ଫଟୋ: ସଙ୍ଗୀତ ସୁଧାକର ଫାଉଣ୍ଡେସନ, ଭୁବନେଶ୍ୱର

୧୯୫୦ ମସିହାରେ “ଶ୍ରୀ ଜଗନ୍ନାଥ” ସିନେମା ମୁକ୍ତିଲାଭ କରିବା ସହିତ ଓଡିଶାର ସାଂସ୍କୃତିକ ଆକାଶରେ ବାଳକୃଷ୍ଣ ଦାଶ ସବୁଠୁ ଉଜ୍ଜ୍ୱଳ ତାରକା ପାଲଟି ଯାଆନ୍ତି । ୧୯୫୦ ରୁ ୧୯୭୫, ଓଡିଆ ସଙ୍ଗୀତରେ ବାଳକୃଷ୍ଣ ଯୁଗ । ସେ ଓଡିଆ ସଙ୍ଗୀତର ସବୁ ଧାରାର ମୁଖ୍ୟନାୟକ । ତେବେ ବାଳକୃଷ୍ଣ ଦାଶଙ୍କ ସଙ୍ଗୀତର ଯେଉଁ ବିଶାଳତା ଓ ବିବିଧତା ଆମେ ସତୁରୀ ଓ ଅଶି ଦଶକରେ ଦେଖିଛୁ, ତାର ମଞ୍ଜି ସେହି “ଶ୍ରୀ ଜଗନ୍ନାଥ” ସିନେମାରେ ଇ ପଡିଛି । ବିଶିଷ୍ଟ ସିନେମା ଗବେଷକ ସୂର୍ଯ୍ୟ ଦେଓଙ୍କ ତଥ୍ୟ ଅନୁସାରେ ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶକ ବାଳକୃଷ୍ଣ ଦାଶ ଓ ରଣଜିତ ରାୟ । ସିନେମାରେ ରହିଥିବା ସମୁଦାୟ ଦଶଟି ଗୀତରୁ ୮ଟି ଗୀତ ରଣଜିତ ରାୟଙ୍କ ନାଁରେ ରହିଥିବା ବେଳେ ୨ ଟି ଗୀତ ବାଳକୃଷ୍ଣ ଦାଶଙ୍କ ନାଁ ରେ ରହିଛି । ତେବେ ବାଣୀକଣ୍ଠ ଗାଇଥିବା ଦୁଇ ପ୍ରସିଦ୍ଧ ଗୀତ - “ନୀଳ ସିନ୍ଧୁ ତୀରେ ନୀଳ ଅଚଳ” ଓ “ଚକାଡୋଳା କିମ୍ପା ଡକା” ର ସ୍ଵର ଆଦୌ ରଣଜିତ ରାୟଙ୍କ ଶୈଳୀର ନୁହେଁ । ସେତେବେଳକୁ ରଣଜିତ ରାୟ ନାମକରା ସଙ୍ଗୀତ ନିର୍ଦ୍ଦେଶକ । ହୁଏତ ବ୍ୟାବସାୟିକ ଦୃଷ୍ଟିରୁ ରଣଜିତ ରାୟଙ୍କ ନାଁକୁ ଅଧିକ ବ୍ୟବହାର କରାଯାଇଛି । ଅନ୍ତତଃ ଏହି ସିନେମାର ତିନୋଟି ଲୋକ ଶୈଳୀର ଗୀତରେ ଓଡିଶାର ଆଦିବାସୀ ଝୁମର ଓ ଢୁମ୍ପା ଗୀତର ଶୈଳୀ ବ୍ୟବହାର ହୋଇଛି, ଯାହାକି ରଣଜିତ ରାୟଙ୍କ ଦକ୍ଷତା ବାହାରେ । ଏହି ସିନେମାର ଗୀତରେ ବଲିଉଡର ତତ୍କାଳୀନ କୁନ୍ଦନଲାଲ ସାଇଗଲ ଶୈଳୀ, ବଙ୍ଗାଳୀ ରବୀନ୍ଦ୍ର ସଙ୍ଗୀତ, ଶୁଦ୍ଧ ଓଡିଶୀ ଏବଂ ଆଦିବାସୀ ଗୀତର ଅଦ୍ଭୁତ ମିଶ୍ରଣ ଘଟିଛି । ପରବର୍ତ୍ତୀ ସମୟରେ ଏହି ମିଶ୍ର ଶୈଳୀ ହିଁ ବାଳକୃଷ୍ଣ ଦାଶଙ୍କ ସଙ୍ଗୀତର ବିଶେଷତ୍ଵ ପାଲଟି ଯାଇଛି ।

ଲୋକ ଏବଂ ଆଦିବାସୀ ଗୀତର ସୃଜନଶୀଳ ପ୍ରୟୋଗ ମାଧ୍ୟମରେ ଆଧୁନିକ ଲୋକପ୍ରିୟ ଗୀତ ତିଆରି କରିବାର ଉଦ୍ଦେଶ୍ୟରୂ ସେ ତିଆରି କରିଛନ୍ତି “ଆସ ଜୀବନ ଧନ ମୋର ପଖାଳ କଂସା” କିମ୍ବା “ମୁଢି ନଡିଆ” ଭଳି କାଳଜୟୀ ଗୀତ । ଏ ଗୀତ ସବୁ କେବଳ ସ୍ଵର ଦୃଷ୍ଟିରୁ କାଳଜୟୀ ନୁହନ୍ତି, ଏଥିରେ ଓଡିଆ ଜୀବନର ସାମାଜିକ ଇତିହାସ ମିଶିକି ରହିଛି । ଓଡିଆର ପଖାଳ କଂସା ବାଳକୃଷ୍ଣ ଦାଶଙ୍କ କଣ୍ଠରେ ଆହୁରି ସୁଆଦିଆ ଓ ମଉଜିଆ ହୋଇଛି । କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କ ରଚନା ଓ ବାଳକୃଷ୍ଣ ଦାଶଙ୍କ ସୁରରେ ଓଡିଆ ଜୀବନର ସାଂସ୍କୃତିକ ଇତିହାସ ଗୀତରେ ରଚିତ ହୋଇଛି । ଦାସକାଠିଆ ଶୈଳୀର ସଫଳତମ ଆଧୁନିକ ପ୍ରୟୋଗ ଭାବରେ ଏ ଦୁଇ ଗୀତର ଐତିହାସିକ ମୂଲ୍ୟ ଢେର ଅଧିକ ।

ବାଳକୃଷ୍ଣ ଦାଶଙ୍କ ସିନେମା ସଙ୍ଗୀତର ଗୋଟେ ଉଲ୍ଲେଖନୀୟ ଦିଗ ହେଉଛି, ସେ ତିଆରି କରିଥିବା ପ୍ରତ୍ୟେକ ସିନେମାଗୀତରେ ଲୋକଶୈଳୀର ଗୋଟିଏ କିମ୍ବା ଦୁଇଟି ଗୀତ ନିଶ୍ଚୟ ରହିଛି । “ଶ୍ରୀ ଲୋକନାଥ” ର ସେ ସବୁଠୁ ଲୋକପ୍ରିୟ କାଳଜୟୀ ଗୀତ, “ଫୁଲ ରସିଆରେ ମନ ମୋ ଛୁଇଁ ଛୁଇଁ ଯା” ରେ ଓଡିଆ ଲୋକଗୀତର ଆଭାସ ସ୍ପଷ୍ଟ । ସନ୍ଧ୍ୟା ମୁଖାର୍ଜୀ କଣ୍ଠରେ “ଯାଆଆଆ...ଯାଃ” ର ଯେଉଁ ଆବେଦନ ସେ ଓଡିଆ ଉଚ୍ଚାରଣର ଏକ ଅନୁପମ ଆବେଗ । ବାଳକୃଷ୍ଣ ଦାଶ ତାଙ୍କର ପ୍ରାୟ ସବୁ ଗୀତରେ ଉଚ୍ଚାରଣର ବ୍ୟଞ୍ଜନାକୁ ବିଭିନ୍ନ ଭାବରେ ପ୍ରୟୋଗ କରିଛନ୍ତି । ତାଙ୍କ ପରେ ଗୀତ କେବଳ ସ୍ଵର ହୋଇ ରହିଗଲା, ହେଲେ ଗୀତ ଭିତରେ ରହିଥିବା ବ୍ୟଞ୍ଜନା ଆମେ ଆଉ ପାଇଲୁ ନାହିଁ । “ଲାଜରେ ସରିଗଲି ଆଜି” ରେ “ଲାଜ” ଶବ୍ଦର ବିବିଧ ବ୍ୟଞ୍ଜନାକୁ ଆଉ କେଉଁ ଗାୟକ ଏମିତି ଫୁଟାଇ ପାରିବାର ଆପଣ ଶୁଣିଛନ୍ତି କି ? ତାଙ୍କ ଗାୟକିରେ ଗୋଟେ ଚିତ୍ରନାଟ୍ୟ ସବୁବେଳେ ତିଆରି ହେଉଥାଏ । ଆପଣ କେବଳ ଗୀତଟିକୁ ଶୁଣୁନାହାନ୍ତି, ଗୀତଟିକୁ ଦେଖୁଛନ୍ତି । ସ୍ଵରର ଚିତ୍ରନାଟ୍ୟ ରଚନାରେ ସେ ଓଡିଆ ସଙ୍ଗୀତର ଶେଷତମ ମହାନ ଶିଳ୍ପୀ ।

ଲୋକଗୀତର ପ୍ରୟୋଗରେ ସିନେମାଗୀତ ଅନେକ ତିଆରି ହୋଇଛି, ହେଲେ ବାଳକୃଷ୍ଣ ଦାଶଙ୍କ ଲୋକଗୀତର ପ୍ରୟୋଗ ଟିକେ ନିଆରା । ସେ ଓଡିଆ ଲୋକାଜୀବନରେ ରହିଥିବା ସବୁ ପାର୍ବଣର ଗୀତକୁ ଅମରତ୍ଵ ଦେଇଛନ୍ତି । “ଭାଇ ଭାଇ” ସିନେମାରେ ହଳିଆ ଗୀତ – “ରାମ ଯେ ଲକ୍ଷଣ ହୋ ଗଲେ ମୃଗ ମାରି”, “ଲକ୍ଷ୍ମୀ” ସିନେମାରେ “ଝୁଲରେ ହାତୀ ଝୁଲରେ, ବାଆ ପାଣି ଖାଇ ଫୁଲରେ" ଏବଂ ଦଣ୍ଡନାଚର ଚଢେୟା ଚଢେୟାଣୀ ଶୈଳୀରେ “ଶୁଆ ଥଣ୍ଟ ନାଲି ନାଲି”, “ନୂଆ ବୋଉ” ରେ “ରଥ ଯା ଚାଲି ଯା , ଚକ ଗଡି ଯା ରେ”, “ମନ ଦୋଳି ଉଡି ଯା”, “ମାଣିକ ଯୋଡି”ରେ “ହାକୁମ ଢାବଲ ହାକୁମ ଢାବଲ”, “ଅମଡା ବାଟ” ର “ଏ ତ କଳିକାଳ ରୀତି ବିପରୀତ ଭାଇ ରେ”, “ନବଜନ୍ମ”ର “ମଲ୍ଲି ଢପ ଲୋ, ମା ଲୋ ମଲି, ଅଫୁଲି ଫୁଲି” , “ଅଭିନେତ୍ରୀ’ ରେ “କଇଁଚି କାକୁଡି ନଳିତା ପିତା” ଇତ୍ୟାଦି ଗୀତକୁ ଆମେ ଓଡିଶାର ଲୋକ ଜୀବନର ଆମର ସ୍ଵର ବୋଲି କହିପାରିବା । ଓଡିଆ ଜୀବନରେ ଏମିତି କୌଣସି ପାର୍ବଣ ନାହିଁ, ଯାହା ଲାଗି ବାଳକୃଷ୍ଣ ଦାଶ ସୁର ତିଆରି କରିନାହାନ୍ତି । “ବନସ୍ତେ ଡାକିଲା ଗଜ” ହେଉ ବା କୁଆଁର ପୁନେଇଁ ର “ଫୁଲ ବଉଳ ବେଣୀ”, ସବୁ ସଙ୍ଗୀତରେ ବାଳକୃଷ୍ଣ ଦାଶ ଏବେ ବି ଷୋହଳ ଅଣା ଓଡିଆ ଉତ୍ସବର ଗାୟକ ।

ଏତେ ସବୁ ଭିତରେ ଗୋଟେ ତଥ୍ୟ ଆମେ କେହି ଭୁଲିଯିବା ଉଚିତ ନୁହେଁ । ଓଡିଆ ସିନେମାରେ ପ୍ରଥମ ସମ୍ବଲପୁରୀ ଗୀତର ସ୍ରଷ୍ଟା ହେଉଛନ୍ତି ସେ । ୧୯୬୪ରେ ମୁକ୍ତିଲାଭ କରିଥିବା ଶରତ ପୂଜାରୀଙ୍କ ଚର୍ଚ୍ଚିତ ସିନେମା “ସାଧନା”ରେ ବାଳକୃଷ୍ଣ ଦାଶଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରଥମ ସମ୍ବଲପୁରୀ ଗୀତ “ଝୁମ ଝୁମ ବାଜେ ମୋର ଝୁମକା ପଏଁରୀ” ଗୀତ ଟି ଗୋଟେ ନୂଆଯୁଗ ତିଆରି କରିଥିଲା । ଲୋକ ସଙ୍ଗୀତ ମାଧ୍ୟମରେ ସାରା ଓଡିଶାର ବିଭିନ୍ନ କ୍ଷେତ୍ରକୁ ଗୋଟିଏ ସାଂସ୍କୃତିକ ସୂତ୍ରରେ ବାନ୍ଧିବାର ସକଳ ଶ୍ରେୟ ସଙ୍ଗୀତ ସୁଧାକରଙ୍କୁ ସବୁବେଳେ ମିଳିବ ।

ତେବେ ସେ ଯେ ଖାଲି ନିଜ ସଙ୍ଗୀତ ନିର୍ଦ୍ଦେଶନାରେ ଲୋକଗୀତ ତିଆରି କରିଛନ୍ତି ତା ନୁହେଁ, ଅନ୍ୟ ସଙ୍ଗୀତ ନିର୍ଦ୍ଦେଶକଙ୍କ ଲାଗି ମଧ୍ୟ ସେ ଯେବେ ବି ଗାଇଛନ୍ତି, ସେଥିରେ ଲୋକସ୍ଵରର ସାର୍ଥକ ପ୍ରଭାବ ତିଆରି କରିଛନ୍ତି । ଗାୟକ ଭାବରେ “ମାଟିର ମଣିଷ” ସିନେମାରେ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ନିର୍ଦ୍ଦେଶନାରେ ସେ ଗାଇଥିବା “ରାମ ହେଲେ ବନବାସୀ ପିତାର ବଚନ ପାଳି, ନହୁଲି ବଯସୀ ସୀତା ପାଦ ନ ପାରଇ ଚାଳି ” ଆଜି ବି ଛତି ଭିତରକୁ ବାରମ୍ବାର କୋରି ପକାଏ ।