ବିଂଶ ଶତକର ଚତୁର୍ଥ ଓ ପଞ୍ଚମ ଦଶକରେ ଓଡିଶାରେ ପ୍ରଗତିଶୀଳ ତଥା ବାମପନ୍ଥୀ ସାମ୍ୟବାଦୀ ତତ୍ତ୍ୱର ପ୍ରସାରରେ ନବୀନ, ସାରଥୀ, ଆଧୁନିକ ତଥା କୃଷକ ପତ୍ରିକାଗୁଡ଼ିକର ଭୂମିକା ଅବିସ୍ମରଣୀୟ । ସାରଥି ନବକୃଷ୍ଣ ଚୌଧୁରୀଙ୍କ ସମ୍ପାଦନାରେ ୧୯୩୪ ମସିହା ମାର୍ଚ୍ଚ ମାସରୁ କ୍ରମାଗତ କେତେକ ସପ୍ତାହ ମାର୍କସୀୟ ଚିନ୍ତାଧାରାର ପରିପ୍ରସାର କରିଥିଲେ ମଧ୍ୟ ନବୀନରେ ୧୯୩୩ ମସିହାରେ ସଚ୍ଚି ରାଉତରାୟ ମାର୍କସୀୟ ତତ୍ତ୍ୱ ବିଷୟରେ ଦୀର୍ଘ ଆଲୋଚନା ପ୍ରକାଶ କରିଥିଲେ । ସେହିପରି ଭଗବତୀ ଚରଣ ପାଣିଗ୍ରାହୀଙ୍କ ସମ୍ପାଦନାରେ ଆଧୁନିକ ପତ୍ରିକାରେ ୧୯୩୬ ମସିହାରୁ କ୍ରମାଗତ ଅନେକ ମାସ ପର୍ଯ୍ୟନ୍ତ ପ୍ରଗତିବାଦୀ ଚିନ୍ତାଧାରାର ଅନୁବର୍ତ୍ତନ ଘଟିଥିଲା । ୧୯୩୭ ମସିହାରେ କୃଷକ ପ୍ରକାଶିତ ହୋଇ କୃଷକ ତଥା ଶ୍ରମିକର ଜାଗରଣ ପାଇଁ ପଥ ପରିଷ୍କାର କରିଥିଲା । ଏତେବେଳେ ଭଗବତୀ ଚରଣ ପାଣିଗ୍ରାହୀ, ସଚ୍ଚି ରାଉତରାୟ, ଅନନ୍ତ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ପ୍ରାଣନାଥ ପଟ୍ଟନାୟକ, ସୁରେନ୍ଦ୍ର ଦ୍ୱିବେଦୀ, ଗୁରୁଚରଣ ପଟ୍ଟନାୟକ, ରାମକୃଷ୍ଣ ପତି ଏବଂ ଆହୁରି ଅନେକ ସଂଗଠକ ତଥା କର୍ମୀ ସାମ୍ୟବାଦୀ ତଥା ପ୍ରଗତିଶୀଳ ଚିନ୍ତାଧାରାର ପରିପ୍ରସାର କରାଇଥିଲେ । ଶ୍ରମିକ ସମସ୍ୟା ୧୯୪୦ ଦଶକରେ ଓଡ଼ିଶାରେ ବିଶେଷ ପ୍ରସଂଗ ହୋଇପଡିଲା ।

ଦୁର୍ଗା ପ୍ରସାଦ ଗୁରୁ ୧୯୪୧ ମସିହାରେ ସମ୍ବଲପୁର ଜିଲ୍ଲା ତେଲେନ୍‍ପାଲି ଗ୍ରାମ ସନ୍ନିକଟ ଓରିଏଣ୍ଟ କାଗଜକଳ ଶ୍ରମିକ ଆନ୍ଦୋଳନକୁ ନେଇ କେତେକ କବିତା ରଚନା କରିଥିଲେ । ଏହାର ନାମ ଥିଲା ବିପ୍ଳବ ଝଙ୍କାର । ଏହାର ଏକ ଗୀତିକାରେ ଶ୍ରମିକ ଧର୍ମଘଟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେଥିରେ କୁହାଯାଇଥିଲା -

ବଜାଅ ବଜାଅ ଧର୍ମଘଣ୍ଟ ଶଂଖ ମତାଅରେ ଆଜି କାଗଜକଳ

ଉଡ଼ାଅ ଉଡ଼ାଅ ରକତ ଧ୍ୱଜ ଫଟାଅ ଗମ୍ବୀର ମରମସ୍ଥଳ ।

ପୁଂଜିପତିଙ୍କର ବିଷମ ଗର୍ବ

ଧରମଘଟରେ କରରେ ଖର୍ବ

ସବୁ ହଟହଟା ମନେକରି ଆଜି ଦିଅରେ ଆଜି

ତା ପ୍ରତି ଉତ୍ତର ।

ତୋହରି ରକତେ ସଂଚିତ ଧନ

ପୁଂଜିପତି ଗର୍ଭେ ହେଉଛି ଲୀନ

ତୋହରି ଭାଗ୍ୟରେ ସାଢେସାତଟଙ୍କା ମାସକ ଯାକର ଖଟିବା

ମୂଲ ।

ଛାଡି ଚାଲିଆସ ମାୟାମନ୍ଦିର

ତୁଟିଗଲା ସବୁ ଆଶା ଆମ୍ଭର

ଏଡେ ହିନିମାନ ନସହିବା ଆଉ ଏକ ହୋଇ

ସର୍ବେ ବାନ୍ଧିବା ମେଳ

ଆମ ଅନ୍ଧକାର ଗଲାଟି ତୁଟି

ନବୀନ କିରଣ ଆସୁଛି ଘୋଟି

ଶ୍ରମିକ ସଂଘର ଜୟ ଜୟ ନାଦେ କମ୍ପି ଉଠିବ ନଭୋମଣ୍ଡଳ ।

ଏହିପରି ଶ୍ରମିକ ସମସ୍ୟା ସମ୍ପର୍କିତ କବିତା ୧୯୪୧ ବେଳକୁ ପ୍ରବଳ ପ୍ରସାରିତ ହୋଇ ଜନମାନସରେ ଆଲୋଡନ ଆଣିଥିଲା । ଶ୍ରମିକ ଜାଗୃତିର ବ୍ୟାପକ ବାର୍ତ୍ତା ନେଇ ଶ୍ରମିକ ସାପ୍ତାହିକ ସମ୍ବାଦପତ୍ର ସହସା ଦେଖା ଦେଇଥିଲା । ଏହାର ସମ୍ପାଦକ ଥିଲେ ବାମପନ୍ଥୀ ସାମ୍ୟବାଦୀ ତତ୍ତ୍ୱର ଅବିସ୍ମରଣୀୟ ସାରଥି ରାମକୃଷ୍ଣ ପତି । ତାଙ୍କର ପିତା ରାୟସାହେବ ଆନନ୍ଦ ଚନ୍ଦ୍ର ପତି ଜଣେ ବିଶିଷ୍ଟ ପ୍ରାବନ୍ଧିକ ଏବଂ ତାଙ୍କର ଲେଖା ଉତ୍କଳ ସାହିତ୍ୟରେ ପ୍ରକାଶିତ ହୋଇଥିଲା । କିନ୍ତୁ ଆନନ୍ଦ ଚନ୍ଦ୍ର ପତି ଥିଲେ ବାମପନ୍ଥୀ ଚିନ୍ତାର ବିରୋଧୀ । ତେଣୁ ପୁତ୍ର ରାମକୃଷ୍ଣ ତାଙ୍କ ପରିବାର ସହିତ କୌଣସି ସୁସମ୍ପର୍କ ରକ୍ଷା କରି ପାରିନଥିଲେ । ସାମ୍ୟବାଦୀ ରାମକୃଷ୍ଣ ୧୯୪୨ ବେଳକୁ କୃଷକସଭା ପରି ଅନୁଷ୍ଠାନ ସହିତ ନିଜକୁ ଜଡିତ କରାଇ କମ୍ୟୁନିଷ୍ଟତତ୍ତ୍ୱର ସମ୍ପ୍ରସାରଣ କରାଇଥିଲେ । ସେହି ଚିନ୍ତାଧାରାର ପରିପ୍ରକାଶ ପାଇଁ ୧୯୪୨ ମାର୍ଚ୍ଚ ୬ ତାରିଖରେ ତାଙ୍କ ସମ୍ପାଦନାରେ ଶ୍ରମିକ ସାପ୍ତାହିକ ପ୍ରଥମେ ପ୍ରକାଶ ପାଇଥିଲା ।

ଏହାର ପ୍ରଥମ ସଂଖ୍ୟାରେ ସମ୍ପାଦକୀୟ ଲେଖାରେ ଜନ୍ମଦିନ ନାମକ ଆଲୋଚନା ରାମକୃଷ୍ଣ ପ୍ରକାଶ କରିଥିଲେ । ସେଥିରେ ସେ ଲେଖିଥିଲେ - “ଶ୍ରମିକ ଓଡ଼ିଶାର ଶ୍ରମିକମାନଙ୍କର ଶକ୍ତି ସଂଗଠନ ପାଇଁ ଆଗଭର । ସେହି ହେତୁ ଏହା ସର୍ବଦା ଶ୍ରମିକମାନଙ୍କର ସ୍ୱାର୍ଥ ପାଇଁ ଲଢିବ । ଭାରତର ଅନ୍ୟାନ୍ୟ ପ୍ରଦେଶରେ ଶ୍ରମିକମାନଙ୍କର ସଂଗଠନ ଥିବାରୁ ସେମାନେ ସେମାନଙ୍କର ମଜଭୁତ ସଂଗଠନ ବଳରେ ନିଜର ହକ୍‍ ଦାବୀ ଗୁଡିକୁ ହାସଲ କରି ପାରୁଛନ୍ତି । କିନ୍ତୁ ଓଡିଶାର ସଂଗଠନ ମଜଭୁତ ହେବା ତ ଦୂରର କଥା ସଂଗଠନ ଆଦୌ ନାହିଁ କହିଲେ ଚଳେ । ସେଥିପାଇଁ ଶ୍ରମିକ ସବୁବେଳେ ସର୍ବହରାର ସ୍ୱାର୍ଥ ପ୍ରତି ସଚେତନ ରହିବା ସଂଗେସଂଗେ ଯେଉଁପରି ସମାଜ ଗଢା ହେଲେ ସୁଖଶାନ୍ତି ବିରାଜିବ ଓ ଶୋଷଣ ରହିବ ନାହିଁ ସେ କଥା ମଧ୍ୟ ଏହାସଂଗେ ପ୍ରତିପାଦିତ କରିବ । ଶ୍ରମିକମାନଙ୍କ ଉପରେ ଅଯଥା ଅନ୍ୟାୟ ଓ ଅତ୍ୟାଚାରର ପ୍ରତିରୋଧ କରିବାକୁ ଶ୍ରମିକ ଆଗଭର । ଶ୍ରମିକମାନଙ୍କର ସଭାସମିତି କରିବା, ସେମାନଙ୍କର ଅଭାବ ଅସୁବିଧାର ଆଲୋଚନା କରି ପ୍ରତିକାର ଲୋଡ଼ିବାର ହକ୍‍ ଅଛି । ବୈଷମ୍ୟ, ଅସାମାନତା ଆଉ ଶ୍ରମିକ ବରଦାସ୍ତ କରି ରହିପାରିବ ନାହିଁ । ଭାରତର ଶ୍ରମିକ ଆଜି ଜାଗ୍ରତ। ଭାରତରେ ଚାଷୀ ମୁଲିଆର ରାଜ୍ୟ ପ୍ରତିଷ୍ଠା ପାଇଁ ଆଗଭର । ତାର ଆଖିକୋଣରୁ ପ୍ରତିହିଂସାର ଅଗ୍ନିଶିଖା ପଞ୍ଜରା ହାଡତଳୁ ଅଣଚାଷର ଝଂଜା ବହିଲାଣି । ସୁଧ କଳନ୍ତର ସହ ସେ ତାର ହକ୍‍ ଦାବୀ ହାସଲ କରିବ । ଦୁନିଆରୁ ଶୋଷକ ଶ୍ରେଣୀକୁ ମୂଳପୋଛ କରିବ ।” ତାଙ୍କର ବକ୍ତବ୍ୟକୁ ଆହୁରି ଶାଣିତ କରି ସେ ଲେଖିଥିଲେ ୧୯୩୧ରେ ଗାନ୍ଧୀଙ୍କର ନେତୃତ୍ୱ ଖୁବ୍‍ ଉଚ୍ଚରେ ଥିଲା । ମଜଦୂର ସଭାର ନେତାମାନେ ସୁବିଧାବାଦୀ । ସେମାନେ ବୁର୍ଜ୍ଜୁୟା ଜାତୀୟବାଦୀମାନଙ୍କର ଦଲାଲ ହିସାବରେ କାର୍ଯ୍ୟ କରିଥିଲେ । ସେମାନେ ଶ୍ରମିକ ମାନଙ୍କର ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଉ ନଥିଲେ । କମ୍ୟୁନିଷ୍ଟମାନେ ଚାହୁଁଥିଲେ ଆନ୍ଦୋଳନ ଉପରେ ନେତୃତ୍ୱ ପରିଚାଳନାରେ  ଶ୍ରମିକ କମିଟିମାନ ପରିଚାଳନା କରିବା ଉଚିତ । ଏହି ନୀତି ଉପରେ ଏ ଦୁହିଁଙ୍କ ଭିତରେ ସଂଘର୍ଷ ହୋଇଥିଲା । ଯାହାହେଉ ଶତ ବାଧାବିଘ୍ନ ସତ୍ତ୍ୱେ କମ୍ୟୁନିଷ୍ଟମାନେ ଆଗୁଆ ହୋଇଥିଲେ ।

ଶ୍ରମିକକୁ ସେତେବେଳେ ନରସିଂହ ତ୍ରିପାଠୀ, ଜୟକୃଷ୍ଣ ସିଂହ, ରାଜକିଶୋର ପାଣିଗ୍ରାହୀ, ଶ୍ୟାମସୁନ୍ଦର ମିଶ୍ର ପ୍ରଭୃତି ଆପଣା ଆପଣା ଚିନ୍ତାଧାରା ଗର୍ଭିତ ପ୍ରସଂଗ ଦ୍ୱାରା ଗତିଶୀଳ କରାଇଥିଲେ । ଶ୍ରମିକ ସାପ୍ତାହିକର ଜାଗରଣ ପାଇଁ ଓଡିଶାର ବିଭିନ୍ନ ସ୍ଥାନରେ ଉଦ୍ୟମ କରାଯାଇଥିଲା । ଶ୍ରମିକ ସାପ୍ତାହିକରେ ସ୍ଥାନିତ ନାନା ପ୍ରସଂଗ ଦ୍ୱାରା ଶ୍ରମିକ ଜାଗୃତି ଓଡ଼ିଶାରେ ପ୍ରସାରିତ ହୋଇଥିଲା ।