ମନ୍ଦିରମାଳିନୀ ସହର ସାେନପୁର, ଫଟାେ - କେଦାର ମିଶ୍ର

ମନ୍ଦିର, କଳା, ସଂସ୍କୃତିର ସହର ହେଉଛି ସୁବର୍ଣ୍ଣପୁର ବା ସୋନପୁର । ସୁବର୍ଣ୍ଣପୁର ଜିଲ୍ଲା ବା ସୋନପୁର ଜିଲ୍ଲା ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ଗଠନ ହେଇଥିଲା । ଏହା ପୂର୍ବରୁ ବଲାଙ୍ଗିର ଜିଲ୍ଲାରେ ମିଶିକି ଥିଲା । ଏହି ଜିଲ୍ଲାର ଦକ୍ଷିଣ - ପୂର୍ବରେ ବୌଦ୍ଧ ଜିଲ୍ଲା, ପଶ୍ଚିମରେ ବଲାଙ୍ଗିର ଜିଲ୍ଲା ଓ ଉତ୍ତରରେ ସମ୍ବଲପୁର ଜିଲ୍ଲା ଅବସ୍ଥିତ । ଏହି ଜିଲ୍ଲା ନିଜର ସାଂସ୍କୃତିକ ବିଭବ, କଳା, ପ୍ରାଚୀନ ଓ ଇତିହାସ ପାଇଁ ବେଶ୍ ଲୋକପ୍ରିୟ । କେନ୍ଦୁପଲ୍ଲୀର ତନ୍ତବୁଣା ପାଟଲୁଗା, ବାଲିଝୁରୀର ଟେରାକୋଟା କାମ ଓ ତରଭାର ଫିଲିଗିରି କାମ, ଉଲୁଣ୍ଡାର ପଥର ଖୋଦେଇ ଓ ଡୁଙ୍ଗୁରିପାଲିର ଧାନରେ ତିଆରି ହାତକାମ ଏହି ଜିଲ୍ଲାର ନିଆରା ପରିଚୟ ।

ସୋମବଂଶୀ ରାଜାମାନଙ୍କ ଶାସନ କାଳରୁ "ସୁବର୍ଣ୍ଣପୁର" ନାମଟି ଆସିଥିବା ବିଶ୍ୱାସ କରାଯାଏ । କେହି କେହି ଏଠାରେ ସୁବର୍ଣ୍ଣପୁର ଜିଲ୍ଲାର ଅଧିଷ୍ଠିତ ଦେବ ସୁବର୍ଣ୍ଣମେରୁ ମହାଦେବଙ୍କ ନାମାନୁସାରେ ଏହି ଜିଲ୍ଲାର ନାମକରଣ ହୋଇଛି ବୋଲି କୁହନ୍ତି । ଆଉ କେହି କେହି କୁହନ୍ତି କୁଆଡେ ସୁବର୍ଣ୍ଣମେରୁଙ୍କ ପ୍ରତିଷ୍ଠା ଦିନ ଏଠାରେ କୁଆଡେ ଅଢେଇଦିନ ସୁବର୍ଣ୍ଣବର୍ଷା ହୋଇଥିଲା । ଏଥିପାଇଁ ଏହି ଜିଲ୍ଲାକୁ ସୁବର୍ଣ୍ଣପୁର ବୋଲି କୁହାଯାଏ । ତେବେ ପ୍ରାକୃତିକ ସୌନ୍ଦର୍ଯ୍ୟର ଅନନ୍ୟ ଗନ୍ତାଘର ହେଉଛି ସୁବର୍ଣ୍ଣପୁର ବା ସୋନପୁର । ମହାନଦୀ ଆଉ ତେଲ ନଦୀ କୂଳରେ ଅବସ୍ଥିତ ଏହି ସହରଟି ନିଜର ନିଆରା କଳା, ସଂସ୍କୃତି ଓ ଐତିହ୍ୟ ପାଇଁ ବେଶ ପରିଚିତ ।

ଏହି ଜିଲ୍ଲାର ମହାନଦୀ, ମନ୍ଦିର, ମଙ୍ଗା, ମାଛ, ମଠା ପାଟ, ମଲ୍ଲୀଫୁଲ, ମୁଗ ଅନ୍ୟତମ ଆକର୍ଷଣ । ଏଠାରେ ମହାନଦୀ ପୂର୍ଣ୍ଣ ଯୌବନପ୍ରାପ୍ତ, ଏହାର ସୌନ୍ଦର୍ଯ୍ୟରେ ଯେ କେହି ବି ବିଭୋର ହେବା ସ୍ୱାଭାବିକ । ପୁଣି ଏଠାରେ ରହିଛି ବହୁ ପ୍ରାଚୀନ ଆଉ ପ୍ରସିଦ୍ଧ ମନ୍ଦିର । ମହାନଦୀ ଏଠି ତେଲ ନଦୀ ସହିତ ମିଳିତ ହୋଇ ସୃଷ୍ଟି କରିଛି ଅପରୂପ ସୌନ୍ଦର୍ଯ୍ୟ । ବୌଦ୍ଧ ଆଉ ସୋନପୁରର କୈବର୍ତ୍ତମାନେ ଏଠି ମହାନଦୀ ଉପରେ ନିର୍ଭରଶୀଳ ପୁଣି ଏଠିକାର କୈବର୍ତ୍ତ ସମ୍ପ୍ରଦାୟମାନେ ନଦୀରୁ ମାଛ ଧରିବାରେ ସିଦ୍ଧହସ୍ତ । ଏଠିକାର ସୁବାସିତ ମଲ୍ଲୀଫୁଲ ମଧ୍ୟ ବେଶ୍ ପ୍ରସିଦ୍ଧ । ସୋନପୁରର କଳା ଦେଶୀ ମୁଗର ସ୍ୱାଦ ନିଆରା । ଆଉ ସୋନପୁରର ମଠା ପାଟ ବିଶ୍ୱବିଦିତ । ସୋନପୁରର ପ୍ରାୟ ଘରେ ଘରେ ରହିଛି ମଙ୍ଗା, ଯାହାକୁ ତନ୍ତ କୁହାଯାଏ ।

ଏଠିକାର ମାଟି, ପାଣି, ପବନରେ ଭାସି ଆସେ କଳା ଆଉ ଐତିହ୍ୟର ବାସ୍ନା । ମନ୍ଦିର ସହର ରୂପେ ପରିଚିତ ସୋନପୁରରେ ରହିଛି ବହୁ ପୁରାତନ ମନ୍ଦିର, ଯାହା ଦର୍ଶକଙ୍କୁ ଟାଣି ନିଏ । ଆସନ୍ତୁ ନଜର ପକାଇବା ସୋନପୁର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ଯଟନସ୍ଥଳୀ ଉପରେ ।

ସୁବର୍ଣ୍ଣମେରୁ ମନ୍ଦିର: ଏହି ମନ୍ଦିରର ନାମ ଅନୁସାରେ ସୁବର୍ଣ୍ଣପୁର ହେବା କଥା କେତେକ ମତ ଦେଇଥାନ୍ତି । ଏହା ଏକ ଶିବ ମନ୍ଦିର । ଜିଲ୍ଲାର ଇଷ୍ଟ ଦେବ ସୁବର୍ଣ୍ଣମେରୁ ମହାଦେବ । ସୋନପୁରର ପୁଣ୍ୟତୋୟା ତେଲ ନଦୀ କୂଳରେ ଅବସ୍ଥିତ ଏହି ସୁବର୍ଣ୍ଣମେରୁ ମନ୍ଦିର । ଅଷ୍ଟଶମ୍ଭୁ ମଧ୍ୟରେ ଅନ୍ୟତମ ଏହି ମନ୍ଦିରଟିର ମୂଳ ମନ୍ଦିର ତେଲ ନଦୀରେ ଡୁବି ଯାଇଥିବାବେଳେ ବର୍ତ୍ତମାନର ମନ୍ଦିରଟି ସପ୍ତଦଶ ଶତାବ୍ଦୀରେ ସୋମବଂଶୀଙ୍କ ଦ୍ୱାରା ନିର୍ମିତ ହୋଇଥିବାର ସୂଚନା ରହିଛି । ଏହା ସହରର ଉପରି ଭାଗରେ ଦଣ୍ଡାୟମାନ । ଏଠାରେ ଶୀତଳଷଷ୍ଠୀ, ଶିବ ଚତୁର୍ଦ୍ଦଶୀ ଓ ଶିବରାତ୍ରି ମୁଖ୍ୟ ପର୍ବ ରୂପେ ପାଳିତ ହୁଏ ।

ମାଣିକେଶ୍ୱରୀ ମନ୍ଦିର: ସୋନପୁର - ମୋନାମୁଣ୍ଡା ରାସ୍ତାର ଡାହାଣ ପାର୍ଶ୍ୱରେ ଦଣ୍ଡାୟମାନ ଏହି ମନ୍ଦିରଟି । ମାଣିକେଶ୍ୱରୀ ମତ୍ସ୍ୟଜୀବୀ ସମ୍ପ୍ରଦାୟର ଇଷ୍ଟ ଦେବୀ ଅଟନ୍ତି ।

ଲଙ୍କେଶ୍ୱରୀ ମନ୍ଦିର: ଲଙ୍କେଶ୍ୱରୀ ଠାକୁରାଣୀ ମନ୍ଦିର ସୋନପୁରର ଏକ ପ୍ରସିଦ୍ଧ ଠାକୁରାଣୀ ମନ୍ଦିର । ଏହା ମହାନଦୀ ଭିତରେ ଥିବା ଏକ ବିଶାଳ ପଥର ଖଣ୍ଡ ଉପରେ ଅବସ୍ଥିତ । ସୋନପୁର ଅଞ୍ଚଳକୁ ପୂର୍ବରୁ ପଶ୍ଚିମ ଲଙ୍କା କୁହାଯାଉଥିଲା । କୁହାଯାଏ ତ୍ରେତୟା ଯୁଗରେ ଏଠାରେ ରାବଣ ମା ଲଙ୍କେଶ୍ୱରୀଙ୍କ ପୂଜାର୍ଚ୍ଚନା କରୁଥିଲେ । ଏହି ମନ୍ଦିରଟି ବିଶେଷକରି ଧୀବର ସମ୍ପ୍ରଦାୟଙ୍କ ଇଷ୍ଟ ଦେବୀ ଭାବେ ଜଣାଶୁଣା । ଏଠାରେ ମା’ଙ୍କ ନିକଟରେ ମାଛ ଭୋଗ ହୁଏ । ଉଲୁଣ୍ଡା, ଧର୍ମସଲା, ସୋନେପୁର ଏବଂ ବୀରମହାରାଜପୁରକୁ ସଂଯୋଗ କରୁଥିବା ରାସ୍ତାରେ ଯାତ୍ରା କରୁଥିବା ସମୟରେ ଏହି ମନ୍ଦିରକୁ ଦେଖିପାରିବେ । ଏଠାରେ ଚୈତ୍ର ମାସର ଦ୍ଵିତୀୟ ମଙ୍ଗଳବାର ଦିନ ଏଠାରେ ଯାତ୍ରା ଅନୁଷ୍ଠିତ ହୁଏ । ମା ଏହି ଦିନ ଚାପ କେଳି କରନ୍ତି ।

ଲଙ୍କେଶ୍ୱରୀ ପୀଠରୁ ନଦୀ କୂଳକୁ ଅନେଇଲେ ନଜର ପଡେ ସୋନପୁରର ରାଜପ୍ରାସାଦ । ଭଗ୍ନ ଏହି ରାଜପ୍ରାସାଦ ଅନେକ ଐତିହାସିକ ଘଟଣାର ମୂକସାକ୍ଷୀ । ଲଙ୍କେଶ୍ୱରୀଙ୍କ ପୀଠରେ ଠିଆ ହୋଇ ଭଗ୍ନ ରାଜପ୍ରାସାଦକୁ ଦେଖିଲେ ଆଖି ସାମ୍ନାରେ ଅତୀତ ଭାସି ଆସେ ।

ପଞ୍ଚରଥ ମନ୍ଦିର: ରଥ ଆକାରରେ ନିର୍ମିତ ଏହି ସୁନ୍ଦର ମନ୍ଦିର କୋଣାର୍କରେ ଥିବା ସୂର୍ଯ୍ୟ ମନ୍ଦିର ପରି । ଏଠାରେ ଭଗବାନ ପାର୍ବତୀଙ୍କ ସହ ଭଗବାନ ଶିବ, ଗଣେଶ, କାର୍ତ୍ତିକେୟ ଏବଂ ବୃଷଭଙ୍କୁ ପୂଜା କରାଯାଏ । ମନ୍ଦିରର ଅନ୍ୟତମ ଉଲ୍ଲେଖନୀୟ ବୈଶିଷ୍ଟ୍ୟ ହେଉଛି ଭଗବାନ ଗଣେଶଙ୍କ ମୂର୍ତ୍ତି ପୂର୍ବ ଆଡକୁ ରହିଛି; ସାଧାରଣତଃ ସମସ୍ତ ଶିବ ମନ୍ଦିରରେ ମୂର୍ତ୍ତି ଦକ୍ଷିଣ ଆଡକୁ ମୁହାଁଇଥାଏ ।

ପାତାଳୀ ଶ୍ରୀକ୍ଷେତ୍ର: ଏହା କୋଟସମଲାଏ ପାହାଡ଼ ଉପରେ ଥିବା ଏକ ସୁନ୍ଦର ଜଗନ୍ନାଥ ମନ୍ଦିର । ପାତାଳୀ ଶ୍ରୀକ୍ଷେତ୍ର ସୋନପୁର ଜିଲ୍ଲା ତଥା ଓଡ଼ିଶାର ଏକ ପ୍ରସିଦ୍ଧ ଐତିହାସିକ ମହତ୍ଵପୂର୍ଣ୍ଣ ଧାର୍ମିକ ସ୍ଥଳ । ବିଶ୍ଵାସ କରାଯାଏ ଯେ, ଏଠାରେ ଥିବା ଗୁମ୍ଫାରେ ମହାପ୍ରଭୁ ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ର ୧୪୪ ବର୍ଷ ପାତାଳୀ ହୋଇ ରହିଥିଲେ । ଏହା ସୋନପୁର ଜିଲ୍ଲାର ସଦର ମହକୁମା ଉତ୍ତର ପଶ୍ଚିମ ଦିଗ କୋଟ ସମଲାଇ ଗ୍ରାମ ନିକଟ ତ୍ରିକୂଟ ପାହାଡ଼ରେ ଅବସ୍ଥିତ । ଏହା ସୋନପୁର ଜିଲ୍ଲାର ବୀରମହାରାଜପୁର ସବଡିଭିଜନ ଅନ୍ତର୍ଗତ ।

ସୁରେଶ୍ୱରୀ ମନ୍ଦିର: ପ୍ରାଚୀନତମ ଶାକ୍ତ ଦେବୀ ସୁରେଶ୍ୱରୀ ହେଉଛନ୍ତି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ । ସୁରେଶ୍ୱରୀ ଦେବୀଙ୍କୁ ଅନେକ ପର୍ଶୁରାମଙ୍କ ମାତା ରେଣୁକା ବୋଲି ଅଭିହିତ କରନ୍ତି କାରଣ ସୁରେଶ୍ୱରୀ ମନ୍ଦିର ନିକଟରେ ପର୍ଶୁରାମ ଯଜ୍ଞ କରିଥିବାର ପ୍ରମାଣ ରହିଛି । ସୁରେଶ୍ୱରୀ ଦେବୀଙ୍କ ମୁଖ୍ୟ ଉତ୍ସବ ହେଉଛି ବଳିଯାତ୍ରା ।

ରାମେଶ୍ୱର ମନ୍ଦିର: ମହାନଦୀ ଏବଂ ତେଲ ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ଏହି ମନ୍ଦିରଟିର ପ୍ରାକୃତିକ ସୌନ୍ଦର୍ଯ୍ୟ ସତରେ ଅନନ୍ୟ । ଏଠାରେ ଲିଙ୍ଗ ସ୍ଵୟଂଭୂ । ଏଠାରେ ଭଗବାନ ଶିବଙ୍କ ସହ ପାର୍ବତୀ, କାର୍ତ୍ତିକ ଏବଂ ଗଣେଶଙ୍କୁ ପୂଜା କରାଯାଏ । ଏଠାରେ ଏକ ଦୁର୍ଗା ମନ୍ଦିର ମଧ୍ୟ ଦେଖିବାକୁ ମିଳେ । ଦଶଭୁଜା ମାଦୁର୍ଗାଙ୍କୁ ଏଠାରେ ପ୍ରମୁଖ ଶକ୍ତି ଭାବରେ ପୂଜା କରାଯାଏ । ରାମେଶ୍ୱର ମନ୍ଦିରର ସୀମା ବାହାରେ ଏକ ବିଶ୍ରବା ମନ୍ଦିର ଅଛି । ଇତିହାସକୁ ଲକ୍ଷ୍ଯ କଲେ ଜଣାଯାଏ ଯେ ଚୌହାନମାନେ ଏଠାରେ ମନ୍ଦିର ସ୍ଥାପନ କରିଥିଲେ, ମାତ୍ର ଏଠାକାର କୀର୍ତ୍ତିରାଜି ସବୁକୁ ସୋମବଂଶୀମାନେ ନିର୍ମାଣ କରିଥିଲେ ବୋଲି ଜଣାଯାଏ ।

ପାପକ୍ଷୟ ଘାଟ: ଏହା ଏକ ଦର୍ଶନୀୟ ପୀଠ । ଏହା ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଠାରୁ ୩ କି.ମି ଦୂରରେ ମହାନଦୀ କୂଳରେ ଅବସ୍ଥିତ । କିମ୍ବଦନ୍ତୀ ଅନୁସାରେ ଏହା ବିଶ୍ୱାସ କରାଯାଏ ଯେ, ରାଜା ଦ୍ୱିତୀୟ ଅନଙ୍ଗ ଭୀମଦେବ କୁଷ୍ଠ ରୋଗରେ ଆକ୍ରାନ୍ତ ଥିଲେ । ସମସ୍ତ ପ୍ରକାର ଚିକିତ୍ସା ବିଫଳ ହେଲା । ଶେଷରେ ରାଜା ଏହି ଘାଟରେ ସ୍ନାନ କରିବା ପରେ କୁଷ୍ଠ ରୋଗରୁ ଆରୋଗ୍ୟ ଲାଭ କରିଥିଲେ । ତେଣୁ ସେହି ଦିନଠାରୁ ଏହି ଘାଟକୁ ପାପକ୍ଷୟ ଘାଟରେ ନାମିତ କରାଗଲା । ପାପକ୍ଷୟ ଘାଟରେ ରାଧାକୃଷ୍ଣ ମନ୍ଦିର, କପିଳେଶ୍ୱର ଶିବ ମନ୍ଦିର, ପାର୍ବତୀ ମନ୍ଦିର ସହ ହନୁମାନ ମନ୍ଦିର ରହିଅଛି । ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ସମୟରେ ଏହି ଘାଟରେ ହଜାର ହଜାର ଭକ୍ତ ବୁଡ ପକାଇବା ସହ ନିକଟସ୍ଥ ପ୍ରାଚୀନ ବରଗଛର ସଂକୀର୍ଣ୍ଣ ସନ୍ଧିରେ ବେଢା ପରିକ୍ରମା କରନ୍ତି । ବରଗଛର ସନ୍ଧିର ଗୋଟିଏ ପାର୍ଶ୍ୱରୁ ପ୍ରବେଶ କରି ଅନ୍ୟ ପାର୍ଶ୍ୱରେ ବାହାରିଲେ ପାପକ୍ଷୟ ହୁଏ ବୋଲି ବିଶ୍ୱାସ କରାଯାଏ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋହର । ଏହି ସ୍ଥାନଟି ପିକନିକ ପାଇଁ ବେଶ୍ ବଢିଆ ।