ଦେଓମାଳୀ ପର୍ବତଶୃଙ୍ଗ

ଭ୍ରମଣ କରିବାକୁ କିଏ ବା ଭଲ ନ ପାଏ । ଆଜିକାଲି ଭ୍ରମଣ ପାଇଁ ଲୋକଙ୍କ ମଧ୍ୟରେ ବହୁତ ଆଗ୍ରହ ରହିଛି । କୁହାଯାଏ ଯେ ଆମେ ଯେତେ ଲୋକଙ୍କୁ ଭେଟିବା, ଜୀବନରେ ସେତେ ଅଧିକ ଶିଖିବାକୁ ପାଇବା । ଏହା ସହିତ ବିଭିନ୍ନ ଦେଶ ଏବଂ ସହରର ସଭ୍ୟତା ଏବଂ ସଂସ୍କୃତି ମଧ୍ୟ ବୁଝିପାରିବା । ଗୋଟିଏ ଦେଶକୁ ଅନ୍ୟ ଦେଶ ସହିତ ସଂଯୋଗ କରିବା ପାଇଁ ସବୁଠୁ ସୁନ୍ଦର ଉପାୟ ହେଉଛି ପର୍ଯ୍ୟଟନ । ପ୍ରତ୍ୟେକ ମନୁଷ୍ୟ ସ୍ୱାଭାବିକ ଭାବେ ପର୍ଯ୍ୟଟନ ପ୍ରତି ଆକର୍ଷିତ ହୋଇଥାଏ । ନୂତନ ସ୍ଥାନଗୁଡିକ ବିଷୟରେ ଜାଣିବାର ଜିଜ୍ଞାସା ହିଁ ପର୍ଯ୍ୟଟନକୁ ସମୃଦ୍ଧ କରେ । ସାମ୍ପ୍ରତିକ ସମୟରେ ପର୍ଯ୍ୟଟନ ଶିଳ୍ପ ଏକ ଲାଭଜନକ ଶିଳ୍ପ ଭାବରେ ମୁଣ୍ଡ ଟେକିଛି । ପରସ୍ପରର ସଂସ୍କୃତିକୁ ଜାଣିବା, ବୁଝିବା ଏବଂ ଦେଖିବା ଦ୍ୱାରା ପର୍ଯ୍ୟଟନ ଶିଳ୍ପ ଅଧିକ ସମୃଦ୍ଧ ହୋଇଥାଏ ।

ସେପ୍ଟେମ୍ବର ୨୭ ତାରିଖକୁ ବିଶ୍ୱ ପର୍ଯ୍ୟଟନ ଦିବସ ରୂପେ ପାଳନ କରାଯାଏ । ସଂଯୁକ୍ତ ରାଷ୍ଟ୍ର ବିଶ୍ୱ ପର୍ଯ୍ୟଟନ ସଂଗଠନ ତରଫରୁ ୧୯୮୦ରେ ପ୍ରଥମ ଥର ପାଇଁ ଏହି ଦିବସ ପାଳିତ ହୋଇଥିଲା । ପର୍ଯ୍ୟଟନ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିବସ ପାଳନ କରାଯାଏ । ଯେଉଁ ଦେଶର ପର୍ଯ୍ୟଟନ ଶିଳ୍ପ ଯେତେ ସୁଦୃଢ଼ ସେହି ଦେଶର ଆର୍ଥିକ ସ୍ଥିତି ମଧ୍ୟ ସେତେ ସୁଦୃଢ଼ ହୋଇଥାଏ । ପର୍ଯ୍ୟଟନ ଦିବସର ଉଦ୍ଦେଶ୍ୟ ହେଉଛି ଦେଶ ତଥା ବିଦେଶରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା । ପ୍ରତ୍ୟେକ ବର୍ଷ ଏହି ଦିବସ ପାଇଁ ଭିନ୍ନ ଭିନ୍ନ ଥିମ ରହିଥାଏ । ଚଳିତ ବର୍ଷ ଏହି ଦିବସର ଥିମ ରହିଛି - ପର୍ଯ୍ୟଟନର ଅନ୍ତର୍ଭୂକ୍ତ ବିକାଶ । ଏହି ବର୍ଷ ଏହି ଦିବସକୁ ହୋଷ୍ଟ କରୁଛନ୍ତି କୋଟ ଡି ଆଇଭୋ । ଏଠାରେ ଆୟୋଜିତ ଉତ୍ସବରେ ପର୍ଯ୍ୟଟନର ଅନ୍ତର୍ଭୂକ୍ତ ବିକାଶକୁ ଆଗେଇ ନେବାରେ ପର୍ଯ୍ୟଟନର ଦକ୍ଷତା ଏବଂ ବହୁ ଲକ୍ଷ ଲୋକଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାରେ ଭୂମିକା ସମ୍ପର୍କରେ ଆଲୋଚନା କରାଯିବା ସହ ଏନେଇ କାର୍ଯ୍ୟ କରିବା ଉପରେ ଲକ୍ଷ୍ୟ ରଖାଯିବ ।

ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଆସନ୍ତୁ ଆମେ ବୁଲିଯିବା ସବୁଜ ବନାନୀ ଘେରା ଉପତ୍ୟକା ଅଂଚଳ କୋରାପୁଟ । ଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ କୋରାପୁଟ ଜିଲ୍ଲାର ଆୟତନ ୮,୩୭୯ ବର୍ଗ କିମି । ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ କୋରାପୁଟ ଅନ୍ୟତମ । ସବୁଜ ଉପତ୍ୟକାରେ ଅବସ୍ଥିତ କୋରାପୁଟ ୧ ଏପ୍ରିଲ ୧୯୩୬ରେ ଜିଲ୍ଲା ରୂପେ ମାନ୍ୟତା ପାଇଥିଲା । ଜଙ୍ଗଲ, ଜଳପ୍ରପାତ, ଉପତ୍ୟକା ଏବଂ ଝରଣା ଦ୍ୱାରା ପରିବେଷ୍ଟିତ ଏହି ଜିଲ୍ଲା ପ୍ରକୃତିପ୍ରେମୀଙ୍କୁ ବେଶ୍ ଆକର୍ଷିତ କରିଥାଏ । କୋରାପୁଟ ଜିଲ୍ଲା ୧୭.୪ ଡିଗ୍ରୀରୁ ୨୦.୭ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୧.୨୪ ଡିଗ୍ରୀରୁ ୮୪.୨ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ । କୋରାପୁଟ ପୂର୍ବରେ ରାୟଗଡା, ପଶ୍ଚିମରେ ଛତିଶଗଡର ବସ୍ତର ଜିଲ୍ଲା ଏବଂ ଦକ୍ଷିଣରେ ନବରଙ୍ଗପୁର ଜିଲ୍ଲା ଦ୍ୱାରା ସୀମାବଦ୍ଧ ।

ଏହି ଜିଲ୍ଲାକୁ ଅନେକ ରାଜବଂଶ ଶାସନ କରିଛନ୍ତି । ସେଇ ରାଜବଂଶଙ୍କ ମଧ୍ୟରେ ସାତବାହନ, ନଳ, ଗଙ୍ଗ ଏବଂ ସୂର୍ଯ୍ୟ ବଂଶମାନେ ରହିଛନ୍ତି । ପ୍ରାଚୀନକାଳରେ ଯେତେବେଳେ ନଳମାନେ ଏଠି ଶାସନ କରୁଥିଲେ ସେତେବେଳେ ଆଧୁନିକ ଉମରକୋଟକୁ ସେମାନଙ୍କର ରାଜଧାନୀ କରିଥିଲେ । ମଧ୍ୟଯୁଗରେ ନନ୍ଦପୁର ରାଜଧାନୀ ଭାବେ ବିକଶିତ ହୋଇଥିବାବେଳେ ସୌର ରାଜବଂଶର ରାଜଧାନୀ ଭାବରେ ବିକଶିତ ହେଲା । ସପ୍ତଦଶ ଶତାବ୍ଦୀର ମଧ୍ୟଭାଗରେ ସୌର ରାଜବଂଶର ବୀର ବିକ୍ରମ ଦେଓ ତାଙ୍କ ରାଜଧାନୀକୁ ଜୟପୁରକୁ ସ୍ଥାନାନ୍ତର କଲେ ଏବଂ ଏହା ଏକ ସମୃଦ୍ଧ ସହରରେ ବିକଶିତ ହେଲା ।

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଏହି କୋରାପୁଟରେ ଆପଣ ସୁଵଜ ବନାନୀ ଆଉ ପାହାଡ଼ର ଲୁଚକାଳି ଖେଳ ଭିତରେ ନିଜକୁ ହଜେଇଦେବେ । ପାହାଡ଼ କଟା ଘାଟି ରାସ୍ତାର ଚାରିକଡେ ବଡ଼ ବଡ଼ ଗଛସବୁ ଆପଣଙ୍କୁ ସ୍ୱାଗତ କରିବା ପରି ଠିଆ ହୋଇଥିବେ ।

ଆପଣ କୋରାପୁଟକୁ ବସ, ଟ୍ରେନ କିମ୍ବା ବିମାନ ଯୋଗେ ଯାତ୍ରା କରିପାରିବେ । ତେବେ ରେଳ ବା ବସ ଯୋଗେ ଯାତ୍ରା ଆପଣଙ୍କୁ ଭ୍ରମଣର ସୁଖଦ ଅନୁଭୂତି ଦେବ ।

ଏଠାରେ ଆପଣ ଓଡ଼ିଶାର ସର୍ବୋଚ୍ଚ ଶୃଙ୍ଗ ଦେଓମାଳୀ, ଡୁଡୁମା ଜଳପ୍ରପାତ, ଗୁପ୍ତେଶ୍ୱର ମନ୍ଦିର, ଶାବର ଶ୍ରୀକ୍ଷେତ୍ର, କୋଲାବ ପରି ବହୁ ଆକର୍ଷଣୀୟ ସ୍ଥାନ ଦେଖିପାରିବେ । ଏଠାରେ ଆପଣ ସର୍ବୋଚ୍ଚ ବୋର୍ଡ ଗେଜ୍ ରେଳ ଟନେଲ ମଧ୍ୟ ଦେଖିପାରିବେ । ଏହା ଜୟପୁରଠାରୁ ୨୧ କିଲୋମିଟର ଓ କୋରାପୁଟଠାରୁ ୪୩ କିଲୋମିଟର ଦୂରରେ ରହିଛି । ତେବେ ଆସନ୍ତୁ କୋରାପୁଟର ପର୍ଯ୍ୟଟନସ୍ଥଳୀ ଉପରେ ଟିକେ ନଜର ପକାଇବା ।

ରାଜା ଗୁମ୍ଫା ଓ ବାଲ୍ମୀକି ଆଶ୍ରମ: କୋରାପୁଟ ଠାରୁ ୧୦୦ କିମି ଦୂରରେ ଅବସ୍ଥିତ ରାଜା ଗୁମ୍ଫା ଓ ବାଲ୍ମୀକି ଆଶ୍ରମକୁ ସ୍ପଟ ପର୍ବତ ବୋଲି କୁହାଯାଏ । ମାଛକୁଣ୍ଡ ନଦୀ କୂଳରେ ଏହି ଆଶ୍ରମଟି ଅବସ୍ଥିତ । ଏଠାରେ ଅକ୍ଷୟ ତୃତୀୟା ବଡ ପର୍ବ ଭାବେ ପାଳନ କରାଯାଏ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ ।

ସୁଵାଈ: ସୁନାବେଡ଼ାଠାରୁ ୧୬ କିମି ଓ କୋରାପୁଟ ଠାରୁ ୩୪ କିମି ଦୂରରେ ଅବସ୍ଥିତ ଏକ ପ୍ରାଚୀନ ଜୈନ ପୀଠ । ଏଠାରେ ଜୈନ ତୀର୍ଥଙ୍କର ପ୍ରାଚୀନ କଳା ମୁଗୁନି ପଥରର ମୂର୍ତ୍ତି ରହିଛି ।

ନନ୍ଦପୁର: କୋରାପୁଟଠାରୁ ୪୫ କିମି ଦୂରରେ ଅବସ୍ଥିତ ନନ୍ଦପୁର, ପୂର୍ବରୁ ଜୟପୁର ରାଜାଙ୍କର ପୁରାତନ ରାଜଧାନୀ ଭାବେ ପରିଚିତି ପାଇଥିଲା । ଏଠାରେ ବତ୍ରିଶ ସିଂହାସନ ରହିଛି । ଏହାକୁ ନେଇ ଅନେକ କିମ୍ବଦନ୍ତୀ ରହିଛି । ଏହାବ୍ୟତୀତ ଏଠାରେ ଏକ ପଥର ନିର୍ମିତ ଲାଲ ରଙ୍ଗର ୬ ଫୁଟ ବିଶିଷ୍ଟ ସିଦ୍ଧ ଗଣେଶ ମୂର୍ତ୍ତି, ଭୈରବନାଥ ମନ୍ଦିର ଆଦି ରହିଛି ।

ଶାବର ଶ୍ରୀକ୍ଷେତ୍ର: କୋରାପୁଟଠାରେ ଏକ ଜଗନ୍ନାଥ ମନ୍ଦିର ରହିଛି, ଯାହାକୁ ଶାବର ଶ୍ରୀକ୍ଷେତ୍ର ବୋଲି କୁହାଯାଏ । ଜଗନ୍ନାଥ,ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା । ସମୁଦ୍ର ପତ୍ତନଠାରୁ ୨୯୦୦ ଫୁଟ ଉଚ୍ଚରେ ଅବସ୍ଥିତ ଏହି ମନ୍ଦିରଟି ଶ୍ରୀ ମନ୍ଦିର ଢ଼ାଞ୍ଚାରେ ନିର୍ମିତ । ପୁରୀ ଶ୍ରୀମନ୍ଦିରରେ ପାଳିତ ହେଉଥିବା ସମସ୍ତ ପର୍ବ ଏଠାରେ ପାଳିତ ହୁଏ । ଏହି ମନ୍ଦିରର ତଳ ଭାଗରେ ଆଦିବାସୀ ସଂଗ୍ରହାଳୟ ରହିଛି ।

ରେସିଲ: ଲକ୍ଷ୍ମୀପୁରଠାରୁ ୩ କିମି ଦୂର ଏବଂ କୋରାପୁଟଠାରୁ ୬୦ କିମି ଦୂରତାରେ ରେସିଲ ଅବସ୍ଥିତ । ଏଠାରେ ଥିବା ଚିରସ୍ରୋତା ଝରଣା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ଏଠାରେ ଅଁଳା ନବମୀ ବେଶ୍ ରଙ୍ଗୀନ ମହୋତ୍ସବ ଭାବେ ପାଳିତ ହୁଏ ।