ଖରାଛୁଟିଦିନିଆ ଗାଁକୁ ଗଲେ ସରଗରେ ପହଞ୍ଚିଲାମିତି ଭାବ ହୁଏ । ତାଟଶଗଡ ଝୁଲା, ଗଛଡାଳି ଦୋଳିଠୁ କୋଉଠୁ କୋ' ଯାଏଁ ଖାଲି ମହକଭରା ମଉଜ । ପାଠସାଠ କୁଆଡେ ହଜେ ମା' ଗଙ୍ଗେଇଙ୍କୁ ଜଣା । ଜେଜୀ ଆମ ଦିହରେ ମାଛି ବସେଇ ଦିଏନି । କୁଆଁ ବାଛୁରୀ ଆମକୁ ଜେଜୀମା ସରାଗ କରିବା ଦେଖିଲେ ଆଢି ପାତେ । ଆମେ ଗୋଡେଇ ଗଲେ ଫକୁ ଫକୁ ଡିଆଁ ମାରେ ।

"ଐସା କରେଙ୍ଗା, ତୈସା କରେଙ୍ଗା 

ସିପାହୀ ଦେଖତେ ଭାଗ୍ ଯାଏଙ୍ଗା ।"

କହି ଚିଡଉ ତାକୁ ତାଳି ମାରି ମାରି । ସବୁଠୁ ମଜାକଥା ବୋଉ ଆମକୁ ଗାଁରେ କିଛି କହେନି । ଯେତେ ପଙ୍କ ହୁଅ, ଗୋଡି ପଶୁ କି ଗେଣ୍ଡା କାଟୁ, ପଡ ଯେତେ, କି ବେଲେ ଖଟା ଖା କିଛି କହେନି । ସେ ଦୃଷ୍ଟିରୁ ଗାଁ ଟି ସରଗ ନୁହଁ କି !

ହେଇ ସେଦିନ ଫାକୁ, ଆମ କଅଁଳ ଚାନ୍ଦ ବାଛୁରୀ ପିଠିରେ ଆମ ମାମୁଲୁ ଚେପାଚିକୁଠୁ ଦେଖି ଶିଖି ଓଲଟା ପଟିଆ ବସି ତା ଲାଞ୍ଜ ଟାଣିଦେଲା, ତୁରନ୍ତ ତୁରଗ ତାର ସଲାମୀ ଦେଲା କି ନେଇ ଫୋପାଡିଲା ଛେଚି କଚାଡି ପାଳଗଦାଠି । ଗୋବର କୁଟା ଭୁତ ହେଇ ସିଏ ଭେମ୍ବାରଡି ପକେଇ କାନ୍ଦନ୍ତେ ବୋଉ ଖାଲି କାଖେଇ ନେଇ ଧୋଇ ଶୁଖେଇ ଦେଲା ନାଉ, ଖୋବିଲା କି ଖବିଶିଆକୁ ! ନା ନିଜେ ପଛେ ବହେ କାନ୍ଦିଲା ।

ଖରାଛୁଟି ସରିଲା, ବହନ୍ତେ କନ୍ଦାକଟା ସାରି ଆମେ ଲେଉଟାଣି ଓଳିକି କରି କରି ଆସନ୍ତେ ଚେପାଚିକୁ (ତା ନାକଟା ଥାଳି ପଛପଟିଆ ପିଟାହେଇ ଚେପେଟିଛି ବୋଲି ଲୋକମତ, କିଏ କିଏ ତାକୁ ନେପାଳ ରାଜପୁତ୍ର ଭାବେ ମଧ୍ୟ ଅଭିହିତ କରିଥାନ୍ତି) କାନ୍ଥ କଡ ଝିଟିପିଟି ପରି ଲଥ୍ କିନା ବଡ ପିଣ୍ଢାରେ ଲେଥେରି ପଡି ଗୀତ ଗାଇଲାମିତି ଲହରେଇଲା ସୁର । ମୁଁ ଆଉ ମାମୁଲୁ ଯାଇ ପଚାରିଲୁ, 'କିରେ କଣ ? କାଇଁ ହାଉଳିଲୁ ? ଆର ଥରକୁ ଆସିଲାବେଳେ ତୋ ପାଇଁକି କଣ ଆଣିବୁ କହ ।'  ସିଏ ଅନ୍ଦି ସନ୍ଦି ଚାହିଁ କୋକନ୍ଦି ମୋକନ୍ଦିକୁ ସେଇଠି ଥାପି କହିଲା 'ବିସୁକୁଟୁ' ଯାହା ଅଗରେ କି ଭିତେରେ କମଳା ମିଠା ନାଗିଥବ ।

ଆମେ କଟକ ଫେରିଆସିଲୁ । କଟକରେ ସେବେ ସାଇକେଲ ପଛରେ ବଡ ଦସ୍ତା ଚାରିକୋଣିଆ ବର୍ଗାକାର ବାକ୍ସରେ ବିଭିନ୍ନ ପ୍ରକାର ବିସ୍କୁଟ ବିକ୍ରି ଆସେ । ମୁଣ୍ଡ ଟେକି ପାଦ ଟେକି ଚାହିଁଲେ ହି ଦିଶନ୍ତି ସେମାନେ ।

ଏତେ ପ୍ରକାରେ ଥାଏ ଯେ ଜଣେ ଦେଖି ଦେଖି ତା' ପେଟ ପୁରି ଯିବ ଆଗେ .......ନଡିଆ ବିସ୍କୁଟ, ଅଣ୍ଡା ବିସ୍କୁଟ, କଳାଜୀରା  ବିସ୍କୁଟ, ଲୁଣି ବିସ୍କୁଟ, ଚାହାବୁଡା ବିସ୍କୁଟ, ଜିଭ ବିସ୍କୁଟଠୁ ଚେରି ବିସ୍କୁଟ ଯାଏ । ପ୍ଯାକେଟ ବିସ୍କୁଟର ଯୁଗ ନଥାଏ । ବିସ୍କୁଟବାଲା ଟି ବି ବଢିଆ । ବଢିଆ ହସେ, ବଢିଆ ଗାଏ । ଗୀତ ଗାଇ ଗାଇ ଟିଣ ବଜେଇ ବଜେଇ ଏକଜୁଟ କରେ ପିଲାଙ୍କୁ । ଅଧିକା କି ଜଣକା ଗୋଟିଏ ଚେରି ବିସ୍କୁଟ ଯାଚି ଦିଏ । ପରେ ତାର ସାଇକେଲ ଛାଡ଼ି କାଚ ଗାଡି କରିଥିଲା, ଯୋଉଥିରୁ ବିସ୍କୁଟମାନେ ବାହାରକୁ ଦିଶନ୍ତି । ହାତ ଠାରନ୍ତି ।

ମୋ ମନରେ ଚିକୁ ପାଇଁ ବିସ୍କୁଟ ନବା କଥାଟି ଠାକି ଥାଏ । ସିଏ ଆଉ ଦିନେ କହୁଥିଲା ତାର ଭାରି ରୁଟି ଖାଇବାକୁ ମନ । ରୁଟିଟା ସିଏ ଶୁଣିଛି ହେଲେ ଦେଖିନି କି ଚାଖିନି ..... ଖାଲି ଯାହା ଶୁଣିଛି । ପଡିଶା ଘର ସନାଦାଦାଘର ନୂଆ ଖୁଡି କାଳେ ପାକିଟିଟେ ଅଟା ଆଣିଥେଲା ଯୌତୁକରେ ଯେ ଶିଖିଥିବା ରୁଟି ଚୁଲିରେ ସେକି ସେକି, ରୁଲୁବାଡିରେ ବେଲି ବେଲି କରିଥିଲା  .... ସଟ୍ କି ନା ସରିଗଲା ତା' ଭାଗରେ ଗୋଟା ଦେଖିବାକୁ ବି ନଥିଲା ..... ପବନରେ ଉଡି ଉଡି ଖବର ଖାଲି ପହଞ୍ଚିଥିଲା ବାସନା ଯାଗାରେ। ସେଇ ନୂଆ ଖୁଡି ବିସୁକୁଟୁ ବି ଆଣିଥିଲା .... ବଣ୍ଟା କୁଣ୍ଟାକୁ ନିଅଣ୍ଟ ଅଧଡିବାରେ, ଦାନ୍ତରେ ଚେନାଏ ବାଜିଥିଲା ଯାହା । ପିଲାଙ୍କ ଠି ଏତେ ଫାନ୍ଦଫିକର ନଥାଏ ବୋଲି ସେମାନେ ସରଗଜୀବ ।  ତା' ବୋଉର କୁହୁଳିଆ ଲୁହଧୁଆ ଆଖି ଦି’ଟା ଜଳାଖିଡିକି ପଛୁ ମୋ ପିଲା ନଜରରୁ ବର୍ତ୍ତି ପରିନଥିଲେ, ମନଟା ପାଣିଆ ଧରିଥିଲା ସେଦିନ ।

ବୋଉ ମାନେ କେତେ ସରାଗ କଲେ ବି ବେଳେବେଳେ ପିଲାଙ୍କ ଅଳି _ଇଚ୍ଛା  ସରଗଚାନ୍ଦ ପରି ଲାଗେ । ହାତ ପାଏ କି ?

**********

ଭଗତପୁର ଆଗ ଛକକୁ ବାଁ ପଟିଆ ଗଳିଟାରେ ବିସ୍କୁଟ ତିଆରେ ବିସ୍କୁଟବାଲା, ତା' ଘର ସେଇଟା । ସେଇଠି ତାର ମାଟିର କେତେ ପ୍ରକାରେ କଳକବଜା ଯୋଉଥିରେ ସିଏ ମନ୍ତ୍ର ଫୁଙ୍କି ମେଜିକ କରି ହରେକ ପ୍ରକାର ସୁଆଦିଆ ବିସ୍କୁଟ ତିଆରେ । ମୁଁ ସାଇକେଲ ରଖି ତା' ଘର ଭିତରକୁ ଗଳିକି ଚାହିଁଲି, ଦାଣ୍ଡ କବାଟ ମୁକୁଳା ଠାଆଁ ମେଲା ଥିଲା । କି' ବାସ୍ନା । ଆହାଃ ହାଃ । ମିଠା ମିଠା ।

ପୂରା ଅଗଣାରେ କେହି ନଥିଲେ । ଛୋଟ ଛୋଟ ଉଚ୍ଚତା ବିଶିଷ୍ଟ ଲମ୍ବା ଲମ୍ବା ଚୁଲି ଭିତରୁ ସେ ମଧୁର ଭଜା ନଡିଆ ବାସ୍ନା ଖେଳୁଥିଲା ମାଟି ଅଗଣା ସାରା । ମୁଁ ବିରାଡ଼ି ପରି ସିନା ପଶିଥିଲି ସେ ବାସ୍ନାରେ ପାଶୋରି ଗଲି ସବୁ । ପଛରୁ କାହା ଭାରିଭାରିଆ ପାଦ ଶବ୍ଦ ଶୁଣି ଡରରେ ଲୁଚିପଡ଼ିଲି ସେଇ କୋଣ ଢାବଲ ପଛରେ ଆଖିବୁଜି । ସିଏ କିନ୍ତୁ ମତେ ଦେଖି ସାରିଥିଲେ, ଥିରିକି ଡାକି କହିଲେ, ବିସ୍କୁଟ ନବୁ ? ସାଇକେଲ ଚାବି ପକେଇନୁ ଦାଣ୍ଡେରେ ?  କିଏ ନେଇ ଯିବନି !  ମୋ ଚେତା ଫେରିଲା । ହେ ହେ .... ଦୌଡିଲି । ଏକାଥରେ ଘରେ ।

ଉପରଓଳି ବିସ୍କୁଟବାଲା ଦାଦା ବଡ ପାଞ୍ଚ କିଲିଆ ଠୁଙ୍ଗାରେ ଗରମ ଗରମ ସବୁ ପ୍ରକାର ବିସ୍କୁଟ ମିଶେଇ ଆଣି ଘରେ ଦେଇଗଲେ । ମୁଁ ସୁନାପିଲା ପରି ବହିଧରି ବସିଥାଏ, କିନ୍ତୁ ଡରୁଥାଏ ବୋଉ ଆଗରେ ଏଇଲେ ଯଦି କହିଲେ ଇୟେ, ମଲି । ସିଏ କିନ୍ତୁ ମତେ ଥିରିକି କହିଲେ, 'କମଳା କ୍ରିମଦିଆ ନୂଆ ବିସ୍କୁଟ ଆଣିଛି କୁନି ମା, ଖାଇକି କହିବ କେମିତି ଲାଗିଲା ।'

ମୁଁ ଯାଇ ବୋଉକୁ କହିଲି, ବୋଉ ଚେପାଚିକୁ ପାଇଁ ଏଇ ନୂଆ ବିସ୍କୁଟଟା ନେବାକି ?  ସିଏ ଖୁସି ହବ ।

ବୋଉ ମୋ ମୁଣ୍ଡ ଆଉଁସି ଦେଇ କହିଲା, "ତୁ ଆଗେ ତାକୁ ଖାଲି ଚିକୁ ବୋଲି ଡାକିବୁ, ତେବେ ନେବି । ଯା ଏବେ ଗଣିତ ସା’ରେ । ବାପା ଆସିଲେ ପଚାରିବେ ।"

ବିସ୍କୁଟ ଖଣ୍ଡେ ପାଟିରେ ନେଇ ମୁଁ ଫର୍ଦ୍ଦ ଉଡୁଥିବା ବହି ଆଡକୁ ମୁହେଁଇଲି ।

'ପିଲେ ନିଜକାମ ନିଜ ହାତେ କରିବା ଶିଖିଯାନ୍ତି ଯେତେ ଯେତେ ମା ଭିତରେ ଖାଲିପଣଟେ ଖୋଳି ହେଇ ହେଇ ଯାଏ ଭିତରକୁ ସେତେ ସେତେ । ଭାରି କନଫୁଜିଆ ଜୀବଟିଏ ଏ' ମା' । କୋଳରେ ସାଇତିବାକୁ ମନ, ଏଣେ ଆକାଶରେ ଉଡ଼େଇ ଦବାକୁ ବି । ପିଲେ ବଡ଼ ହେଲେ, କାଳିଆ ଘୋଡ଼ାରେ ଚଢିଲେ, ମଧୁବାବୁ ସାଙ୍ଗେ ଲଢିଲେ..... ହେଲେ ମା' କଲିଜାରୁ ଫାଳେ କଟି ଧାର ବୋହିଲା, ଫାଳେ ହାଡ ଭାଙ୍ଗିଗଲା, କ୍ଷତ ବିକ୍ଷତ ହେଇ ସବୁ ଲୁଚେଇଦେଲା ..... ହସିଦେଇ  ଅକ୍ଷତ ରଖିଲା ପିଲାଙ୍କୁ । ତାରି ପିଠିରେ ପାଦ ଦେଇ ଦେଇ ଘା' ...... ସିଏ କିନ୍ତୁ ତୁଠପଥର । ତେଲୁଣିପୋକ ପରି ଚାରେଣି ବୁଲେଇ ଚେକା ପକେଇ ଦେଇ ନିଥର । 

***************

ଏବେ ସେଇ ଚେପାଚିକୁ .... ସରି, ସରି କାନ ମୋଡ଼ା ଖାଇଲିନି ଲୋ ମା' ଆଉ ବୟସ ନାହିଁ । ଖାଲି ଚିକୁ । ହେଲା । ବୋଉଠୁ କାନମୋଡା ଖାଇବାର କିଛି ବୟସ ସୀମା ନଥାଏ ଯେ ହେଲେ ବୋଉ ଥିଲେ ତ !  ଛାଡ଼ ! ହଁ ଚିକୁଟି ଏବେ ଆମର ଚିନ୍ମୟ ଦାସମହାପାତ୍ର, ଡେପୁଟି ସେକ୍ରଟାରୀ ରାଜଧାନୀର ସେକ୍ରେଟେରିଏଟ୍ ରେ । ଭେଟ ହଉଥାଏ ତାର ମୋର ଅକାଳେ ସକାଳେ । ଏକା ଗାଁର ବୋଲି କି ଏକା କୁଟୁମ୍ବର ବୋଲି ଯେତେ ନୁହେଁ କ୍ଯାପିଟାଲବାଲା ଆଉ ମୋର ଭଲ ଚାକିରୀଟିଏ ଅଛି ବୋଲି ସେତେ । ବୋଧେ ମତେ ଲାଗେ ଏମିତି .......

ସେଦିନ ଚିକୁ ବୋଉ ଖୁଡ଼ିଙ୍କୁ ଚିକୁର ବଙ୍ଗଳାରେ ଦେଖି ଖୁସି ହେଇଗଲି । କିନ୍ତୁ ଅଳ୍ପ ସମୟ ଆଗରୁ କିଛି ଗୋଟେ ଘୋଷା ଅପ୍ରୀତିକର କଥାଟେ ଘଟିଯାଇଥିଲା ବୋଲି ତାଙ୍କ ଆଖିର ଛଳଛଳ ପାଣି ତକ ଆଉ ଓଠରେ ଧରିରଖିବାକୁ ଚେଷ୍ଟା କରୁଥିବା ଆଉଟା ହସ ତକ ଏକାଠି ମିଶି କହୁଥିଲେ ।

ନୂଆ _ ପୁରୁଣା ଏକାଠି ଥୋଇଲେ ଇ ଅଡୁଆ । ଫିଟି ଦିଶିବନି ପରା ।

ମତେ ଦେଖି ସିଏ ଖୁସିଟାଏ ହେଇ ଡାକ ପକେଇ କହିଲେ, 'ଆରେ ଚିକୁ, ବୋହୁକୁ କହ ମୀତୁ ଆସିଛି । ଚାହା ବିସ୍କୁଟୁ ଦିଟା ଆଣୁ ।'

ଆମ ଚେପାଚିକୁ ଫଟ୍ କି ଚଇଟିଚିକଣ ଟାଇଟାକୁ ସଜପଟା ହେଇ ଟାଣୁ ଟାଣୁ କହିଲେ, ଆ ଲୋ ବୋଉ ଆଜିକାଲି ଆଉ କିଏ କଣ ସେ ସବୁ ........... ସିଏ କଣ କୁକୁର ଯେ ବିସ୍କୁଟ ଖାଇବ ? 

ଏକରକମ ଅଟ୍ଟହାସ୍ଯ କଲା ପରି ଶୁଭିଲା ତା ଅଲଣିଆ ହସଟା ।

ତେବେ ଖୁଡି ମତେ ତୁନି ତୁନି କି କହିଲେ, 

"ତୋର ମନେ ଅଛିଟି କମଳା ରସଦିଆ ବିସ୍କୁଟୁ ବରାଦ କଥା । କେମିତି ନାକ ଆଖି ଲୁହ ସିଙ୍ଘାଣୀ କରି ମାଗୁଥିଲା ସେଦିନ ?"

ମୁଁ ମୁଣ୍ଡ ଟୁଙ୍ଗାରି କହିଲି –

ପିଲାଦିନ କୋଉ ପାଶୋରି ହୁଏ ଯେ' ଖୁଡିମା ...?