ଫଟାେ - ଓଡିଆଫ୍ରେଶ ଡଟ କମ

ଅମୂଲ୍ୟ କୁମାରୀ ପଟ୍ଟନାୟକଙ୍କ ଉପନ୍ୟାସ ‘ଧରିତ୍ରୀ’ ଆଧାରରେ ନିର୍ମିତ ସିନେମା ୧୯୭୩ରେ ମୁକ୍ତିଲାଭ କରିଥିଲା । ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ନିତ୍ୟାନନ୍ଦ ପାଲିତ । ସେହିପରି ଧୀର ବିଶ୍ୱାଳଙ୍କ କାନ୍ଧରେ ପ୍ରଯୋଜନା ଭାର ରହିଥିଲା । ଗୋପାଳ ଛୋଟରାୟଙ୍କ ଚିତ୍ରନାଟ୍ୟର ଏହି ସିନେମାରେ ଶ୍ରୀରାମ ପଣ୍ଡା, ଧୀର ବିଶ୍ଵାଳ, ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ, ସନ୍ଧ୍ୟା, ଭାନୁମତୀ ଦେବୀ, ଭୀମ ସିଂ, ଗୋବିନ୍ଦ ତେଜ, ଚନ୍ଦନା, ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ଦୀନବନ୍ଧୁ ଦାସ, ବାବାଜୀ ସାହୁ, ନରେନ୍ଦ୍ର ବେହେରା, ଅନୀମା, ଅଳ୍ପନା, ଅରୁଣ, ଚାନ୍ଦମଣୀ, ବିମଳା ଚୌଧୁରୀ, ମାୟାଧର ଓ ତାପସ ପ୍ରମୁଖ ଅଭିନୟ କରିଥିଲେ ।

ଉପେନ୍ଦ୍ର କୁମାରଙ୍କ ସ୍ୱର ସଂଯୋଜନାରେ ପ୍ରସ୍ତୁତ ଏଇ ସିନେମାର ଗୀତ ରଚନା କରିଥିଲେ ଶିବବ୍ରତ ଦାସ, ଭକ୍ତ କବି ବନମାଳୀ ଦାସ, ନାରାୟଣ ପ୍ରସାଦ ସିଂହ, ନନ୍ଦକିଶୋର ସିଂହ, ବୃନ୍ଦାବନ ସେନା । ସେହିପରି ଏଇ ସିନେମାରେ ଚିତ୍ତ ଜେନା, ଶ୍ୟାମଳ ମିତ୍ର, ନିର୍ମଳ ମିଶ୍ର, ସିପ୍ରା ବୋଷ ପ୍ରମୁଖ ଗୀତ ଗାଇଥିଲେ । ସିନେମାରେ ଗୀତଗୁଡିକ ବେଶ୍ ଶ୍ରୁତିମଧୁର । ସିନେମାରେ ଥିବା ‘ସପନର ପଥେ ପଥେ….’ ଗୀତଟି ଆଜି ବି ଲୋକପ୍ରିୟ କ୍ଲାସିକ ଗୀତ ଭାବେ ପରିଚିତ । ସିକନ୍ଦର ଆଲମ ଏଇ ଗୀତରେ କଣ୍ଠଦାନ କରିଥିଲେ । ଏହି ସିନେମାରେ ଏକ ଦେଶାତ୍ମବୋଧକ ଗୀତ ରହିଥିଲା । ଶ୍ୟାମଳ ମିତ୍ରଙ୍କ କଣ୍ଠରେ ସଜ୍ଜିତ ଏଇ ଗୀତଟି ଥିଲା ସ୍ୱର୍ଗାଦପି ଗରୀୟସି…. । ସେହିପରି ସିନେମାରେ ଥିବା ଅନ୍ୟ ଗୀତଗୁଡିକ ମଧ୍ୟରେ ରହିଛି - ‘ପୀରତି ମଜା କେଡେ ମଧୁର…’,’ବାରମ୍ବାର ଦେଲେ ପରିଚୟ….’, ‘ମୋହନ ହେ ମୋହନ….’ ପ୍ରମୁଖ ।

ସିନେମାରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ନୃତ୍ୟ ନିର୍ଦ୍ଦେଶନା ରହିଥିବାବେଳେ ସିନେମାର ଚିତ୍ରଗ୍ରହଣ ଦାୟିତ୍ୱରେ ଥିଲେ ଏସ୍. ସାୱନ୍ତ । ସେହିପରି କଳା ନିର୍ଦ୍ଦେଶନା ଦାୟିତ୍ୱରେ ରହିଥିଲେ ସୁଧୀର ।

ସିନେମାରେ ଜଣେ ନବବଧୂର ସହନଶୀଳତା ଓ ଧୈର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ସମାଜର ଭଦ୍ରମୁଖା ତଳେ ଲୁଚିରହିଥିବା ଦୁଷ୍ଟ ଲୋକଙ୍କ ସମ୍ପର୍କରେ ଦର୍ଶାଯାଇଛି । ସିନେମାରେ ଗିରିଶ ଚୌଧୁରୀ ନାମ୍ନୀ ଜଣେ ବାହାରକୁ ଆଦର୍ଶବାଦୀ, ସମାଜସେବୀ ନେତାଜଣକ କିପରି ସ୍ୱାର୍ଥପର, ଅର୍ଥ ପିପାସୁ ହୋଇପାରନ୍ତି ତାହା ଦର୍ଶାଯାଇଛି । ସିନେମାରେ ଗିରିଶ ଚୌଧୁରୀ ଚରିତ୍ରରେ ଧୀର ବିଶ୍ୱାଳ ଅଭିନୟ କରିଥିବାବେଳେ ତାଙ୍କ ବଡ ପୁଅ ଶୁଭେନ୍ଦୁ ଚରିତ୍ରରେ ଶରତ ପୂଜାରୀ, ସାନ ପୁଅ ସୁଧୀର ଚରିତ୍ରରେ ଶ୍ରୀରାମ ପଣ୍ଡା ଅଭିନୟ କରିଛନ୍ତି ।

ସିନେମାରେ, ବଡ ପୁଅ ଶୁଭେନ୍ଦୁର ବିବାହ ମମତା ନାମ୍ନୀ ଏକ ସରଳ ଝିଅ ସହ ଠିକ ହୁଏ । ମାତ୍ର ବିବାହ ଦିନ କନ୍ୟାର ଭ୍ରାତା ଯୌତୁକ ବାବଦକୁ ଦଶ ହଜାର ଟଙ୍କା ଦେଇ ନପାରିବାରୁ ବିବାହ ପାଇଁ ମନା କରନ୍ତି ଗିରିଶ ବାବୁ । ମାତ୍ର ସାନ ପୁଅ ସୁଧୀର ଆଉ ନିଜର ମିଛ ଆଦର୍ଶ ପାଇଁ ଏହି ବିବାହରେ ରାଜି ହୋଇଛନ୍ତି ଗିରିଶ ବାବୁ । କିନ୍ତୁ ବିବାହ ପରେ ଯୌତୁକ ଟଙ୍କା ନ ମିଳିବାରୁ ସେ ନବବଧୂ ଉପରେ ଅକଥନୀୟ ଅତ୍ୟାଚାର କରିବା ଆରମ୍ଭ କରନ୍ତି । କିନ୍ତୁ ନବବଧୂଟି ସବୁ ଅତ୍ୟାଚାର ସହି ସମସ୍ତଂକ ସେବା କରିବାରେ ଲାଗିପଡେ । ଧରିତ୍ରୀ ପରି ମମତା ସବୁ ସହି ପଡି ରହିଥାଏ ଶାଶୁଘରେ । ଶେଷରେ ତାକୁ ଘରୁ ବାହାର କରିଦିଅନ୍ତି । କିନ୍ତୁ ସୁଧୀର ନିଜ ବାପାଙ୍କ ଚକ୍ରାନ୍ତକୁ ପଦାରେ ପକାଇଦିଏ ଓ ଶେଷରେ ଶୁଭେନ୍ଦୁ ଓ ମମତାଙ୍କର ମିଳନ ହୁଏ । ଏହି ସିନେମା ଜରିଆରେ ଶ୍ରୀରାମ ପଣ୍ଡା ଅଭିନୟ ଦୁନିଆରେ ପାଦ ଥାପିଥିବାବେଳେ ତାଙ୍କ ଅଭିନୟ ବେଶ୍ ପ୍ରଶଂସନୀୟ ହୋଇପାରିଥିଲା । ତେବେ ସବୁଠୁ ଚର୍ଚ୍ଚାରେ ଥିଲା ତାଙ୍କ ଷ୍ଟାଇଲ୍ । ଶ୍ରୀରାମଙ୍କ ବଲିଉଡ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ଶୈଳୀରେ ସଜ୍ଜିତ ବେଶଭୂଷା ବେଶ ଲୋକପ୍ରିୟ ହୋଇଥିଲା । ୨୭୮ ମିନିଟ ଅବଧିର ଏହି ସିନେମାଟି ସେହି ବର୍ଷର ଶ୍ରେଷ୍ଠ ସିନେମା ଓ ଶ୍ରେଷ୍ଠ ନିର୍ଦ୍ଦେଶନାର ରାଜ୍ୟ ପୁରସ୍କାର ପ୍ରାପ୍ତ କରିଥିଲା ।