ଫଟୋ - ଗାଁରେ ରଜ ଠାକୁର, ସୁମିତ୍ରା ପାଢୀ

“ରଜଦୋଳି କଟକଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଯେ
ଦିଶୁଥାଏ ଝଟଝଟ ।”

ରଜଦୋଳିର ଗୀତ ଇଏ । କୃଷିପ୍ରଧାନ ଉପକୂଳବର୍ତ୍ତୀ ଓଡ଼ିଶାର ପ୍ରମୂଖ ଗଣପର୍ବ ଏଇ ରଜଉତ୍ସବ । କିନ୍ତୁ ପାଳନ ବିଧି ସବୁଠି ଭିନ୍ନ । ଅନେକ ସ୍ଥାନରେ ରଜ ଠାକୁର ହେବାର ଶୁଣାଯାଏନି । କିନ୍ତୁ ଆମ ଗାଁ ବିଷ୍ଣୁବିନ୍ଧା (ଭଦ୍ରକର ବାସୁଦେବପୁର ପାଖାପାଖି) ହରିହାଟ ଘରେ ପ୍ରତି ବର୍ଷ ରଜ ବେଳକୁ ହୁଅନ୍ତି ରଜଠାକୁର । ପୁରୁଣା ଲୋକଙ୍କ କହିବା ଅନୁସାରେ ଆଗରୁ ପ୍ରତି ବର୍ଷ ବିଭିନ୍ନ ଅବତାରଙ୍କ ମୂର୍ତ୍ତି ତିଆରି ହେଉଥିଲା ସେଠି । ହେଲେ ସବୁ ଅବତାର ଥରେ ଥରେ ହୋଇସାରିବା ପରେ ଏବେ ପ୍ରତି ବର୍ଷ ହୋଇଆସୁଛନ୍ତି ରାଧାକୃଷ୍ଣ । ମୁଁ କେବଳ ରାଧାକୃଷ୍ଣଙ୍କ ମୂର୍ତ୍ତୀ ହେବାର ହିଁ ଦେଖିଛି ତେଣୁ । ତାଙ୍କୁ ରଜଠାକୁର କୁହାଯାଏ । ରଜ ଠାକୁରଙ୍କ ପାଖରେ ରଜ ତିନି ଦିନ ଧରି ଚାଲେ ପୂଜାପାଠ, ଗୀତବାଜଣା ଆଉ ଭୋଗରାଗ । ପାଖ ବିଶାଳକାୟ ବରଗଛରେ ବନ୍ଧା ହୁଏ ରଜଦୋଳି । ଅବଶ୍ୟ ଖିଆପିଆର ବିଧି ନାହିଁ ଆମର । ହେଲେ ଆମ ଘରଠୁ ୧୫ କିଲୋମିଟର ଦୂର ମୋ ପିଉସୀ ଘର ଗାଁ ଏଡ଼ତାଳରେ ସାତ ଦିନ ଧରି ଚାଲେ ଖାଇବା ପିଇବା । ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଠାକୁର ହୁଅନ୍ତି ପ୍ରତି ବର୍ଷ ତାଙ୍କ ସପ୍ତାଘରେ । ଯେଉଁ ସାତ ଦିନ ଧରି ରଜ ଠାକୁର ରହନ୍ତି ସେ ସାତ ଦିନ ଯାକ କାହା ନା କାହା ଘରର ପାଳି ଥାଏ ଖାଇବାକୁ ଦେବାର । ସାତ ଦିନରେ ସାତ ପରିବାରଙ୍କର ଥାଏ ଏ ପାଳି । ବ୍ରାହ୍ମଣ, ଖଣ୍ଡାୟତ ସବୁ ପରିବାର ସାମିଲ୍ ଥାଆନ୍ତି ଏଥିରେ । ମଝିରେ ମଝିରେ ପରିବାର ବଦଳନ୍ତି ବି । କେହି ଜଣେ ଛାଡେ ତ ଆଉ କେହି ଜଣେ ଆସି ଯୋଡ଼ି ହୋଇଯାଏ । ସପ୍ତାଘରେ ରୋଷେଇବାସ ହୋଇ ଖାଇବାକୁ ଦିଆଯାଏ ଗାଁ ସାରାର ଲୋକଙ୍କୁ । ପରିବାପତ୍ର କଟାକଟି ବଟାବଟି କରି ଯୋଗାଇ ଦିଅନ୍ତି ପରିବାର ଲୋକ । ରୋଷେଇ ପାଇଁ କିନ୍ତୁ ଥାଆନ୍ତି ସ୍ୱତନ୍ତ୍ର ରୋଷେୟା । ଏମିତିକା ବିଧି ପ୍ରାୟ ୭୦ - ୮୦ ବର୍ଷ ହେଲାଣି ଚାଲିଆସୁଛି ବୋଲି କୁହନ୍ତି ଲୋକେ । ୭ ଦିନ ପରେ ଗାଁ ଲୋକେ ମିଶି ଜମେଇକି ଠାକୁର ମାନଙ୍କର ଭସାଣିଟିଏ ବି କରନ୍ତି । ମୁଁ ପିଲାବେଳେ ଅନେକ ଥର ଏଇ ପାର୍ବଣରେ ସାମିଲ୍ ହେଇ ଦେଖିଛି ସେସବୁ ।

ଆମ ଘର ପାଖରୁ ୫ କିଲୋମିଟର ଦୂର ମୋ ମାମୁଁଘର ଗାଁ ଭୈରବପୁରରେ କିନ୍ତୁ ତିନି ଚାରି ଜାଗାରେ ଠାକୁର ହୁଅନ୍ତି । କେଉଁଠି ଖାଲି ବଳଭଦ୍ର ପୂଜା ପାଆନ୍ତି ତ ଆଉ କେଉଁଠି କେବଳ ଜଗନ୍ନାଥ ମହାପୁରୁ । ହେଲେ ଗାଁ ହରିହାଟ ଘରେ ବିଜେ ହୁଅନ୍ତି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା । ସେଠି ଗାଁ ଲୋକମାନଙ୍କୁ ଖାଇବା ପିଇବା ଦେବାର ସେମିତି କିଛି ନିର୍ଦ୍ଧିଷ୍ଟ ନିୟମ ନାହିଁ । କେବେ କେବେ କିନ୍ତୁ କେହି ଜଣେ ଅଧେ ଖିଚୁଡି ହାଣ୍ଡିଟିଏ ଅବା ଖିରି ଟିକେ ବସେଇ ଦିଅନ୍ତି । ପିଲାବେଳେ ଥରେ ଅଧେ ହରିହାଟ ଦାଣ୍ଡରେ ପତ୍ରପକେଇ ବସି ଖିଚୁଡି ଖାଇବାର ମନେଅଛି ମୋର । ହରିହାଟ ଘର ଦାଣ୍ଡରେ କିନ୍ତୁ ରଜ ତିନି ଦିନ ଧରି ବାଗୁଡି ଖେଳ ହୁଏ ଜବରଦସ୍ତ । ଏପଟେ ଗାଁ ଟୋକାଏ ବାଗୁଡ଼ି ଖେଳିବା ବେଳେ ହରିହାଟ ବାରଣ୍ଡାରେ ଗାମୁଛା ପାରିଦେଇ ବୟସ୍କମାନେ ଖେଳନ୍ତି ତାସ୍ । ଘରେ ଘରେ ତ ଝୁଲଣ ଲାଗିଥାଏ । ପ୍ରତି ସାହିରେ ବି ବନ୍ଧା ଯାଇଥାଏ ବଡ଼ ବଡ଼ ଦୋଳି । କେଉଁଠି ତେନ୍ତୁଳି ଗଛରେ ବାଉଁଶ ଦୋଳି ତ ଆଉ କେଉଁଠି ପଟା ଦୋଳି । ଦିନ ସାରା ସଜବାଜ ହୋଇ କେତେ ନା କେତେ ଝିଅ ଝିଆଣି ଆସନ୍ତି ଘରକୁ, ଆମ ମାମୁଁ ଘରକୁ ବି । ଆଈ ଆମ୍ବ, ପଣସ, ଭଳିକି ଭଳି ପିଠା ପରଶି ଦିଏ ସଭିଙ୍କୁ । ମୋ ପାଇଁ କିନ୍ତୁ କରେ ଚିନି ଦିଆ ପରଟା ଆଉ ଆଳୁଭଜା । ଘରେ ଘରେ ସ୍ତ୍ରୀ ଲୋକମାନଙ୍କର ଚାଲୁଥାଏ ଲୁଡୁ ଖେଳ । ମୁଁ ବି କେତେବେଳେ କେମିତି ପାଲିଏ ଖେଳିଦିଏ । ମାଆ କିନ୍ତୁ କେବେ କେମିତି ରଜ ବେଳେ ମାମୁଁ ଘରକୁ ଗଲେ କାହାକୁ ନା କାହାକୁ ରାଜି କରେଇ ଧରି ବସିଯାଏ ଚେସ୍ ଖେଳିବାକୁ ।

ମୋ ଦେଖିବାରେ ଆମ ପାଖାପାଖି ଅନେକ ଅଞ୍ଚଳରେ ହଳଲଙ୍ଗଳଧାରୀ ବଳଭଦ୍ର କୃଷିର ଦେବତା ଭାବରେ ପୂଜା ପାଆନ୍ତି । ଲକ୍ଷ୍ମୀ ପୂଜା କି କାଳୀପୂଜା ପରି ରଜଠାକୁର ତିଆରି ପାଇଁ କିନ୍ତୁ କଲିକତା କି ବାହାରୁ ଆସନ୍ତିନି ମୂର୍ତ୍ତୀ କାରିଗର । ଠାକୁର ତିଆରି ଓ ସାଜସଜ୍ଜା ସବୁ କରନ୍ତି ସ୍ଥାନୀୟ ଲୋକ । ଉତ୍ସବମୟ ଲାଗେ ସେଇ ଦିନ କେତେ ।

ଆଦ୍ୟ ଆଷାଢ଼ର ପହିଲି ବର୍ଷା ବିନ୍ଦୁ ଗ୍ରୀଷ୍ମକ୍ଳାନ୍ତ ତୃଷିତ ଧରଣୀର ଶୋଷ ମେଣ୍ଟାଇବାକୁ ସତେ ଯେମିତି ଧରାବତରଣ କରେ ଏଇ ଅବସରରେ । ବର୍ଷାର ଆଗମନକୁ ସ୍ୱାଗତ କରିବାକୁ ପୁରା ତିନିଦିନ ପାଇଁ ଖୁସି, ଆନନ୍ଦ ଓ ଉଲ୍ଲାସରେ ଓଡ଼ିଶାର ପୁରପଲ୍ଲୀରେ ପାଳିତ ହୁଏ ରଜମଉଜ । ବିଶ୍ୱାସ କରାଯାଏ, ଏହି ସମୟରେ ମାଟି ମା’ ଋତୁମତୀ ହୁଏ । ଆମ ସଂସ୍କୃତି ଓ ଚଳଣୀ ଅନୁସାରେ ଏହି ସମୟରେ ନାରୀକୁ ବିଶ୍ରାମ ଦିଆଯାଏ । ଜଗଧାତ୍ରୀ ମାଟି ମା’ ବି ବିଶ୍ରାମ ନିଏ ତିନି ଦିନ । ସବୁ କାମଦାମ ବନ୍ଦ ହୋଇଯାଏ । ଚାଷବାଷ ସବୁ ବନ୍ଦ । ରଜ ପରଦିନ ହୁଏ ବସୁମତୀ ସ୍ନାନ ।

ଓଡ଼ିଆ ପାଞ୍ଜି ଅନୁସାରେ ମିଥୁନ ସଂକ୍ରାନ୍ତିକୁ ରଜ ସଂକ୍ରାନ୍ତି ଭାବରେ ପାଳନ କରାଯାଏ । ଏଇ ସମୟରେ ସଂକ୍ରାନ୍ତି ପୁରୁଷ ବୃଷ ରାଷିକୁ ତ୍ୟାଗ କରି ପ୍ରବେଶ କରନ୍ତି ମିଥୁନ ରାଶିରେ । ଶାସ୍ତ୍ରରେ କୁହାଯାଇଛି,

“ବୃଷ୍ୟାନ୍ତେ ମିଥୁନ ସ୍ୟାଦୌ ତନ୍ମଧ୍ୟେପି ଦିନତ୍ରୟଂ
ରଜସ୍ୱଳା ସ୍ୟାତ୍ ପୃଥିବୀ କୃଷିକର୍ମଣି ଗର୍ହିତା ।”

ବୃଷ ମାସର ଶେଷ ଦିନ, ମିଥୁନ ମାସର ପ୍ରଥମ ଦିନ ସଂକ୍ରାନ୍ତି ଓ ତା’ ପରଦିନ; ଏହିପରି ଭାବରେ ପୃଥିବୀ ତିନି ଦିନ ରଜସ୍ୱଳା ହୁଏ ଓ ଏହି ସମୟରେ ସମସ୍ତ ପ୍ରକାରର କୃଷିକାର୍ଯ୍ୟ ବାରଣ କରାଯାଇଥାଏ । ଏହି ସମୟରେ ଅନେକ ସ୍ଥାନରେ ଭୂମି ପୂଜାର ଆୟୋଜନ କରାଯାଇଥାଏ । ଉପକୂଳବର୍ତ୍ତୀ ଓଡ଼ିଶାରେ ଏହି ତିନି ଦିନ ହିଁ ରଜପର୍ବ ଭାବରେ ପାଳିତ ହୁଏ ।

ରଜର ଆଗ ଦିନଟି ସଜବାଜ । ପରବର୍ତ୍ତୀ ତିନିଦିନ କେମିତି ପାଳନ କରାଯିବ ତା’ର ପ୍ରାକ୍ ପ୍ରସ୍ତୁତିର ସମୟ । ଗ୍ରାମ୍ୟ କିଶୋରୀମାନଙ୍କର ଅନ୍ୟତମ ହର୍ଷ ଉଲ୍ଲାସର ଅବକାଶ । ପାଦରେ ଅଳତା ଓ କଦଳୀ ପାଟୁକାର ଚପଲ । କିଶୋରୀକୁ ଭୂମିସ୍ପର୍ଶ ମନା । ମଞ୍ଜୁଆତିରେ ନଖ ପଚାଇ, ଦେହରେ ହଳଦୀ ମାଖି, ମଥାରେ ଚନ୍ଦନ ଟୋପା ଲଗାଇ, ନୂଆ ରଙ୍ଗୀନ୍ ବେଶ-ପୋଷାକ ପିନ୍ଧି ସେମାନେ ରଜଗୀତ ଗାଇ ଗାଁ ଆମ୍ବ ତୋଟାରେ ଦୋଳି ଖେଳରେ ମଜିଯାଆନ୍ତି । ଦୋଳି ଖେଳ ସାଙ୍ଗରେ ପୁଉଣି ପଦକୁ ପଦ ପକାଇ ରଜଗୀତ । ଦୋଳିଗୀତ ପୁଉଣୀ ଦୁଇ ପ୍ରକାରର । ଗୋଟିଏ ରଜଦୋଳି ଗୀତ, ଆଉ ଗୋଟିଏ କେଳୁଣୀର ଦୋଳିଗୀତ । ମୁଁ ଶୁଣିଛି, ଆଗରୁ କୁଆଡେ କେଳୁଣୀମାନେ ଉଚ୍ଚା ଇଚ୍ଚା ବାଉଁଶର କୁଆଦୋଳି ଓ ଶୁଆ ଦୋଳିରେ ବସି ଗୀତ ଗାଆନ୍ତି । ଏବେ କିନ୍ତୁ ସେସବୁ ନାହିଁ । ଅଳ୍ପ କିଛି ଗୀତ ତଥାପି କେହି କେହି ମନେପକାଇ ଗାଆନ୍ତି ।

“ଘରର ଉପରେ ଘର,
ଘର ଥିଲା ଯାକେ ଘରର ଝିଅଲୋ
ଏରୁଣ୍ଡି ଡେଇଁଲେ ପର ।“

ଘରେ ଘରେ ପିଠା ପଣା । ସଜା ହୋଇ ରଖାଯାଇଥାଏ ପାନଡାଲା । ଖଣ୍ଡି ଗୁଆ, ଚୁଆ, ଯାଇଫଳ ଦିଆ ଗୁଣ୍ଡି ଓ କେତକୀ ଫୁଲ ବାସ୍ନାର ଖଇର ଦିଆ ପାନ । କଟା ହୋଇ ରଖା ସରିଥାଏ ଦାନ୍ତକାଠି । ରଖା ସରିଥାଏ ହଳଦୀ ବେସର । ଆଟିକା ଓ ହାଣ୍ଡିରେ ପିଠା ପଣା ପାଇଁ ବଟା ଚାଉଳ, ବିରି ଓ ସେଦୁଅ । କାହା ହାତରେ କିଛି କାମ ନାହିଁ । ପୁରୁଷମାନେ ଗାଁ ଚଉପାଢ଼ୀରେ ବସି ପଡ଼ନ୍ତି ତାସ୍ କି ପଶାପାଲି ଧରି । ଗାଁ ମୁଣ୍ଡ ପଡ଼ିଆରେ ସବୁଦିନ ଅପରାହ୍ନରେ ଶୁଭେ ବୀର ବାଜା । ଆରମ୍ଭ ହୁଏ କବାଡ଼ି କି ବାଗୁଡ଼ି ଖେଳର ପ୍ରତିଯୋଗିତା । ବିଦେଶରେ ଥିବା ଗାଁ ପୁଅ ରଜ ପାଇଁ ଖାସ୍ କରି ଫେରି ଆସିଥାଏ ଗାଁ କୁ ।

ଅଳସ ଅପରାହ୍ନରେ ଘର ଭୁଆସୁଣିମାନେ ବାରି ଅଗଣାରେ ଲୁଡୁ ପଶା ଚାରିପାଖରେ ବସି ପଡ଼ନ୍ତି ଆପଣା ସଖୀ ବଉଳ ଓ ମକର ମାନଙ୍କ ସାଙ୍ଗରେ । ବନ୍ଧୁ ଘର ବୁଲି ବାହାରନ୍ତି କେତେ ଜଣ । କୁଣିଆ ଚର୍ଚ୍ଚାରେ ଘରେ ଘରେ ପୋଡ଼ ପିଠା, ଚକୁଳି, ଅଥାର ମଣ୍ଡା, କାକରା, ଦାନ୍ତନିକିଟା ଓ ଘି ପିଠା ହୁଏ ।

କର୍ମକ୍ଳାନ୍ତ ଜୀବନ ଚର୍ଯ୍ୟାରେ ଯେମିତି କିଏ ଭାବି ଚିନ୍ତି ଏମିତିକା ଅବସର ଘଡ଼ିଏ ଯୋଡ଼ିଦେଇଛି । ଖୁସିବାସିରେ ନିଜ ଲୋକମାନଙ୍କ ସାଙ୍ଗରେ ଫୁରୁସତରେ ମଉଜମସ୍ତି କରିବା ପାଇଁ କିଏ ଯେମିତି ଖଞ୍ଜି ଦେଇଛି ଏମିତି ସବୁ ପର୍ବପର୍ବାଣୀ । ତା’ ସାଙ୍ଗରେ ମିଶିଯାଇଛି କାହିଁ କେତେ ଲୋକାଚାର ଓ ବିଧିବିଧାନ ।

ଆମର ପ୍ରାୟ ପର୍ବ କୃଷିକର୍ମକୁ ଆଶ୍ରୟ କରି ସୃଷ୍ଟି ହୋଇଛି । ରଜ ପରଦିନ ଘରେ ଘରେ ଭୋର୍ ବେଳୁ ଶୁଭେ ସମବେତ ହୁଳହୁଳି । ଘରର ସ୍ତ୍ରୀ ଲୋକମାନେ ଆରମ୍ଭ କରନ୍ତି ବସୁମତୀ ସ୍ନାନ । ପ୍ରଜନନ କର୍ମର ପ୍ରତୀକ ଭାବରେ ସେମାନେ ଘରର ମଝି ଅଗଣାରେ ଆଣି ରଖନ୍ତି ଲଙ୍ଗଳ, ଲୁହା, ଶିଳୁପୁଆ, କଜଳପାତି, ଲୁଣ, ସୋରିଷ, ତୁଳା ଓ ହଳଦୀ । ହଳଦୀ ପାଣିରେ ଶିଳୁପୁଆ ଓ ଲଙ୍ଗଳ ଲୁହାକୁ ଗାଧୋଇ ଦିଆଯାଏ ।

ପରିବର୍ତ୍ତିତ ସମୟ ଓ ପରିସ୍ଥିତିରେ ସବୁକିଛି ବଦଳି ଯାଉଛି । ବଦଳି ଯାଉଥିବା ଜୀବନ ଓ ଜୀବିକାକୁ ନେଇ ଅନେକ ଲୋକାଚାର ଓ ପରମ୍ପରା କ୍ରମେ ମରି ହଜି ଯାଉଛି । ଆଜିକାଲି ରଜ ଗାଁ ଠାରୁ ସହରରେ ଅଧିକ ପାଳିତ ହେଉଛି । କାହିଁ କେତେ ବାଗରେ ପାଳିତ ହେଉଛି ରଜ ଉତ୍ସବ । ସହରରେ ପିଠା ପଣାର ବଜାର ଲାଗୁଛି । ଗାଁ ତୋଟା କି ଗାଁ ମୁଣ୍ଡ ବରଗଛ ତଳ ପିଢ଼ା ଦୋଳିରେ ସଖୀ ଓ ବଉଳ ବସି ରଜଗୀତ ଯେତେ ବୋଲୁନାହାନ୍ତି ତା’ ଠୁ ରଜ ସଜବାଜ, ମଉଜ ବେଶୀ ବେଶୀ ଦିଶୁଛି ଟି.ଭି ପରଦାରେ । କ୍ରମେ ସହରୀମାନଙ୍କ ପାଇଁ ରଜଉତ୍ସବ ହୋଇଗଲାଣି ରଜୋଉତ୍ସବ । କରୋନା ମହାମାରୀ ରଜ ମଉଜରେ ଅଜାଡି ଦେଇଛି ପାଣି । ନାଁ ସହର ନାଁ ଗାଁ, ସବୁଠି ଆତଙ୍କ ଓ ଭୟ ।

ସବୁଠାରୁ ବଡ଼ କଥା ହେଲା, ଆମେ ତଥାପି ହଜେଇ ଦେଇନେ ଆମ ପରମ୍ପରାକୁ । ପରମ୍ପରା ଆଜି ବି ବଞ୍ଚିଛି । ଆଶା ଆଗକୁ ବି ବଞ୍ଚି ରହିଥିବ । କରୋନା ସରିଗଲେ ପୁଣି ଥରେ ସହର ଓ ଗାଁ ରେ ରଜ ଆସର ଜମିବ । ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ଲଗାଇ, ହାତକୁ ମଞ୍ଜୁଆତିରେ ପଚେଇ ବାଊଁଶ କି ପଟା ଦୋଳିରେ ବସି କିଶୋରୀ ପୁଣି ଗାଇବେ;

ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ ଲୋ
ଘେନି ନୂଆ ସଜବାଜ ।