ଚିତ୍ର ସୌଜନ୍ୟ - ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ମୀରା ଦାସ

ନାରାୟଣରୂପୀ ଶାଳଗ୍ରାମ ଶିଳା ଉପରେ ଜୋତା ସିଲାଇ କରିବା ପାଇଁ ଚମଡ଼ା କଟାଯାଇ ପାରିବ କି ? ଏମିତି ଏକ ପ୍ରଶ୍ନ ଭୟଙ୍କର ଦୁଃସାହସ କିମ୍ବା ଜଘନ୍ୟ ପାପ ବୋଲି କୁହାଯାଇପାରେ । ତେବେ ସ୍ୱୟଂ ନାରାୟଣ ରୂପୀ ଶାଳଗ୍ରାମ ମୋଚିର ଜୋତାଶାଳରେ ରହିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି । କାରଣ ହେଉଛି ମୋଚି ଚମତ୍କାର ଗୀତଗୋବିନ୍ଦ ଗାଏ । ଗୀତଗୋବିନ୍ଦ ଶୁଣିବା ଲାଗି ବୈକୁଣ୍ଠ ଛାଡ଼ି ନାରାୟଣ ଚମଡ଼ା କଟାଯାଉଥିବା ଜୋତାଶାଳରେ ମୋଚିରାମ ସହ ଏକତ୍ର ରହିବାକୁ ନିଷ୍ପତ୍ତି ନିଅନ୍ତି । ମୋଚିରାମ ପ୍ରତିଦିନ ନାରାୟଣଙ୍କ ମୁଣ୍ଡ ଉପରେ ଚମଡ଼ା କାଟେ, କଣ୍ଟା ବାଡ଼ାଏ, ଜୋତାକୁ ଚିକ୍କଣ କରେ । ହେଲେ ତା' କଣ୍ଠରେ ଥାଏ ଜୟଦେବଙ୍କ ଗୀତଗୋବିନ୍ଦ । ସେଇ ଗୀତଗୋବିନ୍ଦ ଶୁଣିବା ଲାଗି ପ୍ରଭୁଙ୍କର ପ୍ରଚୁର ଶ୍ରଦ୍ଧା ।

ଏମିତି ଏକ ପ୍ରସଙ୍ଗକୁ ନେଇ ଅଷ୍ଟାଦଶ ଶତାବ୍ଦୀରେ ଭକ୍ତ ରାମଦାସ ଲେଖନ୍ତି ତାଙ୍କର ପ୍ରସିଦ୍ଧ ଚରିତ କାବ୍ୟ "ଦାର୍ଢ୍ୟତା ଭକ୍ତି' । କାହାଣୀକୁ ଆଉଟିକେ ବିସ୍ତୃତ କରି କହେ । ରାଜାଙ୍କ ଘରୁ ଚୋର ଜଣେ, ଶାଳଗ୍ରାମ ଶିଳାକୁ ଚୋରି କରି ନେଇ ଆସେ । ଚୋର ପାଇଁ ଶାଳଗ୍ରାମ ଶିଳାର ମହତ୍ତ୍ତ୍ୱ ବା କ'ଣ ! କଳା ଓ ଚିକ୍କଣ ଏହି ଶିଳାକୁ ମୋଚିରାମକୁ ଦେଇ ଚୋର ଜୋତା ହଳେ କିଣେ । ମୋଚିରାମ ଦେଖେ ଶାଳଗ୍ରାମ ଶିଳା କଳା ମଚମଚ ଓ ଚିକ୍କଣ । ଚମଡ଼ା ଚିକ୍କଣ କରିବା ଲାଗି ଓ ଜୋତା ସିଲାଇ ଲାଗି ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ଏହି ପଥରଖଣ୍ଡ । ମୋଚିରାମ ପ୍ରତିଦିନ ଗୀତ ଗୋବିନ୍ଦ ଗାଏ । ବଡ଼ ସୁନ୍ଦର ତା'ର ଗଳା । ସ୍ୱୟଂ ନାରାୟଣ ଗୀତଗୋବିନ୍ଦର ପ୍ରେମରେ ବନ୍ଧା ପଡ଼ନ୍ତି । ପ୍ରତିଦିନ ଜୋତା ଓ କଣ୍ଟାର ଆଘାତ ଖାଇ ଗୀତଗୋବିନ୍ଦ ଶୁଣୁଥିବା ନାରାୟଣଙ୍କୁ ଅକସ୍ମାତ୍ ଦିନେ ନିଷ୍ଠାପର ବ୍ରାହ୍ମଣ ଜଣେ ଆବିଷ୍କାର କରନ୍ତି । ମୋଚିରାମକୁ କହନ୍ତି - ଆହା ! କି ପାଷାଣ୍ଡ ତମେ, ପ୍ରଭୁଙ୍କ ମୁଣ୍ଡରେ ଚମଡ଼ା କାଟୁଛ । ମୋଚିରାମ କହେ, ମୁଁ ମୋର ବୃତ୍ତିର ଦାସ । ମୋ ପାଇଁ ଶିଳା ଓ ଶାଳଗ୍ରାମ ଏକାକଥା । ତହୁଁ ବ୍ରାହ୍ମଣ ମୋଚିରାମ ପାଖରୁ ଶାଳଗ୍ରାମ ଶିଳାକୁ କିଣିନେଇ ଯାଆନ୍ତି । ନିଜ ଘରେ ଷୋଡ଼ଶ ଉପଚାରରେ ପୂଜା କରନ୍ତି । ବେଦମନ୍ତ୍ର ପାଠ କରି ଯଜ୍ଞ ନାରାୟଣଙ୍କୁ ପ୍ରାର୍ଥନା କରନ୍ତି । ସେଦିନ ରାତ୍ରିରେ ବ୍ରାହ୍ମଣଙ୍କୁ ସ୍ୱପ୍ନାଦେଶ ହୁଏ - ମୁଁ ବେଦମନ୍ତ୍ର ନୁହେଁ ମୋଚିରାମର ଗୀତଗୋବିନ୍ଦ ଶୁଣିବାକୁ ଚାହେଁ । ମୋଚିରାମ କଣ୍ଠରେ ଗୀତଗୋବିନ୍ଦର ଯେଉଁ ଲାଳିତ୍ୟ ଓ ଶ୍ରଦ୍ଧା ତାହା ତମର ବେଦମନ୍ତ୍ରରେ ନାହିଁ । ମୋତେ ମୋଚିରାମ ପାଖରେ ଛାଡ଼ିଦେଇ ଆସ । ସକାଳକୁ ବ୍ରାହ୍ମଣ ନାରାୟଣ ରୂପୀ ଶାଳଗ୍ରାମକୁ ଧରି ମୋଚିରାମ ପାଖରେ ପହଞ୍ଚନ୍ତି ଓ ତା'କୁ ପରମ ଭକ୍ତ ବୋଲି ସ୍ୱୀକାର କରନ୍ତି ।

ବଡ଼ ଅଦ୍ଭୁତ ଏହି କାହାଣୀ । ଆଜିର ତାରିଖରେ ଏମିତି ଏକ କାହାଣୀ ଯଦି କେହି ଲେଖେ, ତା'ହେଲେ ତା'କୁ ଭୟଙ୍କର ବିପଦର ସାମ୍ନା କରିବାକୁ ପଡ଼ିବ । ଆମର ବ୍ରାହ୍ମଣ ଓ ଧର୍ମରକ୍ଷକମାନେ ଲେଖକ ବିରୋଧରେ ଫତୁଆ ଜାରି କରି ପାରନ୍ତି । ତେବେ ଭକ୍ତ ରାମଦାସ ସେମିତି କିଛି ଫତୁଆର ସାମ୍ନା କରିଥିଲେ କି ନା ଆମକୁ ଜଣାନାହିଁ । ହେଲେ ଭକ୍ତ ରାମଦାସ ଓଡ଼ିଆ ଭକ୍ତି ପରମ୍ପରାରେ ଏକ ଅଦ୍ଭୁତ କ୍ରାନ୍ତିର ସୂତ୍ରପାତ କରିଥିଲେ । ଶ୍ରୀଜଗନ୍ନାଥଙ୍କୁ ବୈଦିକ ବ୍ରାହ୍ମଣ ପରମ୍ପରାରେ ସୀମା ଭିତରୁ ସାଧାରଣ ଜୀବନର ଅସୀମତା ଭିତରକୁ ନେଇ ଆସିବାରେ ତାଙ୍କର ଏକ କ୍ରାନ୍ତିକାରୀ ଭୂମିକା ରହିଛି । ଯେଉଁ ଭକ୍ତମାନଙ୍କର ଚରିତ ରାମଦାସ ଲେଖିଛନ୍ତି ସେମାନେ ସମସ୍ତେ ନୀଚ, ଭ୍ରଷ୍ଟ ଓ ପାପୀ । ସମାଜର ବଞ୍ଚିତ ଶ୍ରେଣୀ ପାଇଁ ଭଗବାନ ଯେ ଅପହଞ୍ଚ ନୁହଁନ୍ତି, ଏମିତି ଏକ ବିଶ୍ୱାସ ରାମଦାସ ସୃଷ୍ଟି କରିଥିଲେ । ତାଙ୍କ ଦାର୍ଢ୍ୟତା ଭକ୍ତିରେ ସେଥିପାଇଁ ମୋଚିରାମ ପରି ଭକ୍ତମାନେ ବହୁ ଉଚ୍ଚରେ । ମତ୍ତ ବଳରାମ ଦାସ, ଦାସିଆ ବାଉରୀ, ସାଲବେଗ, ବନ୍ଧୁ ମହାନ୍ତି, ଝୋଲିଆ କବୀର୍‌, ରଘୁ ଅରକ୍ଷିତ ଇତ୍ୟାଦି ସାଧାରଣ ବର୍ଗର ଭକ୍ତମାନେ ଅସାଧାରଣ ଦିବ୍ୟଶକ୍ତିର ଅଧିକାରୀ ହୋଇଛନ୍ତି । ଜଗନ୍ନାଥ କେବଳ ରାଜା ଓ ବ୍ରାହ୍ମଣର ସମ୍ପତ୍ତି ନୁହଁନ୍ତି । ସେ ସବୁ ଭକ୍ତ ଓ ଲୋଡ଼ୁଥିବା ମଣିଷର ପ୍ରାଣ ଦେବତା । ଏମିତି ଏକ ନିଷ୍ଠାପର ଓ କ୍ରାନ୍ତିକାରୀ ଚେତନାର ଗୀତ ରାମଦାସ ଗାଇଛନ୍ତି । ସୌଭାଗ୍ୟକ୍ରମେ ରାମଦାସଙ୍କ ଭକ୍ତମାନେ ଓଡ଼ିଆ ଲୋକଜୀବନରେ ପିଢି ପରେ ପିଢି ପ୍ରତିଷ୍ଠିତ ହୋଇ ଚାଲିଛନ୍ତି । ମୋଚିରାମ ହୁଅନ୍ତୁ ବା ଦାସିଆ ବାଉରୀ, ଯାଜପୁରର ବନ୍ଧୁ ମହାନ୍ତି ହୁଅନ୍ତୁ ଅଥବା ହାରାମ ବୋଲି ଘୁଷୁରୀକୁ ଗାଳି ଦେଇ ବୈକୁଣ୍ଠରେ ଯାଗା ପାଇଥିବ ମ୍ଲେଚ୍ଛ - ଏମାନେ ସମସ୍ତେ ଭକ୍ତିର ଗରିମାରେ ଅଭିଷିକ୍ତ ହୋଇଛନ୍ତି । ମହାପ୍ରଭୁ ଜଗନ୍ନାଥ ଏମାନଙ୍କ ଭକ୍ତିରେ ରତ୍ନସିଂହାସନ ଛାଡ଼ି ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି ।

ଭକ୍ତି ଓ ବିଦ୍ରୋହକୁ ଗୋଟିଏ ବିନ୍ଦୁରେ କାହିଁକି ଦେଖାଯାଏ, ତା'ର ଏକ ସୁନ୍ଦର ଉଦାହରଣ ହେଉଛି ଦାର୍ଢ୍ୟତା ଭକ୍ତି । ଭକ୍ତ କେବେହେଲେ ସାମାଜିକ ନିୟମର ଦାସ ନୁହେଁ । ତା' ପାଇଁ ପ୍ରଥା, ପରମ୍ପରା ଓ ନୈତିକତା ମୂଲ୍ୟହୀନ । ହୃଦୟର ଡାକ ସବୁ ନିୟମର ଉର୍ଦ୍ଧ୍ୱରେ । ଭାବଗ୍ରାହୀଙ୍କୁ ଡାକିବାକୁ ହେଲେ ନିୟମସିଦ୍ଧ ଉପାସନା ନୁହେଁ , ବରଂ ଆକୁଳ ହୋଇ ହୃଦୟର ସହ ଝୁରି ହେବାକୁ ପଡ଼ିବ । ବ୍ରାହ୍ମଣର ଜଟିଳ ବେଦମନ୍ତ୍ର ନୁହେଁ, ବରଂ ସରଳ ଗୀତଗୋବିନ୍ଦ ପଦରେ ତାଙ୍କର ମନମୋହିବାକୁ ପଡ଼ିବ । ହୃଦୟର ସହ ତାଙ୍କୁ ଡାକିଲେ ସେ ସବୁଠି ପହଞ୍ଚି ଯାଆନ୍ତି । ମାଲୁଣୀର ବାଇଗଣ କିଆରୀ ହେଉ ଅଥବା ମୋଚିରାମର ଜୋତାଶାଳ, ପ୍ରଭୁଙ୍କ ପାଇଁ ସବୁ ସମାନ । ରତ୍ନସିଂହାସନର ବିଳାସକୁ ତୁଚ୍ଛ କରି ଗୀତଗୋବିନ୍ଦ ଶୁଣିବାକୁ ମହାପ୍ରଭୁ ଜୋତାଶାଳାରେ କଣ୍ଟାର ପ୍ରହାର ଖାଇ ପାରନ୍ତି । ଏକଥା ସ୍ୱୀକାର କରିବାକୁ ଆମର ନୀତିବାଦୀ ମନ ହୁଏତ ପ୍ରସ୍ତୁତ ହୋଇନପାରେ । ତେବେ ଅସଲ ସତ୍ୟଟି ହେଉଛି ଭକ୍ତ ପାଖରେ ନିୟମର କୌଣସି ମୂଲ୍ୟ ନାହିଁ ।

ଯିଏ ଭକ୍ତ ସିଏ ଜୀବନର ଗୀତ ଗାଏ । ଜୀବନର ସ୍ୱାଭାବିକ୍ ଧାରାରେ ଆଧ୍ୟାତ୍ମିକତା ଏକ ନିର୍ମଳ ଅନୁଭବ । ତାହା କୃତ୍ରିମ ଉପାୟରେ ଆହରଣ କରି ହୁଏ ନାହିଁ । ଆପେ ଆପେ ଭକ୍ତି ମଣିଷ ହୃଦୟକୁ କବଳିତ କରେ । ଥରେ ଭକ୍ତିରେ ବୁଡ଼ିଲେ ସବୁ ବିଷମତା ଦୂର ହୋଇଯାଏ । ପୃଥିବୀ ଲାଗେ ସମତା ଓ ସର୍ବୋଦୟର ଏକ ବିରଳ ମାନଚିତ୍ର । ସେଥିପାଇଁ ଭାରତୀୟ ଭକ୍ତି ଆନ୍ଦୋଳନକୁ ଏକ କ୍ରାନ୍ତିକାରୀ ଆନ୍ଦୋଳନ ବୋଲି କୁହାଯାଇଛି । ସମାଜର ଅବହେଳିତ ଓ ଦଳିତ ମଣିଷ ପାଇଁ ଭକ୍ତି ମାଧ୍ୟମରେ କ୍ରାନ୍ତିର ମାର୍ଗ ଉନ୍ମୋଚନ କରାଯାଇଥିଲା । ଜଗନ୍ନାଥଙ୍କ ମନ୍ଦିର ଭିତରକୁ ଯେଉଁମାନଙ୍କ ପ୍ରବେଶ ନିଷେଧ ଥିଲା, ଜଗନ୍ନାଥ ସ୍ୱୟଂ ସେମାନଙ୍କର ଦାଣ୍ଡ ଦୁଆରରେ ପହଞ୍ଚି ଯାଉଥିଲେ । ହୁଏତ ଭକ୍ତ କବିମାନେ ଜଗନ୍ନାଥଙ୍କୁ ରତ୍ନ ସିଂହାସନର ସୀମାରୁ ଜଗତଜନର ଅସୀମ ବଡ଼ଦାଣ୍ଡକୁ ଘେନି ଆସୁଥିଲେ । ତାହା ହିଁ ଓଡ଼ିଆ ଜାତିର ଭକ୍ତି ଓ ତାହାହିଁ ଓଡ଼ିଆ ଲୋକଜୀବନର ସବୁଠୁ ବଡ଼ ଶକ୍ତି ।