ଧୀରେଧୀରେ ପାଦ ଚିପି ଚିପି ଶୀତ ଆସୁଛି । ତାର ବାସ୍ନା ଚାରିଆଡେ ମହକିବା ଆରମ୍ଭ କଲାଣି । ତାର ପ୍ରଥମ ସ୍ପର୍ଶ ମଧ୍ୟ ଅନୁଭୂତ ହେଲାଣି । ତା ଆଗମନରେ ସହରରେ ଦେଖାଯିବ କୁହୁଡିର ଭିଡ ପୁଣି ଚାରିଆଡେ ଧୂଆଁଳିଆ ପରିବେଶ । ଘାସ ଗାଲିଚାରେ କାକର ଟୋପା ମୋତିର ଭ୍ରମ ସୃଷ୍ଟି କରିବ । ଶୀତ ଋତୁ ଆସିଗଲେ ଶୃଙ୍ଗାରପ୍ରିୟା ନାରୀଟିଏ ପରି ପ୍ରକୃତି ଅଧିକ ସୁନ୍ଦର ହୋଇଯାଏ ଯେମିତି । ଠିକ୍ ଏଇ ସମୟରେ ପ୍ରକୃତିକି ଟିକେ ନିରିଖେଇ ଦେଖିବାକୁ ଭଲ ଲାଗେ । ବର୍ଷ ସାରାର ଠିକ୍ ଏହି ସମୟ ହିଁ ବୁଲିବା ପାଇଁ ବେଶ୍ ଉପଯୁକ୍ତ । ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ସତରେ ଅନନ୍ୟ । ଶୀତର ପ୍ରଥମ ସ୍ପର୍ଶରେ ଆସନ୍ତୁ ଆମେ ସହରଠୁ ଦୂର ପ୍ରକୃତିର କୋଳରେ କିଛି ସମୟ ପାଇଁ ହଜିଯିବା । ଚାଲନ୍ତୁ ବୁଲିଯିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କନ୍ଧମାଳ ଜିଲ୍ଲା ।

ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ ଏହି ଜିଲ୍ଲାଟି ୧୯୯୩ ମସିହା ଅପ୍ରେଲ ପହିଲା ଦିନ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ପୂର୍ବରୁ ଏହା 'ବୌଦ୍ଧ-କନ୍ଧମାଳ' ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା । ଏହି ଜିଲ୍ଳାର ମୁଖ୍ୟ ସହର ହେଉଛି ଫୁଲବାଣୀ । ଏହି ଅଂଚଳର ତରଙ୍ଗାୟିତ ସବୁଜ ପାହାଡ଼, ସାଲୁଙ୍କି ନଦୀର ଶୀତଳ ଜଳରାଶି ପୁଣି ସରଗୀ ଫୁଲର ସମ୍ଭାର ସତେ ଯେମିତି ଏଠି ମଧୁର ମୂର୍ଚ୍ଛନା ସୃଷ୍ଟି କରେ । ଏହି ଜିଲ୍ଲାର ମୁଖ୍ୟ ଆକର୍ଷଣ ହେଉଛି ଦାରିଙ୍ଗବାଡ଼ି, ଯାହାକୁ ଓଡ଼ିଶାର କାଶ୍ମୀର ବୋଲି କୁହାଯାଏ । ସୌନ୍ଦର୍ଯ୍ୟର ଅନନ୍ୟ ଗନ୍ତାଘର ଏଇ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଉପରେ ଟିକେ ନଜର ପକାଇବା ।

ଦାରିଙ୍ଗବାଡି: ସମୁଦ୍ର ପତନଠାରୁ ୩୦୦୦ ଫୁଟ ଉଚ୍ଚତାରେ ଏହା ଅବସ୍ଥିତ । ଏହା ଓଡିଶା ରାଜ୍ୟର ଏକମତ୍ର ସ୍ଥାନ ଯେଉଁଠାରେ ଶୀତ ଋତୁରେ ବରଫପାତ ହୋଇଥାଏ । ସବୁଜ ପାହାଡ ଓ ଜଳପ୍ରପାତରେ ଭରପୂର ଏହି ମନୋରମ ସ୍ଥାନ ପ୍ରକୃତିପ୍ରେମୀଙ୍କୁ ସବୁବେଳେ ଆକର୍ଷିତ କରେ । ଏଠାରେ କଫି ଓ ପାଇନ ଗଛର ଛାଇଛାଇକା ଖେଳ ଆଉ ଶାଳଫୁଲର ଅପୂର୍ବ ବାସ୍ନା ମନକୁ ଭୁଲାଇ ଦିଏ । କେବଳ ଏତିକି ନୁହେଁ ଘଞ୍ଚ ଜଙ୍ଗଲ, ଜଙ୍ଗଲୀ ପଶୁପକ୍ଷୀ ତଥା ସୁନ୍ଦର ଉପତ୍ୟକା ଏହାର ଅନ୍ୟତମ ଆକର୍ଷଣ । ବ୍ରିଟିଶ ଅଫିସର୍ ଡେୟାରିଂ ସାହେବ (ଦାରିଙ୍ଗ ସାହେବ)ଙ୍କ ନାଁ ଅନୁସାରେ ଏଠାକାର ନାମକରଣ ହୋଇଥିବା କୁହାଯାଏ । ଦାରିଙ୍ଗବାଡିରେ ସାଂସ୍କୃତିକ, ଆଦିବାସୀ ଓ ପ୍ରାକୃତିକ ପର୍ଯ୍ୟଟନର ମିଶ୍ରଣ ଦେଖିବାକୁ ମିଳେ ।