ଫଟୋ - ସୁମିତ୍ରା ପାଢୀ

କିଛି ବର୍ଷ ତଳର କଥା। ଶିକ୍ଷାକେନ୍ଦ୍ରର ସବୁଠୁ ଭଲ ପିଲା ବୋଲି ନାଁ ଡାକ ଥିବା ସିପୁ ସହ ମୋର ସେଦିନ ହଠାତ୍ ଭେଟ ହୋଇଗଲା । ସ୍କୁଲ୍ ପାଖ ନଈକୂଳ ବନ୍ଧ ପାରେଇଗଲେ ଯେଉଁଠି ବଡ଼ ପଡ଼ିଆଟି ମଝିରେ ଥିବା ସେଇ ସତୁରୀ ବର୍ଷର ପୁରୁଣା ବରଗଛଟି ଦିଶେ, ସେ ମୋତେ ସେଇଠିକୁ ଟାଣି ଟାଣି ନେଇଗଲା ।

ସିପୁ ଏବେ ନବମ ଶ୍ରେଣୀରେ ପଢ଼ୁଛି । ତେଣୁ ତା' ମନରେ ଏଇ ଶିକ୍ଷା ବ୍ୟବସ୍ଥା, ମଣିଷର ଜୀବନ ଓ ସମାଜକୁ ନେଇ କେତେ ନା କେତେ ପ୍ରଶ୍ନ । ଦୁହେଁ କିଛି ସମୟ ତା’ର ସନ୍ଦେହ ଥିବା ବିଷୟ ଗୁଡ଼ିକରେ କଥା ହେବା ପରେ ଯେଉଁ ପ୍ରଶ୍ନଟି ପାଖରେ ସିପୁ ଅଟକିଗଲା, ସେଇଟି ଥିଲା “ଆମ ପରି ପିଲାମାନେ ଘରେ କି ହଷ୍ଟେଲ୍ ରେ ରହିବା ସମୟରେ ବା ଶ୍ରେଣୀ ଗୃହ କି ଟ୍ୟୁସନ୍ ରେ ଯେଉଁ ଦଣ୍ଡ ପାଆନ୍ତି, ସେଥିଲାଗି ପ୍ରକୃତରେ ଦୋଷୀ କିଏ? ପିଲା... ଶିକ୍ଷକ...ନା ଅଭିଭାବକ..??? ଏଥିପାଇଁ ଭବିଷ୍ୟତରେ ଆମ ପରି ପିଲା ମାନଙ୍କର ଜୀବନ ଉପରେ ଏହାର କିଛି ପ୍ରଭାବ ପଡେ଼ନି ତ?” ପ୍ରଶ୍ନଟି ଶୁଣି ମୋ ଭିତରଟା ଟିକିଏ ଦୋହଲି ଗଲା । ମୁଁ କଥାଟିକୁ ବାଆଁରେଇବା ଲାଗି ହସିଦେଇ କହିଲି; “ତୁ ତ ଆମର ସବୁଠୁ ଭଲ ପିଲା... ସବୁ କାମକୁ ଆଗ। ପାଠରେ ଯେମିତି ନାଚ, ଗୀତ, ଭାଷଣ, ଖେଳ ଓ ଚିତ୍ରରେ ବି ସେମିତି । ମାଡ଼ ତ ପଛକଥା, ଏଠାରେ ରହିବା ଦିନରୁ ଗାଳି ପଦେ ବି ଶୁଣିନୁ ତୁ । ତୋ ମୁଣ୍ଡରେ ଏସବୁ ପ୍ରଶ୍ନ ଆସିଲା କେଉଁଠୁ ?”

ଏତକ କହିଦେଇ ଲମ୍ବା ନିଶ୍ୱାସଟେ ପକେଇ ଅନେଇଲି ଆକାଶ ଆଡକୁ... ସାମ୍ନାରେ ଧଳା ଧଳା ମେଘ ଖଣ୍ଡ, ନଈ ପାଣିରେ ସଂଜବୁଡ଼ା ନାଲି ସୂର୍ଯ୍ୟର ଛାଇ ଆଉ ଆମ ପ୍ରଶ୍ନ ସବୁର ବୋଝ ବୋହି ଧୀରେଧୀରେ ଯାଉଥିବା ଦଳଦଳ ଘର ବାହୁଡ଼ା ଚଢେ଼ଇଙ୍କୁ ଦେଖୁ ଦେଖୁ ଆମେ ଦୁହେଁ ଫେରି ଆସିଲୁ । କଥାଟି ଅଧାରୁ ରହିଗଲା ।

କିନ୍ତୁ ସତ କହିଲେ, ଏମିତି କଥା ସବୁକୁ କ’ଣ ଛାଡ଼ି ଦେଇ ହୁଏ ଅଧାରୁ ନା ଅଲଗା କରିହୁଏ ମନରୁ ?

'ଶିକ୍ଷା ଅଧିକାର ଆଇନ୍ ୨୦୦୯' ଅନୁସାରେ ସରକାରୀ ଅନୁଷ୍ଠାନମାନଙ୍କରେ ତନାଘନା ହୋଇ “ଦଣ୍ଡମୁକ୍ତ ଅଞ୍ଚଳ, ଟୋଲ୍ ଫ୍ରି ନମ୍ବର” ଆଦି ଘୋଷଣା ଚାଲୁଥିବାବେଳେ, ଶିକ୍ଷକମାନଙ୍କ ନାଁରେ ଦଣ୍ଡଦେବା କାରଣରୁ କେସ୍ ହେଉଛି ବୋଲି ଶୁଣୁଥିବାବେଳେ, ଆମେମାନେ ଅର୍ଥାତ୍ ବେସରକାରୀ ବିଦ୍ୟାଳୟ, ଘରୋଇ ଟ୍ୟୁସନ୍ ଓ କୋଚିଙ୍ଗ୍ ସେଣ୍ଟରର ଶିକ୍ଷକଙ୍କ ସମେତ ବାପା, ମାଆମାନେ ମଧ୍ୟ ବେଧଡ଼କ୍ ହୋଇ ପିଲାମାନଙ୍କୁ ପିଟି ଚାଲିଛୁ । କାହିଁକି ନା ଆମେ ସରକାରୀ ନୁହେଁ, କି କାହା ଅଧୀନରେ ବି ନାହୁଁ । ଆମେ ମୁକ୍ତ... ଆମେ ସ୍ୱାଧୀନ... ଆମ ପିଲାଙ୍କର ଆମେ ହର୍ତ୍ତା, କର୍ତ୍ତା, ଦୈବ ବିଧାତା...!!!

ସିପୁର ପ୍ରଶ୍ନ ଶୁଣିବା ପରେ ଅନେକ କଥା ମନେପଡ଼ି ମୋତେ  ଅସ୍ଥିର ଲଗିଲା । ପ୍ରତିଟି ଶିଶୁ ଦେହରେ ଯନ୍ତ୍ରଣାର ଚିହ୍ନ ଦେଖି ଯେଉଁ ଭିତରଟା ଚିପୁଡ଼ି ହୋଇଗଲା ପରି ସବୁବେଳେ ଲାଗେ, ସେଇଠି ଏଥର ଗଭୀର କ୍ଷତଟିଏ ହୋଇଗଲା। ବାପା, ମାଆମାନଙ୍କଠୁ ନିଜ ନିଜ ପିଲାଙ୍କର ଦୁଷ୍ଟାମି ଓ ତାଙ୍କୁ ଦଣ୍ଡ ଦେବାର ଅଦ୍ଭୁତ ଉପାୟ ସବୁ ଶୁଣୁଶୁଣୁ ମୁଁ ସତକୁ ସତ କାନ୍ଦି ପକାଇଲି, ଅସହାୟ ହୋଇଗଲି । ଟିଉସନ ସାର୍ ଙ୍କର “ଛାଟ ନବାଜିଲେ କେହି ମଣିଷ ହେବେନି”ର ଯୁକ୍ତି ଶୁଣି ଶୁଣି ମୋତେ ସେମାନଙ୍କ ଉପର ଘୃଣା ଆସିଗଲା । ସେଥିପାଇଁ ମୁଁ ନିଜକୁ ମୋର ସମସ୍ତ କାର୍ଯ୍ୟରୁ ଓହରାଇ ଆଣି ଉତ୍ତର ଖୋଜି ଚାଲିଲି । ପାଖରେ ଥିବା ଗୋଟିଏ ଆବାସିକ ବିଦ୍ୟାଳୟ ପରିସରରେ ରହି ସେଠାକାର ଅଭିଭାବକ, ପିଲା, ଶିକ୍ଷକ, କର୍ମକର୍ତ୍ତାଙ୍କ ମେଳରେ ଦୁଇମାସ ବିତେଇଲି ସମାଧାନଟିଏ ପାଇବା ଆଶାରେ। ସେଠାକାର ଅନୁଭୂତିରୁ ଦଣ୍ଡ ଦେବାର ଯେଉଁ ରହସ୍ୟ ଅଛି ତା’ର କାରଣଟେ ଖୋଜିବାର ଚେଷ୍ଟା କଲି ।

ସେହି ଆବାସିକ ବିଦ୍ୟାଳୟର ଘଟଣା ଓ ଶିକ୍ଷକମାନଙ୍କ ସହ କଥାବାର୍ତ୍ତାରୁ ଯେଉଁ କାରଣଗୁଡ଼ିକ ମିଳିଲା ତାହା ବାପା, ମାଆମାନଙ୍କର ଅଭିଯୋଗଠୁ ବିଶେଷ ଅଲଗା ନୁହେଁ । କଥାଗୁଡ଼ିକ ଶୁଣିସାରିବା ପରେ ଆମେ ନିଶ୍ଚୟ ଜାଣିପାରିବା ଦୋଷ କାହାର ଓ ସମାଧାନର ବାଟ କ’ଣ ।

ବିଦ୍ୟାଳୟରେ କର୍ମୀମାନଙ୍କର ସଂଖ୍ୟା ପିଲାଙ୍କ ଅନୁପାତରେ କମ୍ ଥିବାରୁ ଶିକ୍ଷକମାନେ ଅନୁଷ୍ଠାନର ଯାବତୀୟ କାର୍ଯ୍ୟରେ ବ୍ୟସ୍ତ ରହି ପିଲାଙ୍କ ପାଖେ ଅନୁପସ୍ଥିତ ରହିବା ସମୟରେ ପିଲାଏ ଜୋର୍ ରେ କଥାବାର୍ତ୍ତା ହେଉଛନ୍ତି ବା ମରାମରି ଲାଗୁଛନ୍ତି । ତେଣୁ ତାଙ୍କୁ ଚୁପ୍ କରିବାକୁ ମଝିରେ ମଝିରେ ମାଡ଼ ମାରି ଭୟ ଦେଖାଇବାକୁ ପଡୁଛି ।

ନିଜ ବ୍ୟକ୍ତିଗତ କାର୍ଯ୍ୟ ବା ଅନୁଷ୍ଠାନର କାର୍ଯ୍ୟରେ ବ୍ୟସ୍ତଥିବାବେଳେ କର୍ମମନସ୍କ ଆମ ବଡ଼ମାନଙ୍କୁ ପିଲାମାନଙ୍କର କଥା, ଅଭିଯୋଗ ସବୁ ଅସ୍ତବ୍ୟସ୍ତ କରି ପକାଉଛି । ତେଣୁ ବସାଇ ଦେଉଛନ୍ତି ଦୁମ୍ ଦାମ୍ କରି ବିଧା ଚାପୁଡ଼ା।

କେବେ କେବେ ବ୍ୟକ୍ତିଗତ କାରଣରୁ ଚିନ୍ତିତ ଥିବାବେଳେ ପିଲାଙ୍କର ଉଚ୍ଚସ୍ୱରରେ କଥା, ଦଉଡ଼ାଦଉଡ଼ି ଓ ବ୍ୟବହାର ସବୁ ଅତିରିକ୍ତ ମନେହେଉଛି ତ ବାଜୁଛି ନିସ୍ତୁକ ମାଡ଼।

ପିଲାଙ୍କୁ ମଣିଷ ଅର୍ଥାତ୍ ଚରିତ୍ରବାନ, ଜ୍ଞାନୀ, ଶୃଙ୍ଖଳାପୂର୍ଣ୍ଣ କରିବା ପାଇଁ ଦଣ୍ଡ ନିହାତି ଆବଶ୍ୟକ ବୋଲି ଅଭିଭାବକ ଓ ଶିକ୍ଷକଙ୍କର ମତ ।

“ଦଣ୍ଡ ଦେବା ବ୍ୟତୀତ ଠିକ୍ ବା ଭଲ ମଣିଷଟିଏ ହେବା ପାଇଁ ଅନ୍ୟ ବାଟ କିଛି ନାହିଁ” ବୋଲି ସମସ୍ତଙ୍କର ଧାରଣା । ତେବେ ଟିକେ ଭାବି ଦେଖିଲେ ଭୁଲ୍ କାହାର ଆଉ ଦଣ୍ଡ ପାଉଛି କିଏ...??

ଆମେ ଏବେ ଏକବିଂଶ ଶତାବ୍ଦୀରେ ପହଞ୍ଚି ନିଜକୁ ଶ୍ରେଷ୍ଠ ଜୀବ ବୋଲି ଦାବି କରୁଛେ । ତଥାପି ଆମ ମାନସିକତା କାହିଁ କେତେ ଶତାବ୍ଦୀ ପଛରେ ପଡ଼ିରହିଛି । ଜର୍ମାନରେ ଜନ୍ମିତ ବିଶିଷ୍ଟ ଶିକ୍ଷାବିତ୍‌ , ଗବେଷକ, ଶିକ୍ଷକ, କିଣ୍ଡର ଗାର୍ଡେନ୍‌ ଶିକ୍ଷଣର ସ୍ରଷ୍ଟା, ଆଧୁନିକ ଶିକ୍ଷାର ମୂଳଦୂଆ ପକାଇ ଥିବା ଫ୍ରେଡରିକ୍ ଫ୍ରଏବେଲ୍ (୨୧ ଏପ୍ରିଲ୍ ୧୭୮୨ - ୨୧ ଜୁନ୍ ୧୮୫୨) ଲେଖିଥିଲେ, "The use of punishment was a good way for adults for make a child bad."  ଯଦି ଏକଥା ସତ ତେବେ ଆମେ ‘ଖାଲି ମୋର’ ବୋଲି କହି ଦାବି କରୁଥିବା ଶିଶୁକୁ ଭଲ କରିବା ନାଆଁରେ ଖରାପ କରୁନେ ତ...??

ଆମ ଚାରିପାଖକୁ ଅନେଇଲେ ଏହାର ଶହ ଶହ ଉଦାହରଣ ମିଳିଯିବେ ଦେଖିବାକୁ । ଟିକେ ପିଲାବେଳର କଥା, ବର୍ତ୍ତମାନର ସ୍ଥିତି ଓ ମନୋବୈଜ୍ଞାନିକମାନେ ଦଣ୍ଡ ଦ୍ୱାରା ହେଉଥିବା ଅସୁବିଧାଗୁଡ଼ିକ ବିଷୟରେ କହିଥିବା କଥାଗୁଡ଼ିକୁ ମିଳାଇ ତୁଳନା କରି ଦେଖିଲେ ଆମେ ବେଶ୍ ବୁଝି ପାରିବା ।

ମୋ ଆଖିଆଗରେ ବି ଅନେକ ଉଦାହରଣ । ମୁଁ କେବଳ ମନୋବୈଜ୍ଞାନିକଙ୍କର ପ୍ରତିଟି ମତ ଅନୁସାରେ ଗୋଟିଏ ଦୁଇଟି ସତ ଘଟଣାର ଅବତାରଣା କରିବି ସମସ୍ତଙ୍କର ବୁଝିବା ଉଦ୍ଦେଶ୍ୟରେ  ।