ଦିନ ଥିଲା ଡାକଵାଲା ସମସ୍ତଙ୍କ ପାଇଁ କେଉଁ ଏକ ପରୀ ରାଇଜର ଦୂତ ପରି ଥିଲେ । ଭଲ ମନ୍ଦର ସବୁ ଖବର ନେଇ ପହଂଚି ଯାଉଥିଲେ । କିଏ ଚାକିରି ପାଇଲା, କିଏ ଘରକୁ ଆସିବ, କିଏ ବାଧିକି ପଢିଛି, ସବୁ ସୁଖ ଦୁଃଖର ମୁଣା ବୋହି ଘର ଘର ବୁଲି ଖବର ବାଣ୍ଟୁଥିଲେ । ଡାକଵାଲାର ଆସିବା ସମୟ ହୋଇଗଲେ ସମସ୍ତଙ୍କ ମୁହଁରେ ଆଶାଟିଏ ଉଙ୍କି ମାରେ, କାଳେ ଆଜି ମୋ ପାଇଁ କିଛି ଖବର ଆସିଥିବ କି । ଯେମିତି ଶାଶୁଘରୁ ଆସିଥିବା ନୂଆ ଭୁଆଟି ନିଜ ପ୍ରିୟତମର ଚିଠି ପାଇଁ ସବୁଦିନ ଡାକବାଲାର ଆସିବା ବାଟକୁ ଚାତକ ପରି ଅନେଇ ରହିଥାଏ । ସେଇପରି ଭଉଣୀଟିଏ ଘର ଦୂରରେ ରହିଥିବା ଫଉଜି ଭାଇର ଖଣ୍ଡିଏ ପୋଷ୍ଟ କାର୍ଡକୁ ଅନାଇ ରହିଥାଏ । ଆଜିର ମୋବାଇଲ୍ ଯୁଗରେ, ସେହି ସମୟର ଚିଠିର ନିଆରା ସୁଖକୁ କଳ୍ପନା କରିବା ମଧ୍ୟ କଷ୍ଟକର । ସେଇ ସମୟରେ ଅକ୍ଷରଗୁଡ଼ିକ ଏପରି ଏକ ମାଧ୍ୟମ ଥିଲା, ଯାହା ସାହାଯ୍ୟରେ ଜଣେ ବ୍ୟକ୍ତି ନିଜ ପ୍ରିୟଜନଙ୍କ ସ୍ମୃତିରେ ବର୍ଷ ବର୍ଷ ଅତିବାହିତ କରୁଥିଲେ । ସମୟ ବଦଳିଛି ଏବେ ଆମେ ପ୍ରିୟଲୋକଙ୍କ ସହ ଭିଡିଓ କଲିଂରେ ଦେଖା ହୋଇ ନିଜ ଭାବ ପ୍ରକଟ କରିପାରୁଛେ । ଯଦିଓ ଏବେ ଆଉ କେହି ଚିଠି ଲେଖୁନାହାନ୍ତି, କିନ୍ତୁ ଡାକସେବା ଚାଲୁ ରହିଛି । ଆଉ କେହି ଘରେ କାନପାତି ଡାକଵାଲାର ସାଇକେଲ ଘଣ୍ଟିକୁ ଅପେକ୍ଷା କରୁନାହିଁ, ତଥାପି ଡାକସେବା ରହିଛି । ଯଦିଓ ଏବେ ଆଉ ଡାକଵାଲା ମନିଅର୍ଡର ଆଣୁନାହିଁ, ତଥାପି ଡାକସେବା ବଂଚିଛି । ପରିବର୍ତ୍ତିତ ଧାରା ସହ ପାଦ ମିଶାଇ ବଦଳି ଚାଲିଛି ଡାକସେବା ବା ପୋଷ୍ଟ । ଉନ୍ନତ ଅତ୍ୟାଧୁନିକ ଡିଜିଟାଲ୍‌ - ଫ୍ରେଣ୍ଡଲି ଓ ସବୁବର୍ଗ ତଥା ସବୁ ବୟସର ସାଥୀ ହୋଇଛି ଡାକସେବା । ଡ଼ାକସେବାର ମହତ୍ତ୍ୱ ବିଷୟରେ ଜଣାଇବା ପାଇଁ ପ୍ରତିବର୍ଷ ଅକ୍ଟୋବାର ୯ରେ ପାଳିତ ହେଉଛି ‘ବିଶ୍ୱ ଡାକ ଦିବସ’ ।

ପ୍ରତିବର୍ଷ ଅକ୍ଟୋବର ୯ ତାରିଖକୁ ବିଶ୍ୱ ଡାକ ଦିବସ ଭାବେ ପାଳନ କରାଯାଏ । ୧୮୭୪ ମସିହା ଏହି ଦିନ ସ୍ୱିଜରଲ୍ୟାଣ୍ଡର ରାଜଧାନୀ ବର୍ନଠାରେ ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିଅନ୍ ପ୍ରତିଷ୍ଠା ହୋଇଥିଲା । ୧୯୬୯ ମସିହାରେ ଜାପାନ୍‌ର ଟୋକିଓଠାରେ ଆୟୋଜିତ ୟୁନିଭର୍ସାଲ୍ ପୋଷ୍ଟାଲ୍ କଂଗ୍ରେସରେ ଏହି ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା । ଭାରତୀୟ ପ୍ରତିନିଧି ଆନନ୍ଦ ମୋହନ ନରୁଲା ଏହି ଅଧିବେଶନରେ ଅକ୍ଟୋବର ୯ କୁ ବିଶ୍ୱ ଡାକ ଦିବସ ରୂପେ ପାଳିବା ପାଇଁ ପ୍ରସ୍ତାବ ଦେଇଥିଲେ । ସେହିଦିନଠାରୁ ସାରାବିଶ୍ୱର ସମସ୍ତ ଦେଶ ଏହି ଦିବସକୁ ବିଶ୍ୱ ଡାକ ଦିବସ ରୂପେ ପାଳନ କରି ଆସୁଛନ୍ତି । ଅନେକ ଦେଶର ଡାକ ବିଭାଗ ଏହି ଦିନ କିଛି ନୂଆ ଡାକ ସାମଗ୍ରୀ କିମ୍ବା ନୂଆ ଡାକସେବା ମଧ୍ୟ ପ୍ରଚଳନ କରିଥାନ୍ତି । ସାରା ବିଶ୍ୱରେ ଡାକ ସାମଗ୍ରୀ ଓ ଡାକ ସେବାର ପ୍ରୋତ୍ସାହନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ‘ବିଶ୍ୱ ଡାକ ଦିବସ’ର ମୂଳ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ଡାକ ସେବା ବିଷୟରେ ପ୍ରଚାର ପ୍ରସାର କରିବା ଏବଂ ଏହାର ଗୁରୁତ୍ୱ ବିଷୟରେ ଜଣାଇବା । ଏଥିସହ ଲୋକଙ୍କ ସାମାଜିକ ଜୀବନ ଓ ଦେଶରେ ଅର୍ଥନୈତିକ ବିକାଶରେ ଏହାର ଅବଦାନ ବିଷୟରେ ପ୍ରଚାର କରିବା ।

ପ୍ରତ୍ୟେକ ବର୍ଷ ଏହି ଦିବସ ପାଳନ ନେଇ କିଛି ଥିମ ବା ବିଷୟବସ୍ତୁ ରଖାଯାଇଥାଏ । ସେଇପରି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି - ପୁନରୁଦ୍ଧାର ପାଇଁ ଅଭିନବ ଉପାୟ । ଯେତେବେଳେ ସାରା ବିଶ୍ୱ କୋଭିଡ ମହାମାରୀରେ ପ୍ରଭାବିତ ହୋଇଛନ୍ତି ସେତେବେଳେ ଯୋଗାଣ ଶୃଙ୍ଖଳା ଭିତ୍ତିଭୂମି ମଧ୍ୟ ସାରା ବିଶ୍ୱକୁ ପ୍ରଭାବିତ କରିଛି । ସମ୍ପ୍ରତି ତାଲାବନ୍ଦ ସମୟରେ ଡାକସେବା ଅପହଞ୍ଚ ଅଂଚଳରେ ଔଷଧ ଓ ମେଡିକାଲ ଉପକରଣ ପହଁଚାଇପାରି ନିଜର ସେବାର ପରାକାଷ୍ଠା ଦେଖାଇଛି ।

ଆମ ଦେଶରେ ଆଧୁନିକ ଡାକ ବ୍ୟବସ୍ଥା ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ ଆରମ୍ଭ ହୋଇଥିଲା । ୧୭୬୬ ମସିହାରେ ଲର୍ଡ କ୍ଲିଭଙ୍କ ଦ୍ୱାରା ସ୍ଥାପିତ ଡାକ ବ୍ୟବସ୍ଥାକୁ ୧୭୭୪ ରେ କୋଲକାତା ଜିପିଓ ପ୍ରତିଷ୍ଠା କରି ୱାରେନ୍ ହାଷ୍ଟିଙ୍ଗସ୍ ବିକଶିତ କରାଇଥିଲେ । ଭାରତ ଆଜି ବିଶ୍ୱର ସବୁଠାରୁ ବଡ ଡାକ ନେଟୱାର୍କରେ ପରିଣତ ହୋଇଛି । ବିଶ୍ୱରେ ସବୁଠୁ ଅଧିକ ଡାକଘର ଆମ ଦେଶ ଭାରତରେ ରହିଛି । ଏବେ ବି ଦେଶରେ ଦେଢ ଲକ୍ଷରୁ ଅଧିକ ଡାକଘର ଅଛି । ସ୍ୱାଧୀନତା ସମୟରେ ସାରା ଦେଶରେ ୨୩,୩୪୪ ଡାକଘର ଥିଲା । ସେଥିମଧ୍ୟରୁ ୧୯,୧୮୪ ଟି ଗ୍ରାମାଞ୍ଚଳରେ ଏବଂ ୪,୧୬୦ ଟି ସହରାଞ୍ଚଳରେ ଥିଲା । ୧୯୮୬ରୁ ଭାରତରେ ସ୍ପିଡ୍‌ ପୋଷ୍ଟ ବ୍ୟବସ୍ଥାର ଆରମ୍ଭ ହୋଇଥିଲା । ୧୮୮୦ରେ ମନି ଅର୍ଡର ବ୍ୟବସ୍ଥା ହୋଇଥିଲା । ବିଶ୍ବର ସର୍ବାଧିକ ଉଚ୍ଚତାରେ ଥିବା ଡାକ ଘର ହେଉଛି ହିମାଚଳ ପ୍ରଦେଶ ଅନ୍ତର୍ଗତ ହିକିମ, ଯେଉଁଠାରେ ସମୁଦ୍ର ପତ୍ତନଠାରୁ ୧୫,୫୦୦ ଫୁଟ୍‌ ଉଚ୍ଚତାରେ ଏକ ଡାକ ଘର ରହିଛି । ସେହିପରି ସବୁଠୁ ଦ୍ରୁତ ଡାକସେବାର ରେକର୍ଡ ୟୁରୋପ ପାଖରେ ଅଛି । ଡାକ ନେଟୱାର୍କରେ ଚାରୋଟି ବର୍ଗର ଡାକଘର ଅଛି - ହେଡ୍ ପୋଷ୍ଟ ଅଫିସ୍, ସବ୍ ପୋଷ୍ଟ ଅଫିସ୍, ଅତିରିକ୍ତ ବିଭାଗୀୟ ସବ୍ ପୋଷ୍ଟ ଅଫିସ୍ ଏବଂ ଅତିରିକ୍ତ ବିଭାଗୀୟ ଶାଖା ଡାକଘର । ସମସ୍ତ ଡାକଘର ସମାନ ଡାକ ସେବା ଯୋଗାଏ, କେବଳ ନିର୍ଦ୍ଦିଷ୍ଟ ଡାକଘର ଦ୍ୱାରା ବିତରଣ କରାଯାଇଥାଏ । ପ୍ରତିବର୍ଷ ଅକ୍ଟୋବର ୧୦ରେ ଭାରତୀୟ ଡାକ ସେବା ଦିବସ ପାଳନ କରାଯାଏ ।

ଡାକସେବାର ଇତିହାସ:

ପ୍ରଥମେ ପାରାଙ୍କ ସାହାଯ୍ୟରେ ପରେ ପରେ ଡାହୁକ ବା ଖବରଦାତାଙ୍କ ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଖବର ପଠାଯାଉଥିଲା । ଏହାପରେ ଆସିଲା ଡାକସେବା । ଇତିହାସକୁ ଅବଲୋକନ କଲେ ଜଣାଯାଏ ଯେ, ଖ୍ରୀଷ୍ଟପୂର୍ବ ୨୫୫ ସମୟରେ ଇଜିପ୍ଟରେ ପ୍ରଥମ ଡାକସେବାର ଆରମ୍ଭ ହୋଇଥିବାର ଜଣାଯାଏ । ସେହିପରି ଖ୍ରୀଷ୍ଟପୂର୍ବ ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀ ମଧ୍ୟରେ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଚୁକ୍ତିନାମା ଏବଂ ଯୋଗାଯୋଗ ବିନିମୟକୁ ନିୟନ୍ତ୍ରଣ କରିବା ପାଇଁ ଡାକ ଚୁକ୍ତିନାମା ବ୍ୟବହୃତ ହୋଇଥିଲା । ୧୮୪୦ରେ ଇଂଲଣ୍ଡର, ସାର୍ ରୋୱଲ୍ୟାଣ୍ଡ ହିଲ୍ ଏହି ପ୍ରସଙ୍ଗରେ ଏକ ପ୍ରଣାଳୀ ପ୍ରବର୍ତ୍ତନ କରିଥିଲେ ଯାହା ମାଧ୍ୟମରେ ଚିଠିଗୁଡ଼ିକୁ ପୋଷ୍ଟ କରାଯିବା ଆରମ୍ଭ ହେଲା, ଏବଂ ଏନେଇ ମଧ୍ୟ କିଛି ଶୁଳ୍କ ମଧ୍ୟ ନିଆଗଲା । ସେହିଭଳି ଘରୋଇ ସ୍ତରରେ ପ୍ରସ୍ତୁତ ସମସ୍ତ ଚିଠି ବା ଦସ୍ତାବିଜ ପାଇଁ ଦୂରତା ଆଧାରରେ ଚାର୍ଜ ନିଆଯିବା ସହିତ ଏନେଇ ଏକ ମାନକ ପ୍ରସ୍ତୁତ କରିଥିଲେ । ଏହାର ଦର ନିର୍ଣ୍ଣୟ କରିବା ପାଇଁ ଓଜନକୁ ଏକ ମାନକ ଭାବେ ବ୍ୟବହାର କରାଗଲା । ଏନେଇ ଏକ ଷ୍ଟାମ୍ପର ଉପଯୋଗ କରାଗଲା । ରୋୱଲ୍ୟାଣ୍ଡ ହିଲ୍ ଦୁନିଆର ପ୍ରଥମ ଡାକ ଷ୍ଟାମ୍ପର ଆରମ୍ଭ କରିଥିଲେ ।

୧୮୬୩ ମସିହାରେ, ଆମେରିକା ପୋଷ୍ଟମାଷ୍ଟର ଜେନେରାଲ ମଣ୍ଟଗୋମେରି ବ୍ଲେୟାର ପ୍ୟାରିସରେ ଏକ ଆଲୋଚନାଚକ୍ର ଆୟୋଜନ କରିଥିଲେ । ୧୫ଟି ୟୁରୋପୀୟ ଏବଂ ଆମେରିକୀୟ ଦେଶର ପ୍ରତିନିଧୀମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ଏବଂ ଡାକ ସେବା ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ସମ୍ମିଳନୀରେ ଦିଆଯାଇଥିବା ସମସ୍ତ ପ୍ରତିଶୃତି ବିଫଳ ହେଲା ଏବଂ ସମ୍ମିଳନୀର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିନଥିଲା । ଏହି ଦେଶଗୁଡିକ ଡାକ ଚୁକ୍ତି ପ୍ରସଙ୍ଗରେ ନିରାଶାର ସମ୍ମୁଖୀନ ହୋଇଥିଲେ । ତେବେ ୧୮୭୪ରେ ଉତ୍ତର ଜର୍ମାନ କନଫେଡେରେସନର ଜଣେ ବରିଷ୍ଠ ଡାକ ଅଧିକାରୀ ହେନେରିକ ବର୍ନ ଭନ୍ ଷ୍ଟିଫେନ୍ ଏକ ଆନ୍ତର୍ଜାତୀୟ ଡାକ ସଂଘ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ତାଙ୍କ ପରାମର୍ଶକୁ ଆଧାର କରି ସ୍ୱିଜରଲ୍ୟାଣ୍ଡ ସରକାର ୧୫ ସେପ୍ଟେମ୍ବର ୧୮୭୪ରେ ଏକ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରିଥିଲେ, ଯେଉଁଥିରେ ୨୨ଟି ଦେଶର ପ୍ରତିନିଧି ଯୋଗ ଦେଇଥିଲେ । ପୁଣି ସେହି ବର୍ଷ ଅର୍ଥାତ ୧୮୭୪ରେ ସ୍ୱିଜରଲ୍ୟାଣ୍ଡର ରାଜଧାନୀ ବର୍ନଠାରେ ସନ୍ଧି ସ୍ଵାକ୍ଷରିତ ହେବା ସହିତ ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିଅନ୍ ପ୍ରତିଷ୍ଠା ହୋଇଥିଲା । ଏହି ଚୁକ୍ତିନାମା ଆନ୍ତର୍ଜାତୀୟ ଡାକ ସେବା ଏବଂ ଏକକ ଡାକ କ୍ଷେତ୍ରରେ ଚିଠି ବିନିମୟ ପାଇଁ ନିୟମ ଓ ସେବାକୁ ବ୍ୟବସ୍ଥିତ କରିବା ସଫଳ ହୋଇଥିଲା ।

ସମୟ ସହ ଡାକ ପ୍ରଣାଳୀରେ ବି ପରିବର୍ତ୍ତନ ଆସିଛି । ଆଧୁନିକ ଯୁଗରେ ଲୋକେ ଅଧିକ ଇମେଲ, ବିଭିନ୍ନ ମେସେଞ୍ଚରର ବହୁଳ ବ୍ୟବହାର କରୁଛନ୍ତି । ଫଳରେ ଡାକବ୍ୟବସ୍ଥା ଧିରେଧିରେ ଲୋପ ପାଇବାକୁ ବସିଲାଣି । କିନ୍ତୁ ବହୁସ୍ଥାନରେ ଏବେ ବି ଏହାର ଲୋକପ୍ରିୟତା ଅଛି । ଏବେବି ସରକାରୀ ଓ ବେସରକାରୀ ସ୍ତରରେ ଚିଠି ଦେବାନେବା ପାଇଁ ଡାକ ବ୍ୟବସ୍ଥା ରହିଛି । ଆଜିର ସମୟରେ କୋରିଅର୍ ପରି ସଂସ୍ଥାମାନ ଗଢି ଉଠିଥିଲେ ବି ଡାକବ୍ୟବସ୍ଥା ରହିଛି ଓ ଆଗକୁ ମଧ୍ୟ ରହିବ ।