ଫଟୋ: ଫେସବୁକ ଲେଖକ ପୃଷ୍ଠା

“ମୁଁ ଆଶବାଦୀ ଯେ ଦିନେ ନା ଦିନେ କବିତା ପୁଣି ମୋ ହାତ ପାଆନ୍ତାରେ ଧରା ଦେବ । “ନଦୀ ଫେରେ ସାଗରକୁ, ପକ୍ଷୀ ଫେରେ ନୀଡେ” ଗୀତର ଧାଡି ପରି ପୁଣି ମୁଁ କବିତାର ତୀରକୁ ଫେରିବି । ପ୍ରତୀକ୍ଷା ଖାଲି ଏବେ ଅପହଞ୍ଚ ମନେ ହେଉଥିବା ସେଇ ନିରୀହ, ଛଳଛଳ, ନମନୀୟ ଭାବ ଓ ଆବେଗର । ଏ ପ୍ରତୀକ୍ଷାର ଅନ୍ତ ଏବେ ନା ଆଉ କେବେ, ତାହା କେବଳ ସମୟ ହିଁ କହିବ । ତେବେ ଯେଉଁ ବାଟ ଦେଇ ମଣିଷ ଆଗକୁ ଯାଇଥାଏ, ପୁଣି ସେହି ବାଟ ଦେଇ ପଛକୁ ଫେରେ । କବିତାକୁ ପୁଣି ଫେରିବାର ଏ ନିୟତି ଯେ ମୋତେ ଅପେକ୍ଷା କରି ରହିଛି, ସେ ନେଇ ମୋର କୌଣସି ସଂଶୟ ନାହିଁ ।“ (ଗପ, କବିତା, ଗୀତି କବିତା – ଦେବାଶିଷ ପାଣିଗ୍ରାହୀ, “ପକ୍ଷୀଘର”, ପୂଜା ସଂଖ୍ୟା - ୨୦୨୦)

ମାତ୍ର ଛଅ ମାସ ତଳର ଏ ଲେଖା । କବିତାକୁ ମୁଁ ନିଶ୍ଚୟ ଫେରିବି ବୋଲି ଦୃଢୋକ୍ତି କରୁଥିବା କଥାକାର ଦେବାଶିଷ ପାଣିଗ୍ରାହୀ, ଆଜି ହଠାତ ନୀରବ । ତେବେ କବିତା କଣ ମୃତ୍ୟୁ ପରି ? ଦେବାଶିଷ ତ କହିଥିଲେ ସେ କବିତାକୁ ଇ ଫେରିବେ । ଆଜି କବିତା ମୃତ୍ୟୁ ପରି ତାଙ୍କୁ କୋଳେଇ ନେଇଛି । ଧୀର, ନମ୍ର, ଉଦାର ଓ ବନ୍ଧୁ ବତ୍ସଳ ଲେଖକ ସେ । ମୂଳତଃ ଗପ ଓ ଉପନ୍ୟାସ ଲେଖକ ଭାବରେ ତାଙ୍କର ସିଦ୍ଧି ଓ ସ୍ଵୀକୃତି । ହେଲେ ତାଙ୍କ ଭିତରେ କବିତାକୁ ନେଇ ଏତେ ଯେ ଶୋଷ, ସେ କଥା ଆମେ କେହି ଧରି ପାରିନଥିଲୁ । ଗତ ପୂଜାରେ “ପକ୍ଷୀଘର” ର ସମ୍ପାଦକ ବନୋଜ ତ୍ରିପାଠୀ, ଦେବାଶିଷ ବାବୁଙ୍କର କିଛି କବିତା ଛାପିଥିଲେ । ଅଦ୍ଭୁତ ନିଆଁ ଥିଲା ସେ କବିତାରେ । ଖାକି ବର୍ଦ୍ଦି ପିନ୍ଧିଥିବା ଓ ପୁଲିସ ପ୍ରଶାସନର ବହୁ ଉଚ୍ଚରେ ଥିବା ଜଣେ ଲୋକ ଯେ, ଶାସନ ଓ ଶୋଷଣ ବିରୋଧରେ ଏମିତି ତୀବ୍ର ପ୍ରହାର କରିପାରେ, ସେ କଥା କଳ୍ପନାର ବାହାରେ । ୟେ କବି ତ ପ୍ରଚଣ୍ଡ ବିଦ୍ରୋହର ଏକ ଆଗ୍ନେୟ ସ୍ଫୁଲିଙ୍ଗ । କଥା ଓ ଉପନ୍ୟାସରେ ତାଙ୍କ ସ୍ଵର ଟିକେ ରୋମାଣ୍ଟିକ । ତାଙ୍କ ସ୍ଵଭାବ ଯେମିତି ଧୀର, ଶାନ୍ତ ଓ କୋମଳ, ଗଳ୍ପ ଓ ଉପନ୍ୟାସରେ ସେ ସେମିତି କମନୀୟ । କବିତାରେ ସେ କିନ୍ତୁ ଏକ ଅସ୍ଥିର ବିଦ୍ରୋହୀ ସତ୍ତା । ଦେବାଶିଷ ପାଣିଗ୍ରାହୀଙ୍କ ଏ କବି ସତ୍ତାକୁ ଚିହ୍ନିଲା ବେଳକୁ ସେ ଆଉ ନାହାନ୍ତି । ଏଇଟା ହିଁ କବିର ବିଡମ୍ବନା ।

ଆଜି ଦେବାଶିଷ ପାଣିଗ୍ରାହୀଙ୍କ ବିଷୟରେ କିଛି କହିବା ଅପେକ୍ଷା ତାଙ୍କ କବିତା ଇ ପଢାଯାଉ । ଏ କବିତାର ଆଗ୍ନେୟ ସ୍ଵର ତାଙ୍କ ପ୍ରତି ସବୁଠୁ ଯଥାର୍ଥ ଶ୍ରଦ୍ଧାଞ୍ଜଳି ହେବ ।

ଦେବାଶିଷ ପାଣିଗ୍ରାହୀଙ୍କ କବିତା

ପ୍ରଜା

ନା ରାଜ୍ୟ
ନା ରାଜପଦ
ନା ରାଜସିଂହାସନ
ନା ଅକ୍ଷୌହିଣୀ ସେନା
ନା ରାଜକୋଷ
ନା ଅସ୍ତ୍ରାଗାର
ଆମ ପାଇଁ
ମାନେ କିଛି ନାହିଁ
ଏ ସବୁର
ଆମେ ତୁଚ୍ଛ କରଦାତା
ବଶଂବଦ
ପ୍ରଜା ଆମର ବା ଯାଏଆସେ କେତେ
କିଏ ହେବ ମନ୍ତ୍ରୀ ଆଉ କିଏ ହେବ ରାଜା ।

ପ୍ରଜା ପାଇଁ ରାଜଭକ୍ତି, ଆନୁଗତ୍ୟ, ଅନୁରକ୍ତି
ପ୍ରଜାର ପରମ ଧର୍ମ
ରାଜା ନିଜେ ନିଜ ରାଜଧର୍ମ
ରଖୁ ବା ନ ରଖୁ ନିଜ ପଦର ଗରିମା
ମଥା ପାତି ସହିନେବା
ପ୍ରଜା ଭାଗ୍ୟେ ଲେଖା
ଅନ୍ୟଥା ହେବ କି କେବେ
ଭାଗ୍ୟଫଳ, ନିଜ ହସ୍ତରେଖା !!

ରାଜକୋଷ ଭୟଙ୍କର
ପ୍ରତିବାଦ ମାନେ ରାଜଦ୍ରୋହ
ମୃତ୍ୟୁଦଣ୍ଡ ଅନିବାର୍ୟ
ପ୍ରଜା ତ ଛାର କିଂକର ।

ରାଜଆଜ୍ଞା ସର୍ବଦା ସ୍ଵୀକାର୍ୟ, ଶିରୋଧାର୍ୟ !!

ରାଜା କରେ ଯଶ ପାଇଁ ଅଶ୍ଵମେଧ ଯଜ୍ଞ
ଯଶ କୀର୍ତ୍ତି ବାବଦରେ ପ୍ରଜା ଅଟେ ଅଜ୍ଞ
ଢୋକେ ପିଅ ଦାଣ୍ଡେ ଜିଅ ଯାହାର ଜୀବନ
ଯଶ ଅପଯଶ ଦୁହେଁ ତା ପାଇଁ ସମାନ ।

ପ୍ରଜା ଚାହେଁ ସୁଖଶାନ୍ତି
ଚାହେଁନା ସେ ବିରାଟ ସାମ୍ରାଜ୍ୟ
ଖାଇବାକୁ ଦାନା ଆଉ ପିନ୍ଧିବାକୁ କନା
ସେତିକିରେ ଖୁସି ପ୍ରଜା
ଲୋଡେନା ସେ ବିପୁଳ ଐଶ୍ବର୍ଯ୍ୟ
ଚାହେଁନା ସେ ଅଯଥାରେ ଯୁଦ୍ଧ ରକ୍ତପାତ
ସମରେ ବିଜୟ ତାର ନୁହେଁ ଆକାଂକ୍ଷିତ
ଜାଣେ ସିଏ, ରଣକ୍ଷେତ୍ରେ ବହିବ ପ୍ରଜାର ଲହୁ
ଜାଣେ ସିଏ, ଯୂପକାଠେ ବଳି ପଶୁ ନିଜେ
ଜଳିବାକୁ ହେବ ତାକୁ
ନିଜ ହାତେ ନିଜ ଜୁଇ
ଏକଥା ଖୋଲିକି କେହି କହୁ କି ନ କହୁ ।

କାଳେ କାଳେ ଏହା ହିଁ ତ ପ୍ରଜାର ନିୟତି
ରାଜା ସାଙ୍ଗେ ଯୋଡା ତାର ଧନ ଓ ଜୀବନ
ଅଟଇ ଯେଣୁ ସେ ନିଜେ ରାଜାର ସମ୍ପତ୍ତି
ରାଜା ହିଁ ତାର ଅନ୍ନଦାତା
ହର୍ତ୍ତା ଓ ବିଧାତା
ରାଜା ବିନୁ ନାହିଁ ତାର
ଅନ୍ୟ ଗତି ମୁକ୍ତି !!