ଫଟୋ - ଦେବଦାସ ଦିଲୀପ କୁମାର, ୱିକି କମନ୍ସ

ତାଙ୍କ ପାଇଁ ସମୟ ବା ମହାକାଳ ପାଖରେ କୌଣସି ପୂର୍ଣ୍ଣଚ୍ଛେଦ ନାହିଁ । ସେ ଏକ ଅସରନ୍ତି ଓ ନିରନ୍ତର ପ୍ରବାହ । ତାଙ୍କର ଜନ୍ମ ହୁଏତ ଏକ ମାଇଲଖୁଣ୍ଟ, ହେଲେ ତାଙ୍କ ପାଇଁ ମୃତ୍ୟୁ ବୋଲି କିଛି ନାଇଁ । ତାଙ୍କର ଜୀବନ ଭାରତୀୟ କଳା ଓ ଅଭିନୟ ଜଗତରେ ଏକ ନିରନ୍ତର ପ୍ରବାହ । ଗତ ଶତାବ୍ଦୀର ଚାଳିଶ ଦଶକରେ ସେ ଆସିଥିଲେ ଭାରତୀୟ ସିନେମାକୁ ନାୟକ ଭାବରେ । ତାଙ୍କର ଆସିବା ଏକମାତ୍ର ସତ୍ୟ, ତାଙ୍କର ବିଦାୟ ନେବା, ସମ୍ଭବ ନୁହେଁ । ୯୮ ବର୍ଷର ପରିପୂର୍ଣ୍ଣ ଜୀବନରେ ସେ ଅଭିନୟର ଏମିତି ଏକ କ୍ଷେତ୍ର ନିର୍ମାଣ କରିଯାଇଛନ୍ତି, ଯାହାର କୌଣସି ବିକଳ୍ପ ନାଇଁ । ଭାରତୀୟ ସିନେମାରେ ମହାନାୟକ କେବଳ ଜଣେ, ଆଉ ସେ ଜଣକ ଦିଲୀପ କୁମାର । ବାକି ସମସ୍ତେ କେଉଁଠି ନା କେଉଁଠି ଦିଲୀପ କୁମାରଙ୍କ ଅଂଶ । ଆହୁରି ଅନେକ ତ କେବଳ ଦିଲୀପ କୁମାରଙ୍କର ଛାଇ ମାତ୍ର । ୧୯୪୦ ରୁ ୧୯୮୦ - ଏଇ ଚାଳିଶ ବର୍ଷ ଭାରତୀୟ ସିନେମାରେ ଦିଲୀପ କୁମାର ଯୁଗ । ତାଙ୍କ ସମସାମୟିକ ଓ ତାଙ୍କ ପରେ ବହୁ ନାୟକ ଆସିଛନ୍ତି । ତାଙ୍କ ସମୟର ପ୍ରତିଯୋଗିତାରେ ଏ ଦେଶର ସବୁଠୁ ମହାନ ଅଭିନେତା ମାନେ ଇ ଥିଲେ । ତାଙ୍କର ପ୍ରତିଯୋଗୀ ଓ ସହଯୋଗୀ ଭାବରେ ଆମେ ଦେଖିଛୁ ଗୁରୁଦତ୍ତ, ରାଜ କପୁର, ରାଜ କୁମାର ପ୍ରମୁଖଙ୍କୁ । ଏମାନେ ସମସ୍ତେ ନିଜ ସମୟର ମହାନାୟକ । ହେଲେ ଦିଲୀପ କୁମାର ମହାନାୟକ ମାନଙ୍କର ମହାନାୟକ । ସେ ଭାରତୀୟ ସିନେମାର ଶିଖର ପୁରୁଷ । ନିର୍ବିକଳ୍ପ ଓ ତୁଳନା ବିହୀନ ମହାନାୟକ ।

ଭାରତୀୟ ସିନେମାରେ ଦିଲୀପ କୁମାର ଏକ ପରମ୍ପରା । ତାଙ୍କରି ଅଂଶ ଭାବରେ ବାକି ସମସ୍ତେ ଆସିଛନ୍ତି ଓ ଯାଇଛନ୍ତି । ଏକଦା ଏଇ ସମୟର ମହାନାୟକ ଶାହରୁଖ ଖାଁ କହିଥିଲେ, “ଆମେ ସମସ୍ତେ ଦିଲୀପ କୁମାରଙ୍କ ଛୋଟ ଛୋଟ ଅଂଶ ମାତ୍ର“ । ଅଭିନୟରେ ତାଙ୍କ ପରେ ଆସିଥିବା ସବୁ ସୁପରଷ୍ଟାର ତାଙ୍କ ପରି ହେବାକୁ ଚେଷ୍ଟା କରିଛନ୍ତି । ରାଜେଶ ଖାନ୍ନା, ଅମିତାଭ ବଚ୍ଚନ, ଶାହରୁଖ ଖାଁ, ଅମିର ଖାଁଙ୍କ ଠୁ ଆଜିର ସମୟର ଆୟୁଷ୍ମାନ ଖୁରାନା ଓ ବିକି କୌଶଳ ପର୍ଯ୍ୟନ୍ତ, ସମସ୍ତଙ୍କ ଭିତରେ ଟିକେ ଟିକେ ଦିଲୀପ କୁମାର ରହିଆସିଛନ୍ତି । ସିନେମାର ଇତିହାସରେ ଏତେ ଲମ୍ବା ସମୟ ଯାଏଁ ନିଜ ଅଭିନୟର ପ୍ରଭାବ ତିଆରି କରିଥିବା ଅଭିନେତା ବହୁତ କମ ଅଛନ୍ତି ।

ଦିଲୀପ କୁମାରଙ୍କୁ ଦେଖିଥିବା ସବୁ ଦର୍ଶକ ଜାଣନ୍ତି, ସେ ନିଜ ଚରିତ୍ରର ପରିଚୟରେ ଇ ବଞ୍ଚି ଆସିଛନ୍ତି । ସେ ପ୍ରେମ ଓ ସଙ୍ଘର୍ଷର ମହାନାୟକ 'ଶେହେଜାଦା ସଲିମ' - "ମୁଗଲ-ଏ-ଆଜମ" (୧୯୬୦) । ସେ ପ୍ରେମିକପଣର କାଳଜୟୀ ମହାନାୟକ “ଦେବଦାସ” (୧୯୫୪) । ନୂଆ ସମୟର ଆହ୍ଵାନ ଭାବରେ ଠିଆ ହୋଇଥିବା ନାୟକ 'ଶଙ୍କର' - "ନୟା ଦୌର" (୧୯୫୭ ) । ଆମ ଗ୍ରାମୀଣ ଜୀବନର ତ୍ୟାଗ ଓ ସମର୍ପଣର ଚିତ୍ରନାୟକ “ଗୋପୀ” (୧୯୭୦) । ଗଙ୍ଗା ଯମୁନାର ଧାରା ପରି ଭାରତୀୟ ସଂସ୍କୃତିର ସେ 'ଗଙ୍ଗା' - "ଗଙ୍ଗା ଯମୁନା" (୧୯୬୧) । କର୍ତ୍ତବ୍ୟନିଷ୍ଠା ଓ ଦେଶପ୍ରେମର ଅନନ୍ୟ ନାୟକ ସେ 'ସହିଦ ରାମ' - "ସହିଦ" (୧୯୪୭), 'ଜେଲର ବିଶ୍ଵନାଥ ପ୍ରତାପ ସିଂ' - "କର୍ମା" (୧୯୮୬), ସ୍ଵାଧୀନତା ଆନ୍ଦୋଳନର କ୍ରାନ୍ତିଦୂତ 'ସାଙ୍ଗା' - "କ୍ରାନ୍ତି" (୧୯୮୧) ଓ ଆହୁରି ଅନେକ ।

ଦିଲୀପ କୁମାର ଓରଫ ୟୁସୁଫ ଖାଁ, ଭାରତୀୟ ସିନେମାର ଏମିତି ମହାନାୟକ, ଯିଏ ଦୀର୍ଘ ଜୀବନ ବଞ୍ଚିବା ଭିତରେ ବାଛି ବାଛି ସିନେମା କରିଛନ୍ତି । ଏତେ ଲମ୍ବା ଅଭିନୟ ଜୀବନରେ ତାଙ୍କ ସିନେମା ସଂଖ୍ୟା ପାଖାପାଖି ପଚାଶ । କୌଣସି ବି ସିନେମାର ଇତିହାସରେ ଜଣେ ସଫଳତମ ମହାନାୟକ ପାଇଁ ଏ ସଂଖ୍ୟା ଆଶ୍ଚର୍ଯ୍ୟଜନକ । ୧୯୪୪ରେ ପ୍ରଥମ ସିନେମା “ଜ୍ଵାର ଭାଟା” ଠୁ ଆରମ୍ଭ କରି ୧୯୯୮ର “କିଲା” ପର୍ଯନ୍ତ, ୫୫ ବର୍ଷର ଅଭିନୟ ଅବଧିରେ ସେ ପ୍ରତ୍ୟାଖ୍ୟାନ କରିଥିବା ସିନେମା ସଂଖ୍ୟା, ତାଙ୍କ ଅଭିନୀତ ସିନେମା ଠୁ ଢେର ଅଧିକ । ସେଥିପାଇଁ ସେ ଦିଲୀପ କୁମାର । ଗୋଟେ ବାକ୍ୟରେ ହୁଏତ କହିହେବ, ଦିଲୀପ କୁମାର ତାଙ୍କ ଜୀବନରେ ଖରାପ ସିନେମା କରି ନାହାନ୍ତି ।

କେହି କେହି ତାଙ୍କୁ “ଟ୍ରାଜେଡି କିଙ୍ଗ୍” ବୋଲି କହିଥାନ୍ତି । ହେଲେ ଭାରତୀୟ ସିନେମାରେ ଉଭୟ ଟ୍ରାଜେଡି ଓ କମେଡିର ମହାନାୟକ ସିଏ । ନାୟକର କମେଡି କଥା ଉଠିଲେ, ଆଜି ମଧ୍ୟ ସମସ୍ତେ ଦିଲୀପ ଲୁମାରଙ୍କ ଛାଇ । କିଛି ବଡ ତାରକା ତ ଜୀବନ ତମାମ ଦିଲୀପ କୁମାରଙ୍କ ଛାଇ ହୋଇ ରହି ଯାଇଛନ୍ତି ।

ଭାରତ ଓ ଭାରତୀୟ ସଂସ୍କୃତିର ଅନନ୍ୟ ପ୍ରତୀକ ସିଏ । ଜନ୍ମ ଡିସେମ୍ବର ୧୧, ୧୯୨୨, ଅବିଭକ୍ତ ଭାରତର ପେଶାୱାରରେ । ଧର୍ମ ଓ ଜାତୀୟତାକୁ ନେଇ ଅନେକ ସମୟରେ ଦିଲୀପ କୁମାରଙ୍କୁ ଅନେକ କଥା ଶୁଣିବାକୁ ପଡିଛି । ତେବେ ଅବିଚଳ ଭାବରେ ସେ ମହାଭାରତୀୟ ଜୀବନକୁ ନିଜ ଅଭିନୟରେ ଫୁଟେଇ ଆସିଛନ୍ତି । କେବଳ ଭାରତୀୟ ସିନେମା ନୁହଁ, ସମଗ୍ର ପୃଥିବୀର ସିନେମାରେ ପରିମିତ ଅଭିନୟ ଦକ୍ଷତା (Minimal and Methodical Acting) ପାଇଁ ଦିଲୀପ କୁମାରଙ୍କର ଏକ ସ୍ଵତନ୍ତ୍ର ସ୍ଥାନ ନିର୍ଦ୍ଧାରିତ ହୋଇରହିଛି ଓ କାଳ କାଳକୁ ଏହା ରହିବ ।

ଦିଲୀପ କୁମାର ମହାକାଳର କ୍ରାନ୍ତିନାୟକ । ତାଙ୍କର ମୃତ୍ୟୁ କେବଳ ଏକ ଘଟଣା ମାତ୍ର, ଏହା ତାଙ୍କ ଜୀବନର ପୂର୍ଣ୍ଣଚ୍ଛେଦ ନୁହଁ ।