ସିଏ ଯାହା ବି ହଉ, ଘର ମାଲିକ ଘରଭଡ଼ା ଦର ଆକାଶ ଛୁଁ ଛୁଁ ନ କରନ୍ତା କି ମୋ ଭିତରର ପୁରୁଷପଣିଆ ଜୀଁ ନ ଉଠନ୍ତା । ମୁଁ ରାତିଅଧିଆ ଲାଗି ପଡ଼ି ଘର ଖୋଜା ଅଭିଯାନ ମଧ୍ୟରେ ଶଶୁର ମହାଶୟଙ୍କର ଜନୈକ ବନ୍ଧୁ ମହାଶୟ ଭେଟିଲେ ଓ ମୋ ବ୍ୟସ୍ତତାକୁ ଫୁ' କରି ଉଡ଼େଇଦେଇ ତାଙ୍କର ପାଞ୍ଚାଳ ଦେଶର ପଞ୍ଚ ତାଳ ଭବ୍ୟ ହର୍ମ୍ୟଟିରେ ଗଣିତ ସୂତ୍ର ପରି ଉଚ୍ଚାରିତ ଇଟା _ ସିମେଣ୍ଟର ଘରଟିଏ ଦେଖେଇ କହିଲେ, "ରେଡିଟୁ ଲିଭ୍, ଟୁ ବି ଏଚ୍ କେ । ନୋ କମନ ୱାଲ । ଆଉ ରହିଲା ପଇସା କଥା, ସେଠି ବି ଗଣିଥାନ୍ତ ଏଠି ବି ଗଣିବ । ଏୟା ଏଠି ବ୍ୟାଙ୍କର ଭଡ଼ାଟିଏ , ପଚିଶ ବର୍ଷ ଅନ୍ତେ ଏ କାନ୍ଥତକ ତମର । ଯେଡ଼େ ସହଳ ସୁଝିବ ସେଡ଼େ ସହଳ ତୁମର ।"

ଅଟୋରିକ୍ସା, ଟ୍ରକ୍ ପଛରେ ଯେମିତି ଲେଖାଥାଏ, "ମୁଁ ଫେରିଲେ ତୁମର" ଠିକ୍ ସେଇ ଭଙ୍ଗୀ । ମୁଁ ଭାବେ ଆଉ ଯଦି ନ ଫେର ତେବେ ? କାହାର ? ସେ କଥା କିଏ କହିବ ?

ବୁଡିଭାସି ଗଲା ଲୋକକୁ କୁଟାଖିଅ ସାହା ପରି ସିଏ ଯାହା କହିଲେ ସବୁ ମଧୁର ଶୁଭିଲା । ପରେ ବୁଝିଲି ସେଇଟା ପଇସା ନୁହେଁ, ଟଙ୍କା ଥିଲା । ସିଏ ବି ଦରମାଗଣ୍ଡାକରୁ ଅଧା ଖା, ନ ଖା, ପେଟରେ ପାଣି କନା ଦେ କିନ୍ତୁ ଅନାନି ଗଣି ଦବୁ ନହେଲେ ହେଇ ମାମୁଁ ଘର ଠେଙ୍ଗେଣୀ ଦେଖିଥା ।

ଆମ ଘରଣୀ ରାତାରାତି ଘରମାଲିକାଣୀ ହେବା ଖୁସିକୁ ବରଦାସ୍ତ କରି ହଜମ କରିଦେଲେ ଆଉ ସକାଳୁ ମୋ ମୁଣ୍ଡ ଉପରେ ତାଙ୍କ ପିତାଙ୍କ ସୌଜନ୍ୟରୁ ମିଳିଥିବା ବସାଟି ପାଇଁ କୃତଜ୍ଞତା ମୁଁ ମାନିବା କଥାର ଧାରୁଆ ଖଣ୍ଡାଟେ ଝୁଲେଇଦେଲେ । କି ଡକାହକା ଆରିଷ୍ଟୋକାସି ରଙ୍ଗ କିଓ । ରାତାରାତି ଚାଲିବା, ହସିବା, ବସିବା, କଥାକହିବା, ପିନ୍ଧିବା ସବୁର ଗୋଟେ ମାପଦିଆ କାଇଦା ଲାଗୁ ହୋଇଗଲା । ଘର କିଣାହେଲା ସତୁରୀ ..... ଲକ୍ଷରେ ମ ....ଆଠଶ ସ୍କୋୟାର ଫୁଟ ମାପରେ । ଆଭ୍ୟନ୍ତରୀଣ ସାଜସଜ୍ଜା, ଘର ରଙ୍ଗ ଆହୁରି କଣ କଣ ନବୀନତମ ଗୃହସଜ୍ଜା ଉପକରଣ ଆଉ କୋଡ଼ିଏ । ନେବା_ଆଣିବା, ବୁହା _ବୁହି ସେସବୁ ଛାଡ । ପାଖାପାଖି ଗୋଲେଇ ବୁଲି ଖସିଗଲା ପାପୁଲିରୁ ଏକ ପେଟି ଖୋକା ।

ଘର ସଜଡ଼ା ସଜଡ଼ି ସବୁ ସଜେଇବାବାଲା କଲେ । ଆମେ ହୋଟେଲରୁ ଖାଇଲୁ ଥାକେ ଦିନି । ସବୁ ତ ନୂଆ ଆଉ ଖାଲି ମୋତେ ଛାଡି । ମୋ ପୁରୁଣା ବହିତକ ରଦ୍ଦିବାଲା ଯୋଗକୁ ନକାରି ଦେଲା ଏୟା କହି ଯେ ଏବେ ଆଉ ଠୁଙ୍ଗା ଚଳୁନି, ନହେଲେ ସେତକ ବି ସ୍ବାହା ହୋଇଯାଇଥାନ୍ତେ । ସବୁ ହେଲା ଘରଟା ପଞ୍ଚତାରକା ହୋଟେଲର ଛାୟାକଳ୍ପ ରୂପ ନେଲା । ଆମେ ବି ଧିରେ ଧିରେ ସୋସାଇଟି ଚଳଣୀ ଢାଞ୍ଚାରେ ଢଳି ମେଣ୍ଢାପଲ ଦଳରେ ଗୋଟିଏ ଲେଖାଁ ହୋଇଗଲୁ । ମେଁ ମେଁ ।

ଗାଁରୁ କକେଇଙ୍କ ଚିଠି ବରାବର ଆସେ । ଯେତେ ଫୋନ ସୋନ ବ୍ଯବସ୍ଥା ଥିଲେ ବି ଚିଠି ଚିଠି । ତା ମହକ ମହତ ସବୁ ଅଲଗା । ଚିଠିରେ ଲେଖା ଥାଏ .....

ବାବୁ ବିନୟ,

ଆଶୀର୍ବାଦ ନେବୁ । କାଳିଆ କରୁଣାରୁ ଭଲରେ ଥିବୁ । ଦେହ ପା ଜଗିଥିବୁ । ଜୀବନରେ ଈଶ୍ବର ଓ ପିତମାତଙ୍କୁ ନ ଭୁଲିବୁ ।

ତୋର କକେଇ ।

ପ୍ରତି ମାସରେ ଆସୁଥିଲା । ଏବେ ଦି ଚାରି ମାସରେ ଆସେ । ଲାଗେ ଯେମିତି ଅପେକ୍ଷାର ଘଡ଼ିଘୁରି ଘୁରି ଅଟକୁନି । ଆଶିଷକୁ ଅପେକ୍ଷା ଟି ।

ସବୁଥର ଗୋଟିଏ ଭଲକଥାର ଧାଡ଼ି ସହ ଚିଠିଟି ଆସେ । ଦିନେ ବି ଆଉ କିଛି କଥା ଅନ୍ଯଥା ଦିଶେନି ।

ଏଠି ଏ ନୂଆ ଘର ଠିକଣାରେ ବି ଆସିଲା ଚିଠି । କିନ୍ତୁ ତଳୁ ଉପରକୁ ଆସିବାକୁ ଆଠ ଦିନ ଗଡିସାରିଥିଲା । ଘରଣୀ ଏଥର ଚିଠିଟି ପଢି ସରସ୍ବତୀ କଣ୍ଠେ ବିଜେ କଲାପରି କହିଲେ, ଡାକୁନ ଥରେ ତମ କକାଙ୍କୁ । ଆମେ ନୂଆ ଘର କଲେଣି । ଆସି ଦି ଦିନ ରହି ଯାନ୍ତେ । ଖୁସି ହନ୍ତେ । ଆର ମାସରେ ପିଲାଙ୍କର ଗ୍ରାଣ୍ଡ ପ୍ଯାରେଣ୍ଟସ୍ ଡେ ସେଲିବ୍ରେସନ୍ ଅଛି ସ୍କୁଲରେ । କୋଉଠୁ ଆଉ କାହିଁ ମା ଜେଜ ଆଇ ଅଜା ଖୋଜିବାକୁ ଯିବା । ଆସନ୍ତୁ କୁହ । ମୁଁ ବିମୁଗ୍ଧ ହୋଇ ତାଙ୍କ ସୁମଧୁର ଦିବ୍ଯବାଣୀଙ୍କୁ ଶୁଣୁଥିଲି । ଦିନେ କାଳେ କୁଣିଆ ମଇତରଙ୍କୁ ନ ଝୁରିଥିବା ଆମ ଏକୁଟିଆବାରି ସୁଧାର ଗାଈଟି ଆଜି ଗୋଠ କେମନ୍ତ ଖୋଜିଲେ । ବୁଝୁଥିଲି ଯେ । ଅଳପ ଅଳପ ।

ପାଗ ବଦଳି ମେଘୁଆରୁ ଟାଇଁଖରା ହେବା ଆଗରୁ ଟିକଟ୍ କାଟି କକେଇ ଆଉ ଖୁଡ଼ିଙ୍କୁ ନିମନ୍ତ୍ରଣ ଜଣେଇଦେଲି । ସେପଟୁ ଉତ୍ତର ହଁରେ ଫେରିଲା ।

ଗୋଟେ ଗୋଟେ ମାଟି ଭଲ ଥାଏ ମ । ଶୁଭ ବୁଦ୍ଧି ଉଦୟ କରାଏ ତା ପ୍ରଭାବରେ । ସେ ଯାହା ହେଉ, ମୋ ମନ ଆକାଶରେ ଉଡ଼ି ଉଡ଼ି ପିଲାଦିନକୁ ଫେରି । ବାପା, ବୋଉ ଆସିଲା ପରି ଲାଗୁଥିଲା ।

"ହଁ ସେୟା ନୁହେଁ ଆଉ କଣ ! ବାପା କହୁଥିଲେ ଯେ ପିଲାଦିନେ ପାଖରେ ସ୍କୁଲ ନ ଥିଲା ପାଖଆଖ ଗାଁରେ ବୋଲି ପରା ଏଇ କକେଇଙ୍କୁ ବାପା ଟେକି ଦେଇ କହିଥିଲେ, ମୋର ଏଇ ଗୋଟିକରେ, ତାକୁ ମଣିଷ କରେ । ତୋ ପାଖେ ମୁଁ ଋଣୀ ରହିବି ।" ସେଇଦିନୁ ପରା କକେଇଙ୍କ ପାଦ ଉପରେ ପାଦ ରଖି ଠିଆ ହେଇଛି । ହାତ ଧରି ଖଡ଼ି ଚଲେଇବା ଶିଖେଇଛନ୍ତି ସିଏ । ଆଉ ଖୁଡ଼ି କଥା କଣ କହିବି, ତା ପାଞ୍ଚ ଝିଅଙ୍କୁ ପଛରେ ପକେଇ ରନ୍ଧାଭାତ ଘିଅ ଗୋଳେଇ କୋଳରେ ବସେଇ ମତେ ଖୋଇଦବା ଲୋକ ସିଏ । ଅଳିଅରମା ସବୁ ତାରି ପଣତ ସମ୍ଭାଳିଛି । କେତେ କହିବ ବାପା ମାଙ୍କ ଗୁଣଦରବ, କିଏ ପାରିବ ? ଆଖି ଲୁହର ଜିଭ ଥାନ୍ତା କି, ସିଏ ଯଦି ପାରନ୍ତା ....ପାରନ୍ତା । ସେ ଦୁହେଁ ଆସି ପହଞ୍ଚିଲେନି ଯେ ମୁଁ ଆଠ ବର୍ଷର ବାଳୁତ ପାଲଟିଲି ଏ ବୟସରେ ।

ମୋ ଘରର ସାଜସଜ୍ଜା ଦେଖି ଆଖି ଖୋସି ହୋଇଯାଉଥିଲା କକେଇ ଆଉ ଖୁଡ଼ିଙ୍କର । ଶାଗ, ମୁଗ, ବଡି, ଆଚାର, କଠା, ମାଟିଆଳୁ, ସାରୁ, କନ୍ଦମୂଳ, ପାମ୍ପଡ, ନାଡ଼ି, ଭଲଘିଅ, ଆରିସା, ହଳଦୀ ପତ୍ର, ସବୁ ମିଶି ଗାଁରୁ ସେଠା ମାଟିର ବାସ୍ନାକୁ ଟାଣିଆଣିଥିଲେ । ମୁଁ ବ୍ଯାଗ ଉପରେ ହାମୁଡି ପଡି ଗୋଟି ଗୋଟିକି ଖୋଲି ଘଡ଼ିଏ ଦେଖି ରଖୁଥିଲି । ସ୍ତ୍ରୀଙ୍କ ଲେଡିଜଫିଙ୍ଗରିଆ ଆଙ୍ଗୁଳିରେ ମାଟି ବାଜିବନି ପରା ।

ଡାକି ତ ଦେଲେ ହେଲେ ମାଟିଲଗା ଚପଲହଳକ ଦେଖି ନାକ ସ୍ବସ୍ଥାନରୁ ଇଞ୍ଚଟେ ଉପରକୁ ଉଠିଗଲେ । ଦେଖେଇବେନି ତ, କୃତିମ ହସ ସହ ଅଭିନନ୍ଦନ କଲେ । ଖା ପିଅ, ଭଲମନ୍ଦ ଔପଚାରିକତା ପରେ ଶୋଇବାକୁ ଗଲେ ସମସ୍ତେ । ରାତିଅଧିଆ ଖୁଡି ଉଠିଆସି ଦାଣ୍ଡ ଘର ଚଟାଣରେ ଶୋଇଥିବା ସକାଳୁ ଆବିଷ୍କାର କଲା ଆମ ଘରେ କାମ କରୁଥିବା ମେଡ୍ ଝିଅଟି । ଧଡ଼ପଡ଼ କି ଉଠିପଡ଼ି ଖୁଡ଼ି କହିଲେ,"ମୋର ତ ଖାଲି ଖଟରେ ଅଭ୍ଯାସ, ଏଣେ ଅଣ୍ଟା ବେମାରୀ, ତୁଳାତଳିପାରେ ନିଦ ହବକି । ଦେ ଦେ ମୁଁ ଘରବାରି ଖରକିଦିଏ । ତୁ ଯୋଉ ନହୁଲୀକୁ ନହକି ତତେ ଚାରି ଓଳି ଲାଗିବ ଏଇ ଦି ବଖରାକୁ  ନିଚିପର ସୁଚିମନ୍ତ କରିବାକୁ। ତମେ ପାରିବ କି ଆଗେ। ମୁଁ ଥିବା ଯାଏ ତୁ ଆସିବୁନି । ତୋର ଛୁଟି । କି କାମ ଯେ, ବଳଉଛି । ୟାକୁ ପୁଣି ଦରମା ଦେଇ ପୋଷିବ" । ତା ପରେ ପୁଣି ତଳକୁ ଓହ୍ଲେଇ ଯାଇ ଆପାର୍ଟମେଣ୍ଟର ଅରନାମେଣ୍ଟାଲ ବଗିଚାରୁ ତୋଳି ଆଣିଛନ୍ତି ଡାଲାଏ ଫୁଲ ଦରୁଆନ ସାଙ୍ଗେ ଦୋସ୍ତି କରି । ଘରେ ଆସି ମୁଣ୍ଡ ବୁଡ଼େଇ ଗାଧେଇ ଦିଅଁ ଘର କାହିଁ ଗଲା ବୋଲି ଏ ଘର ସେଘର ଅଣ୍ଡାଳୁଛନ୍ତି । ଠାକୁର ଘର କୋଉ ଥାଏ ନା ଅଛି । ଠାକୁର ତ ମୋ ବହି ଥାକ ଶେଷ ଠଣାରେ, ଖୁଡି ହାତରୁ ଆଜି ଫୁଲ ଦିଟା ପିନ୍ଧି ହସୁଥିଲେ । ଟୁ ବି ଏଚ୍ କେ ପରା ।

ଏଣେ କକେଇ ତାଙ୍କର ଉଠି ନିତିଦିନିଆ ଅଭ୍ଯାସକୁ ଧରିରଖି ଚାଲିବାକୁ ଦାଣ୍ଡକୁ ବାହାରିଯାଇ କେନ୍ ରେ ଚାରିଲିଟର କ୍ଷୀର ଧରି ଫେରିଛନ୍ତି । ଚକୁଳି ଖାଇବା ବରାଦ କରି ବାଥରୁମରେ ପଶି ଗିଜର ଫିଜର ନ ବୁଝିପାରି କିଲିବିଲି । ନିମ ଦାନ୍ତକାଠି ଖଣ୍ଡେ ଖୋଜିଛନ୍ତି, ନ ପାଇ ଦାନ୍ତଘସା ପେଷ୍ଟ ଜାଗାରେ ଦାଢୀମରା ମଲମକୁ ଫେଣ ହବ ଭାବି ଘସିଛନ୍ତି ଦାନ୍ତରେ ।

ଆମ ଘରଣୀଙ୍କର ଏବେ ଏଣିକି ପହଡ଼ ଫିଟୁ ଫିଟୁ ଟିକେ ବେଳଗଡୁଛି, ପୁଣି ବେଡ଼_ ଟି ଟି ନହେଲେ ନୋହୁଛି ।

ତାଙ୍କ ଆଖି ଫିଟିଲା ବେଳକୁ ଏତେ ହୋ ହଲ୍ଲା କାଣ୍ଡ ଦେଖି ସିଏ ଆକାଶରୁ ଖସିପଡ଼ିଲେ । ତାଜୁବ ହୋଇ ମତେ ଚାହିଁଲେ , ମୁଁ ତ ଖାଲି ଶୂନ୍ୟଚାହାଣୀ ଦବାକଥା ଆଉ କଣ ଯେ ।

ଚଳେଇ ଚାଳେଇ ଚାଲିଲେ । ଦିନ ଗଡ଼ିଲା । ଅଡୁଆ ବଢିଲା । କକେଇ ତ ତାଙ୍କର ହେଲେ ଗାଧୋଇ ପାଧୋଇ ଧୋତି ଯୋଡ଼ଜାମା ହେଇ ବସିଲେ, ହେଲେ ଖୁଡି ! ଏଇଟା ରାନ୍ଧିବା ସେଇଟା ବାଟିବା କରି ଦି ହପ୍ତା ଆଗରୁ ବଡକଷ୍ଟରେ ଯୋଗାଡ଼ ହେଇଥିବା କୁକ୍ ଟିକୁ ବିଜାର କରିଦେଲେ । ସେ ହାତ ଯୋଡ଼ି ବାହାରିଗଲା ।

ତଳକୁ ଉପରଓଳି ଖୁଡ଼ିଙ୍କୁ ନେଇ ଘରଣୀ ଗଲେ ବୁଲି ଦେଖେଇବା ପାଇଁ ସୁଇମିଙ୍ଗପୁଲ, ପାର୍ଟିହଲ, କ୍ଲବହାଉସ, ବାଡମିଟନ୍ କୋର୍ଟ, ଜିମ୍, ପୋର୍ଟିକୋ, ଡେକୋରେଟେଡ କରିଡର୍ । ସାଦା ପାନଖଣ୍ଡେ କଳରେ ଜାକି ବଡଟୋପା ସିନ୍ଦୁର ନାଇ କାନ ଯାଏ ଓଢଣୀ ଟାଣି ଖୁଡ଼ି ବାହାରିଲେ | ଦେଖାଦେଖି ଚିହ୍ନାଚିହ୍ନି ଭିତରେ ଅତ୍ଯାଧୁନିକା ସଖିମାନଙ୍କ ସହ ଆଗାମୀ କୋଉ ରିସର୍ଟର ପ୍ଲାନିଂରେ ଟିକେ ବ୍ଯସ୍ତ ଥିବା ଘରଣୀଙ୍କର ଘଣାରୁ ବାହାରି ଯାଇ ଖୁଡ଼ି ଆମର ସୁଇମିଙ୍ଗପୁଲରେ ପାନକରା ଦାନ୍ତ ପାଟି ମାଜି ଆଇଛନ୍ତି ସଫା ପୋଖରୀ ପାଣି ଭାବି । ଦୁର୍ଯୋଗକୁ ତାକୁ କିଏ ସର୍ବୋଦୟ ସମାଜସେବୀ ଉପରପଡ଼ା ମୁହଁଗଳା ଚୁଗୁଲିଆ ପୁରସ୍କୃତ ଭଦ୍ରବ୍ଯକ୍ତି ନିଜର ଚିତ୍ରତୋଳା ଯନ୍ତ୍ରଟିରେ ଉତ୍ତୋଳିତ କରିବା ସହ ସଂକ୍ରମିତ କରେଇବାର ପରମ କର୍ତ୍ତବ୍ୟରେ ମଧ୍ୟ ହେଳା କରିନାହାନ୍ତି । ସମାଜର ସଜାଗ ଚୌକିଦାରଟି, କଣ କମ କଥା । ତାଙ୍କରି ପରି ମହାମନିଷିମାନଙ୍କୁ ନେଇ ଦେଶର ସମ୍ବିଧାନ ଠିଆ ଜାଣ ।

ବାସ୍ କଥାଟି ଏତିକି । ଆଗକୁ ଆପଣେ ଯାହା ବୁଝିବେ, କହିବେ ।

ତହିଁ ଆରଦିନ କକେଇଙ୍କୁ ଆଉ କହିବାକୁ ପଡିଲାନି ଯେ, ବୁଢାରେ ଏଠି ଆଉ ମନ ଲାଗୁନି । ଗାଁ କଥା ମନେ ପଡୁଛି । ଟିକଟ୍ ଟା କରିଦେ ।

ଗାଁ ଘରର ମାଟି କାନ୍ଥଟାର ଲିପା ପୋଛା ବରଷକେ ନ କଲେ ଫାଟ ମେଲି ଆଁ ହେବନି କି ଆଉ ।