ଫଟୋ: ୟୁଟ୍ୟୁବ୍

ମଞ୍ଚରୁ ବଡ଼ପରଦା ପୁଣି ଛୋଟପରଦା ସବୁଠି ତାଙ୍କର ଚିହ୍ନ ବେଶ୍‌ ସୁସ୍ପଷ୍ଟ । ସୁରେଖା ସିକ୍ରି । ୭୫ ବର୍ଷୀୟା ଏହି ଅଭିନେତ୍ରୀ ଜଣକ ନିକଟରେ ଆମମାନଙ୍କୁ ଛାଡ଼ି ଚାଲିଯାଇଛନ୍ତି ସତ କିନ୍ତୁ ରହିଯାଇଛି ତାଙ୍କ ବଳିଷ୍ଠ ଅଭିନୟର ଛାପ । ମଞ୍ଚରୁ ଛୋଟପରଦା ସବୁଠି ସେ ନିଜର ଅଭିନୟର ପରାକାଷ୍ଠା ଦେଖାଇଛନ୍ତି ।

ସ୍ଵାଧୀନତାର ଦୁଇ ବର୍ଷ ପୂର୍ବରୁ ଅର୍ଥାତ୍‌ ୧୯୪୫ ମସିହା ଏପ୍ରିଲ୍‌ ୧୯ ତାରିଖରେ ସୁରେଖା ଜନ୍ମଗ୍ରହଣ କରିଥିଲେ । ପାହାଡ଼ୀ ଉପତ୍ୟକାରେ ନିଜର ଶୖେଶବ ବିତାଇଥିବା ସୁରେଖା ଅଭିନୟ ଜଗତରେ ଆଗଧାଡ଼ିର କଳାକାର ରୂପେ ନିଜର ପରିଚୟ ତିଆରି କରିଛନ୍ତି । ଛୋଟପରଦାରେ ଅଭିନୟ କରି ସେ ଘରେ ଘରେ ଦାଦି ସା’ ରୂପେ ପରିଚିତି ପାଇଛନ୍ତି । ୧୯୬୮ରେ ରଙ୍ଗମଞ୍ଚ ଓ ନାଟକରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ସୁରେଖା ।

ସୁରେଖା ସାମ୍ବାଦିକ ହେବା ପାଇଁ ଇଚ୍ଛା କରିଥିବାବେଳେ ଏକ ନାଟକ ଦଳ ତାଙ୍କ ଜୀବନକୁ ବଦଳାଇ ଦେଇଥିଲା । ଆଲିଗଡ଼ କଲେଜରେ ପଢିବାବେଳେ ତାଙ୍କ କଲେଜକୁ ଏକ ଜାତୀୟ ନାଟ୍ୟ ବିଦ୍ୟାଳୟର ଦଳ ଆସିଥିଲେ ’କିଙ୍ଗ ଲିଅର୍‌’ ଶୀର୍ଷକ ଏକ ନାଟକ ପାଇଁ । ଏହାପରେ ସୁରେଖା ଅଭିନେତ୍ରୀ ହେବା ପାଇଁ ମନ ବଦଳାଇ ଦେଇଥିଲେ । କଲେଜରେ ବଣ୍ଟା ଯାଉଥିବା ଏନ୍‌ଏସଡି ଫର୍ମରେ ସେ ନିଜ ନାମ ପୂରଣ କରିଥିଲେ । ଅଡିସନ୍‌, ଇଣ୍ଟରଭ୍ୟୁରେ ସେ ସଫଳତାର ସହ ଉତ୍ତୀର୍ଣ୍ଣ କରିଥିଲେ । ଏହାପରେ ତାଙ୍କ ପାଖକୁ ଫିଲ୍ମର ଅଫର୍‌ ଆସିବାକୁ ଲାଗିଲା । ଏହାପରେ ସେ ଆଉ ପଛକୁ ଫେରିନାହାନ୍ତି ।

ଫିଲ୍ମ ଦୁନିଆରେ ସୁରେଖା ଜଣେ ଶକ୍ତିଶାଳୀ ମହିଳା ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି । ତାଙ୍କ ଅଭିନୀତ ସମସ୍ତ ଫିଲ୍ମରେ ସେ ଅଭିନୟ କରିଥିବା ଚରିତ୍ରଟି ବେଶ୍‌ ଗୁରୁତ୍ଵପୂର୍ଣ୍ଣ ରହିଛି । ନିଜର ନିଆରା ଅଭିନୟର ରଙ୍ଗରେ ସେ ଅଭିନୟକୁ ବାସ୍ତବ ରୂପ ପ୍ରଦାନ କରିଥା’ନ୍ତି । ତାଙ୍କ ଅଭିନୀତ ନାରୀ ଚରିତ୍ରଗୁଡ଼ିକ ଫିଲ୍ମରେ ବେଶ୍‌ ଶକ୍ତିଶାଳୀ ତଥା ଗୁରୁତ୍ଵପୂର୍ଣ୍ଣ ରହିଥାଏ । ସେ ଅଭିନୟ କରିଥିବା ସମସ୍ତ ଚରିତ୍ରଠାରେ ବାସ୍ତବତାର ପ୍ରତିଫଳନ ଦେଖିବାକୁ ମିଳିଥାଏ । ‘ରଜୋ’, ‘ମୀରା’ ହେଉ ଅଥବା ‘ଦୁର୍ଗା ଦେବୀ’ ସବୁ ଚରିତ୍ର ବାସ୍ତବତାର ଚିତ୍ର ଦେଖାଇଥାଏ ।

୧୯୭୮ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ‘କିସା କୁର୍ସି କା’ ଚଳଚ୍ଚିତ୍ରରୁ ସେ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ରାଜନୈତିକ ପୃଷ୍ଠଭୂମିରେ ପର୍ଯ୍ୟବସିତ ଏହି ଫିଲ୍ମରେ ସୁରେଖା ଗୁରୁତ୍ଵପୂର୍ଣ୍ଣ ଚରିତ୍ରରେ ନଜର ଆସିଥିଲେ । ସେ ଏହି ଫିଲ୍ମରେ ମୀରା ନାମ୍ନୀ ଜଣେ ଉଚ୍ଚଶିକ୍ଷିତା ଓ ଧନୀ ଯୁବତୀ ଚରିତ୍ରରେ ଅଭିନୟ କରିଥିଲେ, ଯିଏ କ୍ଷମତାଲୋଭୀ ହେବା ସହିତ ଷଡଯନ୍ତ୍ର ଓ ବୁଦ୍ଧିମତାର ସହ ରାଜନୀତି କରିବାରେ ବିଶ୍ଵାସ କରୁଥିଲେ । ଏହି ସିନେମାରେ ସେ ଜଣେ ପୋଖତ ରାଜନୀତିକାର ଭାବେ ଅଭିନୟ କରିଥିଲେ । ଧନୀ ଘରର ଯୁବତୀ ହେବା ସତ୍ତ୍ଵେ କ୍ଷମତାର ଅଧିକାରିଣୀ ହେବା ପାଇଁ ସେ ବ୍ୟଗ୍ର ଥିଲେ । ସେଥିପାଇଁ ସେ ରାଜନୀତିରେ ଗୋଟି ଚାଳନା କରୁଥିଲେ। ଏହି ଫିଲ୍ମରେ ସେ ନିର୍ବାଚନ ଜିତିବା ପାଇଁ ଯାଦୁର ଆଶ୍ରୟ ନେଇଥିବାବେଳେ ତାଙ୍କର କ୍ଷମତାଲୋଭ ତାଙ୍କୁ ମୃତ୍ୟୁ ମୁଖରେ ପହଞ୍ଚାଇଥିଲା । ତେବେ ସେ ଏହି ଫିଲ୍ମରେ ଏକ ସଂଳାପ କହିଛନ୍ତି, ଯାହା ଆଜିର ଦୁନିଆରେ ସଠିକ୍‌ ରୂପେ ପ୍ରମାଣିତ ହେଉଛି । ତାଙ୍କ ଦ୍ଵାରା କୁହାଯାଇଥିବା ସଂଳାପଟି ହେଉଛି – “ନିର୍ବାଚନ ଓ ରାଜନୀତି ହେଉଛି ବୁଦ୍ଧିମତାର ଖେଳ” । ସତରେ ଆଜିର ସମୟରେ ବଳ, ବୁଦ୍ଧି, ଅର୍ଥ ଜରିଆରେ ନିର୍ବାଚନ ଜିତାଯାଉଛି ।

‘କିସା କୁର୍ସି କା ଚଳଚ୍ଚିତ୍ର’ ଯଦିଓ ତାଙ୍କର ପ୍ରଥମ ବଲିଉଡ୍‌ ଫିଲ୍ମ ଥିଲା, ତେବେ ସେ ପୂର୍ବରୁ ବହୁ ଥିଏଟରରେ କାମ କରିଥିଲେ। ପ୍ରଥମ ଫିଲ୍ମରେ ସେ ଉଚ୍ଚକୋଟୀର ଅଭିନୟ କରି ପ୍ରଶଂସା ସାଉଁଟି ଥିଲେ ।

ସେହିପରି ତାଙ୍କର ଅନ୍ୟତମ ଫିଲ୍ମ ‘ତମସ’ରେ ସେ ମୁସଲିମ୍ ମହିଳା ‘ରଜୋ’ ଚରିତ୍ରରେ ଅଭିନୟ କରିଛନ୍ତି, ଯିଏକି ଦଙ୍ଗା ସମୟରେ ଶିଖ୍‌ ବୃଦ୍ଧ ଦମ୍ପତିଙ୍କୁ ଘରେ ସାହାଯ୍ୟ ଦେଇଛନ୍ତି । ଏହି ଫିଲ୍ମରେ ତାଙ୍କର ଅଭିନୟ ବେଶ୍‌ ନିଆରା ଥିଲା । ଏଥିପାଇଁ ସେ ଜାତୀୟ ଚଳଚ୍ଚିତ୍ର ସମ୍ମାନ ହାସଲ କରିଥିଲେ । ସେହିପରି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ତାଙ୍କର ଅନ୍ୟ ଏକ ଫିଲ୍ମ ହେଉଛି ‘ମାମୋ’ ଯେଉଁଥିରେ ସେ ଜଣେ ମୁସଲମାନ ବୃଦ୍ଧା ଫୟାଜୀ ଭୂମିକାରେ ଅଭିନୟ କରିଥିଲେ । ସେହିପରି ‘ବଧାଇ ହୋ’ରେ ତାଙ୍କୁ ଜଣେ ଭାରତୀୟ ଶାଶୁ ଭୂମିକାରେ ଦେଖିବାକୁ ମିଳିଥିଲା । ଟିପିକାଲ୍‌ ଶାଶୁ ଭୂମିକାରେ ଅଭିନୟ କରି ସେ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ସହଅଭିନେତ୍ରୀର ଜାତୀୟ ପୁରସ୍କାର ପ୍ରାପ୍ତ କରିଥିଲେ। ତାଙ୍କର ଅନ୍ୟ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି – ’ଅନାଡି ଅନନ୍ତ’, ’ପରିଣତି’, ‘ନଜର’, ‘କରାମତି କୋଟ୍‌’, ‘ଲିଟିଲ୍‌ ବୁଦ୍ଧ’, ‘ନସିମ୍‌’, ‘ସର୍ଦ୍ଦାରୀ ବେଗମ୍‌’, ‘ଦିଲ୍‌ଲଗୀ’, ‘ସର୍‌ଫରୋଶ୍‌’, ‘କଟନ୍‌ ମ୍ୟାରୀ’, ‘ଜୁବୈଦା’, ‘ମିଷ୍ଟର ଆଣ୍ଡ ମିଷେସ୍ ଆୟର୍‌’, ‘ଟରେନ୍‌କୋଟ୍‌’, ‘ତୁମ୍‌ସା ନହିଁ ଦେଖା’, ‘ଜୋ ବୋଲେ ସୋ ନିହାଲ୍‌’, ‘ଦେବ୍‌ ଡି’, ପ୍ରମୁଖ । ଶେଷଥର ପାଇଁ ସେ ନେଟଫ୍ଲିକ୍ସରେ ପ୍ରସାରିତ ‘ଘୋଷ୍ଟ ସିରିଜ’ରେ ନଜର ଆସିଥିଲେ ।

କେବଳ ବଡ଼ପରଦା ନୁହେଁ ଛୋଟପରଦାରେ ସେ ବହୁ ଲୋକପ୍ରିୟ ଥିଲେ । ୨୦୦୮ ମସିହାରେ କଲର୍ସ ଟିଭିରେ ପ୍ରସାରିତ ହେଉଥିବା ‘ବାଲିକା ବଧୂ’ରେ ସେ ଦାଦି ସା’ ଭୂମିକାରେ ଅଭିନୟ କରି ଘରେ ଘରେ ଦାଦି ସା’ ରୂପେ ପରିଚୟ ପାଇଥିଲେ । ଏହି ଧାରାବାହିକରେ ସେ କଲ୍ୟାଣୀ ଦେବୀ ସିଂହ ଚରିତ୍ରରେ ଅଭିନୟ କରିଥିଲେ । ଜଣେ କଠୋର ତଥା ଅନୁଶାସନ ପ୍ରିୟ ବୃଦ୍ଧା ଭୂମିକାରେ ନଜର ଆସି ସୁରେଖା ଦୀର୍ଘ ୮ ବର୍ଷ କାଳ ଏହି ଚରିତ୍ରକୁ ଜୀବନ୍ତ କରିଥିଲେ ।

ତେବେ ଏହା ପୂର୍ବରୁ ସେ ବହୁ ଲୋକପ୍ରିୟ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଅନ୍ୟ ଧାରାବାହିକଗୁଡ଼ିକ ମଧ୍ୟରେ ରହିଛି – ‘ସାତଫେରେ’, ‘ଏକ ଥା ରାଜା ଏକ ଥା ରାନୀ’, ‘ଜଷ୍ଟ ମହବତ୍‌’, ‘କଭି କଭି’, ପରି ଲୋକପ୍ରିୟ ଧାରାବାହିକ ।

ସୁରେଖାଙ୍କ ବ୍ୟକ୍ତିଗତ ଜୀବନକୁ ଦେଖିଲେ ସେ ପ୍ରାୟ ସମୟରେ ଏକାକୀ ରହିଛନ୍ତି । ସେ ହେମନ୍ତ ରେଗେଙ୍କୁ ବିବାହ କରିଥିବାବେଳେ ତାଙ୍କର ଜଣେ ପୁଅ ଅଛନ୍ତି । ତାଙ୍କ ପୁଅ ହେଉଛନ୍ତି ରାହୁଲ୍‌ ସିକ୍ରି। ସେ ମଧ୍ୟ ଜଣେ ଅଭିନେତା । ୨୦୦୯ ମସିହାରେ ହେମନ୍ତଙ୍କ ପରଲୋକ ହେବା ପରେ ସୁରେଖା ଏକୁଟିଆ ହୋଇଯାଇଥିଲେ । ୨୦୧୮ ମସିହାରେ ସୁରେଖାଙ୍କୁ ପ୍ରଥମ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିଲା । ଏହାପରେ ତାଙ୍କୁ ୨୦୨୦ ମସିହାରେ ଦ୍ଵିତୀୟ ବ୍ରେନ୍‌ଷ୍ଟ୍ରୋକ୍‌ ହୋଇଥିଲା । ଅନେକ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ ଥିବା ସତ୍ତ୍ଵେ ସୁରେଖା ଅଭିନୟ ପ୍ରତି ବେଶ୍‌ ପ୍ରତିବଦ୍ଧ ରହିଥିଲେ ।

ଜଣେ କଳାକାରର କେବେ ମୃତ୍ୟୁ ହୋଇନଥାଏ, ସତ। ସେ ତାଙ୍କ ଅଭିନୟ ଜରିଆରେ ଅମରତ୍ଵ ହାସଲ କରେ । ତେବେ ସୁରେଖାଙ୍କ ପରି ଜଣେ ବଳିଷ୍ଠ କଳାକାରଙ୍କ ନିଧନ ଆମ ପାଇଁ ଅପୂରଣୀୟ କ୍ଷତି । ସୁରେଖା କେବେ ଅଭିନୟରୁ ବିରତି ନେବେ ନାହିଁ ବୋଲି କହୁଥିଲେ । ଅସୁସ୍ଥତା ପାଇଁ ଅଭିନୟରୁ ଦୂରେଇ ରହିଥିଲେ ସତ କିନ୍ତୁ ସେ ପୁନର୍ବାର ଅଭିନୟ ଦୁନିଆକୁ ଫେରିଥିଲେ । ମାତ୍ର ନିୟତିର ନିଷ୍ଠୁର ନିର୍ଦ୍ଦେଶରେ ସେ ଆଜି ଆଉ ଆମ ଗହଣରେ ନାହାନ୍ତି କିନ୍ତୁ ତାଙ୍କ ଅଭିନୟ ତାଙ୍କୁ ସଦାସର୍ବଦା ଚିର ଅମର କରି ରଖିବ ।