ଫଟୋ - ସିଆସତ ଡଟ କମ

୧୯୩୬ ମସିହା ।

ସେତେବେଳର ବମ୍ବେ ସହର ।

ଖିଚିଡ଼ିୱାଲାଙ୍କ ହୋଟେଲ୍ । ଅତି ଶସ୍ତାରେ ଖିଚିଡ଼ି ଆଉ କଡ଼ି ମିଳେ । ଗରିବଗୁରୁବା ଦିନମଜୁରିଆଙ୍କ ଭିଡ଼ । ଗୋଟେ ପ୍ଲେଟ୍ ଖିଚିଡ଼ି ଶସ୍ତାରେ ଖାଇଦେଇ ଫୁଟପାଥ୍ ରେ ଶୋଇପଡ଼ିଲେ ରାତିଟା ବିତିଯିବ ।

ଲୋକମାନେ ଆସୁଥାନ୍ତି । ଖାଉଥାନ୍ତି ଓ ପଇସା ଦେଇ ଯେଝା ବାଟରେ ଚାଲିଯାଉଥାନ୍ତି । ପଇସା ରଖା ବାକ୍ସକୁ ଗୋଟାପଣ ଆବୁରି ଜଣେ ବୟସ୍କା ସ୍ତ୍ରୀ ଲୋକ ବସିଥା'ନ୍ତି । ସେ ହେଉଛନ୍ତି ଖିଚିଡ଼ିୱାଲାଙ୍କ ମା’ । ସେ ବଡ଼ ଏକାଗ୍ର ହୋଇ ଲୋକମାନଙ୍କଠାରୁ ଗଣିଗଣି ପଇସା ନେଉଥା'ନ୍ତି ଓ ତାଙ୍କ ପୁରୁଣା କାଠବାକ୍ସ ଭିତରେ ରଖିଦେଉଥା'ନ୍ତି । ପ୍ରତିଥର ପଇସା ରଖିସାରିଲା ପରେ ସେ କାଠବାକ୍ସର ଉପର ଢାଙ୍କୁଣିକୁ ଧଡ୍ କରି ବନ୍ଦ କରୁଥା'ନ୍ତି ଓ ସେ ଶବ୍ଦରେ ଟିକେ ଦୂରରେ ହୋଟେଲ୍ ର କଳା ଚିକିଟା ଟେବୁଲ୍ ଉପରେ ପୁଳେ କାଗଜ ଓ ପେନସିଲ୍ ଧରି ହାମୁଡେ଼ଇ କିଛି ଗୋଟେ ଆଙ୍କୁଥିବା ପିଲାଟି ଚମକି ପଡୁଥାଏ ବାରମ୍ବାର ।

ଉଣେଇଶବର୍ଷର ପିଲାଟି ଥରେ ଖିଚିଡ଼ିୱାଲାଙ୍କ ମା’କୁ ଓ ଥରେ କାଗଜକୁ ଅନେଇ କିଛି ଆଙ୍କିବାରେ ବ୍ୟସ୍ତଥାଏ । କଦବା କ୍ୱଚିତ୍ ବୁଢ଼ୀର ଆଖି ଟୋକା ଉପରେ ପଡ଼ିଗଲେ ସେ ବାଆଁରେଇ ଝରକାପଟେ ରାସ୍ତା ଦେଖୁଥାଏ କିମ୍ବା ଉପରକୁ ଅନେଇ ମିଛିମିଛିକା ମନକୁ ମନ କିଛି ଗୋଟେ ବଡ଼୍ ବଡ଼୍ କରୁଥାଏ । ଖିଚିଡ଼ିୱାଲାଙ୍କର ବଡ଼ ଇଚ୍ଛା, ବାପା ମଲା ପରଠୁଁ ପିଲାଦିନରୁ ପାଳିପୋଷି ବଡ଼ କରି ମଣିଷ କରିଥିବା ଜନ୍ମକରା ମା’ର ଗୋଟେ ଫଟୋ କାଚ ବନ୍ଧେଇକରି ହୋଟେଲ୍ କାଉଣ୍ଟର ଉପରେ ଟାଙ୍ଗିବାକୁ । ହେଲେ ବୁଢ଼ୀର ଏକା ଜିଦ୍ ସେ ଫଟୋ ଉଠେଇବନି । ଫଟୋ ଉଠେଇଲେ ଆଉ ଦିହ - ମୁଣ୍ଡରେ ବଳ ରହିବ ? ବୁଢ଼ୀର ବିଶ୍ୱାସ ଫଟୋ ଉଠା କ୍ୟାମେରା ଅଧା ଜୀବନ ଟାଣିନବ । ଜୀବନ ନ ଟାଣିଲେ ଅବିକଳ ଆଉଗୋଟେ ମଣିଷ କେମିତି ଆସିବ ?

ସେଇଥିପାଇଁ ଖିଚିଡ଼ିୱାଲା ସେ ଗୋରା ନହକା ଟୋକାର ସାହାରା ନେଇଛନ୍ତି । ସିଧାସଳଖ କଥା ଛିଡ଼ିଛି ବୁଢ଼ୀର ଗୋଟେ ହାତ ଅଙ୍କା ଛବି ଅଙ୍କାହେବ, ହେଲେ ବୁଢ଼ୀ ଯେମିତି ତା’ର ଟେର୍ ନପାଏ । ବୁଢ଼ୀ ଜାଣିଲା ତ କଥା ସରିଲା ।

ହେଲେ ଟୋକା ଜାଣେ, ତା’ ପାଇଁ ଇଏ କୋଉ ବଡ଼ କଥା ଯେ ? ତା’ର କେବଳ ବୁଢ଼ୀର ମୁହଁର ଆକାର ପ୍ରକାରର ସ୍କେଚ୍ ଟା ଦରକାର । ବାକି କାମ ସେ ପରେ ରାତିରେ କରିନେବ ।

ସେତେବେଳକୁ ଦିନକୁ ତା’ର ରୋଜଗାର ମାତ୍ର ଛଅ ଅଣା ପଇସା । ସେତିକିରେ ସବୁଦିନ ଦିଇଓଳା ପେଟପୁରା ଖାଇବା ଖର୍ଚ୍ଚ ବି ଉଠେନି । ପିଲାଟି ଆଶା ବାନ୍ଧିଥାଏ ଖିଚିଡ଼ିୱାଲାଙ୍କ ମା’ର ଛବି ଆଙ୍କିଦେଲେ କିଛି ପଇସା ଉପୁରି ରୋଜଗାର ହେଇଯିବ ।

କାମ ସରିଲା ।

ପିଲାଟି ତା’ର କାଗଜ ବିଡା ଧରି ହୋଟେଲ୍ ରୁ ଧିରେ ବାହାରିଗଲା ରଙ୍ଗ ଆଉ କ୍ୟାନଭାସ୍ କିଣିବାକୁ । କ୍ୟାନଭାସ୍ ଆଉ ରଙ୍ଗକିଣାରେ ପିଲାଟିର ପୂରା ଗୋଟେଦିନର ରୋଜଗାର, ମାନେ ଛଅଅଣା ପଳେଇଲା । ସେଦିନ ରାତିରେ ବମ୍ବେ ସହରର ଫୁଟପାଥ୍ ଉପରେ ଷ୍ଟ୍ରିଟଲାଇଟ୍ ତଳେ ସାରାରାତି ଅନିଦ୍ରା ହୋଇ ଖିଚିଡ଼ିୱାଲାଙ୍କ ମା’ର ପୋଟ୍ରେଟ୍ ଆଙ୍କିଲା ସେ । ସକାଳ କାଉ ରାବିଲାବେଳକୁ କାମସରିଲା । ଫଟାଫଟ୍ ସକାଳୁଆ ନିତ୍ୟକର୍ମ ସାରି ସେ ରଙ୍ଗ ଶୁଖିନଥିବା ଛବିକୁ ଧରି ବାହାରିଗଲା ଖିଚିଡ଼ିୱାଲାଙ୍କ ହୋଟେଲ୍ କୁ । ମନରେ ଶଙ୍କା । ଧକ୍ ଧକ୍ କରୁଥାଏ ଛାତି । ଛବିଟା ମନକୁ ଯିବକି ନାହିଁ । ମନକୁ ପାଇଲା ତ ଭଲକଥା । ନହେଲେ ଦିନକର ମଜୁରି ଆଉ ଗୋଟେ ରାତିର ପରିଶ୍ରମ ପାଣିରେ ପଡ଼ିଲା ଜାଣ ।

ଖିଚିଡ଼ିୱାଲା କିନ୍ତୁ ତାଙ୍କ ମା’ଙ୍କ ଛବି ଦେଖି ଗୋଟାପଣ ଖୁସି ହେଇଗଲେ । ଓଃ... କ୍ୟାମେରା ବି ଏମିତିକା ଛବି ଉଠେଇ ପାରିନଥା'ନ୍ତା । ଜଣେ ଲୋକ ହାତରେ ଛବିଟିକୁ ବନ୍ଧେଇବାକୁ ପଠେଇଦେଇ ଖିଚିଡ଼ିୱାଲା ପିଲାଟିକୁ ଖୁସିରେ ପାଖକୁ ଡାକି ପିଠିରେ ସାବାସିର ସରୁ ଚାପୁଡ଼ା ଗୋଟେ ଦେଇ କହିଲେ;

ବେଟା ତୋ ନାଁ କ’ଣ ?

ମକବୁଲ୍... ମକବୁଲ୍ ଫିଦା ହୁସେନ୍...

ବାଃ, ବଢ଼ିଆ ନାଁ । ଶୁଣ୍ ବେଟା ମକବୁଲ୍, ଆଜିଠୁଁ ଆମ ହୋଟେଲ୍ ରେ ପୂରା ଗୋଟେ ମାସ ପାଇଁ ତୋର ଦିନଓଳା ଖାଇବା ବିଲକୁଲ୍ ମାଗଣା ।

ପିଲାଟିର ଆଖିକୋଣରେ ଲୁହ ଟୋପେ ଜକେଇ ଆସିଲା । ଛବି ଆଙ୍କି ଜୀବନରେ ପ୍ରଥମ କରି ସେ କିଛି ରୋଜଗାର କରିଛି । ଯା' ହେଉ, ଏ ମାସରେ ଇଚ୍ଛା ହେଲେ ସେ ଚା’ ଟୋପେ କେତେବେଳେ ପିଇପାରିବ । ମକବୁଲ୍ ର ବମ୍ବେ ଆସିବା ତିନିମାସ ହେଇଗଲାଣି । ନା ଘର ନା ଦୁଆର । ଖୋଲା ଫୁଟପାଥରେ ବିତୁଥାଏ ଜୀବନ । ଜୀବନ ଜୀବିକା ସନ୍ଧାନରେ ଆସିଥିବା ଅନେକ ମଣିଷଙ୍କ ସାଙ୍ଗରେ ମକବୁଲ୍ ସାମିଲ୍ ହୋଇଯାଇଛି ।

ତିନିମାସ ତଳେ ମକବୁଲ୍ ଯେତେବେଳେ କାମ ଖୋଜି ଖୋଜି ବମ୍ବେରେ ସବାବ୍ ପାଖରେ ପହଞ୍ଚିଥିଲା, ସେତେବେଳେ ସବାବ୍ ତା’ର ପୁଳେ ଡ୍ରଇଂ ଆଉ ୱାଟର୍ କଲରର ଲ୍ୟାଣ୍ଡସ୍କେପ୍ ପେଣ୍ଟିଂ ଏପାଖ ସେପାଖ ଦେଖିଲା ପରେ ସିଧାସଳଖ ମନା କରିଦେଇଥିଲା । କହିଥିଲା, ଦେଖ୍ ବାପ ମକବୁଲ୍, ତୁ ଏଇ ଯୋଉଁ ଛୋଟିଆ ଛୋଟିଆ କାଗଜ ଧରି ପେନସିଲ୍ କି ୱାଟର୍ କଲରରେ ଫଟାକ୍ ଫଟାକ୍ ଛବି ଆଙ୍କି ଦେଉଛୁ ଏଠି ସେ ପାଠ ଚଳିବନି । ଏଠି ବିରାଟ ବିରାଟ ମୁହଁ ମିଶୁଥିବା ପ୍ରୋଟ୍ରେଟ୍ ଆଙ୍କିବାକୁ ପଡ଼ିବ । ପାରିବୁ ?

ସବାବ୍ ବଲିଉଡ୍ ସିନେମା ପାଇଁ ହୋଡିଙ୍ଗ୍ ଆଙ୍କେ ବମ୍ବେରେ । ଇନ୍ଦୋରରୁ ପୁରୁଣା ପରିଚୟ । ସେଥିପାଇଁ ମନରେ ବଡ଼ ଆଶା ବାନ୍ଧି ପିଲାଟି ଆସିଥିଲା ବମ୍ବେ । ସବାବ୍ କିଛି ଗୋଟେ କାମ ଜୁଟେଇଦବ । ସବାବ୍ ର ଏମିତି ରୋକ୍ ଠୋକ୍ କଥା ଶୁଣି ପୁରା କାନ୍ଦ କାନ୍ଦ ହେଇଗଲା ପିଲାଟି । ବାପାଙ୍କର ଆଉ ଚାକିରୀ ନାହିଁ । ଘରେ ସାବତ ମା’ । ଆଉ ସାବତ ମା’ର ଚାରି ପୁଅ, ଚାରି ଝିଅ ।

କ’ଣ କରିବ ସେ ?

ସେଇଠି ଥକ୍କା ହେଇ ବସିପଡ଼ିଲା ପିଲାଟି ।

ସବାବ୍ ମନରେ ଦୟା ଆସିଲା । କହିଲା ହଉ ଆସିଲୁଣି ଯେତେବେଳେ ଦେଖିବା । ତୁ ଗୋଟେ କାମ କରେ । ମୋ ପାଇଁ ରଙ୍ଗ ଘାଣ୍ଟିଦେ । ଆଉ ଏ ବ୍ୟାକଗ୍ରାଉଣ୍ଡ କଲର୍ ବି ମାର୍ । ପରଦିନରୁ ମକବୁଲ୍ ମନ ଦେଇ କାମ କଲା । ତା’ କାମ ଦେଖି ସବାବ୍ ବି ଖୁସି ହେଇଗଲା । ଦୁଇ - ଚାରି ଦିନ ପରେ କହିଲା, ଦେଖ୍ ମକବୁଲ୍... ତୋତେ ଦିନକୁ ଛଅଅଣା କରି ପଇସା ଦେବି ।

ଦିନକୁ ଛଅଅଣା ।

ମକବୁଲ୍ ର ମନ ବଡ଼ ଖୁସି ।

ସେଦିନ ସେ ସବାବ୍ ର ଷ୍ଟୁଡିଓରେ ବଡ଼ ମନଯୋଗ ଦେଇ ରଙ୍ଗ ଘାଣ୍ଟିଲା । ତାକୁ ଏବେ ବହୁତ କିଛି ଜାଣିବାର ଅଛି! କେମିତି ତିଆରି ହୁଏ ଏତେ ଏତେ ବଡ଼ ବିଲବୋର୍ଡ । କେମିତି କାଠ ବାଟେନ୍ ଉପରେ ଝୋଟ ଅଖାକୁ କଣ୍ଟା ବାଡେ଼ଇ ପିଟିବାକୁ ହୁଏ । କେମିତି କିରୋସିନ୍ ସାଙ୍ଗରେ ପାଉଡର୍ କଲର ଘାଣ୍ଟିବାକୁ ହୁଏ । କେମିତି ହିରୋ -ହିରୋଇନଙ୍କ ଛୋଟିଆ ଛୋଟିଆ ଫଟୋ ଦେଖି ବଡ଼ ବଡ଼ ମୁହଁ ଆଙ୍କିବାକୁ ହୁଏ ।

ସକାଳୁ ରାତିଯାଏଁ କାମ ଲାଗି ରହୁଥାଏ । ମକବୁଲ୍ ଉପରେ ଧୀରେଧୀରେ ବଢ଼ୁଥାଏ କାମର ଭାର । ଦରକାର ହେଲାତ... ରାତାରାତି କାମ ସାରିବାକୁ ପଡୁଥାଏ । ସେ ଦିନମାନଙ୍କରେ ବେଶ୍ ଗଧ ଖଟଣି ଖଟେ ମକବୁଲ୍ । ରାତି ଅନିଦ୍ରା ସାଙ୍ଗକୁ ଖିଚିଡ଼ିୱାଲା ହୋଟେଲ୍ ର ସବୁଦିନ ସେଇ ଏକାପ୍ରକାର ଅରୁଚିକର ଖେଚୁଡ଼ି । ପୁଣି ରାସ୍ତାକଡ଼ର ପାଇପ୍ ପାଣି । ସବୁଗୁଡ଼ା ମିଳିମିଶି ଗଲାପରେ ଆରମ୍ଭ ହେଇଗଲା ଆମାଶୟ ଝାଡ଼ା । କିରୋସିନ୍, ଲେନ୍ସିଡ୍, ଜିଙ୍କ୍ ଅକ୍ସାଇଡ୍ ଆଉ ବିଭିନ୍ନ ପାଉଡର ରଙ୍ଗଙ୍କ ମିଶ୍ରିତ ଗନ୍ଧରୁ କାଶ ଆରମ୍ଭ ହେଲାଯେ ଆଉ କମିବାର ନାଁ ନେଲାନି । ସହଜେ ତ ବାଉଁଶ କଣି ଚେହେରା । ସେଥିରେ ଦେହ ଖରାପ ଅବସ୍ଥା ଆହୁରି ଖରାପ କରିଦେଲା । ଦିନେ ବାଉଁଶ ଭାରା ଉପରେ ଚଢ଼ି ଛବି ଆଙ୍କିଲା ବେଳକୁ ମୁଣ୍ଡ ବୁଲେଇ ଦେଲା ମକବୁଲ୍ ର । ହଠାତ୍ ଚାରିକତି ଅନ୍ଧାର ଦିଶିଲା । ହାତ ହୁଗୁଳା ହେଇଗଲା ବାଉଁଶ ଭାରା ଦେହରୁ । ଆକାଶେ ଉଚ୍ଚରୁ ସିଧା ତଳକୁ ଖସି ପଡ଼ିଲା ମକବୁଲ୍ । ଭାଗ୍ୟ ଭଲ ମୁଣ୍ଡ ଫାଟି ଛତୁ ହେଇଯାଇନି ।