ମୋଗଲ ଚିତ୍ରକଳା ଓ ହାତୀ: ୱିକି କମନ୍ସ

ତୃତୀୟ ମୋଗଲ ଶହନଶାହ ଜଲାଲୁଦ୍ଦିନ ଆକବରଙ୍କର ମୃତ୍ୟୁ ସମ୍ପର୍କରେ ଗୋଟିଏ ଆଖ୍ୟାନ ପ୍ରଚଳିତ ଅଛି । ୧୬୦୫ ମସିହାର ସେପ୍ଟେମ୍ବର ମାସରେ ସେ ରୋଗାକ୍ରାନ୍ତ ହେଲେ । ମୁଖ୍ୟ ଚିକିତ୍ସକ ହକିମ ଅଲିଙ୍କର ବିଳମ୍ବିତ ଚିକିତ୍ସା ବିଶେଷ କିଛି ଲାଭ ଦେଲା ନାହିଁ । ଏହାର ଅନେକ କାରଣ ଭିତରୁ ମୁଖ୍ୟ ଥିଲା ସାହେବଜାଦା ସଲିମ (ଭବିଷ୍ୟତର ସମ୍ରାଟ ଜାହାଙ୍ଗୀର) ଓ ସଲିମଙ୍କର ପୁତ୍ର (ଅର୍ଥାତ ଆକବରଙ୍କର ନାତି) ଖୁସ୍ରୋଙ୍କର ଅନୁଚରମାନଙ୍କ ମଧ୍ୟରେ ଗୋଟିଏ ହସ୍ତୀଯୁଦ୍ଧ ସମୟରେ ସଙ୍ଗଠିତ ଗଣ୍ଡଗୋଳ । ଖୁସ୍ରୋ ଥିଲେ ଆକବରଙ୍କର ପ୍ରିୟ ଓ ତାଙ୍କ ପରେ ସମ୍ରାଟ ବନିବା ପାଇଁ ଅଭିପ୍ରେତ । ହସ୍ତୀଯୁଦ୍ଧଟି ହେଉଥିଲା ଖୁସ୍ରୋଙ୍କର ହାତୀ ଚଞ୍ଚଲ୍ ଓ ସଲିମଙ୍କର ହାତୀ ଗୀରନବାର୍ ମଧ୍ୟରେ । ବାପା ପୁଅ ନିଜ ଅନୁଚରମାନଙ୍କ ମାଧ୍ୟମ ଦେଇ ଇତର ଜନୋଚିତ ବ୍ୟବହାର କରିବାରୁ ଏହା ସମ୍ରାଟଙ୍କର କ୍ରୋଧ ବଢ଼ାଇଲା । ଏହାଛଡ଼ା ତାଙ୍କର ପ୍ରିୟ ହାତୀ ଚଞ୍ଚଲ୍ ହାରିଯିବାରୁ ମଧ୍ୟ ତାଙ୍କର ମନ ଖରାପ ହୋଇଥିବ । ଏହି ସବୁର ମିଶ୍ରିତ ଫଳସ୍ୱରୂପ ତାଙ୍କର ବ୍ୟାଧି ଅଧିକ ଗୁରୁତର ହେଲା ଓ ସେ କେଇସପ୍ତାହ ମଧ୍ୟରେ ସ୍ୱର୍ଗଲୋକ ଆରୋହଣ କଲେ ।

ସେତେବେଳକୁ ପରାଜିତ ହସ୍ତୀ ଚଞ୍ଚଲ୍ ସମ୍ରାଟ ଆକବରଙ୍କ ସହ ମାତ୍ର ଦୁଇ ବର୍ଷ କଟାଇଥାଏ । ସେ ଆସିଥିଲା ଦକ୍ଷିଣରୁ, ବିଜାପୁରରୁ, ଗୋଟିଏ ଉପହାର ଭାବରେ । ଅପବର୍ଗଟି ଦେଇଥିଲେ ବିଜାପୁରର ଆଦିଲସାହି ବଂଶର ସୁଲତାନ ଇବ୍ରାହିମ ଆଦିଲ ଶାହ ଦ୍ୱିତୀୟ । ନିଜ ଜୀବନର ଅନେକ ବର୍ଷ ଚଞ୍ଚଲ୍ ବିଜାପୁରର ଆଉ ଗୋଟିଏ ହାତୀ ଆତଶ୍ ଖାନ୍ ସହ ବିତାଇଥାଏ । ସୁଲତାନଙ୍କର ପ୍ରିୟ ହସ୍ତୀ ଆତଶ୍ ଖାନ୍ ହିଁ ଉପହାର ଭାବରେ ଯିବାର ଥିଲା । ହେଲେ ଆକବର ଆତଶ୍ ଖାନ୍ ପାଇଁ ୧୬୦୩ ମସିହାରେ ଦୂତ ପଠାଇଲା ବେଳକୁ ବିଚରା ପରଲୋକ ଗମନ କରିସାରିଥାଏ । ଏଣୁ ଯିବାକୁ ପଡ଼େ ଚଞ୍ଚଲ୍କୁ । ବିଜାପୁର ଛାଡ଼ି ମୋଗଲ ସାମ୍ରାଜ୍ୟର ହୃଦୟକୁ । ନିଜର ଦୁଃଖ ମେଣ୍ଟାଇବା ପାଇଁ କୁଆଡ଼େ ହାତୀଟି ଆଖ୍ୟାନ ଅନୁସାରେ ରାସ୍ତା ସାରା ପିଏ ଗ୍ୟାଲନ ଗ୍ୟାଲନ ପର୍ତ୍ତୁଗୀଜ ସୁରା ।

ସେତେବେଳେ ବିଜାପୁରରେ ସୁବର୍ଣ୍ଣ ଯୁଗ । ଇବ୍ରାହିମ ଆଦିଲ ଶାହ ଦ୍ୱିତୀୟଙ୍କ ପୂର୍ବପୁରୁଷମାନେ ମରାଠି ଭାଷାରେ ମଧ୍ୟ ହିସାବପତ୍ର ରଖିବାକୁ ଆରମ୍ଭ କରିସାରିଥାଆନ୍ତି । ସୁଲତାନ ଦ୍ୱିତୀୟ ଇବ୍ରାହିମ ନିଜେ ଥିଲେ ଉଦାର ।  ସେ କଳା ଓ ସଂସ୍କୃତିର ଜଣେ ବଡ଼ ପୃଷ୍ଠପୋଷକ ଥିଲେ । ନିଜେ ଥିଲେ ଜଣେ ବଡ଼ ସଙ୍ଗୀତଜ୍ଞ । ନିଜର ଉଦାରତାର ପ୍ରମାଣ ସ୍ୱରୂପ ସେ ହିନ୍ଦୁ ଦେବାଦେବୀଙ୍କ ନିମନ୍ତେ ଗୀତ ପ୍ରବନ୍ଧ କରିଯାଇଛନ୍ତି । ପ୍ରବାସୀ ସମ୍ଭ୍ରାନ୍ତ ଶିଆ ମୁସଲମାନମାନଙ୍କର ପକ୍ଷଛେଦ କରି, ନିଜର ପୂର୍ବପୁରୁଷମାନଙ୍କ ପରି ସେ ମରାଠା ଓ ହବସି (ବା ସିଦ୍ଦି) ମାନଙ୍କୁ ପ୍ରଶାସନରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରଖିଲେ । ଏହି ଯୋଗୁଁ ମରାଠି ଭାଷୀ ହିନ୍ଦୁମାନେ ଅତି ଶୀଘ୍ର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଶକ୍ତି ଭାବରେ ମୁଣ୍ଡ ଟେକିଲେ । କେବଳ ଆଦିଲଶାହି ବଂଶର ସୁଲତାନମାନେ ଯେ ଏପରି ଅଣ-ବିଦ୍ୱେଷମୂଳକ ନୀତି ଆପଣେଇଥିଲେ ତାହା ନୁହେଁ ।

ଏଠାରେ ସବୁଠାରୁ ଭଲ ଉଦାହରଣ ବୋଧହୁଏ ହେବ ଅହମଦନଗର ରାଜ୍ୟରେ ମରାଠା ସର୍ଦ୍ଦାର ମାଲୋଜି ଭୋଁସଲେଙ୍କର କର୍ମଜୀବନର ଇତିବୃତ୍ତ । ୧୫୫୨ ମସିହାରେ ଜନ୍ମିତ ମାଲୋଜି ଭୋଁସଲେ ପ୍ରଥମେ ଅନେକ ହିନ୍ଦୁ ଜମିଦାରଙ୍କର ସେନାରେ କାମ କଲା ପରେ, ୧୫୭୭ ମସିହାରେ ଅହମଦନଗର ରାଜ୍ୟର ସୁଲତାନଙ୍କର ସେନାରେ ଯୋଗ ଦେଲେ । ସେତେବେଳେ ଅହମଦନଗର ରାଜ୍ୟର ଶାସକ ଥାଆନ୍ତି ମୁର୍ତାଜା ନିଜାମ ଶାହ ପ୍ରଥମ । ମାଲୋଜି ସେ ସମୟରେ ସୁଲତାନଙ୍କର ଜଣେ ବିଶ୍ୱସ୍ତ ଦରବାରୀ, ମଲିକ ଅମ୍ବର (୧୫୪୮-୧୬୨୬)ଙ୍କର ପାଖ ଲୋକ ବନିଗଲେ । ଯେହେତୁ ଅମ୍ବର ପରେ ସେହି ରାଜ୍ୟର ପ୍ରଧାନମନ୍ତ୍ରୀ ମଧ୍ୟ ବନିଲେ, ତାଙ୍କର ଉନ୍ନତି ସହିତ ତାଳ ଦେଇ ମାଲୋଜିଙ୍କର ପ୍ରଗତି ମଧ୍ୟ ଘଟିବାକୁ ଲାଗିଲା ।

ମାଲୋଜି ଭୋଁସଲେ ମଲ୍ଲିକ ଅମ୍ବରଙ୍କ ସହିତ ମିଳି ଅହମଦନଗର ରାଜ୍ୟ ମୋଗଲ ସେନା ଓ ଦକ୍ଷିଣର ଅନ୍ୟ ମୁସଲମାନ ଶାସକ ମାନଙ୍କର ରାଜ୍ୟ ସହିତ ଲଢ଼େଇ ଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବାକୁ ଲାଗିଲେ । ମଲିକ ଅମ୍ବର ଭାରତ ଇତିହାସର ରୋଚକ ଚରିତ୍ରମାନଙ୍କ ମଧ୍ୟରୁ ଜଣେ । ଜନ୍ମ ଇଥିଓପିଆର ଅଲହୁରାଠାରେ । କେହିକେହି କହନ୍ତି ତାଙ୍କର ଜନ୍ମସ୍ଥାନ ସେହି ଦେଶର ହରାରଠାରେ । ସେ ଜଣେ ଆଫ୍ରିକୀୟ କୃଷ୍ଣକାୟ ଲୋକ । ଭାରତରେ ପ୍ରବେଶ କରନ୍ତି ଜଣେ କ୍ରୀତଦାସ ଭାବରେ । ସେ ଅତିଶୀଘ୍ର ନିଜର ସ୍ୱାଧୀନତା ଆହରଣ କରି ଗୋଟିଏ ଘରୋଇ ସେନାର ଗଠନ କରନ୍ତି । ଏହି ଦୁର୍ଦ୍ଦଶ ସେନାକୁ ଡେକାନର ରାଜା ଓ ସୁଲତାନମାନେ ଭଡ଼ାରେ ଯୁଦ୍ଧ କରିବା ପାଇଁ ଆମନ୍ତ୍ରଣ କରନ୍ତି ।

ପରେ ଅହମଦନଗର ରାଜ୍ୟର ଶାସନରେ ଅମ୍ବରଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ମିଳେ । ମୋଗଲ ସେନା ବିରୁଦ୍ଧରେ ସେ ଭାରତରେ ପ୍ରଥମ ରକେଟ, ୧୬୧୨ ମସିହାରେ, ବ୍ୟବହାର କରିବାର ଉଲ୍ଲେଖ ରହିଛି । ଏହାଛଡ଼ା ଦାକ୍ଷିଣାତ୍ୟର ଜମିଜମା ବନ୍ଦୋବସ୍ତ କରିବାରେ ତାଙ୍କର ଭୂମିକା ଉଲ୍ଲେଖଯୋଗ୍ୟ । ମୋଗଲ ସେନା ଓ ଅନ୍ୟାନ୍ୟ ମୁସଲିମ ଶାସକମାନଙ୍କ ବିରୁଦ୍ଧରେ ଗୋରିଲା ଛାପାମାର ଯୁଦ୍ଧ କୌଶଳକୁ ଆପଣେଇ ସେ ଏହି ସମର ରୀତିର ଉତ୍କର୍ଷ ସାଧନ କରିଥିଲେ । ମାଲୋଜି ଭୋଁସଲେ ଏହି ଗୋରିଲା ଯୁଦ୍ଧ ଆଦିରେ ଥିଲେ ତାଙ୍କର ଏକ ପ୍ରମୁଖ ସହଯୋଗୀ ।

ପରେ ମାଲୋଜିଙ୍କର ପୁତ୍ର ଶାହାଜୀ ମଧ୍ୟ ଅହମଦନଗରର ସେନାରେ ଯୋଗଦିଅନ୍ତି । ଅବଶ୍ୟ ଏହାପରେ ସେ ଅନେକ ଥର ପକ୍ଷ ବଦଳାଇ ପ୍ରଥମେ ମୋଗଲ ଓ ପରେ ବିଜାପୁର ରାଇଜର ସେନାରେ ଯୋଗଦିଅନ୍ତି  ।  ପୁନା ଓ ସୁପେ ର ଜାଗିରଦାର ବନନ୍ତି । ଏହି ଶାହାଜୀଙ୍କର ପୁତ୍ର ହେଲେ ପ୍ରସିଦ୍ଧ ଶିବାଜୀ ଯେ କି ଗୋରିଲା ଯୁଦ୍ଧର ସଫଳ ପ୍ରୟୋଗ କରି ପରେ କ୍ଷୟିଷ୍ଣୁ ମୋଗଲ ସାମ୍ରାଜ୍ୟର ମୂଳଦୁଆ ଦୋହଲାଇ ଦେବେ । ଅର୍ଥାତ ଯେଉଁମାନେ ମରାଠା ରାଜତ୍ୱକୁ ହିନ୍ଦୁ ପୁନରୁତ୍ଥାନ ଭାବରେ ଚିତ୍ରିତ କରନ୍ତି, ସେମାନେ ଦାକ୍ଷିଣାତ୍ୟର ଜଟିଳ ଓ ଛନ୍ଦାହୋଇଥିବା ଇତିହାସକୁ ଅତି ସୁବିଧାବାଦୀ ଭାବରେ ଭୁଲିଯାଆନ୍ତି । ସେମାନଙ୍କର ପାସୋର ଯାଏ ଯେ, ଶିବାଜୀଙ୍କର ଓ ମରାଠା ମାନଙ୍କର ଗୋରିଲା ଯୁଦ୍ଧର ମୂଳଦୁଆ ପକାଇଥିଲେ ଜଣେ ଆଫ୍ରିକୀୟ, କୃଷ୍ଣକାୟ ମୁସଲମାନ, ଦାସ-ମୂଳର ଲୋକ – ଅମ୍ବର ମଲ୍ଲିକ ।

ଅମ୍ବର ମଲ୍ଲିକ ପୂର୍ବ କଥିତ ସିଦ୍ଦିମାନଙ୍କର ଉପାସ୍ୟ ଓ ସେମାନଙ୍କର ଜାତୀୟ ଜୀବନରେ ତାଙ୍କର ସ୍ମୃତି ଏ ପର୍ଯ୍ୟନ୍ତ ଜାଜୁଲ୍ୟମାନ । ଏହି ସିଦ୍ଦିମାନେ କିଏ ? ସିଦ୍ଦି ବା ହବସିମାନେ ଭାରତରେ ଓ ପାକିସ୍ତାନରେ ବସବାସ କରୁଥିବା ଆଫ୍ରିକୀୟ ମୂଳର ଏକ ଜନଜାତି । ଭାରତରେ ଏମାନଙ୍କର ସଂଖ୍ୟା ପାଖାପାଖି କୋଡ଼ିଏ ହଜାର ଓ ଆମ ଦେଶରେ ଏମାନେ କର୍ଣ୍ଣାଟକ, ଗୁଜୁରାଟ ଓ ହାଇଦ୍ରାବାଦରେ ବସବାସ କରନ୍ତି । ପାକିସ୍ତାନରେ ଏମାନଙ୍କର ସଂଖ୍ୟା ତିରିଶରୁ ଚାଳିଶ ହଜାର ଭିତରେ । ସେଠି ସେମାନେ ରହନ୍ତି ମକ୍ରାନ ଓ କରାଚୀରେ । ଏମାନେ ଦକ୍ଷିଣ-ପୂର୍ବ ଆଫ୍ରିକାର ବାଣ୍ଟୁ ଜନଜାତିର ଲୋକ ଓ ଧର୍ମ ଦୃଷ୍ଟିରୁ ସୁଫି ମୁସଲମାନ । କୃଷ୍ଣକାୟ ହୋଇଥିବାରୁ ଏବେ ଭାରତରେ ସେମାନେ ବର୍ଣ୍ଣ ବିଦ୍ୱେଷରେ ଶିକାର ମଧ୍ୟ ହେଉଛନ୍ତି । ଦ୍ୱାଦଶ ଶତାବ୍ଦୀ ସୁଦ୍ଧା ସିଦ୍ଦିମାନେ ଭାରତର ପଶ୍ଚିମ ଉପକୂଳରେ ସ୍ଥିତ ଜଞ୍ଜିରା ଦ୍ୱୀପରେ ଜଞ୍ଜିରା ରାଜ୍ୟ ଓ କାଥିଆୱାଡ଼ରେ ଜାଫରାବାଦ ଆଦି ଛୋଟ ରାଜ୍ୟଟିମାନ ସ୍ଥାପିତ କରିସାରିଥିଲେ । ହେଲେ ଏବେ ସେମାନଙ୍କର ଅବସ୍ଥା ବହୁତ ଖରାପ । ଏମାନେ ବେପାରୀ, ନାବିକ, କିଣା ଚାକର, ଭଡ଼ାଟିଆ ସୈନିକ ବା ଦାସ ଭାବରେ ଅବିଭକ୍ତ ଭାରତକୁ ଆସିଥିଲେ । ଯେପରି ଆସିଥିଲେ ମଲ୍ଲିକ ଅମ୍ବର, ଜଣେ କ୍ରୀମୋଗଲମାନଙ୍କୁ ଦାକ୍ଷିଣାତ୍ୟରୁ ଅନେକ ଦଶନ୍ଧି ଧରି ଦୂରେଇ ରଖିବାରେ ମଲ୍ଲିକ ଅମ୍ବରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଏଥିପାଇଁ ନିଜର ସ୍ମୃତିଚାରଣରେ ଶହନଶାହ ଜାହାଙ୍ଗୀର ଅମ୍ବରଙ୍କୁ ଅନେକ ଗାଳିଗୁଲଜ ମଧ୍ୟ କରିଛନ୍ତି । ଅମ୍ବର ଖାଲି ଜଣେ ସେନାନୀ ଓ ପ୍ରଶାସକ ଥିଲେ ତାହା ନୁହେଁ । ଦାକ୍ଷିଣାତ୍ୟର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସହର ଖିର୍କି (ଅର୍ଥାତ ଦାକ୍ଷିଣାତ୍ୟର ଝରକା)ର ସେ ଥିଲେ ପ୍ରତିଷ୍ଠାତା । ନାମ ପରିବର୍ତ୍ତନ ପରେ ଆମେ ସେହି ସହରଟିକୁ ଆଜି ଔରଙ୍ଗାବାଦ ଭାବରେ ଜାଣୁ । ମୋଗଲମାନେ ଅହମଦନଗର ରାଜ୍ୟ ଅଧିକାର କଲା ପରେ ଔରଙ୍ଗଜେବ ଏହି ସହରଟିର ନାମ ବଦଳାଇ ନିଜ ନାମ ଅନୁସାରେ ନଗରଟିର ନାଁ ଦେଇଥିଲେ । ଖିର୍କି ସହରର ପ୍ରାୟତଃ ସମସ୍ତ ଗୁରୁତ୍ୱପୂର୍ଣ୍ଣ କୋଠାବାଡ଼ିର ନିର୍ମାତା ଅମ୍ବର ହିଁ ଥିଲେ । ଏହାଛଡ଼ା ସେ ମାତ୍ର ପନ୍ଦର ମାସରେ ଗୋଟିଏ ବଡ଼ କେନାଲ ଖୋଳାଇ ନୂଆ ସହରଟିର ଜଳଯୋଗାଣର ଦୋରସ୍ତ ବ୍ୟବସ୍ଥା କରିଥିଲେ ।

ଏହି ମଲ୍ଲିକ ଅମ୍ବର, ବିଜାପୁରର ସୁଲତାନ ଇବ୍ରାହିମ ଆଦିଲ ଶାହ ଦ୍ୱିତୀୟ, ଶହନଶାହ ଆକବରଙ୍କୁ ୧୬୦୩ ମସିହାରେ ଉପହାରରେ ପଠାଇଥିବା ଚଞ୍ଚଲ୍କୁ ଆଗ୍ରାରେ ନ ପହଞ୍ଚାଇ ଦେବାର ପଣ କରିଥାଆନ୍ତି । ହେଲେ ଏହି ଧମକ କେବେ ସତ୍ୟରେ ପରିଣତ ହୁଏ ନାହିଁ । କିଛି ସପ୍ତାହ ମଧ୍ୟରେ ଚଞ୍ଚଲ୍ ପହଞ୍ଚେ ଅହମଦନଗର ଦୁର୍ଗରେ । ଓ ତାହା ପରେ କିଛି ମାସର ଯାତ୍ରା ଉତ୍ତାରୁ ଆକବରଙ୍କ ପାଖରେ, ଆଗ୍ରାରେ, ଆମର ପରିଚିତ ହସ୍ତୀନୀଟି ପହଞ୍ଚିଯାଏ । ଖୁବଶୀଘ୍ର ସେ ସମ୍ରାଟ ଆକବରଙ୍କର ପ୍ରିୟ ବନେ ଓ ଦୁଇ ବର୍ଷ ପରେ ମୋଗଲ ଇତିହାସର ଏକ ବହୁକଥିତ ଗଣ୍ଡଗୋଳରେ ଭାଗ ନିଏ ।

ଏହି ଉପହାରର ହାତୀଟି ଓ ତାହାର ଚାରିପାଖର ରାଜନୀତି ଓ ସମାଜକୁ ନୀରିକ୍ଷଣ ଆମକୁ ଅନେକ ବିଷୟରେ ସଚେତନ କରାଏ । ଭାରତକୁ ମୁସଲମାନମାନେ କେବଳ ଆକ୍ରମଣକାରୀ ହୋଇ ନୁହେଁ, ଦାସ ହୋଇ ମଧ୍ୟ ଆସୁଥିଲେ । ଆଉ ଜଣେ ମୁସଲମାନ କ୍ରୀତଦାସର ପ୍ରଧାନମନ୍ତ୍ରୀ ପଦ ପର୍ଯ୍ୟନ୍ତ ଚଢ଼ିବାର ସମ୍ଭାବନା ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀର ଭାରତରେ ଥିଲା । ଏହି ଦିଗରେ ଗତ ତିନି ଶହ ବର୍ଷ ଭିତରେ ଆମେ ଆଗକୁ ଯାଇଛୁ କି ପଛକୁ, ସେକଥା ବିଚାରଯୋଗ୍ୟ । ଆମେ ଏହା ମଧ୍ୟ ଦେଖୁ ଯେ, ସତର ଶତାବ୍ଦୀର ହିନ୍ଦୁ ଓ ମୁସଲମାନମାନେ ଯେ ପରସ୍ପର ଭିତରେ ଲଢ଼ୁଥିଲେ ତାହା ନୁହେଁ - ହିନ୍ଦୁ ଓ ମୁସଲମାନମାନେ ହିଆରେ ହିଆ ମିଶାଇ ଲଢ଼ୁଥିଲେ । ଯେମିତି ମାଲୋଜି ଭୋଁସଲେ ତଥା ମଲ୍ଲିକ ଅମ୍ବର । ସେବେ ଲୋକେ ନିଜକୁ କି ଅନ୍ୟମାନଙ୍କୁ ସବୁବେଳେ ବୋଧହୁଏ ହିନ୍ଦୁ କି ମୁସଲମାନ ଭଳି ସାମ୍ପ୍ରଦାୟିକ ଖୋପ ଦେଇ ଦେଖୁ ନଥିଲେ । 

ବି.ଦ୍ର. - ଏହି ଲେଖାଟି ପାଇଁ ମାସିକ ଇଂରାଜୀ ପତ୍ରିକା “କାରାଭାନ”ର ଫେବ୍ରୁଆରୀ ୨୦୧୭ ସଂଖ୍ୟାରେ ପ୍ରକାଶିତ ନନ୍ଦିନୀ ରାମଚନ୍ଦ୍ରନଙ୍କ ଦ୍ୱାରା ଲିଖିତ ପ୍ରବନ୍ଧ ‘କ୍ରସିଙ୍ଗ ପାଥସ୍’ ତଥା ପାଷିଙ୍ଗଟନ୍ ଓବେଙ୍ଗ୍, “ଆଫ୍ରିକାନ୍ ଆଣ୍ଡ୍ ଏସିଆନ୍ ଷ୍ଟଡ଼ିଜ୍” ପତ୍ରିକାର ଜୁଲାଇ ୨୦୦୭ ସଙ୍ଖ୍ୟାରେ ‘ସର୍ଭିସ୍ ଟୁ ଗଡ଼୍, ସର୍ଭିସ୍ ଟୁ ମାଷ୍ଟର କ୍ଲାଏଣ୍ଟ୍: ଆଫ୍ରିକାନ୍ ଇଣ୍ଡିଆନ୍ ମିଲିଟାରୀ କଣ୍ଟ୍ରିବ୍ୟୁଶନ୍ ଇନ୍ କର୍ଣ୍ଣାଟକ’ ଶୀର୍ଷକରେ ଲେଖିଥିବା ପ୍ରବନ୍ଧ ଦୁଇଟିର ସାହାଯ୍ୟ ନିଆଯାଇଛି ।