Photo - Wikipedia

ମୋ ପତି ମୃତ୍ୟୁ ଶଯ୍ୟାରେ । ମୁଁ ଶେଷ ସନ୍ତକ ଭାବେ ତାଙ୍କ ସ୍ପର୍ମର ଉପଯୋଗ କରି ମାତୃତ୍ୱ ସୁଖ ଲାଭ କରିବାକୁ ଚାହୁଁଛି । ମାତ୍ର ଦେଶର ଆଇନ୍ ମୋତେ ଏଥିନିମନ୍ତେ ଅନୁମତି ଦେଉନାହିଁ । ଆମ ପ୍ରେମର ଅନ୍ତିମ ସ୍ମୃତିକୁ ରକ୍ଷା କରିବାକୁ ମୋତେ ମୋ ପତିଙ୍କର ଅଂଶ ସ୍ୱରୁପ ତାଙ୍କ ସ୍ପର୍ମ ଦେଇ ମୋତେ ଦୟା କରନ୍ତୁ । ଏବେ ମୋ ପତି ଜୀବନରକ୍ଷାକାରୀ ଯନ୍ତ୍ରରେ ଅଛନ୍ତି । କୌଣସି ମୁହୂର୍ତ୍ତରେ ଅଟକିଯାଇପାରେ ତାଙ୍କ ପ୍ରଶ୍ୱାସ । ଡାକ୍ତରଙ୍କ କହିବା ଅନୁସାରେ ତାଙ୍କ ପାଖରେ ଆଉ ଖୁବ୍ କମ୍ ସମୟ ରହିଛି ।

ଏ ଆକୁଳ ନିବେଦନ ନିଜ ପତି ମେଡିକାଲ୍ ବେଡ୍ ରେ ଅନ୍ତିମ ପ୍ରଶ୍ୱାସକୁ ଅପେକ୍ଷା କରିଥିବା ଜଣେ ପତ୍ନୀଙ୍କର । ତାଙ୍କ ଆକୁଳ ନିବେଦନ ଶୁଣିଲା ପରେ ଗୁଜରାଟ ଉଚ୍ଚନ୍ୟାୟାଳୟର ବିଚାରପତିମାନେ ଦଣ୍ଡେ, ନିମିଷେ ବାକ୍ରୁଦ୍ଧ ହୋଇଯାଇଥିଲେ । ନିକଟରେ ଗୁଜରାଟ ଉଚ୍ଚନ୍ୟାୟାଳୟରେ ଏପରି ଏକ ଅଦ୍ଭୁତପୂର୍ବ ଆବେଦନ ଆସିଥିଲା । କାନାଡ଼ାରେ ଅବସ୍ଥାନ କରୁଥିବା ଜଣେ ମହିଳା, ଯାହାଙ୍କର ଶଶୁରାଲ୍ (ଶ୍ୱଶୁରାଳୟ) ଗୁଜରାଟର ଅହମଦାବାଦରେ । ମହିଳାଙ୍କ ପତି କୋଭିଡ୍ ରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଜୀବନ ଓ ମରଣ ସହିତ ସଂଗ୍ରାମ କରୁଛନ୍ତି ।

କାନାଡାରେ ଅବସ୍ଥାନ କରୁଥିବା ଏହି ମହିଳାଜଣକ ପ୍ରେମବିବାହ କରିଥିଲେ । ଆଜକୁ ୪ ବର୍ଷ ପୂର୍ବେ ଉଭୟ ଉଭୟଙ୍କୁ ଜାଣିଥିଲେ । ସାକ୍ଷାତ, ସାକ୍ଷାତରୁ ପ୍ରେମ ଓ ୨୦୨୦ରେ ବିବାହ । ବିବାହର ମାତ୍ର ୪ ମାସ ପରେ ଭାରତରେ ଅବସ୍ଥାନ କରୁଥିବା ପତିଙ୍କ ପିତା ଅର୍ଥାତ୍ ଆବେଦନକାରୀ ମହିଳାଙ୍କ ଶ୍ୱଶୁରଙ୍କୁ ହୃଦଘାତ ହୋଇଥିଲା। ଉଭୟ ପତି-ପତ୍ନୀ ଫେବୃଆରୀ ୨୦୨୧ରେ ଭାରତ ଫେରିଥିଲେ । ହୃଦଘାତରେ ଆକ୍ରାନ୍ତ ପିତାଙ୍କର ସେବା କରିବାକୁ । ଡାକ୍ତରଖାନାରେ ପିତାଙ୍କର ସେବା ଶୁଶ୍ରୂଷା କରିବା ସମୟରେ ପତି କୋଭିଡ୍ ଆକ୍ରାନ୍ତ ହେଲେ । ୧୦, ମେ’କୁ ତାଙ୍କର ଅବସ୍ଥା ସଂକଟାପନ୍ନ ହେବା ଯୋଗୁଁ ସେ ଭଦୋଦରାସ୍ଥିିତ ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସା ପାଇଁ ଭର୍ତ୍ତି ହେଲେ । ମାତ୍ର ବିଧିର ବିଧାନ ଥିଲା ବିଚିତ୍ର । ସଂକ୍ରମଣ ସାରା ଶରୀରକୁ ଚରିଗଲା । ସ୍ୱାସ୍ଥ୍ୟବସ୍ଥା ଖରାପରୁ ଖରାପ ହେବାକୁ ଲାଗିଲା । ସଂକ୍ରମଣ ଅଧିକ ହେବା ଯୋଗୁଁ ତାଙ୍କୁ ଜୀବନରକ୍ଷାକାରୀ ଯନ୍ତ୍ର ଦ୍ୱାରା ରଖାଗଲା । ବିତିଗଲା ଦୁଇମାସ । ତଥାପି ସ୍ୱାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହେଲାନାହିଁ ।

ଶେଷରେ ଡାକ୍ତରମାନେ ହାତ ଟେକିଦେଲେ । ସ୍ୱାସ୍ଥ୍ୟବସ୍ଥାରେ ସୁଧାରର କୌଣସି ସୁଯୋଗ ନାହିଁ ବୋଲି ସୂଚନା ଦେଲେ । ଅଧିକରୁ ଅଧିକ ମାତ୍ର ତିନିଦିନ ତାଙ୍କ ହାତରେ ରହିଛି ବୋଲି ଶେଷବାଣୀ ଶୁଣାଇଦେଲେ । ଡାକ୍ତରମାନଙ୍କ ନିକଟରୁ ଏ ସୂଚନା ପାଇଲା ପରେ ସାରା ପରିବାର ହତବାକ୍ ହୋଇଗଲା । କାହାରି ଆଖିରେ ଲୁହ ନୁହେଁ କୋହ ଝରୁଥିଲା । ବିବାହକୁ ବର୍ଷୁଟିଏ ବି ପୁରିନି । ପିତାଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଆସିଥିବା ବିଦେଶ ଫେରନ୍ତା ପୁତ୍ରର ଜୀବନ ସଂକଟାପନ୍ନ । ଏ କଥା ଶୁଣିଲା ପରେ ପିତାଙ୍କ ଅବସ୍ଥା ଅନୁମେୟ । ପ୍ରେମ ଓ ବିବାହର ଏକ ବର୍ଷ ମଧ୍ୟ ନପୁରୁଣୁ ପତିଙ୍କୁ ନିଜ ଆଖି ସାମ୍ନାରେ ହରାଇବାର ଦୁଃଖରେ ମର୍ମାହତ ପତ୍ନୀ । କିଏ କାହାକୁ ସାନ୍ତ୍ୱନା ଦେବ? କିଏ କାହାକୁ ଦେବ ପ୍ରବୋଧନା । ଜୀବନ ବି ବେଳେବେଳେ ଅଦ୍ଭୁତ ଦୃଶ୍ୟ ଦେଖାଇଥାଏ ।

କ'ଣ କରିବେ ମହିଳା । ପରିବାରର କାହାରି ଆଖିରୁ ଲୁହ ଶୁଖୁ ନଥାଏ । ନିଷ୍ପତ୍ତି ନେଇସାରିଥିଲେ ମହିଳା । ଭେଟିଲେ ଡାକ୍ତରଙ୍କୁ । ଆକୁଳ କଣ୍ଠରେ ନିବେଦନ କଲେ । ବିବାହର ବର୍ଷୁଟିଏ ପୁରିନି । ସେ ଏଯାଏ ଗର୍ଭବତୀ ହୋଇନାହାନ୍ତି । ତାଙ୍କୁ ତଥା ତାଙ୍କ ପରିବାରକୁ ଦରକାର ଏକ ସନ୍ତାନ । ସେ ଚାହାନ୍ତି ତାଙ୍କ ପ୍ରେମର ସ୍ମୃତି ସ୍ୱରୁପ ତାଙ୍କ ପତିଙ୍କର ଅଂଶ । ଡାକ୍ତରୀ ବିଦ୍ୟାରେ ହୋଇପାରେ ସମ୍ଭବ । ପତିଙ୍କର ସ୍ପର୍ମକୁ ସଂଗ୍ରହ କରି ଆଇଭିଏଚ୍ ପ୍ରଣାଳୀ ଜରିଆରେ ମହିଳା ହୋଇପାରିବେ ଗର୍ଭବତୀ । ସେ ନିଜ କୋଳରେ ଧାରଣ କରିପାରିବେ ନିଜ ପତିଙ୍କର ଅଂଶକୁ । ସେତିକି ମାତ୍ର ରହିଯିବ ତାଙ୍କ ନିକଟରେ ପତିଙ୍କର ଅଂଶବିଶେଷ । ମୁଁ ଚାହୁଁଛି ମୋ ପତିଙ୍କ ସ୍ପର୍ମ ଦ୍ୱାରା ଗର୍ଭବତୀ ହେବାକୁ । ମୋତେ ସାହାଯ୍ୟ କରନ୍ତୁ ।

ଡାକ୍ତର ମହିଳାଙ୍କ ନିବେଦନକୁ ଶୁଣିଲେ । ତାଙ୍କ ଚିନ୍ତାଧାରାକୁ ସମ୍ମାନ କଲେ । ମାତ୍ର ନିଜ ଅସହାୟତା ପ୍ରକାଶ କଲେ । କିନ୍ତୁ ଆଇନଗତ ଅସହାୟତା ପ୍ରକାଶ କଲେ । ମେଡିକୋ ଲିଗାଲ ଆକ୍ଟ ଅନୁସାରେ ପତିଙ୍କର ଅନୁମତି ବିନା ସ୍ପର୍ମ ସଂଗ୍ରହ କରିବା ଅପରାଧ । ଏହା ସମ୍ଭବ ନୁହେଁ । ପତ୍ନୀ ବହୁତ ଗୁହାରି କଲେ । ପତିଙ୍କର ବଞ୍ଚିବାର କୌଣସି ସମ୍ଭାବନା ନାହିଁ । ତାଙ୍କ ନିକଟରେ ପର୍ଯ୍ୟାପ୍ତ ସମୟ ନାହିଁ । ଏଥିପାଇଁ ଶ୍ୱଶୁର ଅର୍ଥାତ ପତିଙ୍କ ପିତା ମଧ୍ୟ ସହମତ । ମାତ୍ର ହସ୍ପିଟାଲ୍ ର ଡାକ୍ତର ନାଚାର ଥିଲେ । ଏହା ବେଆଇନ୍ । ଆଇନ ସମ୍ମତ ନୁହେଁ । ସେ କୌଣସି ପ୍ରକାରର ସାହାଯ୍ୟ କରିପାରିବେ ନାହିଁ ବୋଲି ରୋକଠୋକ ଶୁଣାଇଦେଲେ । କେବଳ ଉଚ୍ଚନ୍ୟାୟାଳୟର ଆଦେଶ ଅନୁସାରେ ଏହା ସମ୍ଭବ ବୋଲି କହିଲେ । ସାମାନ୍ୟ ଆଶା ଜାଗିଲା ମହିଳାଙ୍କ ମନରେ । ଶ୍ୱଶୁରଙ୍କ ସହଯୋଗ ମିଳିଲା । ଉଭୟେ ପ୍ରସ୍ତୁତ ହେଲେ ଗୁଜରାଟ ଉଚ୍ଚନ୍ୟାୟାଳୟରେ ଆବେଦନ କରିବା ପାଇଁ । ସମୟ ଆହୁରି କଠୋର ଥିଲା । ଇତିମଧ୍ୟରେ ଡାକ୍ତର ଶୁଣାଇଲେ କି ପତିଙ୍କର ଜୀବନ ଆଉ ମାତ୍ର ୨୪ ଘଣ୍ଟା ।

ପତ୍ନୀ ସମୟକୁ ରୋକିଦେଇଥିଲେ ସତେ । ସେ ପତିଙ୍କଠାରୁ ଶୁଣିଥିଲେ । ସାବିତ୍ରୀଙ୍କ କଥା । ନପାହୁ ରାତି, ନମରୁ ପତି, ଏକ ରାତି ହେଉ ସପତ ରାତି । ଯଦିଓ ସେ ସାବିତ୍ରୀ ନୁହେଁ । ପତିଙ୍କୁ ବଞ୍ଚାଇବାର କୌଣସି ଚମତ୍କାରିତା ସେ ଯେ କରିପାରିବେ, ଏନେଇ ସେ ଭାବିବାର କୌଣସି ଅବକାଶ ନାହିଁ । ମାତ୍ର ସେ ଅଦାଲତର କବାଟ ବାଡ଼େଇପାରିବେ । ୨୪ ଘଣ୍ଟା କିଛି କମ୍ ସମୟ ନୁହେଁ । ପ୍ରସ୍ତୁତି ଚାଲିଲା । ସୋମବାର ଗୁଜରାଟ ହାଇକୋର୍ଟରେ ଆବେଦନ ଦାଖଲ କରାଗଲା । ତତ୍ପରଦିନ ମାମଲାର ଶୁଣାଣି କରିବାକୁ ନିବେଦନ କରାଗଲା ।

ଗୁଜରାଟ ଉଚ୍ଚନ୍ୟାୟାଳୟର ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବାକୁ ମଙ୍ଗଳବାର ଦିନ କୋର୍ଟରୁମ୍ ରେ ପହଞ୍ଚିଲେ । ଏହି ଆବେଦନକୁ ପଢ଼ିବା ପରେ କ୍ଷଣକେ ପାଇଁ ସେମାନେ ହତବାକ୍ ହୋଇଗଲେ । ୧୫ ମିନିଟ୍ ସମୟ ଲାଗିଲା ନାହିଁ । ଖଣ୍ଡପୀଠ ମହିଳାଙ୍କ ସପକ୍ଷରେ ନିଷ୍ପତ୍ତି ଶୁଣାଇଲେ।

ବଞ୍ଚିବାର ସମସ୍ତ ସମ୍ଭାବନା ଶୂନ୍ୟ ହୋଇଯାଇଥିବା ପତିଙ୍କର ସ୍ପର୍ମ ସଂଗ୍ରହ କରାଗଲା । ଡାକ୍ତରମାନେ ନିଜର ସମସ୍ତ ଡାକ୍ତରୀ ବିଦ୍ୟାର ଉପଯୋଗ କରି ପତିଙ୍କ ଶରୀରରୁ ସ୍ପର୍ମ ସଂଗ୍ରହ କଲେ । ୨୯ ବର୍ଷୀୟ ମହିଳାଙ୍କ ଆକୁଳ ନିବେଦନ ଉଚ୍ଚନ୍ୟାୟାଳୟ ଶୁଣିଲେ । (Assisted Reproductive Technology) ସହାୟତାରେ ସେ ଏଣିକି ମା ହୋଇପାରିବେ । ମାତୃତ୍ୱର ସୁଖ ପାଇପାରିବେ । କେବେଳ ସେତିକି ନୁହେଁ ନିଜ ପ୍ରେମର ସନ୍ତକ ନିଜ ପାଖରେ ରଖିପାରିବେ । ୨୧ ଜୁଲାଇ ୨୦୨୧ରେ ମହିଳାଙ୍କ ୩୨ ବର୍ଷୀୟ ପତି ଶେଷନିଶ୍ୱାସ ତ୍ୟାଗକଲେ । ଏପରି ଘଟଣାକୁ ନେଇ ଅନେକ ସିନେମା ଆମେ ଦେଖିଛନ୍ତି । ଭିକି ଡୋନର ଥିଲା ପ୍ରଥମ ହିନ୍ଦୀ ସିନେମା ।

ଆୟୁଷ୍ମାନ ଖୁରାନା, ୟାମୀ ଗୌତମ ତଥା ଅନୁଭବୀ ଅନୁ କପୁର ଏଇ ସିନେମାରେ ଚମତ୍କାର ଅଭିନୟ କରିଥିଲେ । ସ୍ପର୍ମ ଡୋନର ଅନେକ ସନ୍ତାନ ଅଶାୟୀଙ୍କ ଘରକୁ ତଥା ସେମାନଙ୍କ କୋଳକୁ ପରିପୂର୍ଣ୍ଣ କରିଥାଏ । କହିବା ବାହୁଲ୍ୟ ମାତ୍ର ୧୫ କୋଟି ବଜେଟରେ ନିର୍ମିତ ଏହି ସିନେମା ବକ୍ସ ଅଫିସରେ ପାଖାପାଖି ୬୫ କୋଟି ତାଙ୍କର ରାଜସ୍ବ ସଂଗ୍ରହ କରି ସଫଳତାର କାହାଣୀ ରଚିଥିଲା। କେବଳ ସେତିକି ନୁହେଁ ଏହି ସିନେମା ଲୋକପ୍ରିୟ ସିନେମାବର୍ଗରେ ଜାତୀୟ ପୁରସ୍କାର ମଧ୍ୟ ପ୍ରାପ୍ତ କରିଥିଲା । ଯଦିଓ ଏହି ସିନେମାରେ ନାୟକ ପଇସା ପାଇଁ ସିମେନ ଡୋନେଟ କରୁଥିଲା । ବଦଳରେ ନିଜ ପାଇଁ ତଥା ନିଜ ପରିବାର ପାଇଁ ଶାସ୍ୱତ ଆଧୁନିକ ସୁଖ ସୁବିଧାର ଆୟୋଜନ କରୁଥିଲା । ବିଜ୍ଞାନର ଚମତ୍କାରିତା ଦ୍ୱାରା ସନ୍ତାନହୀନତାମାନେ ସନ୍ତାନସମ୍ଭବା ହୋଇପାରୁଛନ୍ତି । ଏହି ବିଷୟରେ ସିନେମା ତିଆରି କରିବା ଖୁବ କଷ୍ଟସାଧ୍ୟ ନିଶ୍ଚୟ । ସମଗ୍ର ସିନେମାରେ ସନ୍ତୁଳନ ରଖିବା ଆବଶ୍ୟକ । ନଚେତ ସେଣ୍ଟିମେଣ୍ଟ ବିଗିଡ଼ିଯିବାର ଅନେକ ସମ୍ଭାବନା ଥାଏ । ଶସ୍ତା ଲୋକପ୍ରିୟତା ସାଉଁଟିବାର ଅଭିପ୍ରାୟ ରଖିବା ମାତ୍ରେ ସିନେମାର ଗତିଶୀଳତା ନଷ୍ଟ ହୋଇଯାଇଥାଏ । ସ୍ପର୍ମ ଡୋନେଟ କରାଯିବା କିଛି ଖରାପ କଥା ନୁହେଁ । ଏହା ଦ୍ୱାରା କିଛି ପରିବାରରେ ଖୁସି ଫେରିଥାଏ ।

ଏହି ସିନେମାର ଅନ୍ୟତମ ନିର୍ମାତା ଜନ ଅବ୍ରହାମଙ୍କୁ ଖୁବ ପ୍ରଶଂସା ମିଳିଛି ଏପରି ଏକ ସଫଳ ସିନେମାର ପ୍ରଯୋଜନା ପାଇଁ । କିଛି ମହିଳା ଜନ ଅବ୍ରହାମଙ୍କ ସ୍ପର୍ମ ଜରିଆରେ ମାତୃତ୍ଵ ଲାଭ କରିବାକୁ ଇଛା ପ୍ରକାଶ କରି ତାଙ୍କୁ ଚିଠି ଲେଖିଛନ୍ତି । କେବଳ ସେତିକି ନୁହେଁ ଏଇ ସିନେମାର ସଫଳତା ପରେ ଚଣ୍ଡିଗଡ଼ର ଏକ ସ୍ପର୍ମ ସେଣ୍ଟର ଜନଙ୍କ ସ୍ପର୍ମ ନେବାପାଇଁ ତାଙ୍କ ସହିତ ମୋଟାଅଙ୍କର ଚୁକ୍ତି କରିବାକୁ ଅଫର ଦେଇଥିଲେ ।

ମୁଁ ସ୍ପର୍ମ ଦାନ କରିବାରେ ବିଶ୍ୱାସ କରେ । ସମାଜରେ ସ୍ପର୍ମ ଦାନ ସମ୍ବନ୍ଧରେ ଜାଗରୁକତା ହେବ ଦରକାର । ଆଉ କେହି ସନ୍ତାନ ଆଶାୟୀ ନିରାଶ ନ ହୁଅନ୍ତୁ । ବିଜ୍ଞାନର ସହାୟତା ନିଅନ୍ତୁ । ଏହା ମୋର ଲକ୍ଷ୍ୟ ତଥା ଆଭିମୁଖ୍ୟ କହି ମୋଟାଅଙ୍କର ଚୁକ୍ତିନାମାକୁ ଏଡାଇ ଯାଇଥିଲେ ।

କହିବାର ଅଭିପ୍ରାୟ ତାଙ୍କ, ପ୍ରଶଂସା ସବୁକିଛି ନୁହେଁ । କାନାଡ଼ାରେ ରହୁଥିବା ପତି-ପତ୍ନୀ ନିଜର ଅସୁସ୍ଥ ପିତାଙ୍କୁ ସେବା ଶୁଶ୍ରୁଷା କରିବାକୁ ଆସୁଛନ୍ତି । ସାଧାରଣତଃ ଆମେ ଶୁଣିଥାଉ କି ଆମେରିକା କି ବିଦେଶ ଗଲା ପରେ ଘର, ପରିବାର ପିତାମାତାଙ୍କୁ ଭୁଲି ଯାଇଥାନ୍ତି । ମହିଳା ଜଣକ ନିଜ ପତିଙ୍କର ସ୍ମୃତିକୁ ସନ୍ତକ ରୂପେ ନିଜ ଗର୍ଭରେ ଧାରଣ କରି ମାତୃତ୍ଵ ସୁଖ ଲାଭ କରିବାକୁ ଇଛିତ । ଲଢ଼ିଗଲେ ସେ ଦେଶର କାନୁନ ସହିତ । ସମୟ ନଥିଲା ତାଙ୍କ ହାତରେ । ସମସ୍ତ ପ୍ରତିକୂଳ ପରିସ୍ଥିତିରେ ସେ ନ ଡରି, ନ ହାରି ଦେଶର ଆଇନ୍କୁ ନିଜ ସପକ୍ଷରେ କରିପାରିଥିଲେ ।