେଇ ସମୟରେ ଭାରତୀୟ ଦେଶଜ ରୀତିରେ ଅଧିକ ଆଳଙ୍କାରିକତା ଦେଖାଗଲା । ଏବଂ ସମାନ ସମୟରେ ବାହାରେ ଭାରତୀୟ ନବ୍ୟ ଶିକ୍ଷିତ ମାନଙ୍କର ଦୃଷ୍ଟିଭଂଗୀରେ ପରିବର୍ତ୍ତନ ତଥା ବିଶେଷ ଭାବରେ କଂପାନୀ କର୍ମଚାରୀଙ୍କ ଋଚିବୋଧ ତଥା ସେମାନଙ୍କର ସଂପୂର୍ଣ୍ଣ ଭାରତର ବୈଚିତ୍ର୍ୟକୁ ଚାକ୍ଷୁଷ-ନଥିରେ ଭବିଷ୍ୟତ ପାଇଁ ସଂରକ୍ଷିତ କରି ରଖିଯିବାର କାରଣରୁ ଯେଉଁ ମିଶ୍ରିତ ଭାରତର ଦେଶଜ ଏବଂ ଇଉରୋପୀୟ ଶୈଳୀର ଉଦ୍ଭବ ହେଲା ତାହା ହେଉଛି, କଂପାନୀ ସ୍କୁଲର ଚିତ୍ରକଳା । ଚିତ୍ର-ଐତିହାସିକତା ଅନୁସାରେ ଭାରତରେ ସେତେବେଳେ ତିନି ପ୍ରକାର ଚିତ୍ର - ଆବଶ୍ୟକତା ରହିଥିଲା । ସମାଜର ସବା ତଳେ ଦେଶଜ ଚିତ୍ର ତଥା ପଟ, ମଧ୍ୟମବର୍ଗ ପାଇଁ ବିଭିନ୍ନ ପଟ ଆଉ ଲିଥୋଗ୍ରାଫ୍ ଏବଂ ଉଚ୍ଚ ବର୍ଗ ପାଇଁ ଇଉରୋପୀୟ ତଥା ଦେଶୀୟ ଚିତ୍ରକରମାନଙ୍କ ଦ୍ୱାରା ଅଂକା ଯାଇଥିବା ଭିନ୍ନ ଭିନ୍ନ ଛବି ।ସେତେବେଳର ଉଚ୍ଚବର୍ଗ ଅର୍ଥାତ୍ କଂପାନୀର ଉଚ୍ଚପଦସ୍ଥ କର୍ମଚାରୀମାନେ ଇଉରୋପୀୟ ଚିତ୍ରକର ମାନଙ୍କୁ ନିୟୋଜିତ କରି ନିଜ ଇଚ୍ଛା ମୁତାବକ ଛବି ଆଙ୍କିବାକୁ କହୁଥିଲେ । ଏବଂ ଏହାଛଡା କିଛି ଦେଶୀୟ ଶିଳ୍ପୀ ଇଉରୋପୀୟ ଚିତ୍ରକରମାନଙ୍କ ଠାରୁ କାମ ଶିଖି ସେମାନଙ୍କ ଅନୁସୃତ ପଦ୍ଧତିରେ ଛବି ମାନ କଂପାନୀର କର୍ମଚାରୀଙ୍କ ପାଇଁ ଆଙ୍କୁଥିଲେ । ଅଷ୍ଟାଦଶ ଶତାବ୍ଦୀର ଶେଷ ଏବଂ ଉନବିଂଶ ଶତାବ୍ଦୀର ଆରମ୍ଭରେ ଏହିଭଳି ଯେଉଁ ଚିତ୍ରଧାରାଟି ଭାରତରେ ଦେଖାଯାଇଥିଲା ତାହା ହେଉଛି ଚିତ୍ରକଳା ର "କଂପାନୀ ସ୍କୁଲ୍" । ୧୭୭୨ ଖ୍ରୀଅ ର ଭାରତ ନିୟାମକ ଆଇନ୍ ଅନୁସାରେ କଲିକତାରେ ପ୍ରତିଷ୍ଠିତ ଭାରତୀୟ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ସାର୍ ଏଲିଜା ଇଂଫେ ଏବଂ ଲେଡି ଇଂଫେ ଏହି ଚିତ୍ରଧାରାର ଅନ୍ୟତମ ପ୍ରମୁଖ ପୃଷ୍ଠପୋଷକ ଥିଲେ । ତାଙ୍କ ବ୍ୟତୀତ ଅନେକ କଂପାନୀ କର୍ମଚାରୀ ମଧ୍ୟ ଦେଶୀୟ ଶିଳ୍ପୀଙ୍କ ଦ୍ୱାରା ଅନେକ ଆଲବମ୍ ମାନ ଅଂକନ କରି ନିଜର ଭାରତ ସ୍ମୃତିକୁ ସବୁଦିନ ପାଇଁ ସଂରକ୍ଷିତ କରି ରଖିବାକୁ ଉଚିତ୍ ମନେ କରୁଥିଲେ । ଏହା ବ୍ୟତୀତ କେତେକ କଂପାନୀ କର୍ମଚାରୀ ତଥା ସେମାନଙ୍କର ପତ୍ନୀମାନେ ସ୍ୱୟଂ କିଛି ଛବି ତଥା ସ୍କେଚ୍ ମାନ ନିଜର ବ୍ୟକ୍ତିଗତ ସଂଗ୍ରହ ପାଇଁ ଅଂକନ କରୁଥିଲେ । ଏହା "କଂପାନୀ ସ୍କୁଲ୍"ର ଚିତ୍ରକଳାକୁ ବ୍ୟାପକ ଓ ପ୍ରଶସ୍ତ କରିଥିଲା ।

ସଂକ୍ଷେପରେ କହିଲେ କଂପାନୀ ସ୍କୁଲ୍ ର ଚିତ୍ରଗୁଡିକରେ ଆଗଭଳି ଭାରତୀୟ ଦେଶଜ ଛବିରେ ବ୍ୟବହୃତ ଜୈବିକ ସାଧାରଣ ରଂଗର ବ୍ୟବହାର ହେଉନଥିଲା । ଏଥିରେ ବ୍ୟବହାର ହେଉଥିଲା ବହୁଳ ଭାବରେ ଜଳ ରଂଗ । ହାଓଡାରେ ଉନବିଂଶ ଶତାବ୍ଦୀ ଆଦ୍ୟକାଳରେ କାଗଜ କଳ ପ୍ରତିଷ୍ଠା ହେବା ଯୋଗୁ ସେଠାରୁ ଚାରିଆଡକୁ କାଗଜ ଯାଉଥିଲା । କଂପାନୀ ଛବିର ବିଷୟ ବସ୍ତୁ ପଶୁ, ପକ୍ଷୀ, ଗଛ, ସାଧାରଣ ମଣିଷ, କୋଠାବାଡି, ନୈସର୍ଗିକ ଦୃଶ୍ୟ, କୌଣସି ବିଶେଷ ଘଟଣା ବା ଦୃଶ୍ୟ । ଭାରତର ମିନିଏଚର ପେଣ୍ଟିଙ୍ଗରେ ଯେଉଁ ଧର୍ମ, କାଳ୍ପନିକ କାହାଣୀ, ସେ ସବୁ ଏହାର ବିଷୟବସ୍ତୁ ହିସାବରେ ରହୁନଥିଲା । ଏହି ସବୁ କଂପାନୀ ସ୍କୁଲ୍ ର ଛବିରେ ଚରିତ୍ର ମାନଙ୍କ ଉପରେ ଗୁରୁତ୍ୱ ଦିଆଯାଉଥିଲା, ଏବଂ ଛବି ଗୁଡିକ ମୂଖ୍ୟତଃ ବର୍ଣ୍ଣନାଧର୍ମୀ ହୋଇ ରହୁଥିଲା । କହିବାକୁ ଭାରତର ଏହି "କଂପାନୀ ସ୍କୁଲ" ର ଛବି ମାନ ଯେମିତି ଥିଲା, ଫଟୋଗ୍ରାଫି ର ପୂର୍ବଅବସ୍ଥା । ଫଟୋଗ୍ରାଫି ସେତେବେଳକୁ ବାହାରି ନଥିଲା । ଅନ୍ୟ ଭାବରେ କହିଲେ ଦେଶୀୟ ଶିଳ୍ପୀମାନେ ଇଉରୋପୀୟ ଚିତ୍ରକରଙ୍କର ପଦ୍ଧତି ଅନୁସାରେ ବିଭିନ୍ନ ଜିନିଷର ସାମ୍ନାରେ ବସି ଛବି ଆଙ୍କୁଥିଲେ । ଏହି ଛବି ଧାରାଟି ବ୍ୟାପକତା ଅର୍ଜନ କରିବା ପଛରେ ଗୋଟିଏ ବିଚିତ୍ର କାରଣର କଥା ଆମକୁ ମନେ ରଖିବାର ଅଛି । ସେ ସମୟରେ ଭାରତରେ ଇଂରେଜଙ୍କର ମୃତ୍ୟୁହାରର ବୟସ ଯଥେଷ୍ଟ କମ୍ ଥିବା କାରଣରୁ ଜଣେ ଇଂରେଜୀ ସାହେବ ମୃତ୍ୟୁ ବରଣ କଲାପରେ ତାହାର ସମସ୍ତ ଆସବାବ୍ ପତ୍ର ତଥା ତାହାର ସଂଗ୍ରହରେ ଥିବା ଛବିମାନ କଲିକତାର ବଜାରରେ ନିଲାମ ହେଉଥିଲା । କହିବାକୁ ଗଲେ ସେ ସମୟରେ ଯଥେଷ୍ଟ କଂପାନୀ ସ୍କୁଲ୍ ର ଛବି ଏଇଭଳି ଭାବରେ କଲିକତାର ବଜାରରେ ଉପଲବ୍ଧ ହେଉଥିଲା । ଭାରତର ନବ୍ୟଶିକ୍ଷିତ ମାନେ ଧନାଢ୍ୟମାନେ ଇଂରେଜ ସାହେବମାନଙ୍କୁ ଅନୁକରଣ କରିବାକୁ ଯାଇ ସେହି ଆସବାବପତ୍ର ଓ ଛବିକୁ ନିଲାମରେ ଧରୁଥିଲେ । ଏହି ପ୍ରଭାବଶାଳୀ ଭାରତୀୟ ବର୍ଗଙ୍କ ଯୋଗୁ "କଂପାନୀ ସ୍କୁଲ୍"ର ଛବି ଭାରତୀୟ ଗରକୁ ପ୍ରବେଶ କରିପାରିଥିଲା । କଂପାନୀ ସ୍କୁଲ୍ ର ଜନପ୍ରିୟତା ଦେଖି ସେତେବେଳରେ କଲିକତାର ସ୍ଥାନୀୟ ଦେଶଜରୀତିର ପଟ ଯାହାକୁ "କାଳୀଘାଟ ପଟ" ବୋଲି କୁହାଯାଏ ସେଥିରେ ବି ଶିଳ୍ପୀମାନେ ଜଳ ରଂଗର ବ୍ୟବହାର କରିବାକୁ ଆରମ୍ଭ କରିଥିଲେ ।

୧୮୧୩ ଖ୍ରୀଅରେ କଲିକତାର ଗଭର୍ଣ୍ଣର ଜେନେରାଲ୍ ଲର୍ଡ ହେଷ୍ଟିଙ୍ଗସ୍ ଦିଲ୍ଲୀ ଅଭିମୁଖେ ଶାସନର ତଦାରଖ କରିବା ପାଇଁ ଯାତ୍ରାରେ ବାହାରିଥିଲେ । ତାଙ୍କ ସହିତ ଜଣେ ସ୍ଥାନୀୟ ଚିତ୍ରକର ଯାତ୍ରା କରିଥିଲେ । ଲର୍ଡ ହେଷ୍ଟିଙ୍ଗସ୍ ଙ୍କ ଯାତ୍ରା ପଥରେ ଯାହା ଯାହା ଆଚମ୍ବିତ ଦୃଶ୍ୟ ଦେଖାଯିବ ତାହାକୁ ଯଥାଶିଘ୍ର ଆଙ୍କିବା ପାଇଁ ସେହି ଚିତ୍ରକରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଗରୁ ଯାହା କୁହାଯାଇଛି ଏଇ ପ୍ରକଳ୍ପଟି ଏକ "ଭିଜୁଆଲ୍ ଡକ୍ୟୁମେଣ୍ଟେସନ" ଥିଲା । ଲର୍ଡ ହେଷ୍ଟିଙ୍ଗସ୍ ଙ୍କର ଏହି କଲିକତା ଠାରୁ ଦିଲ୍ଲୀକୁ ଯିବା ବାଟରେ ସେହି ଚିତ୍ରକର ଜଣକ ପ୍ରାୟତଃ ଦୁଇଶହ ଛବି ଆଙ୍କିଥିଲେ । ସଂପ୍ରତି ତାଙ୍କର ସେହି ଛବିମାନଙ୍କର ଏକ ଆଲବମ୍ ଲଣ୍ଡନସ୍ଥିତ ଇଣ୍ଡିଆ ଅଫିସ୍ ଲାଇବ୍ରେରୀରେ ଅଛି । ସେ ସମୟରେ କଲିକତାରେ ଏଇଭଳି ନୂତନ ଶୈଳୀର ଚିତ୍ରକର ମାନେ ପ୍ରାୟ ପାଟନାରୁ ଆସି ରହୁଥିଲେ । ଲର୍ଡ ହେଷ୍ଟିଙ୍ଗସ୍ ସହ ସେଇ ଦିଲ୍ଲୀ ଯାତ୍ରାରେ ଯାଇଥିବା ଚିତ୍ରକର ଜଣକ ସେମିତି ପାଟନାରୁ ଆସି କଲିକତାରେ ଛବି କାମ କରୁଥିଲେ । ତାଙ୍କର ନାଆଁ ହେଉଛି ସୀତାରାମ । ଭାରତର" କଂପାନୀ ସ୍କୁଲ" ଚିତ୍ର କଳାର ସେ ଅନ୍ୟତମ ଅଗ୍ରଣୀ ଚିତ୍ରକର ।

ସଂଲଗ୍ନ ଛବିଟି ସୀତାରାମଙ୍କ ଦ୍ୱାରା ଅଂକିତ ଏବଂ ଏହା ଗଭର୍ଣ୍ଣର ଜେନେରାଲ୍ ଙ୍କର ସେଇ ଦିଲ୍ଲୀ ଯାତ୍ରା ସମୟର ଅନ୍ୟତମ ଅଂକା ଯାଇଥିବା ଛବି ଯଦି ଏଇଟି ସେ ସମୟର ଛବି ତାହାହେଲେ ଏଥିରେ ଥିବା ଏଇ ଅଦ୍ଭୁତ ଜୀବଟି ଆସିଲା କେଉଁଠୁ ? ଏହା ବାସ୍ତବରେ ଏକ ପ୍ରାଣୀ ହିସାବରେ ଏଇ ଛବିରେ ଯାହାକୁ ବାଟରେ ସୀତାରାମ ଦେଖିଥିଲେ ନା ଏହାପଛରେ ଆଉ କ'ଣ ରହସ୍ୟ ରହିଛି ?

ଏଇ ଅଦ୍ଭୁତ ଜୀବଟି ଭାରତରେ ଦେଖାଯାଏ ନାହିଁ । ଏହା ଦକ୍ଷିଣ ଆମେରିକାରେ ଦେଖାଯାଏ । ମାଂସ ଉଦ୍ଦେଶ୍ୟରେ ଏହା ଏକ ଗୃହପାଳିତ ପଶୁ । ଏହାର ନାଆଁ ହେଉଛି "ଲାମା" । ୧୮୦୪ ଖ୍ରୀଅରେ ଲର୍ଡ ୱେଲସଲି କଲିକତାର ବାରାକପୁରଠାରେ ଗୋଟିଏ ଚିଡିଆଖାନା ପ୍ରତିଷ୍ଠା କରିଥିଲେ । ସେତେବେଳେ ଏଇ "ଲାମା" ଭଳି କିଛି ଜୀବଯନ୍ତୁଙ୍କୁ ବାହାରୁ ଅଣାଯାଇଥିଲା । ଏହାର ଆଗରୁ ୧୭୯୩ ଖ୍ରୀଅରେ କଲିକତାର ଶିବପୁରଠାରେ ବଟାନିକାଲ୍ ଗାର୍ଡେନ ପ୍ରତିଷ୍ଠା କରାଯାଇଥିଲା । ଶିବପୁରର ବଟାନିକାଲ ଗାର୍ଡନ୍ ଆଉ ବାରାକପୁର୍ ର ଚିଡିଆଖାନାକୁ ଶିଳ୍ପୀମାନେ ଯାଇ ସେଠିକାର ଛବି ମାନ ଅଂକନ କରୁଥିଲେ । କଂପାନୀର ଉଚ୍ଚପଦସ୍ଥ କର୍ମଚାରୀ ମାନଙ୍କର ଏହା ସେତେବେଳେ ନିର୍ଦ୍ଦେଶ ଥିଲା ।

ଶିଳ୍ପୀ ସୀତାରାମ ୧୮୧୩ ଖ୍ରୀଅରେ ଲର୍ଡ ହେଷ୍ଟିଙ୍ଗସ୍ ସହ ଦିଲ୍ଲୀ ଗଲାବେଳେ ବାଟରେ ଭାରତର ମାଙ୍କଡ ମାନଙ୍କୁ ଦେଖିଥିବା ଏକ ନିହାତି ସ୍ୱାଭାବିକ କଥା । ମାତ୍ର ଏହି ସ୍ୱାଭାବିକ ଦୃଶ୍ୟ ସହ ନିଜର କଳ୍ପନାରୁ "ଲାମା" ଭଳି ଜୀବଟିଏ ଯୋଡି ନିଜର ଛବିକୁ ଏହ ଭିନ୍ନ ମାତ୍ରା ଦେବାର ପ୍ରଚେଷ୍ଟା କରିଛନ୍ତି ସେ ।

ସବୁ ଚିତ୍ରକର ନିଜର ଛବିକୁ ସବୁବେଳେ ଅଦ୍ଭୁତ କରିବାର ପ୍ରୟାସରେ ରହିଥାଏ ।ଏଇଟି ହେଉଛି ସବୁଠୁ ବଡ ସତ ।