ଶହେ ଦୁଇ ବର୍ଷ ତଳର ଏ ଡାଏରୀ । ୧୯୧୯ ମସିହାରେ ଋଷିଆର ପ୍ରସିଦ୍ଧ ବାଲେ ନୃତ୍ୟଶିଳ୍ପୀ ଭାସ୍ଲାଭ ନିଜିଂସ୍କି (ମାର୍ଚ୍ଚ ୧୨, ୧୮୮୯ - ଏପ୍ରିଲ ୮, ୧୯୫୦) ଙ୍କ ଡାଏରୀର ଗୋଟେ ପୃଷ୍ଠା । ନିଜିଂସ୍କିଙ୍କୁ କୁହାଯାଏ ଆଧୁନିକ ବାଲେ ନୃତ୍ୟର ମହାଦେବତା । ଗୋଟେ ସଙ୍ଘର୍ଷମୟ କିନ୍ତୁ ସଫଳ ନୃତ୍ୟଶିଳ୍ପୀର ଜୀବନ ବଞ୍ଚୁଥିବା ନିଜିଂସ୍କିଙ୍କ ଭିତରେ ଶିଳ୍ପୀର ଅସ୍ଥିରତା ଓ ଏକାକୀତ୍ଵ ଗୋଟେ ବିଚିତ୍ର ମାନସିକ ଅବସ୍ଥା ତିଆରି କରିଥିଲା । ସେ ନୃତ୍ୟଶିଳ୍ପୀ ଭାବରେ ଯେତିକି ସଫଳ, ଜୀବନରେ ସେତିକି ଅସ୍ଥିର । ୧୯୧୭ ମସିହା, ସେତେବେଳେ ତାଙ୍କ ବୟସ ମାତ୍ର ୨୮, ତାଙ୍କ ଭିତରେ ଆସ୍ତେ ଆସ୍ତେ ପାଗଳାମୀ ବସା ବାନ୍ଧୁଥିବା ବେଳେ ସେ ଏଇ ଡାଏରୀ ଲେଖିଥିଲେ । ନିଜିଂସ୍କିଙ୍କ ଡାଏରୀ ଅନେକ ସମୟରେ ଗୋଟେ ବାୟାପଣର ଦସ୍ତାବିଜ ଭଳି ଲାଗିବ । ଅନେକ ସମୟରେ ସେ ନିଜକୁ ଈଶ୍ଵର ବୋଲି ଭାବିବା ଆରମ୍ଭ କରିଥିଲେ । ତେବେ ଏହା କଣ ଏକ ପାଗଳର ପ୍ରଳାପ ? ଏଇଟା କଣ ବିଶୁଦ୍ଧ କବିତା ନୁହଁ ? ନିଜିଂସ୍କିଙ୍କ ଡାଏରୀରେ କେବଳ କବିତା । ଜଗତରୁ କ୍ରମଶଃ ବିଚ୍ଛିନ୍ନ ହୋଇ ପଡୁଥିବା ଗୋଟେ କଳାକାର ଆସ୍ତେ ଆସ୍ତେ ଏକ ସମ୍ମୋହନର ଜଗତ ଭିତରକୁ ଚାଲି ଯାଉଛି । ଜାଗତିକ ବାସ୍ତବତାରୁ ବିଚ୍ଛିନ୍ନ ହୋଇ ସେ ଆଉ ଏକ ଜଗତରେ ପ୍ରବେଶ କରୁଛନ୍ତି । ବ୍ୟକ୍ତିଗତ ଜୀବନରେ ତାଙ୍କର ବିଷାଦ ଓ ହତାଶା, ଏକ ଉନ୍ମାଦ ଆନନ୍ଦରେ ରୂପାନ୍ତରିତ ହେଉଛି ।

ନିଜ ଜୀବନଚର୍ଯ୍ୟାରେ ନିଜିଂସ୍କି ନିଜକୁ ଇ ବାରମ୍ବାର ଖଣ୍ଡନ କରୁଛନ୍ତି । ତାଙ୍କୁ ଲାଗୁଛି, ସେ ହିଁ ତାଙ୍କର ବିରୋଧୀ । ଗୋଟେ ଛୋଟିଆ ଉଦାହରଣ ଦେଉଛି । ତାଙ୍କ ଡାଏରୀରେ ସେ ଠାଏ ଲେଖୁଛନ୍ତି- “ଆଜି ଭଲକରି ମଧ୍ୟାହ୍ନ ଭୋଜନ କରିଛି । ଆଜି ଖାଇବାରେ ଥିଲା, ଦୁଇଟି ସିଝା ଅଣ୍ଡା ଓ କିଛି ଆଳୁ ତଥା ଝୁଡଙ୍ଗ ଚିପ୍ସ । ମୋତେ ଝୁଡଙ୍ଗ ଭଲ ଲାଗେ । ସେ ସବୁ କିନ୍ତୁ ବହୁତ ଶୁଖିଲା । ଶୁଖିଲା ଝୁଡଙ୍ଗକୁ ମୁଁ ଘୃଣା କରେ କାରଣ ସେଥିରେ ଜୀବନ ନଥାଏ । ସୁଇଜରଲାଣ୍ଡ ଗୋଟେ ରୋଗୀଣା ଦେଶ, କାରଣ ଦେଶ ସାରା କେବଳ ପାହାଡ । ସେଠିକାର ଲୋକମାନେ ବି ବେରସିକ । ସେମାନଙ୍କ ଭିତରେ ଜୀବନ ନଥାଏ । ମୋର ଘରକାମ କରୁଥିବା ସ୍ତ୍ରୀ ଲୋକଟି ବି ବଡ ଶୁଖିଲା । ତାର କିଛି ଅନୁଭବ ଥିଲା ପରି ଲାଗେନି । ମୋତେ ଜୁରିକ ସହର ଭଲ ଲାଗେନି । ଏ ସହରରେ ନିତାନ୍ତ ନିରସ । ସହର ସାରା ବହୁତ ଗୁଡିଏ କଳ କାରଖାନା ଓ ଲୋକମାନେ ପୂରା ବେପାରୀ । ମୋତେ ଶୁଖିଲା ଲୋକ ଭଲ ଲାଗନ୍ତି ନାଇଁ, ତେଣୁ ମୁଁ ବ୍ୟବସାୟୀମାନଙ୍କୁ ଭଲ ପାଇ ପାରେନି”।

ନିଜିଂସ୍କିଙ୍କ ଭଲପାଇବା ଓ ଘୃଣା କରିବା ଭିତରେ ଖୁବ ଗୋଟେ ଦୂରତା ନ ଥାଏ । ଗୋଟେ ଖିଆଲି ଓ ଉନ୍ମାଦ ଶିଳ୍ପୀର ଏ ଡାଏରୀରେ ଆପଣ ଯଦି ଯୁକ୍ତି, ସିଦ୍ଧାନ୍ତ ବା ତର୍କ ଖୋଜିବେ, ତା'ହେଲେ ହତାଶ ହେବେ । ସେ ଭାବର କାରିଗର । ସେ ଉନ୍ମାଦନାର ନର୍ତ୍ତକ । ତାଙ୍କ ନାଚରେ ସେଥିଲାଗି ଦେବତା, ଯକ୍ଷ ଓ ଅପ୍ସରୀମାନେ ଆସୁଥାନ୍ତି । ସେ କବି ଓ ନର୍ତ୍ତକ ।
କବିତା ଲେଖିବା ଲାଗି କଣ କବି ହେବା ଜରୁରୀ ? ଡାଏରୀ ଯେ କେତେ ଶକ୍ତିଶାଳୀ କବିତାର ପ୍ରବାହ ହୋଇପାରେ, ଏଇଟା ତାର ଏକ ଉଦାହରଣ । ପଢନ୍ତୁ, ନିଜିଂସ୍କି ଙ୍କ ଡାଏରୀ ରୁ ଗୋଟିଏ ପୃଷ୍ଠା ।

ମୁଁ ତମକୁ ଭଲ ପାଇବାକୁ ଚାହେଁ
ମୁଁ ତମକୁ ଅଭିଶାପ ଦେବାକୁ ଚାହେଁ
ମୁଁ ତମକୁ ଚାହେଁ
ମୁଁ ତାକୁ ବି ଚାହେଁ
ମୁଁ ତାକୁ ଭଲ ପାଇପାରିବି, ଯଦି ତମେ ବି ତାକୁ ଭଲ ପାଉଛ
ମୁଁ ତାକୁ ଭଲ ପାଇପାରିବି ଯଦି ସେ ତମକୁ ଭଲପାଉଛି ।

ମୁଁ ତମକୁ ଭଲ ପାଇବାକୁ ଚାହୁଁଛି , ମୁଁ ତମ ଭିତରୁ ଭଲପାଇବା ଚାହୁଁଛି
ମୁଁ ତମକୁ ଭଲପାଇବାକୁ ଚାହେଁ, କାରଣ ତମେ ମୋର ଓ ମୁଁ ତୁମର
ମୁଁ ତମକୁ ଭଲ ପାଇବାକୁ ଚାହେଁ, ତମେ କିନ୍ତୁ ବୁଝି ପାରନା
ମୁଁ ତମକୁ ଭଲପାଏ କାରଣ ତମେ ମୋତେ ଭଲ ପାଅନା ।

ମୁଁ ତମକୁ କହିବାକୁ ଚାହେଁ ତମେ ବିଚକ୍ଷଣା, ତମେ ମୂର୍ଖ
ମୁଁ ତମକୁ କହିବାକୁ ଚାହେଁ, ତମେ ମୋର ଈଶ୍ଵରୀ ଓ ମୁଁ ତମ ଭିତରେ ଅଛି
ମୁଁ ତମକୁ କହିବାକୁ ଚାହେଁ, ମୁଁ ତମକୁ ଭଲ ପାଏ ଗୋ ମୋର ଈଶ୍ଵରୀ ।

ତମେ ହୁଏତ ମୋର ଭଲ ଚାହୁନ, ମୁଁ କିନ୍ତୁ ତମର ଭଲ ପାଇଁ ପ୍ରାର୍ଥନା କରୁଛି
ମୁଁ ତମ ଲାଗି କାନ୍ଦିବି ନାଇଁ, ହୁଏତ ମୁଁ ତମ ଲାଗି କାନ୍ଦିବି!
ମୁଁ ତମ ଲାଗି ପ୍ରେମର ପ୍ରାର୍ଥନା କରିବି, ତମେ ହୁଏତ ମୋତେ କିଛି କହି ପାରୁନ
ମୁଁ ତମକୁ ସବୁବେଳେ ଭଲ ପାଏ, ତମେ ମୋର ଓ ମୁଁ ତୁମର ।

ମୁଁ ତମକୁ କହିବାକୁ ଚାହେଁ, ତମେ ଇ ମୋ ଅନ୍ତରର ଭଲପାଇବା
ମୁଁ ତମକୁ କହିବାକୁ ଚାହେଁ, ତମେ ମୋ ରକ୍ତ ଭିତରର ଭଲପାଇବା ।

ମୁଁ ତମ ଆତ୍ମା ଭିତରର ରକ୍ତ ନୁହଁ ହୁଏତ, ମୁଁ ତମର ରକ୍ତ
ମୁଁ ତମ ଅନ୍ତରାତ୍ମାର ରକତ, ମୁଁ ରକ୍ତ ଇ ନୁହେଁ ହୁଏତ
ମୁଁ ଆତ୍ମାର ରକତ, ମୁଁ ତମ ଭିତରର ଆତ୍ମା
ତମେ ଆତ୍ମା ଭିତରର ରକ୍ତ ନୁହଁ, ମୁଁ ତମର ଆତ୍ମା ।

ମୁଁ ତମକୁ ସବୁବେଳେ ଭଲ ପାଏ, ମୁଁ ତମକୁ ଭଲ ପାଇବାକୁ ଚାହେଁ
ମୁଁ ତମକୁ ସବୁବେଳେ ଭଲ ପାଏ, ମୁଁ ସବୁବେଳେ ତମର ଭଲପାଇବା ଚାହେଁ
ମୁଁ ତମକୁ ଚାହେଁ, ହଁ ତମକୁ, କେବଳ ତମକୁ, ମୁଁ ଈଶ୍ଵର, ମୁଁ ଈଶ୍ଵର
ମୁଁ ସେ ଯିଏ ଭଲପାଇବା ଅନୁଭବ କରେ, ମୁଁ ତମକୁ ସବୁବେଳେ ଭଲ ପାଏ । .......